Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗାନ୍ଧିନଗର ଗିଫ୍ଟ ସିଟିରେ ଭାରତ ଆନ୍ତର୍ଜାତିକ ଷ୍ଟକ ଏକ୍ସଚେଞ୍ଜ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଗାନ୍ଧିନଗର ଗିଫ୍ଟ ସିଟିରେ ଭାରତ ଆନ୍ତର୍ଜାତିକ ଷ୍ଟକ ଏକ୍ସଚେଞ୍ଜ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଗାନ୍ଧିନଗର ଗିଫ୍ଟ ସିଟିରେ ଭାରତ ଆନ୍ତର୍ଜାତିକ ଷ୍ଟକ ଏକ୍ସଚେଞ୍ଜ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଗାନ୍ଧିନଗର ଗିଫ୍ଟ ସିଟିରେ ଭାରତ ଆନ୍ତର୍ଜାତିକ ଷ୍ଟକ ଏକ୍ସଚେଞ୍ଜ ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ଗିଫ୍ଟ ସିଟିରେ ଭାରତର ପ୍ରଥମ ଆନ୍ତର୍ଜାତିକ ଷ୍ଟକ୍ ଏକ୍ସଚେଞ୍ଜ୍ “ଇଣ୍ଡିଆ ଇଣ୍ଟରନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍” ଉଦ୍ଘାଟନ ଅବସରରେ ଉପସ୍ଥିତ ଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ବାସ୍ତବରେ ଭାରତର ଅର୍ଥନୈତିକ କ୍ଷେତ୍ର ପାଇଁ ଏହି ମୁହୂର୍ତ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆପଣମାନେ ଅବଗତ ଅଛନ୍ତି, 2007 ମସିହାରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ଲକ୍ଷ୍ୟ ଥିଲା, ଭାରତ ତଥା ସମଗ୍ର ବିଶ୍ୱକୁ ସେବା ଯୋଗାଇବା ପାଇଁ ଏକ ବିଶ୍ୱ ସ୍ତରୀୟ ଅର୍ଥ ଓ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଜୋନ୍ ପ୍ରତିଷ୍ଠା କରିବା ।

ସେ ସମୟରେ ମୁଁ ଯେଉଁ ଦେଶକୁ ଯାଉଥିଲି ଅର୍ଥନୈତିକ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିଙ୍କୁ ଭେଟୁଥିଲି । ନ୍ୟୁୟର୍କ, ଲଣ୍ଡନ, ସିଙ୍ଗାପୁର, ହଂକଂ କିମ୍ବା ଆବୁଧାବୀ ସବୁଠାରେ ମୁଁ ଅନେକ ଭାରତୀୟ ବଂଶୋଦ୍ଭବଙ୍କୁ ଦେଖୁଥିଲି । ଅର୍ଥବ୍ୟବସ୍ଥାରେ ସେମାନଙ୍କର ଦକ୍ଷତା ଏବଂ ସେମାନେ ରହୁଥିବା ଦେଶ ପ୍ରତି ସେମାନଙ୍କ ଅବଦାନ ଦେଖି ମୁଁ ପ୍ରଭାବିତ ହୋଇଥିଲି ।

ମୁଁ ଭାବୁଥିଲି, କିପରି ଏହି ଦକ୍ଷ ବ୍ୟକ୍ତିମାନଙ୍କୁ ଦେଶକୁ ଫେରାଇ ଆଣିହେବ ଏବଂ ବିଶ୍ୱକୁ ମଧ୍ୟ ଅର୍ଥନୈତିକ କ୍ଷେତ୍ରରେ ନେତୃତ୍ୱ ଦେଇ ହେବ ।

ଗଣିତରେ ଭାରତୀୟଙ୍କ ପରମ୍ପରା ବହୁ ପୁରୁଣା । ପ୍ରାୟ ଦୁଇ ହଜାର ବର୍ଷରୁ ଅଧିକ ବର୍ଷ ପୂର୍ବେ ଭାରତ ଶୂନ୍ୟ (Zero) ଓ ଦଶମିକ ତଥା ଭଗ୍ନାଂଶର ଚିନ୍ତାକଳ୍ପ କରିଥିଲା । ଏହା ଦୈବାତ୍ ନୁହେଁ ଯେ ଭାରତୀୟମାନେ ଏବେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଆର୍ଥିକ କ୍ଷେତ୍ରରେ ଅଗ୍ରଣୀ ହୋଇଛନ୍ତି, ଯେଉଁଥିରେ କି “ଶୂନ୍ୟ” ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ।

ଯେଉଁ ସମୟରେ ଗିଫ୍ଟ ସିଟିର କଳ୍ପନା କରାଯାଇଥିଲା, ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି । ପ୍ରଯୁକ୍ତିଗତ ଉନ୍ନତି ତ୍ୱରାନ୍ୱିତ ହୋଇସାରିଥିଲା । ଭାରତ ଏବଂ ବିଦେଶରେ କାମ କରୁଥିବା ଭାରତୀୟ ବଂଶୋଦ୍ଭବ ପ୍ରତିଭାଧାରୀଙ୍କ ଅଭାବ ନଥିଲା । ପ୍ରଯୁକ୍ତିଗତ ବିଦ୍ୟାରେ ଭାରତ ନେତୃ ସ୍ଥାନରେ ଥିଲା । ଆର୍ଥିକ କ୍ଷେତ୍ର ପ୍ରଯୁକ୍ତିବିଦ୍ୟା ସହ ଅଧିକରୁ ଅଧିକ ସମ୍ମିଶ୍ରଣ ହେଉଥିଲା । ଆମ ଆଗରେ ଏହା ସ୍ପଷ୍ଟ ହେଉଥିଲା ଯେ ଆର୍ଥିକ କ୍ଷେତ୍ର ସହ ପ୍ରଯୁକ୍ତିବିଦ୍ୟାର ସମ୍ମିଶ୍ରଣରେ ସୃଷ୍ଟି ହେଉଥିବା ଫିନ୍ଟେକ୍ ଭବିଷ୍ୟତରେ ଭାରତର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

ଭାରତକୁ କିପରି ଆର୍ଥିକ କ୍ଷେତ୍ରରେ ଚିନ୍ତାକଳ୍ପ ନେତୃତ୍ୱରେ ପରିଣତ କରାଯିବ ସେ ନେଇ ମୁଁ ବିଶେଷଜ୍ଞମାନଙ୍କ ସହ ଅନେକ ଅନୁଧ୍ୟାନ କରିଛି । ଏହା ସ୍ପଷ୍ଟ ହୋଇଥିଲା ଯେ ଏଥିପାଇଁ ବିଶ୍ୱର ବିଭିନ୍ନ ବଜାର ସହ କାରବାର କରି ପାରୁଥିବା ସୁବିଧା ଏବଂ ଦକ୍ଷତାର ଆବଶ୍ୟକ । ଏହି ଚିନ୍ତାକଳ୍ପରୁ ଗିଫ୍ଟ ସିଟି ଜନ୍ମ ନେଇଥିଲା । ଆର୍ଥିକ ଏବଂ ପ୍ରଯୁକ୍ତିଗତ କ୍ଷେତ୍ରରେ ଭାରତରେ ଥିବା ବିଶ୍ୱସ୍ତରୀୟ ପ୍ରତିଭା ମାନଙ୍କୁ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ଆମର ଲକ୍ଷ୍ୟ ଥିଲା ।

ଏକ ପୁସ୍ତକ ଉନ୍ମୋଚନ ପାଇଁ ମୁଁ 2013 ମସିହାରେ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ଯାଇଥିଲି । ଏକ ବିଶ୍ୱସ୍ତରୀୟ ଆନ୍ତର୍ଜାତିକ ଷ୍ଟକ୍ ଏକ୍ସଚେଞ୍ଜ୍ ପ୍ରତିଷ୍ଠା ପାଇଁ ମୁଁ ବିଏସ୍ଇକୁ ସେତେବେଳେ ନିମନ୍ତ୍ରଣ କରିଥିଲି । 2015 ମସିହାରେ ଭାଇବ୍ରାଣ୍ଟ ଗୁଜରାଟ ସମ୍ମିଳନୀ ଅବସରରେ ସେମାନେ ଏଥିପାଇଁ ଗୁଜରାଟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ । ଆଜି ନୂତନ ଇଣ୍ଡିଆ ଇଣ୍ଟରନେସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ଉଦ୍ଘାଟନରେ ଉପସ୍ଥିତ ଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଏକବିଂଶ ଶତାବ୍ଦୀର ଆନୁସଙ୍ଗିକ ସୁବିଧା ପାଇଁ ଏହା କେବଳ ଗିଫ୍ଟ ସିଟି ନୁହେଁ ବରଂ ଭାରତ ପାଇଁ ଏକ ମାଇଲଖୁଣ୍ଟ ।

ମୋତେ କୁହାଯାଇଛି, ଏହି ଏକ୍ସଚେଞ୍ଜ୍ ପ୍ରଥମ ପର୍ଯ୍ୟାୟରେ ଅଂଶଧନ, ଦ୍ରବ୍ୟ, ମୁଦ୍ରା ଏବଂ ସୁଧହାର ପରିମାପକର କାରବାର କରିବ । ପରେ ଏହା ଭାରତୀୟ ଏବଂ ବିଦେଶୀ କମ୍ପାନୀଙ୍କ ସହ ଅଂଶଧନ କାରବାର କରିବ । ମସାଲା ବଣ୍ଡ କାରବାର ମଧ୍ୟ ଏଠାରେ ହୋଇପାରିବ ବୋଲି କୁହାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତିକ ଆର୍ଥିକ କେନ୍ଦ୍ରରୁ ଏସିଆ, ଆଫ୍ରିକା ଏବଂ ୟୁରୋପର ଅଧିକରୁ ଅଧିକ କମ୍ପାନୀ ପାଣ୍ଠି ଉଠାଇପାରିବେ । ଅଧିକ ଆଧୁନିକ କାରବାର ସହ ଏହି ଏକ୍ସଚେଞ୍ଜ୍ ବିଶ୍ୱରେ ଦ୍ରୁତତମ ଏକ୍ସଚେଞ୍ଜ୍ ଗୁଡ଼ିକ ମଧ୍ୟରେ ସ୍ଥାନ ପାଇବ । ପଶ୍ଚିମ ଏବଂ ପୂର୍ବ ମଧ୍ୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଟାଇମ୍ ଜୋନରେ ରହିଛି । ଏହା ଉଭୟ ଦିନ ଏବଂ ରାତିରେ ସମଗ୍ର ବିଶ୍ୱକୁ ଆର୍ଥିକ ସେବା ଯୋଗାଇ ପାରିବ । ମୋତେ ସୂଚନା ଦିଆଯାଇଛି, ଏହି ଏକ୍ସଚେଞ୍ଜ 22 ଘଣ୍ଟା କାର୍ଯ୍ୟ କରିବ, ଅର୍ଥାତ୍ ଜାପାନ ବଜାର ଖୋଲିବା ସମୟରୁ ଆରମ୍ଭ କରି ଆମେରିକା ବଜାରର କାରବାର ବନ୍ଦ ହେବା ପର୍ଯ୍ୟନ୍ତ । ମୁଁ ନିଶ୍ଚିତ, ବିଭିନ୍ନ ଟାଇମ୍ ଜୋନ୍ ମଧ୍ୟରେ ଏହା ଗୁଣାତ୍ମକ ସେବା ଏବଂ ତ୍ୱରାନ୍ୱିତ କାରବାର ପାଇଁ ଏହି ଏକ୍ସଚେଞ୍ଜ ନୂତନ ମାନାଙ୍କ ପ୍ରତିଷ୍ଠା କରିବ ।

ଗିଫ୍ଟ ସିଟିର ଏହି ଏକ୍ସଚେଞ୍ଜ ଇଣ୍ଟରନ୍ୟାସନାଲ ଫାଇନାନ୍ସିଆଲ ସର୍ଭିସେସ୍ ସେଣ୍ଟର-ଆଇଏଫ୍ଏସସିର ଅଂଶବିଶେଷ । ଇଣ୍ଟରନେସନାଲ ଫାଇନାନ୍ସିଆଲ ସର୍ଭିସେସ୍ ସେଣ୍ଟରର ଚିନ୍ତାକଳ୍ପ ସରଳ, କିନ୍ତୁ କ୍ଷମତାପନ୍ନ । ଏହାର ଲକ୍ଷ୍ୟ ଭିନ୍ନ ଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ଭିନ୍ନ ଭିନ୍ନ କ୍ଷେତ୍ରର ପ୍ରଯୁକ୍ତିବିଦ୍ୟା ଓ ନିୟନ୍ତ୍ରିତ କାର୍ଯ୍ୟସୂଚୀ ଉପଲବ୍ଧ କରାଇବ । ବିଦେଶୀ ଆର୍ଥିକ କେନ୍ଦ୍ର ଗୁଡ଼ିକ ସହ ପ୍ରତିଦ୍ୱନ୍ଦ୍ୱିତା କରିବା ସକାଶେ ଭାରତୀୟ କମ୍ପାନୀଙ୍କୁ ଏହା ସୁଦକ୍ଷ କରାଇପାରିବ । ବିଶ୍ୱର ଯେକୌଣସି ଆର୍ଥିକ କେନ୍ଦ୍ର ଭଳି ତୁଳନାତ୍ମକ ଭାବେ ଗିଫ୍ଟ ସିଟି ଆଇଏଫ୍ଏସସି ମଧ୍ୟ ସୁବିଧା ଉପଲବ୍ଧ କରାଇପାରିବ ।

ପରିବ୍ୟାପ୍ତ ଘରୋଇ ବଜାର ଥିବା ଭାରତ ଭଳି ଏକ ବୃହତ୍ ଦେଶରେ ବିଦେଶ ଭଳି ପରିବେଶ ସୃଷ୍ଟି କରିବା ଏତେ ସହଜ ନୁହେଁ । ଛୋଟ ଛୋଟ ଦେଶ ସହ ଭାରତକୁ ତୁଳନା କରି ହେବନାହିଁ । ଏ ସବୁ ଦେଶ ଗୁଡ଼ିକରେ କ୍ଷୁଦ୍ର ସ୍ଥାନୀୟ ବଜାର ଅଛି ଯେଉଁଠାରେ ନିଜସ୍ୱ ସୁବିଧାଜନକ ଶୁଳ୍କ ଏବଂ ନିୟାମକ ଲାଗୁ ହୋଇପାରିବ । ବୃହତ୍ ଦେଶଗୁଡ଼ିକ ତାହା କରିପାରିବେ ନାହିଁ । ଭାରତ ଭଳି ଦେଶରେ ନିୟାମକ ପ୍ରଣୟନ ଏକ ଆହ୍ୱାନ । ମୁଁ ଅତ୍ୟନ୍ତ ଖୁସି ଯେ, ଅର୍ଥ ମନ୍ତ୍ରଣାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ସେବି ଏହାର ସମାଧାନ ବାଟ ବାହାର କରିପାରିଛନ୍ତି ।

ଏହା ସମାଲୋଚନା ହୋଇ ଆସୁଛି ଯେ ଅନେକ କାରବାରରେ ଭାରତୀୟ ଜିନିଷର ଦର ନିର୍ଦ୍ଧାରଣ ବିଦେଶରେ ହେଉଛି । କୁହାଯାଉଛି ଯେ, ଏ କ୍ଷେତ୍ରରେ ଭାରତ ତାର ଭୂମିକା ଠିକ୍ ଭାବେ ନେଇପାରୁନି । ଗିଫ୍ଟ ସିଟି ଏ ସବୁ ସମାଲୋଚନାରେ ପୂର୍ଣ୍ଣଚ୍ଛେଦ ପକାଇବାରେ ସଫଳ ହେବ । କିନ୍ତୁ ଗିଫ୍ଟ ସିଟି ପାଇଁ ମୋର ଦୃଷ୍ଟିକୋଣ ବୃହତ୍ । ମୋର ଦୃଷ୍ଟିକୋଣ ଏହା ଯେ, 10 ବର୍ଷ ମଧ୍ୟରେ ଗିଫ୍ଟ ସିଟି ବିଶ୍ୱରେ ସବୁଠାରୁ ଅଧିକ କାରବାର ହୋଉଥିବା ଦ୍ରବ୍ୟର ଦର ନିର୍ଦ୍ଧାରକ ହେବ । ତେଣିକି ତାହା ବସ୍ତୁ, ମୁଦ୍ରା, ଅଂଶଧନ କିମ୍ବା ସୁଧହାର ଭଳି ଆର୍ଥିକ କ୍ଷେତ୍ରର ଯେକୌଣସି ଦ୍ରବ୍ୟ ହୋଇପାରେ ।

ଆସନ୍ତା 20 ବର୍ଷ ମଧ୍ୟରେ ଭାରତ 30 କୋଟି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଆବଶ୍ୟକ । ଏହା ଏକ ଆନ୍ତରିକ ଉଦ୍ୟମ । ଏହି ନିଯୁକ୍ତି ଆନ୍ଦୋଳନରେ ଉତ୍କର୍ଷ ଏବଂ ଉତ୍ତମ ଦରମା ଏକ ଅଂଶବିଶେଷ ହେବ । ଭାରତୀୟ ଯୁବପୀଢ଼ି ଏହା କରିପାରିବେ । ଗିଫ୍ଟ ସିଟିରୁ ଆମ ଯୁବପୀଢ଼ି ଆନ୍ତର୍ଜାତିକ ଆଲୋକବର୍ତ୍ତିକା ପାଇପାରିବେ, ଯାହାକି ସେମାନଙ୍କୁ ଅଧିକରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସୁଯୋଗ ମିଳିବ । ଭାରତୀୟ କମ୍ପାନୀ, ଏକ୍ସଚେଞ୍ଜ ଏବଂ ନିୟାମକମାନଙ୍କୁ ମୁଁ ଅନୁରୋଧ କରିବି ଆର୍ଥିକ କ୍ଷେତ୍ରରେ ଅଭିଜ୍ଞ ଏବଂ ବିଶ୍ୱସ୍ତରୀୟ ପ୍ରତିଭାମାନଙ୍କୁ ନେଇ ତାଲିକା ପ୍ରସ୍ତୁତ କରିବାକୁ । ସେମାନେ ଏହି ଗିଫ୍ଟ ସିଟିରୁ କାମ କରି ବିଶ୍ୱକୁ ସେବା ଦେଇପାରିବେ । ପରବର୍ତ୍ତୀ ଦଶ ବର୍ଷରେ ଗିଫ୍ଟ ସିଟି ଲକ୍ଷାଧିକ ନିଯୁକ୍ତି ସୃଷ୍ଟି କରିବ ବୋଲି ଆଶା କରୁଛି ।

ଆପଣମାନେ ଅବଗତ ଥିବେ, ସ୍ମାର୍ଟ ସିଟିଗୁଡ଼ିକର ଉନ୍ନତି ପାଇଁ ମୁଁ କିପରି ଗୁରୁତ୍ୱ ଦେଉଛି । ଗିଫ୍ଟ ସିଟି ଦେଶରେ ମୁଣ୍ଡ ଟେକିଥିବା ପ୍ରଥମ ବାସ୍ତବ ସ୍ମାର୍ଟ ସିଟି । ସମସ୍ତ ଶହେ ସ୍ମାର୍ଟ ସିଟି ବୁଝିପାରିବେ, ଗିଫ୍ଟ ସିଟି କିପରି ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ପ୍ରସ୍ତୁତ ହୋଇପାରିଛି । ମୁଁ ପୂର୍ବରୁ କହିଥିଲି ଭାରତ ଗୋଟିଏ ପୀଢ଼ିରେ ବିକଶିତ ରାଷ୍ଟ୍ର ହୋଇପାରିବ । ଆମ ସ୍ୱପ୍ନର ନୂତନ ଭାରତ ଗଠନରେ ନୂତନ ସହରଗୁଡ଼ିକ ସହାୟକ ହୋଇପାରିବେ ।

–       ଏକ ଆତ୍ମବିଶ୍ୱାସୀ ଭାରତ

–       ଏକ ବିଭବଶାଳୀ ଭାରତ

–       ଏକ ସମଷ୍ଟିଗତ ଭାରତ

–       ଆମ ଭାରତ

ଏହି ଶୁଭ ମୁହୂର୍ତ୍ତରେ ମୁଁ ଇଣ୍ଡିଆ ଇଣ୍ଟରନେସନାଲ ଏକ୍ସଚେଞ୍ଜର ଉଦ୍ଘାଟନ ଘୋଷଣା କରୁଛି । ମୁଁ ଗିଫ୍ଟ ସିଟି ଏବଂ ଇଣ୍ଡିଆ ଇଣ୍ଟରନେସନାଲ ଏକ୍ସଚେଞ୍ଜକୁ ଶୁଭେଚ୍ଛା ଜଣାଉଛି ।

ଧନ୍ୟବାଦ

**********