ପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସଂସଦରେ ଉପରାଷ୍ଟ୍ରପତି ହମିଦ ଆନସାରୀଙ୍କ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ରାଜ୍ୟସଭାର ଅଧ୍ୟକ୍ଷ ଭାବରେ ସୂଚାରୁ ରୂପେ କାର୍ଯ୍ୟ ପରିଚାଳନା କରିବା ଦିଗରେ ଉପରାଷ୍ଟ୍ରପତି ଶ୍ରୀ ହମିଦ ଆନସାରୀଙ୍କ ଦକ୍ଷତାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚ ପ୍ରଶଂସା କରିଛନ୍ତି । ଗତ 10 ବର୍ଷ ଧରି ଅତ୍ୟନ୍ତ ନିପୁଣତାର ସହ ଗୃହ କାର୍ଯ୍ୟ ପରିଚାଳନା କରିବା – ଏହା ଶ୍ରୀ ଆନସାରୀଙ୍କ ସାମର୍ଥ୍ୟ, କୌଶଳ, ଧୈର୍ଯ୍ୟ ଓ ବୁଦ୍ଧିମତ୍ତାର ଉପଯୁକ୍ତ ପ୍ରତିଫଳନ । ଗୃହରେ ସବୁ ପ୍ରକାର ପରିସ୍ଥିତିରେ ବିଚଳିତ ନ ହୋଇ ଶାନ୍ତ ଓ ସ୍ଥିର ଚିତ୍ତରେ କାର୍ଯ୍ୟ କରି ସେ ତାଙ୍କର କାର୍ଯ୍ୟ କୁଶଳତା ଓ ପାରଦର୍ଶିତାର ପ୍ରମାଣ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ସଂସଦରେ ଆୟୋଜିତ ଶ୍ରୀ ଆନସାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଉପରାଷ୍ଟ୍ରପତିଙ୍କ ଦୀର୍ଘ ସାର୍ବଜନୀନ ଜୀବନ ନିର୍ବିବାଦ ରହି ଆସିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଶ୍ରୀ ଆନସାରୀଙ୍କ ପରିବାର ଅନେକ ପିଢି ଧରି ସାର୍ବଜନୀନ ଜୀବନରେ ମହତ୍ଵପୂର୍ଣ୍ଣ ଭୂମିକା ତୁଲାଇ ଆସିଛନ୍ତି । ବିଶେଷକରି ବ୍ରିଗେଡିୟର ଉସମାନଙ୍କ ଅବଦାନକୁ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସ୍ଵର୍ଗତ ଉସମାନ 1948ରେ ଦେଶ ରକ୍ଷା କାର୍ଯ୍ୟ ପାଇଁ ଆତ୍ମବଳୀ ଦେଇ ସହିଦ ହୋଇଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଉତ୍ତମ ପ୍ରସ୍ତାବ ଦେଇ କହିଥିଲେ ଯେ, ଉପରାଷ୍ଟ୍ରପତି ଶ୍ରୀ ଆନସାରୀ ତାଙ୍କର ଦୀର୍ଘ ଅନୁଭୂତିର ଅଂଶ ସ୍ୱରୂପ ଉପର ସଦନ ବା ରାଜ୍ୟସଭାର ସୂଚାରୁ ପରିଚାଳନା ସମ୍ପର୍କରେ ଏକ ମନନଶୀଳ ପୁସ୍ତକ ରଚନା କରିବା ଆବଶ୍ୟକ । ଏଥିରୁ ସାମ୍ପ୍ରତିକ ଓ ପରବର୍ତ୍ତୀ ପିଢିର ସାଂସଦଙ୍କ ପାଇଁ ଉପଯୁକ୍ତ ଜ୍ଞାନ ମିଳିପାରିବ ବୋଲି ସେ କହିଥିଲେ ।

**********