Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲକ୍ଷ୍ନୌ ଆଇଶବାଗ ରାମଲୀଳା ପ୍ରାଙ୍ଗଣରେ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଲକ୍ଷ୍ନୌ ଆଇଶବାଗ ରାମଲୀଳା ପ୍ରାଙ୍ଗଣରେ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଲକ୍ଷ୍ନୌ ଆଇଶବାଗ ରାମଲୀଳା ପ୍ରାଙ୍ଗଣରେ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଜୟ ଶ୍ରୀ ରାମ,

ବିରାଟ ସଂଖ୍ୟାରେ ଆସିଥିବା ପ୍ରିୟ ଭାଇ ଓ ଭଉଣୀମାନେ,

ଆପଣ ସମସ୍ତଙ୍କୁ ବିଜୟା ଦଶମୀର ଅନେକ ଅନେକ ଶୁଭେଚ୍ଛା । ଆଜି ମୋତେ ରାମଲୀଳାର ଗୋଟିଏ ଅତି ପ୍ରାଚୀନ ଉତ୍ସବରେ ଯୋଗ ଦେବାର ସୌଭାଗ୍ୟ ମିଳିଛି। ଏହା ଭାରତର ସେହି ଭୂଭାଗ ଯାହା ଆମକୁ ଦୁଇଟି ତୀର୍ଥରୂପେ ଜୀବନ ପ୍ରଦାନ କରିଛି – ଜଣେ ପ୍ରଭୁ ଶ୍ରୀ ରାମ ଏବଂ ଅନ୍ୟ ଜଣକ ଶ୍ରୀ କୃଷ୍ଣ, ଏହି ଭୂମିରୁ ପ୍ରାପ୍ତ ହୋଇଛନ୍ତି। ବିଜୟାଦଶମୀ ପର୍ବରେ ଏଭଳି ଭୂମି କୁ ଆସି ପ୍ରଣାମ ଜଣାଇବା, ଏହାଠାରୁ ବଳି ଆଉ ସୌଭାଗ୍ୟ କଣ ହୋଇପାରେ ?

ବିଜୟାଦଶମୀ ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବ। ଆତତାୟୀକୁ ପରାସ୍ତ କରିବାର ପର୍ବ। ଆମେ ପ୍ରତିବର୍ଷ ରାବଣ ଦହନ କରିଥାଉଁ, ହେଲେ ଏହି ପରମ୍ପରାରୁ ଆମର କଣ ଶିଖିବାର ରହିଛି ? ରାବଣକୁ ଜଳାଇବା ସମୟରେ ଆମର ଏକମାତ୍ର ସଂକଳ୍ପ ହେବା ଉଚିତ ଯେ, ଆମେ ମଧ୍ୟ ଆମ ଭିତରେ, ଆମ ସମାଜରେ, ଆମର ଜାତୀୟ ଜୀବନରେ, ଯାହା ଯାହା ଦୁର୍ଗୁଣ ରହିଛି ତାହାକୁ ନିଶ୍ଚୟ ଶେଷ କରିବା। ପ୍ରତିବର୍ଷ ଜଳାଇବା ସମୟରେ ଆମକୁ ଆମ ମଧ୍ୟରେ ରହିଥିବା ଦୁର୍ଗୁଣକୁ ଶେଷ କରିବାର ସଂକଳ୍ପକୁ ମଜଭୁତ କରିବା ଉଚିତ ଏବଂ ଏହି ବିଜୟା ଦଶମୀ ସମୟରେ ଏହାର ହିସାବ- ନିକାଶ କରିବା ଉଚିତ ଯେ, ଆମେ କେତେ ଦୁର୍ଗୁଣକୁ ନଷ୍ଟ କଲୁ।

ଆଜି ହୁଏତ ରାବଣର ସେ ସମୟର ରୂପ ନାହିଁ। ଆଜି ହୁଏତ ସେଦିନ ପରି ରାମ-ରାବଣର ଯୁଦ୍ଧ ମଧ୍ୟ ହେବନି। କିନ୍ତୁ ଆମ ଭିତରେ ଚାଲିଥିବା ଅନ୍ତର୍ଦ୍ଵନ୍ଦ୍ଵ ଏକ ନିରବଚ୍ଛିନ୍ନ ଭାବରେ ଚାଲିଥିବା ପ୍ରକ୍ରିୟା । ତେଣୁ ଏହି ଦଶହରା ଶବ୍ଦ ଆମକୁ ଆଉ ଏକ ବାର୍ତ୍ତା ଦେଉଛି ଯେ, ଆମ ଭିତରେ ଥିବା ଦଶଟି ଦୁର୍ଗୁଣକୁ ଆମେ ଦୂର କରିବା। ଯାହାସବୁ ଜୀବନକୁ ପତନ ଆଡକୁ ନେଇଯାଏ, ସେସବୁ ଉପରେ ବିଜୟ ଲାଭ ନ କଲେ ଜୀବନ କେବେ ହେଲେ ସଫଳ ହୁଏନି। ପ୍ରତ୍ୟେକଙ୍କ ଭିତରେ ସବୁକିଛି ଦୂର କରିଦେବାର ଶକ୍ତି ନ ଥାଏ। କିନ୍ତୁ ନିଜ ଭିତରେ ଥିବା ଦୁର୍ଗୁଣକୁ ଦୂର କରିବାର ପ୍ରୟାସ କରିବାର ଶକ୍ତି ଈଶ୍ଵର ସମସ୍ତଙ୍କୁ ଦେଇଥାଏ। ତେଣୁ ସାମାଜିକ ଦୃଷ୍ଟିକୋଣରୁ, ବ୍ୟକ୍ତି ଦୃଷ୍ଟିକୋଣରୁ, ରାଷ୍ଟ୍ର ଦୃଷ୍ଟିକୋଣରୁ, ଆମ ମଧ୍ୟରେ ଚିନ୍ତାଧାରା ରୂପରେ, ଆଚାର-ବ୍ୟବହାର ରୂପରେ, ଗ୍ରନ୍ଥି ରୂପରେ, ଖରାପ ଚିନ୍ତାଧାରା ରୂପରେ ଯେଉଁ ରାବଣ ରହିଛି, ସେହି ରାବଣକୁ ଶେଷ କରି ଆମକୁ ଏହି ରାଷ୍ଟ୍ରକୁ ଗୌରବଶାଳୀ କରିବାକୁ ହେବ।

ଏହି ସମିତି ପ୍ରତି ମୁଁ ଏଥିପାଇଁ କୃତଜ୍ଞ, କାରଣ, ଯେଉଁଭଳି ଲୋକମାନ୍ୟ ତିଳକ୍ ଗଣେଶ ଉତ୍ସବକୁ ସାର୍ବଜନୀନ ରୂପ ଦେଇ ସାମାଜିକ ଚେତନା ଜାଗ୍ରତ କରିବାର ଗୋଟିଏ ସୁଯୋଗରେ ପରିଣତ କରିଦେଇଥିଲେ, ସେହିଭଳି ଆପଣମାନେ ମଧ୍ୟ ଏହି ରାମଲୀଳାକୁ ମଞ୍ଚସ୍ଥ କରି କେବଳ ଗୋଟିଏ ପୁରୁଣା ବସ୍ତୁକୁ ଭକ୍ତିଭାବ ସହ ମନେ ପକାଇବା ଯାଏ ସୀମିତ ରଖିନାହାନ୍ତି, କେବଳ ଯେ ନୂଆ ପିଢି କୌତୁହଳବଶତଃ ଏହାକୁ ଦେଖୁ ଏବଂ କଳାକାରମାନଙ୍କୁ ସୁଯୋଗ ମିଳୁ ଏତିକିରେ ସୀମିତ ରଖିନାହାନ୍ତି। କିନ୍ତୁ ରାମଲୀଳା ସମୟରେ ଆପଣ ସମାଜରେ ରହିଥିବା କୌଣସି ନା କୌଣସି କୁସଂସ୍କାର କିମ୍ବା ସମାଜର କୌଣସି ସଦଗୁଣ ଯାହା ଉପରେ ଆଲୋକପାତ କରିବାକୁ ଚାହୁଛନ୍ତି, ତାହାକୁ କେନ୍ଦ୍ରରେ ରଖି ଆପଣ ଏହି ରାମଲୀଳାକୁ ମସ୍ଥ କରିବାର ପରମ୍ପରା ସୃଷ୍ଟି କରିଛନ୍ତି। ମୋ ମତରେ ଗୋଟିଏ ଚମତ୍କାର ଏବଂ ସମଗ୍ର ଦେଶ ପାଇଁ ଏକ ପ୍ରେରଣା ଲାଭ କଲା ଭଳି କାର୍ଯ୍ୟ ଏଠାରେ ରାମଲୀଳା ମାଧ୍ୟମରେ ହେଉଛି। ସେହି ରାମାୟଣର ଚରିତ୍ରମାନଙ୍କ ମାଧ୍ୟମରେ ମଧ୍ୟ ଆମେ ଆଧୁନିକ ଜୀବନ ପାଇଁ ବାର୍ତ୍ତା ଦେଇପାରିବା, ଏହି ଶକ୍ତି ସେଥିରେ ନିହିତ। ଏହା ହିଁ ତ ଏହି ଦେଶର ବିଶେଷତ୍ୱ, ହଜାର ହଜାର ବର୍ଷର ଆମର ସାଂସ୍କୃତିକ ପରମ୍ପରାକୁ ଗୋଟିଏ ପିଢିରୁ ଅନ୍ୟ ପିଢିକୁ ପହଞ୍ଚାଇବା ପାଇଁ କଥା ଏବଂ କଳା ମାଧ୍ୟମରେ ଏହି ପରମ୍ପରାକୁ ଆମେ ଜୀବିତ ରଖିଛୁ। ସାମାଜିକ ଜୀବନରେ ଏହା ଅତି ମୂଲ୍ୟବାନ।

ଚଳିତ ବର୍ଷ ମସ୍ଥ ହେବାର ବିଷୟ ବସ୍ତୁ ରହିଛି ଆତଙ୍କବାଦ। ଆତଙ୍କବାଦ ମାନବିକତାର ଶତୃ ଏବଂ ଭଗବାନ ରାମ ମାନବିକତାର ପ୍ରତିନିଧିତ୍ୱ କରନ୍ତି, ମାନବିକତାର ଉଚ୍ଚ ମୂଲ୍ୟବୋଧର ପ୍ରତିନିଧିତ୍ୱ କରନ୍ତି, ଆଦର୍ଶ ଏବଂ ମର୍ଯ୍ୟାଦାକୁ ଗୁରୁତ୍ୱ ଦେଇଛନ୍ତି, ବିବେକ, ତ୍ୟାଗ ଏବଂ ତପସ୍ୟାର ଏକ ଉଦାହରଣ ଆମ ପାଇଁ ଛାଡିଯାଇଛନ୍ତି। ଆତଙ୍କବାଦ ବିରୁଦ୍ଧରେ ପ୍ରଥମେ କିଏ ଲଢିଥଲା ? କୌଣସି ସୈନ୍ୟ ଥିଲା କି ? କୌଣସି ନେତା ଥିଲା କି?

ରାମାୟଣ ସାକ୍ଷୀ ରହିଛି ଯେ, ଆତଙ୍କବାଦ ବିରୁଦ୍ଧରେ ପ୍ରଥମେ ଯଦି କିଏ ଲଢିଛି, ତେବେ ସିଏ ହେଉଛି ଜଟାୟୂ। ଜଣେ ନାରୀ ର ସମ୍ମାନ ପାଇଁ ରାବଣ ଭଳି ଜଣେ ସକ୍ଷମ ଶକ୍ତି ବିରୁଦ୍ଧରେ ଏକା ଜଟାୟୂ ଲଢି ଚାଲିଲା, ସଂଗ୍ରାମ କରି ଚାଲିଲା। ଆଜି ମଧ୍ୟ ଯଦି କେହି ନିର୍ଭୟତାର ବାର୍ତ୍ତା ଦେଉଥାଏ, ତେବେ ସିଏ ହେଲା ଜଟାୟୂ। ତେଣୁ ଶହେ ପଚିଶ କୋଟି ଦେଶବାସୀ, ଆମେ ରାମ ତ ହୋଇପାରିବା ନାହିଁ, କିନ୍ତୁ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଆମେ ଜଟାୟୂ ରୂପରେ ତ କିଛି ଭୂମିକା ତୁଲାଇ ପାରିବା। ଯଦି ଶହେ ପଚିଶ କୋଟି ଦେଶବାସୀ ଏକ ହୋଇ ଆତଙ୍କବାଦୀଙ୍କର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖନ୍ତି, ସାବଧାନ ରହନ୍ତି ତେବେ ଆତଙ୍କବାଦୀମାନେ ସଫଳ ହେବା ଖୁବ କଠିନହୋଇଥାଏ।

ଆଜିକୁ 30-40ବର୍ଷ ପୂର୍ବେ ଭାରତ ଯେତେବେଳେ ଆତଙ୍କବାଦ ଜନିତ ଏହାର ଅସୁବିଧା ସµର୍କରେ ଯେତେବେଳେ ଆଲୋଚନା କରୁଥିଲା, ତାହା ବିଶ୍ଵ ପାଇଁ ଗ୍ରହଣୀୟ ହେଉ ନ ଥିଲା। 1992-93ମସିହା କଥା ମୋର ମନେ ଅଛି। ମୁଁ ଆମେରିକାର State Department ର State Secretary ଙ୍କ ସହ କଥା ହେଉଥିଲି, ଆଉ ଯେତେବେଳେ ଆତଙ୍କବାଦ ସମ୍ପର୍କରେ ଆଲୋଚନା କରୁଥିଲି, ସେତେବେଳେ ସେ ମୋତେ କହିଥିଲେ ଯେ ଏହା ଆପଣଙ୍କ ଆଇନ-ଶୃଙ୍ଖଳାର ସମସ୍ୟା। ମୁଁ ତାଙ୍କୁ ବୁଝାଉଥିଲି ଯେ, ଏହା ଆଇନ-ଶୃଙ୍ଖଳାର ସମସ୍ୟା ନୁହେଁ, ଆତଙ୍କବାଦ ଏକ ଭିନ୍ନ ସମସ୍ୟା, ତଥାପି ସେ ସନ୍ତୁଷ୍ଟ ହେଉ ନ ଥିଲେ। କିନ୍ତୁ 26/11ପରେ ସମଗ୍ର ବିଶ୍ଵ ବୁଝିସାରିଛି ଯେ, ଆତଙ୍କବାଦ କେତେ ଭୟଙ୍କର । ଯଦି କେହି ଭାବୁଛି ଯେ ସେ ଆତଙ୍କବାଦର ସ୍ପର୍ଶରୁ ଦୂରରେ ରହିଛି ତେବେ ଏହା ତାର ଭୂଲ ଧାରଣା। ଆତଙ୍କବାଦର କୌଣସି ସୀମା ନ ଥାଏ, କୌଣସି ମର୍ଯ୍ୟାଦା ନ ଥାଏ, ଏହା ଯେ କୌଣସି ସ୍ଥାନକୁ ଯାଇ ଯେ କୌଣସି ମାନବିକତାବାଦୀ ବସ୍ତୁ କୁ ନଷ୍ଟ କରିବା ପାଇଁ ତତ୍ପର । ତେଣୁ ବିଶ୍ଵର ମାନବିକତାବାଦୀ ଶକ୍ତିଗୁଡିକ ଆତଙ୍କବାଦ ବିରୁଦ୍ଧରେ ଏକଜୁଟ ହେବା ଅନିବାର୍ଯ୍ୟ ହୋଇପଡିଛି। ଯେଉଁମାନେ ଆତଙ୍କବାଦ କରୁଛନ୍ତି ସେମାନଙ୍କୁ ସମୂଳେ ନଷ୍ଟ କରିବାର ଆବଶ୍ୟକତା ଦେଖାଦେଇଛି। ଯେଉଁମାନେ ଆତଙ୍କବାଦକୁ ଆଶ୍ରୟ ଦେଉଛନ୍ତି, ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଛନ୍ତି, ଏବେ ତ ସେମାନଙ୍କୁ ମଧ୍ୟ ଛଡାଯିବା ଉଚିତ ନୁହେଁ। ସମଗ୍ର ବିଶ୍ଵ ବିନାଶ ହେଉଛି। ବିଗତ ଦୁଇ ଦିନରୁ ଆମେ ଟିଭିରେ ସିରିୟାଲର ଗୋଟିଏ ଛୋଟ ବାଳିକାର ଚିତ୍ର ଦେଖୁଛୁ, ଦୁଇ ଦିନରୁ ଆମେ ଟିଭିରେ ସିରିୟାଲର ଗୋଟିଏ ଛୋଟ ବାଳିକାର ଚିତ୍ର ଦେଖୁଛୁ, ଆଖିରେ ଲୁହ ଭରି ଯାଉଛି। କିଭଳି ନିର୍ଦ୍ଦୋଶମାନଙ୍କୁ ହତ୍ୟା କରାଯାଉଛି। ତେଣୁ ଆଜି ଯେତେବେଳେ ଆମେ ରାବଣ ବଧ ଏବଂ ରାବଣ ପୋଡି କରୁଛୁ, ସେତେବେଳେ, କେବଳ ଭାରତ ନୁହେଁ, କେବଳ ମୁଁ ଓ ଆପଣ ନୁହେଁ ବରଂ ବିଶ୍ଵର ସମସ୍ତ ମାନବିକତାବାଦୀ ଶକ୍ତି ଏକାଠି ହୋଇ ଆତଙ୍କବାଦ ବିରୁଦ୍ଧରେ ଏହି ଯୁଦ୍ଧ ଲଢିବାକୁ ହେବ। ଆତଙ୍କବାଦର ମୂଳୋତ୍ପାଟନ ବିନା ମାନବିକତାର ସୁରକ୍ଷା ସମ୍ଭବ ନୁହେଁ।

ଭାଇ ଓ ଭଉଣୀମାନେ, ଆମ ସମାଜରେ ଥିବା ଦୁର୍ଗୁଣଗୁଡିକୁ ମଧ୍ୟ ଆମକୁ ନଷ୍ଟ କରିବାକୁ ପଡିବ ଏବଂ ବିଜୟା ଦଶମୀରୁ ଆମକୁ ଏହି ପ୍ରେରଣା ଗ୍ରହଣ କରିବାକୁ ପଡିବ। ଏଗୁଡିକ ଛୋଟ ଛୋଟ କଥା ହୋଇଥାଉ କିନ୍ତୁ ଏଗୁଡିକ ମଧ୍ୟ ରାବଣର ଗୋଟିଏ ଗୋଟିଏ ରୂପ। ଦୁରାଚାର, ଦୁର୍ନିତି, ଏଗୁଡିକ ଆମ ସମାଜକୁ ନଷ୍ଟ କରୁଥିବା ରାବଣ ନୁହେଁ ତ ଆଉ କଣ? ଏଗୁଡିକୁ ନଷ୍ଟ କରିବା ପାଇଁ ମଧ୍ୟ ଦେଶର ନାଗରିକମାନଙ୍କୁ ସଂକଳ୍ପବଦ୍ଧ ହେବାକୁ ପଡିବ।

ଅପରିଷ୍କାର ମଧ୍ୟ ରାବଣର ଗୋଟିଏ ଛୋଟିଆ ରୂପ। ଏହି ଅପରିଷ୍କାରିତା ହିଁ ଆମର ଗରିବ ପିଲାମାନଙ୍କ ଜୀବନ ନେଇଯାଉଛି। ଅସୁସ୍ଥତା ଗରିବ ପରିବାରମାନଙ୍କ ପାଇଁ ବିନାଶର କାରଣ ହେଉଛି। ଆମେ ଯଦି ଅପରିଷ୍କାରିତାରୁ ମୁକ୍ତ ହେବା, ଅପରିଷ୍କାରିତା ରୂପୀ ରାବଣ କବଳରୁ ମୁକ୍ତ ହେବା ତାହେଲେ, ଦେଶର କୋଟି କୋଟି ପରିବାର ଯେଉଁମାନେ କମ ବୟସରେ ମୃତ୍ୟୁବରଣ କରୁଛନ୍ତି, ରୁଗ୍ଣ ହୋଇଯାଉଛନ୍ତି, ସେମାନଙ୍କୁ ଆମେ ରକ୍ଷା କରିପାରିବା । ନିରକ୍ଷରତା, ଅନ୍ଧବିଶ୍ବାସ, ଏଗୁଡିକ ମଧ୍ୟ ସମାଜକୁ ନଷ୍ଟ କରୁଥିବା ଆମ ଦୋଷ-ଦୁର୍ବଳତା। ଏସବୁ କବଳରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମକୁ ସଂକଳ୍ପବଦ୍ଧ ହେବାକୁ ପଡିବ।

ଆଜି ଏକ ପକ୍ଷରେ ଆମେ ବିଜୟା ଦଶମୀ ପର୍ବ ପାଳନ କରୁଛୁ, ଅପର ପକ୍ଷରେ ଏହି ସମୟରେ ସମଗ୍ର ବିଶ୍ଵ ଆଜି Girl Child Day ପାଳନ କରୁଛି। ଆଜି ହେଉଛି Girl Child Day । ମୁଁ ଟିକିଏ ନିଜକୁ ପଚାରିବାକୁ ଚାହେଁ, ମୁଁ ଦେଶବାସୀଙ୍କୁ ପଚାରିବାକୁ ଚାହେଁ, ଯେ ଜଣେ ସୀତା ମାତାଙ୍କ ଉପରେ ଅତ୍ୟାଚାର କରିଥିବା ରାବଣକୁ ତ ପ୍ରତିବର୍ଷ ଜଳାଇବାକୁ ଆମେ ସଂକଳ୍ପ ଗ୍ରହଣ କରିଛୁ, ପିଢି ପରେ ପିଢି ଏହି ପରମ୍ପରା ରକ୍ଷା ହୋଇଚାଲିଥିବ, କାରଣ ସେ ସୀତା ମାତାଙ୍କର ଅପହରଣ କରିଥିଲା। କିନ୍ତୁ ଆମେ କେବେ ହେଲେ ଚିନ୍ତା କରିଛୁ କି, ବିଶ୍ଵ ଆଜି ଯେତେବେଳେ Girl Child Day ପାଳନ କରୁଛି, ସେତେବେଳେ ଆମେ ପୁଅ ଓ ଝିଅ ମଧ୍ୟରେ ଭେଦଭାବ କରି ଆମେ କେତେ ଯେ ସୀତାଙ୍କୁ ମାତୃ ଗର୍ଭରେ ହତ୍ୟା କରୁଛୁ। ଆମ ଭିତରର ଏହି ରାବଣକୁ କିଏ ବିନାଶ କରିବ? କଣ ଆଜି ଏକବିଂଶ ଶତାବ୍ଦିରେ ବି ମା ର ଗର୍ଭରେ ଝିଅମାନଙ୍କୁ ହତ୍ୟା କରାଯାଉଥିବ? ଗୋଟିଏ ସୀତା ପାଇଁ ଯଦି ଜଟାୟୂ ନିଜ ପ୍ରାଣ ବଳି ଦେଉଛି, ତେବେ ଆମ ଘରେ ଜନ୍ମ ନେଉଥିବା ସୀତାକୁ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ଘରେ ପୁଅ ଜନ୍ମ ହେଲେ ଯେତେ ସ୍ଵାଗତ-ସମ୍ମାନର ଆୟୋଜନ ହେଉଛି, ଝିଅ ଜନ୍ମ ହେଲେ ତା ଠାରୁ ଅଧିକ ସ୍ଵାଗତ-ସମ୍ମାନର ଆୟୋଜନ ହେଉ, ଆମକୁ ନିଜ ସ୍ଵଭାବରେ ଏଭଳି ପରିବର୍ତ୍ତନ କରିବାକୁ ପଡିବ।

ଏଥର ଅଲିମ୍ପିକ୍ସରେ ଝିଅମାନେ ଆମ ଦେଶ ପାଇଁ ସୁନାମ ଆଣିଦେଲେ। ଆମର ପୁଅ-ଝିଅ ମଧ୍ୟରେ ଭେଦଭାବ ଏହି ରାବଣ ରୂପି ଚିନ୍ତାଧାରାର ହିଁ ଅଂଶ ଅଟେ। ଶିକ୍ଷିତ ହୁଅନ୍ତୁ, ଅଶିକ୍ଷିତ ହୁଅନ୍ତୁ, ଧନୀ ହୁଅନ୍ତୁ, ଗରିବ ହୁଅନ୍ତୁ, ସହରୀ ହୁଅନ୍ତୁ, ଗାଉଁଲୀ ହୁଅନ୍ତୁ, ହିନ୍ଦୁ ହୁଅନ୍ତୁ, ମୁସଲମାନ ହୁଅନ୍ତୁ, ଶିଖ୍ ହୁଅନ୍ତୁ, ଖ୍ରୀଷ୍ଟିଆନ ହୁଅନ୍ତୁ, ବୌଦ୍ଧ ହୁଅନ୍ତୁ, – ଯେ କୌଣସି ସମ୍ପ୍ରଦାୟର ହୁଅନ୍ତୁ ନା କାହିଁକି, ଯେ କୌଣସି ଅର୍ଥନୈତିକ ପୃଷ୍ଠଭୂମିର ହୁଅନ୍ତୁ ନା କାହିଁକି, ଯେ କୌଣସି ସାମାଜିକ ପୃଷ୍ଠଭୂମିର ହୁଅନ୍ତୁ, ହେଲେ ଝିଅମାନେ ସମାନ ହେବା ଉଚିତ, ମହିଳମାନଙ୍କ ଅଧିକାର ସମାନ ହେବା ଉଚିତ। ଏକବିଂଶ ଶତାବ୍ଦିରେ ମହିଳାମାନଙ୍କୁ ନ୍ୟାୟ ମିଳିବା ଉଚିତ। ସେମାନେ ଯେ କୌଣସି ପରମ୍ପରା ସହିତ ଜଡିତ ଥାଆନ୍ତୁ ନା କାହିଁକି, ଯେ କୌଣସି ସମାଜ ସହିତ ଜଡିତ ଥାଆନ୍ତୁ ନା କାହିଁକି, ମହିଳାମାନଙ୍କୁ ସମ୍ମାନ ଦେବାର ଏହି ଯୁଗକୁ ଆମକୁ ସ୍ଵୀକାର କରିବାକୁ ହେବ। ଝିଅମାନଙ୍କ ଗୌରବ ବୃଦ୍ଧି କରିବାକୁ ହେବ। ଝିଅମାନଙ୍କୁ ରକ୍ଷା କରିବାକୁ ପଡିବ। ଆମ ଭିତରେ ପରିବ୍ୟାପ୍ତ ଭିନ୍ନ ଭିନ୍ନ ରୂପର ଏହି ରାବଣ କବଳରୁ ଏହି ଦେଶକୁ ମୁକ୍ତ କରିବାକୁ ହେବ। ତେଣୁ ଯେତେବେଳେ ଲକ୍ଷ୍ମଣଙ୍କ ନଗରୀକୁ ଆସିଛି, ଗୋସ୍ଵାମୀ ତୁଳସୀଦାସଙ୍କ ଭୂମିକୁ ଆସିଛି . . ., ଶ୍ରୀକୃଷ୍ଣଙ୍କ ଜୀବନରେ ଯୁଦ୍ଧ ଥିଲା, ରାମଙ୍କ ଜୀବନରେ ମଧ୍ୟ ଯୁଦ୍ଧ ହୋଇଥିଲା। କିନ୍ତୁ ଆମେ ସେହି ଲୋକ ଯିଏ ଯୁଦ୍ଧରୁ ବୁଦ୍ଧ ଦିଗକୁ ଚାଲିଯାଆନ୍ତି। ସମୟର ବନ୍ଧନ ଯୋଗୁ, ପରିସ୍ଥିତିର ଆବଶ୍ୟକତା ଯୋଗୁ, ଯୁଦ୍ଧ ବେଳେ ବେଳେ ଅନିବାର୍ଯ୍ୟ ହୋଇପଡେ। କିନ୍ତୁ ଧରଣୀର ମାର୍ଗ ଯୁଦ୍ଧ ନୁହେଁ, ବୁଦ୍ଧର ମାର୍ଗ ଅଟେ। ଏହି ଦେଶ, ଯେଉଁଠି ଯୁଦ୍ଧ କ୍ଷେତ୍ରରେ ଗୀତାର ବାର୍ତ୍ତା ଦେଇଥିବା ସୁଦର୍ଶନ ଚକ୍ରଧାରୀ ମୋହନଙ୍କୁ ଯୁଗପୁରୁଷ ଭାବରେ ଗ୍ରହଣ କରିଛି, ସେଠି ଅହିଂସାର ବାର୍ତ୍ତା ଦେଇଥିବା ଚରଖାଧାରୀ ମୋହନଙ୍କୁ ମଧ୍ୟ ଯୁଗପୁରୁଷ ଭାବେ ଗ୍ରହଣ କରିଛି। ଏହା ହିଁ ଏହି ଦେଶର ବିଶେଷତ୍ଵ ଯେ, ଆମେ ନିକିତିର ଉଭୟ ପଟକୁ ସନ୍ତୁଳିତ କରିବା ଜାଣୁ। ସେଥିପାଇଁ ତ ଆମେ ଯୁଦ୍ଧରୁ ବୁଦ୍ଧ ଦିଗକୁ ଗତି କରୁଥିବା ଲୋକ। ଆମେ ଆମ ଭିତରର ରାବଣର ବିନାଶ ପାଇଁ ସଂକଳ୍ପ ଗ୍ରହଣ କରିବା ଲୋକ। ଆମ ଦେଶକୁ ସୁଜଳାମ୍-ସୁଫଳାମ୍ କରିବାର ସଂକଳ୍ପ କରି ବାହାରି ଥିବା ଲୋକ ।

ରାମଲୀଳା ଅନୁଷ୍ଠିତ ହେଉଥିବା ଏହି ମାଟି ଅତି ପ୍ରାଚୀନ। ଅନେକ ପିଢିର ବାଳକ ଏହି ମାଟିରେ ରାମ, ଲକ୍ଷ୍ମଣ ଏବଂ ସୀତା ରୂପରେ ଅବତରିତ ହୋଇଥିବେ, ସେହି ସମୟରେ ସେମାନେ ମଣିଷ ହୋଇ ରହି ନ ଥାନ୍ତି, ସେମାନେ ଭକ୍ତି ରସରେ ବୁଡି ରହିଥାନ୍ତି। ସେମାନେ କେବଳ ଚରିତ୍ର ହୋଇ ରହନ୍ତି ନାହିଁ, ସେମାନେ ପରମାତ୍ମାଙ୍କ ଅଂଶ ପାଲଟି ଯାଆନ୍ତି। ସେହି ମାଟି  ଉପରୁ ଆଜି ଆମ ଭିତରେ ରହିଥିବା ରାବଣ ବିରୁଦ୍ଧରେ – ତାହା ଜାତିପ୍ରଥା ହେଉ, ବଂଶପ୍ରଥା ହେଉ, ଉଚ୍ଚ-ନୀଚ୍ଚର ଭେଦଭାବ ହେଉ, ସାମ୍ପ୍ରଦାୟୀକତାର ନିଶା ହେଉ, ଏସବୁ ଦୁର୍ଗୁଣ କୌଣସି ନା କୌଣସି ରୂପରେ ପରିବ୍ୟାପ୍ତ ରାବଣର ରୂପ। ଏସବୁକୁ ନଷ୍ଟ କରିବା, ଏଥିରୁ ମୁକ୍ତି ପାଇବା ଏବଂ ଏକାତ୍ମ ଭାରତ, ଅଭିନ୍ନ ଭାରତ, ସମାନ ଭାରତ – ଏହି ସ୍ଵପ୍ନକୁ ସାକାର କରିବାର ସଂକଳ୍ପ କରି ଏହି ପବିତ୍ର ବିଜୟା ଦଶମୀ ପର୍ବରେ ଭଗବାନ ରାମଚନ୍ଦ୍ରଙ୍କର ଆଶୀର୍ବାଦ ଆମ ଉପରେ ରହିଥାଉ। ମାନବିକତାର ପଥରେ ଚାଲିବା ପାଇଁ ଆମକୁ ଶକ୍ତି ମିଳୁ। ବୁଦ୍ଧଙ୍କ ମାର୍ଗ ଆମର ଅନ୍ତିମ ମାର୍ଗ ହେଉ।

ଏହି ଗୋଟିଏ ଆଶା ସହିତ ଆପଣ ସମସ୍ତଙ୍କୁ ବିଜୟା ଦଶମୀ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ମୋ ସହିତ ପୂରା ଯୋରରେ କହନ୍ତୁ

– ଜୟ ଶ୍ରୀ ରାମ, ଧ୍ଵନୀ ଯେଭଳି ଦୂର-ଦୂରାନ୍ତକୁ ଶୁଭେ, ଜୟ ଶ୍ରୀ ରାମ, ଜୟ ଶ୍ରୀ ରାମ, ଜୟ ଜୟ ଶ୍ରୀ ରାମ, ଜୟ ଜୟ ଶ୍ରୀ ରାମ ।

*****