ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବାରଣାସୀରେ ଦୀନଦୟାଲ ହସ୍ତକଳା ସଙ୍କୁଳ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ,

ବାରଣାସୀରେ ଦୀନଦୟାଲ ହସ୍ତକଳା ସଙ୍କୁଳ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ,

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀ ଗସ୍ତ ଅବସରରେ ଏକ ହସ୍ତଶିଳ୍ପ ବିପଣନ କେନ୍ଦ୍ର-ଦୀନଦୟାଲ ହସ୍ତକଳା ସଙ୍କୁଳକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନଭେମ୍ବର 2014ରେ ଏହି କେନ୍ଦ୍ର ପାଇଁ ଆଧାରଶିଳା ରଖିଥିଲେ । ଉଦ୍ଘାଟନ ପରେ ଶ୍ରୀ ମୋଦୀ ହସ୍ତକଳା ସଙ୍କୁଳ ବୁଲି ଦେଖିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀଠାରେ ଭିଡିଓ ଲିଙ୍କ ଜରିଆରେ ମହାମନା ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିଥିଲେ । ଏହି ଟ୍ରେନ ବାରଣାସୀ, ସୁରଟ ଓ ବଦୋଦରା ମଧ୍ୟରେ ଚଳାଚଳ କରିବ ।

ସହରରେ ବିଭିନ୍ନ ବିକାଶ ପ୍ରକଳ୍ପର ଲୋକାର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ଆଉ କେତେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ସେ ଉତ୍କର୍ଷ ବ୍ୟାଙ୍କର ବ୍ୟବସାୟିକ ସେବାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ଏହାର ମୁଖ୍ୟାଳୟ ନିର୍ମାଣ କାର୍ଯ୍ୟର ଭିତ୍ତିସ୍ଥାପନ କରିଥିଲେ ।
ପ୍ରଧାନମନ୍ତ୍ରୀ ବାରଣାସୀର ଲୋକଙ୍କ ପାଇଁ ଜଳ ଆମ୍ବୁଲାନ୍ସ ସେବା ଏବଂ ଜଳ ଶବ ବାହନ ସେବାକୁ ମଧ୍ୟ ଭିଡିଓ ଲିଙ୍କ ଜରିଆରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ ବୁଣାକାର ଏବଂ ସେମାନଙ୍କ ସନ୍ତାନସନ୍ତତିଙ୍କୁ ଲୁଗାବୁଣା କିଟ୍ ଏବଂ ସୌର ଲଣ୍ଠନ ଆବଣ୍ଟନ କରିଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଗୋଟିଏ ମଞ୍ଚ ଉପରୁ ଆଜି 1000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଉଦ୍ଘାଟନ ଏବଂ ଶିଳାନ୍ୟାସ କରାଯାଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବାରଣାସୀରେ ନୂତନ ବାଣିଜ୍ୟ ସୁଗମ୍ୟ କେନ୍ଦ୍ର ବହୁ ପ୍ରତିକ୍ଷିତ ଥିଲା । ଏହି କେନ୍ଦ୍ରରେ ବାରଣାସୀର ଦକ୍ଷ ଓ ସାମର୍ଥ୍ୟବାନ ବୁଣାକାର ଓ ହସ୍ତଶିଳ୍ପୀମାନେ ସେମାନଙ୍କର ବସ୍ତ୍ରକଳା ଓ ହସ୍ତଶିଳ୍ପ ସାମଗ୍ରୀକୁ ଦୁନିଆ ଆଗରେ ସୁନ୍ଦର ଭାବରେ ପ୍ରଦର୍ଶନ କରାଇବାର ସୁଯୋଗ ପାଇବେ । ଏହା ସେମାନଙ୍କ ପାଇଁ ଭବିଷ୍ୟତରେ ଅନେକ ଆର୍ଥିକ ସୁବିଧା ଆଣିଦେବ । ସ୍ଥାନୀୟ ଲୋକମାନେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି କେନ୍ଦ୍ରକୁ ବୁଲି ଆସିବା ପାଇଁ ପ୍ରବର୍ତ୍ତାଇବା ସକାଶେ ସେ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ହସ୍ତଶିଳ୍ପ ଓ ବସ୍ତ୍ରଶିଳ୍ପ ସାମଗ୍ରୀ ପ୍ରତି ପର୍ଯ୍ୟଟକମାନଙ୍କ ମଧ୍ୟରେ ଆଦର ବଢ଼ିବ ଏବଂ ଏହାର ବିକ୍ରିବଟା ଅଧିକ ହେବ ।

ପ୍ରଧାନମନ୍ତ୍ରୀ କହିଥିଲେ, ସବୁ ସମସ୍ୟାର ପନ୍ଥା ହେଉଛି ବିକାଶ । ଗରୀବମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଉପରେ ତାଙ୍କ ସରକାର ଗୁରୁତ୍ୱାରୋପ କରି ଆଗକୁ ବଢ଼ୁଛନ୍ତି । କେବଳ ସେତିକି ନୁହଁ, ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ଏକ ଉତ୍ତମ ପରିବେଶ ସୃଷ୍ଟି କରିବାକୁ ପ୍ରୟାସ ହେଉଛି । ଏହି ପରିପ୍ରେକ୍ଷୀରେ ଉତ୍କର୍ଷ ବ୍ୟାଙ୍କର କାର୍ଯ୍ୟକୁ ସେ ପ୍ରଶଂସା କରିଥିଲେ ।

ଜଳ ଆମ୍ବୁଲେନ୍ସ ଏବଂ ଜଳ ଶବ ବାହିନୀ ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ଜଳ ପଥରେ କିଭଳି ବିକାଶର ମାର୍ଗ ପ୍ରଶସ୍ତ ହୋଇପାରିବ ତାହାର ଏହା ହେଉଛି ଏକ ଜ୍ୱଳନ୍ତ ଉଦାହରଣ ।

ମହାମନା ଏକ୍ସପ୍ରେସ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, 2014 ସଂସଦୀୟ ନିର୍ବାଚନରେ ସେ ଉଭୟ ବାରଣାସୀ ଓ ବଦୋଦରାରୁ ନିର୍ବାଚନ ଲଢ଼ିଥିଲେ । ଏବେ ଏହି ଦୁଇଟି ସହରକୁ ରେଳ ଯୋଗେ ପରସ୍ପର ମଧ୍ୟରେ ଯୋଡିବାର ଏହା ଏକ ସଫଳ ପ୍ରୟାସ ।

ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଭାରତ ଦୃତ ଗତିରେ ଆଗକୁ ବଢ଼ୁଛି । ରାଷ୍ଟ୍ର ହିତକୁ ଦୃଷ୍ଟିରେ ରଖି ଦୃଢ଼ ନିଷ୍ପତ୍ତିମାନ ନିଆଯାଉଛି । ପଶ୍ଚିମ ଭାରତର ବିକାଶ ସହିତ ତାଳ ଦେଇ ପୂର୍ବ ଭାରତର ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି । ଏଥିପାଇଁ ଆଜି ବାରଣାସୀରୁ ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରାଯାଇଛି ଯାହାକି ପୂର୍ବାଞ୍ଚଳର ବିକାଶକୁ ତ୍ୱରାନ୍ୱିତ କରିବ ।

**********