ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନୀତି ଆୟୋଗଙ୍କ ଦ୍ୱାରା “ପରିବର୍ତ୍ତନର ଚାମ୍ପିୟନ” କାର୍ଯ୍ୟକ୍ରମ

ସମାଜ, ପ୍ରଶାସନରେ ବିବର୍ତ୍ତନ ଆଣିବାରେ ଯୁବ ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ଭୂମିକା ମହନୀୟ

 

ଗ୍ରାମ୍ୟ ଅର୍ଥବ୍ୟବସ୍ଥାକୁ ସଜାଡିବା ଏବଂ ପ୍ରଶାସନିକ ସଂସ୍କାର ପାଇଁ ନବସୃଜନ, ପ୍ରଯୁକ୍ତି କୌଶଳ ଜରୁରୀ – ପ୍ରଧାନମନ୍ତ୍ରୀ

 

 

ପ୍ରଶାସନରେ ପରିବର୍ତ୍ତନ ଓ ସଂସ୍କାର ଆଣିବା ଦିଗରେ ନବସୃଜନ ଓ ପ୍ରଯୁକ୍ତି କୌଶଳର ଭୂମିକା ଗୁରୁତ୍ୱପୂର୍ଣ୍ଣ  । ସମାଜରେ ଏସବୁ କୌଶଳକୁ ଆପଣେଇଲେ ହିଁ ଲୋକଙ୍କୁ ପ୍ରଶାସନର ଉତ୍ତମ ସୁଫଳ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  ।

ନିତି ଆୟୋଗଙ୍କ ପକ୍ଷରୁ ନୂଆଦିଲ୍ଲୀର ପ୍ରବାସୀ ଭାରତୀୟ କେନ୍ଦ୍ରରେ ଗୁରୁବାର (17.8.2017) ଆୟୋଜିତ ଯୁବ ଉଦ୍ୟୋଗୀମାନଙ୍କ କାର୍ଯ୍ୟକ୍ରମ- ପରିବର୍ତ୍ତନର ଚାମ୍ପିୟନରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି  । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୁବ ଉଦ୍ୟୋଗୀମାନଙ୍କ ସହ ଦୀର୍ଘ ସମୟ ଧରି ମତ ବିନିମୟ କରିଥିଲେ  ।

ସେ କହିଥିଲେ ଯେ, ଭାରତର ଗ୍ରାମ୍ୟ ଅର୍ଥବ୍ୟବସ୍ଥାକୁ ସଜାଡିବାକୁ ପଡ଼ିବ  । ଏଥିଲାଗି ଶାସନତନ୍ତ୍ରରେ ବିକେନ୍ଦ୍ରୀକରଣର ମହତ୍ୱପୂର୍ଣ୍ଣ ଭୂମିକା ରହିଛି  । ପ୍ରଶାସନର ପ୍ରତିଟି ସ୍ତରକୁ ଜୀବନ୍ତ ଓ ପ୍ରାଣବନ୍ତ କରିବା ଦିଗରେ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ପରିବର୍ତ୍ତନର ଆଲୋକବର୍ତ୍ତିକା ସାଜି ପାରିବେ  । ଏବେ “ସଫ୍ଟ ଟେକ୍ଲୋଲଜି” ପ୍ରଶାସନକୁ ଲୋକଙ୍କର ନିକଟତର କରିପାରିଛି  । ବିଶେଷକରି ବିଭିନ୍ନ ପ୍ରକାରର ଆପ୍ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାରେ ସମର୍ଥ ହୋଇଛି  ।

ଆଜିର ଏହି ଅଭିନବ କାର୍ଯ୍ୟକ୍ରମରେ 6ଟି ଯୁବ ଉଦ୍ୟୋଗୀ ଷ୍ଟାର୍ଟ-ଅପ ଟିମ୍ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗର ସମାବେଶରେ ନିଜ ନିଜର ରିପୋର୍ଟ ଉପସ୍ଥାପନ କରିଥିଲେ  । ପ୍ରଧାନମନ୍ତ୍ରୀଙ୍କ ଆଗରେ ଉପସ୍ଥାପିତ ହୋଇଥିବା ଏହି ରିପୋର୍ଟଗୁଡିକ ହେଲା – ସଫ୍ଟ ପାୱାର, ଅତୁଲ୍ୟ ଭାରତ-2, ଶିକ୍ଷା ଓ କୌଶଳ ବିକାଶ, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ, ଏକ ଶାଶ୍ୱତ ଭବିଷ୍ୟତର ସଶକ୍ତକରଣ, ଡିଜିଟାଲ ଇଣ୍ଡିଆ ଏବଂ 2022 ସୁଦ୍ଧା ନିଉ ଇଣ୍ଡିଆ ଗଠନ  ।

ଯୁବ ଉଦ୍ୟୋଗୀମାନଙ୍କର ଅଭିନବ ମତ, ପ୍ରସ୍ତାବ ଏବଂ ନବସୃଜନକୁ ନେଇ ପରିବେଷିତ ଏହି ଉପସ୍ଥାପନାଗୁଡିକୁ ପ୍ରଧାନମନ୍ତ୍ରୀ ବେଶ୍ ପସନ୍ଦ କରିଥିଲେ  । ସେ କହିଥିଲେ ଯେ, ଅତୀତରେ ସମାଜର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ନେତୃତ୍ୱରେ ଅନେକଗୁଡିଏ ସାମାଜିକ ପ୍ରୟାସ ଓ ପଦକ୍ଷେପ ଆରମ୍ଭ କରାଯାଇଥିଲା ଯାହାକି ସଂସ୍କାର ଆଣିବା ସହ ଲୋକଙ୍କ ଆଶା, ଆକାଂକ୍ଷା ଅନେକାଂଶରେ ପୂରଣ କରିଥିଲା  ।

ନୀତି ଆୟୋଗର “ପରିବର୍ତ୍ତନର ଚାମ୍ପିୟନ” ପ୍ରୟାସକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସମାଜ ଏବଂ ରାଷ୍ଟ୍ର କଲ୍ୟାଣ ସକାଶେ ବହୁବିଧ ଶକ୍ତି ଓ ସାମର୍ଥ୍ୟକୁ ଏକାଠି କରିବା ଦିଗରେ ଏହା ବେଶ୍ ସହାୟକ ହେବ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହିସବୁ ପ୍ରୟାସ ଓ ଅଭିଯାନକୁ ଆଗକୁ ନେଇ ଏସବୁର ଆନୁଷ୍ଠାନୀକରଣ ଦିଗରେ ପଦକ୍ଷେପ ନିଆଯିବ  । ଆଜି ରିପୋର୍ଟ ଉପସ୍ଥାପନ କରିଥିବା ଯୁବ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନଙ୍କୁ ଯେତେ ସମ୍ଭବ ସଂପୃକ୍ତ ବିଭାଗ ଓ ମନ୍ତ୍ରଣାଳୟମାନଙ୍କ ସହ ଯୋଡିବା ପାଇଁ ଉଦ୍ୟମ କରାଯିବ  । ଏହାଦ୍ୱାରା ଷ୍ଟାର୍ଟ-ଅପ ମାନଙ୍କ ନବସୃଜନର କୌଶଳକୁ ପ୍ରଶାସନିକ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ  । ପଦ୍ମ ପୁରସ୍କାରର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମାଜରେ ଅନେକ ଉତ୍ତମ କାର୍ଯ୍ୟ କରୁଥିବା ଅଜଣା ଅଶୁଣା ହିରୋମାନଙ୍କର ପ୍ରୟାସ ଦେଶରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜନସାଧାରଣଙ୍କର ଉନ୍ନତି ପାଇଁ ଭାରତ ସରକାରଙ୍କ ବରିଷ୍ଠ ପଦାଧିକାରୀମାନେ ନୂଆ ନୂଆ ପଦକ୍ଷେପ ଓ ବିକାଶର ରାସ୍ତା ଖୋଜିବା ପାଇଁ ପ୍ରୟାସ କରୁଛନ୍ତି  । ଯୁବ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ନିଜ ନିଜ ସାମର୍ଥ୍ୟ ଅନୁସାରେ ନବସୃଜନ ଭଳି ଅଭିଯାନକୁ ଆଗେଇ ନେବା ସହ ପ୍ରଶାସନକୁ ସକ୍ରୀୟ, ସଶକ୍ତ ଓ ଗତିଶୀଳ କରିବାରେ ବିଶେଷ ଅବଦାନ ରଖିପାରିବେ ବୋଲି ସେ କହିଥିଲେ  ।

କେତେକ ଛୋଟ ଛୋଟ ପରିବର୍ତ୍ତନର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ର ସରକାର ଏଭଳି କିଛି ପଦକ୍ଷେପ ନେଇଛନ୍ତି ଯାହାକି ପ୍ରଶାସନରେ ସଂସ୍କାର ଆଣିପାରିଛି  । ଏବେ କୌଣସି ଦସ୍ତାବିଜରେ ସରକାରୀ ଅଧିକାରୀଙ୍କ ଆଟେଷ୍ଟେସନକୁ ବନ୍ଦ କରାଯାଇ ହିତାଧିକାରୀଙ୍କୁ ଆତ୍ମ ପ୍ରମାଣନର ସୁବିଧା ଦିଆଯାଇଛି  । ଗ୍ରୁପ ସି ଓ ଡି ଚାକିରୀ କ୍ଷେତ୍ରରେ ସାକ୍ଷାତକାର ପରୀକ୍ଷା ଉଚ୍ଛେଦ କରାଯାଇଛି  । ଏହା ଅନେକାଂଶରେ ଭ୍ରଷ୍ଟାଚାରକୁ ରୋକିପାରିଛି  ।

ଏହି ମତବିନିମୟ କାଳରେ ପ୍ରଧାନମନ୍ତ୍ରୀ ଆମ ସମାଜରେ ଭଲ ଶିକ୍ଷକମାନଙ୍କ ଭୂମିକାକୁ ପ୍ରଶଂସା କରିଥିଲେ  । ତେବେ ଆଜିର ଯୁଗରେ ଶିକ୍ଷାର ମାନ ବୃଦ୍ଧି ଲାଗି ଟେକ୍ନୋଲଜି ଏକ ବୃହତ ଭୂମିକା ଗ୍ରହଣ କରିପାରିବ  । ସଫ୍ଟ ପାୱାର ଉଚ୍ଚକୋଟୀର ଶିକ୍ଷା ପ୍ରଦାନକୁ ସରଳ ଓ ପରିବ୍ୟାପ୍ତ କରିପାରିବ  । ପ୍ରଧାନମନ୍ତ୍ରୀ ଯୁବ ଉଦ୍ୟୋଗୀମାନଙ୍କ ସହ ମତ ବିନିମୟ କାଳରେ ସେମାନଙ୍କ ସଂସ୍ଥାର କର୍ମଚାରୀମାନଙ୍କୁ ସାମାଜିକ କଲ୍ୟାଣ ଯୋଜନାଗୁଡିକ ସଂପର୍କରେ ସଚେତନ କରାଇବା ଲାଗି ପରାମର୍ଶ ଦେଇଥିଲେ  ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଦେଶର କୋଟି କୋଟି ସାଧାରଣ ନାଗରିକମାନଙ୍କ ସାମୂହିକ ଉଦ୍ୟମ ବଳରେ ହିଁ ନିଉ ଇଣ୍ଡିଆ ବା ନୂଆ ଭାରତ ଗଠନ କରାଯାଇପାରିବ  । ଏହି ଜାତୀୟ ପ୍ରୟାସରେ ଷ୍ଟାର୍ଟ-ଅପ ଉଦ୍ୟୋଗୀମାନେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ  ।

ଆଜିକାର କାର୍ଯ୍ୟକ୍ରମରେ ଅନେକ କେନ୍ଦ୍ର ମନ୍ତ୍ରୀ, ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ଅରବିନ୍ଦ ପାନାଗରିଆ, ବରିଷ୍ଠ ସରକାରୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ  । ନୀତି ଆୟୋଗର ସିଇଓ ଶ୍ରୀ ଅମିତାଭ କାନ୍ତ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ  ।

 

**********