Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ସାମାଜିକ ନ୍ୟାୟ ଓ ସଶକ୍ତିକରଣ ଉପରେ ବିଭାଗୀୟ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ସୁଷମା ସ୍ୱରାଜ ଭବନରେ ‘ସାମାଜିକ ନ୍ୟାୟ ଓ ସଶକ୍ତିକରଣ’ ବିଷୟକ ବିଭାଗୀୟ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରିଛନ୍ତି ।

ଏହି ଶିଖର ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । ସେମାନେ ସାମାଜିକ ଅନ୍ତର୍ଭୁକ୍ତିକରଣକୁ ସୁଦୃଢ଼ କରିବା, ଭିନ୍ନକ୍ଷମ ବ୍ୟକ୍ତିଙ୍କ ସଶକ୍ତିକରଣ, ନିଶାଦ୍ରବ୍ୟ ଅପବ୍ୟବହାର ରୋକିବା ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ପାଇଁ ଅଭିନବ ପଦ୍ଧତି ଉପରେ ବିଶେଷ ଗୁରୁତ୍ୱ ଦେଇ ବିଚାରବିମର୍ଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ବ୍ୟାପକ ଆଲୋଚନାକୁ ପ୍ରଶଂସା କରି କହିଥିଲେ ଯେ ଶିଖର ସମ୍ମିଳନୀରୁ ବାହାରିଥିବା ନିର୍ଯାସ ଏବଂ କାର୍ଯ୍ୟବିନ୍ଦୁଗୁଡ଼ିକ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏକ ସମାନ ଉଦ୍ଦେଶ୍ୟ ଭାବନାକୁ ପ୍ରତିଫଳିତ କରୁଛି । ପ୍ରତିଯୋଗିତାମୂଳକ ଓ ସହଯୋଗୀ ସଂଘୀୟ ଭାବନା ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ମାର୍ଗଦର୍ଶନ କରିବା ଉଚିତ ଏବଂ ରାଜ୍ୟଗୁଡ଼ିକ ପରସ୍ପରର ଅଭିଜ୍ଞତା ଓ ଅଭିନବ ପଦକ୍ଷେପରୁ ଶିଖିବା ଉଚିତ ବୋଲି ସେ ଗୁରୁତ୍ୱାରୋପ କରି କହିଥିଲେ ।

ଜନ ଭାଗୀଦାରୀ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ବିକାଶମୂଳକ ଭିନ୍ନକ୍ଷମତା ଏବଂ ପ୍ରାରମ୍ଭିକ ଚିହ୍ନଟର ଗୁରୁତ୍ୱ ବିଷୟରେ ପିତାମାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ସମାଜର ଅଂଶଗ୍ରହଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ସଂକୋଚ, ସାମାଜିକ ଅପବାଦର ଭୟ ଏବଂ ସଚେତନତାର ଅଭାବ ପ୍ରାୟତଃ ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କୁ ଚିହ୍ନିବା କିମ୍ବା ସମୟାନୁସାରେ ସହାୟତା ପାଇବାରୁ ବାଧା ଦିଏ। ଗୋଟିଏ ସାମାଜିକ ପଦ୍ଧତି ପିତାମାତାଙ୍କ ସଂକୋଚକୁ ଦୂର କରିବା ଏବଂ ପ୍ରାରମ୍ଭିକ ହସ୍ତକ୍ଷେପକୁ ଅଧିକ ଗ୍ରହଣୀୟ କରିବାରେ ସାହାଯ୍ୟ କରିପାରିବ। ସଚେତନତା ସୃଷ୍ଟି ପାଇଁ ଅଭିନବ ପଦ୍ଧତି ଗ୍ରହଣ କରିବାକୁ ସେ ଆହ୍ୱାନ କରିଥିଲେ । ବିଶେଷକରି ସରଳ ଓ ସୁଲଭ ଉପାୟରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ରାଜ୍ୟଗୁଡ଼ିକ ଯୁବ ଉଦ୍ଭାବକମାନଙ୍କୁ ସୁଲଭ ସହାୟକ ଉପକରଣ ବିକାଶ କରିବାକୁ ଉତ୍ସାହିତ କରିବା ପାଇଁ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା ଆୟୋଜନ କରିପାରିବେ, ବିଶେଷକରି ଗତିଶୀଳତା, ସୁଲଭତା ଏବଂ କ୍ରୀଡା ଏବଂ ଦୈନନ୍ଦିନ କାର୍ଯ୍ୟକଳାପରେ ଅଂଶଗ୍ରହଣକୁ ଉନ୍ନତ କରିବା ନିମନ୍ତେ ।

ନିଶା ମୁକ୍ତ ଭାରତ ଅଭିଯାନ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ନିଶା କାରବାର ରୋକିବା ଲାଗି ନିୟମିତ ପ୍ରୟାସ ଏବଂ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ଠାରୁ ଆଗକୁ ବଢ଼ିବା ଆବଶ୍ୟକ। ସେ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ତଥା ବ୍ୟାପକ ସାମାଜିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ପ୍ରବନ୍ଧ-ଲିଖନ, ବିତର୍କ, ବକ୍ତୃତା ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକୁ ଏଥିରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ନିଶା କବଳରୁ ମୁକୁଳିଥିବା ଲୋକଙ୍କ ଅଭିଜ୍ଞତା ବାଣ୍ଟିବା ଏବଂ ଉପଯୋଗ କରିବାକୁ ମଧ୍ୟ ସେ କହିଥିଲେ ।

ସମଗ୍ର ରାଷ୍ଟ୍ର ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏକ ନିଶା ମୁକ୍ତ ଭାରତ ପ୍ରୟାସରେ ସମାଜ, ଆଧ୍ୟାତ୍ମିକ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ମନ୍ତ୍ରଣାଳୟଗୁଡ଼ିକୁ ଅଧିକ ମାତ୍ରାରେ ସମ୍ପୃକ୍ତ ରହିବାର ଆବଶ୍ୟକତା ରହିଛି । ଦୀର୍ଘସ୍ଥାୟୀ ଆଚରଣଗତ ପରିବର୍ତ୍ତନ ହାସଲ କରାଯାଇପାରିଲେ ସମାଜ ଏହି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣକାରୀ ହୋଇପାରିବ ।

କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ଗୋଟିଏ ଜାତୀୟ ପ୍ରୟାସରେ ସହଭାଗୀ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ କହିଥିଲେ, ଶିଖର ସମ୍ମିଳନୀ ସମୟରେ ପ୍ରଦର୍ଶିତ ସାମୂହିକ ପ୍ରତିବଦ୍ଧତାକୁ ପ୍ରତିଯୋଗିତାମୂଳକ ଏବଂ ସହଯୋଗୀ ସଂଘୀୟ ଭାବନାରେ ଆଗକୁ ବଢ଼ାଇବା ଉଚିତ୍‌ । ଏହା ଏକ ସମାବେଶୀ ଓ ସଶକ୍ତ ବିକଶିତ ଭାରତ ଗଠନରେ ଯୋଗଦାନ ଦେବ ।

******

PS