ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନବ ବର୍ଷ 2017 ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ମୋର ପ୍ରିୟ ଦେଶବାସୀଗଣ,

କିଛି ଘଣ୍ଟା ପରେ ଆମେ ସବୁ 2017 ନବ ବର୍ଷକୁ ସ୍ୱାଗତ କରିବା । ଭାରତର ଶହେ ପଚିଶ କୋଟି ନାଗରିକ ନୂଆ ସଂକଳ୍ପ, ନୂଆ ଉତ୍ସାହ, ନୂଆ ଖୁସି, ନୂଆ ସ୍ୱପ୍ନ ନେଇ ସ୍ୱାଗତ କରିବା ।

ଦୀପାବଳିର ତୁରନ୍ତ ପରେ ଆମ ଦେଶ ଐତିହାସିକ ଶୁଦ୍ଧି ଯଜ୍ଞର ସାକ୍ଷୀ ପାଲଟି ଯାଇଛି । ଶହେ ପଚିଶ କୋଟି ଦେଶବାସୀଙ୍କ ଧୈର୍ଯ୍ୟ  ଏବଂ ସଂକଳ୍ପ ଶକ୍ତି ଯୋଗୁଁ ଏହା ଚାଲିପାରିଲା ।

ଶୁଦ୍ଧି ଯଜ୍ଞ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଦେଶର ମାର୍ଗ ନିର୍ଦ୍ଧାରଣ କରିବାରେ ପ୍ରମୁଖ ଭୁମିକା ତୁଲାଇବ ।

ଇଶ୍ୱରଦତ୍ତ ମାନବ ସ୍ୱଭାବ ଭଲ ଗୁଣରେ ଭରି ରହିଥାଏ । କିନ୍ତୁ ସମୟ ସହିତ ଆସିଥିବା ବିକୃତି ଗୁଡିକ, ଖରାପ ଗୁଣଗୁଡିକର ଜଞ୍ଜାଳରେ ସେ ଅଣନିଶ୍ୱାସୀ ଅନୁଭବ କରିଥାଏ । ଭିତରର ଭଲ ଗୁଣଗୁଡିକ, ବିକୃତି ଏବଂ ଖରାପ ଗୁଣଗୁଡିକର ଅଣନିଶ୍ୱାସୀ ପ୍ରଭାବରୁ ବାହାରକୁ ବାହାରିବା ପାଇଁ ଛଟପଟ ହେଉଥାନ୍ତି । ଆମର ରାଷ୍ଟ୍ର ଜୀବନ ଏବଂ ସାମାଜିକ ଜୀବନରେ ଭ୍ରଷ୍ଟାଚାର, କଳାଧନ, ଜାଲ୍ ନୋଟର ଜାଲରୁ ସଚ୍ଚୋଟ ଲୋକଙ୍କୁ ମଧ୍ୟ ଆଣ୍ଠେଇ ପଡିବାକୁ ବାଧ୍ୟ କରି ଦେଇଥିଲା ।

ତା’ମନ ସ୍ୱୀକାର କରୁ ନ ଥିଲା, କିନ୍ତୁ ତାକୁ ପରିସ୍ଥିତିକୁ ସହିବାକୁ ପଡୁଥିଲା, ସ୍ୱୀକାର କରିବାକୁ ପଡୁଥିଲା ।

ଦୀପାବଳି ପରର ଘଟଣାରୁ ଏହା ପ୍ରମାଣିତ ହୋଇଯାଇଛି ଯେ, କୋଟି କୋଟି ଦେଶବାସୀ ଏଭଳି ଅଣନିଶ୍ୱାସୀ ପ୍ରଭାବରୁ ମୁକ୍ତିର ସୁଯୋଗ ଖୋଜି ଚାଲିଥିଲେ ।

ଆମ ଦେଶବାସୀଙ୍କର ଅନ୍ତରର ଉର୍ଜ୍ଜାକୁ ଆମେ ବହୁବାର ଅନୁଭବ କରିଛେ । ସେ 1962ର ବାହ୍ୟ ଆକ୍ରମଣ ହେଉ, 1965ର ହେଉ, 1971ର ହେଉ, କିମ୍ବା କାର୍ଗିଲ ଯୁଦ୍ଧ ହେଉ, ଭାରତର କୋଟି କୋଟି ନାଗରିକଙ୍କ ସଂଗଠିତ ଶକ୍ତି ଏବଂ ଅପ୍ରତିମ ଦେଶ ଭକ୍ତିଭାବକୁ  ଆମେ ଦେଖିଛୁ । କେବେ ନା କେବେ ବୁଦ୍ଧିଜୀବୀ ବର୍ଗ ନିଶ୍ଚିତ ଏହି କଥାର ଚର୍ଚ୍ଚା କରିବେ ଯେ, ବାହ୍ୟ ଶକ୍ତି ସାମ୍ନାରେ ଦେଶବାସୀଙ୍କ ସଂକଳ୍ପ ଏକ ସହଜ କଥା, କିନ୍ତୁ ଯେବେ ଦେଶର କୋଟି କୋଟି ନାଗରିକ ନିଜର ଘର ଭିତରେ କରାଯାଇଥିବା ବେମାରୀ ବିରୁଦ୍ଧରେ, ଖରାପ କାର୍ଯ୍ୟ ବିରୁଦ୍ଧରେ, ବିକୃତି ଗୁଡିକ ବିରୁଦ୍ଧରେ ଯୁଦ୍ଧ ଲଢିବା ପାଇଁ ମୈଦାନକୁ ଓହ୍ଳାଇ ଥାନ୍ତି, ତ ସେହି ଘଟଣା ପ୍ରତ୍ୟେକଙ୍କୁ ନୂଆ ଏକ ଧାରାରେ ଭାବିବା ପାଇଁ ପ୍ରେରିତ କରିଥାଏ ।

ଦୀପାବଳି ପରେ ଲଗାତାର ଦେଶବାସୀ ଦୃଢ ସଂକଳ୍ପ ସହିତ, ଅପ୍ରତିମ ଧୈର୍ଯ୍ୟ ସହିତ, ତ୍ୟାଗର ପରାକାଷ୍ଠା ଦେଖାଇ, କଷ୍ଟ ସହି, ଖରାପ କାର୍ଯ୍ୟଗୁଡିକୁ ପରାଜିତ କରିବା ପାଇଁ ଲଢେଇ ଲଢୁଥିଲେ ।

ଯେବେ ଆମେ କହୁଛେ କି – କିଛି କଥା ଅଛି ଯେଉଁଥିରେ ଆମର ଅସ୍ତିତ୍ୱ ନଷ୍ଟ ହୋଇଯାଇ ନାହିଁ, ଏହି କଥାକୁ ଦେଶବାସୀ କରି ଦେଖାଇଛନ୍ତି ।

କେବେ ଲାଗୁଥିଲା ସାମାଜିକ ଜୀବନର ଖରାପ କାର୍ଯ୍ୟଗୁଡିକ, ବିକୃତିଗୁଡିକ ଜାଣତରେ କିମ୍ବା ଅଜାଣତରେ, ଇଚ୍ଛା-ଅନିଚ୍ଛାରେ ଆମ ଜୀବନର ଏକ ଅଙ୍ଗ ହୋଇ ଯାଇଛି । କିନ୍ତୁ  ନଭେମ୍ବର ଆଠ ତାରିଖ ପରର ଘଟଣାଗୁଡିକ ଆମକୁ ପୁନର୍ବିଚାର କରିବା ପାଇଁ ବାଧ୍ୟ କରୁଅଛି ।

ଶହେ ପଚିଶ କୋଟି ଦେଶବାସୀ କଷ୍ଟ ସହି, କଷ୍ଟର ସହିତ ଏହା ପ୍ରମାଣିତ କରି ଦେଖାଇ ଦେଲେ ଯେ, ପ୍ରତ୍ୟେକ ହିନ୍ଦୁସ୍ଥାନୀ ପାଇଁ ସତ୍ୟତା ଏବଂ ଭଲ ହେବା କେତେ ମହତ୍ୱ ରଖେ ।

କାଳର କରାଳ ଗର୍ଭରେ ଆଙ୍କି ହୋଇଯାଇଛି ଯେ ଜନ ଶକ୍ତିର ସାମର୍ଥ୍ୟ କେତେ, ଉତ୍ତମ ଅନୁଶାସନ କାହାକୁ କହନ୍ତି, ଅପପ୍ରଚାରର ଝଡରେ ସତ୍ୟକୁ ଚିହ୍ନିବାର ବିବେକ ବୁଦ୍ଧି କାହାକୁ କହନ୍ତି । ବେଇମାନର ସାମ୍ନାରେ ସାମର୍ଥ୍ୟବାନର ସଚ୍ଚୋଟତାର ସଂକଳ୍ପ କିଭଳି ବିଜୟ ପାଏ – ତାହା ଆପଣମାନେ ଦେଖିଲେ ।

ଦାରିଦ୍ର୍ୟରୁ ମୁକ୍ତି ପାଇବାର ଆତୁର ଜୀବନ, ଭବ୍ୟ ଭାରତର ନିର୍ମାଣ ପାଇଁ କ’ଣ ନ କରି ପାରେ । ଦେଶବାସୀ ଯେଉଁ କଷ୍ଟ ସହ୍ୟ କଲେ, ତାହା ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ନାଗରିକଙ୍କ ତ୍ୟାଗର ଏକ ଉଦାହରଣ ।

ଶହେ ପଚିଶ କୋଟି ଦେଶବାସୀ ସଂକଳ୍ପବଦ୍ଧ ହୋଇ ନିଜ ପୁରୁଷାର୍ଥରେ, ନିଜ ପରିଶ୍ରମରେ, ନିଜ ସ୍ୱେଦରେ ଉଜ୍ଜ୍ୱଳ ଭବିଷ୍ୟତର ଆଧାରଶିଳା ରଖିଛନ୍ତି ।

ସାଧାରଣତଃ ଯେବେ ଭଲ ପାଇଁ ଆନ୍ଦୋଳନ ହୋଇଥାଏ ତ ସରକାର ଏବଂ ଜନତା ସାମ୍ନା-ସାମ୍ନି ହୋଇଥାନ୍ତି । ଏହା ଇତିହାସର ଏଭଳି ପ୍ରଥମ ଉଦାହରଣ ଅଟେ ଯେଉଁଥିରେ ସତ୍ୟତା ଏବଂ ଭଲକଥା ପାଇଁ ସରକାର ଏବଂ ଜନତା, ଦୁଇଜଣ ମିଶି କାନ୍ଧରେ କାନ୍ଧ ମିଶାଇ ଲଢେଇ ଲଢୁଥିଲେ ।

ମୋର ପ୍ରିୟ ଦେଶବାସୀଗଣ,

ମୁଁ ଜାଣେ ଯେ, ବିଗତ ଦିନମାନଙ୍କରେ ନିଜର ପଇସା ବାହାର କରିବା ପାଇଁ ଘଣ୍ଟା ଘଣ୍ଟା ଧାଡିରେ ଠିଆ ହେବାକୁ ପଡିଲା । ଅସୁବିଧା ସହିବାକୁ ପଡିଲା । ଏହି ଭିତରେ ମତେ ଶହ ଶହ-ହଜାର ହଜାର ଚିଠି ମିଳିଛି । ପ୍ରତ୍ୟେକ ନିଜ ନିଜର ବିଚାର ବ୍ୟକ୍ତ କରିଛନ୍ତି, ସଂକଳ୍ପ ଦୋହରାଇଛନ୍ତି । ତା’ ସହିତ ନିଜର କଷ୍ଟ ମଧ୍ୟ ମୋ ସହିତ ବାଣ୍ଟିଛନ୍ତି । ଏହି ସବୁ ମଧ୍ୟରେ ମୁଁ ଗୋଟିଏ କଥା ସବୁବେଳେ ଅନୁଭବ କରିଛି, ଆପଣ ମତେ ନିଜର ଭାବି କଥାଗୁଡିକ କହିଛନ୍ତି । ଭ୍ରଷ୍ଟାଚାର, କଳାଧନ, ଜାଲନୋଟ ବିରୋଧୀ ଯୁଦ୍ଧରେ ଆପଣ ଗୋଟିଏ ପାଦ ମଧ୍ୟ ପଛରେ ରହିବାକୁ ଚାହୁଁ ନାହାନ୍ତି । ଆପଣଙ୍କର ଏହି ଭଲ ପାଇବା ଆଶୀର୍ବାଦ ଭଳି ଅଟେ ।

ଏବେ ପ୍ରୟାସ ହେଉଛି ଯେ ନୂଆବର୍ଷରେ ଯଦି ହୋଇପାରିବ, ଯଥା ଶୀଘ୍ର ବ୍ୟାଙ୍କଗୁଡିକୁ ସାମାନ୍ୟ ସ୍ଥିତିକୁ ନେଇ ଯିବାକୁ ପଡିବ । ସରକାର, ଏହି ବିଷୟ ସହିତ ଜଡିତ ସମସ୍ତ ଦାୟିତ୍ୱବାନ ବ୍ୟକ୍ତିଙ୍କୁ କହିଛନ୍ତି ଯେ, ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସାମାନ୍ୟ କରିବା ପାଇଁ ଧ୍ୟାନ କେନ୍ଦ୍ରୀତ କରନ୍ତୁ । ବିଶେଷ କରି ଗ୍ରାମାଞ୍ଚଳରେ, ଦୂରଦୂରାନ୍ତରେ ଥିବା ଅଞ୍ଚଳରେ ଅଧିକ ସକ୍ରିୟ ହୋଇ ପ୍ରତ୍ୟେକ ଛୋଟରୁ ଛୋଟ ଅସୁବିଧାଗୁଡିକୁ ଦୂର କରିବେ ଫଳରେ ଗାଁର ନାଗରିକଙ୍କ, କୃଷକଙ୍କ ଅସୁବିଧାର ଅନ୍ତ ହେବ ।

ପ୍ରିୟ ଭାଇ ଓ ଭଉଣୀମାନେ,

ହିନ୍ଦୁସ୍ଥାନ ଯାହା କରି ଦେଖାଇଛି, ବିଶ୍ୱରେ ତୁଳନା କରିବା ଭଳି ଏଭଳି ଉଦାହରଣ ନାହିଁ । ବିଗତ 10-12 ବର୍ଷରେ  1000 ଏବଂ 500 ଟଙ୍କିଆ ନୋଟ ସାମାନ୍ୟ ବ୍ୟବହାରରେ କମ ଏବଂ ସମାନ୍ତରାଳ ଅର୍ଥବ୍ୟବସ୍ଥାରେ ଅଧିକ ଚାଲୁଥିଲା । ଆମ ସହିତ ଅର୍ଥ ବ୍ୟବସ୍ଥା ସମାନ ଥିବା ଦେଶ ଗୁଡିକରେ ମଧ୍ୟ ଏତେ ନଗଦ ଟଙ୍କା ନ ଥାଏ ।

ଆମର ଅର୍ଥ ବ୍ୟବସ୍ଥାରେ ବେହିସାବ ଭାବେ ବଢୁଥିବା ଏହି ନୋଟ ଗୁଡିକ ଦରଦାମ ବୃଦ୍ଧି କରୁଥିଲେ, କଳାବଜାରୀ ବଢାଉ ଥିଲେ, ଦେଶର ଗରିବମାନଙ୍କ ଠାରୁ ତା’ର ଅଧିକାର ଛଡାଇ ନେଉଥିଲେ ।

ଅର୍ଥ ବ୍ୟବସ୍ଥାରେ ନଗଦ ଟଙ୍କାର ଅଭାବ କଷ୍ଟ ଦାୟକ ଅଟେ, ତ ଟଙ୍କାର ପ୍ରଭାବ ମଧ୍ୟ ଆହୁରି ଅଧିକ କଷ୍ଟଦାୟକ । ଆମର ଏହି ପ୍ରୟାସ ହେଉଛି କି ଏହାର ସନ୍ତୁଳନ ବଜାୟ ରହୁ । ଗୋଟିଏ କଥାରେ ସମସ୍ତ ଅର୍ଥଶାସ୍ତ୍ରୀ ସହମତ ହୋଇଛନ୍ତି ଯେ, ନଗଦ ଟଙ୍କା ଯଦି ଅର୍ଥ ବ୍ୟବସ୍ଥାରୁ ବାହାରିଯାଏ ତାହା ବିପଦଜନକ । ସେହି ନଗଦ ଟଙ୍କା ଯଦି ଅର୍ଥ ବ୍ୟବସ୍ଥାର ମୁଖ୍ୟ ଧାରାରେ ଥାଏ ତା’ହେଲେ ତାହା ବିକାଶର ସାଧନ ହୋଇଥାଏ ।

ଏହି ଦିନମାନଙ୍କରେ କୋଟି କୋଟି ଦେଶବାସୀ ଯେଉଁ, ଧୈର୍ଯ୍ୟ-ଅନୁଶାସନ ଏବଂ ସଂକଳ୍ପ ଶକ୍ତିର ନିଦର୍ଶନ ଦେଇଛନ୍ତି, ଯଦି ଆଜି ଲାଲ ବାହାଦୁର ଶାସ୍ତ୍ରୀ ଥାଆନ୍ତେ, ଜୟପ୍ରକାଶ ନାରାୟଣ ଥାଆନ୍ତେ, ରାମ ମନୋହର ଲୋହିୟା ଥାଆନ୍ତେ, କାମରାଜ ଥାଆନ୍ତେ, ତ ଅବଶ୍ୟ ଦେଶବାସୀଙ୍କୁ ଭରପୁର ଆଶୀର୍ବାଦ ଦେଇଥାନ୍ତେ ।

କୌଣସି ଦେଶ ପାଇଁ ଏହା ଏକ ଶୁଭ ସଂକେତ କି ତାଙ୍କ ନାଗରିକମାନେ ଆଇନ ଓ ନିୟମକୁ ପାଳନ କରି, ଗରିବମାନଙ୍କର ସେବା ପାଇଁ ସରକାରଙ୍କର ସହାୟତା ନିମନ୍ତେ ମୁଖ୍ୟ ଧାରାରେ ଆସିବାକୁ ଚାହୁଁଛନ୍ତି । ଏହି ଦିନମାନଙ୍କରେ ଏତେ ଭଲ-ଭଲ ଉଦାହରଣ ସାମ୍ନାକୁ ଆସିଛି କି ଯାହାକୁ ବର୍ଣ୍ଣନା କରିବାକୁ ସପ୍ତାହ ବିତିଯିବ । ନଗଦ ଅର୍ଥରେ କାରବାର କରିବାକୁ ବାଧ୍ୟ ହେଉଥିବା ଅନେକ ନାଗରିକ ଆଇନ ଓ ନିୟମକାନୁନ ପାଳନ କରିବାକୁ ଯାଇ ମୁଖ୍ୟଧାରାକୁ ଆସିବାକୁ ଇଚ୍ଛା ପ୍ରକଟ କରିଛନ୍ତି । ଏହା ହେଉଛି ଅପ୍ରତ୍ୟାଶିତ । ସରକାର ଏହାକୁ ସ୍ୱାଗତ କରୁଛନ୍ତି ।

ମୋର ପ୍ରିୟ ଦେଶବାସୀ,

ଆମେ କେତେ ଦିନ ଯାଏ ସତ୍ୟଠାରୁ ମୁହଁ ମୋଡି ରହିବା । ଆପଣମାନଙ୍କ ସାମ୍ନାରେ ଏକ ଜାଣିବା କଥା ବାଣ୍ଟିବାକୁ ଚାହୁଁଛି । ଆଉ ଏହାକୁ ଶୁଣିବା ପରେ ହୁଏତ ଆପଣ ହସି ପକାଇବେ ଅବା ଆପଣଙ୍କ ରାଗ ଭାଙ୍ଗିଯିବ । ସରକାରଙ୍କ ପାଖରେ ଦାଖଲ କରାଯାଇଥିବା ସୂଚନା ହିସାବରେ ଦେଶରେ ମାତ୍ର 24 ଲକ୍ଷ ଲୋକ ମାନିଛନ୍ତି ଯେ ସେମାନଙ୍କର ଆୟ ବର୍ଷକୁ 10 ଲକ୍ଷରୁ ଅଧିକ । କୌଣସି ଦେଶବାସୀ ଏହି କଥାକୁ ବିଶ୍ୱାସ କରିବେ ବା ତାଙ୍କ ପାଟିରୁ ଏହି କଥା ବାହାରିବ କି?

ଆପଣ ମଧ୍ୟ ନିଜ ଆଖ ପାଖରେ ବଡ଼-ବଡ଼ ଘର ଥିବା କୋଠା, ବଡ଼-ବଡ଼ ଗାଡିଗୁଡିକୁ ଦେଖିଥିବେ । ଦେଶର ବଡ଼ ବଡ଼ ସହରକୁ ଦେଖିବା ତ, କେଉଁ ଗୋଟିଏ ସହରରେ ଆପଣଙ୍କୁ ଲାଗିବ କି ବର୍ଷକୁ 10 ଲକ୍ଷ ଆୟ କରୁଥିବା ଲକ୍ଷେ ଲୋକ ମିଳିଯିବେ ।

କ’ଣ ଆପଣଙ୍କୁ ଲାଗୁ ନାହିଁ କି ଦେଶର ଭଲ ପାଇଁ ସଚ୍ଚୋଟତାର ଆନ୍ଦୋଳନକୁ ଆହୁରି ଅଧିକ ଶକ୍ତି ଦେବାର ଆବଶ୍ୟକତା ଅଛି ।

ଭ୍ରଷ୍ଟାଚାର, କଳାଧନ ବିରୁଦ୍ଧରେ ଲଢେଇର ସଫଳତା କାରଣରୁ ଏହି ଚର୍ଚ୍ଚା ହେବା ବହୁତ ସ୍ୱଭାବିକ କି ଏବେ ବେଇମାନଙ୍କର କ’ଣ ହେବ, ବେଇମାନଙ୍କ ଉପରେ କ’ଣ ଘଟିବ, ବେଇମାନମାନଙ୍କୁ କି ଦଣ୍ଡ ମିଳିବ । ଭାଇମାନେ ଓ ଭଉଣୀମାନେ, ଆଇନ, ଆଇନର କାମ କରିବ, ପୁରା କଠୋରତାର ସହ କରିବ । କିନ୍ତୁ ସରକାରଙ୍କ ପାଇଁ ଏହି କଥା ମଧ୍ୟ ପ୍ରାଥମିକତା ଯେ, ସଚ୍ଚୋଟ ବ୍ୟକ୍ତିଙ୍କୁ ସହାୟତା କେମିତି ମିଳିବ, ସୁରକ୍ଷା କେମିତି ମିଳିବ, ସଚ୍ଚୋଟତାର ସହ ଜୀବନ କାଟୁଥିବା ଲୋକଙ୍କର ଅସୁବିଧା କେମିତି କମ୍ ହେବ । ସଚ୍ଚୋଟପଣିଆ କିପରି ଅଧିକ ପ୍ରତିଷ୍ଠିତ ହେବ ।

ଏହି ସରକାର ହେଉଛି ଭଲଲୋକଙ୍କର ବନ୍ଧୁ ଏବଂ ଖଳ ଲୋକମାନଙ୍କୁ ଭଲ ରାସ୍ତାରେ ଫେରାଇ ଆଣିବା ପାଇଁ ଉପଯୁକ୍ତ ବାତାବରଣ ପ୍ରସ୍ତୁତ କରିବା ସପକ୍ଷରେ ଅଛନ୍ତି ।

ଏହା ମଧ୍ୟ ଏକ ଅପ୍ରିୟ ସତ୍ୟ ଯେ, ଲୋକଙ୍କ ମଧ୍ୟରେ, ସରକାରଙ୍କର ବ୍ୟବସ୍ଥା ଗୁଡିକ, କିଛି ସରକାରୀ ଅଫିସର ଏବଂ ନାଲିଫିତାଧାରୀଙ୍କ କଟୁ ଅନୁଭବ ଯୋଡି ହୋଇ ରହିଥାଏ । ଏହି କଟୁ ସତ୍ୟକୁ ଅସ୍ୱୀକାର କରାଯାଇ ନ ପାରେ । ଏହି କଥା  କେହି ନାହିଁ କରିପାରିବେ ନି ଯେ, ନାଗରିକମାନଙ୍କ ଠାରୁ ଅଧିକ ଦାୟିତ୍ୱ ଅଫିସରମାନଙ୍କର, ସରକାରରେ ଥିବା ଛୋଟ-ବଡ଼ ବ୍ୟକ୍ତିଙ୍କର । ଆଉ ଏଥିପାଇଁ କେନ୍ଦ୍ର ସରକାର ହୁଅନ୍ତୁ, ରାଜ୍ୟ ସରକାର ହୁଅନ୍ତୁ କିମ୍ବା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା, ସମସ୍ତଙ୍କର ଦାୟିତ୍ଵ ଏହା ଯେ, ସାମାନ୍ୟରୁ ଅତି ସାମାନ୍ୟ ବ୍ୟକ୍ତିଙ୍କର ଅଧିକାରର ରକ୍ଷା ହେଉ, ସଚ୍ଚୋଟ ବ୍ୟକ୍ତିଙ୍କୁ  ସାହାଯ୍ୟ ମିଳୁ ଆଉ ବେଇମାନ ବାଛି ହୋଇ  ଅଲଗା ହୋଇ ପଡନ୍ତୁ ।

ବନ୍ଧୁଗଣ,

ସାରା ଦୁନିଆରେ ଏହା ଏକ ସର୍ବମାନ୍ୟ ତଥ୍ୟ ହେଉଛି ଯେ ଆତଙ୍କବାଦ, ନକ୍ସଲବାଦ, ମାଓବାଦ, ଜାଲ୍ ନୋଟର କାରବାର କରୁଥିବା ଲୋକ, ମାଦକଦ୍ରବ୍ୟ(Drugs) ଧନ୍ଦାରେ ଜଡିତ ଲୋକ, ମାନବ ଚାଲାଣ କରୁଥିବା ଲୋକ କଳାଧନ ଉପରେ ନିର୍ଭର କରି ରହନ୍ତି । ଏହି ସମାଜ ଓ ସରକାରମାନଙ୍କ ପାଇଁ ସେମାନେ ରାସ୍ତାର କଣ୍ଟା ହୋଇ ଯାଇଥିଲେ । ଏହି ଗୋଟିଏ ନିର୍ଣ୍ଣୟ ଯାହା ସବୁରି ଉପରେ ଗଭୀର ଆଘାତ  ପହଞ୍ଚାଇଛି । ଆଜି ବହୁ ସଂଖ୍ୟାରେ ଯୁବକ ମୁଖ୍ୟଧାରାକୁ ଫେରି ଆସୁଛନ୍ତି । ଯଦି ଆମେ ଜାଗ୍ରତ ରହିବା, ତ ନିଜର ପିଲାମାନଙ୍କୁ ହିଂସା ଓ ଅତ୍ୟାଚାରର ସେହି ରାସ୍ତାକୁ ପୁଣି ଫେରିବାକୁ ଅଟକାଇ ପାରିବା ।

ଏହି ଅଭିଯାନର ସଫଳତା ଏହି କଥାରେ ମଧ୍ୟ ଅଛି ଯେ ଅର୍ଥ ବ୍ୟବସ୍ଥାର ମୁଖ୍ୟଧାରାର ବାହାରେ ଯେଉଁ ଧନ ଥିଲା ତାହା ବ୍ୟାଙ୍କ ମାଧ୍ୟମରେ ଅର୍ଥ ବ୍ୟବସ୍ଥାର ମୁଖ୍ୟଧାରାକୁ ଫେରିଆସିଲା । ଗତ କିଛି ଦିନର ଘଟଣାଗୁଡିକରୁ ଏହା ପ୍ରମାଣିତ ହୋଇଯାଇଛି ଯେ, ଚାଲାକିର ରାସ୍ତା ଖୋଜୁଥିବା ବେଇମାନ ଲୋକମାନଙ୍କ ପାଇଁ ଆଗକୁ ରାସ୍ତା ବନ୍ଦ ହୋଇଯାଇଛି । ଟେକ୍ନୋଲଜି ଏଥିରେ ବହୁତ ବଡ ସାହାଯ୍ୟ କରିଛି । ଅଭ୍ୟାସବଶତଃ ବେଇମାନ ଲୋକମାନଙ୍କୁ ମଧ୍ୟ ଏବେ ଟେକ୍ନୋଲଜିର ଶକ୍ତି କାରଣରୁ  କଳା କାରବାରରୁ ବାହାରି ନିୟମ-କାନୁନ ପାଳନ କରି ମୁଖ୍ୟଧାରାକୁ ଫେରିବାକୁ ପଡିବ ।

ସାଥୀମାନେ,

ବ୍ୟାଙ୍କ କର୍ମଚାରୀମାନେ ଏହି ସମୟ ମଧ୍ୟରେ ଦିନ ରାତି ଏକ କରି ଦେଇଛନ୍ତି । ହଜାର ହଜାର ମହିଳା ବ୍ୟାଙ୍କ କର୍ମଚାରୀ ମଧ୍ୟ ବିଳମ୍ବିତି ରାତି ପର୍ଯ୍ୟନ୍ତ ରହି ଏହି ଅଭିଯାନରେ ସାମିଲ ହୋଇଛନ୍ତି । ଡାକଘରମାନଙ୍କରେ କାର୍ଯ୍ୟ କରୁଥିବା ଲୋକ, ବ୍ୟାଙ୍କ ମିତ୍ର, ସମସ୍ତେ ପ୍ରଶଂସନୀୟ କାମ କରିଛନ୍ତି । ହଁ, ଆପଣମାନଙ୍କର ଏହି ଭଗୀରଥ ପ୍ରୟାସ ମଧ୍ୟରେ, କିଛି ବ୍ୟାଙ୍କର କିଛି ଲୋକଙ୍କର ଗମ୍ଭୀର ଅପରାଧ ମଧ୍ୟ ସାମ୍ନାକୁ ଆସିଛି । କେଉଁଠି କେଉଁଠି ସରକାରୀ କର୍ମଚାରୀମାନେ ମଧ୍ୟ ଗମ୍ଭୀର ଅପରାଧ କରିଛନ୍ତି ଏବଂ ଅଭ୍ୟାସରେ ପଡି ଫାଇଦା ଉଠାଇବାର ନିର୍ଲଜ୍ଜ ପ୍ରୟାସ ମଧ୍ୟ ହୋଇଛି । ତାଙ୍କୁ କେବେ ଛଡା ଯିବ ନାହିଁ ।

ଏହା ହେଉଛି ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପାଇଁ ଏକ ସ୍ୱର୍ଣ୍ଣିମ ଅବସର । ଏହି ଐତିହାସିକ ଅବସରରେ ମୁଁ ଦେଶର ସମସ୍ତ ବ୍ୟାଙ୍କ ମାନଙ୍କୁ ଆଗ୍ରହର ସହିତ ଏକ କଥା କହିବାକୁ ଚାହୁଁଛି । ଇତିହାସ ସାକ୍ଷୀ ଅଛି ଯେ, ହିନ୍ଦୁସ୍ଥାନର ବ୍ୟାଙ୍କମାନଙ୍କ ପାଖରେ ଏକ ସମୟରେ ଏତେ ସଂଖ୍ୟାରେ, ଏତେ କମ୍ ସମୟରେ ଧନର ଭଣ୍ଡାର ପୂର୍ବରୁ କେବେ ଆସି ନ ଥିଲା । ବ୍ୟାଙ୍କମାନଙ୍କର ସ୍ୱାଧୀନତାକୁ ସମ୍ମାନ ଦେଇ ମୁଁ ଅନୁରୋଧ କରୁଛି କି, ବ୍ୟାଙ୍କ ନିଜର ପରମ୍ପରାଗତ ପ୍ରାଥମିକତା ଗୁଡିକରୁ ବାହାରି ଆସି ଏବେ ଦେଶର ଗରିବ, ନିମ୍ନ ମଧ୍ୟମ ବର୍ଗ, ଏବଂ ମଧ୍ୟମ ବର୍ଗଙ୍କୁ କେନ୍ଦ୍ରରେ ରଖି ନିଜ କାର୍ଯ୍ୟର ଆୟୋଜନ କରୁ । ହିନ୍ଦୁସ୍ଥାନ ଯେତେବେଳେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତାବ୍ଦୀ ବର୍ଷକୁ ଗରୀବ କଲ୍ୟାଣ ବର୍ଷ ରୂପେ ପାଳନ କରୁଛି, ତେବେ ବ୍ୟାଙ୍କ ମଧ୍ୟ ଲୋକହିତର ଏହି ସୁଯୋଗକୁ ହାତ ଛଡା ନ କରନ୍ତୁ । ଯେତେ ଶୀଘ୍ର ହୋଇ ପାରିବ ସେତେ ଶୀଘ୍ର ଲୋକ ହିତ ପାଇଁ ଉଚିତ ନିର୍ଣ୍ଣୟ କରନ୍ତୁ ଏବଂ ଉଚିତ ପଦକ୍ଷେପ ନିଅନ୍ତୁ ।

ଯେବେ ନିଶ୍ଚିତ ଲକ୍ଷ୍ୟ ସହିତ ନୀତି ତିଆରି ହୁଏ, ଯୋଜନା ହୁଏ ତେବେ ଲାଭାର୍ଥୀଙ୍କର ସଶକ୍ତିକରଣ ହୋଇଥାଏ, ତା ସହିତ ଏହାର ତତ୍କାଳ ଏବଂ ସୁଦୂରପ୍ରସାରୀ ଫଳ ମଧ୍ୟ ମିଳିଥାଏ । ପ୍ରତିଟି କ୍ଷେତ୍ରରେ ତୀକ୍ଷ୍ଣ ନଜର ରହିଥାଏ, ଯାହା ଦ୍ୱାରା ଭଲ ପରିଣାମର ସମ୍ଭାବନା ମଧ୍ୟ ସୁନିଶ୍ଚିତ ହୋଇଥାଏ । ଗାଁ, ଗରିବ, କୃଷକ, ଦଳିତ, ପୀଡିତ, ବଞ୍ଚିତ ଏବଂ ମହିଳାମାନେ ଯେତେ ସଶକ୍ତ ହେବେ, ଆର୍ଥିକ ରୂପରେ ନିଜ ଗୋଡରେ ଠିଆ ହେବେ, ଦେଶ ସେତେ ମଜବୁତ ହେବ ଏବଂ ବିକାଶ ମଧ୍ୟ ସେତେ ଦ୍ରୁତ ହେବ ।

ସମସ୍ତଙ୍କ ସହିତ – ସମସ୍ତଙ୍କ ବିକାଶ – ଏହି ଧେୟ ବାକ୍ୟକୁ ଚରିତାର୍ଥ କରିବା ପାଇଁ ନବବର୍ଷର ପୂର୍ବ ସଂଧ୍ୟାରେ ଦେଶର ଶହେ ପଚିଶ କୋଟି ନାଗରିକଙ୍କ ପାଇଁ ସରକାର କିଛି ନୂଆ ଯୋଜନା ଆଣୁଛନ୍ତି ।

ବନ୍ଧୁଗଣ,

ସ୍ୱତନ୍ତ୍ରତାର ଏତେ ବର୍ଷ ପରେ ମଧ୍ୟ ଦେଶରେ ଲକ୍ଷ ଲକ୍ଷ ଗରିବଙ୍କ ପାଖରେ ନିଜର ଘର ନାହିଁ । ଯେତେବେଳେ ଅର୍ଥ ବ୍ୟବସ୍ଥାରେ କଳାଧନ ବଢିଲା, ତ ମଧ୍ୟମ ବର୍ଗର ଲୋକମାନଙ୍କ ପାଇଁ ଘର ଖଣ୍ଡିକ କିଣିବା କଷ୍ଟକର ହୋଇଗଲା ।  ଗରିବ, ନିମ୍ନ ମଧ୍ୟମ ବର୍ଗ ଏବଂ ମଧ୍ୟମ ବର୍ଗର ଲୋକେ ଘର ଖଣ୍ଡିଏ କିଣି ପାରିବେ । ଏଥି ପାଇଁ ସରକାର କିଛି ବଡ ନିଷ୍ପତ୍ତି ନେଇଛନ୍ତି ।

ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ସହରରେ ଏହି ବର୍ଗର ଲୋକମାନଙ୍କୁ ନୂଆ ଘର ଯୋଗାଇ ଦେବା ପାଇଁ ଦୁଇଟି ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିରେ 2017ରେ ଘର ତିଆରି କରିବା ପାଇଁ 9 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ବାବାଦ 4 ପ୍ରତିଶତ ଛାଡ ଏବଂ 12 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସୁଧ ବାବଦ 3 ପ୍ରତିଶତ ଛାଡ ଦିଆଯିବ ।

ସେହିଭଳି ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗାଁରେ ଘର ତିଆରି ସଂଖ୍ୟା ବଢାଇ ଦେଇଛନ୍ତି । ଅର୍ଥାତ ପୁର୍ବରୁ ଯେତେ ଘର ତିଆରି ହେବାକୁ ଥିଲା, ତାହାଠାରୁ 33 ପ୍ରତିଶତ ଅଧିକ ଘର ତିଆରି କରାଯିବ ।

ଗାଁର ନିମ୍ନ ମଧ୍ୟମ ବର୍ଗ ଏବଂ ମଧ୍ୟମ ବର୍ଗର ଲୋକଙ୍କର ଆବଶ୍ୟକତାକୁ ଧ୍ୟାନରେ ରଖି ଏକ ନୂଆ ଯୋଜନା ଆରମ୍ଭ କରାଯାଉଛି । 2017ରେ ଗାଁର ଯେଉଁ ଲୋକ ନିଜ ଘର ଘର ନିର୍ମାଣ କରିବାକୁ ଚାହୁଁଛନ୍ତି ଅବା ସଂପ୍ରସାରଣ କରିବାକୁ ଚାହୁଁଛନ୍ତି, ଗୋଟିଏ ଦୁଇଟି ବଖରା ତିଆରି କରିବାକୁ ଚାହୁଁଛନ୍ତି, ଉପରେ ଗୋଟିଏ ମହଲା ତିଆରି କରିବାକୁ ଚାହୁଁଛନ୍ତି, ତାଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ 3 ପ୍ରତିଶତ ସୁଧ ଛାଡ କରାଯିବ ।

ବନ୍ଧୁଗଣ, ବିଗତ ଦିନ ମାନଙ୍କରେ ଚାରିଆଡେ ଏମିତି ବାତାବରଣ ତିଆରି କରି ଦିଆଯାଇଥିଲା କି କୃଷି ନଷ୍ଟ ଭ୍ରଷ୍ଟ ହୋଇଯାଇଥିଲା । ଏମିତି ବାତାବରଣ ତିଆରି କରିଲାବାଲା ଲୋକଙ୍କୁ ମୋ ଦେଶର କୃଷକମାନେ ଜବାବ ଦେଇ ସାରିଛନ୍ତି । ପୂର୍ବ ବର୍ଷ ତୁଳନାରେ ଏ ବର୍ଷ ଅଧିକ 6 ପ୍ରତିଶତ ବୁଣାବୁଣି ହୋଇଛି । ଅଧିକ 9 ପ୍ରତିଶତ ସାର ମଧ୍ୟ ଉଠାଯାଇଛି । ସରକାର ଏହି କଥା ଉପରେ ଲଗାତାର ଧ୍ୟାନ ରଖିଛନ୍ତି ଯେ କୃଷକ ମାନଙ୍କୁ ବିହନ ପାଇଁ ଅସୁବିଧା ନ ହେଉ, ସାର ବା ଉର୍ବରକ ପାଇଁ ଅସୁବିଧା ନ ହେଉ, ଋଣ ମିଳିବାରେ ସମସ୍ୟା ନ ଆସୁ । ଏବେ ଚାଷୀ ଭାଇମାନଙ୍କ ମଙ୍ଗଳ ପାଇଁ  ଆହୁରି କିଛ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି ।

ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ ସମିତିରୁ ଯେଉଁ କୃଷକମାନେ ଖରିଫ୍ ଓ ରବି ଋତୁରେ ବୁଣାବୁଣି ପାଇଁ ଋଣ ନେଇଥିଲେ, ସେହି ଋଣ ଉପରେ 60 ଦିନର ସୁଧ ସରକାର ବହନ କରିବେ ଏବଂ କୃଷକଙ୍କ ଜମାଖାତାକୁ ହସ୍ତାନ୍ତର କରିବେ ।

ସମବାୟ ବ୍ୟାଙ୍କ ଏବଂ ସମିତି ଗୁଡିକରୁ କୃଷକମାନଙ୍କୁ ଆହୁରି ଅଧିକ ଋଣ ମିଳୁ, ଏଥିପାଇଁ ଉପାୟ କରାଯାଇଛି । ନାବାର୍ଡ ଗତ ମାସରେ 21 ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିଲା । ଏବେ ସରକାର ଏହାକୁ ପାଖାପାଖି ଦୁଇଗୁଣ କରି ଏଥିରେ 20 ହଜାର କୋଟି ଟଙ୍କା ଯୋଡି ଦେଉଛନ୍ତି । ଏହି ଅର୍ଥକୁ ନାବାର୍ଡ, ସମବାୟ ବ୍ୟାଙ୍କ ଏବଂ ସମିତି ଗୁଡିକୁ କମ୍ ସୁଧରେ ଦେବେ ଆଉ ଏଥିରେ ନାବାର୍ଡର ଯେଉଁ ଆର୍ଥିକ କ୍ଷତି ହେବ, ତାକୁ ମଧ୍ୟ ସରକାର ବହନ କରିବେ ।

ସରକାର ଏହା ମଧ୍ୟ ସ୍ଥିର କରିଛନ୍ତି ଯେ ଆସନ୍ତା ତିନି ମାସରେ 3 କୋଟି କିଷାନ କ୍ରେଡିଟ କାର୍ଡକୁ “ରୂପେ”(RuPay)  କାର୍ଡରେ ପରିବର୍ତ୍ତନ କରିବେ । କିଷାନ କ୍ରେଡିଟ କାର୍ଡରେ ଏମିତି ଏକ ଅସୁବିଧା ଥିଲା କି ପଇସା ଉଠାଇବା ପାଇଁ ବ୍ୟାଙ୍କକୁ ଯିବାକୁ ପଡୁଥିଲା । ଏବେ ଯେତେବେଳେ କିଷାନ କ୍ରେଡିଟ କାର୍ଡକୁ “ରୂପେ”(RuPay)  କାର୍ଡରେ ପରିବର୍ତ୍ତନ କରାଯିବ, ତ କୃଷକ କେଉଁଠି ମଧ୍ୟ ନିଜ କାର୍ଡରେ କିଣାବିକା କରି ପାରିବେ ।

ଭାଇମାନେ ଓ ଭଉଣୀମାନେ, ଦେଶର ଅର୍ଥ ବ୍ୟବସ୍ଥାରେ ଯେଉଁଭଳି ଭାବେ କୃଷିର ମହତ୍ୱ ରହିଛି, ସେହିଭଳି ବିକାଶ ଏବଂ ରୋଜଗାର ପାଇଁ ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ଯାହାକୁ ଏମ୍ଏସ୍ଏମ୍ଇ (MSME) ମଧ୍ୟ କୁହାଯାଉଛି, ଏହାର ମଧ୍ୟ ବହୁତ ବଡ଼ ଯୋଗଦାନ ରହିଛି । ଏହାକୁ ଧ୍ୟାନରେ ରଖି ସରକାର ଏହି କ୍ଷେତ୍ର ପାଇଁ ମଧ୍ୟ କିଛି ନିଷ୍ପତ୍ତି ନେଇଛନ୍ତି, ଯାହା ରୋଜଗାର ବୃଦ୍ଧି ଦିଗରେ ସହାୟକ ହେବ ।

ସରକାର ସ୍ଥିର କରିଛନ୍ତି କି, ଛୋଟ ବ୍ୟବସାୟୀଙ୍କ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଏକ କୋଟି ଟଙ୍କାରୁ ବଢାଇ ଦୁଇ କୋଟି ଟଙ୍କା କରିବେ । ଭାରତ ସରକାର ଏକ ଟ୍ରଷ୍ଟ ମାଧ୍ୟମରେ ବ୍ୟାଙ୍କକୁ ଏହି ଗ୍ୟାରେଣ୍ଟି ଦେଉଛନ୍ତି କି ଆପଣ ଛୋଟ ବ୍ୟବସାୟୀଙ୍କୁ ଋଣ ଦିଅନ୍ତୁ, ଗ୍ୟାରେଣ୍ଟି ଆମେ ନେଉଛୁ । ଏ ପର୍ଯ୍ୟନ୍ତ ଏହି ନିୟମ ଥିଲା କି ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ଏହାକୁ ରଖା ଯାଉଥିଲା । ଏବେ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ କ୍ରେଡିଟ ଗ୍ୟାରେଣ୍ଟିକୁ ଏହା ମଧ୍ୟରେ ରଖାଯିବ । NBFC ଅର୍ଥାତ ଅଣ ବ୍ୟାଙ୍କିଙ୍ଗ ଅର୍ଥ ଲଗାଣକାରୀ ସଂସ୍ଥାରୁ ଦିଆଯାଇଥିବା ଋଣ ମଧ୍ୟ ଏଥିରେ ସାମିଲ କରାଯିବ ବା ରଖାଯିବ ।

ସରକାରଙ୍କର ଏହି ନିଷ୍ପତ୍ତି ଦ୍ୱାରା ଛୋଟ ଦୋକାନୀମାନଙ୍କୁ, ଛୋଟ ଉଦ୍ୟୋଗୀଙ୍କୁ ଅଧିକ ଋଣ ମିଳିବ । ଗ୍ୟାରେଣ୍ଟିର ଖର୍ଚ୍ଚ କେନ୍ଦ୍ର ସରକାରଙ୍କ ଦ୍ୱାରା ବହନ କରାଯିବା କାରଣରୁ ଏହା ଉପରେ ମଧ୍ୟ ସୁଧ ହାର କମ୍ ହେବ ।

ସରକାର ବ୍ୟାଙ୍କକୁ ମଧ୍ୟ ଏହା କହିଛନ୍ତି କି ଛୋଟ ଉଦ୍ୟୋଗ ପାଇଁ କ୍ୟାସ୍ କ୍ରେଡିଟ ସୀମାକୁ 20 ପ୍ରତିଶତରୁ ବଢାଇ 25 ପ୍ରତିଶତ କରନ୍ତୁ । ଏହା ବ୍ୟତୀତ ଡିଜିଟାଲ ମାଧ୍ୟମରେ ହେଉଥିବା ଦେଣନେଣ ଉପରେ ବ୍ୟାଙ୍କିଙ୍ଗ ପୁଞ୍ଜି ଋଣ 20 ପ୍ରତିଶତରୁ ବଢାଇ 30 ପ୍ରତିଶତ ପର୍ଯ୍ୟନ୍ତ କରିବାକୁ କୁହାଯାଇଛି । ନଭେମ୍ବରରେ ଏହି ସେକ୍ଟର ସହିତ ଜଡିତ ବହୁତ ଲୋକ ଟଙ୍କା ଜମା କରିଛନ୍ତି । ବ୍ୟାଙ୍କକୁ କୁହାଯାଇଛି କି ବ୍ୟାଙ୍କିଙ୍ଗ ପୁଞ୍ଜି ସ୍ଥିର କରିବା ସମୟରେ ଏହା ଉପରେ ମଧ୍ୟ ସବିଶେଷ ଧ୍ୟାନ ଦିଅନ୍ତୁ ।

କିଛି ଦିନ ପୂର୍ବରୁ ମଧ୍ୟ ସରକାର ଛୋଟ ବ୍ୟବସାୟୀଙ୍କୁ ଟିକସ କ୍ଷେତ୍ରରେ ବଡ଼ ରିହାତି ଦେବାର ନିର୍ଣ୍ଣୟ ନେଇଥିଲେ । ଯେଉଁମାନେ କାରବାର ବର୍ଷରେ ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟାପାର କରୁଛନ୍ତି, ତାଙ୍କ ଟିକସ ଗଣନା 8 ପ୍ରତିଶତ ଆୟ ଆଧାରରେ କରା ଯାଉଥିଲା । ଏବେ ଏଭଳି ବ୍ୟବସାୟୀଙ୍କ ଡିଜିଟାଲ ନେଣଦେଣ ଉପରେ ଟିକସ ଗଣନା 6 ପ୍ରତିଶତ ଆୟ ଆଧାରରେ କରାଯିବ । ଏହିଭଳି ଭାବରେ ତାଙ୍କର ଟିକସ ବହୁତ କମ୍ ହୋଇଯିବ ।

ବନ୍ଧୁଗଣ,

ମୁଦ୍ରା ଯୋଜନାର ସଫଳତା ନିଶ୍ଚିତ ପକ୍ଷେ ଏକ ବହୁତ ଉତ୍ସାହ ବର୍ଦ୍ଧକ ରହିଛି । ଗତ ବର୍ଷ ପାଖାପାଖି ସାଢେ ତିନି କୋଟି ଲୋକ ଏହାର ସୁବିଧା ପାଇଛନ୍ତି । ଦଳିତ-ଆଦିବାସୀ-ପଛୁଆବର୍ଗ, ଏବଂ ମହିଳାମାନଙ୍କୁ ପ୍ରାଥମିକତା ଦେଇ ସରକାରଙ୍କର, ଏହାକୁ ଦୁଇ ଗୁଣା କରିବାକୁ  ଇଚ୍ଛା ଅଛି ।

ଗର୍ଭବତୀ ମହିଳାମାନଙ୍କ ପାଇଁ ମଧ୍ୟ ଏକ ଦେଶବ୍ୟାପୀ ଯୋଜନାର ଶୁଭାରମ୍ଭ କରାଯାଇଛି । ଏବେ ଦେଶର ସମସ୍ତ 650 ଜିଲ୍ଲାରେ ସରକାର ଗର୍ଭବତୀ ମହିଳାମାନଙ୍କୁ ଡାକ୍ତରଖାନାରେ ପଞ୍ଜିକରଣ ଏବଂ ପ୍ରସବ, ଟୀକାକରଣ ଆଉ ପୁଷ୍ଟିକର ଖାଦ୍ୟ ପାଇଁ 6 ହଜାର ଟଙ୍କାର ଆର୍ଥିକ ସହାୟତା ଦେବେ । ଏହି ଟଙ୍କା ଗର୍ଭବତୀ ମହିଳାମାନଙ୍କ ଜମାଖାତାକୁ ହସ୍ତାନ୍ତର କରାଯିବ । ଦେଶରେ ମାତୃ ମୃତ୍ୟୁ ହାର କମ୍ କରିବା ପାଇଁ ଏହି ଯୋଜନାରୁ ବଡ଼ ସହାୟତା ମିଳିବ । ବର୍ତ୍ତମାନ ଏହି ଯୋଜନାରେ 4 ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ଦେଶର ମାତ୍ର 53 ଜିଲ୍ଲାରେ ପାଇଲଟ ପ୍ରକଳ୍ପ ଭାବେ ଏହା କାର୍ଯ୍ୟକାରୀ କରାଯାଉଥିଲା ।

ସରକାର ବରିଷ୍ଠ ନାଗରିକମାନଙ୍କ ପାଇଁ ମଧ୍ୟ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ବ୍ୟାଙ୍କକୁ ଅଧିକ ପଇସା ଆସିବା ଦ୍ୱାରା ସାଧାରଣତଃ ବ୍ୟାଙ୍କ, ଜମା ଉପରେ ସୁଧ ହାର କମ୍ କରି ଦେଇଥାଏ । ବରିଷ୍ଠ ନାଗରିକମାନଙ୍କ ଉପରେ ଏହାର ପ୍ରଭାବ  ନ ପଡୁ ଏଥିପାଇଁ 7.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରାଶି ଉପରେ 10-ବର୍ଷ ପର୍ଯ୍ୟନ୍ତ ବାର୍ଷିକ 8 ପ୍ରତିଶତ ସୁଧ ହାର ସୁରକ୍ଷିତ କରାଯିବ । ସୁଧ ବାବାଦ ରାଶି ବରିଷ୍ଠ ନାଗରିକମାନେ ପ୍ରତିମାସରେ ପାଇ ପାରିବେ ।

ଭ୍ରଷ୍ଟାଚାର, କଳାଧନ ବିଷୟରେ ଯେବେ ବି ଚର୍ଚ୍ଚା ହୁଏ, ତ ରାଜନେତା, ରାଜନୈତିକ ଦଳ, ନିର୍ବାଚନ ଖର୍ଚ୍ଚ, ଏହି ସସସ୍ତ କଥା ଚର୍ଚ୍ଚାର କେନ୍ଦ୍ରରେ ରହିଥାଏ । ଏବେ ସମୟ ଆସିଛି କି ସମସ୍ତ ରାଜନେତା ଏବଂ ରାଜନୈତିକ ଦଳ ଦେଶର ସଚ୍ଚୋଟ ନାଗରିକଙ୍କ ଭାବନାକୁ ସମ୍ମାନ କରନ୍ତୁ, ଜନତାଙ୍କ ଆକ୍ରୋଶକୁ ବୁଝନ୍ତୁ । ଏହା ସତ କଥା  ଯେ, ରାଜନୈତିକ ଦଳ ଅନେକ ସମୟରେ ବ୍ୟବସ୍ଥାରେ ସୁଧାର ପାଇଁ ସାର୍ଥକ ପ୍ରୟାସ ମଧ୍ୟ କରିଛନ୍ତି । ସମସ୍ତ ଦଳ ମିଳି ମିଶି ସ୍ୱେଚ୍ଛାକୃତ ଭାବେ ନିଜ ଉପରେ ଥିବା ବନ୍ଧନକୁ ସ୍ୱୀକାର କରିଛନ୍ତି । ଆଜିର ଆବଶ୍ୟକତା ହେଉଛି ସମସ୍ତ ରାଜନେତା ଏବଂ ରାଜନୈତିକ ଦଳ ଅନ୍ୟମାନଙ୍କଠାରୁ ନିଜକୁ ପବିତ୍ର ଭାବନାଠାରୁ ଦୂରେଇ ରହି, ମିଳିମିଶି ଏକାଠି ବସି ପାରଦର୍ଶିତାକୁ ପ୍ରାଥମିକତା ଦେଇ, ଭ୍ରଷ୍ଟାଚାର ଏବଂ କଳାଧନରୁ ରାଜନୈତିକ ଦଳକୁ ମୁକ୍ତ କରିବା ଦିଗରେ ସଠିକ ପଦକ୍ଷେପ ଉଠାନ୍ତୁ ।

ଆମ ଦେଶରେ ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ରାଷ୍ଟ୍ରପତି ମହାଶୟଙ୍କ ପର୍ଯ୍ୟନ୍ତ ସମସ୍ତେ ଲୋକସଭା-ବିଧାନସଭା ନିର୍ବାଚନ ଏକ ସମୟରେ ଏକାଠି କରିବା ବିଷୟରେ କେବେ ନା କେବେ କହିଛନ୍ତି । ଏହି ଦିନମାନଙ୍କରେ ଚାଲିଥିବା ନିର୍ବାଚନ ସମୟ, ସେଥିରୁ ଉତ୍ପନ୍ନ ଆର୍ଥିକ ବୋଝ, ତଥା ପ୍ରଶାସନ ବ୍ୟବସ୍ଥା ଉପରେ ପଡୁଥିବା ବୋଝରୁ ମୁକ୍ତି ପାଇବା କଥାକୁ ସମର୍ଥନ କରିଛନ୍ତି । ଏବେ ସମୟ ଆସିଯାଇଛି କି ଏହି ବିଷୟରେ  ବିତର୍କ ହେଉ, ରାସ୍ତା ଖୋଜା ଯାଉ ।

ଆମ ଦେଶରେ ପ୍ରତ୍ୟେକ ସକରାତ୍ମକ ପରିବର୍ତ୍ତନ ପାଇଁ ସବୁବେଳେ ସ୍ଥାନ ରହିଥାଏ । ଏବେ ଡିଜିଟାଲ ନେଣଦେଣକୁ ନେଇ ସମାଜରେ ବହୁତ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଅଧିକରୁ ଅଧିକ ଲୋକ ଏଥି ସହ ଯୋଡି ହୋଇ ରହୁଛନ୍ତି । କାଲି ହିଁ ସରକାର, ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ନାମରେ ଡିଜିଟାଲ କାରବାର ପାଇଁ ପୁରାପୁରି ଏକ ସ୍ୱଦେଶୀ ପ୍ଲାଟଫର୍ମ – ଭୀମ୍(BHIM)ର ଶୁଭାରମ୍ଭ କରିଛନ୍ତି । ଭୀମ୍ ଅର୍ଥାତ ଭାରତ ଇଣ୍ଟରଫେସ୍ ଫର ମନି । ମୁଁ ଦେଶର ଯୁବକମାନଙ୍କୁ, ବ୍ୟବସାୟୀ ବର୍ଗଙ୍କୁ କୃଷକମାନଙ୍କୁ ଅନୁରୋଧ କରୁଛି କି ଭୀମ୍ ସହିତ ଅଧିକରୁ ଅଧିକ ସଂଖ୍ୟାରେ ସଂଯୁକ୍ତ ବା ଯୋଡି ହୁଅନ୍ତୁ ।

ସାଥୀମାନେ, ଦୀପାବଳି ପରେ ଯେଉଁ ଘଟଣାକ୍ରମ ରହିଲା, ନିର୍ଣ୍ଣୟ ହେଲା, ନୀତି ତିଆରି ହେଲା-ଏହାର ମୂଲ୍ୟାୟନ ଅର୍ଥଶାସ୍ତ୍ରୀମାନେ ତ ନିଶ୍ଚୟ କରିବେ, କିନ୍ତୁ ଭଲ ହେବ କି ଦେଶର ସମାଜଶାସ୍ତ୍ରୀ ମଧ୍ୟ ଏହି ପୁରା ଘଟଣାକ୍ରମ, ନିର୍ଣ୍ଣୟ ଏବଂ ନୀତିଗୁଡିକର ମୂଲ୍ୟାଙ୍କନ କରନ୍ତୁ । ଏକ ରାଷ୍ଟ୍ର ଭାବେ ଭାରତର ଗାଁ, ଗରିବ, କୃଷକ, ଯୁବକ, ପାଠ ପଢୁଆ ଲୋକ, ଅଶିକ୍ଷିତ, ପୁରୁଷ-ମହିଳା ସମସ୍ତେ ଅପ୍ରତିମ ଧୈର୍ଯ୍ୟ ଏବଂ ଲୋକ ଶକ୍ତିର ନିଦର୍ଶନ ଦେଇଛନ୍ତି ।

କିଛି ସମୟ ପରେ 2017ର ନୂଆ ବର୍ଷ ଆରମ୍ଭ ହେବ । ଆଜକୁ 100ବର୍ଷ ପୂର୍ବେ 1917 ରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚମ୍ପାରଣରେ ପ୍ରଥମଥର ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଇ ଦିନମାନଙ୍କରେ ଆମେ ଦେଖିଛେ କି 100 ବର୍ଷ ପରେ ମଧ୍ୟ ଆମ ଦେଶରେ ସତ୍ୟତା ଏବଂ ଭଲଗୁଣ ପ୍ରତି ସକରାତ୍ମକ ସଂସ୍କାରର ମୂଲ୍ୟ ରହିଛି । ଆଜି ମହାତ୍ମା ଗାନ୍ଧୀ ନାହାନ୍ତି, କିନ୍ତୁ ତାଙ୍କର ଏହି ମାର୍ଗ ଯାହା ଆମକୁ ସତ୍ୟ ପଥରେ ଯିବାକୁ ପ୍ରେରିତ କରିଥାଏ, ତାହା ହେଉଛି ସର୍ବାଧିକ ଉପଯୁକ୍ତ । ଚମ୍ପାରଣ ସତ୍ୟାଗ୍ରହର ଶତାବ୍ଦୀ ଅବସରରେ  ଆମେ ସମସ୍ତେ ପୁଣି ଥରେ ମହାତ୍ମା ଗାନ୍ଧୀଙ୍କୁ ପୁନଃ ସ୍ମରଣ କରିବା ସହିତ ସତ୍ୟ ପ୍ରତି ଆଗ୍ରହୀ ହେବା ତ, ସତ୍ୟତା ଆଉ ଭଲଗୁଣର ମାର୍ଗରେ ଆଗକୁ ଚାଲିବାରେ କୌଣସି ଅସୁବିଧା ଆସିବ ନାହିଁ । ଭ୍ରଷ୍ଟାଚାର ଏବଂ କଳାଧନ ବିରୁଦ୍ଧରେ ଏହି ଲଢାଇକୁ ଆମେ ରୋକିବାକୁ ଦେବା ନାହିଁ ।

ସତ୍ୟ ପ୍ରତି ଆଗ୍ରହ, ହେଉଛି ସଂପୂର୍ଣ୍ଣ ସଫଳତାର ଗ୍ୟାରେଣ୍ଟି । ଶହେ ପଚିଶ କୋଟିର ହେଉଛି ଦେଶ, 65 ପ୍ରତିଶତ ଜନସଂଖ୍ୟା ହେଉଛି 35 ବର୍ଷରୁ କମ୍ ବୟସ୍କ ଯୁବକଙ୍କର, ସାଧନ ମଧ୍ୟ ଅଛି, ସଂଶାଧନ ମଧ୍ୟ ଅଛି ଏବଂ ସାମର୍ଥ୍ୟର ମଧ୍ୟ କୌଣସି ଅଭାବ ନାହିଁ, ଏମିତି ହିନ୍ଦୁସ୍ଥାନ ପାଇଁ କୌଣସି କାରଣ ନାହିଁ, କି ଏବେ ସେମାନେ ପଛରେ ରହି ଯିବେ ।

ନୂଆ ବର୍ଷର ନୂଆ କିରଣ, ନୂଆ ସଫଳତା ଗୁଡିକର ସଂକଳ୍ପ ନେଇ ଆସୁଛି । ଆସନ୍ତୁ ଆମେ ସମସ୍ତେ ମିଳିମିଶି ଚାଲିବା, ବାଧାଗୁଡିକୁ ଅତିକ୍ରମ କରି ଚଲିବା… ଏକ ନୂଆ ଉଜ୍ଜ୍ୱଳ ଭବିଷ୍ୟତର ନିର୍ମାଣ କରିବା ।

ଜୟ ହିନ୍ଦ !!!