ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ – ସ୍ମିତ, ନମସ୍କାର।
କ୍ୟାପ୍ଟେନ ସ୍ମିତ – ଜୟ ହିନ୍ଦ ସାର୍। ନମସ୍କାର ସାର୍।
ପ୍ରଧାନମନ୍ତ୍ରୀ – ଏବେ କେମିତି ଅଛ? ଦେହ କେମିତି ଅଛି?
କ୍ୟାପ୍ଟେନ ସ୍ମିତ – ସାର୍, ସବୁ ଠିକ୍ ଅଛି। ସବୁ ଠିକ୍ ଅଛି।
ପ୍ରଧାନମନ୍ତ୍ରୀ – ଦେଖ, ସାରା ଦେଶ ତୁମ ପାଇଁ ପ୍ରାର୍ଥନା କରୁଛି। କେତେକ ସ୍ଥାନରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଚାଲିଛି।
କ୍ୟାପ୍ଟେନ ସ୍ମିତ – ହଁ ସାର୍।
ପ୍ରଧାନମନ୍ତ୍ରୀ – ତୁମର ସାହସ, ଧୈର୍ଯ୍ୟ ଏବଂ ବିଚାରବୁଦ୍ଧି… ଅର୍ଥାତ୍ ଏତେ କମ ସମୟରେ ତୁମେ ଏତେଗୁଡ଼ିଏ ନିଷ୍ପତ୍ତି ନେଇଗଲ…
କ୍ୟାପ୍ଟେନ ସ୍ମିତ – ହଁ ସାର୍।
ପ୍ରଧାନମନ୍ତ୍ରୀ – ଏବଂ ଏତେ ଲୋକଙ୍କ ଜୀବନ ବଞ୍ଚାଇଲ। ଆଜି ସାରା ଦେଶ ଗର୍ବର ସହ କହିପାରେ ଯେ ଆମେ ହିନ୍ଦୁସ୍ତାନୀ ଜୀବନ ନେବା ଲୋକ ନୁହଁ, ଜୀବନ ବଞ୍ଚାଇବା ଲୋକ ।
କ୍ୟାପ୍ଟେନ ସ୍ମିତ – ନିଶ୍ଚିତଭାବେ ସାର୍।
ପ୍ରଧାନମନ୍ତ୍ରୀ – ତୁମ ଶରୀରରେ ଏତେ ବଡ଼ ଆଘାତ ଲାଗିଥିଲା, ତୁମେ ନିଜେ ଜୀବନ ଓ ମୃତ୍ୟୁ ସହ ଲଢ଼ୁଥିଲ। ସେହି ସମୟରେ ମଧ୍ୟ ତୁମେ ନିଜ ଜୀବନ ବିଷୟରେ ଚିନ୍ତା କଲ ନାହିଁ, ସମସ୍ତ ଯାତ୍ରୀଙ୍କ ଜୀବନ ବିଷୟରେ ଚିନ୍ତା କଲ। ଆଉ ସବୁଠାରୁ ବଡ଼ କଥା ହେଉଛି, ୧୪୦ କୋଟି ଦେଶବାସୀଙ୍କ ସମ୍ମାନ ବଢ଼ାଇଛ।
କ୍ୟାପ୍ଟେନ ସ୍ମିତ – ଧନ୍ୟବାଦ ସାର୍।
ପ୍ରଧାନମନ୍ତ୍ରୀ – ସେଥିପାଇଁ ମୁଁ ମଧ୍ୟ ହୃଦୟରୁ, ହୃଦୟରୁ ଗର୍ବ ଅନୁଭବ କରୁଛି।
କ୍ୟାପ୍ଟେନ ସ୍ମିତ – ସାର୍, ମୁଁ… ସରି…
ପ୍ରଧାନମନ୍ତ୍ରୀ – ଗତକାଲି ମୋତେ ଭୂପେନ୍ଦ୍ର ଭାଇଙ୍କ ସହ କଥା ହେବାର ସୁଯୋଗ ମିଳିଥିଲା। ଗୀତା ଭଉଣୀଙ୍କ ସହ କଥା ହୋଇଥିଲି, ସୋନଲ ଭଉଣୀଙ୍କ ସହ କଥା ହେଲି। ଜୀବା ଏବଂ ବବିଙ୍କ ସହ କଥା ହୋଇପାରିଲି ନାହିଁ। କିନ୍ତୁ ମୁଁ ଗୀତା ଭଉଣୀଙ୍କୁ କହିଥିଲି—ଆପଣଙ୍କ ନାମ ଗୀତା, କିନ୍ତୁ ଆପଣ ଶ୍ରୀକୃଷ୍ଣଙ୍କ ଗୀତାକୁ ସମ୍ପୂର୍ଣ୍ଣ ଭାବେ ନିଜ ଜୀବନରେ ଧାରଣ କରିଛନ୍ତି। ଏବଂ ସେହି ଗୀତାର ସଂସ୍କାରରେ ସ୍ମିତଙ୍କ ଜୀବନ ଗଢ଼ିଛନ୍ତି।
କ୍ୟାପ୍ଟେନ ସ୍ମିତ – ନିଶ୍ଚିତ ଭାବେ ସାର୍।
ପ୍ରଧାନମନ୍ତ୍ରୀ – ସ୍ମିତ, ଏବେ ମୁଁ ତୁମଠାରୁ ଶୁଣିବାକୁ ଚାହୁଁଛି।
କ୍ୟାପ୍ଟେନ ସ୍ମିତ – ସାର୍, ମୁଁ ଆପଣଙ୍କୁ କହୁଛି, ଆପଣ ମୋର ସବୁଠାରୁ ବଡ଼ ଆଦର୍ଶ। ଆପଣ ଏଭଳି ଫୋନ୍ କରି ମୋର ମନୋବଳ ବଢ଼ାଉଛନ୍ତି, ଏଥିପାଇଁ ମୋତେ ବହୁତ, ବହୁତ, ବହୁତ ଗର୍ବ ଅନୁଭବ ହେଉଛି। ସେହି ମୁହୂର୍ତ୍ତରେ, ସାର୍, ମୁଁ ମୋ ଜୀବନ ପାଇଁ ଲଢ଼ୁଥିଲି। କିନ୍ତୁ ଏପରି ଏକ ମୁହୂର୍ତ୍ତ ଆସିଲା, ଯେତେବେଳେ ମୋତେ ଅନୁଭବ ହେଲା ଯେ ଯଦି ମୁଁ କିଛି ନ କରେ… କାରଣ ମୁଁ ତଳେ ପଡ଼ିଯାଇଥିଲି, ମୋତେ ଅନେକ ଆଘାତ ଲାଗିଥିଲା ଏବଂ ମୁଁ ତଳେ ଫସିଯାଇଥିଲି। ସେତେବେଳେ ମୁଁ ଭାବିଲି—ଯଦି ମୁଁ ଉଠିବି ନାହିଁ… ସାର୍, ମୁଁ ୧୭ ବର୍ଷ ହେଲା ଏଫଜେଡ୍ ବିମାନ ଉଡ଼ାଉଛି। ଗତ ୧୧ ବର୍ଷ ହେଲା ମୁଁ କ୍ୟାପ୍ଟେନ୍ ଅଛି। ତେଣୁ ଆଖି ବନ୍ଦ କଲେ ମଧ୍ୟ ବିମାନ ଭିତରେ କ’ଣ ଘଟୁଛି, ମୁଁ ବୁଝିପାରେ। ଯେତେବେଳେ ମୁଁ ତଳେ ପଡ଼ିଥିଲି, ସେତେବେଳେ ମୋତେ ଅନୁଭବ ହେଉଥିଲା ଯେ ବିମାନଟି ତଳକୁ ଯାଉଛି। ଏବଂ ମୋତେ ସମ୍ପୂର୍ଣ୍ଣ ଭାବେ ଜଣାଥିଲା ଯେ ଯଦି ସ୍ମିତ ଆଉ ଥରେ ଶେଷ ଥର ପାଇଁ ଚେଷ୍ଟା କରେ, ଦ୍ୱାରଟି ଠିକ୍ ସେହିଠାରେ ଅଛି। ସେତେବେଳେ ମଧ୍ୟ ମୋତେ ଆଘାତ ଲାଗୁଥିଲା। କିନ୍ତୁ ମୁଁ ତାହା ଖୋଲିଦେଲି। ତା’ପରେ ସମସ୍ତେ ବାହାରି ଆସିଲେ। ଏଥିରେ ଅନ୍ୟ ସମସ୍ତଙ୍କର ମଧ୍ୟ ସମାନ ଭୂମିକା ଥିଲା। କିନ୍ତୁ ମୁଁ ସାର୍, ନିଜ ଜୀବନ ପାଇଁ ଲଢ଼ୁଥିଲି। ସେହି ସମୟରେ ମଧ୍ୟ ମୋତେ ଏତିକି ଜଣାଥିଲା ଯେ ମୁଁ ସେମାନଙ୍କୁ ମରିବାକୁ ଦେଇପାରିବି ନାହିଁ। ତା’ପରେ ଏଠାରେ ଏବଂ ସାଉଦିରେ ମୋର ଯେଉଁଭଳି ଯତ୍ନ ନିଆଯାଇଛି, ତା’ଠାରୁ ଭଲ ଯତ୍ନ ଏବଂ ଭଲ ଚିକିତ୍ସା ମୋତେ ମିଳିପାରି ନଥାନ୍ତା। ଏବଂ ସାର୍, ମୁଁ କେବଳ ସକାରାତ୍ମକ ଚିନ୍ତାଧାରାରେ ଅଛି। ଯେତେବେଳେ ବି ମୋତେ ଯନ୍ତ୍ରଣା ହୁଏ, ମୋ ମନକୁ ଗୋଟିଏ କଥା ଆସେ—ମୁଁ କେବଳ ହନୁମାନ ଚାଳିଶା ପାଠ କରେ। ସେହି ସମୟରେ ମଧ୍ୟ ମୁଁ କେବଳ ହନୁମାନ ଚାଳିଶା ପଢ଼ୁଥିଲି। ମୁଁ ଜାଣେ, ଭଗବାନ ହିଁ ମୋତେ ବଞ୍ଚାଇଛନ୍ତି। ଆଉ ଏବେ ଆପଣଙ୍କ ଫୋନ୍ ଆସିବା ମୋ ପାଇଁ ବହୁତ ଗର୍ବର ବିଷୟ। ଏବେ ମୋତେ ନିଜ ପାଇଁ ମଧ୍ୟ ଗର୍ବ ଅନୁଭବ ହେଉଛି। ଏପର୍ଯ୍ୟନ୍ତ ଏମିତି ଲାଗୁନଥିଲା। ଏବେ ଲାଗୁଛି ସାର୍। ସରି, ମୁଁ ଆପଣଙ୍କ ସାମ୍ନାରେ କାନ୍ଦୁଛି ସାର୍।
ପ୍ରଧାନମନ୍ତ୍ରୀ – ସ୍ମିତ, ଯଦି ମୋ ସାମ୍ନାରେ ତୁମେ ଭାବବିହ୍ୱଳ ହେବ ନାହିଁ, ତେବେ ଆଉ କାହା ସାମ୍ନାରେ ହେବ?
କ୍ୟାପ୍ଟେନ ସ୍ମିତ – ସାର୍, ଆପଣଙ୍କ ସହ ମୋର କଥା ହେବ, ଏହା ମୁଁ କେବେ ଭାବିନଥିଲି। କେବେ ଭାବିନଥିଲି।
ପ୍ରଧାନମନ୍ତ୍ରୀ – ତୁମେ ଏତେ ବଡ଼ କାମ କରିଛ ଭାଇ ଯେ, ଆଜି ପ୍ରତ୍ୟେକ ଦେଶବାସୀ, ଏପରିକି ସାରା ବିଶ୍ୱର ଲୋକମାନେ ମଧ୍ୟ ତୁମକୁ ଦେଖିବା ଏବଂ ତୁମ ସହ କଥା ହେବା ପାଇଁ ଆଗ୍ରହୀ। ଆଉ ହନୁମାନ ଚାଳିଶା ବିଷୟରେ ତୁମେ ଯେଉଁ କଥା କହିଲ, ସେଥିପାଇଁ ମୁଁ ଗୀତା ଭଉଣୀଙ୍କୁ ପ୍ରଣାମ କରିବି, ଯିଏ ତୁମକୁ ଏଭଳି ସଂସ୍କାର ଦେଇଛନ୍ତି। ଭୂପେନ୍ଦ୍ର ଭାଇଙ୍କୁ ମଧ୍ୟ ପ୍ରଣାମ କରିବି। ଆଉ ସ୍ମିତ, ମୁଁ ତୁମକୁ କହୁଛି, ଗତକାଲି ଯେତେବେଳେ ସୋନଲ ଭଉଣୀଙ୍କ ସହ କଥା ହେଲା, ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ସେ ଏତେ ସ୍ୱାଭାବିକ ଭାବେ କଥା ହେଉଥିଲେ…
କ୍ୟାପ୍ଟେନ ସ୍ମିତ – ହଁ ସାର୍।
ପ୍ରଧାନମନ୍ତ୍ରୀ – ଏତେ ସାହସର ସହ କଥା ହେଉଥିଲେ। ସତରେ, ମୁଁ କଳ୍ପନା କରିନଥିଲି ଯେ ସୋନଲ ଭଉଣୀ ଏଭଳି ପରିସ୍ଥିତିରେ ଏତେ ସ୍ୱାଭାବିକ ଭାବେ କଥା ହୋଇପାରିବେ। ତେଣୁ ମୁଁ ଭାବୁଛି, ଗୋଟିଏ ପରିବାର ଭାବେ ଆପଣମାନେ ସତରେ ସାରା ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି।
କ୍ୟାପ୍ଟେନ ସ୍ମିତ – ସାର୍, ମୁଁ ପ୍ରତିଦିନ ସକାଳେ ପୂଜା କରିବା ସମୟରେ ମୋର ଦୁଇ ବର୍ଷର ପୁଅକୁ କୋଳରେ ବସାଇ ତାକୁ ହନୁମାନ ଚାଳିଶା ଶୁଣାଏ। କାରଣ ଆମକୁ ଶିଖାଯାଇଛି ଯେ, ଆଜି ଆମେ ଦେଶଠାରୁ ଦୂରରେ ଅଛୁ, କିନ୍ତୁ ଆମ ସଂସ୍କୃତିଠାରୁ ଦୂରେ ରହିବା ଉଚିତ ନୁହେଁ।
ପ୍ରଧାନମନ୍ତ୍ରୀ – ଠିକ୍ କଥା।
କ୍ୟାପ୍ଟେନ ସ୍ମିତ – ଆଉ ଏବେ ତ ଏଠାରେ ଆମକୁ ଲାଗୁନାହିଁ ଯେ ଆମେ ଦେଶଠାରୁ ଦୂରରେ ଅଛୁ। ଏଠାକାର ଲୋକମାନେ ଆମକୁ ବହୁତ, ବହୁତ ଭଲପାଇବା ଦେଉଛନ୍ତି ଏବଂ ବହୁତ ଯତ୍ନର ସହ ଆମକୁ ରଖୁଛନ୍ତି।
ପ୍ରଧାନମନ୍ତ୍ରୀ – ତୁମେ ଜାଣିନଥିବ, ସାଭରକୁଣ୍ଡଲାରେ ମଧ୍ୟ, ବଢ଼ୱାଣରେ ମଧ୍ୟ ସମସ୍ତେ ଏକ ଭାବପ୍ରବଣ ପରିବେଶ ସୃଷ୍ଟି କରିଦେଇଛନ୍ତି। ସାରା ଭାରତରେ ତ ଏହା ରହିଛି । ଗତକାଲି ସମସ୍ତ ମନ୍ଦିରରେ ପୂଜା, ପ୍ରାର୍ଥନା ଓ ଆଳତି ହୋଇଛି। ସମସ୍ତ ତୀର୍ଥକ୍ଷେତ୍ରରେ ମଧ୍ୟ ଆଳତି ହୋଇଛି। ସମସ୍ତେ ତୁମର ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି। ତେଣୁ ତୁମେ ଖୁବଶୀଘ୍ର ସୁସ୍ଥ ହେବାକୁ ଯାଉଛ। ଭାରତ ତୁମକୁ ସ୍ୱାଗତ କରିବା ପାଇଁ ବହୁତ ଉତ୍ସୁକ। ଏବେ ଶରୀରରେ ଯେଉଁ ଅସୁବିଧା ଅଛି, ମୁଁ ତାହା ବୁଝିପାରୁଛି। ତୁମେ ଜଣେ ବୀର ପୁରୁଷ। ତେଣୁ ନିଜ ଆଘାତକୁ ସହିବା ମଧ୍ୟ ତୁମ ପାଇଁ ବୋଧହୁଏ ସହଜ ହୋଇଯାଇଛି।
କ୍ୟାପ୍ଟେନ ସ୍ମିତ – ନା ସାର୍। ମୁଁ ଏହି ଆଘାତକୁ ଆଘାତ ଭାବେ ଚିନ୍ତା କରୁନାହିଁ। କାରଣ ଯଦି ମୁଁ ଏହାକୁ ସେଭଳି ଭାବିବି, ତେବେ ମୋର ସୁସ୍ଥ ହେବା ପ୍ରକ୍ରିୟା ଆହୁରି କଷ୍ଟକର ହୋଇଯିବ। ମୁଁ ଏହାକୁ ଏକ ଯାତ୍ରା ଭାବେ ଦେଖୁଛି। ଧୀରେ ଧୀରେ ଏହା ଠିକ୍ ହେବ ଏବଂ ଏଥିପାଇଁ ସମୟ ଲାଗିବ। କିନ୍ତୁ ମୁଁ ବହୁତ, ବହୁତ ଆତ୍ମବିଶ୍ୱାସୀ ଯେ ମୁଁ ସୁସ୍ଥ ହେବି ଏବଂ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯିବି।
ପ୍ରଧାନମନ୍ତ୍ରୀ – ମୁଁ ସାଉଦି ସରକାର ଏବଂ ୟୁଏଇ ସରକାରଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଉଛି। ସେମାନେ ତୁମର ବହୁତ ଯତ୍ନ ନେଇଛନ୍ତି। ମୁଁ ସେମାନଙ୍କ ପ୍ରତି ମଧ୍ୟ କୃତଜ୍ଞ। ସ୍ମିତ, ତୁମର ଯେତେବେଳେ ବି ଆବଶ୍ୟକତା ଅନୁଭବ ହେବ, ମୁଁ ଗୋଟିଏ ଫୋନ୍ କଲ୍ ଦୂରରେ ଅଛି।
କ୍ୟାପ୍ଟେନ ସ୍ମିତ – ଧନ୍ୟବାଦ ସାର୍।
ପ୍ରଧାନମନ୍ତ୍ରୀ – କିନ୍ତୁ ତୁମେ ସତରେ ଏକ ବଡ଼ କାମ କରିଛ। ଗତକାଲି ମୁଁ ସୋସିଆଲ୍ ମିଡିଆରେ ଲୋକମାନଙ୍କ ଭାବନା ଦେଖୁଥିଲି। ଲୋକମାନେ କହିଛନ୍ତି—ଯଦି ଏଭଳି ହୋଇନଥାନ୍ତା, ତେବେ ହିନ୍ଦୁସ୍ତାନ ଉପରେ କ’ଣ ବିତିଥାନ୍ତା ଜଣାନାହିଁ। ଭାରତର ସମସ୍ତ ପାଇଲଟଙ୍କ ଉପରେ କ’ଣ ପ୍ରଭାବ ପଡ଼ିଥାନ୍ତା, ଭାରତୀୟ ପାଇଲଟମାନଙ୍କୁ କିଭଳି ଦେଖାଯାଇଥାନ୍ତା—ଏସବୁ ପ୍ରଶ୍ନ ଉଠିଥିଲା। ତୁମେ ଏସବୁକୁ ବଞ୍ଚାଇ ଦେଇଛ। ଅର୍ଥାତ୍ ତୁମେ ବହୁତ ବଡ଼ କାମ କରିଛ।
କ୍ୟାପ୍ଟେନ ସ୍ମିତ – ହଁ ସାର୍।
ପ୍ରଧାନମନ୍ତ୍ରୀ – ଯେତେବେଳେ ଆମର ସାକ୍ଷାତ ହେବ, ସେତେବେଳେ ଭିତରର କଥାଗୁଡ଼ିକ ପରେ ଶୁଣିବି। କାରଣ ମୁଁ ଚାହୁଁନାହିଁ ଯେ ମୋବାଇଲରେ ତୁମ ସହ ଏଭଳି କଥା ହେବି।
କ୍ୟାପ୍ଟେନ ସ୍ମିତ – ଠିକ୍ ଅଛି ସାର୍।
ପ୍ରଧାନମନ୍ତ୍ରୀ – ଆଉ ତୁମେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଅ। ଏବେ ସାରା ଦେଶ ତୁମ ସହିତ ଅଛି।
କ୍ୟାପ୍ଟେନ ସ୍ମିତ – ଧନ୍ୟବାଦ ସାର୍।
ପ୍ରଧାନମନ୍ତ୍ରୀ – ମୁଁ ତୁମକୁ ଅଧିକ ସମୟ ହଇରାଣ କରିବାକୁ ଚାହୁଁନାହିଁ। ମୋ ପକ୍ଷରୁ ତୁମକୁ ଅନେକ ଶୁଭେଚ୍ଛା। ଆଜି ଗାନ୍ଧୀ ଜୟନ୍ତୀ। ଅହିଂସା କ’ଣ, ତାହା ତୁମେ ନିଜ କାର୍ଯ୍ୟ ମାଧ୍ୟମରେ ଦେଖାଇ ଦେଇଛ।
କ୍ୟାପ୍ଟେନ ସ୍ମିତ – ଧନ୍ୟବାଦ ସାର୍।
ପ୍ରଧାନମନ୍ତ୍ରୀ – ଚାଲ, ଜୟ ଶ୍ରୀକୃଷ୍ଣ। ଜୟ ଶ୍ରୀକୃଷ୍ଣ ବେଟା। ଟିକିଏ ଗୁଜରାଟୀରେ ମଧ୍ୟ କଥା ହୋଇଯାଉ।
କ୍ୟାପ୍ଟେନ ସ୍ମିତ – ଜୟ ଶ୍ରୀକୃଷ୍ଣ ସାର୍।
ପ୍ରଧାନମନ୍ତ୍ରୀ – ବବି ଏବଂ ଜୀବା ଗୁଜରାଟୀ କୁହନ୍ତି ନା ନାହିଁ?
କ୍ୟାପ୍ଟେନ ସ୍ମିତ – ଦୁହେଁ କୁହନ୍ତି ସାର୍, ଦୁହେଁ କୁହନ୍ତି।
ପ୍ରଧାନମନ୍ତ୍ରୀ – ବହୁତ ଭଲ ଗୁଜରାଟୀ କୁହନ୍ତି…
କ୍ୟାପ୍ଟେନ ସ୍ମିତ – ଦୁହେଁ ପ୍ରଥମେ ଗୁଜରାଟୀ ଶିଖିଲେ, ତା’ପରେ ଇଂରାଜୀ ଶିଖିଲେ।
ପ୍ରଧାନମନ୍ତ୍ରୀ – ଆଚ୍ଛା… ପିଲାମାନଙ୍କ ସହ ଦେଖା ହୋଇଛି? ପିଲାମାନଙ୍କ ସହ? ଡାକ୍ତର ଦେଖା କରିବାକୁ ଅନୁମତି ଦେଇଛନ୍ତି?
କ୍ୟାପ୍ଟେନ ସ୍ମିତ – ମୋ ବଡ଼ ଝିଅ ମୋତେ ଦେଖିବାକୁ ଆସିଥିଲା। କିନ୍ତୁ ଏସବୁ ଦେଖି ସେ ଡରିଗଲା…
ପ୍ରଧାନମନ୍ତ୍ରୀ – ଆଚ୍ଛା… ଆଚ୍ଛା…
କ୍ୟାପ୍ଟେନ ସ୍ମିତ – ସେ ଟିକିଏ ଅସୁସ୍ଥ ଥିଲା ଏବଂ ମୋ ସହ ବହୁତ ଘନିଷ୍ଠ। ମୋର ଛୋଟ ପୁଅ ଦୁଇ ବର୍ଷର। ତାକୁ ଦେଖା କରିବାକୁ ଅନୁମତି ଦେଇନାହାନ୍ତି।
ପ୍ରଧାନମନ୍ତ୍ରୀ – ଏବେ ତ ଧ୍ୟାନ ରଖିବା ଦରକାର। କିନ୍ତୁ ସୋନଲ ଭଉଣୀ ବହୁତ ସାହସୀ।
କ୍ୟାପ୍ଟେନ ସ୍ମିତ – ହଁ ସାର୍।
ପ୍ରଧାନମନ୍ତ୍ରୀ – ଗତକାଲି ସେ ମୋ ସହ ଏତେ ସ୍ୱାଭାବିକ ଭାବେ କଥା ହେଲେ। ନହେଲେ ମୋର ଅଭିଜ୍ଞତା ଅନୁସାରେ, ଏଭଳି ପରିସ୍ଥିତିରେ କେହି କଥା ମଧ୍ୟ ହୋଇପାରନ୍ତି ନାହିଁ। ସେ କୌଣସି ଅଭିଯୋଗ କରିନଥିଲେ। ଗତକାଲି ମୁମ୍ବାଇ ବିମାନବନ୍ଦରରେ ଭୂପେନ୍ଦ୍ର ଭାଇ ଏବଂ ଗୀତା ଭଉଣୀଙ୍କ ସହ ମଧ୍ୟ କଥା ହୋଇଥିଲା। ସେଠାରେ ମଧ୍ୟ ଅଭିଯୋଗର କୌଣସି ଚିହ୍ନ ନଥିଲା। କେବଳ ସେମାନଙ୍କ ତରଫରୁ ଏତିକି କୁହାଯାଉଥିଲା—ଭଗବାନ ସବୁ ଭଲ ହିଁ କରିବେ।
କ୍ୟାପ୍ଟେନ ସ୍ମିତ – ହଁ ସାର୍।
ପ୍ରଧାନମନ୍ତ୍ରୀ – ଠିକ୍ ଅଛି, ଜୟ ଶ୍ରୀକୃଷ୍ଣ। ଆଉ ଖୁବଶୀଘ୍ର ସୁସ୍ଥ ହୋଇଯାଅ। ତା’ପରେ ଆମେ ଦେଖା ହେବା।
କ୍ୟାପ୍ଟେନ ସ୍ମିତ – ହଁ ସାର୍।
ପ୍ରଧାନମନ୍ତ୍ରୀ – ଭଗବାନ ତୁମର ମଙ୍ଗଳ କରନ୍ତୁ!
କ୍ୟାପ୍ଟେନ ସ୍ମିତ – ଜୟ ହିନ୍ଦ।
ପ୍ରଧାନମନ୍ତ୍ରୀ – ଜୟ ହିନ୍ଦ।
ଟିପ୍ପଣୀ: ପ୍ରଧାନମନ୍ତ୍ରୀଙ୍କ ସହ କଥୋପକଥନର କିଛି ଅଂଶ ଗୁଜରାଟୀ ଭାଷାରେ ମଧ୍ୟ ହୋଇଛି। ଏଠାରେ ସେହି ଅଂଶର ଭାବାନୁବାଦ କରାଯାଇଛି।
TKM
An unforgettable conversation with Captain Smit, filled with pride and emotions. pic.twitter.com/CCf46PKOWR
— Narendra Modi (@narendramodi) October 2, 2026