ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖାଉଟି ସୁରକ୍ଷା ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଖାଉଟି ସୁରକ୍ଷା ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଖାଉଟି ସୁରକ୍ଷା ସଂକ୍ରାନ୍ତ ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

  • ଆଧୁନିକ ବ୍ୟବସାୟ ଶୈଳୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛି ନୂଆ ଖାଉଟି ସୁରକ୍ଷା ଆଇନ
  • ବିଭ୍ରାନ୍ତିକର ବିଜ୍ଞାପନ ବିରୁଦ୍ଧରେ କଡ଼ା ପ୍ରାବଧାନ ହେବ
  • ତୁରନ୍ତ ଅଭିଯୋଗ ଶୁଣାଣି ପାଇଁ ଗଠନ ହେବ ଏକ୍ଜିକ୍ୟୁଟିଭ କ୍ଷମତାସଂପନ୍ନ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ
  • କ୍ରେତାଙ୍କ 70 ପ୍ରତିଶତ ରାଶି ‘ଏସ୍କ୍ରୋ’ ଏକାଉଣ୍ଟରେ ରଖିବେ ବିଲ୍ଡର

 

ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରାମବିଳାସ ପାଶୱାନ ମଦୋଦୟ, ଶ୍ରୀ ସି.ଆର.ଚୌଧୁରୀ ମହୋଦୟ, UNCTAD ର ମହାସଚିବ ଡାକ୍ତର ମୁଖିସା କିଟ୍ୱି ମହୋଦୟ ଓ ଏଠି ଉପସ୍ଥିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ।

ସର୍ବପ୍ରଥମେ ଆପଣ ସମସ୍ତଙ୍କୁ ଖାଉଟି ସୁରକ୍ଷା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ପାଇଁ ବହୁତ ବହୁତ ଧନ୍ୟବାଦ । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଏସିଆ, ଦକ୍ଷିଣ-ପୂର୍ବ ଏସିଆ ଓ ପୂର୍ବ ଏସିଆର ସମସ୍ତ ଦେଶର ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି ।

ଦକ୍ଷିଣ ଏସିଆରେ ଏଭଳି ଆୟୋଜନ ପ୍ରଥମଥର ପାଇଁ ହୋଇଛି । ମୁଁ UNCTADକୁ ମଧ୍ୟ କୃତଜ୍ଞତା ଜଣାଉଛି ଯିଏକି ଭାରତର ଏହି ପ୍ରୟାସକୁ ଦୃଢ଼ତାର ସହ ଆଗକୁ ନେଇଛନ୍ତି ଆଉ ଏହାକୁ ଏହି ପର୍ଯ୍ୟାୟକୁ ଆଣିବାରେ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି ।

ବନ୍ଧୁଗଣ ବିଶ୍ୱର ଏହି ଭୂଭାଗ ଯେଭଳି ଭାବେ ପରସ୍ପର ସହ ଐତିହାସିକ ଦୃଷ୍ଟିରୁ ଜଡ଼ିତ ଅଛି ସେଭଳି ଅନ୍ୟ ସ୍ଥାନରେ କମ୍ ହିଁ ଦେଖିବାକୁ ମିଳିଥାଏ । ହଜାର ହଜାର ବର୍ଷ ଧରି ଆମେ ବାଣିଜ୍ୟ, ସଂସ୍କୃତି ଓ ଧର୍ମ ସହ ଜଡ଼ିତ ଅଛୁ । ସାମୁଦ୍ରିକ ଅର୍ଥବ୍ୟବସ୍ଥା ଏହି ଭୂଭାଗକୁ ସଂଯୋଗ କରିବାରେ ଶହ ଶହ ବର୍ଷ ଧରି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଲୋକଙ୍କ ଯିବାଆସିବା, ବୈଚାରିକ ଆଦାନପ୍ରଦାନର ଏହା ଉଭୟ ପଟୁ ପ୍ରକ୍ରିୟା ରହିଛି । ଯାହାର ଲାଭ ଏହି ଅଚଂଳର ପ୍ରତ୍ୟେକ ଦେଶକୁ ମିଳିଛି । ଆମେ ଆଜି ବି କେବଳ ଆର୍ଥିକ ନୁହେଁ ବରଂ ସାଂସ୍କୃତିକ ଦୃଷ୍ଟିରୁ ଏକ ଭାଗିଦାର ଓ ମିଳିତ ଐତିହ୍ୟର ପ୍ରତୀକ ।

ବନ୍ଧୁଗଣ, ଆଜିର ଆଧୁନିକ ଯୁଗରେ ଆମେ ପାରସ୍ପରିକ ସମ୍ବନ୍ଧର ଏକ ନୂଆ ପର୍ଯ୍ୟାୟରେ ରହିଛୁ । ଏସିଆର ଦେଶ ନା କେବଳ ନିଜ ଦେଶରେ ବସ୍ତୁ ଓ ସେବାର ମାର୍କେଟକୁ ସୀମିତ କରିଛି ବରଂ ଏହାର ସମ୍ପ୍ରସାରଣ ଅନ୍ୟ ମହାଦ୍ୱୀପ ପର୍ଯ୍ୟନ୍ତ ବି ବ୍ୟାପିଛି ।

ଏଭଳି ସ୍ଥିତିରେ ଖାଉଟି ସୁରକ୍ଷା ଏଭଳି ବିଷୟ ଯାହା ଏହି କ୍ଷେତ୍ରରେ ବ୍ୟବସାୟକୁ ବୃଦ୍ଧି ଓ ଏହାକୁ ଅଧିକ ସୁଦୃଢ କରିବାର ମୁଖ୍ୟ ଉପାଦାନ ଅଟେ ।

ଆଜିର ଏହି ଆୟୋଜନ ଏକଥାର ପ୍ରତୀକ କି ଆମେ ନିଜର ନାଗରିକଙ୍କ ଆବଶ୍ୟକତାକୁ କିଭଳି ଭାବେ ଗୁରୁତ୍ୱର ସହ ବୁଝୁଛୁ । ସେମାନଙ୍କର ସମସ୍ୟାକୁ ଦୂର କରିବା ପାଇଁ କିଭଳି ଗୁରୁତ୍ୱର ସହ ପ୍ରୟାସ କରୁଛୁ । ପ୍ରତ୍ୟେକ ନାଗରିକ ଜଣେ ଖାଉଟି ମଧ୍ୟ । ତେଣୁ ଏହି ଆୟୋଜନ ଆମର ସାମୁହିକ ପ୍ରତିବଦ୍ଧତାର ପ୍ରତୀକ ମଧ୍ୟ ।

ବନ୍ଧୁଗଣ ଏହି ପୁରା ପ୍ରକ୍ରିୟାରେ ଜାତିସଂଘ ଏକ ସହଯୋଗୀ ଭାବେ ଆଗକୁ ଆସିବା ମଧ୍ୟ ସୁଖଦ କଥା । 1985 ମସିହାରେ ପ୍ରଥମଥର ଖାଉଟି ସୁରକ୍ଷା ଉପରେ ଜାତିସଂଘ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଥିଲା । ଦୁଇବର୍ଷ ପୂର୍ବରୁ ହିଁ ଏଥିରେ ଅଧିକ ସଂସ୍କାର ଅଣାଯାଇଥିଲା । ଏହି ସଂସ୍କାର ପ୍ରକ୍ରିୟାରେ ଭାରତର ମଧ୍ୟ ସକ୍ରିୟ ଭୂମିକା ଥିଲା । ବିକାଶଶୀଳ ରାଷ୍ଟ୍ରରେ ଚିରସ୍ଥାୟୀ ଉପଯୋଗ, ଇ-ବାଣିଜ୍ୟ ଓ ଆର୍ଥିକ ସେବା ସମ୍ବନ୍ଧରେ ବି ଏହି ମାର୍ଗଦର୍ଶିକା ମହତ୍ୱପୂର୍ଣ୍ଣ ଥିଲା ।

ବନ୍ଧୁଗଣ, ଭାରତରେ ଶହ ଶହ ହଜାର ହଜାର ବର୍ଷ ଧରି ପ୍ରଶାସନର ଅଭିନ୍ନ ଅଙ୍ଗ ଭାବେ ଖାଉଟି ସୁରକ୍ଷା ରହିଛି । ହଜାର ହଜାର ବର୍ଷ ପୂର୍ବରୁ ରଚିତ ଆମର ବେଦରେ ଉପଭୋକ୍ତାଙ୍କ ସୁରକ୍ଷା ନେଇ ଉଲ୍ଲେଖ ରହିଛି । ଅଥର୍ବ ବେଦରେ କୁହାଯାଇଛି କି-

“ଇମା ମାତ୍ରା ମିମୀମ୍ ହେ ଯଥ ପରା ନ ମାସାତୈ” (“इमा मात्रा मिमीम हे यथ परा न मासातै”)

ଅର୍ଥାତ ବସ୍ତୁସ୍ଥିତି ଏବଂ ଓଜନରେ କୌଣସି ପ୍ରକାରର ତ୍ରୁଟି କରନ୍ତୁ ନାହିଁ । ହଜାର ବର୍ଷ ପୂର୍ବରୁ ଲିଖିତ ଗ୍ରନ୍ଥରେ ଖାଉଟି ସୁରକ୍ଷାର ଆନୁଷ୍ଠାନିକ ନିୟମ ବୁଝାଇ ଦିଆଯାଇଛି କି ଭୁଲ୍ ଶୈଳୀରେ ବାଣିଜ୍ୟ କରୁଥିବା ବ୍ୟକ୍ତିଙ୍କୁ କିଭଳି ଦଣ୍ଡ ଦିଆଯାଏ, ତାହା ମଧ୍ୟ ଉଲ୍ଲେଖ ରହିଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପ୍ରାୟ ଅଢ଼େଇ ହଜାର ବର୍ଷ ପୂର୍ବରୁ କୌଟିଲ୍ୟଙ୍କ ସମୟରେ ଶାସନ ପାଇଁ ଆନୁଷ୍ଠାନିକ ଗାଇଡ୍-ଲାଇନ ବା ମାର୍ଗଦର୍ଶିକା ପରିଭାଷିତ କରାଯାଇଥିଲା । କିଭଳି ବାଣିଜ୍ୟକୁ ନିୟନ୍ତଣ କରାଯିବ ଓ କିଭଳି ସରକାର ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା କରିବେ । କୌଟିଲ୍ୟଙ୍କ କାଳରେ ଶାସନ ଦ୍ୱାରା ଯେଉଁଭଳି ବ୍ୟବସ୍ଥା ଥିଲା ବର୍ତ୍ତମାନ ହିସାବରେ ଉକ୍ତ ପଦକୁ ବାଣିଜ୍ୟ ନିର୍ଦ୍ଦେଶକ ଓ ସୁପରିଂଟେଣ୍ଡେଣ୍ଟ ଅଫ୍ ଷ୍ଟାଣ୍ଡାର୍ସ କୁହାଯାଇପାରେ । ଆମର ଏଠି ଗ୍ରାହକଙ୍କୁ ଭଗବାନ ବୋଲି ବିବେଚନା କରାଯାଏ । କେତେକ ଦୋକାନରେ ଆପଣଙ୍କୁ ଲେଖା ମିଳିଯିବ – ଯେଉଁଠି ଲେଖାଯାଇଥି – ଗ୍ରାହକ ଦେବୋ ଭବଃ । ଯେକୌଣସି ବ୍ୟବସାୟୀ ହୁଅନ୍ତୁ, ତା’ର ଏକମାତ୍ର ଉଦ୍ଦେଶ୍ୟ ଖାଉଟି ସନ୍ତୁଷ୍ଟ ହେବା ଉଚିତ୍ ।

ବନ୍ଧୁଗଣ, ଭାରତ ଏଭଳି କିଛି ଦେଶରେ ସାମିଲ ଅଛି ଯିଏକି ଜାତିସଂଘ ମାର୍ଗଦର୍ଶିକା  ଗ୍ରହଣ ହେବାର ପରବର୍ତ୍ତୀ ବର୍ଷରୁ ଅର୍ଥାତ 1986 ମସିହାରୁ ନିଜର ଖାଉଟି ସୁରକ୍ଷା ଆଇନ ଲାଗୁ କରି ଦେଇଥିଲା ।

ଖାଉଟିଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ରଖିବା ହେଉଛି ଏହି ସରକାରଙ୍କ କେତେକ ପ୍ରାଥମିକତା ମଧ୍ୟରୁ ଗୋଟିଏ । ସରକାରଙ୍କ ଏହି ପ୍ରାଥମିକତା ନିଉ ଇଣ୍ଡିଆ ବା ନୂଆ ଭାରତର ସଂକଳ୍ପ ସହ ମଧ୍ୟ ଜଡ଼ିତ ହୋଇଛି । ନିଉ ଇଣ୍ଡିଆ ଯେଉଁଠି ଖାଉଟି ସୁରକ୍ଷାରୁ ଆଗକୁ ଆଗେଇ ଶ୍ରେଷ୍ଠ ଖାଉଟି କାର୍ଯ୍ୟପଦ୍ଧତି ଓ ଖାଉଟି ସମୃଦ୍ଧିର କଥା କୁହାଯିବ ।

ବନ୍ଧୁଗଣ, ଆମେ ଏବେ ଦେଶର ଆବଶ୍ୟକତା, ବର୍ତ୍ତମାନର ଆଧୁନିକ ବ୍ୟବସାୟ ଶୈଳୀକୁ ଦୃଷ୍ଟିରେ ରଖି ଏକ ନୂଆ ଖାଉଟି ସୁରକ୍ଷା ଆଇନ ପ୍ରସ୍ତୁତ କରୁଛୁ । ନୂଆ ଆଇନରେ ଖାଉଟି ସଶକ୍ତିକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଖାଉଟିଙ୍କ ସମସ୍ୟା କମ ସମୟରେ କମ୍ ଖର୍ଚ୍ଚରେ ଦୂର ହେବ । ଏଥିପାଇଁ ନିୟମ ସରଳ କରାଯାଉଛି । ବିଭ୍ରାନ୍ତିକର ବିଜ୍ଞାପନ ବିରୁଦ୍ଧରେ କଡ଼ା ପ୍ରାବଧାନ କରାଯାଉଛି । ତୁରନ୍ତ ଶୁଣାଣି ପାଇଁ ଏକ୍ଜିକ୍ୟୁଟିଭ କ୍ଷମତା ସହ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ ଗଠନ ମଧ୍ୟ କରାଯିବ ।

ଆମେ ରିଏଲ୍ ଇଷ୍ଟେଟ୍ ନିୟାମକ ଆଇନ ତିଆରି କରିଛୁ । ଯେଉଁଥିରେ ଘର କିଣୁଥିବା ଖାଉଟିଙ୍କ ସ୍ୱାର୍ଥକୁ ସୁରକ୍ଷା ଦିଆଯାଇଛି । ପୂର୍ବରୁ ବିଲ୍ଡରଙ୍କ ମନମାନୀ ଯୋଗୁ ବର୍ଷ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ନିଜ ଘର ପାଇଁ ଅପେକ୍ଷା କରିବାକୁ ପଡ଼ୁଥିଲା । ଫ୍ଲାଟ୍ ର ଏରିଆକୁ ନେଇ ମଧ୍ୟ ଭ୍ରମାତ୍ମକ ସ୍ଥିତି ଲାଗି ରହୁଥିଲା । ଏବେ ନିୟାମକ ବ୍ୟବସ୍ଥା ପରେ କେବଳ ପଞ୍ଜିକୃତ ଡେଭଲପର୍ସ ହିଁ ସମସ୍ତ ଆବଶ୍ୟକ ଅନୁମତି ପ୍ରାପ୍ତ କରିବା ପରେ ହିଁ ଘରର ବୁକିଂ କରାଇପାରିବ । ଏହା ସହିତ ସରକାର ବୁକିଂ ଅର୍ଥର ସୀମାକୁ ମଧ୍ୟ 10 ପ୍ରତିଶତ ଭିତରେ ସୀମିତ କରିଦେଇଚନ୍ତି ।

ପୂର୍ବରୁ ଏଭଳି ହେଉଥିଲା କି ବିଲ୍ଡର, ଘରର ବୁକିଂଙ୍ଗ କରିବା ପରେ ମିଳୁଥିବା ଟଙ୍କାକୁ ଅନ୍ୟ ପ୍ରୋଜେକ୍ଟରେ ଲଗାଇ ଦେଉଥିଲା । ଏବେ ସରକାର ଯେଉଁ ପ୍ରାବଧାନ କରିଛନ୍ତି ସେଥିରେ କ୍ରେତାଙ୍କଠାରୁ ମିଳୁଥିବା 70 ପ୍ରତିଶତ ରାଶି ‘ଏସ୍କ୍ରୋ’ ଏକାଉଣ୍ଟରେ ରଖିବାକୁ ପଡ଼ିବ । ଉକ୍ତ ରାଶି ସେହି ପ୍ରୋଜେକ୍ଟରେ ଖର୍ଚ୍ଚ କରିବାକୁ ହିଁ ପଡ଼ିବ । ଏଭଳି ଭାବେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଆଇନ ମଧ୍ୟ ପ୍ରସ୍ତୁତ ହୋଇଛି । ଏବେ ପବ୍ଲିକ୍ ଅବା ଖାଉଟି ସ୍ୱାର୍ଥ ସହ ଜଡ଼ିତ କୌଣସି ସାମଗ୍ରୀ ଅବା ସେବାକୁ ବାଧ୍ୟତାମୂଳକ ପ୍ରମାଣପତ୍ର ଅନ୍ତର୍ଗତ ଅଣାଯାଇପାରିବ । ଏହା ଆଧାରରେ ଖରାପ ମାନର ବସ୍ତୁକୁ ବଜାରରୁ ଫେରସ୍ତ ଆଣିବା ଓ  ତା’ଦ୍ୱାରା ଯଦି ଖାଉଟିଙ୍କୁ କ୍ଷତି ହୋଇଛି, ସେଥିପାଇଁ କ୍ଷତିପୂରଣ ପ୍ରଦାନର ମଧ୍ୟ ପ୍ରାବଧାନ କରାଯାଇଛି ।

ଏବେ ନିକଟରେ ଭାରତ ବସ୍ତୁ ଓ ସେବା କର – GSTକୁ ମଧ୍ୟ ଲାଗୁ କରିଛି । ଜିଏସଟି ପରେ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଡଜନେ ପ୍ରତ୍ୟକ୍ଷ ଟିକସ ସମାପ୍ତ ହୋଇଛି । ଅନେକ ପ୍ରକାରର ଲୁକ୍କାୟିତ ଟିକସ ମଧ୍ୟ ସମାପ୍ତ ହୋଇଯାଇଛି । ଖାଉଟି ଏବେ ରସିଦରେ ଦେଖିପାରୁଛି କି କେତେ ଟିକସ ରାଜ୍ୟ ସରକାରଙ୍କୁ ଦେଇଛି ଓ କେତେ କେନ୍ଦ୍ର ସରକାରଙ୍କୁ । ସୀମାରେ ଲାଗୁଥିବା ଟ୍ରକ୍ ର ଲମ୍ବା ଧାଡ଼ି ମଧ୍ୟ ସମାପ୍ତ ହୋଇଯାଇଛି ।

GST ଦ୍ୱାରା ଦେଶକୁ ଏକ ନୂଆ ବ୍ୟବସାୟିକ ସଂସ୍କୃତି ମିଳିଛି । ଆଉ ଦୀର୍ଘକାଳୀନ ଭାବେ GSTର ସବୁଠାରୁ ବଡ଼ ଫାଇଦା ଖାଉଟିଙ୍କୁ ହିଁ ମିଳିବ । ଏହା ଏକ ପାରଦର୍ଶୀ ବ୍ୟବସ୍ଥା ଯେଉଁଥିରେ କୌଣସି ଖାଉଟିଙ୍କ ସ୍ୱାର୍ଥ ସହ କେହି ଖେଳିପାରିବେ ନାହିଁ । କେବଳ ସେତିକି ନୁହେଁ, ଜିଏସଟି ଯୋଗୁ ଯେତେବେଳେ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବଢ଼ିବ, ସେତେବେଳେ ସାମଗ୍ରୀର ଦର ମଧ୍ୟ ହ୍ରାସ ପାଇବ । ଏହାର ସିଧାସଳଖ ଫାଇଦା ଗରିବ ଓ ମଧ୍ୟମବର୍ଗର ଖାଉଟିଙ୍କୁ ହେବ ।

ବନ୍ଧୁଗଣ, ଆଇନ ମାଧ୍ୟମରେ ଖାଉଟିଙ୍କ ସ୍ୱାର୍ଥ ରକ୍ଷାକୁ ସୁଦୃଢ଼ କରିବା ସହ ଲୋକଙ୍କ ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ବି ବହୁତ ଜରୁରୀ । ଗତ 3ବର୍ଷ ମଧ୍ୟରେ ଟେକ୍ନୋଲଜିର ଉପଯୋଗ କରି ଆମର ସରକାର ଅଭିଯୋଗ ସମାଧାନର ଏକ ନୂଆ ଇକୋ-ସିଷ୍ଟମ ପ୍ରସ୍ତୁତ କରିଛନ୍ତି ।

ଜାତୀୟ ଖାଉଟି ହେଲପ୍-ଲାଇନର କ୍ଷମତାକୁ 4ଗୁଣ ବୃଦ୍ଧି କରାଯାଇ ସାରିଛି । ଖାଉଟି ସୁରକ୍ଷା ସହ ଜଡ଼ିତ ପୋର୍ଟାଲ ଓ ସୋସିଆଲ ମିଡିଆକୁ ମଧ୍ୟ ସମନ୍ୱିତ କରାଯାଇଛି । ପୋର୍ଟାଲରେ ଘରୋଇ କମ୍ପାନୀଗୁଡ଼ିକ ମଧ୍ୟ ବହୁ ସଂଖ୍ୟାରେ ଯୋଡିହୋଇ ରହିଛନ୍ତି । ପୋର୍ଟାଲ ମାଧ୍ୟମରେ ପ୍ରାୟ 40 ପ୍ରତିଶତ ଅଭିଯୋଗ ସିଧାସଳଖ କମ୍ପାନୀଗୁଡ଼ିକ ପାଖରେ ସ୍ୱୟଂଚାଳିତ ଭାବେ ଟ୍ରାନ୍ସଫର ହୋଇଯାଉଛି । ଯାହା ଉପରେ ଦ୍ରୁତ ଗତିରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେଉଛି । ଜାଗୋ ଗ୍ରାହକ ଜାଗୋ ଅଭିଯାନ ମାଧ୍ୟମରେ ବି ଉପଭୋକ୍ତାଙ୍କୁ ସଚେତନ କରାଯାଉଛି । ମୁଁ ଦୃଢ଼ତାର ସହ କହିପାରିବି କି ଖାଉଟି ସୁରକ୍ଷାରେ ଯେଉଁଭଳି ଭାବେ ସୋସିଆଲ ମିଡିଆକୁ ଅନୁକୂଳ ଶୈଳୀରେ ଉପଯୋଗ ଏ ସରକାର କରୁଛନ୍ତି, ସେଭଳି ଦେଶରେ ପୂର୍ବରୁ କେବେ ହୋଇନଥିଲା ।

ବନ୍ଧୁଗଣ, ମୋ ଦୃଷ୍ଟିରେ ଆମ ସରକାରର ନଜରରେ ଖାଉଟି ସୁରକ୍ଷାର ପରିସର ବ୍ୟାପକ  ଓ ବିସ୍ତୃତ । କୌଣସି ଦେଶର ବିକାଶ ଓ ଖାଉଟି ସୁରକ୍ଷା ପରସ୍ପର ସହ ପରିପୂରକ । ବିକାଶର ଫାଇଦା ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଂଚିବା ପାଇଁ ଉତ୍ତମ ପ୍ରଶାସନର ବଡ଼ ଭୂମିକା ରହିଛି ।

ଯେତେବେଳେ ଆପଣ ସରକାର ଭାବେ ଏହା ସୁନିଶ୍ଚିତ କରିବେ କି ନାଗରିକକୁ ତା’ର ଅଧିକାର ମିଳୁ, ନାଗରିକ ପାଖରେ ସେବା ପହଂଚୁ ଯେଉଁଥିରେ ସିଏ ବଂଚିତ ରହିଛି । ସେତେବେଳେ ବି ଆପଣ ନାଗରିକଙ୍କ ସ୍ୱାର୍ଥକୁ ସୁରକ୍ଷା ଦେଇଥାନ୍ତି । ଦେଶର ଲୋକଙ୍କୁ ସ୍ୱଚ୍ଛ ଶକ୍ତି/ଜାଳେଣୀ ପାଇଁ ଉଜ୍ୱଳା ଯୋଜନା, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ, ଆର୍ଥିକ ସମାବେଶନ ପାଇଁ ଜନଧନ ଯୋଜନା ଆଦି ହେଉଛି ଏହି ଭାବନାର ପ୍ରତିବିମ୍ବ । 2022 ସୁଦ୍ଧା ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ନିଜର ଘର ଥିବ, ସେହି ଲକ୍ଷ୍ୟରେ ମଧ୍ୟ ସରକାର କାମ କରୁଛି ।

ଏବେ ନିକଟରେ ଦେଶର ପ୍ରତ୍ୟେକ ଘରେ ବିଦ୍ୟୁତ ସଂଯୋଗ ପହଂଚାଇବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରାଯାଇଛି । ଏହି ସମସ୍ତ ପ୍ରୟାସ ଲୋକଙ୍କୁ ମୌଳିକ ଜୀବନ ନିର୍ବାହକୁ ସହାୟତା ଦେବା ସହ ସେମାନଙ୍କର ଜୀବନକୁ ସହଜ କରିବା ମଧ୍ୟ ଉଦ୍ଦିଷ୍ଟ ।

ଖାଉଟିଙ୍କ ସ୍ୱାର୍ଥ ରକ୍ଷା କେବଳ ତାକୁ ଅଧିକାର ଦେବା ଦ୍ୱାରା ହୋଇନଥାଏ । ଭାରତରେ ଆମେ ସେ ଦିଗରେ ମଧ୍ୟ କାମ କରୁଛି କି ଯେଉଁଠି ସରକାରଙ୍କ ଯୋଜନାଗୁଡ଼ିକ ଖାଉଟିଙ୍କ ଅର୍ଥ ସଂଚୟରେ ସହାୟକ ସାବ୍ୟସ୍ତ ହେଉଛି । ଏହି ଯୋଜନାଗୁଡ଼ିକରେ ସବୁଠାରୁ ଅଧିକ ଫାଇଦା ଦେଶର ଗରିବ ଓ ମଧ୍ୟମ ବର୍ଗକୁ ମିଳୁଛି ।

ଆପଣମାନେ ଅବଗତ ଥିବେ କି ସଂପ୍ରତି ୟୁନିସେଫ୍ ଭାରତରେ ହୋଇଥିବା ଏକ ସର୍ଭେର ଫଳାଫଳ ଘୋଷଣା କରିଛି । ସର୍ଭେ ଅନୁସାରେ ସ୍ୱଚ୍ଛ ଭାରତ ମିଶନ ପରେ ଯେଉଁ ଗାଁ ଖୋଲାରେ ଶୌଚ କରିବାରୁ ମୁକ୍ତ ହୋଇଛି, ସେହି ଗାଁର ପ୍ରତ୍ୟେକ ପରିବାର ବାର୍ଷିକ 50ହଜାର ଟଙ୍କା ସଂଚୟ କରିପାରିଛୁ । ନଚେତ୍ ଏହି ରାଶି ତା’ର ପରିବାରକୁ ରୋଗର ଚିକିତ୍ସା, ହସ୍ପିଟାଲ ନେବାଆଣିବା ଓ ଅଫିସରୁ ନିଆଯାଇଥିବା ଛୁଟି ଆଦିରେ ଖର୍ଚ୍ଚ କରିବାକୁ ପଡ଼ୁଥିଲା । ବନ୍ଧୁଗଣ ଗରିବଙ୍କୁ ଶସ୍ତା ଔଷଧ ପ୍ରଦାନ ପାଇଁ ଭାରତୀୟ ଜନଔଷଧି ପରିଯୋଜନା ଆରମ୍ଭ ହୋଇଛି । 500ରୁ ଉର୍ଦ୍ଧ୍ଵ ଔଷଧର ମୂଲ୍ୟକୁ ହ୍ରାସ କରି ତାକୁ ଆବଶ୍ୟକ ଔଷଧ ତାଲିକାରେ ରଖାଯାଇଛି । ଷ୍ଟେଣ୍ଟ (ହୃତପିଣ୍ଡରେ ଆଞ୍ଜିଓପ୍ଲାଷ୍ଟି ପାଇଁ ଆବଶ୍ୟକ Stent) ମୂଲ୍ୟକୁ କ୍ୟାପିଙ୍ଗ୍ କରି ଏହାକୁ 85 ପ୍ରତିଶତ ପର୍ଯ୍ୟନ୍ତ ଶସ୍ତା କରାଯାଇ ସାରିଛି । ନିକଟରେ ଆଣ୍ଠୁ ପ୍ରତିରୋପଣର ମୂଲ୍ୟକୁ ମଧ୍ୟ ସରକାର ନିୟନ୍ତ୍ରିତ କରିଦେଇଛନ୍ତି । ଏହାଦ୍ୱାରା ଗରିବ ଓ ମଧ୍ୟବିତ୍ତ ବର୍ଗ ସହ ଜଡ଼ିତ ଖାଉଟିଙ୍କ କୋଟି କୋଟି ଟଙ୍କା ସଂଚୟ ହୋଇପାରିଛି ।

ଆମର ଚିନ୍ତାଧାରା ଖାଉଟି ସୁରକ୍ଷାକୁ ଆଗକୁ ଯାଇ ଖାଉଟି ସ୍ୱାର୍ଥକୁ ପ୍ରୋତ୍ସାହିତ କରିବା । ଖାଉଟି ସ୍ୱାର୍ଥରେ ଲୋକଙ୍କ ଅର୍ଥ ସଂଚୟ କରିବାର ଆଉ ଏକ ଉଦାହରଣ ହେଉଛି ଆମର ଉଜାଲା ଯୋଜନା । ସାଧାରଣ ମନେ ହେଉଥିବା ଏହି ଯୋଜନା ହେଉଛି ଏଲ୍ଇଡି ବଲ୍ବ ବିତରଣ କାର୍ଯ୍ୟକ୍ରମ । କିନ୍ତୁ ପରିଣାମ ବହୁତ ଅସାଧାରଣ । ଯେତେବେଳେ ଏ ସରକାର କ୍ଷମତାକୁ ଆସିଲା ଗୋଟିଏ ଏଲ୍ଇଡି ବଲବ୍ 350ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଥିଲା । ସରକାରଙ୍କ ପ୍ରୟାସ ପରେ ଏବେ ଏହି ବଲ୍ବ ଉଜାଲା ଯୋଜନା ଆଧାରରେ କେବଳ 40ରୁ 45 ଟଙ୍କା ଦରରେ ଉପଲବ୍ଧ ହେଉଛି । ସରକାର ଏଲଇଡି ବଲ୍ବ ମୂଲ୍ୟ ହ୍ରାସ କରି ଲୋକଙ୍କ ବିଜୁଳି ବିଲ୍ ରେ ସଂଚୟ କରାଇଛନ୍ତି । ଏହି ଯୋଜନାରେ ଖାଉଟିଙ୍କ 20ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ସଂଚୟ ହୋଇଛି ।

ବନ୍ଧୁଗଣ, ମୁଦ୍ରାସ୍ପୀତି ଉପରେ ନିୟନ୍ତ୍ରଣ ଯୋଗୁ ମଧ୍ୟ ଗରିବ ଓ ମଧ୍ୟବିତ୍ତ ବର୍ଗର ଖାଉଟିଙ୍କୁ ଆର୍ଥିକ ଫାଇଦା ମିଳିଛି । ନଚେତ୍ ଗତ ସରକାରରେ ଯେଉଁ ଗତିରେ ମୁଦ୍ରାସ୍ପୀତି ବଢ଼ୁଥିଲା, ସେହି ଗତିରେ ବଢ଼ି ଚାଲିଥିଲେ ଦେଶର ସାଧାରଣ ନାଗରିକଙ୍କ ରୋଷେଇ ବଜେଟ ବହୁତ ବଢ଼ିସାରନ୍ତାଣି ।

ଟେକ୍ନୋଲଜି ମାଧ୍ୟମରେ ସାର୍ବଜନୀନ ବିତରଣ ପ୍ରଣାଳୀକୁ ସୁଦୃଢ଼ କରି ଏହା ସୁନିଶ୍ଚିତ କରାଯାଉଛି କି ଯେଉଁ ଗରିବର ଶସ୍ତା ଖାଦ୍ୟଶସ୍ୟ ଉପରେ ଅଧିକାର, ତାକୁ ହିଁ ଏହି ଖାଦ୍ୟଶସ୍ୟ ମିଳୁ ।

ଡାଇରେକ୍ଟ ବେନିଫିଟ୍ ସ୍କିମ୍ ଆଧାରରେ ହିତାଧିକାରୀଙ୍କ ବ୍ୟାଙ୍କ ଏକାଂଉଟ୍ରେ ସିଧାସଳଖ ଟଙ୍କା ଟ୍ରାନ୍ସଫର କରି ସରକାର 57ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ଅର୍ଥ ଭୁଲ୍ ଲୋକଙ୍କ ହାତକୁ ଯିବା ଅଥବା ବାଟମାରଣା ରୋକିବାରେ ସକ୍ଷମ ହୋଇଛନ୍ତି । ବନ୍ଧୁଗଣ, ଚିରସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ ନିମନ୍ତେ ଏହା ଜରୁରୀ ଯେ ଖାଉଟି ମଧ୍ୟ ନିଜର ମିଳିତ ଉତରଦାୟିତ୍ୱକୁ ବୁଝି ନିଜ କର୍ତ୍ତବ୍ୟର ନିର୍ବାହ କରିବା ଉଚିତ୍ ।

ଏଠି ଏହି ଅବସରରେ ମୁଁ ଅନ୍ୟ ଦେଶରୁ ଆସିଥିବା ନିଜ ସହଯୋଗୀଙ୍କୁ ଗିଭ୍-ଇଟ୍-ଅପ୍ ସ୍କିମ୍ ସମ୍ପର୍କରେ ବିଶେଷ ଭାବେ କହିବାକୁ ଚାହୁଁଛି । ଆମର ଏଠି ରୋଷେଇ ଗ୍ୟାସର ସିଲିଣ୍ଡରରେ ଲୋକଙ୍କୁ ସବ୍ସିଡି ଦିଆଯାଏ । ମୋର ଏକ ଛୋଟିଆ ଅନୁରୋଧରେ ବର୍ଷକ ଭିତରେ ଏକ କୋଟିରୁ ଉର୍ଦ୍ଧ୍ଵ ଲୋକ ଗ୍ୟାସ ସବ୍ସିଡି ପରିତ୍ୟାଗ କରିଥିଲେ । ଲୋକମାନେ ଯେଉଁ ଗ୍ୟାସ ସବ୍ସିଡି ଛାଡ଼ିଥିଲେ ତା’ର ଉପଯୋଗ ଏପର୍ଯ୍ୟନ୍ତ 3 କୋଟି ପରିବାରଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେବାରେ କରାଯାଇ ପାରିଛି । ଏହା ହେଉଛି ଏକ ଉଦାହରଣ କି କିଭଳି ପ୍ରତ୍ୟେକ ଖାଉଟିଙ୍କ ମିଳିତ ସହଯୋଗରେ ଅନ୍ୟକୁ ଫାଇଦା ହୋଇଥାଏ ଓ ସମାଜରରେ ବି ନିଜର କର୍ତବ୍ୟ ପ୍ରତି ଜଣେ ଅନୁକୂଳ ପରିବେଶ ତିଆରି କରିଥାଏ ।

ବନ୍ଧୁଗଣ, ସରକାର ଦେଶର ଗ୍ରାମାଂଚଳରେ ରହୁଥିବା ଖାଉଟିଙ୍କ ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଡିଜିଟାଲ ସାକ୍ଷରତା ଅଭିଯାନ ଚଳାଇଛନ୍ତି । ଏହା ଆଧାରରେ 6 କୋଟି ପରିବାରରେ ପ୍ରତ୍ୟେକ ପରିବାରରୁ ଜଣେ ବ୍ୟକ୍ତିଙ୍କୁ ଡିଜିଟାଲ ସାକ୍ଷର କରାଇବା ଉପରେ କାମ ଚାଲିଛି । ଏହି ଅଭିଯାନ ଦ୍ୱାରା ଗାଁର ଲୋକଙ୍କୁ ଡିଜିଟାଲ ଦେଣନେଣ, ଡିଜିଟାଲ ଶୈଳୀରେ ସରକାରୀ ସେବାକୁ ପ୍ରାପ୍ତ କରିବା ଅଧିକ ସହଜ ହେବ ।

ଭାରତର ଗାଁରେ ଡିଜିଟାଲ ସଚେତନତା ଭବିଷ୍ୟତ ପାଇଁ ଏକ ବହୁତ ବଡ଼ ଇ-ବାଣିଜ୍ୟର ମାର୍କେଟ୍ ବି ପ୍ରସ୍ତୁତ କରାଉଛି । ୟୁନିଫାଏଡ୍ ପେମେଂଟ୍ ଇଂଟରଫେସ-ୟୁପିଆଇ ଦ୍ୱାରା ଇ-କର୍ମସ ଇଣ୍ଡଷ୍ଟ୍ରିକୁ ବହୁତ ବଡ଼ ଶକ୍ତି ଦିଆଯାଉଛି । ଭାରତ ଇଂଟରଫେସ୍ ଫର ମନି ଅର୍ଥାତ୍ ଭୀମ ଆପ୍ ସହର ବ୍ୟତୀତ ଗ୍ରାମାଂଚଳରେ ମଧ୍ୟ ଡିଜିଟାଲ ପେମେଣ୍ଟର ସମ୍ପ୍ରସାରଣ କରୁଛି ।

ବନ୍ଧୁଗଣ, 125କୋଟିରୁ ଉର୍ଦ୍ଧ୍ଵ ଜନସଂଖ୍ୟା ଓ ଦ୍ରୁତଗତିରେ ବଢ଼ୁଥିବା ମଧ୍ୟବିତ୍ତ ବର୍ଗ ଯୋଗୁ ଭାରତ ବିଶ୍ୱର ସବୁଠାରୁ ବଡ଼ ବଜାର ମଧ୍ୟରୁ ଏକ ହୋଇପାରିଛି । ଆମର ଉନ୍ମୁକ୍ତ ଅର୍ଥବ୍ୟବସ୍ଥା ବିଶ୍ୱର ପ୍ରତ୍ୟେକ ଦେଶକୁ ସ୍ୱାଗତ କରୁଛି । ଭାରତୀୟ ଉପଭୋକ୍ତାଙ୍କୁ ଆନ୍ତର୍ଜାତିକ ବ୍ୟବସାୟୀଙ୍କ ଅଧିକ ନିକଟତର କରାଉଛି । ମେକ୍ ଇନ୍ ଇଣ୍ଡିଆ ମାଧ୍ୟମରେ ଆମେ ଆନ୍ତର୍ଜାତିକ କମ୍ପାନୀଗୁଡ଼ିକୁ ଭାରତରେ ହିଁ ଉତ୍ପାଦନ ଓ ବିନିର୍ମାଣ କରିବା ଓ ଏଠାର ବିଶାଳ ମାନବ ସମ୍ବଳକୁ ଭଲଭାବେ ଉପଯୋଗ କରିବାର ଏକ ପ୍ଲାଟଫର୍ମ ଦେଉଛି ।

ବନ୍ଧୁଗଣ, ପୃଥିବୀର ଏହି ଭାଗରେ ଏଭଳି ସମ୍ମିଳନୀ ପ୍ରଥମ । ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ ରାଷ୍ଟ୍ର ନିଜ ନିଜ ଶୈଳୀରେ ନିଜର ଦେଶର ଖାଉଟିଙ୍କ ସ୍ୱାର୍ଥ ରକ୍ଷା କରିବାରେ ଲାଗିଛି । କିନ୍ତୁ ଆମକୁ ଏହା ବି ଧ୍ୟାନ ରଖିବାକୁ ପଡ଼ିବ କି ଏବେ ବୃଦ୍ଧି ପାଉଥିବା ଉଦାରୀକରଣ ସହ ସମଗ୍ର ବିଶ୍ୱ ଏକକ ବଜାରରେ ପରିବର୍ତ୍ତନ ହେଉଛି । ତେଣୁ ଏଭଳି ଆୟୋଜନ ମାଧ୍ୟମରେ ପରସ୍ପରର ଅନୁଭବରୁ ଶିଖିବା, ସାଧାରଣ ବୁଝାମଣାର ଦିଗକୁ ଖୋଜିବା ଓ ଖାଉଟି ସୁରକ୍ଷା ସହ ଜଡ଼ିତ କୌଣସି ଆଂଚଳିକ ମେଣ୍ଟ ନିର୍ମାଣର ସମ୍ଭାବନା ଉପରେ ଆଲୋଚନା ବହୁତ ଗୁରୁତ୍ୱପୂର୍ଣ୍ଣ ।

400 କୋଟିରୁ ଉର୍ଦ୍ଧ୍ଵ ଖାଉଟି, କ୍ରମବର୍ଦ୍ଧିଷ୍ଣୁ କ୍ରୟ ଶକ୍ତି, ଯୁବ ସଂଖ୍ୟା ଆମ ଏସୀୟ ରାଷ୍ଟ୍ରରେ ବ୍ୟବସାୟର ସବୁଠୁ ବଡ଼ ଆଧାର । ଇ-ବାଣିଜ୍ୟ ଓ ଲୋକଙ୍କ ବୃଦ୍ଧି ପାଉଥିବା ଟ୍ରାନ୍ସ-ବର୍ଡର ମୋବିଲିଟି ଯୋଗୁ ଏବେ ସୀମାପାର ଦେଣନେଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଖାଉଟିଙ୍କ ଭରସା ବଜାୟ ରଖିବା ପାଇଁ ବହୁତ ଆବଶ୍ୟକ ହେଉଛି ପ୍ରତ୍ୟେକ ରାଷ୍ଟ୍ରରେ ଏକ ସୁଦୃଢ଼ ନିୟାମକ ଓ ନିୟନ୍ତ୍ରଣ ବ୍ୟବସ୍ଥା । ଆଉ ଏହି ପ୍ରଣାଳୀ ସମ୍ପର୍କରେ ଅନ୍ୟ ଦେଶକୁ ମଧ୍ୟ ଆବଶ୍ୟକ ସୂଚନା ରହିବା ଜରୁରୀ । ଅନ୍ୟ ଦେଶର ଖାଉଟିଙ୍କ ସହ ଜଡ଼ିତ ମାମଲାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସହଭାଗୀ ଫ୍ରେମୱାର୍କ ହେବା  ଜରୁରୀ । ଏଥିରେ ପାରସ୍ପରିକ ବିଶ୍ୱାସ ଓ ବ୍ୟବସାୟ ବି ବଢ଼ିବ ।

ଯୋଗାଯୋଗ ପାଇଁ ବ୍ୟବସ୍ଥିତ ମେକାନିଜିମ୍ ପ୍ରସ୍ତୁତ, ଶ୍ରେଷ୍ଠ କାର୍ଯ୍ୟପଦ୍ଧତି ପାରସ୍ପରିକ ଭାଗିଦାରୀ କରିବା, ସାମର୍ଥ୍ୟ ବୃଦ୍ଧି ପାଇଁ ନୂଆ ପଦକ୍ଷେପ ନେବା ଓ ମିଳିତ ଅଭିଯାନ ଆରମ୍ଭ କରିବା ହେଉଛି ଏଭଳି ବିଷୟ ଯାହା ଉପରେ ପାରସ୍ପରିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରାଯାଇପାରିବ ।

ବନ୍ଧୁଗଣ, ଆମର ସାଂସ୍କୃତିକ ଓ ବ୍ୟବସାୟର ମିଳିତ ସାମ୍ରାଜ୍ୟ ଭବିଷ୍ୟତରେ ସେତେ ସୁଦୃଢ଼ ହେବ ଯେତିକି ଆମ ମଧ୍ୟରେ ଭାବନାତ୍ମକ ସମ୍ବନ୍ଧ ସୁଦୃଢ଼ ହେବ । ନିଜ ସଂସ୍କୃତିକୁ ନେଇ ଗର୍ବ କରିବା ସହ ଅନ୍ୟର ସଂସ୍କୃତିକୁ ସମ୍ମାନ ହେଉଛି ଆମ ପରମ୍ପରାର ଅଂଶବିଶେଷ । ଯୁଗଯୁଗ ଧରି ଆମେ ପରସ୍ପରଠାରୁ ଶିକ୍ଷା କରୁଛୁ ଓ ବାଣିଜ୍ୟ ଓ ଖାଉଟି ସୁରକ୍ଷା ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ ।

ମୁଁ ଆଶା କରୁଛି କି ଏହି ସମ୍ମିଳନୀରେ ଭବିଷ୍ୟତର ଆହ୍ୱାନକୁ ଦୃଷ୍ଟିରେ ରଖି ଏକ ସ୍ପଷ୍ଟ ଭିଜନ୍ ସହ ଆଗକୁ ବଢ଼ିବାର ମାର୍ଗଚିତ୍ର (Roadmap) ପ୍ରସ୍ତୁତ ହେବ । ମୋତେ ଆଶା ଅଛି ଯେ ଆମେ ଏହି ସମ୍ମିଳନୀ ମାଧ୍ୟମରେ ଏକ ଆଚଂଳିକ ସହଯୋଗକୁ ବ୍ୟବସ୍ଥିତକରଣ କରିବାରେ ସଫଳ ହେବା । ଏହି ସମ୍ମିଳନୀରେ ସାମିଲ ହୋଇଥିବା ଯୋଗୁ ମୁଁ ପୁଣିଥରେ ଆପଣମାନଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।

ବହୁତ ବହୁତ ଧନ୍ୟବାଦ ।

 

**********