ପିଏମଇଣ୍ଡିଆ
ଦେଶରେ ପ୍ରଚଳିତ ଆଉ 105ଟି ଅତି ପୁରୁଣାକାଳିଆ ଓ ଅନାବଶ୍ୟକ ଆଇନକୁ ରଦ୍ଦ କରାଯିବ । ଏଥିଲାଗି ସଂସଦରେ ରିପିଲିଙ୍ଗ୍ ଏଣ୍ଡ ଏମେଣ୍ଡିଙ୍ଗ୍ ବିଲ୍, 2017 ଆଗତ କରିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଅନୁମୋଦନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟ, ଭାରତର ଆଇନ ଆୟୋଗ ଏବଂ ଲେଜିସ୍ଲେଟିଭ ବିଭାଗ ଦ୍ୱାରା ଗଠିତ ଏକ କମିଟି 1824ଟି ଅନାବଶ୍ୟକ ଓ ପୁରୁଣା କେନ୍ଦ୍ରୀୟ ଆଇନକୁ ରଦ୍ଦ କରିବା ସକାଶେ ଚିହ୍ନଟ କରିଥିଲେ । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ସହିତ ବାରମ୍ବାର ଆଲୋଚନା, ସମୀକ୍ଷା ପରେ 1175ଟି କେନ୍ଦ୍ରୀୟ ଆଇନ ରଦ୍ଦ କରିବା ଲାଗି ମେ 2014ରୁ ଅଗଷ୍ଟ 2016 ମଧ୍ୟରେ 4ଟି ବିଲ୍ ସଂସଦରେ ଗୃହୀତ ହୋଇଥିଲା ।
ଅପରପକ୍ଷରେ 1824ଟି ପୁରୁଣାକାଳିଆ ଆଇନ ମଧ୍ୟରୁ ରାଷ୍ଟ୍ରପତି ଶାସନ ସଂକ୍ରାନ୍ତ 227ଟି ଆଇନ ରଦ୍ଦ କରିବା ଲାଗି ଚିହ୍ନଟ କରାଯାଇ ରାଜ୍ୟ ସରକାରମାନଙ୍କୁ ଏହି ମର୍ମରେ ଅନୁରୋଧ କରାଯାଇଥିଲା । ଏହା ପରେ ଆଉ 422ଟି କେନ୍ଦ୍ରୀୟ ଆଇନକୁ ରଦ୍ଦ କରିବା ଉଦ୍ଦେଶ୍ୟରେ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ବଂଟନ କରାଯାଇ ସେମାନଙ୍କ ମତାମତ ଲୋଡାଯାଇଥିଲା । ବର୍ତ୍ତମାନ ସୁଦ୍ଧା ସେଥି ମଧ୍ୟରୁ 73ଟି ସଂପୃକ୍ତ ବିଭାଗମାନଙ୍କ ପକ୍ଷରୁ ମତାମତ ମିଳିସାରିଛି ଏବଂ 105ଟି ଆଇନ ରଦ୍ଦ କରିବା ଲାଗି ସୁପାରିଶ ହୋଇଛି । ତେବେ ଆଉ 139ଟି ଆଇନକୁ ରଦ୍ଦ କରିବା ନେଇ କୌଣସି ସହମତି ହୋଇପାରିନାହିଁ । ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ରିପୋର୍ଟ ଅନୁସାରେ 105ଟି ଆଇନକୁ ରଦ୍ଦ କରିବା ଲାଗି କେନ୍ଦ୍ର କ୍ୟାବିନେଟ ଆଜି ନିଷ୍ପତ୍ତି ନେଇଛନ୍ତି ।