ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ସେଲଭୀ ଜେ.ଜୟଲଳିତାଙ୍କ ବିୟୋଗରେ ଶୋକପ୍ରକଟ କରାଯାଇଛି । ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ସୁଶ୍ରୀ ଜୟଲଳିତାଙ୍କର ୦୫.୧୨.୨୦୧୬ ତାରିଖରେ ବିୟୋଗ ଘଟିଥିଲା । ଜୟଲଳିତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ବିୟୋଗରେ ଏକ ଶୋକପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ଶୋକ ପ୍ରସ୍ତାବ ନିମ୍ନମତେ ଥିଲା-
୧. ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଦୁଃଖଦ ବିୟୋଗରେ କେନ୍ଦ୍ର କ୍ୟାବିନେଟ ଗଭୀର ଦୁଃଖ ପ୍ରକଟ କରୁଛି । ତାଙ୍କ ବିୟୋଗରେ ଦେଶ ଜଣେ ତୁଙ୍ଗ ତଥା ବିଶିଷ୍ଟ ନେତାଙ୍କୁ ହରାଇଲା ଯାହାଙ୍କୁ ଶ୍ରଦ୍ଧାରେ ସମସ୍ତେ “ଆମ୍ମା” ବୋଲି ସମ୍ବୋଧନ କରୁଥିଲେ ।
୨. ୧୯୪୮ ମସିହା ଫେବ୍ରୁଆରୀ ୨୪ ତାରିଖରେ ଜନ୍ମଗ୍ରହଣ କରିଥିବା ସେଲଭୀ ଜେ ଜୟଲଳିତା ବେଙ୍ଗାଲୁରୁର ବିଶପ କଟନ ବାଳିକା ଉଚ୍ଚବିଦ୍ୟାଳୟ ଏବଂ ଚେନ୍ନାଇର ଗେଜେଂଟେସନ କନଭେଂଟ ଚର୍ଚ୍ଚ ପାର୍କରୁ ଶିକ୍ଷାଲାଭ କରିଥିଲେ । ତାମିଲ, ତେଲୁଗୁ, କନ୍ନଡ, ହିନ୍ଦୀ, ଇଂରାଜୀ ଏବଂ ମାଲୟାଲମ ଚଳଚ୍ଚିତ୍ରରେ ଅଭିନୟ କରି ସେ ଅଶେଷ ସୁଖ୍ୟାତି ଅର୍ଜନ କରିଥିଲେ । ସେହିଭଳି ଭାରତନାଟ୍ୟମ, ମୋହିନୀ ଆଟମ, କଥକ ଓ ମଣିପୁରୀ ଶାସ୍ତ୍ରୀୟ ନୃତ୍ୟରେ ତାଙ୍କର ବିଶେଷ ପାରଦର୍ଶିତା ଥିଲା । ୧୯୭୨ ମସିହାରେ ତାମିଲନାଡୁ ସରକାର ତାଙ୍କୁ କଲାଇମାମଣି ସମ୍ମାନରେ ଭୂଷିତ କରିଥିଲେ ।
୩. ସେଲଭୀ ଜେ ଜୟଲଳିତା ରାଜନୀତିରେ ପ୍ରବେଶ କରି ୧୯୮୨ରେ ଏଆଇଏଡିଏମକେ ଦଳର ସଦସ୍ୟ ହୋଇଥିଲେ । ୧୯୮୪ ମସିହାରେ ସେ ସେହି ଦଳରୁ ରାଜ୍ୟସଭାକୁ ନିର୍ବାଚିତ ସଦସ୍ୟ ହୋଇଥିଲେ ଏବଂ ୧୯୮୯ ମସିହାରେ ତାମିଲନାଡୁ ବିଧାନସଭାକୁ ସଦସ୍ୟ ଭାବେ ନିର୍ବାଚିତ ହେଲେ । ୧୯୮୪ ମସିହାରେ ଲୋକସଭା ଓ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଏଡିଆଇଏମକୁ ବିଜୟୀ କରାଇବାରେ ତାଙ୍କର ବିଶେଷ ଭୂମିକା ରହିଥିଲା । ୧୯୮୯ ମସିହାରେ ତାମିଲନାଡୁ ବିଧାନସଭାର ବିରୋଧୀ ଦଳ ନେତ୍ରୀ ହେବାରେ ସେ ଥିଲେ ପ୍ରଥମ ମହିଳା ।
୪. ୧୯୯୧ ମସିହାରେ ସେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଏବଂ ୧୯୯୧ ଜୁନ ମାସଠାରୁ ୧୯୯୬ ମେ ମାସ ପର୍ଯ୍ୟନ୍ତ, ୨୦୦୧ ମେ ଠାରୁ ୨୦୦୧ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ, ୨୦୦୨ ମାର୍ଚ୍ଚ ମାସଠାରୁ ୨୦୧୧ ମେ ମାସ ପର୍ଯ୍ୟନ୍ତ, ୨୦୧୧ ମେ ଠାରୁ ୨୦୧୪ ସେପ୍ଝେମ୍ବର ମାସ ପର୍ଯ୍ୟନ୍ତ ଏବଂ ୨୦୧୫ ମେ ଠାରୁ ୦୫.୧୨.୨୦୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ ।
୫. ତାଙ୍କ ବିୟୋଗରେ ତାମିଲନାଡୁ ଜନସାଧାରଣ ଜଣେ ଜନପ୍ରିୟ ନେତାଙ୍କୁ ହରାଇଛନ୍ତି । ଏହି ଅବସରରେ କ୍ୟାବିନେଟ ତାମିଲନାଡୁବାସୀଙ୍କୁ ସରକାରଙ୍କ ପକ୍ଷରୁ ଏବଂ ସମଗ୍ର ଦେଶ ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରୁଛି ।