ପିଏମଇଣ୍ଡିଆ
ମହାମହିମ
ପ୍ରଧାନମନ୍ତ୍ରୀ ମାଲକମ୍ ଟାର୍ଣ୍ଣବୁଲ୍,
ଗଣମାଧ୍ୟମର ପ୍ରତିନିଧିଗଣ,
ମହାମହିମ,
ଆପଣଙ୍କ ପ୍ରଥମ ଭାରତ ଗସ୍ତରେ ଆପଣଙ୍କୁ ସ୍ୱାଗତ କରି ଆନନ୍ଦିତ । ଗତ ମାସରେ ଆମେ ବର୍ଡର-ଗାଭାସ୍କର ଟ୍ରଫିର ଏକ ରୋମାଞ୍ଚଭରା ସମାପନ ଦେଖିଛେ । 2014 ମସିହାରେ ଅଷ୍ଟ୍ରେଲିଆ ସଂସଦରେ ମୋର ଭାଷଣରେ ମୁଁ ମହାନ୍ ବ୍ରାଡମ୍ୟାନ୍ ଓ ତେନ୍ଦୁଲକରଙ୍କ ସମ୍ପର୍କରେ କହିଥିଲି । ଆଜି ଭାରତର ବିରାଟ କୋହଲି ଓ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ କ୍ରିକେଟରେ ଯୁବ ବିଗ୍ରେଡକୁ ରୂପ ଦେଉଛନ୍ତି । ମୋର ଆଶା ଯେ ଆପଣଙ୍କ ଭାରତ ଗସ୍ତ ଷ୍ଟିଭେନ୍ ସ୍ମିଥଙ୍କ ବ୍ୟାଟିଂ ଭଳି ଅନ୍ୟ ଜଣେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଭାବେ ଫଳପ୍ରଦ ହେବ ।
ମହାମହିମ
ଜି-20 ସମ୍ମିଳନୀବେଳେ ଆମର ବୈଠକ ମୋର ସ୍ପଷ୍ଟ ଭାବେ ମନେଅଛି । ସେମାନେ ସର୍ବଦା ସଂଯୋଜନାର ଦୃଢ଼ ଭବନା ଓ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଛନ୍ତି । ଆମର ସମ୍ପର୍କକୁ ଆଗେଇ ନେବା ପାଇଁ ଆପଣଙ୍କ ସକ୍ରିୟ ଆଗ୍ରହକୁ ମୁଁ ବିଶେଷଭାବେ ପ୍ରଶଂସା କରୁଛି । ଆମର ସହଯୋଗର ଯାତ୍ରା ନିୟମ ଅନୁସାରେ ସୁଦୃଢ଼ ରହିଛି । ଆପଣଙ୍କ ନେତୃତ୍ୱରେ, ଆମର ସମ୍ପର୍କ ନୂଆ ମାଇଲଖୁଣ୍ଟକୁ ଛୁଇଁଛି । ଏବଂ ଆପଣଙ୍କ ଗସ୍ତ ଆମର ସାମରିକ ଭାଗିଦାରୀର ନୂଆ ପ୍ରାଥମିକତାକୁ ରୂପ ଦେବାର ସୁଯୋଗ ସୃଷ୍ଟି କରିଛି ।
ମହାମହିମ
ଭାରତ ମହାସାଗରର ଜଳ ଆମର ମିଳିତ ଇତିହାସକୁ ସ୍ମରଣ କରାଉଛି । ଏହା ଆମର ସମ୍ପର୍କର ଲକ୍ଷ୍ୟସ୍ଥଳ ପାଇଁ ଏକ ସୂଚକ ମଧ୍ୟ । ଗଣତନ୍ତ୍ରର ମୂଲ୍ୟବୋଧ ଓ ନୀତି ଏବଂ ଆଇନର ଶାସନ ମଧ୍ୟ ଆମ ଦୁଇ ଦେଶ ପାଇଁ ସମାନ । ଆଜି ଆମର ସମ୍ପର୍କରେ ସୁଯୋଗର ବିଶାଳ ସମ୍ଭାବନା ଭାରତର 125 କୋଟି ଲୋକଙ୍କ ଆର୍ଥିକ ସମୃଦ୍ଧି ଓ ଅଷ୍ଟ୍ରେଲିଆର ସାମର୍ଥ୍ୟ ଓ ଶକ୍ତି ଦ୍ୱାରା ସୁଦୃଢ଼ ଭାବେ ପରିଭାଷିତ ।
ବନ୍ଧୁଗଣ,
ଆଜି ଆମର ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ଓ ମୁଁ ଦ୍ୱିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ପ୍ରଗତିର ସମୀକ୍ଷା କରିଥିଲୁ । ଆମର ବିସ୍ତୃତ ଆର୍ଥିକ ସହଯୋଗ ରାଜିନାମାର ପରବର୍ତ୍ତି ପର୍ଯ୍ୟାୟ ଆଲୋଚନା ଆରମ୍ଭ ପାଇଁ ନିଷ୍ପତ୍ତି ସହ ଆମର ଭାଗିଦାରକୁ ଅଧିକ ସୁଦୃଢ଼ କରିବା ଭଳି ଅନେକ ପଦକ୍ଷେପ ନିଆଯାଇଛି । ହାଲୁକା ଭାବେ କହିବାକୁ ନିଶ୍ଚିତ ଭାବେ ମୁଁ ଖୁସି ଯେ ଆମର ନିଷ୍ପତ୍ତି ଡି.ଆର.ଏସ୍ ସମୀକ୍ଷା ବ୍ୟବସ୍ଥା ଭଳି ନୁହେଁ ।
ବନ୍ଧୁଗଣ
ଭାରତ ଓ ଅଷ୍ଟ୍ରେଲିଆ ଉଭୟ ସମାଜର ସମୃଦ୍ଧିରେ ଶିକ୍ଷା ଓ ନବସୃଜନର କେନ୍ଦ୍ରୀୟ ମୂଲ୍ୟବୋଧକୁ ଜାଣିଛନ୍ତି । ଏହା ଆଶ୍ଚର୍ଯ୍ୟର କଥା ବି ନୁହେଁ । ତେଣୁ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଆମର ସହଯୋଗ ଆମ ସମ୍ପର୍କର ଏକ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଦିଗ । ପ୍ରଧାନମନ୍ତ୍ରୀ ଓ ମୁଁ ଏବେ ନାନୋ ଓ ବାୟୋଟେକ୍ନୋଲଜି ଆଧାରିତ ଟେରି-ଡେକିନ୍ ଗବେଷଣା କେନ୍ଦ୍ରର ଉଦ୍ଘାଟନ କରିଛୁ । ଯାହା ଆମର ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହଯୋଗର ଏକ ଉତ୍କୃଷ୍ଟ ଉଦାହରଣ । ପ୍ରାୟ 100 ନିୟୁତ ଡଲାରର ଅଷ୍ଟ୍ରେଲିଆ-ଭାରତ ଗବେଷଣା ପାଣ୍ଠିରେ ନାନୋ ଜ୍ଞାନକୌଶଳ, ସ୍ମାର୍ଟ ସିଟି, ଭିତ୍ତିଭୂମି, କୃଷି ଓ ରୋଗ ନିୟନ୍ତ୍ରଣ ଉପରେ ଧ୍ୟାନକେନ୍ଦ୍ରିତ ହେବ । ଆମର ମିଳିତ ଉଦ୍ୟମରେ ବିକଶିତ ଭିଟାମିନ୍ ଏ ବିଶିଷ୍ଟ କଦଳୀ ଏବେ ପରୀକ୍ଷା ପର୍ଯ୍ୟାୟରେ ଉପନୀତ ହୋଇଛି । ଆମର ବୈଜ୍ଞାନିକମାନେ ମଧ୍ୟ ଡାଲିର ଅଧିକ ପୁଷ୍ଟିକର ଓ କଠିନ କିସମର ବିକାଶରେ ସହଯୋଗ କରୁଛନ୍ତି । ଏହି ଘଟଣା ଆମର ବୈଜ୍ଞାନିକମାନଙ୍କ ସହଯୋଗର ମାତ୍ର ଦୁଇଟି ଉଦାହରଣ ଯେଉଁଥିରେ ଠୋସ୍ ପ୍ରମାଣ ଓ ପରିଣାମ ରହିଛି । ଯାହା ଆମର ଚାଷୀ ସମେତ ଲକ୍ଷାଧିକ ଲୋକଙ୍କ ଜୀବନରେ ସୁଧାର ଆଣିବ । ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଭାଇସ୍ ଚାନ୍ସଲର ଓ ଧନ୍ଦାମୂଳକ ପ୍ରଶିକ୍ଷଣ ସଂସ୍ଥାନର ମୁଖ୍ୟଙ୍କ ବଡ଼ ପ୍ରତିନିଧିମଣ୍ଡଳୀକୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଏହି ଗସ୍ତ ସମୟରେ ଅନେକ ସଂସ୍ଥାନ ମଧ୍ୟରେ ଚୁକ୍ତି ହୋଇଛି । ଛାତ୍ରଛାତ୍ରୀଙ୍କ ଆଦାନପ୍ରଦାନ ଦ୍ୱିପାକ୍ଷିକ ଶିକ୍ଷା ସହଯୋଗର ଏକ ମହତ୍ୱପୂର୍ଣ୍ଣ କାରକ । ଅଷ୍ଟ୍ରେଲିଆ 60ହଜାରରୁ ଉର୍ଦ୍ଧ୍ଵ ଭାରତୀୟ ଛାତ୍ରଛାତ୍ରୀଙ୍କ ଘର ପାଲଟିଛି । ଭାରତକୁ ପଢ଼ିବା ପାଇଁ ଆସୁଥିବା ଅଷ୍ଟ୍ରେଲିଆ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତର ଯୁବବର୍ଗଙ୍କ ଆକାଂକ୍ଷା ଅନୁସାରେ ଭାରତରେ ବିଶ୍ୱସ୍ତରୀୟ ଶିକ୍ଷା ସଂସ୍ଥାନ ସ୍ଥାପନ କରିବା ମୋ’ ସରକାରର ଏକ ଉଦ୍ଦେଶ୍ୟ । ଏହି ଲକ୍ଷ୍ୟରେ ସାମିଲ ଓ ଯୋଗଦାନ କିଭଳି ଭାବେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟଗୁଡ଼ିକ ଦେଇପାରିବେ, ସେ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଟାର୍ଣ୍ଣବୁଲ୍ ଓ ମୁଁ ଆଲୋଚନା କରିଛୁ ।
ବନ୍ଧୁଗଣ,
ଆମର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ଓ ସମୃଦ୍ଧି ନିଶ୍ଚିତ ଭାବେ ପରିବେଶ ପ୍ରତି ଅନୁକୂଳ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଓ ମୁଁ ଦୃଢ଼ ବିଶ୍ୱାସ ରଖିଛୁ । ଆମେ ଖୁସି ଯେ ଅକ୍ଷୟ ଶକ୍ତି ସମେତ ଶକ୍ତିର ଅନ୍ୟ ସ୍ୱରୂପଗୁଡିକର ବିକାଶ ନେଇ ଆମର ଆଲୋଚନା ଓ ସହଯୋଗିତା ଏବେ ଉର୍ଦ୍ଧ୍ଵମୁଖୀ ରହିଛି । ଆନ୍ତର୍ଜାତିକ ସୌର ମେଂଟରେ ସାମିଲ ହେବା ପାଇଁ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଏହଂ ଦ୍ୱିପାକ୍ଷିକ ସମର୍ଥନ ସହ ଅଷ୍ଟ୍ରେଲିଆ ସଂସଦରେ ଆଇନ ଗୃହୀତ କରାଇ ଭାରତକୁ ୟୁରାନିୟମ ରପ୍ତାନୀ ପାଇଁ ଅଷ୍ଟ୍ରେଲିଆ ଏବେ ପ୍ରସ୍ତୁତ ଅଛି ।
ବନ୍ଧୁଗଣ
ପ୍ରଧାନମନ୍ତ୍ରୀ ଓ ମୁଁ ସ୍ୱୀକାର କରୁଛୁ ଯେ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତି ଓ ସ୍ଥିରତାରେ ଆମର ଭବିଷ୍ୟତ ଗଭୀର ଭାବେ ଜଡିତ । ତେଣୁ ଆମେ ଏକ ସୁରକ୍ଷିତ ଓ ଶାସନ ଆଧାରିତ ଭାରତ-ପ୍ରଶାନ୍ତ କ୍ଷେତ୍ରର ଆବଶ୍ୟକତା ଉପରେ ସହମତ । ଆମେ ଆହୁରି ମଧ୍ୟ ଜାଣିଛୁ ଯେ ଏହି ଜଗତୀକରଣ ବିଶ୍ୱରେ, ଆତଙ୍କବାଦ ଓ ସାଇବର ସୁରକ୍ଷା ଭଳି ଚ୍ୟାଲେଞ୍ଜ ଆମର କ୍ଷେତ୍ରର ସୀମା ବାହାରକୁ ଟପିଗଲାଣି । ତେଣୁ ଜଗତୀକରଣ ରଣନୀତି ଓ ସମାଧାନର ଆବଶ୍ୟକତା ରହିଛି । ଏଥିପାଇଁ ଆଂଚଳିକ ଓ ଜଗତୀକରଣ ପ୍ରସଙ୍ଗରେ ଆମେ ଉଭୟ ଚିନ୍ତା ବ୍ୟକ୍ତ କରିବା ସହ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବୁଝିବା ଶକ୍ତି ଓ ଅର୍ନ୍ତଦୃଷ୍ଟି ଆମର ସହଯୋଗର ଏକ ନୂଆ ଦିଗକୁ ରେଖାଙ୍କିତ କରୁଛି । ରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ଆମର ସହଯୋଗ ନୂଆ ଶିଖରରେ ପହଂଚିଛି । ଆମର ସାମୁଦ୍ରିକ ସୁରକ୍ଷା ଅଭ୍ୟାସ ଓ ଆଦାନପ୍ରଦାନ ଫଳପ୍ରଦ ରହିଛି । ଆତଙ୍କବାଦ ଓ ସୀମାପାର ଅପରାଧରେ ଆମର ଦ୍ୱିପାକ୍ଷିକ ବ୍ୟବସ୍ଥା ଭଲ ଭାବେ କାର୍ଯ୍ୟ କରୁଛି । ମୁଁ ବିଶେଷ ଭାବେ ଖୁସି ଯେ ଏହି ଗସ୍ତବେଳେ ଆମେ ସୁରକ୍ଷା ସହଯୋଗ କ୍ଷେତ୍ରରେ ଏମ୍ଓୟୁ ସ୍ୱାକ୍ଷର କରିବାକୁ ସକ୍ଷମ ହୋଇଛୁ । ଆମ କ୍ଷେତ୍ରରେ ଶାନ୍ତି, ସମୃଦ୍ଧି ଓ ସନ୍ତୁଳନର ଭାବନା ବଜାୟ ରଖିବା ପାଇଁ ସୁଦୃଢ଼ ଆଂଚଳିକ ସଂସ୍ଥାନର ଆବଶ୍ୟକ ରହିଛି ବୋଲି ଆମେ ସହମତ । ତେଣୁ ଆମେ ଉଭୟ ସମାନ ସ୍ୱାର୍ଥ ପାଇଁ ପୂର୍ବ ଏସିଆ ସମ୍ମିଳନୀର ସଦସ୍ୟ ଓ ଭାରତ ମହାସାଗର ତଟୀୟ ରାଷ୍ଟ୍ରଗୁଡ଼ିକ ସହ ମିଶି ସହଯୋଗ କରିବା ନିମନ୍ତେ ସକ୍ରିୟ ଭାବେ କାମ କରିବୁ ।
ବନ୍ଧୁଗଣ
ଆମ ଭାଗିଦାରୀର ଏକ ପ୍ରମୁଖ ସୁଦୃଢ଼ ସ୍ତମ୍ଭ ହେଉଛି ଆମ ସମାଜ ଭିତରେ ସମ୍ପର୍କ । ଅଷ୍ଟ୍ରେଲିଆରେ ପ୍ରାୟ 50ଲକ୍ଷ ଭାରତୀୟ ବଂଶୋଦ୍ଭବଙ୍କ ଘର ରହିଛି । ସେମାନଙ୍କର ସମୃଦ୍ଧି ଓ ଜୀବନ୍ତ ସଂସ୍କୃତି ଆମ ଭାଗିଦାରକୁ ସମୃଦ୍ଧ କରିଛି । ଗତବର୍ଷ ଅଷ୍ଟ୍ରେଲିଆର କେତେକ ସହରରେ ଭାରତର ଏକ ବହୁତ ବଡ଼ ସଫଳ ସମାରୋହ ‘କନଫ୍ଳୁଏନ୍ସ’ (ସଙ୍ଗମ) ଆୟୋଜିତ ହୋଇଥିଲା । ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା ପର୍ବପର୍ବାଣୀ ପାଇଁ ସମସ୍ତ ସହାୟତା ଓ ସମର୍ଥିନ ନିମନ୍ତେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ।
ମହାମହିମ
ବିଗତ ବର୍ଷଗୁଡ଼ିକରେ ଭାରତ ଓ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କରେ ଅଧିକ ପ୍ରଗତି କରିଛନ୍ତି । ଭବିଷ୍ୟତ ବର୍ଷଗୁଡ଼ିକରେ ଆମେ ଉଭୟ ଦେଶ ପାଇଁ ପ୍ରତିଶ୍ରୁତି ଓ ସୁଯୋଗ ଦେଖୁଛୁ । ଆମର ସମାଜର ସୁରକ୍ଷା ଓ କଲ୍ୟାଣ ପାଇଁ ଆମର ସୁଦୃଢ଼ ଓ ଜୀବନ ରଣନୀତିକ ଭାଗିଦାରୀ ମହତ୍ୱପୂର୍ଣ୍ଣ । ଏହା ମଧ୍ୟ ଆମ ଅଚଂଳରେ ଶାନ୍ତି, ସ୍ଥିରତା ଓ ସୁରକ୍ଷା ପାଇଁ ଏହା ଏକ ପ୍ରମୁଖ କାରକ । ଏହି ଶବ୍ଦ ସହ, ମହାମହିମ ମୁଁ ପୁଣିଥରେ ଭାରତରେ ଆପଣଙ୍କୁ ସ୍ୱାଗତ କରୁଛି ଓ ଆପଣଙ୍କ ଫଳପ୍ରଦ ଓ ଫଳପ୍ରସୂ ରହଣି କାମନା କରୁଛି ।
ଧନ୍ୟବାଦ
ବହୁତ ବହୁତ ଧନ୍ୟବାଦ
**********