Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇସ୍ରାଏଲ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଇସ୍ରାଏଲ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ଇସ୍ରାଏଲ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ପ୍ରଦାନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


ମହାମହିମ ରାଷ୍ଟ୍ରପତି ରୁବେନ ରିବଲିନ

ଗଣମାଧ୍ୟମର ବନ୍ଧୁମାନେ,

ରାଷ୍ଟ୍ରପତି ରୁବେନ ରିବଲିନ ଏବଂ ତାଙ୍କ ପ୍ରତିନିଧିଦଳର ବିଶିଷ୍ଟ ସଦସ୍ୟମାନଙ୍କୁ ଭାରତକୁ ସ୍ୱାଗତ କରି ମୁଁ ଗୌରାବାନ୍ୱିତ । ଭାରତକୁ ପ୍ରଥମ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ରିବଲିନ । ଏହି ସ୍ୱତନ୍ତ୍ର ଅବସରରେ ତାଙ୍କୁ ସ୍ୱାଗତ କରି ଆମେ ବେଶ ଆନନ୍ଦିତ । ମହାମହିମ, ଭାରତ-ଇସ୍ରାଏଲ ସହଭାଗୀତାର ନୂତନ ସ୍ତମ୍ଭକୁ ବଳିଷ୍ଠ କରି ଗଢ଼ିବାରେ ଆପଣଙ୍କର ଭାରତ ଗସ୍ତ ବେଶ ସହାୟକ ହେବ । ଏହାଛଡା ଗତ ବର୍ଷ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଥମ ଇସ୍ରାଏଲ ଗସ୍ତ ଫଳରେ ଦ୍ୱିପାକ୍ଷିକ ସମ୍ପର୍କକୁ ଯେଉଁ ଗତି ମିଳିଛି ତାହା ମଧ୍ୟ ଆପଣଙ୍କ ଭାରତ ଗସ୍ତ ଯୋଗୁ ଆହୁରି ସୁଦୃଢ଼ ହେବ । ଆସନ୍ତା ବର୍ଷ ଦୁଇ ରାଷ୍ଟ୍ର ତାଙ୍କର ପୂର୍ଣ୍ଣାଙ୍ଗ କୂଟନୈତିକ ସମ୍ପର୍କ ସ୍ଥାପନର ୨୫ତମ ବର୍ଷ ପାଳନ କରିବେ । ଆମେ ଏହି ବୃହତ୍ ମାଇଲ ଖୁଣ୍ଟର ନିକଟତର ହେଉଥିବା ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଆମର ସହଭାଗୀତାକୁ ସୁଦୃଢ଼ ଓ ଆହୁରି ଆଗେଇନେବାକୁ ପ୍ରତିବଦ୍ଧ । ବୈଶ୍ୱିକ ଓ ଆଂଚଳିକ ସ୍ତରରେ ଆମର ସ୍ୱାର୍ଥ, ସଂବେଗ ଓ ସମସ୍ୟାଗୁଡିକର ସମାନତା ଓ ସଂଯୋଗକୁ ଆଧାର କରି ତା ଉପରେ ଦୁଇ ରାଷ୍ଟ୍ରର ମିତ୍ରତା ଗଢ଼ିବାକୁ ପଡିବ ।

ବନ୍ଧୁଗଣ,

ଆମର ସହଭାଗୀତା ବହୁମୁଖୀ ଓ ପରିବ୍ୟାପ୍ତ । ଆମେ ବିଭିନ୍ନ କ୍ଷେତ୍ରରେ ଭାଗିଦାର ହୋଇଛୁ: –

• କୃଷି ଉତ୍ପାଦକତା ଓ ଦକ୍ଷତା ବୃଦ୍ଧି

• ଗବେଷଣା ଓ ନବସୃଜନର ଯୋଗସୂତ୍ରକୁ ବଳ ପ୍ରଦାନ

• ସମାଜର ମଙ୍ଗଳ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି କୌଶଳର ପ୍ରୟୋଗାତ୍ମକ ନିୟୋଜନ

• ବାଣିଜ୍ୟ ଓ ପୁଂଜିନିବେଶଗତ ସମ୍ବନ୍ଧକୁ ଆହୁରି ମଜବୁତ କରି ଗଢ଼ିବା

• ଆମ ଲୋକମାନଙ୍କର ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ସାମରିକ ସମ୍ବନ୍ଧକୁ ଆହୁରି ସୁଦୃଢ଼ କରିବା

• ପର୍ଯ୍ୟଟନ ଓ ସାଂସ୍କୃତିକ କ୍ଷେତ୍ରରେ ପରସ୍ପର ଲୋକଙ୍କ ମଧ୍ୟରେ ସମ୍ବନ୍ଧକୁ ପରିବ୍ୟାପ୍ତ କରିବା

• ଶିକ୍ଷାଗତ ଆଦାନପ୍ରଦାନର ବିକାଶ । ଦୁଇ ଦେଶର ଛାତ୍ରଛାତ୍ରୀମାନେ ଏବେ ଅଧିକରୁ ଅଧିକ ସଂଖ୍ୟାରେ ପରସ୍ପର ରାଷ୍ଟ୍ରକୁ ଯାଇ ଉଚ୍ଚତର ଅଧ୍ୟୟନ ଓ ଗବେଷଣା କରୁଥିବାରୁ ସେ ପ୍ରକାର ଦ୍ୱିପାକ୍ଷିକ ଆଦାନପ୍ରଦାନକୁ ଆହୁରି ବ୍ୟାପକ କରିବା ଦିଗରେ ଉଦ୍ୟମ ଜାରି ରଖିବା ।

ବନ୍ଧୁଗଣ,

କିଛି ସମୟ ପୂର୍ବରୁ, ଆଜି ଆମର ଦ୍ୱିପାକ୍ଷିକ ଆଲୋଚନା କାଳରେ ରାଷ୍ଟ୍ରପତି ରିବଲିନ ଏବଂ ମୁଁ ଆମ ଦୁଇ ରାଷ୍ଟ୍ର ମଧ୍ୟରେ ଅନେକ କ୍ଷେତ୍ରରେ ସହଯୋଗିତାର ବ୍ୟାପକ ସୁଯୋଗ ରହିଥିବା ସ୍ୱୀକାର କରୁଛୁ । ଆମେ କୃଷି କ୍ଷେତ୍ରରେ ଇସ୍ରାଏଲର ଆଧୁନିକ ଜ୍ଞାନକୌଶଳ ସହ ବେଶ ପରିଚିତ । ବିଶେଷକରି ଜଳସମ୍ପଦର ପରିଚାଳନା ଏବଂ ମରୁଡି ପ୍ରବଣ ଅଂଚଳରେ ସୂକ୍ଷ୍ମ ଜଳସେଚନ ପଦ୍ଧତିର ବିଶେଷ ଜ୍ଞାନ ଇସ୍ରାଏଲ ପାଖରେ ରହିଛି । ଆମ ପାଇଁ ଜଳସମ୍ପଦର ପରିଚାଳନା ଓ ସଂରକ୍ଷଣ ବିଶେଷ ମହତ୍ୱ ବହନ କରେ । ଏବଂ ଏହି ଦୁଇଟି କ୍ଷେତ୍ରକୁ ଅଗ୍ରାଧିକାର କ୍ଷେତ୍ର ଭାବେ ଆମେ ଚିହ୍ନଟ କରିଛୁ । ସେହିପରି ବୈଜ୍ଞାନିକ ଗବେଷଣା ଓ ବିକାଶ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ମଧ୍ୟ ଆମେ ଅଗ୍ରପ୍ରାଧାନ୍ୟ ଦେଉଛୁ । ଏବେ ଭାରତର ଅର୍ଥ ବ୍ୟବସ୍ଥା ବହୁଳ ଭାବେ ଉନ୍ମୁକ୍ତ ହେଉଛି । ଏ ପ୍ରକାର ମୁକ୍ତ ଅର୍ଥବ୍ୟବସ୍ଥା ଇସ୍ରାଏଲର ଶିଳ୍ପ ଉଦ୍ୟୋଗ ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି । ଆମର ଆର୍ଥିକ ଉଦାରୀକରଣ ପଦକ୍ଷେପ, ସଂସ୍କାର ଓ ତଦଜନିତ କାର୍ଯ୍ୟକ୍ରମ ସହିତ ନବସୃଜନ, ଗବେଷଣା ଓ ପ୍ରଯୁକ୍ତି କୌଶଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବାରୁ ଏହା ଇସ୍ରାଏଲର ସାମର୍ଥ୍ୟ ଓ ଶକ୍ତିକୁ ସୁହାଇବ । ଆମର ମେକ-ଇନ-ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ, ସ୍କିଲ ଇଣ୍ଡିଆ ଏବଂ ସ୍ମାର୍ଟ ସିଟି ଭଳି ଧ୍ୱଜାବାହକ (ଫ୍ଲାଗସିପ୍) କାର୍ଯ୍ୟକ୍ରମରେ ଇସ୍ରାଏଲର କମ୍ପାନୀମାନେ ଭାରତୀୟ ଶିଳ୍ପ ଜଗତ ସହ ମିଶି ଅନେକ ପ୍ରକଳ୍ପ ହାତକୁ ନେଇପାରିବେ । ଏହି ଅବସରରେ ମୁଁ ଦୁଇ ଦେଶର ଘରୋଇ ଶିଳ୍ପସଂସ୍ଥାମାନଙ୍କୁ ଅଗ୍ରଣୀ ଭୂମିକା ନେଇ ବ୍ୟାପକ ସୁଯୋଗ ରହିଥିବା କ୍ଷେତ୍ରଗୁଡିକରେ ବ୍ୟବସାୟିକ ସମ୍ବନ୍ଧକୁ ବଢ଼ାଇବା ଏବଂ ବାଣିଜ୍ୟ ତଥା ପୁଞ୍ଜି ନିବେଶ କ୍ଷେତ୍ରରେ ଅଧିକରୁ ଅଧିକ ଭାଗିଦାର ହେବାପାଇଁ ଆହ୍ୱାନ କରୁଛି । ସେବା କ୍ଷେତ୍ର, ବିନିର୍ମାଣ କ୍ଷେତ୍ର ବିଶେଷ କରି ଅତ୍ୟାଧୁନିକ କାରିଗରୀ କୌଶଳଯୁକ୍ତ ବିନିର୍ମାଣ ଉଦ୍ୟୋଗରେ ଭାରତ ଓ ଇସ୍ରାଏଲର କମ୍ପାନୀମାନେ ମିଳିତ ଭାବେ କାର୍ଯ୍ୟ କରିପାରିବେ । ଆମର ଦ୍ୱିପାକ୍ଷିକ ଆଲୋଚନା କାଳରେ ରାଷ୍ଟ୍ରପତି ରିବଲିନ କହିଛନ୍ତି ଯେ, ମେକ-ଇନ-ଇଣ୍ଡିଆ ସହ ମେକ-ୱିଥ୍-ଇଣ୍ଡିଆ ଯୋଡାଗଲେ ଭାରତରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଏହା ଦୁଇ ରାଷ୍ଟ୍ର ପାଇଁ ଉପକାରସିଦ୍ଧ ସାବ୍ୟସ୍ତ ହେବ । ସୂଚନା ପ୍ରଯୁକ୍ତି ସେବା ବା ଆଇଟି କ୍ଷେତ୍ରରେ ଭାରତର ବ୍ୟାପକ ସାମର୍ଥ୍ୟ ରହିଥିବାରୁ ସେ ଦିଗରେ ଦୁଇ ଦେଶର ସହଭାଗିତା ଆମର ଅର୍ଥ ବ୍ୟବସ୍ଥାକୁ ମଜବୁତ କରିବ ।

ବନ୍ଧୁଗଣ,

ରାଷ୍ଟ୍ରପତି ରିବଲିନ ଏବଂ ମୁଁ ଆମ ଦୁଇ ଦେଶ ମଧ୍ୟରେ ଦୃଢ଼ ଓ କ୍ରମବର୍ଦ୍ଧିଷ୍ଣୁ ସମ୍ବନ୍ଧ ତଥା ସହଭାଗିତାକୁ ଅତୀବ ମୂଲ୍ୟବାନ ମନେ କରୁଛୁ । ଆମର ଦୁଇଟି ଯାକ ସମାଜ ଉଗ୍ରବାଦ ଓ ସନ୍ତ୍ରାସବାଦର ବିପଦ ଘେରରେ ରହିଛନ୍ତି । ଆମେ ସ୍ୱୀକାର କରୁଛୁ ଯେ ସନ୍ତ୍ରାସବାଦ ହେଉଛି ଏକ ବୈଶ୍ୱିକ ଆହ୍ୱାନ । ଏହାର କୌଣସି ସୀମା-ସରହଦ ନାହିଁ । ବିଭିନ୍ନ ପ୍ରକାର ସଂଗଠିତ ଆନ୍ତର୍ଜାତିକ ଅପରାଧ ସହ ସନ୍ତ୍ରାସବାଦର ଭିତିରି ସମ୍ପର୍କ ରହିଛି । ଭାରତର ପଡିଶାରେ ଏଭଳି ଏକ ରାଷ୍ଟ୍ର ରହିଛି ଯାହାକି ଏବେ ଆତଙ୍କବାଦର ମୂଳଉତ୍ସ ରୂପେ ବିଦ୍ୟମାନ ଏବଂ ସେଠାରୁ ବିଶ୍ୱର ଅନେକ ଅଂଚଳକୁ ସନ୍ତ୍ରାସବାଦର କାୟା ବିସ୍ତାର ହେଉଛି । ଏହା ଅତ୍ୟନ୍ତ ପରିତାପର ବିଷୟ । ଆମେ ଦୁଇ ରାଷ୍ଟ୍ର ସମସ୍ୱରରେ ଦାବି କରୁଛୁ ଯେ ଆନ୍ତର୍ଜାତିକ ସମୁଦାୟ ଏଭଳି ସନ୍ତ୍ରାସବାଦ ବିରୋଧରେ ମିଳିତ ସଂଗ୍ରାମ ପାଇଁ ଏକଜୁଟ ଓ ପ୍ରତିବଦ୍ଧ ହେବାକୁ ପଡିବ । ଆତଙ୍କବାଦର ନେଟୱାର୍କ ବଢାଉଥିବା ଅଂଚଳଗୁଡିକୁ ଏକଘରିଆ କରି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ । କିନ୍ତୁ ଏଭଳି ଆତଙ୍କ ବିରୋଧରେ ମୌନ ରହିବା ବା ଉଦାସୀନ ହେବା ଅଥବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଦ୍ୱାରା ସେମାନଙ୍କୁ ଅଧିକ ପ୍ରୋତ୍ସାହନ ମିଳୁଛି । ଯାହାକି ବିଶ୍ୱ ପାଇଁ ବିପଦର ମାତ୍ରାକୁ ଦ୍ୱିଗୁଣିତ କରୁଛି । ଆମେ ଦୁଇ ରାଷ୍ଟ୍ର ସହମତ ହେଲୁ ଯେ ମୌଳବାଦ ଓ ଉଗ୍ରବାଦ ଭଳି ଶକ୍ତିର କଡା ମୁକାବିଲା କରିବା ଦିଗରେ ଆମର ମିଳିତ ସହଯୋଗକୁ ଆହୁରି ମଜବୁତ କରିବୁ । ଶାନ୍ତିପ୍ରିୟ ରାଷ୍ଟ୍ରମାନଙ୍କର ନିରାପତ୍ତା ବିପନ୍ନ ହେବାପାଇଁ ଦେବୁନାହିଁ । ବିଶେଷକରି ସାଇବର କ୍ଷେତ୍ରରେ ଦୁଇ ରାଷ୍ଟ୍ରର ବାସ୍ତବବାଦୀ ଓ ନିଧାର୍ଯ୍ୟ ସହଯୋଗିତାକୁ ଅଗ୍ରାଧିକାର ଦେଇ ପଦକ୍ଷେପ ନିଆଯିବ । ଆମେ ଆମର ସାମରିକ ଭାଗିଦାରିତାର କ୍ରମବଦ୍ଧିଷ୍ଣୁ ଦିଗ ପ୍ରତି ବେଶ ସଚେତନ । ଏହାକୁ ଆହୁରି ବ୍ୟାପକ କରିବା ସହିତ ସାମରିକ କ୍ଷେତ୍ରରେ ବିନିର୍ମାଣ ଓ ଉତ୍ପାଦନକୁ ଅଗ୍ରାଧିକାର ଦେବା ଲାଗି ରାଜି ହୋଇଛୁ । ଜାତିସଂଘର ନିରାପତ୍ତା ପରିଷଦରେ ସଂସ୍କାର ଅଣାଯାଇ ସେଥିରେ ଭାରତକୁ ସ୍ଥାୟୀ ସଦସ୍ୟ ରୂପେ ଗ୍ରହଣ କରିବା ଦାବିକୁ ଇସ୍ରାଏଲର ପୂର୍ଣ୍ଣ ସମର୍ଥନ କରିଥିବା ହେତୁ ଭାରତ ତା ନିକଟରେ କୃତଜ୍ଞ ।

ବନ୍ଧୁଗଣ,

ଗଣତାନ୍ତ୍ରିକ ମୂଲ୍ୟବୋଧର ଦୁଇ ପ୍ରମୁଖ ସଦସ୍ୟ ରାଷ୍ଟ୍ର ଭାବେ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ଭାରତ-ଇସ୍ରାଏଲ ସମ୍ବନ୍ଧକୁ ନୂତନ ଶୀର୍ଷକୁ ପହଂଚାଇବ । ଭାରତରେ ଦୁଇ ହଜାର ବର୍ଷ ଧରି ରହିଆସିଥିବା ଜିଉ (Jew) ସମ୍ପ୍ରଦାୟ ଭାରତ-ଇସ୍ରାଏଲ ସମ୍ପର୍କକୁ କ୍ରମେ ସୁଦୃଢ଼ କରିବାରେ ସହାୟକ ହେଉଛନ୍ତି । ବିଭିନ୍ନତା ଭିତରେ ଏକତାର ସଂସ୍କୃତିରେ ଜିଉ ସମ୍ପ୍ରଦାୟର ବିକାଶ ଆମ ପରମ୍ପରାକୁ ଆହୁରି ସମୃଦ୍ଧ ଓ ରୁଦ୍ଧିମନ୍ତ କରୁଛି । ଭାରତରେ ଜିଉ ସମ୍ପ୍ରଦାୟର ବିକାଶରେ ଆମେ ଅତ୍ୟନ୍ତ ଗୌରାବାନ୍ୱିତ । ରାଷ୍ଟ୍ରପତି ଏବଂ ମୁଁ ଦୁଇ ରାଷ୍ଟ୍ରର ଲୋକ-ଲୋକଙ୍କ ମଧ୍ୟରେ ସମ୍ପର୍କ ତଥା ଯୋଗସୂତ୍ରକୁ ବଢ଼ାଇବା ଲାଗି ବଦ୍ଧପରିକର ଯାହାକି ଆମର ସମାନ ପ୍ରାଥମିକତା ।

ମହାମାନ୍ୟ

ଆମର ୨୫ବର୍ଷର ମୈତ୍ରୀ ଦୁଇ ରାଷ୍ଟ୍ର ପାଇଁ ଅନେକ ରୁଚିକର ଓ ସମୃଦ୍ଧ ସଫଳତା ଆଣିଛି । ଏହା ମଧ୍ୟ ବିଶ୍ୱରେ ଶାନ୍ତି, ସ୍ଥିରତା ଓ ଗଣତନ୍ତ୍ରର ବିକାଶରେ ଲାଗି ପଡିଥିବା ସ୍ୱରକୁ ମଜବୁତ କରିବାରେ ସହାୟକ ହୋଇଛି । ଆପଣଙ୍କର ଭାରତ ଗସ୍ତ ଦୁଇ ରାଷ୍ଟ୍ରର ପାରସ୍ପରିକ ସମ୍ବନ୍ଧରେ ଏକ ନୂଆ ଅଧ୍ୟାୟ ଯୋଡିବ ।
ଏହି ଶଦ୍ଦ ସହିତ ମୁଁ ପୁଣି ଥରେ ରାଷ୍ଟ୍ରପତି ରିବଲିନଙ୍କୁ ତାଙ୍କର ପ୍ରଥମ ଭାରତ ଗସ୍ତ ପାଇଁ ଭବ୍ୟ ସ୍ୱାଗତ କରୁଛି । ଏବଂ ଭାରତରେ ତାଙ୍କର ରହଣି ଫଳପ୍ରଦ ତଥା ସୁଖଦ ହେବ ବୋଲି ଆଶା ରଖିଛି ।

ଧନ୍ୟବାଦ ।