ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ୧,୧୪୧ କୋଟି ଟଙ୍କାର ପ୍ରସ୍ତାବିତ ବ୍ୟୟବରାଦ ସହ “ଡାକ ପରିଚାଳନା” ଜାରି ରଖିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ୨୦୨୬-୨୭ ଆର୍ଥିକ ବର୍ଷରୁ ଆରମ୍ଭ କରି ୧୬ତମ ଅର୍ଥ କମିଶନଙ୍କ କାର୍ଯ୍ୟକାଳ ଶେଷ ଅର୍ଥାତ୍ ୨୦୩୦-୩୧ ପର୍ଯ୍ୟନ୍ତ ଏହି କେନ୍ଦ୍ରୀୟ ଯୋଜନା ଜାରି ରହିବ। ଡାକ ଭିତ୍ତିଭୂମିକୁ ସୁଦୃଢ଼ କରିବା, ପରିଚାଳନାଗତ ଦକ୍ଷତାରେ ଉନ୍ନତି ଆଣିବା ଏବଂ ସମଗ୍ର ଦେଶରେ ଲଜିଷ୍ଟିକ୍ସ, ଇ-କମର୍ସ ଏବଂ ଡିଜିଟାଲ୍ ସେବା ପ୍ରଦାନର ବର୍ଦ୍ଧିତ ଆବଶ୍ୟକତାକୁ ସହାୟକ ହେବା ଏହି ଯୋଜନାର ମୂଳ ଲକ୍ଷ୍ୟ।
ଗ୍ରାମାଞ୍ଚଳରେ ୧,୪୯,୬୫୫ଟି ଡାକଘର ସମେତ ମୋଟ ୧.୬୫ ଲକ୍ଷ ଡାକଘରକୁ ନେଇ ଗଠିତ ବିଶ୍ୱର ସର୍ବବୃହତ ଡାକ ନେଟୱାର୍କ ମଧ୍ୟରୁ ଅନ୍ୟତମ ଭାବରେ, ଭାରତୀୟ ଡାକ ବିଶେଷକରି ଦୁର୍ଗମ ଏବଂ ଅବହେଳିତ ଅଞ୍ଚଳରେ ଡାକ, ପାର୍ସଲ, ବ୍ୟାଙ୍କିଙ୍ଗ, ବୀମା ଏବଂ ଅନ୍ୟାନ୍ୟ ନାଗରିକ-କୈନ୍ଦ୍ରିକ ସେବା ପ୍ରଦାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବରେ କାର୍ଯ୍ୟ କରିଆସୁଛି।
ମୂଳ କାର୍ଯ୍ୟ ଭାବେ ଡାକ ପରିଚାଳନାକୁ ବାଦ୍ ଦେଲେ, ଭାରତୀୟ ଡାକ ପୋଷ୍ଟ ଅଫିସ୍ ସଞ୍ଚୟ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ, ଡାକ ଜୀବନ ବୀମା, ଆଧାର ପଞ୍ଜିକରଣ ଏବଂ ଅପଡେସନ୍, ପୋଷ୍ଟ ଅଫିସ୍ ପାସପୋର୍ଟ ସେବା କେନ୍ଦ୍ର ମାଧ୍ୟମରେ ପାସପୋର୍ଟ ସେବା, କେୱାଇସି ସେବା ଏବଂ ଡାକଘର ରପ୍ତାନୀ କେନ୍ଦ୍ର ମାଧ୍ୟମରେ ଗ୍ରାମୀଣ କାରିଗରମାନଙ୍କୁ ସହାୟତା ଭଳି ପଦକ୍ଷେପ ମାଧ୍ୟମରେ ବିଭିନ୍ନ ପ୍ରକାରର ଜନସେବା ପ୍ରଦାନ କରୁଛି।
ଏହି ଯୋଜନା ଡାକ ଭିତ୍ତିଭୂମିର ଆଧୁନିକୀକରଣକୁ ସମର୍ଥନ କରିବ, ଶେଷ-ମାଇଲ୍ ବିତରଣକୁ ସୁଦୃଢ଼ କରିବ, ଲଜିଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଆଣିବ, ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବ ଏବଂ ସମଗ୍ର ଦେଶରେ ଗ୍ରାହକ-କୈନ୍ଦ୍ରିକ ସେବା ପ୍ରଦାନକୁ ବୃଦ୍ଧି କରିବ। ଏହି ପ୍ରସ୍ତାବ ଡିଜିଟାଲ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ବିକଶିତ ଭାରତର ବ୍ୟାପକ ଉଦ୍ଦେଶ୍ୟ ସହିତ ମଧ୍ୟ ସମନ୍ୱୟ ରଖୁଛି।
ଏହି ଯୋଜନା ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷର ଅବଧି ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଲକ୍ଷ୍ୟ ରଖାଯାଇଛି।
ଡାକ ପରିଚାଳନା ଯୋଜନାରେ ନିମ୍ନଲିଖିତ ଛଅଟି ଉପ-ଯୋଜନା ଅନ୍ତର୍ଭୁକ୍ତ ରହିଛି:
୧. ଗ୍ରାମୀଣ ବ୍ୟବସାୟ ଏବଂ ଡାକ ନେଟୱାର୍କକୁ ପ୍ରବେଶ – ୧୨୦ କୋଟି ଟଙ୍କା – ବିଶେଷକରି ଗ୍ରାମାଞ୍ଚଳରେ ଥିବା ଡାକଘରଗୁଡ଼ିକୁ ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ ସେବା କେନ୍ଦ୍ରରେ ପରିଣତ କରିବା ପାଇଁ ଭିତ୍ତିଭୂମିର ଉନ୍ନତିକରଣ, ମାନକୀକୃତ ବ୍ରାଣ୍ଡିଂ ଏବଂ ସମ୍ବଳର ଉତ୍ତମ ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି। ଅବହେଳିତ ଅଞ୍ଚଳରେ ଶେଷ-ମାଇଲ୍ ବିତରଣରେ ଉନ୍ନତି ଆଣିବା ଏବଂ ଡାକ ଓ ନାଗରିକ-କୈନ୍ଦ୍ରିକ ସେବାଗୁଡ଼ିକର ଉପଲବ୍ଧତା ବୃଦ୍ଧି କରିବା ସହିତ ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଡିଜିଟାଲ୍ ସଂଯୋଗୀକରଣ ଏବଂ ସ୍ଥାନୀୟ ଅର୍ଥନୈତିକ ବିକାଶକୁ ସୁଦୃଢ଼ କରିବା ଏହି ଉପାଦାନର ଲକ୍ଷ୍ୟ।
୨. ଡାକ ନେଟୱାର୍କ ଉନ୍ନତୀକରଣ – ୫୭୫ କୋଟି ଟଙ୍କା – କେନ୍ଦ୍ରୀଭୂତ ବିତରଣ ପ୍ରଣାଳୀ, ଯାନ୍ତ୍ରିକୀକରଣ, ଆଡଭାନ୍ସଡ୍ ପୋଷ୍ଟାଲ ଟେକ୍ନୋଲୋଜି (APT 2.0) ଅଧୀନରେ ଉନ୍ନତ ଆଇଟି ସମାଧାନ, ଜିଆଇଏସ୍ (GIS)-ଆଧାରିତ ସେବା ଏବଂ ଉନ୍ନତ ଭିତ୍ତିଭୂମି ମାଧ୍ୟମରେ ଡାକ ପରିଚାଳନାର ଆଧୁନିକୀକରଣର ପରିକଳ୍ପନା କରାଯାଇଛି। ସମଗ୍ର ନେଟୱାର୍କରେ ପରିଚାଳନାଗତ ଦକ୍ଷତା, ସ୍ୱଚ୍ଛତା, ସେବା ଗୁଣବତ୍ତା ଏବଂ ଲଜିଷ୍ଟିକ୍ସ ବିଶ୍ୱସନୀୟତାରେ ଉନ୍ନତି ଆଣିବା ପାଇଁ ବିତରଣ ଡାକଘର, ଡାକ ପରିଚାଳନା ପ୍ରଣାଳୀ, ମେଲ୍ ମୋଟର ସର୍ଭିସ୍ ୱାର୍କଶପ୍, ସଡ଼କ ପରିବହନ ନେଟୱାର୍କ ଏବଂ ଆଧୁନିକ ସ୍ମାର୍ଟ ୨୪x୭ ଲେଟର ବକ୍ସଗୁଡ଼ିକୁ ସୁଦୃଢ଼ କରିବା ମଧ୍ୟ ଏହି ପଦକ୍ଷେପରେ ଅନ୍ତର୍ଭୁକ୍ତ।
୩. ପାର୍ସଲ ନେଟୱାର୍କ ଅପ୍ଟିମାଇଜେସନ୍ – ୨୭୮ କୋଟି ଟଙ୍କା – ପାର୍ସଲ ଚଳାଚଳକୁ ସୁବ୍ୟବସ୍ଥିତ କରିବା, ହ୍ୟାଣ୍ଡଲିଂ ପଏଣ୍ଟ ହ୍ରାସ କରିବା, କ୍ଷମତା ପ୍ରତିବନ୍ଧକ ଦୂର କରିବା ଏବଂ ପରିବହନ ସମୟରେ ଉନ୍ନତି ଆଣିବା ପାଇଁ ପୁନଃଡିଜାଇନ୍ ହୋଇଥିବା ସର୍ଟିଂ ଢାଞ୍ଚା ସହିତ ସମନ୍ୱିତ ପାର୍ସଲ ହବ୍ ନିର୍ମାଣ ଏବଂ ପାର୍ସଲ ପ୍ୟାକେଜିଂ ୟୁନିଟ୍ (PPUs) ର ସମ୍ପ୍ରସାରଣ ଏଥିରେ ଅନ୍ତର୍ଭୁକ୍ତ। ଗ୍ରାହକଙ୍କ ବିଶ୍ୱାସ ବୃଦ୍ଧି କରିବା ଏବଂ ଲଜିଷ୍ଟିକ୍ସ କ୍ଷେତ୍ରରେ ଭାରତୀୟ ଡାକର ପ୍ରତିଯୋଗିତାମୂଳକ କ୍ଷମତାକୁ ସୁଦୃଢ଼ କରିବା ସହିତ ଉଦ୍ଦେଶ୍ୟମୂଳକ ଭାବରେ ନିର୍ମିତ ସୁବିଧା, ମାନକୀକୃତ ସୁରକ୍ଷିତ ପ୍ୟାକେଜିଂ ଏବଂ ବର୍ଦ୍ଧିତ ପରିଚାଳନାଗତ ନମନୀୟତା ମାଧ୍ୟମରେ ଇ-କମର୍ସ ଏବଂ ଗ୍ରାମୀଣ ବଜାରରୁ ବଢୁଥିବା ପାର୍ସଲ ପରିମାଣକୁ ସମର୍ଥନ କରିବା ମଧ୍ୟ ଏହି ଉପାଦାନର ଲକ୍ଷ୍ୟ।
୪. ଆନ୍ତର୍ଜାତିକ ଡାକ ପାଇଁ ଭିତ୍ତିଭୂମିର ଉନ୍ନତିକରଣ ଏବଂ ବୃଦ୍ଧି – ୮ କୋଟି ଟଙ୍କା – ଭିତ୍ତିଭୂମିରେ ଉନ୍ନତି ଆଣିବା ଏବଂ ଆନ୍ତର୍ଜାତିକ ପାର୍ସଲଗୁଡ଼ିକର ପ୍ରକ୍ରିୟାକରଣକୁ ତ୍ୱରାନ୍ୱିତ କରିବା ପାଇଁ ବୈଦେଶିକ ଡାକଘର ଏବଂ ଉପ-ବୈଦେଶିକ ଡାକଘରର ଉନ୍ନତିକରଣ କରି ଆନ୍ତର୍ଜାତିକ ଡାକ ସେବାକୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ। ଅନୁପାଳନ, ପ୍ରଯୁକ୍ତିବିଦ୍ୟା ସମନ୍ୱୟ ଏବଂ ରପ୍ତାନି ଲଜିଷ୍ଟିକ୍ସ ସହାୟତାରେ ଉନ୍ନତି ଆଣିବା ସହିତ ଡାକ / ଆରଏମଏସ୍ ଡିଭିଜନ୍ ମାଧ୍ୟମରେ ମାର୍କେଟିଂ ଏବଂ ବିଜ୍ଞାପନ କରିବା ଏବଂ ଭାରତୀୟ ଡାକକୁ ଏକ ବିଶ୍ୱସନୀୟ ଆନ୍ତର୍ଜାତୀୟ ଲଜିଷ୍ଟିକ୍ସ ପ୍ରଦାନକାରୀ ଭାବରେ ପ୍ରତିଷ୍ଠିତ କରିବା ମଧ୍ୟ ଏହି ପଦକ୍ଷେପରେ ଅନ୍ତର୍ଭୁକ୍ତ।
୫. ସେବା ଗୁଣବତ୍ତା ସମେତ ମାର୍କେଟିଂ କାର୍ଯ୍ୟକଳାପ – ୧୦୦ କୋଟି ଟଙ୍କା – ଟେଲିଭିଜନ, ଡିଜିଟାଲ୍, ରେଡିଓ, ପ୍ରିଣ୍ଟ ଏବଂ ଆଉଟଡୋର ପ୍ଲାଟଫର୍ମରେ ମଲ୍ଟି-ଚ୍ୟାନେଲ ଅଭିଯାନ ମାଧ୍ୟମରେ ପ୍ରଚାର, ବ୍ରାଣ୍ଡିଂ, ପ୍ରସାର ଏବଂ ଗ୍ରାହକ ସମ୍ପୃକ୍ତି ଉପରେ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ଗ୍ରାମାଞ୍ଚଳ ଏବଂ ଅବହେଳିତ ଅଞ୍ଚଳରେ ତୃଣମୂଳ ସ୍ତରର ସମ୍ପୃକ୍ତିକୁ ଗଭୀର କରିବା ପାଇଁ କାର୍ଯ୍ୟକ୍ରମ ଏବଂ ପ୍ରଦର୍ଶନୀରେ ଅଂଶଗ୍ରହଣ, ସୋସିଆଲ ମିଡିଆ ଅଭିଯାନ, ପ୍ରତ୍ୟକ୍ଷ ମାର୍କେଟିଂ ଏବଂ ଡାକ ଚୌପାଲ କାର୍ଯ୍ୟକଳାପର ସମ୍ପ୍ରସାରଣ ମଧ୍ୟ ଏହି ଉପାଦାନରେ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ସେବାର ଗୁଣବତ୍ତାରେ ଉନ୍ନତି ଆଣିବା ଏବଂ ଗ୍ରାହକ-କୈନ୍ଦ୍ରିକ ଆଭିମୁଖ୍ୟକୁ ସୁଦୃଢ଼ କରିବା ପାଇଁ ଭିତ୍ତିଭୂମି ଉନ୍ନତିକରଣ, ଷ୍ଟୁଡିଓ ସୁବିଧା, ଆଇସିଟି ବୃଦ୍ଧି, ବଜାର ଗବେଷଣା, ଇନଫ୍ଲୁଏନ୍ସର ସମ୍ପୃକ୍ତି ଏବଂ ତୃତୀୟ-ପକ୍ଷ ମୂଲ୍ୟାଙ୍କନ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି।
୬. ଡାକଟିକଟ ସଂଗ୍ରହ ପରିଚାଳନା – ୬୦ କୋଟି ଟଙ୍କା – ପ୍ରଦର୍ଶନୀ, ସେମିନାର, କୁଇଜ୍, ବିଦ୍ୟାଳୟ ଡାକଟିକଟ ସଂଗ୍ରହ କ୍ଲବ୍ ଏବଂ ସୁଗନ୍ଧିତ, ହୋଲୋଗ୍ରାଫିକ୍ ଏବଂ ୩ଡି ଡାକଟିକଟ ସମେତ ଅଭିନବ ଡାକଟିକଟ ଡିଜାଇନ୍ ମାଧ୍ୟମରେ ଡାକଟିକଟ ସଂଗ୍ରହ (ଫିଲାଟେଲି)କୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ପ୍ରସ୍ତାବ ଦିଆଯାଇଛି। ପରିଚାଳନାଗତ ଦକ୍ଷତା ଏବଂ ରାଜସ୍ୱ ସମ୍ଭାବନାରେ ଉନ୍ନତି ଆଣିବା ସହିତ ଡାକଟିକଟ ସଂଗ୍ରହକୁ ଏକ ଆକର୍ଷଣୀୟ ଶିକ୍ଷାଗତ ଏବଂ ସାଂସ୍କୃତିକ କାର୍ଯ୍ୟକଳାପ ଭାବରେ ପୁନର୍ଜୀବିତ କରିବାର ଉଦ୍ଦେଶ୍ୟ ନେଇ ଡିଜିଟାଲ୍ ପ୍ରସାର କାର୍ଯ୍ୟକଳାପ, ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଏବଂ ସ୍ପର୍ଶ (SPARSH) ଛାତ୍ରବୃତ୍ତି ଭଳି କାର୍ଯ୍ୟକ୍ରମ, ଉତ୍ପାଦନ ଏବଂ ଫୁଲଫିଲମେଣ୍ଟ କେନ୍ଦ୍ରଗୁଡ଼ିକର ଆଧୁନିକୀକରଣ, ବଜାର ଗବେଷଣା ଏବଂ ଆନ୍ତର୍ଜାତିକ ସହଯୋଗ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।
–
/HP