ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚେନ୍ନାଇରେ ଦୈନିକ ପତ୍ରିକା ଥାନ୍ଥୀ ର ପ୍ଲାଟିନମ୍ ଜୁବୁଲୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ

ଚେନ୍ନାଇରେ ଦୈନିକ ପତ୍ରିକା ଥାନ୍ଥୀ ର ପ୍ଲାଟିନମ୍ ଜୁବୁଲୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ

ଚେନ୍ନାଇରେ ଦୈନିକ ପତ୍ରିକା ଥାନ୍ଥୀ ର ପ୍ଲାଟିନମ୍ ଜୁବୁଲୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ

ଚେନ୍ନାଇରେ ଦୈନିକ ପତ୍ରିକା ଥାନ୍ଥୀ ର ପ୍ଲାଟିନମ୍ ଜୁବୁଲୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ

ସମ୍ବୋଧନର ଉଦ୍ଧୃତାଂଶ

 

ଆରମ୍ଭରୁ ମୁଁ ଉକ୍ତ ସମସ୍ତ ପରିବାର ପାଇଁ ନିଜର ସମ୍ବେଦନା ଓ ସହାନୁଭୂତି ବ୍ୟକ୍ତ କରୁଛି, ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ଅବା ଚେନ୍ନାଇ ଓ ତାମିଲନାଡୁର ଅନ୍ୟ ଭାଗରେ ସଂପ୍ରତି ପ୍ରବଳ ବର୍ଷା ଓ ବନ୍ୟାରେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।  ସବୁ ସମ୍ଭବ ସହାୟତା ଦେବାକୁ ମୁଁ ରାଜ୍ୟ ସରକାରଙ୍କୁ ଆଶ୍ୱାସନା ଦେଇଛି । ମୁଁ ବରିଷ୍ଠ ସାମ୍ବାଦିକ ଥିରୁ ଆର.ମୋହନଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରୁଛି ।

ଦୈନିକ ଥାନ୍ଥୀ ଚମତ୍କାର ଭାବେ 75ବର୍ଷ ପୂରଣ କରିଛି । ଏପର୍ଯ୍ୟନ୍ତ ସଫଳ ଯାତ୍ରା ପାଇଁ ଥିରୁ ଏସ୍.ପି.ଆଦିଥାନାର, ଥିରୁ ଏସ୍.ଟି ଆଦିଥାନାର ଓ ଥିରୁ ବାଲାସୁବ୍ରମଣ୍ୟମ୍ ମହାଶୟଙ୍କ ଯୋଗଦାନକୁ ମୁଁ ପ୍ରଶଂସା କରୁଛି । ଗତ ସାଢ଼େ 7 ଦଶନ୍ଧି ଧରି ସେମାନଙ୍କ ଚମତ୍କାର ପ୍ରୟାସ ଥାନ୍ଥୀକୁ ନା କେବଳ ତାମିଲନାଡୁ ରାଜ୍ୟ, ବରଂ ସମଗ୍ର ଦେଶରେ ଗୋଟିଏ ସର୍ବବୃହତ୍ ମିଡିଆ ବ୍ରାଣ୍ଡ କରାଇଛି । ମୁଁ ମଧ୍ୟ ଏହି ସଫଳତା ପାଇଁ ଥାନ୍ଥୀ ଗ୍ରୁପର ପରିଚାଳନା ମଣ୍ଡଳୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଉଛି ।

24ଘଂଟିଆ ନ୍ୟୁଜ ଚ୍ୟାନେଲ ଏବେ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ଉପଲବ୍ଧ । ତଥାପି ବହୁ ଲୋକଙ୍କ ପାଇଁ ଏବେ ବି ଦିନର ଆରମ୍ଭ – ଗୋଟିଏ ହାତରେ ଚା ହେଉ କି କଫି କପ ଏବଂ ଅନ୍ୟ ହାତରେ ଖବରକାଗଜଟିଏ । ମୋତେ କୁହାଯାଇଛି ଯେ ଦୀନା ଥାନ୍ଥୀ ନିଜର 17ଟି ସଂସ୍କରଣ ମାଧ୍ୟମରେ ଆଜି ମଧ୍ୟ ନା’କେବଳ ତାମିଲନାଡୁ ବରଂ ବେଙ୍ଗାଲୁରୁ, ମୁମ୍ବାଇ ଓ ଏପରିକି ଦୁବାଇରେ ଏହି ବିକଳ୍ପ ଉପଲବ୍ଧ କରାଉଛି । ଗତ 75ବର୍ଷ ମଧ୍ୟରେ ଏହା ଉଲ୍ଲେଖନୀୟ ସମ୍ପ୍ରସାରଣ ଓ ଦୂରଦ୍ରଷ୍ଟା ନେତୃତ୍ୱ ଥିରୁ ଏସ୍.ପି.ଆଦିଥାନାରଙ୍କୁ ଶ୍ରଦ୍ଧାଞ୍ଜଳି, ଯେକି 1942 ମସିହାରେ ଏହି ଖବର କାଗଜକୁ ଆରମ୍ଭ କରିଥିଲେ । ସେତେବେଳେ ନ୍ୟୁଜପ୍ରିଂଟ ଏକ ଦୁର୍ଲଭ ସାମଗ୍ରୀ ଥିଲା । କିନ୍ତୁ ସେ ନଡ଼ାରେ ହାତ ତିଆରି ପେପରରେ ଖବର କାଗଜକୁ  ଛାପିବା ଆରମ୍ଭ କରିଥିଲେ ।

 

ଲେଖାର ଆକାର, ସରଳ ଭାଷା ଓ କଥାକୁ ସହଜରେ ବିଶ୍ଲେଷଣ ଦ୍ୱାରା ଦୀନା ଥାନ୍ଥୀ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ହୋଇପାରିଛି । ସେହି ସମୟରେ ଏହା ରାଜନୀତିକ ସଚେତନତା ଓ ସୂଚନା ପ୍ରଦାନକାରୀ ହେଉଥିଲା । ଲୋକମାନେ ଏହି ଖବର କାଗଜକୁ ପଢ଼ିବା ପାଇଁ ଚା’ ଦୋକାନରେ ଏକଜୁଟ ହେଉଥିଲେ । ଏଭଳି ଭାବେ ଯାତ୍ରା ଆରମ୍ଭ ହୋଇଥିଲା ଯାହା ଆଜି ବି ଜାରି ରହିଛି । ରାଜ୍ୟର ଜଣେ ଦିନ ମଜୁରିଆଠାରୁ ଆରମ୍ଭ କରି ସର୍ବୋଚ୍ଚ ରାଜନୀତିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସମତୁଲ Coverage ପ୍ରଦାନ କରିବା ଦୀନା ଥାନ୍ଥୀକୁ ଲୋକପ୍ରିୟ କରାଇଛି ।

ମୁଁ ଜାଣିବାକୁ ପାଇଛି ଯେ ଥାନ୍ଥୀ ମାନେ ଟେଲିଗ୍ରାମ୍ । ଦୀନା ଥାନ୍ଥୀ ମାନେ ଦୈନିକ ଟେଲିଗ୍ରାମ । ଗତ 75ବର୍ଷ ହେଲା ଡାକ ବିଭାଗ ମାଧ୍ୟମରେ ପ୍ରଦାନ କରାଯାଉଥିବା ପାରମ୍ପରିକ ଟେଲିଗ୍ରାମ ଏବେ ଅଦରକାରୀ ହୋଇପଡ଼ିଛି ଓ ଅସ୍ତିତ୍ୱ ହରାଇ ସାରିଛି । କିନ୍ତୁ ଏହି ଟେଲିଗ୍ରାମ୍ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଏକ ମହାନ ଚିନ୍ତାଧାରା, ପଛରେ ଥିବା କଠିନ ପରିଶ୍ରମ ଓ ପ୍ରତିଶ୍ରୁତିବଦ୍ଧତା ଯୋଗୁ ସମ୍ଭବ ହୋଇଛି ।

ମୁଁ ଜାଣି ଖୁସି ଲାଗୁଛି ଯେ ଥାନ୍ଥୀ ଗ୍ରୁପ୍ ନିଜର ପ୍ରତିଷ୍ଠାତା ଥିରୁ ଆଦିଥାନାରଙ୍କ ନାଁରେ ତାମିଲ ସାହିତ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ପୁରସ୍କାର ପ୍ରଦାନ କରୁଛି । ମୁଁ ପୁରସ୍କାର ବିଜେତା ଥିରୁ, ତାମିଲବାନ, ଡଃ ଇରାଇ ଅନ୍ବୁ ଓ ଥିରୁ ଭି.ଜି. ସନ୍ଥୋସମଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ମୁଁ ନିଶ୍ଚିତ ଯେ ଏହି ମାନ୍ୟତା ଉକ୍ତ ଲୋକମାନଙ୍କ ପାଇଁ ପ୍ରେରଣାଦାୟକ ହେବ, ଯେଉଁମାନେ ଲେଖାକୁ ଏକ ମହାନ ପେଷା ଭାବେ ଗ୍ରହଣ କରିଛନ୍ତି ।

ଦେବୀ ଓ ସଜ୍ଜନମଣ୍ଡଳୀ

ମାନବ ଜାତି ଦ୍ୱାରା ଜ୍ଞାନ ପାଇଁ ଅନ୍ୱେଷଣ କରିବା ଆମ ଇତିହାସ ଭଳି ପୁରୁଣା । ସାମ୍ବାଦିକତା ଏହି କ୍ଷୁଧାକୁ ମେଣ୍ଟାଇବାରେ ସହାୟତା କରୁଛି । ଏବେ ଖବର କାଗଜ କେବଳ ଖବର ପ୍ରଦାନ କରୁନି, ତାହା ଆମର ଚିନ୍ତାଧାରାକୁ ପ୍ରଭାବିତ କରିପାରୁଛି ଓ ବିଶ୍ୱ ପାଇଁ ଏକ ଦ୍ୱାର ଖୋଲିପାରୁଛି । ବ୍ୟାପକ ଅର୍ଥରେ କହିବାକୁ ଗଲେ ମିଡିଆ ହେଉଛି ସମାଜକୁ ପରିବର୍ତ୍ତନ କରିବାର ଏକ ମାଧ୍ୟମ । ସେଥିପାଇଁ ଆମେ ମିଡିଆକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କହୁଛୁ । ମୁଁ ଭାଗ୍ୟବାନ ଯେ ଆଜି ସେହିମାନଙ୍କ ଗହଣରେ ଅଛି, ଯେଉଁମାନେ କଲମର ଶକ୍ତି ପ୍ରଦର୍ଶିତ କରି ସମାଜରେ ଏହା କିଭଳି ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି ଓ ବିବେକ ହୋଇପାରିବ ତାହା ଦେଖାଇଛନ୍ତି ।

ଉପନିବେଶବାଦର ଅନ୍ଧକାର ସମୟରେ, ରାଜା ରାମ ମୋହନ ରାୟଙ୍କ ସମ୍ବାଦ କୌମୁଦୀ, ଲୋକମାନ୍ୟ ତିଳକଙ୍କ କେଶରୀ ଓ ମହାତ୍ମା ଗାନ୍ଧିଙ୍କ ନବଜୀବନ ଭଳି ପ୍ରକାଶନ ସ୍ୱାଧୀନତା ସଂଗ୍ରାମ ପାଇଁ  ପ୍ରେରଣା ଓ ଆଲୋକବର୍ତ୍ତିକା ପାଲଟିଥିଲା । ସମଗ୍ର ଦେଶରେ ଯେଉଁମାନେ ସାମ୍ବାଦିକତାର ଅଗ୍ରଦୂତ ଥିଲେ ସେମାନେ ଆରାମଦାୟକ ଜୀବନକୁ ପରିତ୍ୟାଗ କରିଥିଲେ । ସେମାନେ ନିଜର ସମ୍ବାଦପତ୍ର ମାଧ୍ୟମରେ ଜନ ଚେତନା ଓ ସଚେତନତା ସୃଷ୍ଟି କରିବାରେ ସହାୟତା କରୁଥିଲେ । ସମ୍ଭବତଃ ଏହା ଉକ୍ତ ସଂସ୍ଥାପକ ଅଗ୍ରଦୂତଙ୍କ ଉଚ୍ଚ ଆଦର୍ଶ ଯୋଗୁ ବ୍ରିଟିଶ ଶାସନ ସମୟରେ ସ୍ଥାପନ ହୋଇଥିବା ଅନେକ ସମ୍ବାଦପତ୍ର ଆଜି ବି ପ୍ରସ୍ଫୁଟିତ ହେଉଛି ।

ବନ୍ଧୁଗଣ

ଆମ କେବେ ଭୁଲିବା ଅନୁଚିତ୍ ଯେ ରାଷ୍ଟ୍ର ଓ ସମାଜ ପ୍ରତି ସେମାନଙ୍କର ଆବଶ୍ୟକ କର୍ତ୍ତବ୍ୟ ଆମର ପୂର୍ବ ପିଢି ପ୍ରଦର୍ଶିତ କରିଛି । ସେଇଥିପାଇଁ ଆମେ ସ୍ୱାଧୀନତା ହାସଲ କରିଛୁ । ସ୍ୱାଧୀନତା ପରେ ନାଗରିକଙ୍କ ଅଧିକାରକୁ ସାର୍ବଜନୀନ ଗୁରୁତ୍ୱ ମିଳିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ସମୟକ୍ରମେ  ଆମେ ନିଜର ବ୍ୟକ୍ତିଗତ ଓ ସାମୁହିକ କର୍ତ୍ତବ୍ୟର ଭାବନାକୁ ଉପେକ୍ଷା କରିଛୁ । ଏଭଳି କରି ଆମେ ଏବେ ସମାଜରେ ଅନେକ କୁକାର୍ଯ୍ୟରେ ସାମିଲ ହେଉଛେ । ଏବେ ସମୟର ଆବଶ୍ୟକତା ହେଉଛି ସାମୁହିକ ସଚେତନତା ସୃଷ୍ଟି ପାଇଁ ବ୍ୟସ୍ତ, ଦାୟିତ୍ୱବାନ ଓ ନାଗରିକ ସଚେତନ କରାଇବା ।  ‘ହକ୍’ର ନାଗରିକ ଭାବନା ନିଶ୍ଚିତ ଭାବେ ‘ ଦାୟିତ୍ୱବାନ ସମ୍ପୃକ୍ତି’ ନାଗରିକ ଚେତନା ସହ ଉପଯୁକ୍ତ ସନ୍ତୁଳିତ ହେବା ଉଚିତ । ଏହା ନିଶ୍ଚିତ ଭାବେ ଆମର ଶିକ୍ଷା ପ୍ରଣାଳୀ ମାଧ୍ୟମରେ ଓ ଆମର ରାଜନୀତିକ ନେତାଙ୍କ ଆଚରଣ ହେବା ଉଚିତ । କିନ୍ତୁ ଗଣମାଧ୍ୟମର ମଧ୍ୟ ଏଠି ପ୍ରମୁଖ ଭୂମିକା ରହିଛି ।

ଦେବୀ ଓ ସଜ୍ଜନମଣ୍ଡଳୀ

ସ୍ୱାଧୀନତା ସମୟରେ ସୃଷ୍ଟି ହୋଇଥିବା ଅନେକ ସମ୍ବାଦପତ୍ର ସ୍ଥାନୀୟ(ଦେଶୀୟ) ଖବର କାଗଜ ଥିଲା । ପ୍ରକୃତ ପକ୍ଷେ ସେତେବେଳେ ବ୍ରିଟିଶ ସରକାର ଭାରତରେ ସ୍ଥାନୀୟ ପ୍ରେସ୍ କୁ ଭୟ କରୁଥିଲେ । ତେଣୁ ସ୍ଥାନୀୟ ସମ୍ବାଦପତ୍ର ଉପରେ ଅଙ୍କୁଶ ଲଗାଇବା ପାଇଁ 1878 ମସିହାରେ ଭର୍ଣ୍ଣାକୁଲାର ପ୍ରେସ୍ ଆଇନ ଲାଗୁ କରାଯାଇଥିଲା ।

ଆମର ବିବିଧତାଭରା ରାଷ୍ଟ୍ରରେ ସ୍ଥାନୀୟ ସମ୍ବାଦପତ୍ର – ଆଂଚଳିକ ଭାଷାରେ ପ୍ରକାଶିତ ଖବର କାଗଜ ଏବେ ବି ପୂର୍ବଭଳି ଗୁରୁତ୍ୱ ବହନ କରୁଛି ।   ସେମାନେ ଯେଉଁ ଭାଷାରେ ପ୍ରସଙ୍ଗ ଲେଖୁଥିଲେ ତାହା ସହଜରେ ଲୋକମାନେ ବୁଝିପାରୁଥିଲେ । ଅନେକ ସମୟରେ ସେମାନେ ସମ୍ବେଦନଶୀଳ ଓ ସାମାଜିକ ସୁବିଧାସୁଯୋଗରୁ ବଞ୍ଚିତ ବର୍ଗକୁ ଧରି ରଖିପାରିଥାନ୍ତି । ସେମାନଙ୍କର ଶକ୍ତି, ପ୍ରଭାବ ଓ ଏଭଳି ଭାବେ ସେମାନଙ୍କର ଦାୟିତ୍ୱକୁ କଦାପି କମ୍  ମୂଲ୍ୟାଙ୍କନ କରାଯାଇ ପାରୁନଥିଲା । ସେମାନେ ଦୂରଦୂରାନ୍ତ ଅଚଂଳରେ ସରକାରଙ୍କ ଉଦ୍ଦେଶ୍ୟ ଓ ନୀତିର ସନ୍ଦେଶବାହକ ଥିଲେ । ସେହିପରି ସେମାନେ ଆମ ଲୋକଙ୍କ ବିଚାର, ଚିନ୍ତାଧାରା ଓ ଭାବନାର ମଶାଲଧାରୀ ଥିଲେ ।

ଏହି ଦୃଷ୍ଟିରୁ, ବାସ୍ତବରେ ଧ୍ୟାନଦେବା ଯୋଗ୍ୟ କି, ଏବେ ଆମର ସମୃଦ୍ଧ ପ୍ରିଣ୍ଟ ଗଣମାଧ୍ୟମ ବଜାରରେ ସବୁଠାରୁ ଅଧିକ ବିକ୍ରି ହେଉଥିବା ସମ୍ବାଦପତ୍ର ମଧ୍ୟରେ କିଛି ଆଂଚଳିକ ଭାଷାରେ ପ୍ରକାଶିତ ସମ୍ବାଦପତ୍ର ରହିଛି । ସେଥି ମଧ୍ୟରେ ଦୀନା ଥାନ୍ଥୀ ବି ଗୋଟିଏ ।

ବନ୍ଧୁଗଣ

ମୁଁ ସବୁବେଳେ ଶୁଣେ କି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି କି ପ୍ରତ୍ୟେକ ଦିନ ବିଶ୍ୱରେ ଘଟୁଥିବା ଖବର ସବୁବେଳେ କିଭଳି ସମ୍ବାଦପତ୍ରରେ ପୃଷ୍ଠାରେ ବସେ ।

ଆମେ ସମସ୍ତେ ଜାଣିଛେ କି ବିଶ୍ୱରେ ପ୍ରତ୍ୟେକ ଦିନ ବହୁତ କିଛି ହୋଇଥାଏ । ତେବେ କ’ଣ ଗୁରୁତ୍ୱପୂର୍ଣ୍ଣ ତାହା ଚୟନ ଓ ନିର୍ଦ୍ଧାରଣ କରିବା ସମ୍ପାଦକଙ୍କର କାମ । ପ୍ରଥମ ପୃଷ୍ଠାରେ କ’ଣ ସ୍ଥାନ ପାଇବା ଉଚିତ ତାହା ସେମାନେ ନିର୍ଦ୍ଧାରଣ କରନ୍ତି । କେଉଁଟି ଅଧିକ ସ୍ଥାନ ନେବ ଓ କେଉଁଟିକୁ ଅଣଦେଖା କରାଯିବା ଉଚିତ – ତାହା ସମ୍ପାଦକ ସ୍ଥିର କରନ୍ତି ଜନହିତକୁ ଦେଖି । ତେଣୁ ସ୍ୱାଭାବିକ ଭାବେ ସେମାନଙ୍କ ଉପରେ ଏହା ଏକ ବଡ଼ ଦାୟିତ୍ୱ । ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମ୍ପାଦକୀୟ ସ୍ୱାଧୀନତାକୁ ବୁଦ୍ଧିମାନର ସହ ଉପଯୋଗ କରାଯିବା ଉଚିତ । ସେହିପରି ଲେଖିବାର ସ୍ୱାଧୀନତା, କ’ଣ ଲେଖାଯିବ ତା’ର ନିଷ୍ପତ୍ତି ଏସବୁର ସ୍ଵାଧୀନତା ରହିଛି ପ୍ରିଣ୍ଟ ଗଣମାଧ୍ୟମର । କିନ୍ତୁ ଏହାର ଅର୍ଥ ନୁହଁ ଯେ ‘କମ୍ ସଠିକ’ (Less Than Accurate) ବା ‘ତଥ୍ୟ ଦୃଷ୍ଟିରୁ ଭୁଲ୍’(Factually Inccorect) ଖବର ଛାପିବା । ଯେମିତିକି ମହାତ୍ମା ଗାନ୍ଧି ନିଜେ ଆମମାନଙ୍କୁ କହୁଥିଲେ, ପ୍ରେସ୍ ହେଉଛି ଚତୁର୍ଥ ସ୍ତମ୍ଭ । ଏହା ନିଶ୍ଚିତ ଭାବେ ଏକ ଶକ୍ତି, କିନ୍ତୁ ଏହି ଶକ୍ତିର ଦୁରୂପଯୋଗ ନିଶ୍ଚିତ ଭାବେ ଅପରାଧ’ ।

ଅବଶ୍ୟ ମିଡିଆ ଘରୋଇ ବ୍ୟକ୍ତିଙ୍କ ମାଲିକାନାରେ ରହିଛି କିନ୍ତୁ ଏହା ଏକ ସାର୍ବଜନୀନ ଉଦ୍ଦେଶ୍ୟ ନେଇ କାମ କରିଥାଏ । ଯେମିତିକି ବିଦ୍ୱାନମାନେ କୁହନ୍ତି, ଏହା ବଳ ପରିବର୍ତ୍ତେ ଶାନ୍ତି ମାଧ୍ୟମରେ ସୁଧାର ଆଣିବାର ଏକ ସାଧନ । ତେଣୁ ନିର୍ବାଚିତ ସରକାର ଅବା ନ୍ୟାୟପାଳିକା ଭଳି ସେମାନଙ୍କର ଅଧିକ ସାମାଜିକ ଉତ୍ତରଦାୟିତ୍ୱ ରହିଛି । ଆଉ ଏହାର ଆଚରଣ ମଧ୍ୟ ନିଶ୍ଚିତ ଭାବେ ସମସ୍ତଙ୍କଠାରୁ ଉପରେ ଓ ସମାନ ହେବା ଉଚିତ । ମହାନ ସନ୍ଥ ଥିରୁଭଲ୍ଲୁବରଙ୍କ ପରିଭାଷା ଓ ଶବ୍ଦରେ ‘ ଏ ଦୁନିଆଁରେ ନୈତିକତାକୁ ଛାଡ଼ି ଏଭଳି କିଛି ନାହିଁ ଯାହା ପ୍ରତିଷ୍ଠା ଓ ଧନକୁ ଏକାଠି ଆଣିପାରିବ’ ।

ବନ୍ଧୁଗଣ

ପ୍ରଯୁକ୍ତିବିଦ୍ୟା ଯୋଗୁ ମିଡିଆରେ ବୃହତ୍ ପରିବର୍ତ୍ତନ ଆସିଛି । ଗୋଟିଏ ସମୟ ଥିଲା ଯେତେବେଳେ ଦିନକର ମୁଖ୍ୟାଂଶକୁ ଗାଁର ବ୍ଲାକବୋର୍ଡରେ ଲେଖାଯାଉଥିଲା, ଯାହାର ଅସୀମ ବିଶ୍ୱସନୀୟତା ଥିଲା । ଏବେ ଆମର ମିଡ଼ିଆ ଏବେ ସବୁ କ୍ଷେତ୍ରରେ ବ୍ୟାପିଛି । ଗାଁର ବ୍ଲାକବୋର୍ଡରୁ ଅନ୍-ଲାଇନ୍ ବୁଲେଟିନ ବୋର୍ଡକୁ ବ୍ୟାପିଲାଣି ।

ଯେମିତି ଶିକ୍ଷା ଏବେ ଶିଖିବାର ପରିଣାମ ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରୁଛି, ସେମିତି ପ୍ରସଙ୍ଗର ଉପଯୋଗ ପ୍ରତି ଆମର ଦୃଷ୍ଟିକୋଣ ବଦଳିଗଲାଣି । ଏବେ ପ୍ରତ୍ୟେକ ନାଗରିକ ତା’ନିକଟକୁ ଆସୁଥିବା ଖବରକୁ ବିଭିନ୍ନ ମାଧ୍ୟମରେ ବିଶ୍ଲେଷଣ, ଆଲୋଚନା ଯାଞ୍ଚ ଓ ପୁନଃ ଯାଞ୍ଚ କରୁଛି । ତେଣୁ ମିଡିଆକୁ ନିଜର ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଅଧିକ ପ୍ରୟାସ କରିବାକୁ ପଡ଼ିବ । ବିଶ୍ୱସନୀୟ ମିଡିଆ ପ୍ଲାଟଫର୍ମ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ମଧ୍ୟ ଆମର ଗଣତନ୍ତ୍ର ପାଇଁ ଭଲ ।

ବିଶ୍ୱସନୀୟତାର ନବୀକରଣ ଉପରେ ଗୁରୁତ୍ୱ ଆମକୁ ଆତ୍ମନିରୀକ୍ଷଣର ବିଷୟ ଆଡ଼କୁ ନେଉଛି । ମୁଁ ଦୃଢ଼ ଭାବେ ବିଶ୍ୱାସ କରେ କି ମିଡିଆରେ ସୁଧାର ଓ ସଂସ୍କାର ଯଦି କେତେବେଳେ ଆବଶ୍ୟକ ପଡ଼େ ତାହା କେବଳ ସେମାନଙ୍କ ଭିତର ଆତ୍ମନିରୀକ୍ଷଣ ଦ୍ୱାରା ହୋଇପାରିବ । ବାସ୍ତବରେ, ଆମେ ଅନେକ ସମୟରେ ଏହି ଆତ୍ମନିରୀକ୍ଷଣର ପ୍ରକ୍ରିୟାକୁ ଦେଖିସାରିଛୁ । ଯେମିତି କି 26|11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ରିପୋର୍ଟିଂର ବିଶ୍ଲେଷଣ । ବୋଧହୁଏ ଏହା ଅଧିକ ଥର ହେବା ଉଚିତ ।

ବନ୍ଧୁଗଣ

ଆମର ପ୍ରିୟ ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଏକ କଥା ମୋର ମନେପଡ଼ୁଛି : ‘‘ ଆମେ ଏଭଳି ମହାନ ରାଷ୍ଟ୍ର । ଆମ ପାଖରେ ଅନେକ ଅଦ୍ଭୁତ ସଫଳତାର କାହାଣୀ ଅଛି କିନ୍ତୁ ଆମେ ଏହାକୁ ସ୍ୱୀକାର କରିବାକୁ ମନା କରୁଛୁ । କାହିଁକି?”

ମୁଁ ଦେଖୁଛି, ଏବେ ଅଧିକାଂଶ ମିଡିଆର କାର୍ଯ୍ୟ କେବଳ ରାଜନୀତି ଚାରିପଟେ ଘୁରି ବୁଲିବାରେ ଚାଲିଛି । ଗଣତନ୍ତ୍ରରେ ବହୁଳ ଭାବେ ରାଜନୀତି ଉପରେ ଆଲୋଚନା ହେବା ବି ସୁନ୍ଦର କଥା । କିନ୍ତୁ ମନେରଖିବା ଉଚିତ ଯେ ଭାରତ ଆମର ରାଜନେତାମାନଙ୍କଠାରୁ ବହୁ ଅଧିକ । ଏହା 125 କୋଟି ଭାରତୀୟଙ୍କର, ଯାହା ଭାରତକୁ ତିଆରି କରିଛି । ମୋତେ ଦେଖି ଖୁସିଲାଗିବ ଯଦି ମିଡିଆ ସେମାନଙ୍କର(ଭାରତର) କାହାଣୀ ଓ ସଫଳତା ଉପରେ ଅଧିକ ଦୃଷ୍ଟି ଦେବ ।

ଏହି ପ୍ରୟାସରେ, ମୋବାଇଲ ଫୋନ୍ ଧରିଥିବା ପ୍ରତ୍ୟେକ ନାଗରିକ ଆପଣଙ୍କ ସହଯୋଗୀ ଅଟେ । ନାଗରିକର ସଫଳତାର କାହାଣୀକୁ ଭାଗିଦାରୀ କରିବା ଓ ପ୍ରସାରରେ ସିଟିଜେନ୍ ରିପୋର୍ଟିଂ ଏକ ମହତ୍ୱପୂର୍ଣ୍ଣ ସାଧନ ହୋଇପାରିବ । ଏହା ସଙ୍କଟ ସମୟରେ ଅବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ମାର୍ଗଦର୍ଶନ କରିବାରେ ଅତ୍ୟଧିକ ସହାୟକ ବି ହୋଇପାରିବ ।

ମୁଁ ଆହୁରି ମଧ୍ୟ କହିବାକୁ ଚାହୁଁଛି କି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗଣମାଧ୍ୟମ ସର୍ବଦା ଘଟଣାର ବିଭିନ୍ନ ଦିଗକୁ କଭରେଜ୍ କରି ନିଜର ଶ୍ରେଷ୍ଠତା ପ୍ରଦାନ କରିଥାଏ । ସମଗ୍ର ବିଶ୍ୱରେ ବୃଦ୍ଧି ପାଉଥିବା ସଂଘଟନ ଓ ତୀବ୍ରତା ବୃଦ୍ଧି ଯୋଗୁ ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ । ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବେ ଆମ ସମସ୍ତଙ୍କ ପାଇଁ ଏକ ଚାଲେଞ୍ଜ । କ’ଣ ମିଡିଆ ତା’ ବିରୋଧରେ ଯୁଦ୍ଧର ନେତୃତ୍ୱ ନେଇପାରିବ? କ’ଣ ମିଡିଆ ଛୋଟିଆ ସ୍ଥାନ ଅବା ଦୈନିକ ନିର୍ଦ୍ଧାରିତ ସମୟ ଦେଇପାରିବ ଯାହାକି ଏ ସମ୍ପର୍କରେ ଆଲୋଚନା ଓ ସଚେତନତା ବୃଦ୍ଧି କରିବ । ଆମେ କିଭଳି ଜଳବାୟୁ ପରିବର୍ତ୍ତନର ମୁକାବିଲା କରିପାରିବା ।

ମୁଁ ଏହି ଅବସରରେ ସ୍ୱଚ୍ଛ ଭାରତ ମିଶନ ପ୍ରତି ମିଡିଆର ପ୍ରତିକ୍ରିୟାକୁ ମୁଁ ପ୍ରଶଂସା କରୁଛି । ଆମେ ମହାତ୍ମା ଗାନ୍ଧିଙ୍କ 150ତମ ଜୟନ୍ତୀ ଅବସରରେ 2019 ସୁଦ୍ଧା ସ୍ୱଚ୍ଛ ଭାରତ ହାସଲ ପାଇଁ ଲକ୍ଷ୍ୟ ରଖିଛୁ ।  ସ୍ୱଚ୍ଛତା ପ୍ରତି ମିଡିଆର ଗଠନମୂଳକ ଭୂମିକା ଉଭୟ ସଚେତନତା ସୃଷ୍ଟି ଓ ସାମୁହିକ ସଚେତନତା ମୋତେ ପ୍ରଭାବିତ କରିଛି । ଆମେ ନିଜର ଲକ୍ଷ୍ୟ ହାସଲ କରିଛୁ ବୋଲି ଦାବି କରିବା ପୂର୍ବରୁ ଯେଉଁ କାମ ବାକି ଅଛି ତାହା ମଧ୍ୟ ସେମାନେ ରେଖାଙ୍କିତ କରିଛନ୍ତି ।

ଦେବୀ ଓ ସଜ୍ଜନମଣ୍ଡଳୀ

ଆଉ ଏକ ପ୍ରମୁଖ କ୍ଷେତ୍ର ଅଛି ଯେଉଁଠି ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବ । ତାହା ହେଉଛି ଏକ ଭାରତ, ଶ୍ରେଷ୍ଠ ଭାରତ । ମୁଁ ଗୋଟିଏ ଉଦାହରଣ ସହ ଆପଣମାନଙ୍କୁ ବୁଝାଉଛି ।

କ’ଣ ଗୋଟିଏ ସମ୍ବାଦପତ୍ର ବର୍ଷକ ପାଇଁ ପ୍ରତ୍ୟେକ ଦିନ ଏହି ପ୍ରସଙ୍ଗରେ ନିଜର କିଛି ଇଞ୍ଚ ସ୍ଥାନର ଗୋଟିଏ ସ୍ତମ୍ଭକୁ ସମର୍ପିତ କରିପାରିବ କି ? ପ୍ରତ୍ୟେକ ଦିନ ସେମାନେ  ସବୁ ପ୍ରମୁଖ ଭାରତୀୟ ଭାଷାର ଅନୁବାଦ ଓ ରୂପାନ୍ତର ସହ ନିଜ ଭାଷାରେ ଗୋଟିଏ ସରଳ ବାକ୍ୟଟିଏ ଲେଖି ଛାପି ପାରିବେ କି  ।

ବର୍ଷ ଶେଷବେଳକୁ ଊକ୍ତ ଖବରକାଗଜର ପାଠକ ସମସ୍ତ ପ୍ରମୁଖ ଭାରତୀୟ ଭାଷାର 365ଟି ସରଳ ବାକ୍ୟ ଜାଣିପାରିଥିବ । ଭାବନ୍ତୁ ଏହି ସରଳ ପଦକ୍ଷେପ ଦ୍ୱାରା କ’ଣ ପ୍ରଭାବ ପଡ଼ିବ । ତା’ପରେ ସ୍କୁଲଗୁଡ଼ିକ ଶ୍ରେଣୀ କକ୍ଷରେ ଦୈନିକ କିଛି ମିନିଟ୍ ପାଇଁ ଏ ସମ୍ପର୍କରେ ଆଲୋଚନା କରିବାକୁ ପ୍ରୋତ୍ସାହିତ ହେବେ । ଯାହାଫଳରେ ପିଲାମାନେ ମଧ୍ୟ ଆମର ସୁଦୃଢ଼ ଓ ସମୃଦ୍ଧ ବିବିଧତା ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ । ତେଣୁ ଏହି ପଦକ୍ଷେପ ନା କେବଳ ଏକ ମହାନ ଉଦ୍ଦେଶ୍ୟକୁ ପୂରଣ କରିବ ବରଂ ପ୍ରକାଶନର ଶକ୍ତି ମଧ୍ୟ ବୃଦ୍ଧି କରିବ ।

ଦେବୀ ଓ ସଜ୍ଜନମଣ୍ଡଳୀ

ମାନବ ଜୀବନ କାଳ ପାଇଁ 75ବର୍ଷ ବହୁତ ସମୟ ହୋଇପାରେ । କିନ୍ତୁ ରାଷ୍ଟ୍ର ପାଇଁ, ସଂସ୍ଥାନ ପାଇଁ ଏହା କେବଳ ଏକ ମହତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ । ପ୍ରାୟ 3ମାସ ପୂର୍ବରୁ, ଆମେ ଭାରତ ଛାଡ଼ ଆନ୍ଦୋଳନର 75ତମ ଜୟନ୍ତୀ ପାଳନ କରିଛୁ । ସେହି ପରି ଦୀନା ଥାନ୍ଥୀର ଯାତ୍ରା ଭାରତକୁ ଏକ ଯୁବ, ଜୀବନ୍ତ ରାଷ୍ଟ୍ର ଭାବେ ଉଦୟ କରାଇଛି ।

ସେହିଦିନ ସଂସଦରେ କହିବାବେଳେ, ମୁଁ 2022 ସୁଦ୍ଧା ନିଉ ଇଣ୍ଡିଆ ଗଠନ ପାଇଁ ଆହ୍ୱାନ ଦେଇଥିଲି । ଭାରତ, ଯାହା ଭ୍ରଷ୍ଟାଚାର, ଜାତିବାଦ, ସାମ୍ପ୍ରଦାୟିକତା, ଦାରିଦ୍ର୍ୟ, ନିରକ୍ଷରତା ଓ ରୋଗର ଶିକୁଳୀରୁ ମୁକ୍ତ ହୋଇଥିବ । ସଂକଳ୍ପ ମାଧ୍ୟମରେ ଆସନ୍ତା 5ବର୍ଷ ସଂକଳ୍ପରୁ ସିଦ୍ଧିର ହେବା ଉଚିତ । ତା’ହେଲେ ଯାଇ ଆମେ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତ ନିର୍ମାଣ କରିପାରିବା । ଦେଶରେ ଭାରତଛାଡ଼ ଆନ୍ଦୋଳନ ଚାଲିଥିବାବେଳେ ଜନ୍ମ ନେଇଥିବା ଗୋଟିଏ ସମ୍ବାଦପତ୍ର ଭାବେ ଦୀନା ଥାନ୍ଥୀର ଏ ଦିଗରେ ସ୍ୱତନ୍ତ୍ର ଦାୟିତ୍ୱ ରହିଛି । ମୁଁ ଆଶା କରୁଛି ଆପଣମାନେ ଏହି ସୁଯୋଗକୁ ଉପଯୋଗ କରିବେ । ଆପଣମାନେ ଆସନ୍ତା 5ବର୍ଷ ମଧ୍ୟରେ ନିଜର ପାଠକ ଓ ଭାରତର ଲୋକଙ୍କ ପାଇଁ କ’ଣ କରିପାରିବେ, ସେଥିପ୍ରତି ଦୃଷ୍ଟିଦେବେ ।

ଏହି 5ବର୍ଷର ତତ୍କାଳ ଟାର୍ଗେଟ୍ ପରେ ବି, ବୋଧହୁଏ ନିଜର ପ୍ଲାଟିନମ୍ ଜୁବୁଲି ଅବସରରେ ଥାନ୍ଥୀକୁ ଆସନ୍ତା 75ବର୍ଷ କିଭଳି ହେବ ସେ ନେଇ ନିଶ୍ଚିତ ଭାବେ ଚିନ୍ତା କରିବାକୁ ପଡ଼ିବ । ଆଙ୍ଗୁଳି ଚିପିଲେ ତତ୍କାଳ ଖବର ପାଉଥିବା ଯୁଗରେ ଲୋକ ଓ ରାଷ୍ଟ୍ରର ସେବା ପାଇଁ  ପ୍ରାସଙ୍ଗିକତାକୁ ବଜାୟ ରଖିବା ନିମନ୍ତେ ସବୁଠାରୁ ଭଲ ମାର୍ଗ କ’ଣ ଅଛି । ଏବଂ ଏହା କରି ପେଷାଦାର, ନୈତିକତା ଓ ଉଦ୍ଦେଶ୍ୟର ଉଚ୍ଚ ମାନଦଣ୍ଡକୁ ବଜାୟ ରଖବା ଉଚିତ ।

ଶେଷରେ, ମୁଁ ପୁଣିଥରେ ତାମିଲନାଡୁ ଲୋକଙ୍କ ସେବାରେ ଦୀନା ଥାନ୍ଥୀ ପ୍ରକାଶକଙ୍କ ପ୍ରୟାସକୁ ପ୍ରଶଂସା କରୁଛି । ମୁଁ ଦୃଢ଼ ନିଶ୍ଚିତ ଯେ ସେମାନେ ଆମର ମହାନ ରାଷ୍ଟ୍ରର ଭାଗ୍ୟକୁ ରୂପାନ୍ତରିତ କରିବାରେ ଗଠନମୂଳକ ସହାୟତା ଜାରି ରଖିବେ ।

ଧନ୍ୟବାଦ