ପିଏମଇଣ୍ଡିଆ
ଭାରତ-ଭିଏତନାମ ମଧ୍ୟରେ ମହାକାଶର ଶାନ୍ତିପୂର୍ଣ୍ଣ ବ୍ୟବହାର ଏବଂ ଅନୁସନ୍ଧାନ ଘେନି ସହଯୋଗ ରାଜିନାମାକୁ କେନ୍ଦ୍ର କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା ପରେ ଅନୁମୋଦନ ମିଳିଛି । ଏହି ରାଜିନାମା ସେପ୍ଟେମ୍ବର 03, 2016 ତାରିଖ ଦିନ ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା । ଏହି ଦ୍ୱିପାକ୍ଷିକ ରାଜିନାମାର ସର୍ତ୍ତାବଳୀ ଅନୁସାରେ ମହାକାଶ ବିଜ୍ଞାନ, ପ୍ରଯୁକ୍ତି ଏବଂ ଏହାର ପ୍ରୟୋଗ ତଥା ଭୂପୃଷ୍ଠ ରିମୋଟ ସେନ୍ସିଂ, ଉପଗ୍ରହ ଯୋଗାଯୋଗ ଓ ଉପଗ୍ରହ ଭିତ୍ତିକ ଅନୁସନ୍ଧାନ, ମହାକାଶ ବିଜ୍ଞାନ ଓ ଗ୍ରହ ସମ୍ବନ୍ଧୀୟ ମହାକାଶ ଯାନ ଅନୁସନ୍ଧାନ ବ୍ୟବସ୍ଥା ଓ ଭୂପୃଷ୍ଠ ଅନୁସନ୍ଧାନ ଓ ସର୍ବୋପରି ମହାକାଶ ପ୍ରଯୁକ୍ତି ଯେଉଁଥିରେ ଉଭୟ ଦେଶର ସ୍ୱାର୍ଥ ଜଡ଼ିତ ତଥା ନିହିତ ରହିଛି ସେହିସବୁ କ୍ଷେତ୍ରରେ ଉଭୟ ପକ୍ଷଙ୍କ ମଧ୍ୟରେ ସହଯୋଗ ଭିତ୍ତିରେ କାର୍ଯ୍ୟ କରାଯିବ । ପୁନଶ୍ଚ ମାନବସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଭାରତ ଓ ଭିଏତନାମ ଏହି ଫ୍ରେମୱାର୍କ ରାଜିନାମାର ସର୍ତ୍ତାବଳୀ ଅନୁସାରେ ମହାକାଶ ଅନୁସନ୍ଧାନ ବିକାଶ ଦିଗରେ କାର୍ଯ୍ୟ କରିବେ । ଏହା ରିମୋଟ ସେନ୍ସିଂ, ଉପଗ୍ରହ ଯୋଗାଯୋଗ, ଉପଗ୍ରହ ନେଭିଗେସନ ତଥା ମହାକାଶ ବିଜ୍ଞାନ ଏବଂ ମହାଶୂନ୍ୟ ଗବେଷଣା କ୍ଷେତ୍ରରେ ନୂଆ ନୂଆ ଦିଗ ଉନ୍ମୋଚନ କରିବା ଦିଗରେ ମଧ୍ୟ ସହାୟକ ହୋଇପାରିବ ।