ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ “ମନ୍ କି ବାତ୍”(24, ସେପ୍ଟେମ୍ବର 2017)

ନବରାତ୍ର ପୂଜାରେ ଦେଶବାସୀଙ୍କୁ ଶୁଭେଚ୍ଛା

ସ୍ୱଚ୍ଛତା ଅଭ୍ୟାସ ପାଇଁ ଲୋଡା ବୈଚାରିକ ଆନ୍ଦୋଳନ

ସ୍ୱଚ୍ଛତା ଆନ୍ଦୋଳନର ନେତୃତ୍ୱ ନେଇଛନ୍ତି ଗଣମାଧ୍ୟମ

ଲୋକତଥ୍ୟ ଆଧାରରେ ପର୍ଯ୍ୟଟନ ପ୍ରଚାର-ସାହିତ୍ୟ ପ୍ରସ୍ତୁତି ପାଇଁ କେନ୍ଦ୍ରର ମହତ୍ୱାକାଂକ୍ଷୀ ଯୋଜନା

ଯୁବଗୋଷ୍ଠୀ କ୍ରୀଡାକୁ ଜୀବନର ଏକ ଅଂଶବିଶେଷ କରନ୍ତୁ – ଶ୍ରୀ ନରେନ୍ଦ୍ର ମୋଦୀ

ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର । ଆକାଶବାଣୀ ମାଧ୍ୟମରେ ମନର କଥା କହୁ କହୁ ତିନିବର୍ଷ ପୁରିଗଲାଣି । ଆଜି ଏହା 36ତମ ଅଧ୍ୟାୟ । “ମନ୍ କି ବାତ୍” ଏକ ପ୍ରକାର, ଭାରତର ଯେଉଁ ସକାରାତ୍ମକ ଶକ୍ତି ରହିଛି, ଦେଶର କୋଣ-ଅନୁକୋଣରେ ଯେଉଁ ଭାବନା ଭରି ରହିଛି, ଇଚ୍ଛା ରହିଛି, ଆଶା ରହିଛି, କେଉଁଠି କେଉଁଠି ଅଭିଯୋଗ ମଧ୍ୟ ରହିଛି – ଗୋଟିଏ ମଣିଷ ମନରେ ଯେଉଁ ଭାବଗୁଡ଼ିକ ଜାଗ୍ରତ ହେଉଥାଏ “ମନ୍ କି ବାତ୍” ସେହି ସମସ୍ତ ଭାବନାଗୁଡ଼ିକ ସହ ମୋତେ ଜଡ଼ିତ ହେବାର ଗୋଟିଏ ଅପୂର୍ବ ସୁଯୋଗ ଦେଇଛି । ଆଉ ମୁଁ କେବେହେଲେ ଏକଥା କହିନି ଯେ ଏହା ମୋ ମନର କଥା । ଏହି “ମନ୍ କି ବାତ୍” ଦେଶବାସୀଙ୍କ ମନ ସହ ଜଡ଼ିତ, ସେମାନଙ୍କ ଭାବନା ସହିତ ଜଡ଼ିତ, ସେମାନଙ୍କ ଆଶା-ପ୍ରତ୍ୟାଶା ସହ ଜଡ଼ିତ । ଯେହେତୁ “ମନ୍ କି ବାତ୍” ମୁଁ କହୁଛି, ତେଣୁ ଏଥିପାଇଁ ଦେଶର ପ୍ରତ୍ୟେକ କୋଣରୁ ଲୋକେ ମୋତେ ନିଜର କଥା ପଠାଉଛନ୍ତି, ଆପଣଙ୍କୁ ହୁଏତ ଖୁବ୍ କମ୍ କଥା କହିପାରୁଛି, କିନ୍ତୁ ମୋତେ ତ ଗୋଟିଏ ପୂର୍ଣ୍ଣ ଗନ୍ତାଘର ମିଳିଯାଉଛି । ଇ-ମେଲ ମାଧ୍ୟମରେ ହେଉ, ଟେଲିଫୋନରେ ହେଉ, MyGov ରେ ହେଉ, Narendra Modi App ଜରିଆରେ ହେଉ, ଅନେକ କଥା ମୋ ପାଖକୁ ପହଂଚୁଛି । ସେଥିମଧ୍ୟରୁ ଅନେକ ମୋ ପାଇଁ ପ୍ରେରଣାଦାୟୀ ହେଉଛି ।

ଅନେକଗୁଡ଼ିଏ, ସରକାରୀ କଳରେ ଉନ୍ନତି ପାଇଁ ରହୁଛି । କେଉଁଠି ବ୍ୟକ୍ତିଗତ ଅଭିଯୋଗ ମଧ୍ୟ ଆସୁଛି ତ କେଉଁଠି ସାମୂହିକ ସମସ୍ୟା ଦିଗକୁ ଦୃଷ୍ଟି ଆକର୍ଷଣ କରାଯାଉଛି । ଆଉ ପୁଣି ମୁଁ ତ ମାସକୁ ଥରେ ଅଧ ଘଣ୍ଟା ଆପଣଙ୍କ ସମୟ ନେଉଛି । କିନ୍ତୁ ଲୋକ, ତିରିଶ ଦିନ ଯାକ “ମନ୍ କି ବାତ୍” ଉପରେ ନିଜକଥା ପଠାଉଛନ୍ତି । ଏହାର ଫଳସ୍ୱରୂପ ସରକାରରେ ମଧ୍ୟ ସମ୍ବେଦନଶୀଳତା, ସୁଦୂର ସମାଜରେ କିଭଳି ଶକ୍ତି ପଡ଼ି ରହିଛି ସେଗୁଡ଼ିକ ପ୍ରତି ସରକାରଙ୍କ ଧ୍ୟାନ ଯିବା, ସହଜରେ ଅନୁଭୂତ ହେଉଛି । ତେଣୁ “ମନ୍ କି ବାତ୍”ର ତିନିବର୍ଷର ଏହି ଯାତ୍ରା ଦେଶବାସୀଙ୍କ ଭାବନାର, ଅନୁଭୂତିର ଏକ ଯାତ୍ରା । ହୁଏତ ଏତେ କମ୍ ସମୟ ମଧ୍ୟରେ ଦେଶର ସାଧାରଣ ମଣିଷର ଭାବନାକୁ ଜାଣିବା-ବୁଝିବାର ମୋତେ ଯେଉଁ ସୁଯୋଗ ମିଳିଛି ସେଥିପାଇଁ ମୁଁ ଦେଶବାସୀଙ୍କ ପ୍ରତି ବହୁତ କୃତଜ୍ଞ । “ମନ୍ କି ବାତ୍”ରେ ମୁଁ ସବୁବେଳେ ଆଚାର୍ଯ୍ୟ ବିନୋବା ଭାବେଙ୍କ ସେହି କଥାକୁ ମନେ ରଖିଛି । ଆଚାର୍ଯ୍ୟ ବିନୋବା ଭାବେ ସବୁବେଳେ କହୁଥିଲେ ବେସରକାରୀ ହିଁ ପ୍ରଭାବଶାଳୀ (आचार्य विनोबा भावे हमेशा कहते थे ‘अ-सरकारी, असरकारी ) ମୁଁ ମଧ୍ୟ “ମନ୍ କି ବାତ୍”ରେ ଏହି ଦେଶର ଜନସାଧାରଣଙ୍କୁ କେନ୍ଦ୍ରରେ ରଖିବାର ପ୍ରଚେଷ୍ଟା କରିଛି । ରାଜନୀତିର ରଙ୍ଗଠାରୁ ଏହାକୁ ଦୂରେଇ ରଖିଛି । ଆକସ୍ମିକ ଉତେଜନା, ଆକ୍ରୋଶରେ ବହିଯିବା ଅପେକ୍ଷା ଏକ ସ୍ଥିର ମନରେ ଆପଣମାନଙ୍କ ସହ ଯୋଡ଼ି ହୋଇ ରହିବାର ପ୍ରଚେଷ୍ଟା କରିଛି ।

ମୁଁ ନିଶ୍ଚିତ ଭାବେ ମନେ କରୁଛି, ଏବେ ତିନିବର୍ଷ ପରେ ସମାଜବିଜ୍ଞାନୀ, ବିଶ୍ୱବିଦ୍ୟାଳୟ, ଗବେଷକ, ଗଣମାଧ୍ୟମ ବିଶେଷଜ୍ଞ, ନିଶ୍ଚୟ ଏହାର ବିଶ୍ଲେଷଣ କରିବେ । ଭଲ ମନ୍ଦ ତ ରହିଛି । ପ୍ରତି କଥାକୁ ଉଜାଗର କରିବେ ଏବଂ ମୋର ବିଶ୍ୱାସ ଯେ, ଏହି ବିଚାର-ବିମର୍ଶ ଭବିଷ୍ୟତର “ମନ୍ କି ବାତ୍” ପାଇଁ ଅଧିକ ଉପଯୋଗୀ ହେବ । ଏହାକୁ ଏକ ନୂତନ ଚେତନା, ନୂଆ ଶକ୍ତି ମିଳିବ । “ମନ୍ କି ବାତ୍”ରେ ଥରେ ମୁଁ କହିଥିଲି ଯେ, ଭୋଜନ କରିବା ସମୟରେ ଆମେ ଏକଥା ଚିନ୍ତା କରିବା ଉଚିତ୍ ଯେ, ଯେତିକି ଆବଶ୍ୟକ, ଆମେ ସେତିକି ହିଁ ନେବା, ଆମେ ଏହାକୁ ନଷ୍ଟ କରିବାନି । କିନ୍ତୁ, ପରେ ମୁଁ ଦେଖିଲି ଯେ, ଦେଶର ପ୍ରତ୍ୟେକ କୋଣରୁ ମୋ ପାଖକୁ ଏତେ ଚିଠି ଆସିଲା ଯେ, ଅନେକ ସାମାଜିକ ସଂଗଠନ, ଅନେକ ଯୁବକ ଆଗରୁ ହିଁ ଏହି କାମ କରୁଛନ୍ତି । ଯେଉଁ ଖାଦ୍ୟ ଥାଳିରେ ଛାଡି ଦିଆଯାଉଛି, ତାହାକୁ ଏକତ୍ରିତ କରି, କିଭଳି ଏହାର ସଦୁପଯୋଗ ହୋଇପାରିବ, ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏତେ ଲୋକ ମୋ ଦୃଷ୍ଟିକୁ ଆସିଲେ ଯେ ମୋ ମନ ଖୁବ୍ ସନ୍ତୁଷ୍ଟ ହେଲା, ବହୁତ ଖୁସି ଲାଗିଲା ।

ଥରେ “ମନ୍ କି ବାତ୍”ରେ ମୁଁ ମହାରାଷ୍ଟ୍ରର ଜଣେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଚନ୍ଦ୍ରକାନ୍ତ କୁଲକର୍ଣ୍ଣିଙ୍କ କଥା କହିଥିଲି, ଯାହାଙ୍କୁ 16 ହଜାର ଟଙ୍କା ପେନସନ୍ ମିଳୁଥିଲା । ସେ ନିଜର ପେନସନ୍ ରୁ 5000 ଟଙ୍କା, 51ଟି ପୋଷ୍ଟଡେଟେଡ ଚେକ୍ ଆକାରରେ ସ୍ୱଚ୍ଛତା ପାଇଁ ଦାନ କରି ଦେଇଥିଲେ । ଆଉ ତା’ପରେ ତ ମୁଁ ଦେଖିଲି ଯେ, ସ୍ୱଚ୍ଛତା କ୍ଷେତ୍ରରେ, ଏ ପ୍ରକାର କାମ କରିବା ପାଇଁ କେତେ ଲୋକ ଆଗେଇ ଆସିଲେ ।

ଥରେ ମୁଁ ହରିଆନାର ଜଣେ ସରପଂଚଙ୍କର ନିଜ ” ଝିଅ ସହିତ ସେଲ୍ଫି ” କୁ ଦେଖିଲି ଆଉ ମୁଁ “ମନ୍ କି ବାତ୍”ରେ ଏକଥା ସମସ୍ତଙ୍କ ଆଗରେ ରଖିଲି । ଦେଖୁ ଦେଖୁ, କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ” ଝିଅ ସହିତ ସେଲ୍ଫି ” ଗୋଟିଏ ବଡ଼ ଅଭିଯାନ ରୂପରେ ଆରମ୍ଭ ହୋଇଗଲା । ଏହା କେବଳ ସାମାଜିକ ଗଣମାଧ୍ୟମର ପ୍ରସଙ୍ଗ ନୁହେଁ, ପ୍ରତ୍ୟେକ ଝିଅକୁ ଗୋଟିଏ ନୂତନ ଆତ୍ମବିଶ୍ୱାସ ପ୍ରଦାନ କରି ଗର୍ବିତ କରୁଥିବା ଘଟଣାଟିଏ ପାଲଟିଗଲା । ନିଜ ଝିଅ ସହିତ Selfieର ଉଠାଇବାକୁ ପ୍ରତ୍ୟେକ ବାପା-ମା’ ଆଗ୍ରହୀ ହେଲେ । ନିଜର ମଧ୍ୟ କିଛି ମହାତ୍ମ୍ୟ ଅଛି, କିଛି ଗୁରୁତ୍ୱ ଅଛି ବୋଲି ପ୍ରତ୍ୟେକ ଝିଅ ଅନୁଭବ କଲା ।

ବିଗତ ଦିନରେ ମୁଁ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହ ବୈଠକ କରିଥିଲି । ମୁଁ ସେତେବେଳେ ଭ୍ରମଣ ଉଦ୍ଦେଶ୍ୟରେ ଯାଉଥିବା ଲୋକଙ୍କୁ କହିଥିଲି ଯେ, ଆପଣ ଯେଉଁଠିକୁ ଯାଉଛନ୍ତି, ସେହି ସ୍ଥାନର ଫଟୋ ଅତୁଲ୍ୟ ଭାରତ ବା # Incredible India କୁ ପଠାନ୍ତୁ । ଭାରତର ପ୍ରତ୍ୟେକ କୋଣର ଲକ୍ଷ ଲକ୍ଷ ଫଟୋ – ଏକ ପ୍ରକାର ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କ ପାଇଁ ଗୋଟିଏ ବହୁତ ବଡ଼ ସମ୍ପତି ହୋଇଗଲା । ଛୋଟ ଘଟଣା, କେତେ ବଡ଼ ଆନ୍ଦୋଳନ ସୃଷ୍ଟି କରିଦେଇପାରେ । ସେକଥା “ମନ୍ କି ବାତ୍”ରେ ମୁଁ ଅନୁଭବ କରିଛି । ଆଜି ଇଚ୍ଛା ହେଲା, କାରଣ, ଯେତେବେଳେ ଚିନ୍ତାକଲି ତିନିବର୍ଷ ହୋଇଗଲା । ସେତେବେଳେ ଗତ ତିନିବର୍ଷର ଅନେକ ଘଟଣା ମୋ ମନ-ମନ୍ଦିରରେ ଛାଇ ହୋଇଗଲା । ଦେଶ ଠିକ୍ ଦିଗରେ ପ୍ରତ୍ୟେକ ମୁହୂର୍ତ୍ତରେ ଅଗ୍ରସର ହେଉଛି । ଦେଶର ପ୍ରତ୍ୟେକ ନାଗରିକ ଅନ୍ୟର ମଙ୍ଗଳ ପାଇଁ, ସମାଜର ମଙ୍ଗଳ ପାଇଁ, ଦେଶର ପ୍ରଗତି ପାଇଁ, କିଛି ନା କିଛି କରିବାକୁ ଚାହୁଁଛି – ଏକଥା ମୋର ତିନିବର୍ଷର “ମନ୍ କି ବାତ୍” ଅଭିଯାନରେ ମୁଁ ଦେଶବାସୀଙ୍କଠାରୁ ଜାଣିପାରିଲି, ବୁଝିପାରିଲି, ଶିଖିପାରିଲି । ଯେକୌଣସି ଦେଶ ପାଇଁ ଏହା ସବୁଠାରୁ ବଡ଼ ପୁଞ୍ଜି, ଏକ ବହୁତ ବଡ଼ ଶକ୍ତି । ମୁଁ ଅନ୍ତରରୁ ଦେଶବାସୀଙ୍କୁ ପ୍ରଣାମ କରୁଛି ।

ଥରେ “ମନ୍ କି ବାତ୍” ରେ ମୁଁ ଖଦୀ ସମ୍ପର୍କରେ କହିଥିଲି । ଖଦୀ କେବଳ ଗୋଟିଏ ବସ୍ତ୍ର ନୁହେଁ, ଏହା ଏକ ଚିନ୍ତାଧାରା । ମୁଁ ଦେଖିଛି ଯେ, ଆଜିକାଲି ଖଦୀ ପ୍ରତି ଆଗ୍ରହ ବହୁମାତ୍ରାରେ ବୃଦ୍ଧି ପାଇଛି । ମୁଁ ସ୍ୱାଭାବିକ ଭାବେ କହିଥିଲି ଯେ, ମୁଁ କୌଣସି ଖଦୀବସ୍ତ୍ରଧାରୀ ହେବାକୁ କହୁନି, ବିଭିନ୍ନ ପ୍ରକାରର ଲୁଗାପଟା ରହିଛି ତେବେ ଗୋଟିଏ ଖଦୀବସ୍ତ୍ର କାହିଁକି ନ ରଖିବା? ଘରର ଚଦର ହେଉ, ରୁମାଲ ହେଉ, ପରଦା ହେଉ । ଏକଥା ଅନୁଭୂତ ହୋଇଛି ଯେ, ଯୁବପିଢ଼ିରେ ଖଦୀ ପ୍ରତି ଆକର୍ଷଣ ବୃଦ୍ଧି ପାଇଛି । ଖଦୀର ବିକ୍ରୟ ବୃଦ୍ଧି ପାଇଛି ଏବଂ ଏଥିଯୋଗୁଁ ଗରିବର ଘରର ରୋଜଗାର ସହ ସିଧା ସମ୍ପର୍କ ଯୋଡ଼ି ହୋଇଗଲା । ଅକ୍ଟୋବର 2 ତାରିଖରୁ ଖଦୀରେ ରିହାତି ଦିଆଯାଇଥାଏ, ବହୁତ ରିହାତି ମିଳେ । ଖଦୀର ଯେଉଁ ଅଭିଯାନ ଚାଲିଛି ତାହାକୁ ଆହୁରି ବଢ଼ାଇବା, ଆହୁରି ଆଗେଇ ନେବାକୁ ମୁଁ ପୁଣିଥରେ ଅନୁରୋଧ କରୁଛି । ଖଦୀ କିଣି ଗରିବର ଘରେ ଦିପାବଳୀର ଦିପ ଜଳାଇବା ଏହି ଭାବନାକୁ ନେଇ ଆମେ କାମ କରିବା । ଏହି କାମ ଦ୍ୱାରା ଆମ ଦେଶର ଗରିବକୁ ଏକ ଶକ୍ତି ମିଳିବ ଆଉ ଆମେ ଏଭଳି କରିବା ଉଚିତ । ଏହି ଖଦୀ ପ୍ରତି ଆଗ୍ରହ ବଢ଼ିବା ଯୋଗୁଁ ଖଦି କ୍ଷେତ୍ରରେ କାର୍ଯ୍ୟରତ, ଭାରତ ସରକାରରେ ଖଦୀ ସହ ସମ୍ପୃକ୍ତ ଲୋକଙ୍କ ମଧ୍ୟରେ ଗୋଟିଏ ନୂଆ ଢଙ୍ଗର ଚିନ୍ତା କରିବାର ଉତ୍ସାହ ମଧ୍ୟ ବୃଦ୍ଧି ପାଇଛି । ନୂତନ ଜ୍ଞାନକୌଶଳ କିଭଳି ଅଣାଯାଇପାରିବ, ଉତ୍ପାଦନ କ୍ଷମତା କିଭଳି ବୃଦ୍ଧି କରାଯାଇପାରିବ । ସୌରଶକ୍ତିଚାଳିତ ହସ୍ତତନ୍ତ କେମିତି ଆଣିବା? ଯେଉଁ ପୁରୁଣା ପରମ୍ପରା ଥିଲା ଯାହା 20, 25, 30 ବର୍ଷଧରି ବନ୍ଦ ପଡ଼ିଥିଲା ସେଗୁଡ଼ିକୁ କିଭଳି ପୁନର୍ଜୀବିତ କରାଯାଇପାରେ ।

ଉତ୍ତରପ୍ରଦେଶରେ ବାରଣାସୀର ସେବାପୁର । ସେହି ସେବାପୁରର ଖଦୀ ଆଶ୍ରମ 26 ବର୍ଷ ଧରି ବନ୍ଦ ପଡ଼ିଥିଲା, କିନ୍ତୁ ଆଜି ପୁନର୍ଜୀବିତ ହୋଇଯାଇଛି । ଅନେକ ପ୍ରକାରର ପ୍ରବୃତ୍ତିକୁ ସଂଯୁକ୍ତ କରାଗଲା । ଅନେକ ଲୋକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରାଗଲା । କାଶ୍ମୀରର ପାମ୍ପୋରରେ ଖଦୀ ଏବଂ ଗ୍ରାମୋଦ୍ୟୋଗ ନିଜର ବନ୍ଦ ପଡ଼ିଥିବା ପ୍ରଶିକ୍ଷଣ କେନ୍ଦ୍ରକୁ ପୁଣି ଆରମ୍ଭ କଲା, ଆଉ ପୁଣି ଏହି କ୍ଷେତ୍ରକୁ ଦେବାପାଇଁ ତ କାଶ୍ମୀର ପାଖରେ ବହୁତ କିଛି ରହିଛି । ଏବେ ଏହି ପ୍ରଶିକ୍ଷଣ କେନ୍ଦ୍ର ପୁନଃକାର୍ଯ୍ୟକ୍ଷମ ହେବାଯୋଗୁଁ ନୂଆ ପିଢ଼ିକୁ ଆଧୁନିକ ଢଙ୍ଗରେ ନିର୍ମାଣ କାର୍ଯ୍ୟ କରିବାରେ, ବୁଣିବାରେ, ନୂଆ ଜିନିଷ ତିଆରି କରିବାରେ ସାହାଯ୍ୟ ମିଳିବ । ମୋତେ ଭଲ ଲାଗୁଛି ଯେ, ବଡ଼ ବଡ଼ ଉଦ୍ୟୋଗ ମଧ୍ୟ ଆଜିକାଲି ଦିପାବଳୀର ଉପହାର ରୂପରେ ଖଦୀ ବସ୍ତୁ/ସାମଗ୍ରୀ ସବୁ ଦେବା ଆରମ୍ଭ କରିଛନ୍ତି । ଲୋକମାନେ ମଧ୍ୟ ପରସ୍ପରଙ୍କୁ ଖଦିର ବସ୍ତୁ ଉପହାର ଦେବା ଆରମ୍ଭ କରିଛନ୍ତି । ସହଜ ଭାବରେ ଗୋଟିଏ ବସ୍ତୁ କିଭଳି ଆଗକୁ ବଢ଼େ ଏହା ଆମେ ସମସ୍ତେ ଅନୁଭବ କରୁଛୁ ।

ମୋର ପ୍ରିୟ ଦେଶବାସୀଗଣ । ଗତମାସରେ “ମନ୍ କି ବାତ୍”ରେ ହିଁ ଆମେ ସମସ୍ତେ ସଂକଳ୍ପ ଗ୍ରହଣ କରିଥିଲୁ ଏବଂ ସ୍ଥିର କରିଥିଲୁ ଯେ, ଆମେ ଗାନ୍ଧୀ ଜୟନ୍ତୀ ପୂର୍ବରୁ 15 ଦିନ ଧରି ସମଗ୍ର ଦେଶରେ ସ୍ୱଚ୍ଛତାର ଉତ୍ସବ ପାଳନ କରିବା । ଜନମାନସକୁ ସ୍ୱଚ୍ଛତା ସହ ଯୋଡ଼ିବା । ଆମର ଆଦରଣୀୟ ରାଷ୍ଟ୍ରପତି ମହୋଦୟ ଏହି କାର୍ଯ୍ୟର ଶୁଭାରମ୍ଭ କଲେ ଏବଂ ସାରା ଦେଶ ଏଥିରେ ଯୋଡ଼ି ହୋଇଗଲା । ଆବାଳ-ବୃଦ୍ଧ, ପୁରୁଷ ହୁଅନ୍ତୁ, ସ୍ତ୍ରୀ ହୁଅନ୍ତୁ, ସହର ହେଉ, ଗାଁ ହେଉ, ପ୍ରତ୍ୟେକ ବ୍ୟକ୍ତି ଆଜି ଏହି ସ୍ୱଚ୍ଛତା ଅଭିଯାନର ଅଂଶ ପାଲଟିଯାଇଛି । ଯେତେବେଳେ ମୁଁ ସଂକଳ୍ପରୁ ସିଦ୍ଧି କଥା କହୁଛି, ଏହି ସ୍ୱଚ୍ଛତା ଅଭିଯାନ କିଭଳି ଗୋଟିଏ ସଂକଳ୍ପ-ସିଦ୍ଧି ଦିଗକୁ ଆଗକୁ ବଢ଼ୁଛି ତାହା ଆମେ ସ୍ୱଚକ୍ଷୁରେ ନିଜ ଆଗରେ ଦେଖୁଛୁ । ସମସ୍ତେ ଏହାକୁ ସ୍ୱୀକାର କରୁଛନ୍ତି, ସହଯୋଗ କରୁଛନ୍ତି ଏବଂ ସାକାର କରିବା ପାଇଁ କିଛି ନା କିଛି ଯୋଗଦାନ ମଧ୍ୟ ଦେଉଛନ୍ତି । ମୁଁ ଆଦରଣୀୟ ରାଷ୍ଟ୍ରପତି ମହୋଦୟଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରୁଛି ହେଲେ ତା’ସହିତ ଦେଶର ପ୍ରତ୍ୟେକ ଶ୍ରେଣୀର ଲୋକ ଏହାକୁ ନିଜ କାମ ବୋଲି ମନେ କରିଛନ୍ତି । ସମସ୍ତେ ଏହାସହିତ ଜଡ଼ିତ ହୋଇଛନ୍ତି । ସେମାନେ କ୍ରୀଡ଼ା ଜଗତର ବ୍ୟକ୍ତି ହୋଇଥାନ୍ତୁ, ସିନେମା ଜଗତର ବ୍ୟକ୍ତି ହୋଇଥାନ୍ତୁ, ଶିକ୍ଷାବିତ୍ ହୋଇଥାନ୍ତୁ, ସ୍କୁଲ ହେଉ, କଲେଜ ହେଉ, ବିଶ୍ୱବିଦ୍ୟାଳୟ ହେଉ, ଚାଷୀ ହୁଅନ୍ତୁ, ଶ୍ରମିକ ହୁଅନ୍ତୁ, ଅଫିସର ହୁଅନ୍ତୁ, ବାବୁ ହୁଅନ୍ତୁ, ପୁଲିସ ହୁଅନ୍ତୁ ବା ସୈନ୍ୟବାହିନୀର ଯବାନ ହୁଅନ୍ତୁ, ପ୍ରତ୍ୟେକେ ଏଥିରେ ସାମିଲ ହୋଇଛନ୍ତି । ସାର୍ବଜନୀନ ସ୍ଥାନମାନଙ୍କରେ ଗୋଟିଏ ଚାପ ମଧ୍ୟ ସୃଷ୍ଟି ହୋଇଛି । ଏବେ ସାର୍ବଜନୀନ ସ୍ଥାନ ଅପରିଷ୍କାର ହେଲେ ଲୋକ ପ୍ରତିବାଦ କରୁଛନ୍ତି । ସେଠାରେ କାମ କରୁଥିବା ଲୋକଙ୍କୁ ମଧ୍ୟ ଗୋଟିଏ ଚାପ ଅନୁଭୂତ ହେଲାଣି । ମୁଁ ଏହାକୁ ଏକ ଶୁଭ ସଂକେତ ମନେ କରୁଛି । “ସ୍ୱଚ୍ଛତା ହିଁ ସେବା ଅଭିଯାନ”ର ମାତ୍ର ପ୍ରଥମ ଚାରିଦିନରେ ହିଁ ପ୍ରାୟ 75 ଲକ୍ଷରୁ ଅଧିକ ଲୋକ, 40 ହଜାରରୁ ଅଧିକ ପଦକ୍ଷେପ ଗ୍ରହଣ କରି ଗତିବିଧିରେ ସାମିଲ ହୋଇଗଲେ ଏହା ମୋ ପାଇଁ ଆନନ୍ଦର କଥା ।

ମୁଁ ଦେଖିଛି କିଛି ଲୋକ ଲଗାତାର ଭାବରେ କାମ କରିଚାଲିଛନ୍ତି । ଲକ୍ଷ୍ୟସ୍ଥଳରେ ପହଂଚିବାର ନିଷ୍ପତ୍ତି ଗ୍ରହଣ କରି କାମ କରୁଛନ୍ତି । ଏଥର ଅନ୍ୟ ଗୋଟିଏ ଜିନିଷ ମଧ୍ୟ ଦେଖିଲି – ପ୍ରଥମତଃ ଆମେ କେଉଁଠି ସ୍ୱଚ୍ଛତା କରିବା, ଦ୍ୱିତୀୟଟି ହେଲା – ଆମେ ସଚେତନ ହୋଇ ଅପରିଷ୍କାର ନ କରିବା, କିନ୍ତୁ ସ୍ୱଚ୍ଛତାକୁ ଯଦି ଅଭ୍ୟାସରେ ପରିଣତ କରିବାକୁ ଅଛି ତା’ହେଲେ ଗୋଟିଏ ବୈଚାରିକ ଆନ୍ଦୋଳନର ଆବଶ୍ୟକତା ରହିଛି । ଏଥର “ସ୍ୱଚ୍ଛତା ହିଁ ସେବା” ଶୀର୍ଷକରେ ଅନେକ ପ୍ରତିଯୋଗିତା ଆୟୋଜିତ ହେଲା । ଅଢ଼େଇ କୋଟିରୁ ଅଧିକ ପିଲା ସ୍ୱଚ୍ଛତା ସମ୍ବନ୍ଧୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗନେଲେ । ହଜାର ହଜାର ପିଲା ଚିତ୍ର ଆଙ୍କିଲେ । ସ୍ୱଚ୍ଛତା ବିଷୟବସ୍ତୁକୁ ନେଇ ନିଜ ନିଜର ପରିକଳ୍ପନା ଅନୁସାରେ ଚିତ୍ର ଅଙ୍କନ କଲେ । ବହୁତ ଲୋକ କବିତା ମଧ୍ୟ ଲେଖିଲେ । ମୋର କୁନି କୁନି ସାଥିମାନେ ଯେଉଁ ଚିତ୍ରସବୁ ଅଙ୍କିତ କରିଛନ୍ତି, ମୁଁ ତ ଏବେ ସେଗୁଡ଼ିକୁ ପୋଷ୍ଟ କରୁଛି । ସେମାନଙ୍କର ଗୌରବ ଗାନ କରୁଛି । ଯେତେବେଳେ ସ୍ୱଚ୍ଛତା କଥା ଉଠେ ମୁଁ ଗଣମାଧ୍ୟମର ଲୋକମାନଙ୍କ ପ୍ରତି କୃତଜ୍ଞତା ଜଣାଇବାକୁ କେବେ ଭୁଲେନି । ଏହି ଆନ୍ଦୋଳନକୁ ସେମାନେ ବହୁତ ପବିତ୍ରତା ପୂର୍ବକ ଆଗେଇ ନେଇଛନ୍ତି । ସେମାନେ ସମସ୍ତେ ନିଜ ନିଜ ହିସାବରେ ଏହି ଆନ୍ଦୋଳନରେ ଭାଗନେଇଛନ୍ତି ଏବଂ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବାରେ ସେମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜି ମଧ୍ୟ ସେମାନେ ନିଜ ନିଜର ସୁବିଧା ଅନୁସାରେ ସ୍ୱଚ୍ଛତା ଆନ୍ଦୋଳନର ନେତୃତ୍ୱ ନେଇଚାଲିଛନ୍ତି ।

ଆମର ବୈଦ୍ୟୁତିକ ଗଣମାଧ୍ୟମ, ଆମର Print Media ଦେଶର କିଭଳି ସେବା କରିପାରନ୍ତି ତାହା ଆମେ “ସ୍ୱଚ୍ଛତା ହିଁ ସେବା” ଆନ୍ଦୋଳନରେ ପରିଷ୍କାର ଦେଖିପାରିବା । ଏଇ କେତେଦିନ ତଳେ କେହି ଜଣେ ଜାମ୍ମୁ କାଶ୍ମୀରର 18 ବର୍ଷର ଯୁବକ ବିଲାଲ୍ ଡରଙ୍କ ବିଷୟରେ ମୋର ଦୃଷ୍ଟି ଆକର୍ଷଣ କଲେ । ଆପଣ ଜାଣି ନିଶ୍ଚୟ ଖୁସି ହେବେ ଯେ ଶ୍ରୀନଗର ନଗର ନିଗମ ବିଲାଲ୍ ଡରଙ୍କୁ ତାର Brand Ambassador କରିଛି । ଯେତେବେଳେ ବ୍ରାଣ୍ଡ ଆମ୍ବାସଡର କଥା ଆସେ ଆପଣମାନେ ଭାବନ୍ତି ସେ କୌଣସି ଫିଲ୍ମ ଷ୍ଟାର କିମ୍ବା ଖେଳଜଗତର କେହି ହିରୋ ହୋଇଥିବେ, କିନ୍ତୁ ତା’ନୁହେଁ । ବିଲାଲ ଡର ନିଜେ 12-13 ବର୍ଷ ବୟସରୁ ଗତ 5-6 ବର୍ଷ ହେଲା ସ୍ୱଚ୍ଛତା କାମରେ ଲାଗିଯାଇଛନ୍ତି । ଶ୍ରୀନଗର ପାଖରେ ଏସିଆ ମହାଦେଶର ସର୍ବବୃହତ୍ ହ୍ରଦ ରହିଛି । ସେଥିରେ ପଡ଼ୁଥିବା ପ୍ଲାଷ୍ଟିକ, ପଲିଥିନ, ପ୍ଲାଷ୍ଟିକ ବୋତଲ, ଅଳିଆ ଆବର୍ଜନା ଯାହାବି ହେଉ ବିଲାଲ ତାକୁ ସଫା କରିବାରେ ଲାଗିଛନ୍ତି । ସେଥିରୁ ସେ କିଛି ରୋଜଗାର ବି କରୁଛନ୍ତି । ତାଙ୍କୁ ବହୁତ କମ୍ ବୟସ ହୋଇଥିବା ବେଳେ ତାଙ୍କ ପିତାଙ୍କର କ୍ୟାନସରରେ ମୃତ୍ୟୁ ହୋଇଗଲା । ତା’ପରେ ସେ ତାଙ୍କର ଜୀବନ ଜୀବିକାକୁ ସ୍ୱଚ୍ଛତା ସହିତ ଯୋଡ଼ିଦେଲେ । ଯାହା ଆକଳନ କରାଯାଇଛି, ବିଲାଲ ବର୍ଷରେ 12 ହଜାର କିଲୋଗ୍ରାମରୁ ଅଧିକ ପରିମାଣର ଅଳିଆ ସଫା କରୁଛନ୍ତି । ଏଭଳି ଏକ ପଦକ୍ଷେପ ନେଇ ବିଲାଲକୁ ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରିବାର ପରିକଳ୍ପନା କରିଥିବା ଶ୍ରୀନଗର ନଗର ନିଗମକୁ ମଧ୍ୟ ମୁଁ ସାଧୁବାଦ ଦେବାକୁ ଚାହେଁ । କାରଣ ଶ୍ରୀନଗର ଗୋଟିଏ ପର୍ଯ୍ୟଟନ ସ୍ଥଳ, ହିନ୍ଦୁସ୍ଥାନର ପ୍ରତ୍ୟେକ ନାଗରିକ ଶ୍ରୀନଗର ଯିବାକୁ ଆଗ୍ରହୀ ହୋଇଥାଏ । ସେଠାରେ ସ୍ୱଚ୍ଛତାକୁ ବିଶେଷ ଗୁରୁତ୍ୱ ଦିଆଯିବା ଏକ ବହୁତ ବଡ଼ କଥା । ବିଲାଲ ଡରଙ୍କୁ ଖାଲି ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ କରାଯାଇଛି ସେତିକି ନୁହେଁ । ନଗର ନିଗମ ତାଙ୍କୁ ଗାଡ଼ି ଦେଇଛି, Uniform ମଧ୍ୟ ଦେଇଛି । ସେ ଅନ୍ୟ ଅଂଚଳକୁ ଯାଇ ଲୋକମାନଙ୍କୁ ସ୍ୱଚ୍ଛତା ଦିଗରେ ପ୍ରେରିତ କରୁଛନ୍ତି ଏବଂ ପରିଣାମ ନ ମିଳିବା ପର୍ଯ୍ୟନ୍ତ ପଛରେ ଲାଗିରହୁଛନ୍ତି । ବିଲାଲ୍ ଡର ବୟସ କମ୍ ହେଲେ ମଧ୍ୟ ସ୍ୱଚ୍ଛତା ପ୍ରତି ରୁଚି ରଖିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ପ୍ରେରଣାର ଉତ୍ସ । ମୁଁ ବିଲାଲ ଡରଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, ଏକଥା ଆମକୁ ସ୍ୱୀକାର କରିବାକୁ ପଡ଼ିବ ଯେ ଇତିହାସର ଗର୍ଭରୁ ଭାବି ଇତିହାସ ଜନ୍ମ ନେଇଥାଏ । ଆଉ ଯେତେବେଳେ ଇତିହାସ କଥା ଉଠେ ଆମର ମହାପୁରୁଷମାନଙ୍କର କଥା ସ୍ୱତଃ ମନକୁ ଆସିଯାଏ । ଏହି ଅକ୍ଟୋବର ମାସଟି ଆମର ଅନେକ ମହାପୁରୁଷଙ୍କୁ ସ୍ମରଣ କରିବାର ମାସ । ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ସର୍ଦ୍ଦାର ପଟେଲଙ୍କ ପର୍ଯ୍ୟନ୍ତ ଅନେକ ମହାପୁରୁଷ ଏହି ଅକ୍ଟୋବର ମାସରେ ଜନ୍ମ ନେଇଥିଲେ ଯେଉଁମାନେ ବିଂଶ ଶତାବ୍ଦୀ ଓ ଏକବିଂଶ ଶତାବ୍ଦୀ ପାଇଁ ଆମମାନଙ୍କୁ ଦିଗଦର୍ଶନ ଦେଇଛନ୍ତି – ଆମର ନେତୃତ୍ୱ ନେଇଛନ୍ତି, ପଥ ପ୍ରଦର୍ଶନ କରିଛନ୍ତି ଆଉ ଦେଶ ପାଇଁ ଅନେକ କଷ୍ଟ ସହିଛନ୍ତି । ଅକ୍ଟୋବର 2 ତାରିଖ ମହାତ୍ମା ଗାନ୍ଧୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମଦିନ ହୋଇଥିବା ବେଳେ 11 ଅକ୍ଟୋବର ହେଉଛି ଜୟପ୍ରକାଶ ନାରାୟଣ ଏବଂ ନାନାଜୀ ଦେଶମୁଖଙ୍କ ଜନ୍ମଦିନ । ଆହୁରି ମଧ୍ୟ ସେପ୍ଟେମ୍ବର 25 ତାରିଖ ହେଉଛି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମଦିନ । ଏ ବର୍ଷଟି ନାନାଜୀ ଏବଂ ଦୀନଦୟାଲଙ୍କର ଶତାବ୍ଦୀ ବର୍ଷ । ଏ ସମସ୍ତ ମହାପୁରୁଷଙ୍କର ଗୋଟିଏ କେନ୍ଦ୍ରବିନ୍ଦୁ କ’ଣ ଥିଲା ଜାଣନ୍ତି? ଏମାନଙ୍କ ମଧ୍ୟରେ ଗୋଟିଏ କଥା ସମାନ ଥିଲା ଯେ ସେମାନେ ଦେଶ ପାଇଁ ବଂଚିଥିଲେ ଏବଂ ଦେଶ ପାଇଁ କିଛି କରିବାର ବ୍ରତ ନେଇଥିଲେ । ଖାଲି ଉପଦେଶ ନୁହେଁ ନିଜର ଜୀବନରେ ସେମାନେ କାମକରି ଦେଖାଇ ଦେଇଥିଲେ । ଗାନ୍ଧିଜୀ, ଜୟପ୍ରକାଶ ଜୀ ଆଉ ଦୀନଦୟାଲ ଜୀ ଏଭଳି ମହାପୁରୁଷ ଥିଲେ ଯେଉଁମାନେ କ୍ଷମତାଠାରୁ ବହୁ ଦୂରରେ ରହୁଥିଲେ, କିନ୍ତୁ ଜନଜୀବନ ସହିତ ପ୍ରତିଟି ମୁହୂର୍ତ୍ତ ଜଡ଼ିତ ରହୁଥିଲେ । ସେମାନେ ସଂଗ୍ରାମ ଜାରି ରଖିଥିଲେ ଏବଂ “ସର୍ବଜନହିତାୟ ଓ ସର୍ବଜନସୁଖାୟ” ମାର୍ଗରେ କିଛି ନା କିଛି କରୁଥିଲେ । ନାନାଜୀ ଦେଶମୁଖ ରାଜନୈତିକ ଜୀବନ ଛାଡି ଗ୍ରାମୋଦୟ କାମରେ ଲାଗିଯାଇଥିଲେ । ଆଜି ଯେତେବେଳେ ତାଙ୍କର ଶତାବ୍ଦୀ ବର୍ଷ ପାଳନ କରୁଛେ ତାଙ୍କର ଗ୍ରାମୋଦୟ ଆନ୍ଦୋଳନକୁ ବି ସମ୍ମାନ ଦେବା ଉଚିତ ।

ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀମାନ ଅବଦୁଲ କଲାମ୍ ଯେତେବେଳେ ଯୁବକମାନଙ୍କ ସହିତ କଥା ହେଉଥିଲେ, ସେ ସବୁବେଳେ ନାନାଜୀ ଦେଶମୁଖଙ୍କ ଗ୍ରାମୀଣ ବିକାଶ କଥା କହୁଥିଲେ । ବଡ଼ ସମ୍ମାନର ସହିତ କହୁଥିଲେ ଏବଂ ସେ ନିଜେ ମଧ୍ୟ ନାନାଜୀଙ୍କର ଏହି କାମକୁ ଦେଖିବା ପାଇଁ ଗାଁକୁ ଯାଇଥିଲେ ।

ଦୀନଦୟାଲ ଉପାଧ୍ୟାୟ । ଯେମିତି ମହାତ୍ମାଗାନ୍ଧୀ ସମାଜର ଶେଷ ସୀମାରେ ଥିବା ଲୋକମାନଙ୍କ କଥା ଭାବୁଥିଲେ, ଦୀନଦୟାଲ ମଧ୍ୟ ସମାଜର ଶେଷ ଭାଗରେ ଥିବା ଗରିବ, ପୀଡ଼ିତ, ଶୋଷିତ ଏବଂ ବଂଚିତମାନଙ୍କ ଚିନ୍ତା କରୁଥିଲେ ଏବଂ ଶିକ୍ଷାଦ୍ୱାରା, ରୋଜଗାର ଦ୍ୱାରା ସେମାନଙ୍କ ଜୀବନରେ କେମିତି ପରିବର୍ତ୍ତନ ଆସିପାରିବ ସେ ବିଷୟରେ ଚର୍ଚ୍ଚା କରୁଥିଲେ । ଏହି ସମସ୍ତ ମହାପୁରୁଷମାନଙ୍କୁ ସ୍ମରଣ କରିବା ଦ୍ୱାରା ଆମେ ତାଙ୍କ ପ୍ରତି କିଛି ଉପକାର କରୁନାହୁଁ ବରଂ ଏମାନଙ୍କୁ ସ୍ମରଣ କରିବା ଦ୍ୱାରା ଆମକୁ ଭବିଷ୍ୟତ ପାଇଁ ପ୍ରେରଣା ଆଉ ମାର୍ଗଦର୍ଶନ ମିଳେ ।

ଆଗାମୀ “ମନ୍ କି ବାତ୍”କାର୍ଯ୍ୟକ୍ରମରେ ମୁଁ ନିଶ୍ଚୟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କଥା କହିବି । କିନ୍ତୁ ଅକ୍ଟୋବର 31 ତାରିଖରେ ସାରା ଦେଶରେ “ଏକତା ପାଇଁ ଦୌଡ” ଏବଂ ଏକ ଭାରତ – ଶ୍ରେଷ୍ଠ ଭାରତର ଆୟୋଜନ ହେବ । ଦେଶର ପ୍ରତ୍ୟେକ ସହରରେ, ପ୍ରତ୍ୟେକ ନଗରରେ ବହୁଳ ଭାବରେ “ଏକତା ପାଇଁ ଦୌଡ” ଆୟୋଜିତ ହେବା ଦରକାର । ପାଣିପାଗ ବି ଏଭଳି ଥିବ ଯେ ଦୌଡ଼ିବାକୁ ମଜା ଲାଗିବ । ସର୍ଦ୍ଦାରଙ୍କ ଭଳି ଲୁହାର ଶକ୍ତି ପାଇବା ପାଇଁ ଏଇଟା ବି ତ ଦରକାର । ସର୍ଦ୍ଦାର ସାହେବ ଦେଶକୁ ଏକ କରିଥିଲେ । ଆମେମାନେ ମଧ୍ୟ ଏକତା ପାଇଁ ଦୌଡ଼ ଆୟୋଜନକରି ଏକତାର ମନ୍ତ୍ର ପ୍ରଚାର କରିବା ଉଚିତ ।

ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତ୍ୱ ବୋଲି ଆମେମାନେ ସ୍ୱାଭାବିକ ଭାବେ କହିଥାଉ । ବିବିଧତା ପାଇଁ ଆମେମାନେ ଗୌରବ ଅନୁଭବ କରୁଛୁ । କିନ୍ତୁ ଆପଣମାନେ କେବେ ଏହି ବିବିଧତାକୁ ଅନୁଭବ କରିବାର ପ୍ରୟାସ କରିଛନ୍ତି କି? ମୁଁ ମୋର ଦେଶବାସୀମାନଙ୍କୁ ବିଶେଷକରି ଦେଶର ଯୁବବର୍ଗଙ୍କୁ କହିବାକୁ ଚାହେଁ ଯେ ଆମେମାନେ ଏକ ଜାଗ୍ରତ ଅବସ୍ଥାରେ ଅଛୁ । ଭାରତର ବିବିଧତାକୁ ଅନୁଭବ କରନ୍ତୁ, ତାକୁ ସ୍ପର୍ଶ କରନ୍ତୁ ଆଉ ତା’ର ମହକକୁ ଅନୁଭବ କରନ୍ତୁ । ଆପଣମାନେ ଦେଖନ୍ତୁ, ଆପଣଙ୍କ ଅନ୍ତର୍ନିହିତ ବ୍ୟକ୍ତିତ୍ୱର ବିକାଶ କ୍ଷେତ୍ରରେ ମଧ୍ୟ ଆମର ଏହି ବିବିଧତା ଏକ ପାଠଶାଳାର କାମ କରିବ । ଛୁଟି ଅଛି, ଦିପାବଳୀ ଭଳି ଦିନ ଅଛି ଆମ ଦେଶର ଚାରିଆଡ଼େ କେଉଁଠିକି ହେଲେ ଯିବାର ସୁଯୋଗ ଅଛି । ଲୋକମାନେ ପର୍ଯ୍ୟଟକ ଭାବରେ ଯିବାର ସ୍ୱାଭାବିକ ବାତାବରଣ ଅଛି । କିନ୍ତୁ ଚିନ୍ତାର ବିଷୟ ଆମେମାନେ ନିଜ ଦେଶକୁ ଦେଖୁନାହୁଁ । ଦେଶର ବିବିଧତାଗୁଡ଼ିକୁ ଜାଣୁନାହୁଁ କିନ୍ତୁ ଚାକଚକ୍ୟର ପ୍ରଭାବରେ ଆମେମାନେ ବିଦେଶକୁ ପର୍ଯ୍ୟଟନରେ ଯିବା ଆରମ୍ଭ କଲେଣି । ଆପଣମାନେ ଦୁନିଆକୁ ଦେଖନ୍ତୁ, ମୋର କିଛି ଆପତି ନାହିଁ, କିନ୍ତୁ କେବେ କେବେ ନିଜ ଘରକୁ ବି ଦେଖନ୍ତୁ! ଦକ୍ଷିଣ ଭାରତରେ କ’ଣ ଅଛି ତାହା ଉତର ଭାରତର ଲୋକଙ୍କୁ ଜଣାନଥିବ, ପଶ୍ଚିମ ଭାରତର ଲୋକ ମଧ୍ୟ ଜାଣିନଥିବେ ଯେ ପୂର୍ବ ଭାରତରେ କ’ଣ ଅଛି । ଆମ ଦେଶ ଅନେକ ବିବିଧତାରେ ପରିପୂର୍ଣ୍ଣ ।

ମହାତ୍ମାଗାନ୍ଧୀ, ଲୋକମାନ୍ୟ ତିଳକ, ସ୍ୱାମୀ ବିବେକାନନ୍ଦ ଆମର ପୂର୍ବ ରାଷ୍ଟ୍ରପତି ଅବଦୁଲ କଲାମ୍, ଏମାନଙ୍କ କଥା ଯଦି ଆମେ ବିଚାର କରିବା ତେବେ ଦେଖିବା ସେମାନେ ଯେତେବେଳେ ଭାରତ ଭ୍ରମଣ କଲେ ସେତେବେଳେ ଦେଶକୁ ବୁଝିବା ଏବଂ ଦେଶପାଇଁ ଜୀଇଁବା ଓ ମରିବାର ପ୍ରେରଣା ସେମାନଙ୍କ ମଧ୍ୟରେ ଜାଗ୍ରତ ହେଲା । ଏ ମହାପୁରୁଷମାନେ ଭାରତ ଭ୍ରମଣ କଲେ । ନିଜ କାର୍ଯ୍ୟକାଳର ପ୍ରାରମ୍ଭରେ ସେମାନେ ଭାରତକୁ ଜାଣିବା ଆଉ ବୁଝିବାର ପ୍ରୟାସ କଲେ, ନିଜେ ଭାରତ ପାଇଁ ବଂଚିବାର ପ୍ରୟାସ କଲେ । ଆମେମାନେ କ’ଣ ଆମ ଦେଶର ବିଭିନ୍ନ ରାଜ୍ୟମାନଙ୍କୁ, ଭିନ୍ନ ଭିନ୍ନ ସମାଜକୁ, ରୀତି ନୀତିକୁ, ସେମାନଙ୍କ ପରମ୍ପରା, ବେଶ ପୋଷାକ, ଖାଦ୍ୟପେୟ ଏବଂ ମାନ୍ୟତାଗୁଡ଼ିକୁ ଜଣେ ବିଦ୍ୟାର୍ଥୀ ହିସାବରେ ଜାଣିବାକୁ ଚେଷ୍ଟା କରିପାରିବା?

ଆମର ପର୍ଯ୍ୟଟନ ସେତେବେଳେ ମୂଲ୍ୟଯୁକ୍ତ ହୋଇପାରିବ ଯେତେବେଳେ ଆମେ ତାହାପ୍ରତି କେବଳ ଦେଖିବାର ଦୃଷ୍ଟିଭଙ୍ଗୀ ନ ରଖି ଜଣେ ବିଦ୍ୟାର୍ଥୀ ଭାବରେ ତା’ର ବିଶ୍ଲେଷଣ କରିବା ସଙ୍ଗେ ସଙ୍ଗେ ତାକୁ ପାଇବାକୁ ଚେଷ୍ଟା କରିବା । ଏହା ମୋର ନିଜର ଅଭିଜ୍ଞତା ଯେ ମୋତେ ହିନ୍ଦୁସ୍ଥାନର 500ରୁ ଅଧିକ ଜିଲ୍ଲାରେ ଭ୍ରମଣ କରିବାର ସୁଯୋଗ ମିଳିଥିବ । ଚାରିଶହ ପଚାଶରୁ ଅଧିକ ଜିଲ୍ଲାରେ ମୋତେ ରାତ୍ରିଯାପନର ସୁଯୋଗ ମିଳିଛି । ଆଜି ଯେତେବେଳେ ମୁଁ ଭାରତରେ ଏ ଦାୟିତ୍ୱ ନିର୍ବାହ କରୁଛି, ସେତେବେଳେ ମୋ ପାଇଁ ସେ ଭ୍ରମଣର ଅଭିଜ୍ଞତା ବିଶେଷ ସହାୟକ ହେଉଛି । ବିଷୟଗୁଡ଼ିକ ବୁଝିବାରେ ବହୁତ ସୁବିଧା ହେଉଛି । ଆପଣମାନଙ୍କୁ ଏହା ମୋର ନିବେଦନ ଯେ ଆପଣମାନେ ଏହି ବିଶାଳ ଭାରତର ଆଦର୍ଶ “ବିଭିନ୍ନତାରେ ଏକତା” କୁ କେବଳ ସ୍ଲୋଗାନ ଭାବରେ ଗ୍ରହଣ ନ କରି ଏହାକୁ ଆମ୍ଭମାନଙ୍କର ଅସୀମ ଶକ୍ତିର ଭଣ୍ଡାର ରୂପେ ଅନୁଭବ କରନ୍ତୁ । “ଏକ ଭାରତ – ଶ୍ରେଷ୍ଠ ଭାରତ” ର ସ୍ୱପ୍ନ ଏଥିରେ ସନ୍ନିହିତ । ଖାଦ୍ୟପେୟରେ ଏତେ ଭିନ୍ନତା ଅଛି ଯେ ଆପଣମାନେ ଯଦି ସମଗ୍ର ଜୀବନ କାଳରେ ପ୍ରତିଦିନ ଗୋଟିଏ – ଗୋଟିଏ ଭିନ୍ନ ଖାଦ୍ୟ ଖାଆନ୍ତି ତଥାପି ପୁନରାବୃତି ହେବନାହିଁ । ଏହା ବର୍ତ୍ତମାନ ଆମ ପର୍ଯ୍ୟଟନର ବଡ଼ ଶକ୍ତି । ଆପଣମାନଙ୍କୁ ମୋର ଅନୁରୋଧ ଯେ ଆଗାମୀ ଛୁଟିଦିନଗୁଡ଼ିକରେ କେବଳ ସ୍ଥାନ ପରିବର୍ତ୍ତନ ପାଇଁ ଘରୁ ବାହାରକୁ ନ ଯାଇ ନୂଆ କିଛି ଜାଣିବାର, ବୁଝିବାର ଓ ପାଇବାର ଲକ୍ଷ୍ୟନେଇ ବାହାରକୁ ଯାଆନ୍ତୁ । ଭାରତକୁ ନିଜ ଭିତରେ ଆତ୍ମସ୍ଥ କରନ୍ତୁ । କୋଟି-କୋଟି ଜନତାର ଭିନ୍ନତାକୁ ଆତ୍ମସ୍ଥ କରନ୍ତୁ । ଏସବୁ ଅଭିଜ୍ଞତା ଦ୍ୱାରା ଆପଣମାନଙ୍କ ଜୀବନ ସମୃଦ୍ଧ ହେବ । ଆପଣମାନଙ୍କର ଚିନ୍ତା କରିବାର ସୀମା ମଧ୍ୟ ବ୍ୟାପକ ହେବ । ଆମର ଅଭିଜ୍ଞତାଠାରୁ ବଡ଼ ଶିକ୍ଷକ ଆଉ କିଏ ହେଇପାରେ ?

ସାଧାରଣତଃ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟଟନର ସମୟ । ଲୋକମାନେ ଏ ସମୟରେ ଭ୍ରମଣରେ ଯାଆନ୍ତି । ମୋର ବିଶ୍ୱାସ, ଏଥର ଯଦି ଆପଣମାନେ ଯାଆନ୍ତି ତା’ହେଲେ ମୋର ଅଭିଯାନକୁ ସଫଳ କରିବେ । ଆପଣମାନେ ଯେଉଁଠାକୁ ବି ଯାଆନ୍ତୁ, ନିଜ ନିଜର ଅଭିଜ୍ଞତାକୁ ଅନ୍ୟମାନଙ୍କୁ ଜଣାନ୍ତୁ, ଭ୍ରମଣର ଫଟୋଗୁଡ଼ିକୁ ବାଂଟନ୍ତୁ । ଅତୁଲ୍ୟ ଭାରତ #Incredible India – ଏଥିରେ ନିଜ ନିଜର ଫଟୋ ପଠାନ୍ତୁ । ବିଭିନ୍ନ ସ୍ଥାନମାନଙ୍କର ଲୋକମାନଙ୍କ ସହ ମିଶିବାର ଫଟୋ ମଧ୍ୟ ପଠାନ୍ତୁ । କେବଳ କୋଠାବାଡ଼ି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ ନ ଲେଖି ସେଠାକାର ଲୋକମାନଙ୍କ ଜୀବନ ସମ୍ପର୍କରେ ମଧ୍ୟ କିଛି ଲେଖନ୍ତୁ । ନିଜ ନିଜର ଯାତ୍ରା ବୃତ୍ତାନ୍ତ ଲେଖନ୍ତୁ । MyGov ଏବଂ Narendra Modi Appକୁ ପଠାନ୍ତୁ । ମୋ ମନରେ ଗୋଟିଏ ବିଚାର ଆସୁଛି ଯେ ଭାରତର ପର୍ଯ୍ୟଟନକୁ ସମୃଦ୍ଧ କରିବା ପାଇଁ ନିଜ-ନିଜ ରାଜ୍ୟର ସାତଗୋଟି ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ସମ୍ପର୍କରେ ପ୍ରତ୍ୟେକ ହିନ୍ଦୁସ୍ଥାନୀକୁ ଜାଣିବାର ଆବଶ୍ୟକତା ଅଛି । ଯଦି ସମ୍ଭବ ହୁଏ, ସେହି ସ୍ଥାନଗୁଡ଼ିକୁ ଭ୍ରମଣ କରିବା ଦରକାର । ଆପଣମାନେ ସେ ସମ୍ପର୍କରେ କୌଣସି ସୂଚନା ଦେଇପାରିବେ କି? Narendra Modi Appକୁ ତାହା ପଠାଇପାରନ୍ତି । #Incredible Indiaରେ ପଠାଇପାରନ୍ତି । ଆପଣମାନେ ଦେଖନ୍ତୁ, ଯଦି ଗୋଟିଏ ରାଜ୍ୟର ସବୁ ଲୋକ ଏପରି କରିବେ ତାହେଲେ ମୁଁ ସରକାରଙ୍କୁ କହିବି ଯେ ସେ ତା’ର ବିଶ୍ଳେଷଣ କରି ପ୍ରତି ରାଜ୍ୟରେ ଯାହା ସମାନ, ତାକୁ ନେଇ ଏକ ପ୍ରଚାର-ସାହିତ୍ୟ ପ୍ରସ୍ତୁତ କରାଯାଉ । ଅର୍ଥାତ୍ ଲୋକମାନଙ୍କ ମତାମତ ଦ୍ୱାରା ପର୍ଯ୍ୟଟନର ଲକ୍ଷ୍ୟକୁ କିପରି ଭାବେ ସମ୍ପୂର୍ଣ୍ଣ କରିହେବ – ଏଥିପାଇଁ ଆପଣମାନେ ସମଗ୍ର ଦେଶରେ ଯାହା – ଯାହା ଦେଖିଛନ୍ତି, ତନ୍ମଧ୍ୟରୁ ଯେଉଁ ସାତଗୋଟି ଆପଣମାନଙ୍କୁ ସବୁଠାରୁ ପସନ୍ଦ ଆସିଛି, ଆପଣମାନେ ନିଶ୍ଚିତ ଭାବରେ ଚାହିଁବେ ଯେ ସେଗୁଡ଼ିକୁ ଅନ୍ୟମାନେ ମଧ୍ୟ ଦେଖନ୍ତୁ ଓ ସେ ବିଷୟରେ ଜାଣନ୍ତୁ । ସେଥିପାଇଁ ଆପଣମାନେ ନିଜ ନିଜ ପସନ୍ଦର ସେହି ସାତଗୋଟି ସ୍ଥାନ ସମ୍ପର୍କରେ ସୂଚନା MyGov ଏବଂ Narendra Modi Appକୁ ଅବଶ୍ୟ ପଠାନ୍ତୁ । ଭାରତ ସରକାର ତାହା ଉପରେ କାମ କରିବେ । ଏହିପରି ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳଗୁଡ଼ିକର ଫିଲ୍ମ, ଭିଡ଼ିଓ ଏବଂ ପ୍ରଚାର-ସାହିତ୍ୟ ପ୍ରସ୍ତୁତ କରିବା ତଥା ସେଗୁଡ଼ିକର ବିକାଶ କରିବା ସରକାରଙ୍କର କାମ ହେବ । ଆସନ୍ତୁ, ମୋ ସହ ମିଶନ୍ତୁ । ଏହି ଅକ୍ଟୋବର ମାସରୁ ମାର୍ଚ୍ଚମାସ ପର୍ଯ୍ୟନ୍ତ ସମୟର ସଦୁପଯୋଗ କରନ୍ତୁ । ଦେଶରେ ପର୍ଯ୍ୟଟନର ବିକାଶ ପାଇଁ ଆପଣ ମଧ୍ୟ ଜଣେ ପ୍ରେରଣା-ସ୍ରୋତ ହୋଇପାରନ୍ତି । ଏଥିପାଇଁ ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ଜଣେ ମଣିଷ ଭାବରେ ବହୁତଗୁଡ଼ିଏ ଜିନିଷ ମୋତେ ପ୍ରଭାବିତ କରେ । ମୋ ହୃଦୟକୁ ଆନ୍ଦୋଳିତ କରେ । ମୋ’ ମନ ଉପରେ ଗଭୀର ପ୍ରଭାବ ପକାଏ । ମୁଁ ବି ତ ଆପଣମାନଙ୍କ ପରି ଜଣେ ମଣିଷ । ଅତୀତ ଦିନର ଏକ ଘଟଣା ଯାହା ବୋଧହୁଏ ଆପଣମାନଙ୍କ ଧ୍ୟାନରେ ଆସିଥିବ । ମହିଳା ଶକ୍ତି ଓ ଦେଶଭକ୍ତିର ଅପୂର୍ବ ଦୃଷ୍ଟାନ୍ତ ସମଗ୍ର ଦେଶବାସୀ ଦେଖିଛନ୍ତି । ଭାରତୀୟ ସେନାକୁ ଲେଫ୍ଟନାଣ୍ଟ ସ୍ୱାତି ଏବଂ ନିଧି ରୂପରେ ଦୁଇଜଣ ବୀରାଙ୍ଗନା ପ୍ରାପ୍ତ ହୋଇଛନ୍ତି । ଏ ଦୁହେଁ ଅସାଧାରଣ ବୀରାଙ୍ଗନା, ଅସାଧାରଣ ଏଇଥିପାଇଁ ଯେ ସ୍ୱାତି ଏବଂ ନିଧିଙ୍କର ଏ ଦୁହିଁଙ୍କର ସ୍ୱାମୀ ଦୁହେଁ ଭାରତମାତାର ସେବାକରି ଶହୀଦ ହୋଇଯାଇଥିଲେ । ଆପଣମାନେ ଅନୁମାନ କରିପାରନ୍ତି ଯେ ଏତେ ଅଳ୍ପ ବୟସରେ ଯେତେବେଳେ ସେମାନଙ୍କର ଘର-ସଂସାର ଉଜୁଡ଼ିଗଲା, ସେମାନଙ୍କର ମାନସିକ ସ୍ଥିତି କ’ଣ ହୋଇଥିବ? କିନ୍ତୁ ଶହୀଦ କର୍ଣ୍ଣଲ୍ ସନ୍ତୋଷ ମହାଦିକଙ୍କ ପତ୍ନୀ ସ୍ୱାତି ମହାଦିକ ଜୀବନର ଏହି କଠିନ ପରିସ୍ଥିତିର ସମ୍ମୁଖୀନ ହେବାପାଇଁ ଦୃଢ଼ ନିଶ୍ଚିତ ହେଲେ ତଥା ଭାରତୀୟ ସେନାରେ ଯୋଗଦେଲେ । ଏଗାର ମାସକାଳ ଅକ୍ଲାନ୍ତ ପରିଶ୍ରମ କରି ପ୍ରଶିକ୍ଷଣ ନେଲେ ତଥା ନିଜ ସ୍ୱାମୀଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସେ ପ୍ରତିଜ୍ଞା ନେଲେ । ସେହିପରି ନିଧି ଦୁବେଙ୍କର ସ୍ୱାମୀ ମୁକେଶ ଦୁବେ ଭାରତୀୟ ସେନାରେ ନାୟକ ଭାବରେ କାମ କରୁଥିଲେ । ମାତୃଭୂମି ପାଇଁ ଶହୀଦ ହେବାରୁ ତାଙ୍କ ପତ୍ନୀ ନିଧି ମଧ୍ୟ ସଂକଳ୍ପବଦ୍ଧ ହୋଇ ସେନାବାହିନୀରେ ଯୋଗଦେଲେ । ପ୍ରତ୍ୟେକ ଦେଶବାସୀଙ୍କର ଆମର ଏହି ମାତୃଶକ୍ତି ଓ ବୀରାଙ୍ଗନାମାନଙ୍କ ପ୍ରତି ଆଦର-ସମ୍ମାନ ରହିବା ସ୍ୱାଭାବିକ । ମୁଁ ଏଇ ଦୁଇ ଭଉଣୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି । ସେମାନେ ଦେଶର କୋଟି କୋଟି ଲୋକମାନଙ୍କ ପାଇଁ ଏକ ନୂତନ ପ୍ରେରଣା ଏବଂ ନୂତନ ଚେତନା ଆଣିଛନ୍ତି ।

ମୋର ପ୍ରିୟ ଦେଶବାସୀଗଣ ନବରାତ୍ରି-ଉତ୍ସବ ଏବଂ ଦିପାବଳୀ ମଧ୍ୟରେ ଆମ ଦେଶର ଯୁବପିଢ଼ି ପାଇଁ ଗୋଟିଏ ବଡ଼ ସୁଯୋଗ ମଧ୍ୟ ଅଛି । ସତର ବର୍ଷରୁ କମ୍ FIFA ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତା ଆମ ଦେଶରେ ଅନୁଷ୍ଠିତ ହେଉଛି । ମୋର ବିଶ୍ୱାସ, ସବୁଆଡ଼େ ଫୁଟବଲର ଧ୍ୱନି ଶୁଣିବାକୁ ମିଳିବ । ଫୁଟବଲ ଖେଳ ପ୍ରତି ସବୁ ବର୍ଗର ଲୋକମାନଙ୍କର ଆଗ୍ରହ ବଢ଼ିବ । ହିନ୍ଦୁସ୍ଥାନର କୌଣସି ସ୍କୁଲ ଏବଂ କଲେଜର ଏପରି କୌଣସି ଖେଳପଡ଼ିଆ ନ ରହୁ, ଯେଉଁଠାରେ କି ଆମର ନବଯୁବକମାନଙ୍କର ଖେଳୁନଥିବାର ଦୃଶ୍ୟ ଦେଖିବାକୁ ନ ମିଳୁ । ଆସନ୍ତୁ, ସମଗ୍ର ବିଶ୍ୱ ଯେତେବେଳେ ଭାରତମାଟିରେ ଖେଳିବା ପାଇଁ ଆସୁଅଛି, ଆମେମାନେ ମଧ୍ୟ ଖେଳକୁ ନିଜ ଜୀବନର ଅଂଶବିଶେଷ ଭାବରେ ଗ୍ରହଣ କରିବା ।

ମୋ ପ୍ରିୟ ଦେଶବାସୀଗଣ, ନବରାତ୍ରିର ପର୍ବ ପାଳିତ ହେଉଅଛି । ମା’ ଦୁର୍ଗାଙ୍କର ପୂଜାର ସମୟ । ସମଗ୍ର ବାତାବରଣ ପବିତ୍ର ସୁଗନ୍ଧରେ ପରିବ୍ୟାପ୍ତ । ଚାରିଆଡ଼େ ଆଧ୍ୟାତ୍ମିକତାର, ଉତ୍ସବର ଓ ଭକ୍ତିର ବାତାବରଣ । ଏ ସବୁକିଛି ଶକ୍ତି-ସାଧନାର ପର୍ବ । ଏହା ଶାରଦୀୟ ନବରାତ୍ରି ଭାବରେ ପରିଚିତ । ଏହିଠାରୁ ହିଁ ଶରତ ଋତୁର ଆରମ୍ଭ । ନବରାତ୍ରିର ଏହି ପବିତ୍ର ଉତ୍ସବ ଅବସରରେ ମୁଁ ଦେଶବାସୀମାନଙ୍କୁ ଅନେକ ଅନେକ ଶୁଭକାମନା ଜଣାଉଛି । ମା’ ଶକ୍ତିଙ୍କଠାରେ ପ୍ରାର୍ଥନା କରୁଛି ଯେ ଦେଶର ସାଧାରଣ ମଣିଷଙ୍କ ଜୀବନର ସମସ୍ତ ଆଶା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ଆମ ଦେଶ ନୂଆ ନୂଆ ପ୍ରଗତି କରି ଚାଲୁ । ସବୁ ପ୍ରକାରର ଆହ୍ୱାନର ସମ୍ମୁଖୀନ ହେବାର ସାମର୍ଥ୍ୟ ଦେଶକୁ ମିଳୁ ।

ଦେଶ ଦ୍ରୁତ ଗତିରେ ଆଗକୁ ଆଗକୁ ବଢ଼ିଚାଲୁ । ଦୁଇ ହଜାର ବାଇଶ – ଭାରତୀୟ ସ୍ୱାଧୀନତାର 75 ବର୍ଷ ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ୱପ୍ନଗୁଡ଼ିକୁ ସାକାର କରିବାର ପ୍ରୟାସ, ଶହେ ପଚିଶ କୋଟି ଦେଶବାସୀଙ୍କର ସଂକଳ୍ପ, ଅକ୍ଳାନ୍ତ ପରିଶ୍ରମ, ଅଦମ୍ୟ ପୁରୁଷାର୍ଥ ଏବଂ ସଂକଳ୍ପକୁ ସାକାର କରିବା ପାଇଁ ପାଞ୍ଚବର୍ଷର ମାର୍ଗଚିତ୍ର ବା Roadmap ପ୍ରସ୍ତୁତ କରି ଆମେମାନେ ଆଗକୁ ବଢ଼ିଚାଲୁ – ମା’ ଶକ୍ତି ଆମମାନଙ୍କୁ ଆଶୀର୍ବାଦ ଦିଅନ୍ତୁ । ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭକାମନା । ଉତ୍ସବ ପାଳନ କରନ୍ତୁ; ଉତ୍ସାହିତ ହୁଅନ୍ତୁ ।

ବହୁତ – ବହୁତ ଧନ୍ୟବାଦ ।

*****