ପିଏମଇଣ୍ଡିଆ
ଭାରତ ଏବଂ ଗ୍ରୀସ ମଧ୍ୟରେ ବିମାନ ସେବା ବୁଝାମଣାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି । ଏହି ବୁଝାମଣା ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ନିବେଶ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ଭାବ ବିନିମୟ ସହିତ ବିମାନ ଚଳାଚଳ କ୍ଷେତ୍ରରେ ସହଯୋଗର ପରିସର ବୃଦ୍ଧି ପାଇବ । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ନିରବଚ୍ଛିନ୍ନ ତଥା ସୁରକ୍ଷିତ ବିମାନ ସେବା ସୁନିଶ୍ଚିତ ହେବା ସହିତ ଯୋଗାଯୋଗ ଏବଂ ବାଣିଜ୍ୟିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ।
ବିମାନ ସେବା ଚୁକ୍ତି ଫଳରେ ଦୁଇ ଦେଶ ଏକାଧିକ ବିମାନ ଚଳାଚଳ ସଂସ୍ଥାକୁ ବିମାନସେବା କ୍ଷେତ୍ରରେ ନିୟୋଜିତ କରିପାରିବେ । ନିଯୁକ୍ତ ହୋଇଥିବା ବିମାନ ଚଳାଚଳ ସଂସ୍ଥାକୁ ପ୍ରତିପକ୍ଷ ରାଷ୍ଟ୍ରରେ ବିମାନ ସେବା ଯୋଗାଣ ଏବଂ ପ୍ରୋତ୍ସାହନ ନିମନ୍ତେ ଏକ କାର୍ଯ୍ୟାଳୟ ସ୍ଥାପନ କିରବାର ଅଧିକାର ମିଳିପାରିବ । କେତେକ ନିର୍ଦ୍ଦିଷ୍ଟ ରୁଟରେ ବିମାନ ଚଳାଚଳ ଲାଗି ଉଭୟ ରାଷ୍ଟ୍ରର ଅନୁମୋଦିତ ବିମାନ ଚଳାଚଳ ସଂସ୍ଥା ସମାନ ସୁବିଧା ସୁଯୋଗ ପାଇବାକୁ ସକ୍ଷମ ହେବେ । ଅନୁମୋଦିତ ବିମାନ ଚଳାଚଳ ସଂସ୍ଥା ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିପାରିବେ । ନିଜ ସଂସ୍ଥା ଏବଂ ଅନ୍ୟ ସଂସ୍ଥାର ବିମାନ ଚଳାଚଳ ପାଇଁ ବ୍ୟବସ୍ଥା କରିପାରିବେ ଏବଂ ଅନ୍ୟ ଏକ ଦେଶକୁ ମଧ୍ୟ ବିମାନ ସେବା ଯୋଗାଇବାରେ ସଫଳ ହେବେ ।
ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ବୁଝାମଣା ଫଳରେ ଭାରତୀୟ ବିମାନ ଚଳାଚଳ ସଂସ୍ଥା ଗ୍ରୀସର ଏଥେନ୍ସ, ଥେସାଲୋନିକି, ହେରାକ୍ଲିଅନ୍ ଏବଂ ଅନ୍ୟ ଯେକୌଣସି 3ଟି ରୁଟକୁ ବିମାନ ଚଳାଚଳ କରିପାରିବେ । ସେହିପରି ଗ୍ରୀସ୍ର ହେଲେନିକ୍ ରିପବ୍ଲିକ୍ ବିମାନ ଚଳାଚଳ ସଂସ୍ଥା ଭାରତର 6ଟି ବଡ଼ ସହର ନୂଆଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ ଏବଂ ଚେନ୍ନାଇକୁ ସିଧାସଳଖ ବିମାନ ଚଳାଚଳ କରିବାର ଅନୁମତି ପାଇପାରିବ ।
ପୂର୍ବରୁ ଭାରତ ଏବଂ ଗ୍ରୀସ୍ ମଧ୍ୟରେ ଏପରି କୌଣସି ବୁଝାମଣା ହୋଇନଥିଲା । ତେବେ ଗତ ବର୍ଷ ସେପ୍ଟେମ୍ବର 6 ଏବଂ 7 ତାରିଖରେ ଦୁଇ ଦେଶର ପ୍ରତିନିଧିମାନେ ନୂଆଦିଲ୍ଲୀରେ ପରସ୍ପର ସହିତ ଆଲୋଚନା କରିବା ପରେ ବିମାନ ସେବା ବୁଝାମଣାକୁ ଚୂଡ଼ାନ୍ତ ରୂପ ଦିଆଯାଇଥିଲା । ଦୁଇ ଦେଶ ମଧ୍ୟରେ ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ପ୍ରତିଷ୍ଠାନ (ଆଇସିଏଓ) ନିୟମ ଆଧାରରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।