ପିଏମଇଣ୍ଡିଆ
ଜାମ୍ମୁ-କାଶ୍ମୀରର ବିରୋଧୀ ରାଜନୈତିକ ଦଳର ପ୍ରତିନିଧିମାନେ ରାଜ୍ୟରେ ଲାଗି ରହିଥିବା ଅସ୍ଥିରତା ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ପ୍ରତିନିଧି ଦଳରେ ଜାମ୍ମୁ-କାଶ୍ମୀର ନେସନାଲ କନଫରେନ୍ସ ନେତା ଶ୍ରୀ ଓମାର ଅବଦୁଲ୍ଲା, ଆଇଏନସିର ଶ୍ରୀ ଗୁଲାମ ଅହମଦ ମିର, ପିପୁଲ୍ସ ଡେମୋକ୍ରାଟିକ ଫ୍ରଣ୍ଟର ଶ୍ରୀ ହକିମ ମହମ୍ମଦ, ସିପିଏମର ଶ୍ରୀ ଏମ.ୱାଇ. ତାରିଗାମି, ଡେମୋକ୍ରାଟିକ ପାର୍ଟି ନେସନାଲିଷ୍ଟର ଶ୍ରୀ ଗୁଲାମ ହାସାନ ମୀର ଏବଂ ଅନ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ସହ ଖୋଲା ଓ ମୁକ୍ତ ଆଲୋଚନା କରିଥିଲେ ।
କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ଜାମ୍ମୁ-କାଶ୍ମୀର ସାଂପ୍ରତିକ ପରିସ୍ଥିତି ନେଇ ଉଦବେଗ ଓ ବେଦନା ପ୍ରକଟ କରିଥିଲେ । ବର୍ତ୍ତମାନର ଅସ୍ଥିର ସମୟରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି ଆମ ଲୋକ ଏବଂ ଆମ ଦେଶର । ସେମାନେ ଯୁବକ ହୁଅନ୍ତୁ, ପୁଲିସ ହୁଅନ୍ତୁ କି ନିରାପତ୍ତା ବାହିନୀ – ସେମାନଙ୍କ ଜୀବନହାନି ଆମକୁ ବ୍ୟଥିତ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ ଯେ ଏହି ଘଡିସନ୍ଧି ମୁହୂର୍ତ୍ତରେ ସରକାର ଓ ରାଷ୍ଟ୍ର ଜାମ୍ମୁ-କାଶ୍ମୀର ଲୋକଙ୍କ ସହ ରହିଛନ୍ତି । ଏହି ବାର୍ତ୍ତାକୁ ସେଠାକାର ସବୁ ରାଜନୈତିକ ଦଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ରାଜ୍ୟ ତଥା ସେଠାକାର ଲୋକମାନଙ୍କର ବିକାଶ ପାଇଁ ତାଙ୍କ ସରକାର ପ୍ରତିଶୃତିବଦ୍ଧ ବୋଲି ଦୋହରାଇ ପ୍ରଧାନମନ୍ତ୍ରୀ କାଶ୍ମୀରରେ ଶାନ୍ତି ଓ ସ୍ଵାଭାବିକ ଅବସ୍ଥା ଫେରାଇ ଆଣିବାକୁ ନିବେଦନ କରିଥିଲେ ।
ଜାମ୍ମୁ-କାଶ୍ମୀର ବିରୋଧୀ ପକ୍ଷର ନେତାମାନଙ୍କ ଗଠନମୂଳକ ପ୍ରସ୍ତାବଗୁଡିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । କାଶ୍ମୀରବାସୀଙ୍କ ସମୃଦ୍ଧି ଓ କଲ୍ୟାଣ ପାଇଁ ତାଙ୍କ ସରକାର ବଦ୍ଧପରିକର ବୋଲି ସେ କହିଥିଲେ ।
ଦେଶର ସାମ୍ବିଧାନିକ ବିଧି-ବ୍ୟବସ୍ଥା ମଧ୍ୟରେ ବ୍ୟାପକ ଆଲୋଚନା ଜରିଆରେ ଜାମ୍ମୁ-କାଶ୍ମୀର ସମସ୍ୟାର ଏକ ଦୀର୍ଘସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଜାମ୍ମୁ-କାଶ୍ମୀର ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ବାହାର କରିବା ପାଇଁ ସମସ୍ତ ରାଜନୈତିକ ଦଳ ମିଳିମିଶି କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ ।
Had detailed discussions on the situation in J&K with a delegation of Opposition parties from the state. https://t.co/uVKC6YelTI
— Narendra Modi (@narendramodi) August 22, 2016
I appreciate the constructive suggestions given during today’s meting. All parties must work together to find a solution to J&K’s problems.
— Narendra Modi (@narendramodi) August 22, 2016