ପିଏମଇଣ୍ଡିଆ

PM's Message

ମୋ ପ୍ରିୟ ଦେଶବାସୀ,

ସେବା, ଆମ ଭାରତୀୟ ଭାବଧାରାରେ କର୍ତ୍ତବ୍ୟର ଏକ ଚରମ ନିଦର୍ଶନ । ସେବା ପରମ ଧର୍ମ । ବର୍ଷେ ତଳେ ଆପଣମାନେ ମୋତେ ଏକ ବିରାଟ ଦାୟିତ୍ୱ ନ୍ୟସ୍ତ କରିଥିଲେ – ପ୍ରଧାନ ସେବକ ରୂପେ ଆପଣମାନଙ୍କ ସେବା କରିବାକୁ । ପ୍ରତ୍ୟେକ ଦିନ, ପ୍ରତିଟି ମୁହୂର୍ତ୍ତକୁ କାୟ-ମନୋ-ବାକ୍ୟରେ ସମର୍ପଣର ଭାବ ନେଇ, ନିଷ୍ଠାର ସହ ସଚ୍ଚୋଟତାର ଭାବନାରେ ମୁଁ ମୋର କର୍ତ୍ତବ୍ୟ ପାଳନରେ ଲାଗିପଡିଛି ।

ଆମେ ଶାସନ ଭାର ସମ୍ଭାଳିଲା ବେଳକୁ ଭାରତ ଉପରେ ଆସ୍ଥା ଧିରେ ଧିରେ ମଉଳିବାକୁ ବସିଥିଲା । ଅପ୍ରତିହତ ଭ୍ରଷ୍ଟାଚାର ଓ ଅନିଶ୍ଚିତତା ସରକାରଙ୍କୁ ପଙ୍ଗୁ କରିଦେଇଥିଲା । କ୍ରମବର୍ଦ୍ଧିଷ୍ଣୁ ମୁଦ୍ରାସ୍ଫିତି ଓ ଆର୍ଥିକ ଅସୁରକ୍ଷା ସାଧାରଣ ଜନତାଙ୍କୁ ହତାଶା ମଧ୍ୟକୁ ଠେଲି ଦେଇଥିଲା । ସେତେବେଳେ ତ୍ୱରିତ ଓ ନିର୍ଣ୍ଣାୟକ ପଦକ୍ଷେପ ନେବାର ବେଳ ଆସିଯାଇଥିଲା ।

ଏହିସବୁ ଆହ୍ୱାନକୁ ଆମେ ସୁବ୍ୟବସ୍ଥିତ ଢଙ୍ଗରେ ସାମ୍ନା କଲୁ । ହୁ ହୁ ହୋଇ ବଢୁଥିବା ଦରଦାମକୁ ନିୟନ୍ତ୍ରଣ କରିପାରିଲୁ । ସମସ୍ୟା ଜର୍ଜରିତ ଅର୍ଥ ବ୍ୟବସ୍ଥାକୁ ଜୀବନ୍ୟାସ ଦେଲୁ । ନୀତି ଆଧାରିତ କ୍ରିୟାଶୀଳ ଓ ସ୍ଥାୟୀ ପ୍ରଶାସନ ଜରିଆରେ ଏହି କାର୍ଯ୍ୟ ଆଗକୁ ଆଗକୁ ବଢାଇନେଲୁ । ଦୂର୍ଲଭ ପ୍ରାକୃତିକ ସମ୍ପଦକୁ ବାଛ ବିଚାର କରି ଆବଣ୍ଟନ କରିବା ପରିବର୍ତ୍ତେ ସ୍ୱଚ୍ଛ ନିଲାମୀ ପ୍ରକ୍ରିୟାର ଆଶ୍ରୟ ନେଲୁ । କଳାଧନ ବିରୁଦ୍ଧରେ ଶକ୍ତିଶାଳୀ ପଦକ୍ଷେପ ଗ୍ରହଣ କଲୁ । ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନଠାରୁ ଆରମ୍ଭ କରି ଏକ କଡାକଡି କଳାଧନ ବିରୋଧୀ ଆଇନ ପ୍ରଣୟନ ପର୍ଯ୍ୟନ୍ତ ଠୋସ ପଦକ୍ଷେପମାନ ନେଲୁ । କଳାଧନ ବିରୁଦ୍ଧରେ ଆନ୍ତର୍ଜାତିକ ସହମତି ସୃଷ୍ଟି ପାଇଁ ଆମ ପକ୍ଷରୁ ପ୍ରୟାସ ଆରମ୍ଭ ହେଲା । ଆମର କଥା ଓ କାର୍ଯ୍ୟରେ ସମାନତା ଓ ଶୁଦ୍ଧତା ଆଣିଲୁ ଯାହାକି ଏକ ଦୁର୍ନୀତିମୁକ୍ତ ସରକାର ପ୍ରଦାନକୁ ସୁନିଶ୍ଚିତ କରିଛି । ସରକାରଙ୍କ କାର୍ଯ୍ୟ ସଂସ୍କୃତିରେ ମହତ୍ତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି । ପେଶାଦାର କାର୍ଯ୍ୟଶୈଳୀ ଓ ନାଗରିକ ସମ୍ବେଦନଶୀଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଉଛି । ରାଷ୍ଟ୍ର କଲ୍ୟାଣ ଦିଗରେ ଆଉ ପାଦେ ଆଗକୁ ବଢି ରାଜ୍ୟମାନଙ୍କୁ ବିକାଶରେ ସମ-ଭାଗୀଦାରୀ କଲୁ । ଟିମ୍ ଇଣ୍ଡିଆର ଭାବନା ଓ ଉତ୍ସାହ ସୃଷ୍ଟି କଲୁ । ସବୁଠାରୁ ବଡ କଥା ହେଲା- ସରକାରଙ୍କ ଉପରେ ଆସ୍ଥା ଓ ବିଶ୍ୱାସକୁ ପୁନଃ ପ୍ରତିଷ୍ଠା କରାଇପାରିଲୁ ।

ଅନ୍ତ୍ୟୋଦୟ ନୀତିରେ ପରିଚାଳିତ ହୋଇ ଆମ ସରକାର ଗରିବ, ନିଷ୍ପେସିତ ଓ ଅବହେଳିତଙ୍କ ପ୍ରତି ସମର୍ପିତ ହୋଇଛି । ଆମେ ସେମାନଙ୍କୁ ଏଭଳି ଶସକ୍ତ କରିବାକୁ ପ୍ରୟାସ କରୁଛୁ ଯାହାଫଳରେ ସେହି ଗରିବମାନେ ହିଁ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ପାଇଁ ଅଣ୍ଟା ଭିଡିବେ । ଅନେକ ନୂଆ ନୂଆ ଲୋକାଭିମୁଖୀ ଯୋଜନା ଏବଂ ସ୍କିମ ଆରମ୍ଭ କଲୁ । ସ୍କୁଲରେ ଶୌଚାଳୟ ନିର୍ମାଣଠାରୁ ଆଇଆଇଟି, ଆଇଆଇଏମ ଏବଂ ଏଆଇଆଇଏମଏସ ଭଳି ଅନୁଷ୍ଠାନ ଗଢିବା ପର୍ଯ୍ୟନ୍ତ; ଶିଶୁଙ୍କୁ ସାର୍ବଜନୀନ ଟୀକାକରଣଠାରୁ ଲୋକ-ଆଧାରିତ ସ୍ୱଚ୍ଛ ଭାରତ ମିଶନ ପର୍ଯ୍ୟନ୍ତ; ଶ୍ରମିକ ଗୋଷ୍ଠୀଙ୍କୁ ସର୍ବନିମ୍ନ ପେନସନ ପ୍ରଦାନଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ପର୍ଯ୍ୟନ୍ତ; ପ୍ରାକୃତିକ ବିପତ୍ତି ସହ ଯୁଝୁଥିବା ଚାଷୀଙ୍କଠାରୁ ବିଶ୍ୱ ବାଣିଜ୍ୟ ସଂଗଠନରେ କୃଷକର ସ୍ୱାର୍ଥରକ୍ଷା ପର୍ଯ୍ୟନ୍ତ; ସମସ୍ତଙ୍କ ପାଇଁ ଆତ୍ମ ପ୍ରମାଣନର ସୁବିଧାଠାରୁ ହିତାଧିକାରୀର ବ୍ୟାଙ୍କ ଖାତାରେ ସିଧାସଳଖ ସବସିଡି ଜମା କରିବା ପର୍ଯ୍ୟନ୍ତ; ବ୍ୟାଙ୍କ ସେବାର ସାର୍ବଜନୀନକରଣଠାରୁ କ୍ଷୁଦ୍ର ବ୍ୟବସାୟକୁ ଋଣ ଦେବା ପର୍ଯ୍ୟନ୍ତ; କ୍ଷେତକୁ ପାଣି ଯୋଗାଇବାଠାରୁ ମା’ ଗଙ୍ଗାଙ୍କୁ ପୁନର୍ଜ୍ଜିବୀତ କରିବା ପର୍ଯ୍ୟନ୍ତ; ୨୪ ଘଣ୍ଟିଆ ବିଜୁଳି ଯୋଗାଣଠାରୁ ଦେଶର ପ୍ରତିଟି ପ୍ରାନ୍ତକୁ ସଡକ ଓ ରେଳ ପଥରେ ଯୋଡିବା ପର୍ଯ୍ୟନ୍ତ; ବାସହୀନଙ୍କ ପାଇଁ ବାସଗୃହ ଯୋଗାଣଠାରୁ ସ୍ମାର୍ଟ ନଗରୀ ନିର୍ମାଣ ପର୍ଯ୍ୟନ୍ତ ଏବଂ ଉତ୍ତର- ପୂର୍ବାଂଚଳର ସଂଯୋଗୀକରଣଠାରୁ ଆରମ୍ଭ କରି ପୂର୍ବ ଭାରତର ବିକାଶକୁ ପ୍ରାଥମିକତା ଦେବା ପର୍ଯ୍ୟନ୍ତ – ସମସ୍ତ ପଦକ୍ଷେପ ନେଇଛୁ ।

ବନ୍ଧୁଗଣ ଏହା କେବଳ ଅୟମାରମ୍ଭ ମାତ୍ର । ଆମର ଉଦ୍ଦେଶ୍ୟ ହେଲା – ଜୀବନଧାରଣ ମାନରେ ପରିବର୍ତ୍ତନ ଆଣିବା । ସଂରଚନା ଓ ସେବା କ୍ଷେତ୍ରରେ ସଂସ୍କାରକୁ ରୂପାନ୍ତର କରିବା । ମିଳିମିଶି ଆମେ ଆମ ସ୍ୱପ୍ନର ଭାରତ ଗଢିବା – ଯାହା ଆମ ସ୍ୱାଧୀନତା ସଂଗ୍ରାମୀମାନେ ମଧ୍ୟ କଳ୍ପନା କରିଥିଲେ । ରାଷ୍ଟ୍ର ନିର୍ମାଣ ଲାଗି ବାଛିଥିବା ଏହି ମାର୍ଗରେ ସାଫଲ୍ୟ ଅର୍ଜନ ପାଇଁ ମୁଁ ଆପଣମାନଙ୍କ ଆଶୀର୍ବାଦ ଓ ନିରନ୍ତର ସହଯୋଗ କାମନା କରୁଛି ।

ସଦା ମୁଁ ଆପଣଙ୍କ ସେବାରେ ।

ଜୟ ହିନ୍ଦ ।

 
Narendra Modi
PM's Message