ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଉଚ୍ଚଶିକ୍ଷା ଅର୍ଥ ଲଗାଣ ନିଗମ (ଏଚଇଏଫ୍ଏ) ଗଠନକୁ ମଞ୍ଜୁରି ମିଳିଛି । ପ୍ରମୁଖ ଶିକ୍ଷା ସଂସ୍ଥାନରେ ଉଚ୍ଚ ମାନର ଭିତ୍ତିଭୂମି ସୃଷ୍ଟି ଦିଗରେ ଏହା ସହାୟକ ହେବ । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଓ ଚିହ୍ନିତ ପ୍ରମୋଟରର ମିଳିତ ପ୍ରୋତ୍ସାହନ ମାଧ୍ୟମରେ 2 ହଜାର କୋଟି ଟଙ୍କାର ଆନୁଷ୍ଠାନିକ ପୁଞ୍ଜିରେ ଏଚ୍ଇଏଫ୍ଏ କାର୍ଯ୍ୟ କରିବ । ଏଥିରେ ସରକାରଙ୍କ ଅଂଶଧନ ପ୍ରାୟ ଏକ ହଜାର କୋଟି ଟଙ୍କା ରହିବ । ଏଚ୍ଇଏଫ୍ଏ ମଧ୍ୟ ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ସରକାରୀ ଅଣବ୍ୟାଙ୍କିଙ୍ଗ୍ ସଂସ୍ଥା ସହ ସ୍ଵତନ୍ତ୍ର ସଂସ୍ଥା (ଏସପିଭି) ଗଠନ କରିପାରିବ । ଏହା 20 ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ଅଂଶଧନକୁ ସଂଗ୍ରହ କରିପାରିବ । ଆଇଆଇଟି/ଆଇଆଇଏମ୍/ଏନ୍ଆଇଟି ଓ ଏଭଳି ଅନ୍ୟ ସଂସ୍ଥାନରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ବିକାଶ ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଣ କରିବ । ଏସବୁ ସଂସ୍ଥାନର ଗବେଷଣା ଓ ଇନୋଭେସନ୍ କାର୍ଯ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଅନୁଦାନ ଭିତ୍ତିରେ ଏଚ୍ଇଏଫ୍ଏ ପାଣ୍ଠି ଦେଇପାରିବ । ଯାହାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ କର୍ପୋରେଟ୍ ସଂସ୍ଥାଠାରୁ ସିଏସ୍ଆର ପାଣ୍ଠି ଭାବେ ଏଚ୍ଇଏଫ୍ଏ ସଂଗ୍ରହ କରିଥିବ । ସାଧାରଣ କାର୍ଯ୍ୟ ଓ ଲ୍ୟାବ ଭିତ୍ତିଭୂମି ପ୍ରକଳ୍ପ ପାଇଁ 10 ବର୍ଷିଆ ଋଣରେ ଏଚ୍ଇଏଫ୍ଏ ଆର୍ଥିକ ସହାୟତା ଦେଇପାରିବ । ଏହି ଋଣର ପ୍ରମୁଖ ଭାଗକୁ ଆଭ୍ୟନ୍ତରୀଣ ସ୍ରୋତ (ଫି ରିସଦ୍ ଓ ଗବେଷଣା ଆଦି କାର୍ଯ୍ୟ) ମାଧ୍ୟମରେ ଉପାର୍ଜିତ ଅର୍ଥରୁ ପରିଶୋଧ କରାଯାଇପାରିବ । ସରକାର ମଧ୍ୟ ନିୟମିତ ଯୋଜନା ସହାୟତା ମାଧ୍ୟମରେ ସୁଧ ପରିଶୋଧରେ ସହଯୋଗ କରିବେ ।
କେନ୍ଦ୍ର ସରକାରଙ୍କ ପାଣ୍ଠିରେ ପରିଚାଳିତ ଦେଶର ସମସ୍ତ ଉଚ୍ଚଶିକ୍ଷା ସଂସ୍ଥାନ ଏହି ଏଚ୍ଇଏଫ୍ଏରେ ସଦସ୍ୟ ଭାବେ ସାମିଲ ହେବା ପାଇଁ ଯୋଗ୍ୟ ଅଟନ୍ତି । ତେବେ ସଦସ୍ୟ ଭାବେ ଯୋଗ ଦେବାକୁ ହେଲେ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ 10 ବର୍ଷ ପାଇଁ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଏଚ୍ଇଏଫ୍ଏର ଆଭ୍ୟନ୍ତରୀଣ ସ୍ରୋତ ପାଇଁ ଦେବା ନିମନ୍ତେ ରାଜି ହେବେ । ଏହା ଏଚ୍ଇଏଫ୍ଏକୁ ବଜାରରୁ ପାଣ୍ଠି ସଂଗ୍ରହ କରିବା ଦିଗରେ ସହାୟତା ଦେବ । ଆଭ୍ୟନ୍ତରୀଣ ସ୍ରୋତ ପାଇଁ ରାଜି ହୋଇଥିବା ପରିମାଣ ଆଧାରରେ ଏଚ୍ଇଏଫ୍ଏ ପ୍ରତ୍ୟେକ ସଦସ୍ୟଭୁକ୍ତ ଶିକ୍ଷାସଂସ୍ଥାନ ପାଇଁ ଋଣ ସୀମା ନିର୍ଦ୍ଧାରଣ କରିବ ।