ପିଏମଇଣ୍ଡିଆ
ଜିଏସଟି ପ୍ରଣୟନ ଦିଗରେ ସହଯୋଗ ନିମନ୍ତେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଅନ୍ୟମାନଙ୍କ ସହଯୋଗ ନିମନ୍ତେ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଛି ।
‘ଜିଏସଟି ସ୍ୱାଧୀନ ଭାରତରେ ସର୍ବବୃହତ ଟିକସ ସଂସ୍କାର । ବିଶ୍ୱର କୌଣସି ଏକ ସଂଘୀୟ ବ୍ୟବସ୍ଥାରେ ପରୋକ୍ଷ ଟିକସ ସଂସ୍କାର କରି ଭିନ୍ନ ଭିନ୍ନ କ୍ଷେତ୍ରରେ ଥିବା ଟିକସ ବ୍ୟବସ୍ଥା ଏବଂ ଏଥିରେ ଥିବା ସମସ୍ୟାକୁ ଉଚ୍ଛେଦ ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ । ଏହି ପଦକ୍ଷେପ ବ୍ୟବସାୟର ପ୍ରକ୍ରିୟାକୁ ସରଳ କରିବା ସହ ଉପଭୋକ୍ତା ଏବଂ ସାଧାରଣ ଲୋକଙ୍କ ଉରେ ଥିବା ବୋଝକୁ ମଧ୍ୟ ହ୍ରାସ କରିବ ।
ଜିଏସଟି ଜାତୀୟ ସମନ୍ୱୟ ଏବଂ ଆର୍ଥିକ ସଂଘୀୟ ବ୍ୟବସ୍ଥାର ଏକ ଅନନ୍ୟ ଉଦାହରଣ । ଭାରତୀୟ ସଂଘୀୟ ଗଣତନ୍ତ୍ରର ସଫଳ କାର୍ଯ୍ୟକାରିତାର ଏହା ଜ୍ଜଳନ୍ତ ଉଦାହରଣ । କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ଏବଂ ସର୍ବୋପରି ସମସ୍ତ ରାଜନୈତିକ ଦଳର ସହଯୋଗ ଫଳରେ ଏହା ସମ୍ଭବ ହୋଇପାରିଛି । 2017 ଜୁଲାଇ 1 ତାରିଖରୁ ଜିଏସଟି ପ୍ରଚଳନକୁ ସମ୍ଭବ କରିବା ଦିଗରେ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ରାଜନୈତିକ ଦଳଗୁଡ଼ିକର ସହଯୋଗକୁ ଜୁନ୍ 22 ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ପ୍ରଶଂସା କରାଯାଇଛି।’
କେନ୍ଦ୍ର କ୍ୟାବିନେଟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଜିଏସଟି ପରିଷଦ, ସମସ୍ତ ଜାତୀୟ ଓ ଆଞ୍ଚଳିକ ସ୍ତରର ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ମୁଖ୍ୟ, ସମସ୍ତ ସାଂସଦ, ରାଜ୍ୟ ବିଧାନସଭାର ସମସ୍ତ ସଦସ୍ୟ, ସମାଜର ପ୍ରତ୍ୟେକ କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତିବିଶେଷ ଏବଂ ସର୍ବୋପରି ବ୍ୟବସାୟୀ ଏବଂ ବାଣିଜ୍ୟିକ ଗୋଷ୍ଠୀଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି ।
**********