Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଭାରତ ସରକାରଙ୍କ ସଚିବମାନଙ୍କ ସହିତ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ


  • ବିତ୍ତ ଓ ଅର୍ଥବ୍ୟବସ୍ଥା, ବାଣିଜ୍ୟ ଓ ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ହେଲା ଆଲୋଚନା
  • ସରକାରଙ୍କ ବିଭିନ୍ନ ସ୍ତରରେ ରହିଥିବା ସମନ୍ୱୟ ସହ ଜଡ଼ିତ ପ୍ରତିବନ୍ଧକ ଦୂର କରିବା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
  • ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭରଶୀଳତା ଏବଂ ଘରୋଇ କ୍ଷମତା ନିର୍ମାଣ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ
  • ସାଇବର ସୁରକ୍ଷା ଇକୋସିଷ୍ଟମରେ ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କର ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ
  • ବିଭ୍ରାନ୍ତିକର ସୂଚନାର ମୁକାବିଲା ପାଇଁ ରଣନୀତିକ କ୍ଷେତ୍ରରେ ସକ୍ରିୟ ପ୍ରଚାର ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ
  • ସରକାର ସର୍ବଦା ଯୁବସୁଲଭ, ଗତିଶୀଳ ଏବଂ ଭବିଷ୍ୟତବାଦୀ ରହିବା ଉଚିତ; ଚତୁରତା ଏବଂ ଅଭିନବ ପଦକ୍ଷେପ ଜରିଆରେ ଆହ୍ୱାନର ମୁକାବିଲା କରିବା ସହିତ ନୂଆ ସୁଯୋଗକୁ ଗ୍ରହଣ କରିବା ଆବଶ୍ୟକ: ପ୍ରଧାନମନ୍ତ୍ରୀ
  • ସଚିବମାନେ ପ୍ରମୁଖ ପଦକ୍ଷେପ, ନୂଆ ସୁଯୋଗ ଏବଂ କାର୍ଯ୍ୟକାରିତା ସହ ଜଡ଼ିତ ଆହ୍ୱାନ ଉପରେ ବାଣ୍ଟିଲେ ନିଜର ଅଭିଜ୍ଞତା ଓ ଦୃଷ୍ଟିକୋଣ

ନୂଆଦିଲ୍ଲୀ, ୨୮ ଜୁଲାଇ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ଆବାସରେ ଭାରତ ସରକାରଙ୍କ ସଚିବମାନଙ୍କ ସହିତ ଦ୍ୱିତୀୟ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ସେ ବିତ୍ତ ଓ ଅର୍ଥବ୍ୟବସ୍ଥା, ବାଣିଜ୍ୟ ଓ ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ର ସହିତ ଜଡିତ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ଭବିଷ୍ୟତ କାର୍ଯ୍ୟସୂଚୀ ସମୀକ୍ଷା କରିଥିଲେ। ବୈଠକରେ ବିକଶିତ ଭାରତର ଲକ୍ଷ୍ୟ ଦିଗରେ ପ୍ରଗତିକୁ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକରେ ଦଳଗତ ଭାବନା ନେଇ କାମ କରିବା ଉପରେ ଦୃଢ଼ ଭାବେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ସେ ଅଧିକାରୀମାନଙ୍କୁ ଏକ ସମାନ ଉଦ୍ଦେଶ୍ୟ ନେଇ କାମ କରିବାକୁ ଆହ୍ୱାନ କରିଥିଲେ। ଶ୍ରୀ ମୋଦୀ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଜନିତ ପ୍ରତିବନ୍ଧକ ଦୂର କରିବା ଏବଂ ପରସ୍ପରର ସହଯୋଗରେ କାମ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ବିଭାଗଗୁଡ଼ିକ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖି କାର୍ଯ୍ୟ କରାଗଲେ ସମନ୍ୱିତ ଫଳାଫଳ ମିଳିପାରିବ ବୋଲି ପ୍ରଧାନମନ୍ତ୍ରୀ ମତ ରଖିଥିଲେ ।

ନାଗରିକ-କୈନ୍ଦ୍ରିକ ପ୍ରଶାସନ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ଜନସାଧାରଣ ପ୍ରଶାସନର କେନ୍ଦ୍ରରେ ରହିବା ଉଚିତ। ପ୍ରତ୍ୟେକ ନିଷ୍ପତ୍ତି ଏବଂ ନୀତି ସାଧାରଣ ନାଗରିକଙ୍କ ହିତ ଏବଂ ଆକାଂକ୍ଷା ଦ୍ୱାରା ପରିଚାଳିତ ହେବା ଉଚିତ ବୋଲି ସେ ଅଧିକାରୀମାନଙ୍କୁ ସ୍ମରଣ କରାଇ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ବିଶେଷ ଭାବେ କହିଥିଲେ ଯେ ଭାରତ ଭିତ୍ତିଭୂମି କ୍ଷେତ୍ରରେ ଉଲ୍ଲେଖନୀୟ ନିବେଶ କରୁଛି । ଏଭଳି ସ୍ଥିତିରେ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ବିକାଶକୁ ସମାନ ପ୍ରାଥମିକତା ଦିଆଯିବା ଉଚିତ । ସେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରଯୁକ୍ତିବିଦ୍ୟା ଆତ୍ମନିର୍ଭରଶୀଳତା ଏବଂ ଘରୋଇ କ୍ଷମତା ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା ଏବଂ ନାଗରିକ କଲ୍ୟାଣ ସହ ଶକ୍ତି ସୁରକ୍ଷା ଘନିଷ୍ଠ ଭାବରେ ଜଡିତ। ଭାରତକୁ ନବସୃଜନ, ବିବିଧତା ଏବଂ ତ୍ୱରିତ କ୍ଷମତା ସୃଷ୍ଟି ମାଧ୍ୟମରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ହାସଲ କରିବାକୁ ପଡିବ ।

ଶ୍ରୀ ମୋଦୀ କହିଥିଲେ, ସଂସ୍କାର କେବଳ ଏକ ପ୍ରଚାରର ଶବ୍ଦ ନୁହେଁ, ବରଂ ପ୍ରଭାବୀ ପ୍ରଶାସନ ଲାଗି ଏହା ଅତ୍ୟନ୍ତ ଜରୁରି। ପ୍ରକ୍ରିୟାଗୁଡ଼ିକରେ ସଂସ୍କାର, କାର୍ଯ୍ୟ ସଂସ୍କୃତିକୁ ଉନ୍ନତ କରିବା ଏବଂ ସଂସ୍ଥାଗତ ଦକ୍ଷତାକୁ ମଜବୁତ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡିଜିଟାଲ ସିଷ୍ଟମ ଏବଂ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ପ୍ରଯୁକ୍ତିର ବର୍ଦ୍ଧିତ ବ୍ୟବହାର ସହିତ ସାଇବର ସୁରକ୍ଷା ଉପରେ ଦୃଢ଼ ଧ୍ୟାନ ଦିଆଯିବା ଆବଶ୍ୟକ। ପରିବର୍ତ୍ତିତ ତଥା ନୂଆ ନୂଆ ସାଇବର ବିପଦ ବିରୁଦ୍ଧରେ ନିରନ୍ତର ସତର୍କତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସାଇବର ସୁରକ୍ଷା ଇକୋସିଷ୍ଟମରେ ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କୁ ଅଧିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ସେ ଆହ୍ୱାନ କରିଥିଲେ। ଏହାକୁ ଏକ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହେବା ଉଚିତ ବୋଲି ସେ ଜୋର ଦେଇଥିଲେ ।

ଦେଶ ଯେଉଁ ସବୁ ରଣନୀତିକ କ୍ଷେତ୍ରରେ ବଡ଼ ପଦକ୍ଷେପ ନେଉଛି ସେସବୁ କ୍ଷେତ୍ରରେ ବିଭ୍ରାନ୍ତିକରଣ ସୂଚନା ଏବଂ ଭିତ୍ତିହୀନ ଆଶଙ୍କାର ମୁକାବିଲା କରିବା ଲାଗି ସକ୍ରିୟ ଯୋଗାଯୋଗ ଉପରେ ପ୍ରଧାନମନ୍ତ୍ରୀ ଜୋର୍‌ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, ପରିବର୍ତ୍ତିତ ଏବଂ ଭବିଷ୍ୟତର ଉଦ୍ୟୋଗ ଆବଶ୍ୟକତା ହିସାବରେ ଶ୍ରମଶକ୍ତିକୁ ପ୍ରସ୍ତୁତ କରିବା ଲାଗି ଶିଳ୍ପ କ୍ଷେତ୍ର ସହ ମିଶି ନୂଆ ଏକାଡେମିକ କୋର୍ସର ଯୋଜନା ପ୍ରସ୍ତୁତ କରାଯିବା ଆବଶ୍ୟକ । ସେ କହିଥିଲେ, ସରକାର ସର୍ବଦା ଯୁବସୁଲଭ, ଗତିଶୀଳ ଏବଂ ଭବିଷ୍ୟତବାଦୀ ରହିବା ଉଚିତ । ଚତୁରତା ଏବଂ ଅଭିନବ ପଦକ୍ଷେପ ଜରିଆରେ ଆହ୍ୱାନର ମୁକାବିଲା କରିବା ସହିତ ନୂଆ ସୁଯୋଗକୁ ଗ୍ରହଣ କରିବା ଆବଶ୍ୟକ ।

ବୈଠକରେ ସଚିବମାନେ ନିଜ ନିଜ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପର ଅଗ୍ରଗତି, ପ୍ରାଥମିକତା ଏବଂ କାର୍ଯ୍ୟକାରିତା ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ବୈଠକରେ କ୍ୟାବିନେଟ୍‌ ସଚିବ, ପ୍ରମୁଖ ମନ୍ତ୍ରଣାଳୟ ଓ ବିଭାଗର ସଚିବ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

* ***

PS