Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୩ତମ ପ୍ରଗତି ବୈଠକ ଅନୁଷ୍ଠିତ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୩ତମ ପ୍ରଗତି ବୈଠକ ଅନୁଷ୍ଠିତ


● ରେଳ, ସଡ଼କ ଏବଂ ବିଦ୍ୟୁତ୍ କ୍ଷେତ୍ରର ଛଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

● ୯ଟି ରାଜ୍ୟରେ ସର୍ବମୋଟ୍‌ ୩୦ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ସହିତ ପ୍ରକଳ୍ପଗୁଡ଼ିକର କରାଗଲା ସମୀକ୍ଷା

● ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପୃଥକ ବିଭାଗ କିମ୍ବା ପ୍ୟାକେଜ ଭାବରେ ନୁହେଁ ବରଂ ଏକୀକୃତ ପ୍ରକଳ୍ପ ରୂପେ ଦେଖାଯିବା ଉଚିତ: ପ୍ରଧାନମନ୍ତ୍ରୀ

● ପ୍ରକଳ୍ପ କାର୍ଯ୍ୟକାରିତାର ସମସ୍ତ ପର୍ଯ୍ୟାୟରେ ନିରନ୍ତର ସଂସ୍କାର ଏବଂ ମନ୍ତ୍ରଣାଳୟ ଓ ରାଜ୍ୟଗୁଡ଼ିକରେ ଏକ ସକ୍ରିୟ କାର୍ଯ୍ୟ ସଂସ୍କୃତି ଆପଣାଇବା ପାଇଁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

● ଗୁଣବତ୍ତାର ସହିତ ତାଳ ଦେଇ ଗତି ଆଗକୁ ବଢ଼ିବା ଉଚିତ୍‌ ବୋଲି କହିଲେ ପ୍ରଧାନମନ୍ତ୍ରୀ

● ଆଗ୍ରିଷ୍ଟାକ ସମୀକ୍ଷା କରିବା ସମୟରେ କୃଷି ତଥ୍ୟରୁ ଅଧିକ ମୂଲ୍ୟ ହାସଲ କରିବା ପାଇଁ ଏଆଇ ସମେତ ସଦ୍ୟତମ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ

● ସାଇବର ଠକେଇ ଏବଂ ‘ଡିଜିଟାଲ୍ ଗିରଫ’ ସମସ୍ୟାର ମୁକାବିଲା ପାଇଁ ତାଲିମ, ଜନସଚେତନତା, ସାଇବର-ସୁରକ୍ଷା ଶିକ୍ଷା ଏବଂ ସମନ୍ୱିତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବା ତୀର୍ଥରେ ଆଇସିଟି-ସକ୍ଷମ, ସକ୍ରିୟ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟକାରିତା ପାଇଁ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୫୩ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ।

ବୈଠକରେ ପ୍ରଧାନମନ୍ତ୍ରୀ ରେଳ, ସଡ଼କ ଏବଂ ବିଦ୍ୟୁତ୍ କ୍ଷେତ୍ରର ନଅଟି ରାଜ୍ୟରେ ସର୍ବମୋଟ୍‌ ୩୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଛଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଥିଲେ। ଯୋଗାଯୋଗକୁ ସୁଦୃଢ଼ କରିବା, ଶିଳ୍ପ ଓ ଆର୍ଥିକ କାର୍ଯ୍ୟକଳାପକୁ ସମର୍ଥନ କରିବା ଏବଂ ଜନସେବାରେ ଉନ୍ନତି ଆଣିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଏହି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା। ବିଶେଷ କରି ସମୟସୀମା ଅନୁସରଣ କରିବା, ଆନ୍ତଃ-ଏଜେନ୍ସି ସମନ୍ୱୟ, ପଡ଼ି ରହିଥିବା ସମସ୍ୟାର ସମାଧାନ ଏବଂ ଶୀଘ୍ର ସମାପ୍ତି ଉପରେ ଗୁରୁତ୍ୱ ଦିଆଯାଇଥିଲା।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ବିଳମ୍ବ କେବଳ ଖର୍ଚ୍ଚ ବଢ଼ାଇନଥାଏ, ଏହାଦ୍ୱାରା ନାଗରିକ, ବ୍ୟବସାୟ ଏବଂ ଅର୍ଥବ୍ୟବସ୍ଥାକୁ ମିଳୁଥିବା ଲାଭ ମଧ୍ୟ ମିଳିନଥାଏ। ସେ କହିଥିଲେ ଯେ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ପୃଥକ ଅଂଶ, ଖଣ୍ଡ କିମ୍ବା ପ୍ୟାକେଜ ଭାବରେ ନୁହେଁ ବରଂ ଗୋଟିଏ ଏକୀକୃତ ପ୍ରକଳ୍ପ ଭାବରେ ଦେଖାଯିବା ଓ ତଦାରଖ କରାଯିବା ଉଚିତ। ସେ କହିଥିଲେ, ପୃଥକ ପୃଥକ ପ୍ୟାକେଜରେ ହେଉଥିବା ପ୍ରଗତିର ପରିଣାମ ଶେଷରେ ସମ୍ପୂର୍ଣ୍ଣ ପ୍ରକଳ୍ପକୁ ଠିକ୍‌ ସମୟରେ ପୂରଣ ହେବା ଏବଂ ଚାଲୁ ହେବା ରୂପରେ ଦେଖିବା ଆବଶ୍ୟକ । ସେଥିପାଇଁ ମନ୍ତ୍ରଣାଳୟ ଓ ରାଜ୍ୟଗୁଡ଼ିକୁ ଏଣ୍ଡ ଟୁ ଏଣ୍ଡ୍‌ ବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଦ୍ଧତି ଆପଣାଇବାକୁ କୁହାଯାଇଥିଲା। ଏଥିସହିତ ପ୍ରକଳ୍ପ ଆରମ୍ଭ କରିବା ଏବଂ ସେଥିରୁ ମିଳୁଥିବା ଲାଭ ପହଞ୍ଚାଇବାରେ ହେଉଥିବା ବିଳମ୍ବ ଭଳି ସମସ୍ୟା ଦୂର କରିବା ଲାଗି ପରାମର୍ଶ ଦିଆଯାଇଥିଲା।

ପ୍ରମୁଖ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ ଯୋଜନା କରିବା ସମୟରେ, ଯେଉଁଠାରେ ସମ୍ଭବ, ଭିତ୍ତିଭୂମି ସେବା ପାଇଁ କମନ୍‌ ୟୁଟିଲିଟି କରିଡର ଅନୁସନ୍ଧାନ କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ସେଗୁଡ଼ିକର ବୈଷୟିକ ଏବଂ ଆର୍ଥିକ ସମ୍ଭାବ୍ୟତାକୁ ଧ୍ୟାନରେ ରଖି ମନ୍ତ୍ରଣାଳୟ ଓ ରାଜ୍ୟଗୁଡ଼ିକୁ ଯୋଜନା ସ୍ତରରେ ହିଁ ଏପରି ସମନ୍ୱିତ ପଦ୍ଧତିଗୁଡ଼ିକର ପରୀକ୍ଷା କରିବାକୁ ସେ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ, କାର୍ଯ୍ୟକାରିତାର ଗତି ସହିତ ଗୁଣବତ୍ତା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍‌। ଏଥିରେ କୌଣସି ସାଲିସ୍‌ ହେବା ଉଚିତ୍‌ ନୁହେଁ । ସେ ମନ୍ତ୍ରଣାଳୟ, ରାଜ୍ୟ ଏବଂ କାର୍ଯ୍ୟକାରିତା ଏଜେନ୍ସିଗୁଡ଼ିକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବା ଏବଂ ପ୍ରତ୍ୟେକ ପର୍ଯ୍ୟାୟରେ ଗୁଣବତ୍ତା ନିଶ୍ଚିତତା ଓ ତଦାରଖକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ କରିଥିଲେ।

ଡିଜିଟାଲ କୃଷି ମିଶନ ଅଧୀନରେ ଆଗ୍ରିଷ୍ଟାକ ସମୀକ୍ଷା କରିବା ସମୟରେ ପ୍ରଧାନମନ୍ତ୍ରୀ କୃଷି ତଥ୍ୟରୁ ଅଧିକ ମୂଲ୍ୟ ହାସଲ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତା ସମେତ ସଦ୍ୟତମ ଡିଜିଟାଲ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଡାଟା ଇକୋସିଷ୍ଟମକୁ କୃଷି ମୂଲ୍ୟ ଶୃଙ୍ଖଳରେ ପ୍ରଭାବଶାଳୀ ଭାବରେ ବ୍ୟବହାର କରାଯିବା ଉଚିତ । ଇନପୁଟ୍ ଯୋଜନା ଠାରୁ ପ୍ରକ୍ରିୟାକରଣ ପର୍ଯ୍ୟନ୍ତ, ଅଧିକ ସଚେତନ ହସ୍ତକ୍ଷେପ, ଉତ୍ତମ ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ତଥ୍ୟ-ଚାଳିତ ନିଷ୍ପତ୍ତି ଗ୍ରହଣକୁ ସକ୍ଷମ କରାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଆଗ୍ରିଷ୍ଟାକ ଇକୋସିଷ୍ଟମ ନିର୍ମାଣରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ । ଏହାସହିତ କୃଷକମାନଙ୍କ ଲାଗି ଉତ୍ତମ ପରିଣାମ ପ୍ରଦାନ କରିବା ପାଇଁ ଏହାର ବ୍ୟବହାରକୁ ଆହୁରି ସୁଦୃଢ଼ କରିବାକୁ ଆହ୍ୱାନ କରିଥିଲେ।

ଡିଜିଟାଲ ଗିରଫଦାରୀ ଘଟଣା ସମେତ ସାଇବର ଠକେଇ ମାମଲାଗୁଡ଼ିକର ସମୀକ୍ଷା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଲିମ, ସଚେତନତା ଏବଂ ଶିକ୍ଷା ଉପରେ ନିରନ୍ତର ଧ୍ୟାନ ଦେଇ ପ୍ରତିରୋଧକୁ ସୁଦୃଢ଼ କରାଯିବା ଆବଶ୍ୟକ। ସେ ନିରନ୍ତର ଏବଂ ଲକ୍ଷ୍ୟ ଆଧାରିତ ଜନସଚେତନତା ଅଭିଯାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ, ବିଶେଷକରି ବରିଷ୍ଠ ନାଗରିକ, ଯୁବପିଢ଼ି ଏବଂ ଅନ୍ୟାନ୍ୟ ଦୁର୍ବଳ ବର୍ଗଙ୍କୁ ସାଧାରଣ ଠକେଇ କୌଶଳ, ଚେତାବନୀ ସଙ୍କେତ ଏବଂ ନିରାପଦ ଡିଜିଟାଲ ଅଭ୍ୟାସ ସହିତ ପରିଚିତ କରାଇବା ପାଇଁ ପରାମର୍ଶ ଦେଇଥିଲେ । ସେ ସମ୍ପୃକ୍ତ କର୍ମଚାରୀମାନଙ୍କର ନିୟମିତ କ୍ଷମତା ନିର୍ମାଣ ପାଇଁ ମଧ୍ୟ ଆହ୍ୱାନ କରିଥିଲେ ଯାହାଦ୍ଵାରା ସାଇବର ଠକେଇର ପରିବର୍ତ୍ତିତ ପଦ୍ଧତିଗୁଡ଼ିକୁ ଚିହ୍ନଟ କରାଯାଇପାରିବ ଏବଂ ଶୀଘ୍ର କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ।

 

*****

PS