ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା

ମୋର ପ୍ରିୟ ନାଗରିକଗଣ,

ମୁଁ ଆଶା କରୁଛି ବେଶ ଆନନ୍ଦ ଓ ନୂତନ ଆଶା ଉଦ୍ଦୀପନାର ସହ ଆପଣମାନେ ଦୀପାବଳି ଉତ୍ସବ ପାଳିଥିବେ । ଆଜି ମୁଁ ଆପଣମାନଙ୍କୁ କେତେକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଓ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବାକୁ ଯାଉଛି । ୨୦୧୪ ମେ’ ମାସରେ ଉତ୍ପନ୍ନ ଆର୍ଥିକ ପରିସ୍ଥିତି କଥା ଆପଣମାନେ ସ୍ମରଣ କରନ୍ତୁ ଯେତେବେଳେ ଆପଣମାନେ ଆମ ଉପରେ ଏକ ଗୁରୁଦାୟିତ୍ଵ ଅର୍ପଣ କରିଥିଲେ । ବ୍ରିକ୍ସ ପରିପ୍ରେକ୍ଷୀରେ, ଏହା କୁହାଯାଏ ଯେ ବ୍ରିକ୍ସର ‘ଆଇ’ ଅକ୍ଷରଟି ବେଶ ଅସ୍ଥିର ଥିଲା । ଏହା ପରେ ଆପଣମାନେ ଲଗାତାର ଦୁଇ ବର୍ଷ ଧରି ଦେଶରେ ମରୁଡି ପରିସ୍ଥିତିର ସାମ୍ନା କରିଛନ୍ତି । ତଥାପି ଗତ ଅଢ଼େଇ ବର୍ଷ ଭିତରେ ୧୨୫ କୋଟି ଭାରତୀୟଙ୍କ ସମର୍ଥନରେ ଭାରତ ବିଶ୍ଵ ଅର୍ଥବ୍ୟବସ୍ଥାର ଉଜ୍ଵଳତମ ବିନ୍ଦୁରେ ପରିଣତ ହୋଇଛି । ଏହା କେବଳ ଆମେ କହୁନାହିଁ, ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମପି) ଏବଂ ବିଶ୍ଵବ୍ୟାଙ୍କ ବି ଏଇ କଥା କହୁଛି ।

 

ବିକାଶର ଏହି ପ୍ରୟାସରେ ଆମର ଉଦ୍ଦେଶ୍ୟ ହେଲା, “ସବକା ସାଥ, ସବକା ବିକାଶ” ଆମେ ସମସ୍ତ ନାଗରିକଙ୍କ ସହିତ ରହିଛୁ ଏବଂ ସବୁ ନାଗରିକଙ୍କ ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ । ଏ ସରକାର ଗରିବଙ୍କ ଉନ୍ନତି ଲାଗି ସମର୍ପିତ ଏବଂ ସଦାବେଳେ ସେଇଆ ହୋଇ ରହିଥିବ । ଦାରିଦ୍ର୍ୟ ବିରୋଧରେ ଆମର ଏହି ସଂଗ୍ରାମରେ, ଆମର ମୂଳ ଉଦ୍ଦେଶ୍ୟ ହେଲା ଦରିଦ୍ରମାନଙ୍କୁ ସଶକ୍ତ କରିବା, ଆର୍ଥିକ ପ୍ରଗତିର ସୁଫଳରେ ସେମାନଙ୍କୁ ସକ୍ରିୟ ସହଭାଗୀ କରିବା ।

 

–       ପ୍ରଧାନମନ୍ତ୍ରୀ ଜନଧନ ଯୋଜନା

–       ଜନ ସୁରକ୍ଷା ଯୋଜନା

–       କ୍ଷୁଦ୍ର ଉଦ୍ୟୋଗୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା

–       ଦଳିତ, ଆଦିବାସୀ ଓ ମହିଳାଙ୍କ ଲାଗି ଷ୍ଟାଣ୍ଡ ଅପ ଇଣ୍ଡିଆ କାର୍ଯ୍ୟକ୍ରମ

–       ଗରିବ ଲୋକଙ୍କ ଘରେ ଗ୍ୟାସ ସଂଯୋଗ ଲାଗି ପ୍ରଧାନମନ୍ତ୍ରୀ ଉଜ୍ଵଳ     ଯୋଜନା

–       କୃଷକମାନଙ୍କ ଉପାର୍ଜନ ସୁରକ୍ଷା ନିମନ୍ତେ ପ୍ରଧାନମନ୍ତ୍ରୀ ଫସଲ ବୀମା    ଯୋଜନା ଓ ପ୍ରଧାନମନ୍ତ୍ରୀ କୃଷି ସିଂଚନ ଯୋଜନା

–       କୃଷକଙ୍କ କ୍ଷେତରୁ ସମ୍ଭାବ୍ୟ ସର୍ବାଧିକ ଅମଳ ନିମନ୍ତେ ମୃତ୍ତିକା     ସ୍ଵାସ୍ଥ୍ୟକାର୍ଡ ଯୋଜନା

–       କୃଷିକାରୀମାନେ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ପାଇବା   ସକାଶେ ଇ-ନାମ ବା ଏକୀକୃତ ଜାତୀୟ କୃଷି ବଜାର ଯୋଜନା

–       ଏସବୁ ହେଲା ସେହି ଆଭିମୁଖ୍ୟର ଗୋଟିଏ ଗୋଟିଏ ପ୍ରତିଫଳନ

 

ବିଗତ ଦଶନ୍ଧିମାନଙ୍କରେ ଦୁର୍ନୀତି ଓ କଳା ଟଙ୍କାର ପରିସର ବୃଦ୍ଧିପାଇଛି । ଏହା ଦାରିଦ୍ର୍ୟ ଦୂରୀକରଣ ପ୍ରୟାସକୁ ଦୁର୍ବଳ କରିଛି । ଗୋଟିଏ ପଟେ, ଆର୍ଥିକ ବିକାଶରେ ଆମେ ଏକ ନମ୍ବର ସ୍ଥାନରେ ରହିଛେ । କିନ୍ତୁ ଅନ୍ୟପକ୍ଷେ ଦୁଇ ବର୍ଷ ତଳେ ବିଶ୍ଵ ଦୁର୍ନୀତି ଆଭିମୁଖ୍ୟ ତାଲିକାରେ ଆମେ ପାଖାପାଖି ଶହେତମ ସ୍ଥାନରେ ରହିଛେ । ଅନେକ ଗୁଡିଏ ପଦକ୍ଷେପ ସତ୍ତ୍ୱେ, ଆମେ ଏବେ ଏ ତାଲିକାରେ ୭୬ତମ ସ୍ଥାନରେ ପହଂଚିପାରିଛେ ।  ଅବଶ୍ୟ, ଏ ଦିଗରେ ଉନ୍ନତି ଘଟିଛି । ଏଥିରୁ ସ୍ପଷ୍ଟ ଯେ ଦୁର୍ନୀତି ଓ କଳା ଟଙ୍କା ତାର ଚେର କେତେଦୂର ପ୍ରସାର ଘଟାଇସାରିଛି ।

 

ଦୁର୍ନୀତି ଭଳି ଅସତ କାର୍ଯ୍ୟ ସମାଜର କେତେକ ନିର୍ଦ୍ଦିଷ୍ଟ ବର୍ଗ ସେମାନଙ୍କ ସ୍ଵାର୍ଥ ସାଧନ ପାଇଁ ପ୍ରସାର କରିଥାନ୍ତି । ସେମାନେ ଗରିବଙ୍କ କଥା ଭୁଲିଯାଇଛନ୍ତି ଓ କେବଳ ଲାଭ ସଂଗ୍ରହରେ ବ୍ୟସ୍ତ । ପୁଣି କିଛି ଲୋକ ସ୍ଵାର୍ଥ ପାଇଁ ପଦପଦବୀର ଅପବ୍ୟବହାର କରିଆସୁଛନ୍ତି । ଅପରପକ୍ଷରେ ଏଭଳି ଅନ୍ୟାୟ ବିରୁଦ୍ଧରେ ସାଧୁ ଲୋକମାନେ ସଂଗ୍ରାମ କରିଚାଲିଛନ୍ତି । ଦେଶର କୋଟି କୋଟି ସାଧାରଣ ନରନାରୀ ନିଷ୍ଠାପର ଜୀବନ ଜୀଇଁ ଆସୁଛନ୍ତି । ଆମେ ଶୁଣିବାକୁ ପାଉ ଯେ ଗରିବ ଅଟୋ ରିକ୍ସାଚାଳକ ଗାଡିରେ ସୁନାଗହଣା ଛାଡିଯାଇଥିବା ଯାତ୍ରୀଙ୍କୁ ତାଙ୍କ ଅଳଙ୍କାର ଫେରାଇ ଦେଉଛନ୍ତି । ଆମେ ଶୁଣୁ ଯେ ଟ୍ୟାକ୍ସିରେ ମୋବାଇଲ ଛାଡିଯାଇଥିବା ମହିଳାଙ୍କୁ ଠାବ କରି ଡ୍ରାଇଭର ତାଙ୍କ ମୋବାଇଲଟି ଫେରାଉଛି । ଆମେ ଶୁଣୁ ଯେ କୌଣସି କ୍ରେତାଙ୍କୁ ପନିପରିବା ବିକାଳୀ ଅଧିକ ଟଙ୍କା ଦେଇଥିବା ଅର୍ଥକୁ ଫେରସ୍ତ କରୁଛି ।

 

ଦେଶର ବିକାଶ ଇତିହାସରେ ଏପରି ଏକ ସମୟ ଆସେ, ଯେତେବେଳେ ଦୃଢ଼ ଏବଂ ନିର୍ଣ୍ଣାୟକ ପଦପକ୍ଷେ ଗ୍ରହଣ କରିବାର ଆବଶ୍ୟକତା ଅନୁଭୂତ ହୋଇଥାଏ । ବହୁ ବର୍ଷ ଧରି ରାଷ୍ଟ୍ର ଦୁର୍ନୀତି, କଳାଟଙ୍କା ଏବଂ ଆତଙ୍କବାଦର ଘାଆକୁ ଅନୁଭବ କରିଆସିଛି, ଯାହା ଆମ ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରିଛି ।

 

ଆତଙ୍କବାଦ ଏକ ଭୟସୃଷ୍ଟିକାରୀ ବିପଦ । ଏଥିରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି ଯେ ଏଇ ଆତଙ୍କବାଦୀମାନେ କେଉଁଠୁ ଟଙ୍କା ପାଆନ୍ତି ? ସୀମା ଆରପଟୁ ଶତ୍ରୁମାନେ ଜାଲ ନୋଟ କାରବାର ଚଳାଇ ଆସୁଛନ୍ତି । ବର୍ଷ ବର୍ଷ ଧରି ଏଇ କାରବାର ଚାଲି ଆସୁଛି । ସେମାନେ ପାଂଚ ଶହ ଟଙ୍କିଆ ଓ ହଜାରେ ଟଙ୍କିଆ ଜାଲ ନୋଟ କାରବାର କରୁଥିବା ଅନେକ ଥର ଧରାପଡିଛି ଏବଂ ସେମାନଙ୍କ  ଠାରୁ ବିପୁଳ ଜାଲ ନୋଟ ଜବତ କରାଯାଇଛି ।

 

ଭାଇ ଓ ଭଉଣୀମାନେ,

ଗୋଟିଏ ପଟେ ଆତଙ୍କବାଦ ସମସ୍ୟା, ଅନ୍ୟପଟେ ଦୁର୍ନୀତି ଓ କଳାଟଙ୍କାର ଚାଲେଞ୍ଜ । କ୍ଷମତାକୁ ଆସିବାର ତୁରନ୍ତ ପରେ, ଆମ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ଵରେ ଏଭଳି ଦୁର୍ନୀତିର ତଦନ୍ତ ଲାଗି ଏସଆଇଟି ଗଠନ କରିଥିଲୁ । ସେହିଦିନଠାରୁ ଏ  ପର୍ଯ୍ୟନ୍ତ –

 

  • ବିଦେଶୀ କଳାଟଙ୍କା ପ୍ରଘଟ ପାଇଁ ୨୦୧୫ରେ ଏକ ଆଇନ ପ୍ରଣୀତ ହୋଇଛି
  • ଆମେରିକା ସମେତ ଅନେକ ରାଷ୍ଟ୍ରଙ୍କ ସହ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଛି ଯଦ୍ୱାରା କଳା ଟଙ୍କା ସଂକ୍ରାନ୍ତ ବ୍ୟାଙ୍କିଙ୍ଗ ସୂଚନା ଆଦାନପ୍ରଦାନ କରାଯାଇପାରିବ ।
  • ୨୦୧୬ ଅଗଷ୍ଟ ମାସଠାରୁ ଏକ କଠୋର ଆଇନ ଲାଗୁ କରାଯାଇଛି ଯଦ୍ୱାରା ବେନାମୀ ଅର୍ଥ କାରବାର ଯାହାକି ଦୁର୍ନୀତି ଉପାୟରେ ଅର୍ଥ ଉପାର୍ଜନକୁ ରୋକିବା ଲାଗି ଉଦ୍ଧିଷ୍ଟ, ତାହା ସହଜରେ କରାଯାଇପାରିବ     
  • ଅତ୍ୟଧିକ ଜୋରିମାନା ସହ କଳା ଟଙ୍କା ସମ୍ପର୍କୀତ ସ୍ଵୀକାରୋକ୍ତି ପାଇଁ ଏକ ନୂତନ ଯୋଜନା ପ୍ରବର୍ତ୍ତନ କରାଯାଇଛି ।

 

ମୋର ପ୍ରିୟ ଦେଶବାସୀଗଣ,

ଏହିସବୁ ପ୍ରୟାସ ମାଧ୍ୟମରେ ଗତ ଅଢ଼େଇ ବର୍ଷ ମଧ୍ୟରେ ଆମେ ପ୍ରାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ଯାହାକି ଦୁର୍ନୀତିଗ୍ରସ୍ତ ଲୋକଙ୍କ ନିକଟରେ ଥିଲା ତାହା ଆଣିପାରିଛୁ । ସଚ୍ଚୋଟ ଲୋକମାନେ ଚାହାନ୍ତି ଯେ ଦୁର୍ନୀତି, କଳା ଟଙ୍କା, ବେନାମୀ ସମ୍ପତ୍ତି, ଆତଙ୍କବାଦ ଏବଂ ଜାଲ ନୋଟ କାରବାର ବିରୋଧରେ ଏହି ସଂଗ୍ରାମ ଜାରି ରହୁ । କେଉଁ ସଚ୍ଚୋଟ ଲୋକ ମନରେ ଦୁଃଖ ନ ଆସିବ ଯେ ଜଣେ ସରକାରୀ ଅଧିକାରୀଙ୍କ ଶେଯ ତଳୁ କୋଟି କୋଟି ଟଙ୍କାର ନଗଦ ନୋଟ ବାହାରୁଛି ? ପୁଣି ଅଖାବସ୍ତା ଭିତରୁ କୋଟି କୋଟି ଟଙ୍କା ମିଳୁଥିବା ଖବର ପ୍ରକାଶ ପାଉଛି ।

 

ଏଭଳି କଳା ଟଙ୍କା କାରବାର ପରିମାଣ ଆମକୁ ଦୁର୍ନୀତିର ମାତ୍ରା ସମ୍ପର୍କରେ ସୂଚନା ପ୍ରଦାନ କରେ । ଦୁର୍ନୀତି ଉପାୟରେ ଉପାର୍ଜିତ ଅର୍ଥ ଯେତେବେଳେ ଉପଯୋଗ କରାଯାଉଛି ମୁଦ୍ରାସ୍ଫୀତି ଉତ୍କଟ ଆକାର ଧାରଣ କରୁଛି, ଏହାର କୁପ୍ରଭାବ ଗରିବଙ୍କୁ ଭୋଗିବାକୁ ହେଉଛି । ଗରିବ ଓ ମଧ୍ୟବର୍ଗର ଲୋକଙ୍କ କ୍ରୟ କ୍ଷମତା ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡୁଛି । ଆପଣମାନେ ଘର ବି ଜମି ଖଣ୍ଡେ କିଣିଲାବେଳେ ଏକଥା ନିଜେ ଅନୁଭବ କରିଥିବେ । ଚେକରେ ଦେଉଥିବା ଟଙ୍କା ବ୍ୟତୀତ ବିପୁଳ ଟଙ୍କାର ନଗଦ ରାଶି ଦାବି କରାଯାଉଥିବ । କୌଣସି ସମ୍ପତି କ୍ରୟ କଲାବେଳେ ସଚ୍ଚୋଟ ଲୋକଙ୍କ ସକାଶେ ଏହା ସବୁଠାରୁ ଜଟିଳ ସମସ୍ୟା ଟଙ୍କାର ଅପବ୍ୟବହାର ଏଭଳି କୃତ୍ରିମ ସମସ୍ୟା ସୃଷ୍ଟି କରିଛି ଏବଂ ଘର ଜମି, ଉଚ୍ଚଶିକ୍ଷା, ସ୍ଵାସ୍ଥ୍ୟସେବା ଆଦି ଦ୍ରବ୍ୟ ଓ ସେବା ମୂଲ୍ୟକୁ ବୃଦ୍ଧି କରିଛୁ ।

 

ନଗଦ ରାଶିର ବିପୁଳ ବ୍ୟବହାର ମଧ୍ୟ ହାୱଲା ବ୍ୟାପାରକୁ ସୁଦୃଢ଼ କରିଛି ଯାହା କଳା ଟଙ୍କା ଏବଂ ବେଆଇନ ଅସ୍ତ୍ର କିଣାବିକା ସହ ପ୍ରତ୍ୟେକ୍ଷ ଭାବେ ଜଡିତ । ନିର୍ବାଚନରେ କଳା ଟଙ୍କାର ବ୍ୟବହାର ସମ୍ପର୍କରେ ବର୍ଷ ବର୍ଷ ଧରି ଆଲୋଚନା ହୋଇଚାଲିଛି ।

 

ଭାଇ ଓ ଭଉଣୀମାନେ,

ଦୁର୍ନୀତି ଓ କଳା ଟଙ୍କାର ମୁଠାକୁ ଭାଙ୍ଗିବା ଲାଗି, ଆମେ ସ୍ଥିର କରିଛୁ ଯେ ବର୍ତ୍ତମାନ ପ୍ରଚଳିତ ହେଉଥିବା ପାଂଚଶହ ଏବଂ ଏକ ହଜାର ଟଙ୍କିଆ ନୋଟ ଆଜି ମଧ୍ୟରାତ୍ରଠାରୁ ଆଉ “ଲିଗାଲ ଟେଣ୍ଡର” (ବୈଧ) ହୋଇ ରହିବନାହିଁ । ଅର୍ଥାତ ୮ ନଭେମ୍ବର, ୨୦୧୬ଠାରୁ ଏହି ଘୋଷଣା ବଳବତ୍ତର ହେବ । ଏହାର ଅର୍ଥ, ଆଜି ମଧ୍ୟରାତ୍ରଠାରୁ କୌଣସି ପ୍ରକାର କାରବାର ସକାଶେ ଏହି ନୋଟ ଆଉ ଗ୍ରହଣୀୟ ହେବନାହିଁ । ତେଣୁ ଦେଶଦ୍ରୋହୀ ଏବଂ ସମାଜ ବିରୋଧୀ ତତ୍ତ୍ଵଙ୍କ ନିକଟରେ ଗଦାହୋଇ ରହିଥିବା ପାଂଚଶହ ଓ ହଜାର ଟଙ୍କିଆ ନୋଟ ସବୁ ରଦ୍ଦି କାଗଜରେ ପରିଣତ ହୋଇଯିବ । ତେବେ ସଚ୍ଚୋଟ ଏବଂ ପରିଶ୍ରମୀ ଲୋକଙ୍କ ଅଧିକାର ଓ ସ୍ଵାର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ମୁଁ ଆପଣମାନଙ୍କୁ ଆଶ୍ଵାସନା ଦେବାକୁ ଚାହେଁ ଯେ ଆପଣଙ୍କ ପାଖରେ ଥିବା ଶହେ, ପଚାଶ, କୋଡିଏ, ଦଶ, ପାଂଚ, ଦୁଇ ଓ ଏକ ଟଙ୍କିଆ ନୋଟ ଓ ମୁଦ୍ରା ପ୍ରଚଳନ ଓ କାରବାରକ୍ଷମ ହୋଇ ରହିବ ଏବଂ ଏଥିରେ କୌଣସି ଆଞ୍ଚ ଆସିବ ନାହିଁ ।

 

ଏହି ପଦକ୍ଷେପ ସାଧାରଣ ଲୋକଙ୍କ ହାତ ମୁଠାକୁ ଦୁର୍ନୀତି, କଳା ଟଙ୍କା ଓ ଜାଲ ନୋଟ ବିରୋଧରେ ସଂଗ୍ରାମ କରିବା ନିମନ୍ତେ ସୁଦୃଢ଼ କରିବ । ଏ ଦିଗରେ ଲୋକମାନଙ୍କ ଅସୁବିଧାକୁ ଆଗାମୀ ଦିନରେ ହ୍ରାସ କରିବା ନିମନ୍ତେ ଅନେକ ଗୁଡିଏ ପଦକ୍ଷେପ ନିଆଯାଇଛି ।

  1. ଯେଉଁ ଲୋକଙ୍କ ନିକଟରେ ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ ଅଛି, ସେମାନେ ସେସବୁ ନୋଟକୁ ସେମାନଙ୍କ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ଜମାଖାତାରେ ନଭେମ୍ବର ୧୦ କାର୍ଯ୍ୟଦିବସଠାରୁ ଡିସେମ୍ବର ୩୦, ୨୦୧୬ ମଧ୍ୟରେ ଜମା ଦେଇପାରିବେ ଓ ଏଥିରେ କୌଣସି ସୀମାନାହିଁ ।
  2. ଆଗାମୀ ୫୦ ଦିନ ମଧ୍ୟରେ ଆପଣ ତାହା କରିପାରିବେ ଓ ଏଥିପାଇଁ ତରବର ହେବା ଦରକାର ନାହିଁ ।
  3. ଆପଣଙ୍କ ଟଙ୍କା ଆପଣଙ୍କର ହୋଇରହିବ । ଏଥିପାଇଁ ଆପଣଙ୍କୁ ଆଦୌ ବ୍ୟସ୍ତ ବିବ୍ରତ ହେବାକୁ ପଡିବ ନାହିଁ ।
  4. ଆପଣଙ୍କ ଜମା ଖାତାରେ ଆପଣ ଏଭଳି ଟଙ୍କା ପୈଠ କରିବା ପରେ, ଯେତେବେଳେ ଚାହିଁବେ ଆପଣ ତାହା ଉଠାଇପାରିବେ ।
  5. ନୂଆ ନୋଟର ଯୋଗାଣକୁ ଦୃଷ୍ଟିରେ ରଖି ପ୍ରଥମ କିଛିଦିନ ଲାଗି ଦିନକୁ ୧୦ ହଜାର ଏବଂ ସପ୍ତାହକୁ ୨୦ ହଜାର ଟଙ୍କାର କାରବାର କରାଯିବ । ଆଗାମୀ ଦିନରେ ଏହି ସୀମାକୁ ବୃଦ୍ଧି କରାଯିବ ।
  6. ଆପଣଙ୍କ ଟଙ୍କାକୁ ନିଜ ଜମାଖାତାରେ ପୈଠ କରିବା ବ୍ୟତୀତ, ଆପଣଙ୍କ ନିକଟରେ ଆଉ ଏକ ବିକଳ୍ପ ମଧ୍ୟ ରହିଛି ।
  7. ଆପଣଙ୍କ ତତ୍କାଳିକ ଆବଶ୍ୟକତା ଲାଗି, ଆପଣ ଯେ କୌଣସି ବ୍ୟାଙ୍କ, ମୁଖ୍ୟ ଡାକ ଘର, ଅଥବା ଉପ ଡାକଘରକୁ ଯାଇ ନିଜର ପରିଚୟପତ୍ର ଯଥା ଆଧାର କାର୍ଡ, ଭୋଟର ପରିଚୟପତ୍ର, ପଡିକାର୍ଡ, ପାସପୋର୍ଟ, ପାନ କାର୍ଡ ଅଥବା ସ୍ଵୀକୃତ ପ୍ରମାଣପତ୍ର ଦେଖାଇ ଆପଣଙ୍କ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟକୁ ନୂଆ ନୋଟରେ ବଦଳାଇ ପାରିବେ ।
  8. ୧୦ ନଭେମ୍ବରଠାରୁ ୨୪ ନଭେମ୍ବର ପର୍ଯ୍ୟନ୍ତ ଏପରି ଅଦଳବଦଳର ସୀମା ୪୦୦୦ ଟଙ୍କା ରହିବ । ୨୫ ନଭେମ୍ବରଠାରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ଏହି ସୀମା ବଢ଼ାଯିବ ।
  9. ଏପରି କେହିଥାଇପାରନ୍ତି, ଯେଉଁମାନେ କୌଣସି କାରଣରୁ ସେମାନଙ୍କ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଡିସେମ୍ବର ୩୦, ୨୦୧୬ ସୁଦ୍ଧା ବଦଳାଇ ନପାରନ୍ତି ।
  10. ଏପରି ସ୍ଥଳେ ସେମାନେ ମାର୍ଚ୍ଚ ୩୧, ୨୦୧୭ ସୁଦ୍ଧା ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ କାର୍ଯ୍ୟାଳୟକୁ ଯିବେ ଏବଂ ଏକ ଘୋଷଣାପତ୍ର ପ୍ରଦାନ ପୂର୍ବକ ସେମାନଙ୍କ ପୁରୁଣା ଟଙ୍କା ପୈଠ କରିପାରିବେ ।
  11. ନଭେମ୍ବର ୯ ତାରିଖ ଦିନ ଏବଂ କେତେକ ସ୍ଥାନରେ ନଭେମ୍ବର ୧୦ ତାରିଖ ଦିନ ଏଟିଏମ କାର୍ଯ୍ୟ କରିବ ନାହିଁ । ପ୍ରଥମ କିଛିଦିନ କାର୍ଡ ପିଛା ମାତ୍ର ୨୦୦୦ ଟଙ୍କାର ଏଟିଏମ ଉଠାଣ କରିହେବ ।
  12. ପରେ ଏହି ସୀମାକୁ ଦୈନିକ ୪୦୦୦ ଟଙ୍କାକୁ ବୃଦ୍ଧି କରାଯିବ ।
  13. ଆଜି ମଧ୍ୟରାତ୍ରଠାରୁ ପାଂଚଶହ ଓ ଏକ ହଜାର ଟଙ୍କିଆ ନୋଟ “ଲିଗାଲ ଟେଣ୍ଡର” (ଆଇନଗତ ବୈଧତା)ରୁ ବଂଚିତ ହେବ । ତେବେ, ମାନବୀୟ ଦୃଷ୍ଟିକୋଣରୁ ଲୋକମାନଙ୍କ ସମସ୍ୟା ହ୍ରାସ ନିମନ୍ତେ, ପରବର୍ତ୍ତୀ ୭୨ ଘଂଟା ଲାଗି କେତେକ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ଅର୍ଥାତ ତାହା ନଭେମ୍ବର ୧୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ ।

 

  1. ଏହି ସମୟ ମଧ୍ୟରେ ସରକାରୀ ହସ୍ପିଟାଲମାନେ ପୁରୁଣା ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ ପାଉଣା ସକାଶେ ଗ୍ରହଣ କରିବେ ।
  2. ଏହା ସେଇ ପରିବାରମାନଙ୍କ ସୁବିଧା ପାଇଁ ଉଦ୍ଧିଷ୍ଟ ଯେଉଁ ପରିବାରର କୌଣସି ସଦସ୍ୟ ଅସୁସ୍ଥ ଥିବେ ।
  3. ସରକାରୀ ହସ୍ପିଟାଲର ଔଷଧାଳୟ ମଧ୍ୟ ଏପରି ନୋଟ ଔଷଧ କ୍ରୟ ସକାଶେ ଗ୍ରହଣ କରିବେ ଯାହା ଡାକ୍ତରଙ୍କ ପରିପତ୍ର (ପ୍ରେସକ୍ରିପସନ) ସହ ଗ୍ରହଣୀୟ ହେବ ।
  4. ଆଗାମୀ ୭୨ ଘଂଟା ପର୍ଯ୍ୟନ୍ତ ଅର୍ଥାତ ନଭେମ୍ବର ୧୧ ମଧ୍ୟରାତ୍ର ସୁଦ୍ଧା, ରେଳ ଟିକେଟ ବୁକିଂ, ସରକାରୀ ବସ ଟିକେଟ କାଉଣ୍ଟର, ବିମାନବନ୍ଦର ଏୟାର ଲାଇନ ଟିକେଟ କାଉଣ୍ଟର ଟିକଟ କିଣାବିକା ଲାଗି ପୁରୁଣା ନୋଟ ଗ୍ରହଣ କରିବେ । ଏହି ସମୟରେ ଯାତ୍ରା କରୁଥିବା ବ୍ୟକ୍ତିବିଶେଷଙ୍କ ସୁବିଧା ପାଇଁ ଏହା ଉଦ୍ଧିଷ୍ଟ ।
  5. ତିନିଦିନ ଅର୍ଥାତ ୭୨ ଘଣ୍ଟା ପାଇଁ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ମଧ୍ୟ ନିମ୍ନଲିଖିତ ସ୍ଥାନରେ ଗ୍ରହଣୀୟ ହେବ ।
  • ପେଟ୍ରୋଲ, ଡିଜେଲ ଏବଂ ସିଏନଜି ଗ୍ୟାସ ଷ୍ଟେସନ ଯାହାକି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଙ୍କ ଦ୍ୱାରା ସ୍ଵୀକୃତ
  • ଖାଉଟୀ ସମବାୟ ଭଣ୍ଡାର ଯାହାକି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ସ୍ଵୀକୃତ
  • ରାଜ୍ୟ ସରକାରଙ୍କ ସ୍ଵୀକୃତ କ୍ଷୀର ବିକ୍ରୀ ବୁଥମାନଙ୍କରେ
  • ଶ୍ମଶାନ ଓ କବର ସ୍ଥାନରେ ଏହି ସବୁ ସ୍ଥଳୀମାନେ ସେମାନଙ୍କ ଟଙ୍କା ଜମା ଓ ସଂଗ୍ରହର ଉପଯୁକ୍ତ ରେକର୍ଡ ରଖିବେ ।

 

  1. ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରଗୁଡିକରେ ଯାତ୍ରୀମାନଙ୍କ ଆଗମନ ଓ ପ୍ରସ୍ଥାନ ସକାଶେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ, ଯେଉଁମାନଙ୍କ ନିକଟରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଯାହାର ମୋଟ ପରିମାଣ ପାଂଚହଜାର ଟଙ୍କାରୁ ଅଧିକ ହୋଇନଥିବ, ସେମାନେ ତାହା ବଦଳାଇ ନୂଆ ନୋଟ ଏବଂ ଅନ୍ୟ ମୁଦ୍ରାର ନୋଟ ନେଇପାରିବେ ।
  2. ବିଦେଶୀ ପର୍ଯ୍ୟଟକମାନେ ବିଦେଶୀ ମୁଦ୍ରା ଅଥବା ପୁରୁଣା ନୋଟ ଯାହାର ପରିମାଣ ୫୦୦୦ ଟଙ୍କାରୁ ଅଧିକ ହୋଇନଥିବ ବଦଳାଇ ସମପରିମାଣର ଅନ୍ୟ ମୁଦ୍ରା ନେଇପାରିବେ ।
  3. ଆଉ ଗୋଟିଏ କଥା ମୁଁ ଉଲ୍ଲେଖ କରିବାକୁ ଚାହେଁ, ଏହି ସମଗ୍ର ପ୍ରକ୍ରିୟାରେ ମୁଁ ଗୁରୁତ୍ଵର ସହ କହିବାକୁ ଚାହେଁ ଯେ ଚେକ, ଡିମାଣ୍ଡ ଡ୍ରାଫ୍ଟ , ଡେବିଟ ବା କ୍ରେଡିଟ କାର୍ଡ ଓ ଇଲେକ୍ଟ୍ରୋନିକ ଅର୍ଥ ପ୍ରେରଣରେ କୌଣସି ପ୍ରକାର ନିୟନ୍ତ୍ରଣ ନାହିଁ ।

 

ଭାଇ ଓ ଭଉଣୀମାନେ,

ଏସବୁ ପ୍ରୟାସ ସତ୍ତ୍ୱେ, ସଚ୍ଚୋଟ ନାଗରିକମାନଙ୍କୁ ଅସ୍ଥାୟୀ ଭାବେ କିଛି ନା କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଅନୁଭୂତି ଆମକୁ କହେ ଯେ ଦେଶର ସ୍ଵାର୍ଥପାଇଁ ସାଧାରଣ ନାଗରିକମାନେ ସଦାବେଳେ ତ୍ୟାଗ କରିବାକୁ ଓ ସମସ୍ୟାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥାଆନ୍ତି । ଯେତେବେଳେ ଜଣେ ଗରିବ ବିଧବା ମହିଳା ତାଙ୍କର ଏଲପିଜି ସବସିଡି ଫେରାଇ ଦେଲେ, ସେ ମନୋଭାବକୁ ମୁଁ ଅନୁଭବ କରିଥିଲି। ଯେତେବେଳେ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ତାଙ୍କ ପେନସନ ଅର୍ଥରୁ ସ୍ଵଚ୍ଛ ଭାରତ ଅଭିଯାନକୁ ଅନୁଦାନ ଦେଇପାରନ୍ତି, ଯେତେବେଳେ ଜଣେ ଗରିବ ଆଦିବାସୀ ମହିଳା ନିଜର ଛେଳି ବିକି ଶୌଚାଳୟ ନିର୍ମାଣ କରିପାରେ । ଯେତେବେଳେ ଜଣେ ସୈନିକ ନିଜ ଗ୍ରାମକୁ ସ୍ଵଚ୍ଛ କରିବା ସକାଶେ ୫୭ ହଜାର ଟଙ୍କା ଦାନ ଦେଇପାରନ୍ତି, ତାହା ମୁଁ ଅନୁଭବ କରିଛି । ମୁଁ ଦେଖିଛି ଯେ କିଛି କରିବାର ପ୍ରତିବଦ୍ଧତା ସାଧାରଣ ଲୋକଙ୍କଠାରେ ରହିଛି, ଯାହାକି ରାଷ୍ଟ୍ରର ପ୍ରଗତି ପାଇଁ ଉଦ୍ଦିଷ୍ଟ ।

 

ତେଣୁ ଦୁର୍ନୀତି, କଳା ଟଙ୍କା, ଜାଲ ନୋଟ ଓ ଆତଙ୍କବାଦ ବିରୋଧୀ ଏହି ସଂଗ୍ରାମରେ, ଆମ ଦେଶକୁ ସ୍ଵଚ୍ଛ କରିବାର ଏହି ଆନ୍ଦୋଳନରେ ଆମ ଦେଶର ନାଗରିକମାନେ କଣ କିଛି ଦିନ ପାଇଁ କିଛିଟା  କଷ୍ଟ ସ୍ଵୀକାର କରିପାରବେ ନାହିଁ ? ମୋର ଲୋକଙ୍କ ଉପରେ ଦୃଢ଼ ଆସ୍ଥା ଅଛି ଯେ ଏହି ମହାଯଜ୍ଞରେ ସମସ୍ତ ନାଗରିକ ଅଂଶଗ୍ରହଣ କରିବେ ।

 

ମୋର ପ୍ରିୟ ଦେଶବାସୀଗଣ,

ଦୀପାବଳି ଉତ୍ସବ ପରେ ଏବେ ଦେଶ ସହ  ଯୋଗ ଦିଅନ୍ତୁ ଏବଂ ଇମାନଦାରୀର ଉତ୍ସବ, ଏହି ପ୍ରତ୍ୟାଶାର ପର୍ବ, ଏହି ନିଷ୍ଠାର ଉତ୍ସବ, ଏହି ଗୌରବର ଉତ୍ସବ ସହ ହାତ ମିଳାନ୍ତୁ ।

 

ମୁଁ ଦୃଢ଼ ନିଶ୍ଚିତ ଯେ, ସମସ୍ତ ରାଜନୈତିକ ଦଳ, ସମାଜସେବୀ ସଂଗଠନ, ଗଣମାଧ୍ୟମ ଓ ସମାଜର ସବୁ ବର୍ଗ ଉତ୍ସୁକତାର ସହ ଅଂଶଗ୍ରହଣ କରି ଏହାକୁ ସଫଳ କରିବେ ।

 

ମୋର ପ୍ରିୟ ଦେଶବାସୀଗଣ,

ଏଭଳି କାର୍ଯ୍ୟ ଲାଗି ଗୋପନୀୟତା ରକ୍ଷା ଏକାନ୍ତ ଜରୁରୀ ଏବଂ ମୁଁ ଯେତେବେଳେ ଆପଣମାନଙ୍କୁ ଏକଥା କହୁଛି, ବ୍ୟାଙ୍କ, ପୋଷ୍ଟ ଅଫିସ, ରେଳବାଇ, ହସ୍ପିଟାଲ ଓ ଅନ୍ୟାନ୍ୟ ସଂସ୍ଥା ଭଳି ଏଜେନ୍ସୀମାନଙ୍କୁ ସୂଚୀତ କରାଯାଉଛି । ରିଜର୍ଭ ବ୍ୟାଙ୍କ, ବ୍ୟାଙ୍କ, ପୋଷ୍ଟ ଅଫିସକୁ ଖୁବ କମ ସମୟର ସୂଚନା ମଧ୍ୟରେ ଢ଼େର କାର୍ଯ୍ୟ କରିବାକୁ ପଡିବ । ନିଶ୍ଚତ ଭାବେ ଏଥିପାଇଁ ସମୟ ଲୋଡା । ତେଣୁ ନଭେମ୍ବର ୯ ତାରିଖ ଦିନ ସବୁ ବ୍ୟାଙ୍କ ବନ୍ଦ ରହିବ । ଆପଣମାନଙ୍କୁ ଏହା କିଛିଟା କଷ୍ଟରେ ପକାଇପାରେ । ଏଭଳି ଜାତୀୟ ଗୁରୁତ୍ଵ ବହନକାରୀ ଦାୟିତ୍ଵକୁ ବ୍ୟାଙ୍କ ଓ ପୋଷ୍ଟ ଅଫିସମାନେ ସଫଳତାର ସହ ସମ୍ପନ୍ନ କରିବେ ବୋଲି ମୋର ପୂର୍ଣ୍ଣ ଆସ୍ଥା ରହିଛି । ତେବେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ନିବେଦନ କରୁଛି ଯେ ଧୈର୍ଯ୍ୟ ଓ ପ୍ରତିବଦ୍ଧତାର ସହ ଆପଣମାନେ ସଭିଏଁ ବ୍ୟାଙ୍କ ଓ ପୋଷ୍ଟ ଅଫିସକୁ ସହେଯାଗ କରିବେ ।

 

ମୋର ପ୍ରିୟ ଦେଶବାସୀଗଣ,

ସମୟାନ୍ତରେ, ନୋଟର ଆବଶ୍ୟକତାକୁ ଚାହିଁ, କେନ୍ଦ୍ର ସରକାରଙ୍କ ମଞ୍ଜୁରି ସହ ରିଜର୍ଭ ବ୍ୟାଙ୍କ ଅଧିକ ମୂଲ୍ୟର ନୋଟ ପ୍ରଚଳନ କରିବେ । ୨୦୧୪ରେ ୫୦୦୦(ପାଞ୍ଚ ହଜାର) ଓ ୧୦୦୦୦ (ଦାଶ ହଜାର) ଟଙ୍କିଆ ନୋଟ ପ୍ରଚଳନ ଲାଗି ରିଜର୍ଭ ବ୍ୟାଙ୍କ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଥିଲେ । ସତର୍କତାର ସହ ବିଚାର କରାଯିବା ପରେ ତାହା ଗ୍ରହଣ କରାଯାଇନଥିଲା । ଏବେ ଏହି ପ୍ରକ୍ରିୟାର ଅଂଶସ୍ଵରୂପ, ୨୦୦୦ ଟଙ୍କିଆ ନୋଟ ପ୍ରଚଳନ ସକାଶେ ଆରବିଆଇ ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ସମ୍ପୂର୍ଣ୍ଣ ନୂଆ ଡିଜାଇନ ସହ ୫୦୦ ଟଙ୍କିଆ ଓ ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯିବ । ଅତୀତର ଅନୁଭୂତି ଆଧାରରେ ଉଚ୍ଚ ଦରର ନୋଟର ସୀମାକୁ ମୋଟ ଅର୍ଥ ପ୍ରଚଳନର ଅନୁପାତ ଅନୁସାରେ  ଆରବିଆଇ ସୀମିତ ରଖିବେ ।

 

ଦେଶର ଇତିହାସରେ ଏପରି ସମୟ ଆସେ ଯେତେବେଳେ ପ୍ରତ୍ୟେକ ନାଗରିକ ମଧ୍ୟ ଏହି ମୁହୂର୍ତ୍ତର ଅଂଶ ବିଶେଷ ବୋଲି ଅନୁଭବ କରେ । ଦେଶର ପ୍ରଗତି ପାଇଁ ତାର ବି ଅବଦାନ ରହିଛି ବୋଲି ସେ ଭାବେ । ଏପରି ମୁହୂର୍ତ୍ତ କ୍ୱଚିତ ଆସେ । ଏବେ ଏହି ମହାଯଜ୍ଞରେ ପ୍ରତ୍ୟେକ ନାଗରିକ ସାମିଲ ହେବାର ସୁଯୋଗ ଆସିଛି । ଦୁର୍ନୀତି, କଳା ଟଙ୍କା, ଜାଲ ନୋଟ ବିରୋଧରେ ଏହି ଅଭିଯାନ ଆରମ୍ଭ ହୋଇଛି । ଆପଣମାନେ ଏହାକୁ ଯେତେ ସହଯୋଗ ଯୋଗାଇବେ ତାହା ସେତିକି ସଫଳତା ଲାଭ କରିବ ।

 

ଏହା ଉଦବେଗର କଥା ଯେ ଦୁର୍ନୀତି ଓ କଳା ଟଙ୍କାକୁ ଆମେ ଜୀବନର ଅଂଶବିଶେଷ ରୂପେ ଗ୍ରହଣ କରି ସାରିଛେ । ଏହା ଆମ ରାଜନୀତିକୁ ପ୍ରଶାସନକୁ ଓ ସମାଜକୁ ଏକ ଘୂଣପୋକ ଭଳି ଆକ୍ରାନ୍ତ କରିଛି । କୌଣସି ସରକାରୀ ଅନୁଷ୍ଠାନ ଏଭଳି ସଂକ୍ରମଣ ପ୍ରଭାବରୁ ମୁକ୍ତ ନୁହେଁ । ବାରମ୍ବାର ମୁଁ ଦେଖିଛି ଯେ ସାଧାରଣ ଲୋକଙ୍କୁ ଅନ୍ୟାୟ ଓ ଅସୁବିଧା ସମ୍ମୁଖୀନ ହେବା ଭିତରୁ ଯେତେବେଳେ ଗୋଟିଏ ବାଛିବାକୁ ପଡେ, ସେମାନେ ଅସୁବିଧାକୁ ହିଁ ଚୟନ କରିଥାନ୍ତି, ସେମାନେ କଦାପି ଅନ୍ୟାୟକୁ ଗ୍ରହଣ କରିନଥାନ୍ତି ।

 

ପୁଣି ଥରେ ସମାଜ ଶୋଧନରେ ଏହି ମହାଯଜ୍ଞରେ ଆପଣମାନଙ୍କ ଯୋଗଦାନ ଲାଗି ମୁଁ ଆପଣମାନଙ୍କୁ ଆହ୍ଵାନ ଜଣାଉଛି । ଦୀପାବଳି ଅବସର ଯେଉଁଭଳି ଆପଣ ନିଜ ପରିବେଶକୁ ସ୍ଵଚ୍ଛ କରିଛନ୍ତି ।

  • ସାମୟିକ କଷ୍ଟକୁ ଭୁଲି ଯାଆନ୍ତୁ ।
  • ସାଧୁତା ଓ ଗୌରବର ପାର୍ବଣରେ ସାମିଲ ହୁଅନ୍ତୁ ।
  • ଆଗାମୀ ପିଢ଼ିକୁ ସମ୍ମାନର ସହ ବଂଚିବାରେ ସହାୟକ ହୁଅନ୍ତୁ ।
  • ଦୁର୍ନୀତି ଓ କଳା ଟଙ୍କା ବିରୋଧରେ ସଂଗ୍ରାମ କରନ୍ତୁ ।
  • ଦେଶର ସମୂଳ ଗରିବଙ୍କ ଉପକାରରେ ଆସିବାକୁ ସୁନିଶ୍ଚିତ କରନ୍ତୁ ।
  • ନିୟମପାଳନକାରୀ ନାଗରିକମାନଙ୍କୁ ସେମାନଙ୍କ ହକ ପାଇବାରେ ସହଯୋଗ କରନ୍ତୁ । ଭାରତର ୧୨୫ କୋଟି ଲୋକଙ୍କ ଉପରେ ମୋର ଅଖଣ୍ଡ ଆସ୍ଥା ଓ ମୋର ବିଶ୍ଵାସ ଯେ ସେମାନେ ନିଶ୍ଚୟ ସଫଳତା ପାଇବେ ।

 

ଆପଣମାନଙ୍କୁ ଅଶେଷ ଧନ୍ୟବାଦ । ବହୁତ ବହୁତ ଧନ୍ୟବାଦ ।

ନମସ୍କାର

ଭାରତ ମାତାକୀ ଜୟ ।

 

**********