ପିଏମଇଣ୍ଡିଆ
କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ (ସ୍ଵାଧୀନ) ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନିଲ ମାଧବ ଦବେଙ୍କର ଆଜି ନୂଆଦିଲ୍ଲୀଠାରେ ଅକାଳ ବିୟୋଗରେ କେନ୍ଦ୍ର କ୍ୟାବିନେଟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ସ୍ୱତନ୍ତ୍ର ମନ୍ତ୍ରୀମଣ୍ଡଳ ବୈଠକରେ ପାରିତ ହୋଇଥିବା ସଂକଳ୍ପରେ ଦବେଙ୍କ ଅକାଳ ବିୟୋଗରେ ଦେଶ ଜଣେ ଅନୁଭବୀ ଏବଂ ପ୍ରତିଷ୍ଠିତ ନେତାଙ୍କୁ ହରାଇଛି ବୋଲି କୁହାଯାଇଛି । ସେ ସଂସଦର ଜଣେ ସଦସ୍ୟ ଭାବେ ବିଭିନ୍ନ ପ୍ରତିଷ୍ଠିତ ପଦବୀରେ ଅବସ୍ଥାପିତ ହୋଇଥିଲେ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ ବୈଠକ ଅନୁଷ୍ଠିତ କରାଯାଇ ସରକାର ଏବଂ ଦେଶବାସୀଙ୍କ ତରଫରୁ ଶୋକ ସନ୍ତପ୍ତ ପରିବାର ପାଇଁ ହାର୍ଦ୍ଦିକ ସମ୍ବେଦନା ବ୍ୟକ୍ତ କରିଛନ୍ତି ।
ସଂକଳ୍ପରେ କୁହାଯାଇଛି ଯେ ଶ୍ରୀ ଅନିଲ ମାଧବ ଦବେ ମଧ୍ୟପ୍ରଦେଶର ଉଜ୍ଜୈନର ବାରନଗରଠାରେ 6 ଜୁଲାଇ 1956 ମସିହାରେ ଜନ୍ମଗ୍ରହଣ କରିଥିଲେ । ଇନ୍ଦୋରର ଗୁଜୁରାଟି କଲେଜରୁ ସେ ଏମ.କମ ଡିଗ୍ରୀ ହାସଲ କରିବା ସହ ରୁରାଲ ଡେଭେଲପମେଣ୍ଟ ଏବଂ ମ୍ୟାନେଜମେଣ୍ଟରେ ସ୍ପେସିଆଲାଇଜେସନ କରିଥିଲେ ।
ଶ୍ରୀ ଦବେ ଜଣେ ନଦୀ ସଂରକ୍ଷଣବାଦୀ, ପର୍ଯ୍ୟାବରଣବିତ୍ତ ଏବଂ ସାମାଜିକ କାର୍ଯ୍ୟକର୍ତ୍ତା ଥିଲେ । ସେ ଜଣେ ବହୁପ୍ରସୁ ଲେଖକ ଥିଲେ ଯିଏକି ହିନ୍ଦୀ ଏବଂ ଇଂରାଜୀରେ ଅନେକ ପୁସ୍ତକର ସଂଲେଖନ କରିଥିଲେ । ସେ ଜନ ଅଭିଯାନ ପରିଷଦର ସଂସ୍ଥାପକ ଥିଲେ ଏବଂ ମାସିକ ପତ୍ରିକା ‘ଚରାଇଭେଟି’ ଏବଂ (ଜେଏପ), ଜନ ଅଭିଯାନ ପରିଷଦ ଜର୍ନାଲର ମଧ୍ୟ ସଂପାଦନ କରିଥିଲେ । ସେ ଜଣେ ପ୍ରଶିକ୍ଷିତ ପାଇଲଟ ମଧ୍ୟ ଥିଲେ ଯିଏକି ନର୍ମଦା ନଦୀ ମୁହାଣରୁ ସଂପୂର୍ଣ୍ଣ ନଦୀ ଉପରେ ସେସ୍ନା 173 ଏୟାରକ୍ରାଫ୍ଟ ନେଇ 1312 କିମି ଉଡାଣ ଭରିବାରେ ସଫଳ ହୋଇଥିଲେ । ଛତ୍ରପତି ଶିବାଜୀଙ୍କ ଉପରେ ଆଧାରିତ ‘ଜନତା ରାଜା’ ରେ ସେ ଅଭିନୟ କରିଥିଲେ ଯାହା ଲଣ୍ଡନର ୱେମ୍ବଲି ସମେତ 1 ହଜାର ଥର ଆୟୋଜିତ କରାଯାଇଥିଲା ।
ସେ ରାଜ୍ୟସଭାକୁ 2009ରେ ନିର୍ବାଚିତ ହୋଇଥିଲେ । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଜଳ ସଂଶାଧନ କମିଟି ଏବଂ ପରାମର୍ଶଦାତା କମିଟି ସହିତ ବିଭିନ୍ନ ସଂସଦୀୟ କମିଟିଗୁଡିକରେ ସଦସ୍ୟ ଥିଲେ । ବିଶ୍ୱ ତାପାୟାନ ଏବଂ ଜଳବାୟୁ ପରିବର୍ତ୍ତନ ନେଇ ହୋଇଥିବା ସଂସଦୀୟ ଫୋରମରେ ମଧ୍ୟ ସଦସ୍ୟ ଥିଲେ । ସେ 2016ରେ ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବହନ କରିଥିଲେ ।
ଶ୍ରୀ ଅନିଲ ମାଧବ ଦବେ ଜଣେ ପ୍ରକୃତ ସାମାଜିକ କର୍ମୀ ଯିଏକି ବ୍ୟାପକ ଭାବେ ଗରିବ ଲୋକମାନଙ୍କ ପାଇଁ ସହାନୁଭୂତି ପ୍ରଦର୍ଶନ କରିବା ନେଇ ସର୍ବବିଦିତ । ଜଣେ ପରିବେଶବିତ୍ତ ଭାବେ ନର୍ମଦା ନଦୀ ସଂରକ୍ଷଣ କ୍ଷେତ୍ରରେ ସେ ଅଥକ କାର୍ଯ୍ୟ କରିଥିଲେ । ସେ ଜଣେ ସଚ୍ଚା ରାଷ୍ଟ୍ରବାଦୀ ଥିଲେ ଏବଂ ତାଙ୍କ ସାର୍ବଜନୀନ ଉତ୍ତରଦାୟିତ୍ୱକୁ ବିନମ୍ରତା ଏବଂ ଅନୁଗ୍ରହ ସହିତ ନିର୍ବାହନ କରିଥିଲେ । ତାଙ୍କର ଅକାଳ ବିୟୋଗରେ ଦେଶ ମଧ୍ୟପ୍ରଦେଶର ଜଣେ ପ୍ରମୁଖ ନେତାଙ୍କୁ ହରାଇଛି ।
**********
PM @narendramodi paid his last respects to late Shri Anil Madhav Dave. pic.twitter.com/pQgVoNTOoz
— PMO India (@PMOIndia) May 18, 2017