Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭୂପୃଷ୍ଠ କୋଇଲା/ଲିଗ୍ନାଇଟ୍‌ ବାଷ୍ପୀକରଣ ପ୍ରକଳ୍ପର ପ୍ରୋତ୍ସାହନ ଲାଗି ୩୭,୫୦୦ କୋଟି ଟଙ୍କାର ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଭୂପୃଷ୍ଠ କୋଇଲା/ଲିଗ୍ନାଇଟ୍‌ ବାଷ୍ପୀକରଣ ପ୍ରକଳ୍ପର ପ୍ରୋତ୍ସାହନ ଲାଗି ଏକ ଯୋଜନାକୁ ମଞ୍ଜୁର କରାଯାଇଛି । ଏଥିପାଇଁ ୩୭,୫୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି ଯୋଜନା ଭାରତର କୋଇଲା/ଲିଗ୍ନାଇଟ୍‌ ବାଷ୍ପୀକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍‌ (ଏମଟି) କୋଇଲା ବାଷ୍ପୀକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ଦେଶର ଇନ୍ଧନ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଏଲଏନଜି, ୟୁରିଆ, ଆମୋନିଆ ଏବଂ ମିଥାନଲ ଭଳି ପ୍ରମୁଖ ଉତ୍ପାଦ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବ । ବର୍ତ୍ତମାନ ଭାରତ ୫୦% ଏଲଏନଜି, ୨୦% ୟୁରିଆ, ୧୦୦% ଆମୋନିଆ ଏବଂ ୮୦ରୁ ୯୦% ମିଥାନଲ ଆମଦାନୀ କରୁଛି। 

ଏଥିସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ସ୍ୱରୂପ, ସରକାର ଅଣ ନିୟନ୍ତ୍ରିତ କ୍ଷେତ୍ର (ଏନଆରଏସ) ଲିଙ୍କେଜ୍‌ ଫ୍ରେମୱାର୍କ ଅନ୍ତର୍ଗତ ‘କୋଇଲା ବାଷ୍ପୀକରଣ ଦିଗରେ ନେଇ ଯାଉଥିବା ସିନଗ୍ୟାସ ଉତ୍ପାଦନ’ ଉପକ୍ଷେତ୍ରରେ କୋଇଲା ଲିଙ୍କେଜ୍‌ ଅବଧିକୁ ବଢ଼ାଇ ୩୦ ବର୍ଷ କରି ଦେଇଛନ୍ତି । ଏହାଦ୍ୱାରା କୋଇଲା ବାଷ୍ପୀକରଣ ପ୍ରକଳ୍ପଗୁଡ଼ିକରେ ନିବେଶ ଲାଗି ଦୀର୍ଘକାଳୀନ ନୀତିଗତ ନିଶ୍ଚିତତା ମିଳିପାରିବ ।

 

ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ

 

ସିନ୍‌ ଗ୍ୟାସ ଏବଂ ଏହାର ଏହାର ଡାଉନଷ୍ଟ୍ରିମ୍ ଉତ୍ପାଦ ଉତ୍ପାଦନ ପାଇଁ ନୂତନ ଭୂପୃଷ୍ଠ କୋଇଲା/ଲିଗନାଇଟ୍ ବାଷ୍ପୀକରଣ ପ୍ରକଳ୍ପଗୁଡ଼ିକୁ ପ୍ରୋତ୍ସାହିତ କରିବା ନିମନ୍ତେ ମୋଟ ୩୭,୫୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟ କରାଯିବ । ଏହା ଜରିଆରେ ପ୍ରାୟ ୭୫ ନିୟୁତ ଟନ୍ କୋଇଲା/ଲିଗନାଇଟ୍ ଗ୍ୟାସିଫିକେସନ୍ ଲକ୍ଷ୍ୟ ରହିଛି ।

ପ୍ଲାଣ୍ଟ ଏବଂ ଯନ୍ତ୍ରପାତି ମୂଲ୍ୟର ସର୍ବାଧିକ 20% ରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ।

ପ୍ରକଳ୍ପ ମୂଲ୍ୟ, କୋଇଲା ଇନପୁଟ୍ ଏବଂ ସିନ୍‌ଗ୍ୟାସ ଉତ୍ପାଦନର ଏକ ମୂଲ୍ୟାଙ୍କନ ଢାଞ୍ଚା ସହିତ ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ନିଲାମୀ ପ୍ରକ୍ରିୟା ମାଧ୍ୟମରେ ଚୟନ ।

ପ୍ରକଳ୍ପର ମାଇଲଖୁଣ୍ଟ ସହିତ ଜଡିତ ଚାରୋଟି ସମାନ କିସ୍ତିରେ ପ୍ରୋତ୍ସାହନ ପ୍ରଦାନ କରାଯିବ ।

ଯେକୌଣସି ଏକକ ପ୍ରକଳ୍ପ ପାଇଁ ୫,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ସୀମା ଧାର୍ଯ୍ୟ କରାଯାଇଛି । ଯେକୌଣସି ଏକକ ଉତ୍ପାଦ ପାଇଁ (କୃତ୍ରିମ ପ୍ରାକୃତିକ ଗ୍ୟାସ ଏବଂ ୟୁରିଆ ବ୍ୟତୀତ) ୯,୦୦୦ କୋଟି ଟଙ୍କା ଏବଂ କୌଣସି ଏକକ ସଂସ୍ଥାଗତ ଗୋଷ୍ଠୀ ଲାଗି ସମସ୍ତ ପ୍ରକଳ୍ପକୁ ମିଶାଇ ୧୨,୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା।

ଏହି ଯୋଜନା ଅଧୀନରେ ମିଳୁଥିବା ପ୍ରୋତ୍ସାହନ, ବାଣିଜ୍ୟିକ କୋଇଲା ଖନନ ବ୍ୟବସ୍ଥା କିମ୍ବା କେନ୍ଦ୍ର/ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟର ଯୋଜନା ଅଧୀନରେ ମିଳୁଥିବା ପ୍ରୋତ୍ସାହନ ଅତିରିକ୍ତ ମିଳିବ। ଏହା ସେସବୁ ପ୍ରୋତ୍ସାହନକୁ ସୀମିତ କରିବ ନାହିଁ ।

ଏହି ଯୋଜନାରେ ଘରୋଇ ପ୍ରଯୁକ୍ତିକୁ ଅଧିକ ପ୍ରୋତ୍ସାହିତ କରାଯିବ ।

 

ରଣନୀତି ଏବଂ ଆର୍ଥିକ ଲାଭ:

 

ପ୍ରତ୍ୟାଶିତ ନିବେଶ ସଂଗ୍ରହ: ୨.୫ରୁ ୩ ଲକ୍ଷ କୋଟି ।

 

ଶକ୍ତି ସୁରକ୍ଷା ଏବଂ ଆମଦାନୀ ବିକଳ୍ପ: ଏହା କୋଇଲା ସମ୍ପଦର ବିବିଧ ଉପଯୋଗକୁ ପ୍ରୋତ୍ସାହିତ କରିବ । ଏଲଏନଜି, ୟୁରିଆ, ଆମୋନିଆ, ଆମୋନିୟମ ନାଇଟ୍ରେଟ୍‌, ମିଥାନଲ ଏବଂ କୋକିଂ କୋଇଲା ଆମଦାନୀର ବିକଳ୍ପ ଯୋଗାଇ ଦେବ । ଭାରତକୁ ବିଶ୍ୱ ମୂଲ୍ୟ ଅସ୍ଥିରତା ଏବଂ ଭୂରାଜନୈତିକ ଯୋଗାଣ-ଶୃଙ୍ଖଳା ବାଧାରୁ ରକ୍ଷା କରିବା ସହିତ ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଉଦ୍ଦେଶ୍ୟକୁ ପୂରଣ କରିବ ।

 

ନିଯୁକ୍ତି ସୃଷ୍ଟି: ଏହି ଯୋଜନାରେ କୋଇଲା ଉତ୍ପାଦନ କରୁଥିବା ଅଞ୍ଚଳରେ ୨୫ଟି ପ୍ରକଳ୍ପରେ ପ୍ରାୟ ୫୦ ହଜାର (ପ୍ରତ୍ୟକ୍ଷ + ପରୋକ୍ଷ) ନିଯୁକ୍ତି ସୃଷ୍ଟି ହେବ ବୋଲି ଆକଳନ କରାଯାଇଛି ।

 

ସରକାରଙ୍କୁ ରାଜସ୍ୱ: ଯୋଜନା ଅଧୀନରେ ପରିକଳ୍ପିତ ୭୫ ନିୟୁତ ଟନ୍ ବାଷ୍ପୀକରଣରୁ କୋଇଲା/ଲିଗ୍ନାଇଟ୍ ବ୍ୟବହାରରୁ ବାର୍ଷିକ ୬,୩୦୦ କୋଟି ଟଙ୍କା, ଜିଏସଟି ଏବଂ ଅନ୍ୟାନ୍ୟ ଟିକସରୁ ଡାଉନଷ୍ଟ୍ରିମ୍ ରାଜସ୍ୱ ମିଳିବ ବୋଲି ଆଶା କରାଯାଉଛି ।

 

ପ୍ରଯୁକ୍ତିବିଦ୍ୟା ଇକୋସିଷ୍ଟମ: ଏହି ଯୋଜନା ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟାକୁ ଉନ୍ନତ କରି ଏବଂ ବିଦେଶୀ ଇପିସି ଠିକାଦାରଙ୍କ ଉପରେ ନିର୍ଭରଶୀଳତାକୁ ହ୍ରାସ କରି ଭାରତର ଘରୋଇ ଭୂପୃଷ୍ଠ କୋଇଲା ବାଷ୍ପୀକରଣ କ୍ଷମତାକୁ ସୁଦୃଢ଼ କରିବ ।

 

ପୃଷ୍ଠଭୂମି:

 

ଭାରତରେ ବିଶ୍ୱର ଅନ୍ୟତମ ସର୍ବବୃହତ କୋଇଲା ଭଣ୍ଡାର (~୪୦୧ ବିଲିୟନ ଟନ୍) ଏବଂ ଲିଗନାଇଟ୍ ଭଣ୍ଡାର (~୪୭ ବିଲିୟନ ଟନ୍) ରହିଛି। ଦେଶର ଶକ୍ତି ମିଶ୍ରଣର ୫୫% ରୁ ଅଧିକ କୋଇଲା ରହିଛି । ବାଷ୍ପୀକରଣ କୋଇଲା/ଲିଗନାଇଟ୍‌କୁ ‘ସିନ୍ଥେସିସ୍‌ ଗ୍ୟାସ୍’ (ସିନ ଗ୍ୟାସ୍)ରେ ପରିଣତ କରେ, ଯାହା ଘରୋଇ ଭାବରେ ଇନ୍ଧନ ଏବଂ ରାସାୟନିକ ପଦାର୍ଥ ଉତ୍ପାଦନ ପାଇଁ ଏକ ବହୁମୁଖୀ ଫିଡ୍‌ଷ୍ଟକ୍। ଏହା ଭାରତକୁ ଉଚ୍ଚ-ମୂଲ୍ୟ ଆଧାରିତ ଆମଦାନୀର ବିକଳ୍ପ ଦେବା ସହିତ ବିଶ୍ୱବ୍ୟାପୀ ଯୋଗାଣ ଶୃଙ୍ଖଳ ବାଧା ଏବଂ ମୂଲ୍ୟ ଅସ୍ଥିରତାରୁ ସୁରକ୍ଷା ଦେବ ।

୨୦୨୫ ଆର୍ଥିକ ବର୍ଷରେ ଏଲଏନଜି, ୟୁରିଆ, ଆମୋନିୟମ୍ ନାଇଟ୍ରେଟ୍, ଆମୋନିଆ, କୋକିଂ କୋଇଲା, ମିଥାନଲ୍, ଡିଏମଇ ଏବଂ ଅନ୍ୟାନ୍ୟ ଉତ୍ପାଦ ଆମଦାନୀ ପାଇଁ ଭାରତ ପ୍ରାୟ ୨.୭୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛି । ପଶ୍ଚିମ ଏସିଆର ସାମ୍ପ୍ରତିକ ଭୂରାଜନୈତିକ ପରିସ୍ଥିତି କାରଣରୁ ଏସବୁ ଉତ୍ପାଦର ଯୋଗାଣ ବାଧାପ୍ରାପ୍ତ ହୋଇଛି । ତେବେ ଏସବୁର ବିକଳ୍ପ ଖୋଜିବା ଆମ ଦେଶ ପାଇଁ ଏଣିକି ସମ୍ଭବ ହେବ ।

ଜାତୀୟ କୋଇଲା ବାଷ୍ପୀକରଣ ମିଶନ (୨୦୨୧) ଏବଂ ଜାନୁଆରୀ ୨୦୨୪ରେ ଅନୁମୋଦିତ ୮,୫୦୦ କୋଟି ଟଙ୍କାର ଯୋଜନା (ଯାହା ଅଧୀନରେ ୬,୨୩୩ କୋଟି ଟଙ୍କାର ୮ଟି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି)କୁ ଆଗକୁ ବଢ଼ାଇବା ଦିଗରେ ନୂତନ ଯୋଜନା ବେଶ୍‌ ସହାୟକ ହେବ । 

 

*******

PS