Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ନଭେମ୍ବର ୨୧ରେ ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ନଭେମ୍ବର ୨୦୨୬ରେ ବିହାର ଗସ୍ତ କରିବେ। ଅପରାହ୍ନ ପ୍ରାୟ ୧ଟା ୧୫ ମିନିଟ୍‌ ସମୟରେ ପ୍ରଧାନମନ୍ତ୍ରୀ ବୈଶାଳୀ ଜିଲ୍ଲାରେ ନିର୍ମିତ ନୀତୀଶ ସେତୁ ପରିଦର୍ଶନ କରିବେ। ଏହାପରେ, ଅପରାହ୍ନ ପ୍ରାୟ ୨ଟା ସମୟରେ ସେ ବୈଶାଳୀଠାରେ ପ୍ରାୟ ୩୪,୪୭୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଲୋକାର୍ପଣ କରିବା ସହ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

 

ଏହି ପ୍ରକଳ୍ପଗୁଡ଼ିକ ସଡ଼କ ସଂଯୋଗୀକରଣ, ଶକ୍ତି, ସହରାଞ୍ଚଳ ଭିତ୍ତିଭୂମି, ଜଳସମ୍ପଦ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପରିବହନ ସମେତ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ର ସହ ଜଡ଼ିତ। ରାଜ୍ୟରେ ଭିତ୍ତିଭୂମିର ବିକାଶକୁ ସୁଦୃଢ଼ କରିବା ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇଦେବା ଏହି ପ୍ରକଳ୍ପଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ।

 

ପ୍ରଧାନମନ୍ତ୍ରୀ ଗଙ୍ଗା ନଦୀ ଉପରେ ନିର୍ମିତ ବାହ୍ୟ କେବୁଲ୍‌ ସମର୍ଥିତ ସେତୁ ନିର୍ମାଣ ପ୍ରଣାଳୀ (ଏକ୍ସଟ୍ରାଡୋଜ୍‌ଡ) କେବୁଲ୍‌-ଷ୍ଟେଡ୍‌ ସେତୁ ‘ନୀତୀଶ ସେତୁ’କୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ। ପ୍ରାୟ ୪,୨୮୦ କୋଟି ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଛି। ମୋଟ ୧୯.୭ କିଲୋମିଟର ଦୀର୍ଘ ଏହି ପ୍ରକଳ୍ପ ପାଟନା ଜିଲ୍ଲାର ଜାତୀୟ ରାଜପଥ-୨୨ରେ ଥିବା କଚ୍ଛି ଦରଗାହକୁ ବୈଶାଳୀ ଜିଲ୍ଲାର ଜାତୀୟ ରାଜପଥ-୩୨୨ରେ ଥିବା ବିଦୁପୁର ସହ ସଂଯୋଗ କରୁଛି। ଏଥିରେ ୯.୭ କିଲୋମିଟର ଦୀର୍ଘ ମୁଖ୍ୟ ସେତୁ ସହ ୧୦ କିଲୋମିଟର ଆପ୍ରୋଚ୍‌ ରାସ୍ତା ରହିଛି।

 

ଏହି ସେତୁ ଗଙ୍ଗା ନଦୀ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଅତିରିକ୍ତ ଗମନାଗମନ ବ୍ୟବସ୍ଥା ଯୋଗାଇବ। ଫଳରେ ବର୍ତ୍ତମାନର ମହାତ୍ମା ଗାନ୍ଧୀ ସେତୁ ଓ ଜେପି ସେତୁ ଉପରେ ଯାତାୟାତ ଚାପ ହ୍ରାସ ପାଇବା ସହ ଉତ୍ତର ଓ ଦକ୍ଷିଣ ବିହାର ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇବ। ବିଶେଷ କରି ରାଘୋପୁର ଦିଆରା ଅଞ୍ଚଳର ବାସିନ୍ଦାମାନେ ଏହି ସେତୁ ଦ୍ୱାରା ଉପକୃତ ହେବେ। ପାଟନାକୁ ଯୋଗାଯୋଗ ସୁବିଧା ବୃଦ୍ଧି ପାଇବା ସହ ସ୍ୱାସ୍ଥ୍ୟସେବା ଓ ଶିକ୍ଷା ଭଳି ଅତ୍ୟାବଶ୍ୟକ ସେବା ସହଜରେ ଉପଲବ୍ଧ ହୋଇପାରିବ। ଏହି ପ୍ରକଳ୍ପ ଦ୍ୱାରା କୃଷିଜାତ ଉତ୍ପାଦ ଓ ଶିଳ୍ପ ସାମଗ୍ରୀ ପରିବହନ ସୁଗମ ହେବ। ଏଥିସହ ବଜାର ସହ ଯୋଗାଯୋଗ ବୃଦ୍ଧି ପାଇବା ସହ ଅଞ୍ଚଳରେ ବାଣିଜ୍ୟ ଓ ବ୍ୟବସାୟର ପ୍ରସାର ଘଟିବ। ଏହା ବିହାରର ଆର୍ଥିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ।

 

ପ୍ରଧାନମନ୍ତ୍ରୀ ୧୫,୬୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ନିର୍ମିତ ଅନେକ ପ୍ରମୁଖ ଭିତ୍ତିଭୂମି ଓ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିବେ। ପ୍ରମୁଖ ସଡ଼କ ପ୍ରକଳ୍ପ ମଧ୍ୟରେ ଜାତୀୟ ରାଜପଥ-୧୯ର ଔରଙ୍ଗାବାଦ-ଚୋରଦାହା ସେକ୍ସନ, ଜାତୀୟ ରାଜପଥ-୨୨୭ଏଫ୍‌ର ଚୋରମା-ବୈରଗନିଆ ସେକ୍ସନ ଏବଂ ଜାତୀୟ ରାଜପଥ-୩୨୭ର ଉମଗାଓଁ-ସହରସା ସେକ୍ସନକୁ ୬ ଲେନ୍‌ ବିଶିଷ୍ଟ କରିବା ସମେତ ଅନ୍ୟାନ୍ୟ ପ୍ରକଳ୍ପ ଅନ୍ତର୍ଭୁକ୍ତ।

 

ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ୧,୩୨୦ ମେଗାୱାଟ୍‌ ବିଶିଷ୍ଟ ବକ୍ସର ତାପଜ ବିଦ୍ୟୁତ୍‌ ପ୍ରକଳ୍ପର ୨ ନମ୍ବର ୟୁନିଟ୍‌ (୬୬୦ ମେଗାୱାଟ୍‌)ର ଉଦ୍‌ଘାଟନ କରିବେ। ଏଥିସହ ଶକ୍ତି ବିଭାଗ ଅଧୀନରେ ବିଦ୍ୟୁତ୍‌ ବଣ୍ଟନ ଓ ପରିବହନ ଭିତ୍ତିଭୂମି ସମ୍ପର୍କିତ ବିଭିନ୍ନ ପ୍ରକଳ୍ପର ମଧ୍ୟ ଉଦ୍‌ଘାଟନ କରିବେ। ଏଥିରେ ୧,୧୩୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଆର୍‌ଡିଏସ୍‌ଏସ୍‌ କ୍ଷତି ହ୍ରାସ କାର୍ଯ୍ୟ ସମେତ ଅନ୍ୟାନ୍ୟ ପ୍ରକଳ୍ପ ସାମିଲ ରହିଛି। ଅନ୍ୟାନ୍ୟ ଉଦ୍‌ଘାଟିତ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ କେନାଲ ଓ ନଦୀବନ୍ଧର ପୁନରୁଦ୍ଧାର ଏବଂ ସୁଦୃଢ଼ୀକରଣ, ନୱାଡାର ଫୁଲୱାରିଆ ଡ୍ୟାମ୍‌ଠାରେ ଏକ ଭାସମାନ ସୌରଶକ୍ତି ପ୍ରକଳ୍ପ ଏବଂ କହଲଗାଓଁଠାରେ ସ୍ୱେରେଜ୍‌ ଭିତ୍ତିଭୂମି ପ୍ରକଳ୍ପ ରହିଛି। ଏଥିସହ ପ୍ରଧାନମନ୍ତ୍ରୀ ଶିକ୍ଷାନୁଷ୍ଠାନ, ଆବାସିକ ବିଦ୍ୟାଳୟ, ସ୍ୱାସ୍ଥ୍ୟସେବା, କୃଷି, କ୍ରୀଡ଼ା ଏବଂ ସାଧାରଣ ପ୍ରଶାସନ ସମ୍ପର୍କିତ ବିଭିନ୍ନ ଅନୁଷ୍ଠାନର କୋଠା ଓ ଅନ୍ୟାନ୍ୟ ସୁବିଧାର ଉଦ୍‌ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ଜଳସେଚନ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ସହରାଞ୍ଚଳ ସେବାର ବିକାଶ ଏବଂ ଅତ୍ୟାବଶ୍ୟକ ସୁବିଧା ସୁଯୋଗର ଉପଲବ୍ଧତା ବୃଦ୍ଧିରେ ସହାୟକ ହେବ।

 

ପ୍ରଧାନମନ୍ତ୍ରୀ ପ୍ରାୟ ୧୪,୪୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିମଧ୍ୟରେ ୩,୮୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବ୍ୟୟରେ ବିକଶିତ ହେବାକୁ ଥିବା ଜାତୀୟ ରାଜପଥ-୧୩୯ଡବ୍ଲ୍ୟୁ (ଏନ୍‌ଏଚ୍‌-୧୩୯ଡବ୍ଲ୍ୟୁ)ର ସାହେବଗଞ୍ଜ-ଆରେରାଜ-ବେଟିଆ ସେକ୍ସନର ଚାରି ଲେନ୍‌ ବିଶିଷ୍ଟ ରାସ୍ତା ଏବଂ ପ୍ରାୟ ୩,୩୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ପିରପୈନ୍ତି ସୁପର ଥର୍ମାଲ୍‌ ପାୱାର ପ୍ରକଳ୍ପ (୩×୮୦୦ ମେଗାୱାଟ୍‌) ପାଇଁ ବିଦ୍ୟୁତ୍‌ ନିଷ୍କାସନ ପ୍ରକଳ୍ପ ପ୍ରମୁଖ ଅଟେ।

 

ପ୍ରଧାନମନ୍ତ୍ରୀ ବିହାରର ବେଗୁସରାୟ, ବିହାରଶରିଫ୍‌, ପୂର୍ଣ୍ଣିଆ, ହାଜିପୁର, ମୋତିହାରୀ, ଦାନାପୁର, ଖଗାରିଆ, ସମସ୍ତିପୁର, ବୋଧଗୟା, ସୀତାମାଢ଼ି, ସହରସା ଏବଂ ଅନ୍ୟାନ୍ୟ ସହରାଞ୍ଚଳରେ ସ୍ୱେରେଜ୍‌ ଓ ଜଳଯୋଗାଣ ପ୍ରକଳ୍ପଗୁଡ଼ିକର ମଧ୍ୟ ଶିଳାନ୍ୟାସ କରିବେ। ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ କେନାଲ ବ୍ୟବସ୍ଥାର ଆଧୁନିକୀକରଣ, ଡକ୍ଟର ଭୀମରାଓ ଆମ୍ବେଦକର ଆବାସିକ ବିଦ୍ୟାଳୟ, ଆଇଆଇଟି ପାଟନାର ଗବେଷଣା ପାର୍କ ଓ ଛାତ୍ରାବାସ, ଇଞ୍ଜିନିୟରିଂ ଓ ପଲିଟେକ୍ନିକ୍‌ ପ୍ରତିଷ୍ଠାନ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ଓ ପୁଲିସ୍‌ ଡାଟା ସେଣ୍ଟର ଭିତ୍ତିଭୂମି ଆଦି ସାମିଲ ରହିଛି।

 

ପ୍ରଧାନମନ୍ତ୍ରୀ ୧୦୦ଟି ପିଏମ୍‌-ଇ-ବସ୍‌ର ପତାକା ଦେଖାଇ ଶୁଭାରମ୍ଭ କରିବେ। ଏହାଦ୍ୱାରା ରାଜ୍ୟରେ ସ୍ୱଚ୍ଛ ଓ ପରିବେଶ ଅନୁକୂଳ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ଆହୁରି ପ୍ରୋତ୍ସାହନ ମିଳିବ। ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଅଧୀନରେ ୨୬,୯୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ଗୃହ ପ୍ରବେଶ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ସହରାଞ୍ଚଳର ପରିବାରଗୁଡ଼ିକୁ ଆବାସ ଯୋଗାଇଦେବା କ୍ଷେତ୍ରରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

 

*****

MT