Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍ [୨୦୨୬-୨୦୩୦]


ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ରବ୍ ଜେଟେନ୍  ମେ’୧୬ ତାରିଖରେ ଦି ହେଗ୍‌ଠାରେ ଅନୁଷ୍ଠିତ ସେମାନଙ୍କ ବୈଠକ ଅବସରରେ, ଲକ୍ଷ୍ୟଭିତ୍ତିକ, ସମୟବଦ୍ଧ ପଦକ୍ଷେପ ଏବଂ ମିଳିତ କାର୍ଯ୍ୟପନ୍ଥା ଅନୁସରଣ କରି ଭାରତ-ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ରଣନୀତିକ ଭାଗିଦାରୀସ୍ତରକୁ ଉନ୍ନୀତ କରିବା ପାଇଁ ସହମତ ହୋଇଛନ୍ତି। ଏହି ଉଦ୍ଦେଶ୍ୟରେ, ଭାରତ ଏବଂ ନେଦରଲ୍ୟାଣ୍ଡ ଆଗାମୀ ୫ ବର୍ଷ  ପାଇଁ ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍‌କୁ ଗ୍ରହଣ କରିଛନ୍ତି। ଉଭୟ ପକ୍ଷ ସହମତ ହୋଇଥିବା ବିଷୟଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା।

 I. ରାଜନୈତିକ ପ୍ରସଙ୍ଗ

(କ) ବହୁପାକ୍ଷିକ କାର୍ଯ୍ୟକ୍ରମଗୁଡ଼ିକର ପାର୍ଶ୍ୱବର୍ତ୍ତୀ ବୈଠକ ସମେତ, ସରକାର ତଥା ରାଷ୍ଟ୍ର ମୁଖ୍ୟ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଅନ୍ୟାନ୍ୟ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ମଧ୍ୟରେ ନିୟମିତ ଭାବରେ ବୈଠକ ଏବଂ ପାରସ୍ପରିକ ଗସ୍ତ ବଜାୟ ରହିବ।

(ଖ) ବୈଦେଶିକ ମନ୍ତ୍ରୀ ସ୍ତରରେ ଏକ ବ୍ୟବସ୍ଥା ସ୍ଥାପନ କରି ଏହି ରଣନୀତିକ ଭାଗିଦାରୀର ରୋଡମ୍ୟାପ୍‌ରେ ପ୍ରଗତିକୁ ସମୀକ୍ଷା କରିବା ଏବଂ ଭବିଷ୍ୟତର କାର୍ଯ୍ୟପନ୍ଥା ପାଇଁ ରଣନୀତିକ ମାର୍ଗଦର୍ଶନ ପ୍ରଦାନ କରିବା ନିମନ୍ତେ ବାର୍ଷିକ ବୈଠକ ଆୟୋଜନ କରିବା।

(ଗ) ଉଭୟ ପକ୍ଷର ସ୍ୱର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ସହଯୋଗକୁ ଗଭୀର କରିବା ପାଇଁ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକର ମୁଖ୍ୟମାନଙ୍କ ମଧ୍ୟରେ ବୈଠକ ଏବଂ ଆଦାନପ୍ରଦାନକୁ ସଘନ କରିବା।

II. ଅର୍ଥନୈତିକ ସହଯୋଗ ଏବଂ ପୁଞ୍ଜିନିବେଶ

(କ) ଅକ୍ଷୟ ଶକ୍ତି, ଦୂରସଞ୍ଚାର, ସାମୁଦ୍ରିକ, ଭିତ୍ତିଭୂମି ଏବଂ ସହରୀ ବିକାଶ, ନବୋନ୍ମେଷ, ଇଲେକ୍ଟ୍ରୋନିକ୍ସ, ସେମିକଣ୍ଡକ୍ଟର, କୃଷି, ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ୍ ଟେକ୍ନୋଲୋଜି, ଜୈବିକ ରସାୟନ, ବସ୍ତ୍ର ଶିଳ୍ପ, ଲୁହା ଓ ଇସ୍ପାତ, ଆଲୁମିନିୟମ୍ ଭଳି ଉଚ୍ଚ ସମ୍ଭାବନା ବିଶିଷ୍ଟ କ୍ଷେତ୍ରଗୁଡ଼ିକରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର, ବଜାର ପ୍ରବେଶ ଏବଂ ପୁଞ୍ଜିନିବେଶ ବୃଦ୍ଧି କରିବା ପାଇଁ ବ୍ୟାପକ ଯୁଗ୍ମ ବାଣିଜ୍ୟ ଏବଂ ପୁଞ୍ଜିନିବେଶ କମିଟି (ଜେଟିଆଇସି)ର ବାର୍ଷିକ ବୈଠକର ସଦୁପଯୋଗ କରିବା। ଯୋଗାଣ ଶୃଙ୍ଖଳାର ସ୍ଥିରତା (ସପ୍ଲାଇ ଚେନ୍ ରେଜିଲିଏନ୍ସ) ବୃଦ୍ଧି କରିବା ଲକ୍ଷ୍ୟରେ ଉଭୟ ପକ୍ଷର କମ୍ପାନୀଗୁଡ଼ିକ ମଧ୍ୟରେ ମିଳିତ ଉଦ୍ୟୋଗ ବା ଜଏଣ୍ଟ ଭେଞ୍ଚର୍ସ, ଶିଳ୍ପ ଭାଗିଦାରୀ ଏବଂ ବୈଷୟିକ ସହଯୋଗ ମାଧ୍ୟମରେ ଏହା କରାଯିବ।

(ଖ) ଶିଳ୍ପ ଓ ଅର୍ଥନୈତିକ ସଂଘ ଏବଂ ଚାମ୍ବର୍ସ ଅଫ୍ କମର୍ସର ସହଭାଗିତା ମାଧ୍ୟମରେ ପରସ୍ପରର ବାଣିଜ୍ୟ ମେଳାରେ ଅଂଶଗ୍ରହଣ ଏବଂ ବ୍ୟବସାୟିକ ସମ୍ମିଳନୀ (ବିଜିନେସ ଫୋରା) ଆୟୋଜନକୁ ପ୍ରୋତ୍ସାହନ କରିବା।

(ଗ) ପୁଞ୍ଜିନିବେଶ ପ୍ରକ୍ରିୟାକୁ ସହଜ କରିବା,  ଏବଂ ସମସ୍ୟାଗୁଡ଼ିକର (ଯଦି କିଛି ଥାଏ) ସମାଧାନ ପାଇଁ ଦ୍ୱିପାକ୍ଷିକ ଫାଷ୍ଟ ଟ୍ରାକ୍ ମେକାନିଜମମାଧ୍ୟମରେ କାର୍ଯ୍ୟର ସମୟାନୁକ୍ରମିକ ସମୀକ୍ଷା କରିବା।

(ଘ). ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଅନ୍ୱେଷଣ, ଗବେଷଣା ଏବଂ ନବୋନ୍ମେଷ, ମୂଲ୍ୟ ଶୃଙ୍ଖଳାର ଏକୀକରଣ, ଯୋଗାଣ ଶୃଙ୍ଖଳାର ସ୍ଥିରତା, ସର୍କ୍ୟୁଲାରିଟି ଏବଂ ଇଏସ୍‍ଜି (ପରିବେଶ, ସାମାଜିକ ଓ ପ୍ରଶାସନ) ମାନକ ଏବଂ ସମ୍ପୃକ୍ତ ମୂଲ୍ୟାଙ୍କନ କ୍ଷେତ୍ରରେ ସହଯୋଗ ସମ୍ପର୍କିତ ବୁଝାମଣାପତ୍ର ଅଧୀନରେ, ଯୋଗାଣ ଶୃଙ୍ଖଳାର ବିବିଧକରଣ ପାଇଁ  ଗୁରୁତ୍ୱପୂର୍ଣ୍ଣ କଞ୍ଚାମାଲ ମୂଲ୍ୟ ଶୃଙ୍ଖଳ ମଧ୍ୟରେ ଏକ ଦ୍ୱିପାକ୍ଷିକ ରଣନୀତିକ ମିଳିତ ଭାଗିଦାରୀର ସୁଯୋଗ ସୃଷ୍ଟି କରିବା ଏବଂ ଏହାକୁ ସହଜ କରିବା।

(ଙ) ଅକ୍ଷୟ ଶକ୍ତି, ସ୍ଥାୟୀ କୃଷି, ସାମୁଦ୍ରିକ, ଭିତ୍ତିଭୂମି, ଫାର୍ମାସ୍ୟୁଟିକାଲ୍ସ, ମେଡ୍‌ଟେକ୍ (ମେଡିକାଲ୍ ଟେକ୍ନୋଲୋଜି) ଏବଂ ହାଇ-ଟେକ୍ ଓ ନବୋନ୍ମେଷ ଭଳି ଅଗ୍ରାଧିକାର ପ୍ରାପ୍ତ କ୍ଷେତ୍ରଗୁଡ଼ିକରେ ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଚିହ୍ନିତ ଦ୍ୱିମୁଖୀ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା। ଏହି ଉଦ୍ଦେଶ୍ୟରେ, ଉଭୟ ପକ୍ଷ ବ୍ୟବସାୟ-ରୁ-ବ୍ୟବସାୟ (ବି ଟୁ ବି) ମେଳକକୁ ସହଜ କରିବେ, ମିଳିତ ଉଦ୍ୟୋଗ ଏବଂ ସରକାରୀ-ବେସରକାରୀ ଭାଗିଦାରୀ (ପିପିପି)କୁ ସମର୍ଥନ କରିବେ ଏବଂ ଜ୍ଞାନ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ ସହଯୋଗକୁ ଉତ୍ସାହିତ କରିବେ। ସ୍ଥାୟୀ ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ସ୍ଥିର ମୂଲ୍ୟ ଶୃଙ୍ଖଳା ପ୍ରତିଷ୍ଠା କରିବା ପାଇଁ ଏମ୍‍ଏସ୍‍ଏମ୍‍ଇ (ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ର ଅଂଶଗ୍ରହଣକୁ ସକ୍ଷମ କରିବା, ପୁଞ୍ଜିନିବେଶ ସହଜୀକରଣକୁ ବୃଦ୍ଧି କରିବା ଏବଂ ନବୋନ୍ମେଷ ବାତାବରଣକୁ (ଇନୋଭେସନ ଇକୋସିଷ୍ଟମ) ମଜବୁତ କରିବା ଉପରେ ଗୁରୁତ୍ୱ ଦିଆଯିବ।

III. ଜଳ, କୃଷି ଏବଂ ସ୍ୱାସ୍ଥ୍ୟ

(କ) ମାର୍ଚ୍ଚ ୨୦୨୨ରେ ସ୍ୱାକ୍ଷରିତ ଏବଂ ମାର୍ଚ୍ଚ ୨୦୨୭ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଜଳ ସମ୍ପର୍କିତ ରଣନୀତିକ ଭାଗିଦାରୀକୁ ନବୀକରଣ କରିବା ପାଇଁ ସହଭାଗୀ ଆକାଂକ୍ଷା ପ୍ରକାଶ କରିବା; ଏବଂ ଜଳ ସମ୍ପର୍କିତ ମନ୍ତ୍ରୀସ୍ତରୀୟ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ମାଧ୍ୟମରେ ଏହାର ପ୍ରଗତି ବାବଦୀୟ ସମୀକ୍ଷା କରିବା।

(ଖ) ସମନ୍ୱିତ ଜଳ ସମ୍ପଦ ପରିଚାଳନା, ସମନ୍ୱିତ ଉପକୂଳ ଅଞ୍ଚଳ ପରିଚାଳନା, ସହରୀ ଜଳ ପରିଚାଳନା, ବନ୍ୟା ପ୍ରତିରୋଧକ ଶକ୍ତି, ନଦୀ ଅବବାହିକା ପରିଚାଳନା ଏବଂ ଗଙ୍ଗା ଅବବାହିକାରେ ସ୍ଥାୟୀ ଜଳ ଗୁଣବତ୍ତା ଓ ଉପଲବ୍ଧତା କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା।

(ଗ). ସ୍ୱଚ୍ଛ ଗଙ୍ଗା ଜାତୀୟ ମିଶନ ସହିତଜଳ କ୍ଷେତ୍ରରେ ଉତ୍କର୍ଷତା କେନ୍ଦ୍ରର ସଦୁପଯୋଗ କରିବା, ଜ୍ଞାନ ଓ ପାରଦର୍ଶିତା ଆଦାନପ୍ରଦାନ, ଦକ୍ଷତା ବୃଦ୍ଧି ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ପ୍ରୋତ୍ସାହିତ କରି ଏହାର ଚାଲୁ ରହିଥିବା କାର୍ଯ୍ୟକୁ ସମର୍ଥନ କରିବା`

() ‘ସହରୀ ନଦୀ ପରିଚାଳନା ଯୋଜନାଏବଂ ୱାଟର ଆଜ୍ ଲେଭରେଜ୍ଆଭିମୁଖ୍ୟକୁ ପ୍ରୋତ୍ସାହିତ ଓ ସମନ୍ୱିତ କରିବା ସହ ଭାରତରେ ସହମତ ହୋଇଥିବା ବିଭିନ୍ନ ସହର ପାଇଁ ସହରୀ ନଦୀ ପରିଚାଳନା ଯୋଜନା ପ୍ରସ୍ତୁତିରେ ସହାୟତା କରିବା ଏବଂ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଏହାର ପ୍ରୟୋଗକୁ ତ୍ୱରାନ୍ୱିତ କରିବା, ଯାହାଦ୍ୱାରା ୱାଟର ଆକ୍ସନ ଆଜେଣ୍ଡାର ମିଳିତ ପ୍ରତିବଦ୍ଧତା ପୂରଣ ହୋଇପାରିବ।

(ଙ) ଭାରତ ନେତୃତ୍ୱାଧୀନ ‘ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ମେଣ୍ଟ’ ବା  କୋଆଲିସନ ଫର ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର‘ (ସିଡିଆର୍‍ଆଇ) ଦ୍ୱାରା ପରିଚାଳିତ ଦକ୍ଷତା ବୃଦ୍ଧି ପଦକ୍ଷେପ ମାଧ୍ୟମରେ ଭାରତ ଏବଂ ବିଶ୍ୱସ୍ତରରେ ବିପର୍ଯ୍ୟୟ-ପ୍ରତିରୋଧକ ସହରୀ ଜଳ ଭିତ୍ତିଭୂମିର ବିକାଶ ଓ ସମ୍ପ୍ରସାରଣକୁ ସମର୍ଥନ କରିବା।

(ଚ) କୃଷି ଏବଂ ପଶୁପାଳନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ ଓ ପ୍ରୋତ୍ସାହିତ କରିବା ପାଇଁ ମିଳିତ କୃଷି କାର୍ଯ୍ୟକାରୀ ଗୋଷ୍ଠୀକୁ ଜାରି ରଖିବା; ଏଥିରେ ଭାରତ-ନେଦରଲ୍ୟାଣ୍ଡ ଉତ୍କର୍ଷ କେନ୍ଦ୍ରଗୁଡ଼ିକର ପ୍ରଗତି ସମୀକ୍ଷା, ଉଦ୍ଭିଦ ସ୍ୱାସ୍ଥ୍ୟ (ଫାଇଟୋସାନିଟାରୀ) ଏବଂ ପଶୁ ଚିକିତ୍ସା ସମ୍ବନ୍ଧୀୟ ବଜାର ପ୍ରବେଶ, ଜଳବାୟୁ ସହନଶୀଳ କୃଷି ପାଇଁ ମିଳିତ ସହାୟତା, ଦାୟିତ୍ୱବାନ ମୂଲ୍ୟ ଶୃଙ୍ଖଳା ଏବଂ ବିଶ୍ୱ ଖାଦ୍ୟ ସୁରକ୍ଷା ଅନ୍ତର୍ଭୁକ୍ତ, କିନ୍ତୁ ଏତିକିରେ ସୀମିତ ରହିବ ନାହିଁ।

(ଛ) ଏଗ୍ରି-ଟେକ୍ (କୃଷି ପ୍ରଯୁକ୍ତିବିଦ୍ୟା) ଏବଂ ଜୈବ ପ୍ରଯୁକ୍ତିବିଦ୍ୟା (ବାୟୋଟେକ୍ନୋଲୋଜି) ଉପରେ ଜ୍ଞାନର ସହଭାଗିତା ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ନୂତନ କୃଷି ପ୍ରଯୁକ୍ତିବିଦ୍ୟାର ସହ-ବିକାଶକୁ ସମର୍ଥନ କରିବା, ଯେପରିକି କ୍ଲିନ୍ ପ୍ଲାଣ୍ଟ ସେଣ୍ଟରଗଠନ ପାଇଁ ଏବଂ ଅନ୍ୟାନ୍ୟ ବିଷୟ ସହିତ ଷ୍ଟାର୍ଟଅପ୍ ଗୁଡ଼ିକୁ ସହାୟତା ପ୍ରଦାନ କରିବା।

(ଜ) ସ୍ୱାସ୍ଥ୍ୟସେବା ଏବଂ ଜନସ୍ୱାସ୍ଥ୍ୟ ସମ୍ପର୍କିତ ବୁଝାମଣାପତ୍ର ଏବଂ ଏହାର ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଅଧୀନରେ ଦ୍ୱିପାକ୍ଷିକ ସହଯୋଗକୁ ସହଜ କରି ବିଶ୍ୱ ଜନସ୍ୱାସ୍ଥ୍ୟ ବିପଦର ମୁକାବିଲା କରିବା। ଏଥିରେ ସୀମାନ୍ତ ସଂକ୍ରାମକ ରୋଗ ଏବଂ ଆଣ୍ଟି-ମାଇକ୍ରୋବିଆଲ୍ ପ୍ରତିରୋଧ (ଏଏମ୍‍ଆର), ଅଣ-ସଂକ୍ରାମକ ରୋଗ (ଏନସିଡି), ଡିଜିଟାଲ୍ ସ୍ୱାସ୍ଥ୍ୟ (ଏଆଇ ଏବଂ ସାଇବର ସୁରକ୍ଷା ସମେତ), ଜଳବାୟୁ ପରିବର୍ତ୍ତନ ଓ ସ୍ୱାସ୍ଥ୍ୟ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ଏବଂ ଦକ୍ଷତା ବୃଦ୍ଧି ଭଳି ଅଗ୍ରାଧିକାର ପ୍ରାପ୍ତ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦିଆଯିବ। ଡଚ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର ପବ୍ଲିକ ହେଲଥ୍ ଆଣ୍ଡ ଦି ଏନଭାଇରନମେଣ୍ଟ (ଆରଆଇଭିଏମ୍‍) ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‍ଆର) ମଧ୍ୟରେ ନିକଟରେ ସ୍ୱାକ୍ଷରିତ ଅଭିପ୍ରାୟ ପତ୍ର ମାଧ୍ୟମରେ ଏହି ସହଯୋଗକୁ ଆହୁରି ମଜବୁତ କରାଯିବ। ଏହାର ପ୍ରମୁଖ କ୍ଷେତ୍ରଗୁଡ଼ିକ ମଧ୍ୟରେ ସଂକ୍ରାମକ ରୋଗ, ବାହକ ଜନିତ ରୋଗ, ‘ୱାନ ହେଲଥ୍ଏବଂ ରୋଗ ନିରୀକ୍ଷଣ ଅନ୍ତର୍ଭୁକ୍ତ।

(ଝ) ଜୁନ୍ ୨୦୨୫ରେ ସ୍ୱାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଗଠିତ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀର ନିୟମିତ ବୈଠକ ମାଧ୍ୟମରେ, ସ୍ଥିର ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ସମର୍ଥନ କରିବା ଏବଂ ଗବେଷଣା ଓ ନବୋନ୍ମେଷକୁ ସୁଦୃଢ଼ କରିବା ପାଇଁ ଫାର୍ମାସ୍ୟୁଟିକାଲ୍ସ ଏବଂ ମେଡିକାଲ୍ ଉପକରଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହିତ କରିବା। ଏଥିରେ ଅନ୍ୟାନ୍ୟ ବିଷୟ ସହିତ ଶୈକ୍ଷିକ ସହଯୋଗ, ନିୟାମକ (ରେଗୁଲେଟୋରୀ) ସହଯୋଗ, ବ୍ୟବସାୟଗୁଡ଼ିକ ମଧ୍ୟରେ ସମ୍ପର୍କ ଏବଂ ବଜାର ପ୍ରବେଶ ଉପରେ ଜ୍ଞାନର ଆଦାନପ୍ରଦାନ ଅନ୍ତର୍ଭୁକ୍ତ।

(ଞ) ନେଦରଲ୍ୟାଣ୍ଡ ଫୁଡ୍ ଆଣ୍ଡ କଞ୍ଜୁମର ପ୍ରୋଡକ୍ଟ ସେଫ୍ଟି ଅଥରିଟି ଏବଂ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ମଧ୍ୟରେ ନିକଟରେ ସ୍ୱାକ୍ଷରିତ ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଥିବା ଅନୁଯାୟୀ, ଆନ୍ତର୍ଜାତୀୟ ମାନକ, ବିଜ୍ଞପ୍ତି ଏବଂ ସହଯୋଗ ବ୍ୟବସ୍ଥା ଏବଂ ଇଲେକ୍ଟ୍ରୋନିକ (ପ୍ରମାଣୀକରଣ) ପ୍ରଣାଳୀର ବ୍ୟବହାର ଉପରେ ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ମାଧ୍ୟମରେ ଜ୍ଞାନ ଆଦାନପ୍ରଦାନ କରିବା।

IV. ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ନବୋନ୍ମେଷ, ବିଜ୍ଞାନ ଏବଂ ଶିକ୍ଷା

(କ) ଭାରତ ଏବଂ ନେଦରଲ୍ୟାଣ୍ଡର ଜାତୀୟ ଗବେଷଣା ଅଗ୍ରାଧିକାରକୁ ଧ୍ୟାନରେ ରଖି, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନବୋନ୍ମେଷ ସହଯୋଗ ସମ୍ପର୍କିତ ବିଦ୍ୟମାନ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀମାଧ୍ୟମରେ ସରକାର, ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପଗୁଡ଼ିକୁ ସାମିଲ କରି ସେମିକଣ୍ଡକ୍ଟର, ଏଆଇ, ସାଇବର ସୁରକ୍ଷା, ଶକ୍ତି ସାମଗ୍ରୀ (ଏନର୍ଜି ମ୍ୟାଟେରିଆଲ୍ସ) ଏବଂ ବାୟୋମୋଲିକ୍ୟୁଲାର ଓ ସେଲ୍ ଟେକ୍ନୋଲୋଜି ଭଳି ପ୍ରମୁଖ ସକ୍ଷମ ପ୍ରଯୁକ୍ତିବିଦ୍ୟା ଉପରେ ବିଶେଷ ଗୁରୁତ୍ୱ ଦେଇ ନବୋନ୍ମେଷ ଏବଂ ଗବେଷଣା ସହଯୋଗକୁ ବୃଦ୍ଧି କରିବା।

(ଖ). ସେମିକଣ୍ଡକ୍ଟର ଏବଂ ସମ୍ପୃକ୍ତ ଉଦୀୟମାନ ପ୍ରଯୁକ୍ତିବିଦ୍ୟା ଉପରେ ଭାରତ-ନେଦରଲ୍ୟାଣ୍ଡ ଭାଗିଦାରୀ ସମ୍ପର୍କିତ ବୁଝାମଣାପତ୍ରର ସଦୁପଯୋଗ କରିବା, ଯଦ୍ଦ୍ୱାରା:

i. ଭାରତ ଏବଂ ନେଦରଲ୍ୟାଣ୍ଡ ଉଭୟ ଦେଶରେ ସେମିକଣ୍ଡକ୍ଟର ଶିଳ୍ପ ମଧ୍ୟରେ ସହଯୋଗ ମାଧ୍ୟମରେ ବିଶ୍ୱସନୀୟ ଏବଂ ସ୍ଥିର ଯୋଗାଣ ଶୃଙ୍ଖଳା ଗଠନ ପାଇଁ ସହଯୋଗର ନୂତନ ମାର୍ଗ ଖୋଜାଯାଇପାରିବ।

ii. ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ), ଫୋଟୋନିକ୍ସ, କ୍ୱାଣ୍ଟମ୍ ଏବଂ ସାଇବର-ସୁରକ୍ଷା ଭଳି କ୍ଷେତ୍ରଗୁଡ଼ିକରେ ଉଭୟ ଦେଶରେ ପ୍ରଯୁକ୍ତିବିଦ୍ୟା ମୂଲ୍ୟ ଶୃଙ୍ଖଳା ଭାଗିଦାରୀ ସ୍ଥାପନ କରି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଗବେଷଣା ଏବଂ ବିକାଶ କ୍ଷେତ୍ରରେ ସହଯୋଗର ସମ୍ପ୍ରସାରଣ କରାଯାଇପାରିବ।

iii. ସହଯୋଗ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିଭା ବିକାଶ ମାଧ୍ୟମରେ ସେମିକଣ୍ଡକ୍ଟର କ୍ଷେତ୍ର, ବିଶେଷ କରି ଶିଳ୍ପ, ଷ୍ଟାର୍ଟଅପ୍, ସ୍କେଲ-ଅପ୍, ଏମଏସ୍‍ଏମ୍‍ଇ ଏବଂ ସେମାନଙ୍କର ଯୋଗାଣକାରୀମାନଙ୍କୁ ସମର୍ଥନ ଓ ସୁଦୃଢ଼ କରିବା ପାଇଁ ଡଚ୍ ସେମିକନ୍ କମ୍ପିଟେନ୍ସ ସେଣ୍ଟରକୁ ଭାରତୀୟ ସେମିକଣ୍ଡକ୍ଟର ମିଶନ (ଆଇଏସ୍‍ଏମ୍‍) ସହିତ ଯୋଡ଼ାଯାଇପାରିବ।

(ଗ). ଏନଏକ୍ସପି (NXP), ଏଏସ୍‍ଏମଏଲ (ASML),  ଟାଟା (TATA) ଏବଂ  ସିଜି ସେମି (CG Semi) ର ସହାୟତାରେ ସେମିକଣ୍ଡକ୍ଟର ଏବଂ ସମ୍ପୃକ୍ତ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେରେ ଏକ ଜ୍ଞାନର ସେତୁ ନିର୍ମାଣ ପାଇଁ ଆଇନ୍ଧୋଭେନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଓ ୟୁନିଭର୍ସିଟି ଅଫ୍ ଟ୍ୱେଣ୍ଟେ ଏବଂ ଛଅଟି ପ୍ରମୁଖ ଭାରତୀୟ ବୈଷୟିକ ପ୍ରତିଷ୍ଠାନ (ଆଇଆଇଏସ୍‍ସି ବାଙ୍ଗାଲୋର, ଆଇଆଇଟି ବମ୍ବେ,  ଦିଲ୍ଲୀ,  ଗାନ୍ଧୀନଗର,  ଗୌହାଟୀ ଏବଂ ମାଡ୍ରାସ) ମଧ୍ୟରେ ସ୍ୱାକ୍ଷରିତ ସହଯୋଗ ସମ୍ପର୍କିତ ଚୁକ୍ତିପତ୍ରକୁ ସମର୍ଥନ କରିବା।

ଘ. ଉଚ୍ଚଶିକ୍ଷା କ୍ଷେତ୍ରରେ ନେଦରଲ୍ୟାଣ୍ଡ-ଭାରତ ସହଯୋଗ ସମ୍ପର୍କିତ ବୁଝାମଣାପତ୍ରକୁ କାର୍ଯ୍ୟକାରୀ କରିବା ଏବଂ ଜ୍ଞାନ ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଅଧିକ ସହଯୋଗ ବୃଦ୍ଧି ପାଇଁ ଏକ ମିଳିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ନିମନ୍ତେ ନିୟମିତ ଆଲୋଚନା ଆୟୋଜନ କରିବା।

(ଙ). ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ବା (ଷ୍ଟେମ) କ୍ଷେତ୍ର ଭଳି ଶିକ୍ଷାଗତ ଏବଂ ଗବେଷଣା ସମ୍ପର୍କିତ ଭାଗିଦାରୀକୁ ବୃଦ୍ଧି ଓ ସୁଦୃଢ଼ କରିବା ଏବଂ ସାଂସ୍ଥାନିକ ଭାଗିଦାରୀ ପାଇଁ ଏକ ମଞ୍ଚର ସନ୍ଧାନ କରିବା।

(ଚ). ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଚାଲୁ ରହିଥିବା ମହାକାଶ ଭାଗିଦାରୀକୁ ସ୍ୱୀକାର କରି, ଜଳବାୟୁ ପରିବର୍ତ୍ତନ, ଜଳ ସମସ୍ୟା, ଖାଦ୍ୟ ସୁରକ୍ଷା ଏବଂ ବାୟୁର ଗୁଣବତ୍ତା ସମେତ ସାମାଜିକ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ମହାକାଶ-ଭିତ୍ତିକ ପ୍ରୟୋଗଗୁଡ଼ିକର ବ୍ୟବହାର ସହିତ ସରକାରୀ, ଶିଳ୍ପ ଏବଂ ଶୈକ୍ଷିକ ସ୍ତରରେ ଅଧିକ ସହଯୋଗର ସମ୍ଭାବନା ଖୋଜାଯାଇପାରିବ।

V. ଶକ୍ତି ରୂପାନ୍ତରଣ, ସ୍ଥାୟୀ ବିକାଶ ଏବଂ ସାମୁଦ୍ରିକ ବିକାଶ

(କ). ଅକ୍ଷୟ ଶକ୍ତି ସମ୍ପର୍କିତ ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରିବା ଏବଂ ସର୍ବୋତ୍ତମ ଅଭ୍ୟାସ ଓ ଅନୁଭୂତିର ଆଦାନପ୍ରଦାନ କରିବା, ପରସ୍ପରର ଶିଳ୍ପ ବାତାବରଣ (ଇକୋସିଷ୍ଟମ) ବିଷୟରେ ଜ୍ଞାନ ବୃଦ୍ଧି କରିବା ଏବଂ ଗ୍ରୀନ୍ ହାଇଡ୍ରୋଜେନ୍, ବାୟୋଏନର୍ଜି (ଜୈବ ଶକ୍ତି), ବାୟୋ-କେମିକାଲ୍ସ (ଜୈବ ରସାୟନ) କିମ୍ବା ଚକ୍ରାକାର କଞ୍ଚାମାଲ (ସର୍କ୍ୟୁଲାର ଫିଡ୍‌ଷ୍ଟକ), ଅକ୍ଷୟ ଶକ୍ତି ଏବଂ ବ୍ୟାଟେରୀ ଷ୍ଟୋରେଜ୍ କ୍ଷେତ୍ରରେ ଶିଳ୍ପ ଭାଗିଦାରୀ ସହଯୋଗକୁ ସହଜ କରିବା ପାଇଁ ନିୟମିତ ବୈଠକ ଆୟୋଜନ କରିବା।

(ଖ). ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏକ ଗ୍ରୀନ୍ କରିଡର‘ (ହରିତ କରିଡର) ସମେତ, ଅକ୍ଷୟ ହାଇଡ୍ରୋଜେନ୍ କ୍ଷେତ୍ରରେ ମିଳିତ କାର୍ଯ୍ୟକ୍ରମ ପାଇଁ ଏକ କାର୍ଯ୍ୟଯୋଜନାର ଚିଠା ପ୍ରସ୍ତୁତ କରିବାକୁ ସହଯୋଗ କରିବା।

(ଗ). ଜଳବାୟୁ ଉପରେ ଦ୍ୱିପାକ୍ଷିକ ସମ୍ପର୍କକୁ ଗଭୀର କରିବା ପାଇଁ ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରି ପରିବେଶ କ୍ଷେତ୍ରରେ ସୁଦୃଢ଼ ସହଯୋଗର ମାର୍ଗ ଖୋଜିବା; ଜଳବାୟୁ ଅନୁକୂଳନ (ଆଡାପ୍ଟେସନ) ଏବଂ ପ୍ରଶମନ (ମିଟିଗେସନ) ଉପରେ ସର୍ବୋତ୍ତମ ଅଭ୍ୟାସ, ଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦାନପ୍ରଦାନ କରିବା।

(ଘ) ଗ୍ଲୋବାଲ୍ ବାୟୋଫ୍ୟୁଏଲ୍ସ ଆଲାଇନ୍ସ (ଜିବିଏ), ଇଣ୍ଟିଗ୍ରେଟେଡ୍ ବାୟୋରିଫାଇନେରୀଜ୍ ମିଶନ, ଆନ୍ତର୍ଜାତୀୟ ସୌର ମେଣ୍ଟ (ଆଇଏସ୍‍ଏ) ଏବଂ ସ୍ଥାୟୀ ବର୍ଜ୍ୟବସ୍ତୁ ପରିଚାଳନା ଉପରେ କମ୍ବିଟ୍ରାକ୍ଭଳି ପଦକ୍ଷେପ ମାଧ୍ୟମରେ ଜୈବ ଇନ୍ଧନ (ବାୟୋଫ୍ୟୁଏଲ୍ସ), ଚକ୍ରାକାର ଅର୍ଥନୀତି (ସର୍କ୍ୟୁଲାର ଇକୋନୋମି) ଏବଂ ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ (ୱେଷ୍ଟ ଟୁ ଏନର୍ଜି) ଉପରେ ଦ୍ୱିପାକ୍ଷିକ ଭାଗିଦାରୀକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା।

(ଙ). ଏକ ନିରାପଦ, ସୁରକ୍ଷିତ ଏବଂ ସ୍ଥାୟୀ ସାମୁଦ୍ରିକ କ୍ଷେତ୍ରରେ ଯୋଗଦାନ ଦେବା ପାଇଁ, ବନ୍ଦର, ଆଭ୍ୟନ୍ତରୀଣ ଜଳପଥ ଏବଂ ପରିବହନ (ଶିପିଂ) କ୍ଷେତ୍ରରେ ଅଭିନବ ହରିତ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା। ଏହାସହ ନିକଟରେ ନବୀକରଣ କରାଯାଇଥିବା ସାମୁଦ୍ରିକ ସହଯୋଗ ସମ୍ପର୍କିତ ବୁଝାମଣାପତ୍ର ଏବଂ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଏକ ଗ୍ରୀନ୍ ଆଣ୍ଡ ଡିଜିଟାଲ୍ ସି କରିଡର‘ (ହରିତ ଏବଂ ଡିଜିଟାଲ୍ ସାମୁଦ୍ରିକ କରିଡର) ସମ୍ବନ୍ଧୀୟ ସହମତ ଅଭିପ୍ରାୟ ପତ୍ର ପ୍ରେକ୍ଷାପଟ୍ଟରେ ସହଯୋଗକୁ ଆହୁରି ବିକଶିତ କରିବା। ଏହା ଘରୋଇ ଉତ୍ପାଦନ କ୍ଷମତାକୁ ୟୁରୋପୀୟ ବଜାର ସହିତ ସମନ୍ୱିତ କରି ଭାରତର ଗ୍ରୀନ୍ ହାଇଡ୍ରୋଜେନ୍ ରପ୍ତାନିକୁ ମଧ୍ୟ ପ୍ରୋତ୍ସାହିତ କରିବ।

ଚ. ସାମୁଦ୍ରିକ ସହଯୋଗ ସମ୍ପର୍କିତ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ରୂପରେଖ ମଧ୍ୟରେ, ଉଭୟ ଦେଶ ଏକ ବ୍ୟାପକ ରୋଡମ୍ୟାପ୍ ଅନ୍ ଏ ଗ୍ରୀନ୍ ଆଣ୍ଡ ଡିଜିଟାଲ୍ ସି କରିଡରର ସନ୍ଧାନ କରିବେ, ଯାହାର ଲକ୍ଷ୍ୟ ହେଉଛି ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏକ ପରିବେଶ ଅନୁକୂଳ, ଡିଜିଟାଲ୍ ଭାବେ ସମନ୍ୱିତ ଏବଂ ଅର୍ଥନୈତିକ ଦୃଷ୍ଟିକୋଣରୁ ଦକ୍ଷ ଭବିଷ୍ୟତ-ଉପଯୋଗୀ ସାମୁଦ୍ରିକ କରିଡର ଦିଗରେ କାର୍ଯ୍ୟ କରିବା।

ଛ. ସ୍ଥାନିକ ଯୋଜନା (ସ୍ପେସିଆଲ୍ ପ୍ଲାନିଂ) ଏବଂ ସହରୀ ବିକାଶ ସମ୍ପର୍କିତ ବୁଝାମଣାପତ୍ର ଅଧୀନରେ ଥିବା ଏକ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ମାଧ୍ୟମରେ ସ୍ଥାୟୀ ସହରୀ ବିକାଶଉପରେ ଦକ୍ଷତା ବୃଦ୍ଧି ଏବଂ ଜ୍ଞାନ ଆଦାନପ୍ରଦାନ ପାଇଁ ମିଳିତ ଭାବେ କାର୍ଯ୍ୟ କରିବା। କଠିନ ବର୍ଜ୍ୟବସ୍ତୁ ଓ ଜଳ ପରିଚାଳନା, ଚକ୍ରାକାର ଅର୍ଥନୀତି, ସହରୀ ସକ୍ରିୟ ଗତିଶୀଳତା (ଅର୍ବାନ ଆକ୍ଟିଭ ମୋବିଲିଟି), ଶୂନ୍ୟ ନିର୍ଗମନ ପରିବହନ ଓ ଚାର୍ଜିଂ ଭିତ୍ତିଭୂମି ଏବଂ ସହରୀ ସ୍ଥିରତା ଓ ପ୍ରଶାସନ (ଗଭର୍ଣ୍ଣାନ୍ସ) ଆଦି ବିଷୟଗୁଡ଼ିକ ଅଧୀନରେ ସହଯୋଗର ବିଶେଷ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରିବା।

VI. ପ୍ରତିରକ୍ଷା ସହଯୋଗ

(). ପ୍ରତିରକ୍ଷା ଶିଳ୍ପ ଏବଂ ଗବେଷଣା କେନ୍ଦ୍ରଗୁଡ଼ିକ ମଧ୍ୟରେ ସହଯୋଗ ସମେତ ଦ୍ୱିପାକ୍ଷିକ ସାମରିକ ସହଯୋଗକୁ ସମନ୍ୱିତ କରିବା ପାଇଁ, ଆନ୍ତର୍ଜାତୀୟ ସାମରିକ ସହଯୋଗ ନିର୍ଦ୍ଦେଶାଳୟ ଏବଂ ସମ୍ପୃକ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସୁସଂଗଠିତ ଯୁଗ୍ମ ତ୍ରି-ସେବା (ସ୍ଥଳ, ନୌ ଓ ବାୟୁ ସେନା) ଆଲୋଚନାର ଯୋଜନା କରିବା।

ଖ. ନୌସେନା ସମରାଭ୍ୟାସରେ ପାରସ୍ପରିକ ଅଂଶଗ୍ରହଣ ଏବଂ ଭାରତ ମହାସାଗର ଅଞ୍ଚଳ ପାଇଁ ସୂଚନା ସମୀକ୍ଷା କେନ୍ଦ୍ର (IFC-IOR) ରେ ଆବଶ୍ୟକତା ଅନୁଯାୟୀ ସାମିଲ ହେବା ମାଧ୍ୟମରେ ସାମୁଦ୍ରିକ ସହଯୋଗକୁ ବୃଦ୍ଧି କରିବା।

ଗ. ଇଣ୍ଡୋ-ପାସିଫିକ୍ (ଭାରତ-ପ୍ରଶାନ୍ତ) ମହାସାଗରୀୟ ଅଞ୍ଚଳ ପ୍ରତି ନେଦରଲ୍ୟାଣ୍ଡର ବଢ଼ୁଥିବା ଆଗ୍ରହ ପ୍ରେକ୍ଷାପଟ୍ଟରେ, ଉଭୟ ଦେଶର ସଶସ୍ତ୍ର ବାହିନୀ ମଧ୍ୟରେ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା, ଯାହାର ଲକ୍ଷ୍ୟ ହେଉଛି ଇଣ୍ଡୋ-ପାସିଫିକ୍ ଓସେନ୍ସ ଇନିସିଏଟିଭ୍ (IPOI) ଏବଂ ଇଣ୍ଡିଆନ୍ ଓସେନ୍ ନାଭାଲ୍ ସିମ୍ପୋଜିୟମ୍ ଅଧୀନରେ ସହଯୋଗ ବୃଦ୍ଧି କରିବା।

ଘ. ସମ୍ପୃକ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ବିଭିନ୍ନ ପ୍ଲାଟଫର୍ମ ଏବଂ ସରଞ୍ଜାମର ପ୍ରଯୁକ୍ତିବିଦ୍ୟା ସହଯୋଗର ମାର୍ଗ ଖୋଜିବା।

ଙ. ସମ୍ପୃକ୍ତ ଆଞ୍ଚଳିକ ସଂଗଠନ, ସୋସାଇଟି ଅଫ୍ ଇଣ୍ଡିଆନ୍ ଡିଫେନ୍ସ ମ୍ୟାନୁଫ୍ୟାକ୍ଚରର୍ସ ଏବଂ ନେଦରଲ୍ୟାଣ୍ଡ ଇଣ୍ଡଷ୍ଟ୍ରି ଫର ଡିଫେନ୍ସ ଆଣ୍ଡ ସିକ୍ୟୁରିଟି (NIDV) ମାଧ୍ୟମରେ ପ୍ରତିରକ୍ଷା ଶିଳ୍ପ ଏବଂ ଗବେଷଣା କେନ୍ଦ୍ର ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ଦୁଇ ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟରେ ଏକ ପ୍ରତିରକ୍ଷା ଶିଳ୍ପ ରୋଡମ୍ୟାପ୍ଦିଗରେ କାର୍ଯ୍ୟ କରିବା।

ଚ. ପାରସ୍ପରିକ ଲଜିଷ୍ଟିକ୍ସ (ସମ୍ଭାର) ସହାୟତା ଚୁକ୍ତି ସ୍ୱାକ୍ଷର କରିବା ମାଧ୍ୟମରେ ପ୍ରଶିକ୍ଷଣ ସମରାଭ୍ୟାସ ସମୟରେ ସାମରିକ ୟୁନିଟ୍/ଫର୍ମେସନଗୁଡ଼ିକୁ ସାଂସ୍ଥାନିକ ଲଜିଷ୍ଟିକ୍ସ ସହାୟତା ପ୍ରଦାନ କରିବାର ସମ୍ଭାବ୍ୟତା ସମୀକ୍ଷା କରିବା।

VII. ସୁରକ୍ଷା ସହଯୋଗ

କ. ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ଅର୍ଥନୈତିକ ସୁରକ୍ଷା, ଜ୍ଞାନ ସୁରକ୍ଷା, ଆତଙ୍କବାଦ ନିରୋଧ, ଗୁରୁତ୍ୱପୂର୍ଣ୍ଣ ଓ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ସାଇବର ସୁରକ୍ଷା ଏବଂ ଆନ୍ତର୍ଜାତୀୟ ସୁରକ୍ଷାର ଅନ୍ୟାନ୍ୟ ପାରସ୍ପରିକ ସହମତ ବିଷୟଗୁଡ଼ିକ ସମେତ ପାରମ୍ପରିକ ଏବଂ ଅଣ-ପାରମ୍ପରିକ ସୁରକ୍ଷା ସମସ୍ୟାଗୁଡ଼ିକ ଉପରେ ନିୟମିତ ଆଦାନପ୍ରଦାନ ମାଧ୍ୟମରେ ସହଯୋଗ ବୃଦ୍ଧି କରିବା।

ଖ. ବହୁପାକ୍ଷିକ ମଞ୍ଚଗୁଡ଼ିକରେ ସୁଦୃଢ଼ ସମନ୍ୱୟ ଏବଂ ଦକ୍ଷତା ବୃଦ୍ଧି ଓ ଜ୍ଞାନ ଆଦାନପ୍ରଦାନ ମାଧ୍ୟମରେ ସାଇବର ବିପଦ ଓ ସାଇବର ଅପରାଧର ମୁକାବିଲା ପାଇଁ ମିଳିତ ପ୍ରୟାସ ସମେତ ପାରସ୍ପରିକ ସ୍ୱାର୍ଥରକ୍ଷା କ୍ଷେତ୍ରଗୁଡ଼ିକରେ ଉନ୍ନତ ସାଇବର ସହଯୋଗ ସମ୍ପର୍କିତ ଅଭିପ୍ରାୟ ପତ୍ର ର କାର୍ଯ୍ୟକାରିତାକୁ ସମର୍ଥନ କରିବା ପାଇଁ ଦ୍ୱିପାକ୍ଷିକ ସାଇବର ଆଲୋଚନା ପ୍ରକ୍ରିୟାକୁ ସୁଦୃଢ଼ କରିବା।

ଗ. ବିପଦ ମୂଲ୍ୟାଙ୍କନ ଏବଂ ସର୍ବୋତ୍ତମ ଅଭ୍ୟାସ ସମ୍ପର୍କିତ ସୂଚନା ଆଦାନପ୍ରଦାନ ମାଧ୍ୟମରେ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ମଞ୍ଚରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ସହଯୋଗକୁ ମଜବୁତ କରିବା, ଏବଂ ଜାତିସଂଘରେ  ‘ଆନ୍ତର୍ଜାତୀୟ ଆତଙ୍କବାଦ ଉପରେ ବ୍ୟାପକ ସମ୍ମିଳନୀ‘  ପାଇଁ ମିଳିତ ଭାବେ କାର୍ଯ୍ୟ କରିବା।

ଘ. ଏକ ପାରସ୍ପରିକ ଆଇନଗତ ସହାୟତା ଚୁକ୍ତି ଏବଂ ଏକ ନୂତନ ପ୍ରତ୍ୟାର୍ପଣ ଚୁକ୍ତି ସ୍ୱାକ୍ଷର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ ଜାରି ରଖିବା।

ଙ. ଇଣ୍ଡୋ-ପାସିଫିକ୍ ଓସେନ୍ସ ଇନିସିଏଟିଭ୍ (IPOI) ରେ ନେଦରଲ୍ୟାଣ୍ଡର ସଦସ୍ୟତା ପ୍ରେକ୍ଷାପଟ୍ଟରେ ସହଯୋଗ ବୃଦ୍ଧି କରିବା।

VIII. ପ୍ରଭାସନ, ଗତିଶୀଳତା ଏବଂ ଦୂତାବାସ ସମ୍ବନ୍ଧୀୟ (କନସୁଲାର) ବିଷୟ

କ. ଭାରତ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଥିବା ଦୀର୍ଘଦିନର ତଥା ଐତିହାସିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ସ୍ୱୀକାର କରି ଏବଂ ଏହାକୁ ଏକ ନୂତନ ଗତି ପ୍ରଦାନ କରିବାକୁ ଇଚ୍ଛା ପ୍ରକାଶ କରିବା।

ଖ. ପରସ୍ପର ଦେଶକୁ ନ୍ୟାୟସଙ୍ଗତ ପ୍ରଭାସନ (ମାଇଗ୍ରେସନ) ଏବଂ ଗତିଶୀଳତାକୁ (ମୋବିଲିଟି) ସହଜ କରିବା ପାଇଁ ସଂକଳ୍ପବଦ୍ଧ ହେବା।

ଗ. ଅନିୟମିତ ବା ବେଆଇନ ପ୍ରଭାସନକୁ ରୋକିବା ଏବଂ ଏହାର ମୁକାବିଲା କରିବା ପାଇଁ ମିଳିତ ଭାବେ ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ଥିର କରିବା।

ଘ. ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଗବେଷଣାତ୍ମକ ଛାତ୍ର (ଡକ୍ଟରାଲ୍ ଷ୍ଟୁଡେଣ୍ଟସ୍), ଗବେଷକ ଏବଂ ଯୁବ ପେସାଦାରଙ୍କ ସମେତ ଉଚ୍ଚ ଦକ୍ଷତା ସମ୍ପନ୍ନ ପେସାଦାରମାନଙ୍କର ନ୍ୟାୟସଙ୍ଗତ ଗତିଶୀଳତାକୁ ସହଜ କରିବା ପାଇଁ ସହଯୋଗ କରିବା।

ଙ. ଗତିଶୀଳତା ଏବଂ ପ୍ରଭାସନ (ମୋବିଲିଟି ଆଣ୍ଡ ମାଇଗ୍ରେସନ) ସମ୍ପର୍କିତ ବୁଝାମଣାପତ୍ରକୁ କାର୍ଯ୍ୟକାରୀ କରିବା।

ଚ. ଭାରତ-ନେଦରଲ୍ୟାଣ୍ଡ କନସୁଲାର ଆଲୋଚନା ମାଧ୍ୟମରେ ବିଚାରାଧୀନ ଥିବା ଦୂତାବାସ ସମ୍ବନ୍ଧୀୟ (କନସୁଲାର) ବିଷୟଗୁଡ଼ିକ ଉପରେ ନିୟମିତ ଆଦାନପ୍ରଦାନ କରିବା।

IX. ସଂସ୍କୃତି ଏବଂ ଜନସାଧାରଣଙ୍କ ମଧ୍ୟରେ ଆଦାନପ୍ରଦାନ

କ. ନିରନ୍ତର ଆଲୋଚନା, ବିନିମୟ କାର୍ଯ୍ୟକ୍ରମ ଏବଂ ମିଳିତ ପଦକ୍ଷେପ ମାଧ୍ୟମରେ ଦ୍ୱିପାକ୍ଷିକ ସାଂସ୍କୃତିକ ସହଯୋଗକୁ ବୃଦ୍ଧି କରିବା, ଯେଉଁଥିରେ ଐତିହ୍ୟ ସ୍ଥଳ ଏବଂ କିର୍ତ୍ତିରାଜୀର ସଂରକ୍ଷଣ ଓ ପୁନରୁଦ୍ଧାର ପାଇଁ ଜ୍ଞାନ ବିନିମୟ ଅନ୍ତର୍ଭୁକ୍ତ।

ଖ. ଡିଜାଇନ୍, ଦୃଶ୍ୟ କଳା (ଭିଜୁଆଲ୍ ଆର୍ଟସ୍), ସାଂସ୍କୃତିକ ଐତିହ୍ୟ, ପ୍ରଦର୍ଶନ କଳା (ପରଫର୍ମିଂ ଆର୍ଟସ୍) ଏବଂ ସଂଗ୍ରହାଳୟ (ମ୍ୟୁଜିୟମ) କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଇ ସାଂସ୍କୃତିକ ସହଯୋଗ ସମ୍ପର୍କିତ ବୁଝାମଣାପତ୍ରର କାର୍ଯ୍ୟକାରିତା ପାଇଁ ଚାଲୁ ରହିଥିବା ପ୍ରୟାସକୁ ସ୍ୱାଗତ କରିବା।

ଗ. ସାଂସ୍କୃତିକ କଳାକୃତିଗୁଡ଼ିକର ପ୍ରତ୍ୟାର୍ପଣ ଏବଂ ପୁନରୁଦ୍ଧାର ଅନୁରୋଧର ସମାଧାନ କ୍ଷେତ୍ରରେ ସହଯୋଗ ଜାରି ରଖିବା।

ଘ. ପାରସ୍ପରିକ ଜ୍ଞାନକୁ ଗଭୀର କରିବା ପାଇଁ ପ୍ରଦର୍ଶନୀ ଏବଂ ସାଂସ୍କୃତିକ ପଦକ୍ଷେପଗୁଡ଼ିକୁ ପ୍ରୋତ୍ସାହିତ କରିବା, ଏବଂ ସଂଗ୍ରହାଳୟଗୁଡ଼ିକ ମଧ୍ୟରେ ଭାଗିଦାରୀ ସ୍ଥାପନ ମାଧ୍ୟମରେ ମଧ୍ୟ ଏହା କରିବା।

ଙ. ଉଭୟ ଦେଶ ମଧ୍ୟରେ ଯୋଗାଯୋଗ ଏବଂ ପର୍ଯ୍ୟଟକଙ୍କ ପ୍ରବାହକୁ ପ୍ରୋତ୍ସାହିତ କରିବା।

ଚ. ଦ୍ୱିପାକ୍ଷିକ ଓ ସାଂସ୍କୃତିକ ସମ୍ପର୍କ ଏବଂ ଦୀର୍ଘଦିନର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଜୀବନ୍ତ ଭାରତୀୟ ଓ ଡଚ୍ ସମୁଦାୟ ସହିତ ନେଦରଲ୍ୟାଣ୍ଡରେ ଥିବା ବିପୁଳ ସଂଖ୍ୟକ ପ୍ରବାସୀ ଭାରତୀୟଙ୍କ ଅବଦାନକୁ ସ୍ୱୀକାର କରିବା।