Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଚେନ୍ନାଇରେ “ତୁଗଲକ ର 47ତମ ବାର୍ଷିକୀ – ଶ୍ରୀ ଚୋ ରାମସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି” କାର୍ଯ୍ୟକ୍ରମକୁ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ଚେନ୍ନାଇରେ “ତୁଗଲକ ର 47ତମ ବାର୍ଷିକୀ – ଶ୍ରୀ ଚୋ ରାମସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି” କାର୍ଯ୍ୟକ୍ରମକୁ ଭିଡିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


 

ପ୍ରିୟ ଡକ୍ଟର ପଦ୍ମ ସୁବ୍ରମନ୍ୟମ୍ ଜୀ

ଶ୍ରୀ ଏନ୍. ରବି

ଶ୍ରୀ ଜି. ବିଶ୍ୱନାଥନ୍

ଶ୍ରୀ ଏସ୍. ରଜନୀକାନ୍ତ

ଶ୍ରୀ ଗୁରୁମୂର୍ତ୍ତି

“ତୁଗଲକ”ର ପାଠକବୃନ୍ଦ

ସ୍ୱର୍ଗତ ଶ୍ରୀ ଚୋ ରାମସ୍ୱାମୀଙ୍କ ପ୍ରଶଂସକଗଣ

ଏବଂ ତାମିଲନାଡ଼ୁର ଜନସାଧାରଣ

ୱଣକ୍କମ୍, ଇନିୟା ପୋଙ୍ଗଲ୍ ନାଲଭଝଥୁକ୍କଲ

ଆମେ ଏକ ପବିତ୍ର ସମୟରେ ଏକତ୍ର ହୋଇଛନ୍ତି ।

ଗତକାଲି ମୋ ତେଲୁଗୁ ଭଉଣୀ ଓ ଭାଇମାନେ ଭୋଗୀ ଉତ୍ସବ ପାଳନ କରିଛନ୍ତି ।

ଉତ୍ତର ଭାରତର ବନ୍ଧୁମାନେ, ବିଶେଷ କରି ପଞ୍ଜାବରେ ଲୋହରୀ ପାଳନ କରିଛନ୍ତି ।

ଆଜି ମକର ସଂକ୍ରାନ୍ତି ।

ଏହି ଦିନରେ ଗୁଜରାଟର ଆକାଶ ଗୁଡ଼ିରେ ଭର୍ତ୍ତି ହୋଇଯାଏ, ଯାହାକି ଉତ୍ତରାୟଣ ନାମରେ ମଧ୍ୟ ପରିଚିତ ।

ଆସାମର ଲୋକମାନେ ମାଘ ବିହୁ ପାଳନ କରୁଛନ୍ତି ।

ଏବଂ ତାମିଲନାଡ଼ୁରେ, ଯେଉଁଠାରେ ଆପଣମାନେ ଅଛନ୍ତି, ପୋଙ୍ଗଲ ପାଳନ କରାଯାଉଛି ।

ପୋଙ୍ଗଲ କୃତଜ୍ଞତାର ଉତ୍ସବ – ସୂର୍ଯ୍ୟ ଦେବତାଙ୍କୁ ଧନ୍ୟବାଦ ଦିଆଯାଏ, କୃଷି କାର୍ଯ୍ୟରେ ସହାୟତା କରିଥିବା ଗୋସମ୍ପଦକୁ ଧନ୍ୟବାଦ ଏବଂ ଆମର ସତ୍ତା ପାଇଁ ପ୍ରାକୃତିକ ସମ୍ବଳ ଯୋଗାଇଥିବା ପ୍ରକୃତିକୁ ଧନ୍ୟବାଦ ଦିଆଯାଏ ।

ପ୍ରକୃତି ସହ ଐକ୍ୟ ଓ ତାଳମେଳ ଆମ ସଂସ୍କୃତି ଓ ପରମ୍ପରାର ମୂଳ ଶକ୍ତି ।

ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ, କିପରି ଦେଶ ସାରା ଉତ୍ସବର ଏକ ସୁନ୍ଦର ବାତାବରଣ – ତାହା ଆମେ ଦେଖି ପାରୁଛୁ ।

ପର୍ବ ଗୁଡ଼ିକ ଜୀବନର ଉତ୍ସବ ।

ପର୍ବ ସହ ଘନିଷ୍ଠତାର ଆବେଗ ଆସିଥାଏ ।

ସେମାନେ ଏକତାର ଏକ ସୁନ୍ଦର ରଜ୍ଜୁ ବାନ୍ଧିଥାନ୍ତି ।

ଏ ସମସ୍ତ ଉତ୍ସବ ଅବସରରେ ଦେଶବାସୀଙ୍କୁ ମୋର ଶୁଭେଚ୍ଛା  ।

ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥା’ନ୍ତି । ଅନେକ ଲୋକଙ୍କ ପାଇଁ ମକର ସଂକ୍ରାନ୍ତି ମାନେ, ହାଡଥରା ଶୀତରୁ ମୁକ୍ତି ସହ ଗରମ ଏବଂ ଉଜ୍ୱଳ ଦିନରେ ପ୍ରବେଶ ।

ଆମେ ଆଜି ପାଳନ କରୁଥିବା ଆଉ କେତେକ ଉତ୍ସବ ଶସ୍ୟ ଅମଳର ଉତ୍ସବ ।

ଆମେ ପ୍ରାର୍ଥନା କରିଥାଉ, ଆମ ଦେଶକୁ ଖାଦ୍ୟ ଯୋଗାଉଥିବା କୃଷକମାନଙ୍କ ପାଇଁ ଏହି ପର୍ବ ସୁଖ ଓ ସମୃଦ୍ଧି ଆଣିଦେଉ ।

ବନ୍ଧୁଗଣ,

ମୋର ଇଚ୍ଛା ଥିଲା, ଆପଣମାନଙ୍କ ସହ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବାକୁ, କିନ୍ତୁ ଜରୁରୀ କାର୍ଯ୍ୟ ହେତୁ ଏହା ସମ୍ଭବ ହୋଇପାରିଲାନି । “ତୁଗଲକ”ର 47ତମ ବାର୍ଷିକୀ ଅବସରରେ ମୁଁ ମୋର ପ୍ରିୟ ବନ୍ଧୁ ଶ୍ରୀ ଚୋ ରାମସ୍ୱାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ।

ଚୋ ଙ୍କ ପରଲୋକରେ ଆମେ ଜଣେ ବନ୍ଧୁଙ୍କୁ ହରାଇଲୁ, ଯିଏ କି ତାଙ୍କ ସହ ମିଶୁଥିବା ସମସ୍ତ ଲୋକଙ୍କୁ ମୂଲ୍ୟବାନ ଜ୍ଞାନ ବାଣ୍ଟୁଥିଲେ ।

ମୁଁ ତାଙ୍କୁ ଚାରି ଦଶନ୍ଧି ଧରି ଜାଣିଥିଲି । ଏହା ମୋ ପାଇଁ ବ୍ୟକ୍ତିଗତ ଭାବେ ବଡ଼ କ୍ଷତି ।

ମୁଁ ମିଶିଥିବା ଲୋକମାନଙ୍କ ମଧ୍ୟରେ ଚୋ ଜଣେ ବହୁମୁଖୀ ବ୍ୟକ୍ତିତ୍ୱର ମଣିଷ । ସେ ଏକାଧାରରେ ଜଣେ ଅଭିନେତା, ଜଣେ ନିର୍ଦ୍ଦେଶକ, ଜଣେ ସାମ୍ବାଦିକ, ସମ୍ପାଦକ, ଲେଖକ, ନାଟ୍ୟକାର, ରାଜନେତା, ରାଜନୈତିକ ଭାଷ୍ୟକାର, ସାଂସ୍କୃତିକ ସମାଲୋଚକ, ଜଣେ ଦକ୍ଷ ଲେଖକ, ଜଣେ ଧାର୍ମିକ ଓ ସାମାଜିକ ସମାଲୋଚକ, ଜଣେ ଆଇନଜୀବୀ ଏବଂ ଆହୁରି ଅନେକ କିଛି ।

ତାଙ୍କର ସବୁ କିଛି ଭୂମିକା ମଧ୍ୟରେ “ତୁଗଲକ” ପତ୍ରିକାର ସମ୍ପାଦକ ଭୂମିକା ମୁକୁଟରେ ମୁକ୍ତା ସ୍ୱରୂପ । ଜାତୀୟ ସ୍ୱାର୍ଥ ଏବଂ ଗଣତାନ୍ତ୍ରିକ ନୈତିକତାର ରକ୍ଷା ଦିଗରେ “ତୁଗଲକ” ପତ୍ରିକା 47 ବର୍ଷ ଧରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।

“ତୁଗଲକ” ଏବଂ ଚୋ – ଜଣକ ବିନା ଅନ୍ୟ ଜଣକ ସତ୍ତା କଳ୍ପନା କରିବା ଅସମ୍ଭବ । ପ୍ରାୟ ପାଞ୍ଚ ଦଶନ୍ଧି ଧରି ସେ “ତୁଗଲକ”ର ଦାୟିତ୍ୱରେ ଥିଲେ । ଯଦି ଜଣେ ଭାରତର ରାଜନୈତିକ ଇତିହାସ ଲେଖିବାକୁ ଚାହିଁବ, ତ ଚୋ ରାମସ୍ୱାମୀ ଏବଂ ତାଙ୍କ ରାଜନୈତିକ ଟିପ୍ପଣୀକୁ ଅନ୍ତର୍ଭୁକ୍ତ ବିନା ଏହା ସମ୍ଭବ ନୁହେଁ ।

ଚୋ ଙ୍କୁ ପ୍ରଶଂସା କରିବା ସହଜ, କିନ୍ତୁ ତାଙ୍କୁ ବୁଝିବା ଏତେ ସହଜ ନୁହେଁ । ତାଙ୍କୁ ବୁଝିବାକୁ ହେଲେ, ଜଣକୁ ତାଙ୍କ ସାହସ, ପ୍ରତ୍ୟୟ, ତାଙ୍କ ଜାତୀୟତାବାଦର ଭାବନା, ଯାହାକି ସଂକୀର୍ଣ୍ଣତା, ଆଞ୍ଚଳିକତା, ଭାଷାଗତ ଏବଂ ଅନ୍ୟାନ୍ୟ ବିଭକ୍ତୀକରଣ ଠାରୁ ବହୁ ଉର୍ଦ୍ଧ୍ଵରେ ଥିଲା ।

ତାଙ୍କର ବଡ଼ କୃତିତ୍ୱ ଏହା ଯେ, ସେ “ତୁଗଲକ”କୁ ବିଭାଜନକାରୀ ଶକ୍ତିମାନଙ୍କ ବିରୋଧରେ ବଡ଼ ଅସ୍ତ୍ର ଭାବେ ତିଆରି କରିପାରିଥିଲେ । ଏକ ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ରାଜନୈତିକ ପଦ୍ଧତି ପାଇଁ ସେ ଲଢ଼େଇ କରୁଥିଲେ । ଏହି ଲଢ଼େଇରେ ସେ କାହାକୁ ଛାଡ଼ି ନାହାନ୍ତି ।

ତାଙ୍କ ସହ ଯେଉଁମାନେ କାମ କରୁଥିଲେ, ଯେଉଁମାନେ ତାଙ୍କ ବନ୍ଧୁଥିଲେ ଏବଂ ଯେଉଁମାନଙ୍କର ସେ ଉପଦେଷ୍ଟା ଥିଲେ, ସେମାନେ ଚୋ ଙ୍କୁ ବୁଝିବା ଏତେ ସହଜ ନଥିଲା । କାହାରିକୁ ସେ ଛାଡ଼ି ନଥିଲେ । ସେ ବ୍ୟକ୍ତିତ୍ୱ ନୁହେଁ ବରଂ ପ୍ରସଙ୍ଗକୁ ଗୁରୁତ୍ୱ ଦେଉଥିଲେ ।

ଦେଶ ହିଁ ତାଙ୍କ ବାର୍ତ୍ତାର କେନ୍ଦ୍ରସ୍ଥଳ ଥିଲା । ଏହା ତାଙ୍କ ଲେଖା, ଚଳଚ୍ଚିତ୍ର, ନାଟକ, ସେ ନିର୍ଦ୍ଦେଶନା ଦେଇଥିବା ଟେଲିଭିଜନ ଧାରାବାହିକୀ ଏବଂ ସେ ଚିତ୍ରନାଟ୍ୟ ଲେଖିଥିବା ଚଳଚ୍ଚିତ୍ରଗୁଡ଼ିକରେ ଏହା ପ୍ରତିଫଳିତ ହୋଇଛି ।

ସେ ଯେଉଁମାନଙ୍କୁ ସମାଲୋଚନା କରିଥାନ୍ତି, ସେମାନଙ୍କୁ ଏହି ବିଦ୍ରୁପ ବି ଭଲ ଲାଗିଥାଏ । ଏହା କୌଣସି ପ୍ରଚେଷ୍ଟାର ଫଳ ନଥିଲା । ବରଂ ଏକ ଐଶ୍ୱରିକ ଉପହାର ଥିଲା, ଯାହାକୁ କି ସେ କେବଳ ଜନସ୍ୱାର୍ଥ ଲକ୍ଷ୍ୟରେ ବ୍ୟବହାର କରୁଥିଲେ । ଏକ କାର୍ଟୁନ୍ କିମ୍ବା ଗୋଟିଏ ଧାଡ଼ିରେ ସେ ନିଜର ଭାବନାକୁ ଏପରି ପ୍ରକାଶ କରୁଥିଲେ, ଯାହାକି ଗୋଟିଏ କିମ୍ବା ଏକାଧିକ ପୁସ୍ତକରେ ମଧ୍ୟ ବୁଝାଇବା ସମ୍ଭବ ନଥିଲା ।

ଏହା ମୋତେ ଚୋ ଙ୍କ ଏକ କାର୍ଟୁନ୍ କୁ ସ୍ମରଣ କରାଉଛି, ଯେଉଁଥିରେ କି ମୋ ଆଡ଼କୁ ଲୋକମାନେ ବନ୍ଧୁକ ଲକ୍ଷ୍ୟ କରିଥିଲେ ଏବଂ ମଝିରେ ସାଧାରଣ ଲୋକମାନେ ଛିଡ଼ା ହୋଇଥିଲେ । ଚୋ ପ୍ରଶ୍ନ କରିଥିଲେ, କିଏ ପ୍ରକୃତ ଟାର୍ଗେଟ୍? ମୁଁ ନା ସାଧାରଣ ଲୋକମାନେ? ଏହି କାର୍ଟୁନ୍ ଆଜିର ସ୍ଥିତିରେ କେତେ ପ୍ରାସଙ୍ଗିକ!

ଚୋ ଙ୍କ ସମ୍ପର୍କରେ ଏକ ଘଟଣା ମୋର ମନେ ପଡ଼ୁଛି । ଏକଦା କେତେକ ବ୍ୟକ୍ତି ଚୋ ଙ୍କ ଉପରେ ରାଗି ଅଣ୍ଡା ଫିଙ୍ଗିଥିଲେ । ଚୋ ସେମାନଙ୍କୁ କହିଥିଲେ, କାହିଁକି ଅଣ୍ଡାଗୁଡ଼ିକ ଫିଙ୍ଗୁଛ, ଚାହିଁଲେ ମୋତେ ଆମ୍ଲେଟ୍ କରିପାରିବ । ଏହା ଶୁଣି ଅଣ୍ଡା ଫିଙ୍ଗୁଥିବା ଲୋକମାନେ ହସି ପକାଇଥିଲେ । ପରିସ୍ଥିତିକୁ ନିଜ ସପକ୍ଷରେ କରାଇବା କୌଶଳରେ ଚୋ ବେଶ୍ ଦକ୍ଷ ଥିଲେ ।

“ତୁଗଲକ” ସମସ୍ତଙ୍କ ପାଇଁ ଏକ ପ୍ଲାଟଫର୍ମ ଥିଲା । ଚୋ ତାଙ୍କ ମତର ବିରୁଦ୍ଧାଚରଣ କରୁଥିବା ଏବଂ ଏପରିକି ତାଙ୍କୁ ସମାଲୋଚନା କରିଥିବା ମତଗୁଡ଼ିକୁ ମଧ୍ୟ ସେ ନିଜ ପତ୍ରିକାରେ ସ୍ଥାନ ଦେଉଥିଲେ । ଫଳରେ “ତୁଗଲକ”ରେ କେହି ବାଦ୍ ପଡ଼ୁ ନଥିଲେ । ଏପରିକି ଚୋ କରୁଥିବା ସମାଲୋଚନାମୂଳକ ମନ୍ତବ୍ୟ ସହ ଯେଉଁମାନଙ୍କୁ ସମାଲୋଚନା କରାଯାଉଥିଲା ସେମାନଙ୍କ ବିବୃତି ମଧ୍ୟ ସମାନ ଗୁରୁତ୍ୱର ସହ “ତୁଗଲକ”ରେ ସ୍ଥାନ ପାଉଥିଲା । ଏହା ସାଧାରଣ ଜୀବନ ଏବଂ ଗଣମାଧ୍ୟମରେ ପ୍ରକୃତ ଗଣତନ୍ତ୍ରର ପରିଚୟ ।

ମୋ ମତରେ, ଚୋ ଙ୍କ ଭାବନା ଏବଂ ଅବଦାନ କେବଳ ତାମିଲ ସମାଜ କିମ୍ବା ତାମିଲ ଲୋକଙ୍କ ଭିତରେ ସୀମିତ ନଥିଲା । ଭାରତର ଭିନ୍ନ ଭିନ୍ନ ସମାଜରେ ଅନେକ ଆକାଂକ୍ଷିତ ସାମ୍ବାଦିକ ଏବଂ ରାଜନେତା ଚୋ ଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଆମେ ସମସ୍ତେ ଜାଣନ୍ତି “ତୁଗଲକ” ପତ୍ରିକା କେବଳ ଏକ ରାଜନୈତିକ ଟିପ୍ପଣୀ ନଥିଲା । ଏହା ନିୟୁତ ନିୟୁତ ତାମିଲ ଲୋକଙ୍କ ଆଖି ଓ କାନ ସଦୃଶ ଥିଲା । “ତୁଗଲକ” ମାଧ୍ୟମରେ ଚୋ ଜନସାଧାରଣ ଏବଂ ଶାସକଙ୍କ ମଧ୍ୟରେ ସେତୁ ବାନ୍ଧୁଥିଲେ ।

ମୁଁ ଅତ୍ୟନ୍ତ ଖୁସି ଯେ ଚୋ ଧାର୍ଯ୍ୟ କରିଥିବା ଲକ୍ଷ୍ୟଭିତ୍ତିକ ସାମ୍ବାଦିକତା ପଥରେ “ତୁଗଲକ” ତାର ଯାତ୍ରା ଅବ୍ୟାହତ ରଖିବ । ଉତ୍ତରାଧୀକାର ସୂତ୍ରରେ “ତୁଗଲକ”ର ଦାୟୀତ୍ଵ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ପଡ଼ିଛି । ଚୋ ଙ୍କ ପ୍ରତିବଦ୍ଧତା ଏବଂ ଦୃଷ୍ଟିକୋଣରେ ଚାଲିବା ଏକ ବଡ଼ ଆହ୍ୱାନ । ଏହି ଦୃଷ୍ଟିକୋଣକୁ ଆନୁଗତ୍ୟ ଦ୍ୱାରା ତାମିଲନାଡ଼ୁର ଲୋକମାନଙ୍କ ପାଇଁ ଏକ ବଡ଼ ସେବା ହୋଇପାରିବ ।

ଶ୍ରୀ ଗୁରୁମୂର୍ତ୍ତି ଏବଂ ତାଙ୍କ ଟିମ୍ କୁ ମୁଁ ଆନ୍ତରିକତାର ସହ ଶୁଭେଚ୍ଛା ଜଣାଉଛି । ମୋର ବିଶ୍ୱାସ ଅଛି ଗୁରୁମୂର୍ତ୍ତିଜୀ ଏହି କାର୍ଯ୍ୟରେ ସଫଳ ହେବେ ।

ସମାଲୋଚନା, ହାସ୍ୟ ଏବଂ ବ୍ୟଙ୍ଗ କରିବା କଳାରେ ଚୋ ଧୁରନ୍ଧର ଥିଲେ କହିଲେ ଅତ୍ୟୁକ୍ତି ହେବନି ।

ମୁଁ ଭାବୁଛି ଅଧିକ ବ୍ୟଙ୍ଗ ଓ ହାସ୍ୟରସର ଆବଶ୍ୟକତା ଅଛି । ହାସ୍ୟରସ ଆମ ଜୀବନରେ ଖୁସି ଆଣିଥାଏ, ଜୀବନକୁ ସରସ କରିଥାଏ । ହାସ୍ୟରସ ଔଷଧର କାମ ଦେଇଥାଏ ।

ଟିକେ ହସର କ୍ଷମତା  ଗାଳି କିମ୍ବା ଅନ୍ୟ ଯେକୌଣସି ଅସ୍ତ୍ର ଠାରୁ ଅଧିକ । ବ୍ୟଙ୍ଗ – ସମାଜର ସେତୁକୁ ଭାଙ୍ଗିବା ପରିବର୍ତ୍ତେ ବାନ୍ଧିଥାଏ ।

ଏହା ହିଁ ଆଜିକାର ଦୁନିଆରେ ଆମେ ଆବଶ୍ୟକ କରୁଛୁ: ସେତୁ ନିର୍ମାଣ; ଲୋକଙ୍କ ମଧ୍ୟରେ ସେତୁ । ସମ୍ପ୍ରଦାୟ ଏବଂ ଭିନ୍ନ ଭିନ୍ନ ସମାଜ ମଧ୍ୟରେ ସେତୁ ।

କୌତୁକ ମଣିଷ ମଧ୍ୟରେ ସୃଜନ ଶକ୍ତି ସୃଷ୍ଟି କରିଥାଏ । ଆମେ ଏପରି ଏକ ସମୟରେ ବାସ କରୁଛୁ, ଯେଉଁଠାରେ ଗୋଟିଏ ବକ୍ତବ୍ୟ କିମ୍ବା ଘଟଣା ଆଗକୁ ବହୁଗୁଡ଼ିଏ ପରିସ୍ଥିତି ସୃଷ୍ଟି କରିପାରେ ।

ବନ୍ଧୁଗଣ,

ମୁଁ ଚେନ୍ନାଇରେ ପୂର୍ବରୁ “ତୁଗଲକ”ର ବାର୍ଷିକ ପାଠକ ସମ୍ମିଳନୀରେ ବ୍ୟକ୍ତିଗତ ଭାବେ ଯୋଗ ଦେଇଛି ।

ଯେହେତୁ ଏହି କାର୍ଯ୍ୟକ୍ରମକୁ ଚୋ ଙ୍କ କଣ୍ଠରେ ଭଗବଦ୍ ଗୀତାର ଶ୍ଲୋକ ସହ ଶେଷ କରିବାର ପରମ୍ପରା ରହିଛି, ତେଣୁ ଚୋ ଙ୍କ ସମ୍ମାନରେ ଗୀତାର ଶ୍ଲୋକ ସହ ମୁଁ ଶେଷ କରୁଛି;

ୱାସାଂସୀ ଜୀର୍ଣ୍ଣାନି ୟଥା ବିହାୟ ନୱାନି ଗୃହ୍ମାତି ନରୋଃପରାଣି ।

ତଥା ଶରୀରାଣି ବିହାୟ ଜୀର୍ଣ୍ଣାନ୍ୟନ୍ୟାତି ସଂୟାତି ନୱାନି ଦେହୀ ।

(ଆତ୍ମା ସ୍ଥାନରୁ ସ୍ଥାନକୁ ଘୁରି ବୁଲେନାହିଁ, ବରଂ ଗୋଟିଏ ବାସଗୃହରୁ ଅନ୍ୟ ଏକ ବାସଗୃହକୁ ଯାଇଥାଏ)

ବିବିଧ କ୍ଷେତ୍ରକୁ ଅବଦାନ ସକାଶେ ଆସନ୍ତୁ ଆମ ଏକାଠି ହୋଇ ଚୋ ଙ୍କୁ ଧନ୍ୟବାଦ ଦେବା; ମୋଟ ଉପରେ ଶ୍ରେଷ୍ଠ ହୋଇଥିବାରୁ ଚୋ ଙ୍କୁ ଧନ୍ୟବାଦ ଦେବା- ଜଣେ ଏବଂ ଏକମାତ୍ର ଚୋ ।

 

**********