ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ;

ଟ୍ରିବ୍ୟୁନାଲ ମାଧ୍ୟମରେ ମହାନଦୀ ଜଳ ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ମହାନଦୀ ଅବବାହିକାରେ ଥିବା ରାଜ୍ୟଗୁଡ଼ିକର ଜଳ ବଣ୍ଟନ/ଭାଗ ସମ୍ପର୍କରେ ଏହି ଟ୍ରିବ୍ୟୁନାଲ ବିଚାର କରିବେ । ସମ୍ପୂର୍ଣ୍ଣ ମହାନଦୀ ଶଯ୍ୟାରେ ଥିବା ଜଳର ପରିମାଣ, ପ୍ରତ୍ୟେକ ରାଜ୍ୟର ଯୋଗଦାନ, ପ୍ରତ୍ୟେକ ରାଜ୍ୟରେ ବର୍ତ୍ତମାନ ଜଳ ସମ୍ପଦର ଉପଯୋଗ ଏବଂ ଭବିଷ୍ୟତର ବିକାଶ ଲାଗି ରହିଥିବା ସମ୍ଭାବନା ଆଧାରରେ ଟ୍ରିବ୍ୟୁନାଲ ଏଥିପ୍ରତି ବିଚାର କରିବେ ।

ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ (ଆଇଏସଆରଡବ୍ଲ୍ୟୁଡି), 1956 ଅନୁଯାୟୀ ଏହି ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଏବଂ ଅନ୍ୟ ଦୁଇ ଜଣ ସଦସ୍ୟ ରହିବେ । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର ବିଚାରପତିଙ୍କ ମଧ୍ୟରୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ ଭାରତର ପ୍ରଧାନ ବିଚାରପତି ମନୋନୀତ କରିବେ । ଆହୁରି ଟ୍ରିବ୍ୟୁନାଲର ଶୁଣାଣିରେ ପରାମର୍ଶ ଦେବା ଲାଗି ନଦୀ ଜଳ ସଂକ୍ରାନ୍ତ ସମ୍ବେଦନଶୀଳ ପ୍ରସଙ୍ଗର ସମାଧାନ କ୍ଷେତ୍ରରେ ଅଭିଜ୍ଞତା ରହିଥିବା ଦୁଇ ଜଣ ଜଳସମ୍ପଦ ବିଶେଷଜ୍ଞଙ୍କୁ ମୂଲ୍ୟାଙ୍କନକାରୀ ଉପଦେଷ୍ଟା ଭାବେ ରଖାଯିବ ।
ଆଇଏସଆରଡବ୍ଲ୍ୟୁଡି ଆଇନରେ ରହିଥିବା ବ୍ୟବସ୍ଥା ଅନୁଯାୟୀ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟକାଳ 3 ବର୍ଷ ରହିବ ଏବଂ ଆବଶ୍ୟକତା ସ୍ଥଳେ ଏହାକୁ ଆହୁରି 2 ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ ।

ଟ୍ରିବ୍ୟୁନାଲ ଗଠନ କରାଯିବା ପରେ ଦୀର୍ଘଦିନ ଧରି ମହାନଦୀ ଜଳକୁ ନେଇ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ରହିଥିବା ବିବାଦର ସମାଧାନ ହୋଇପାରିବ ।