Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗାନ୍ଧୀନଗରଠାରେ ଭାରତ-ଜାପାନ ବ୍ୟାପାର ନେତୃମଣ୍ଡଳୀ ସଭାକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ(ସେପ୍ଟେମ୍ବର 14, 2017)


 

ମହାମହିମ ଶିଞ୍ଜୋ ଆବେ, ଜାପାନ ପ୍ରଧାନମନ୍ତ୍ର;

ଜାପାନର ସମ୍ମାନନୀ ମନ୍ତ୍ରୀ ଏବଂ ବରିଷ୍ଠ ପ୍ରତିନିଧିଗଣ;

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାନୀ;

ଗୁଜରାଟ ଉପମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀନଭାଇ ପଟେଲ;

ଉଭୟ ରାଷ୍ଟ୍ରର ବ୍ୟାପାରମଣ୍ଡଳୀ;

ଭାଇ ଓ ଭଉଣୀମାନେ!

ଜାପାନ ଏବଂ ଭାରତର ବ୍ୟାପାର  ଗୋଷ୍ଠୀ ସହ ରହିବା ଏକ ଆନନ୍ଦର ବିଷୟ । ତାହା ପୁଣି ମହାନ ବନ୍ଧୁ : ଭାରତର ବନ୍ଧୁ; ଗୁଜରାଟର ବନ୍ଧୁ ଏବଂ ମୋର ବ୍ୟକ୍ତିଗତ ବନ୍ଧୁ ଶିଞ୍ଜୋ ଆବେଙ୍କ ଉପସ୍ଥିତିରେ ।  ଦୟାକରି ଏହି ମହାନ ବନ୍ଧୁ ଏବଂ ମହାନ ନେତାଙ୍କ ପାଇଁ କରତାଳି ଦିଅନ୍ତୁ । ଜାପାନର ନେତୃତ୍ୱ, ସରକାର, ଉଦ୍ୟୋଗଜଗତ ଏବଂ ଲୋକମାନଙ୍କ ସହିତ ମୋର ବ୍ୟକ୍ତିଗତ ସମ୍ପର୍କ ଏକ ଦଶନ୍ଧି ପୁରୁଣା ହେଲାଣି । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀa ଭାବେ ଜାପାନ ଯାଇଥିଲି, ମୁଁ କହିଥିଲି… ମୁଁ ଗୁଜରାଟରେ ଏକ ଛୋଟ ଜାପାନ ଦେଖିବାକୁ ଚାହୁଁଛି । ଆଜି, ସେହି ସ୍ୱପ୍ନ ବାସ୍ତବ ରୂପ ନେଇଛି । ମୁଁ ଏହା ଦେଖି ଖୁସି ଯେ ଜାପାନର ବହୁ ବନ୍ଧୁ ଖୁସିର ସହ ଗୁଜରାଟରେ ରହୁଛନ୍ତି ଏବଂ ବ୍ୟବସାୟ କରୁଛନ୍ତି । ମୁଁ ଏହା ମଧ୍ୟ ଦେଖି ଖୁସି ଯେ ଜାପାନୀ ଜୀବନ ଏବଂ କାର୍ଯ୍ୟ ଅଭିଜ୍ଞତାରେ ଉନ୍ନତି ଆଣିବା ଲାଗି ସମର୍ପିତ ସହରାଂଚଳ, କ୍ଲଷ୍ଟର ଏବଂ ଅନୁଷ୍ଠାନ ମୁଣ୍ଡ ଟେକିଛି । ଆଜି ମଧ୍ୟ ଏକ ଜାପାନୀ ଟାଉନସିପ୍ ଘୋଷଣା କରାଯାଇଛି । ଗୁଜରାଟ ସରକାର ଏବଂ ଉଦ୍ୟୋଗଜଗତ ଏବେ ସୁଦ୍ଧା ଆନନ୍ଦ ପ୍ରକାଶ କରି କହିଥାଏ ଯେ ଭାଏବ୍ରାଣ୍ଟ ଗୁଜରାଟ କାର୍ଯ୍ୟକ୍ରମରେ ଜାପାନ ପ୍ରଥମ ସହଭାଗୀ ରାଷ୍ଟ୍ର ଥିଲା । ଏହି ଭାଗିଦାରୀ କେବଳ ଯେ ଜାରି ରହି ନାହିଁ, ବରଂ ଆମର ସମ୍ପର୍କ ବିନିମୟ ଆହୁରି ବୃଦ୍ଧି ପାଇଛି । ଏହା ଭାରତୀୟ ଅର୍ଥବ୍ୟବସ୍ଥା  ଏବଂ ଜାପାନ ଉଦ୍ୟୋଗଜଗତ ମଧ୍ୟରେ ସମ୍ପର୍କକୁ ଆହୁରି ବ୍ୟାପକ ସ୍ତରକୁ ନେଇଯାଇଛି । ମୁଁ କିଡାନରେନ୍, ଜେଟ୍ରୋ ଏବଂ ଅନ୍ୟ ସଂଗଠନଗୁଡ଼ିକୁ ଏହି ପ୍ରକ୍ରିୟାରେ ସହଯୋଗ ଲାଗି ଧନ୍ୟବାଦ ଜଣାଇବାକୁ ଚାହୁଁଛି । ହାତଧରି ଚାଲିବାର ଏହି ପ୍ରକ୍ରିୟାରେ ଜାପାନ ପ୍ଲସ୍ ମେକାନିଜମ୍ ମଧ୍ୟ ସହାୟକ ହୋଇଛି ।

ବନ୍ଧୁ ଗଣ!

ଜାପାନ ସରକାର ଏବଂ ଲୋକମାନେ ସର୍ବଦା ମୋ ପ୍ରତି ଏବଂ ମୋ ଦେଶ ପ୍ରତି ଗଭୀର ସ୍ନେହ ପ୍ରକଟ କରିଛନ୍ତି । ଏପରିକି, 125 କୋଟି ଭାରତୀୟ ମଧ୍ୟ ଜାପାନୀ ଲୋକମାନଙ୍କ ପ୍ରତି ସମାନ ସ୍ନେହଭାବ ପୋଷଣ କରିଥାନ୍ତି । ବ୍ୟକ୍ତିଗତ ସ୍ତରରେ ନିଜର ପ୍ରୋତ୍ସାହନ ଏବଂ ସହଯୋଗ ପାଇଁ ମୁଁ ପ୍ରଧାନମନ୍ତ୍ରୀ ଆବେଙ୍କ ନିକଟରେ କୃତଜ୍ଞ । ପ୍ରଧାନମନ୍ତ୍ରୀ ଆବେ ଏବଂ ମୁଁ ପରସ୍ପରକୁ ଭେଟିବାର ଗୋଟିଏ ସୁଯୋଗ ସୁଦ୍ଧା ହାତଛଡ଼ା କରିନଥାଉ । ଏହି ନିବିଡ଼ତା ଏବଂ ବୁଝାମଣା ଯୋଗୁ ଆମ ଦ୍ୱିପାକ୍ଷିକ ସମ୍ପର୍କରେ ଥିବା ଅନେକ ଶୂନ୍ୟସ୍ଥାନକୁ ପୂରଣ କରିପାରିଛି । ଗତବର୍ଷ ଜାପାନରୁ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ସରକାରୀ ଉନ୍ନୟନ ସହାୟତା ଆବଣ୍ଟନ କରାଯାଇଥିଲା । ସେହିପରି ଭାରତରେ କାର୍ଯ୍ୟ କରୁଥିବା ଜାପାନୀ କମ୍ପାନୀ ସଂଖ୍ୟାରେ ଗତ କିଛିବର୍ଷ ମଧ୍ୟରେ ସ୍ଥିର ଭାବେ ବୃଦ୍ଧି ଘଟିଛି । ଆଜି ଶୁଭାରମ୍ଭ ହୋଇଥିବା କାର୍ଯ୍ୟକ୍ରମରୁ ଆପଣ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କର ଗଭୀରତାକୁ ଦେଖିପାରୁଥିବେ ।

ପ୍ରଥମେ ମୁମ୍ବାଇ-ଅହମ୍ମଦାବାଦ ଦ୍ରୁତଗାମୀ ରେଳ ପ୍ରକଳ୍ପ:

ଏହି ପ୍ରକଳ୍ପ ନିମନ୍ତେ ଜାପାନ ସରକାରଙ୍କ ସହାୟତା ପାଇଁ ଆମେ କୃତଜ୍ଞ;

ମୁଁ ଆଶା କରୁଛି ଯେ 500 କିମି ଲମ୍ବ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ନିର୍ମାଣକାମ ଖୁବଶୀଘ୍ର ଆରମ୍ଭ ହେବ ଏବଂ 2022-23 ସୁଦ୍ଧା ଏହା ଶେଷ ହେବ ।

ଏହି ଦ୍ରୁତଗାମୀ ରେଳ ପ୍ରକଳ୍ପ ସହିତ ଏକ ତାଲିମ୍ ପ୍ରତିଷ୍ଠାନ ମଧ୍ୟ ପୂର୍ଣ୍ଣ ରୂପ ନେଉଛି ।

ଏହା ନବ ଭାରତ ନିର୍ମାତାମାନଙ୍କୁ ପ୍ରସ୍ତୁତ କରିବ- ଦ୍ରୁତଗାମୀ ରେଳ ପ୍ରକଳ୍ପ ନିର୍ମାଣ, ପରିଚାଳନା ଏବଂ ପ୍ରଯତ୍ନ ବ୍ୟବସ୍ଥା, ଅତିକୁଶଳୀ ଶ୍ରମଶକ୍ତିର ଆବଶ୍ୟକତା ରହିଛି ।

ଦ୍ୱିତୀୟରେ ଜାପାନୀ ଔଦ୍ୟୋଗିକ ସହରର ବିକାଶ: ଦେଶବ୍ୟାପୀ; 4ଟି ସ୍ଥାନ ଚୂଡ଼ାନ୍ତ ହୋଇଛି । ଗୁଜରାଟକୁ ବାଦ୍ ଦେଲେ ଅନ୍ୟଗୁଡ଼ିକ – ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡ଼ୁରେ ରହିଛି ।

ତୃତୀୟରେ ଅଟୋ ମୋବାଇଲ୍ କ୍ଷେତ୍ରରେ ଆମର ସହଯୋଗ –  ମାନ୍ଦାଲରେ ଥିବା ସୁଜୁକି ପ୍ଳାଣ୍ଟରୁ ନିର୍ମିତ କାର ସାରା ବିଶ୍ୱକୁ ରପ୍ତାନି ହେଉଛି, ଏବଂ ଲିଥିୟମ-ଆୟନ ବେଟେରୀ ଉତ୍ପାଦନ ପାଇଁ ଶିଳାନ୍ୟାସ କରାଯାଇଛି, ଏହା ପରବର୍ତ୍ତୀ ପିଢ଼ିର ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ପାଇଁ ଇନ୍ଧନ ଭାବେ ବ୍ୟବହୃତ ହେବ ।

ଚତୁର୍ଥରେ ଜାପାନ-ଭାରତ ବିନିର୍ମାଣ ପ୍ରତିଷ୍ଠାନ ମାଧ୍ୟମରେ ମାନବ ସମ୍ବଳ ବିକାଶ ରହିଛି । ଜାପାନୀ କମ୍ପାନୀଗୁଡ଼ିକ ମାଧ୍ୟମରେ ଏମାନେ ବିକଶିତ ହେଉଛନ୍ତି । ଗୁଜରାଟ ବ୍ୟତୀତ ଏମାନେ କର୍ଣ୍ଣାଟକ, ରାଜସ୍ଥାନ ଏବଂ ତାମିଲନାଡ଼ୁରେ ମଧ୍ୟ ବିକଶିତ ହେଉଛନ୍ତି ।

ଆପଣମାନେ ଜାଣନ୍ତି ଯେ ପ୍ରାଚୀନ ଏବଂ ପବିତ୍ର ସହର ବାରଣାସୀ ମୋର ଦ୍ୱିତୀୟ ଘର ।

ବାରଣାସୀ ସମ୍ମେଳନ କେନ୍ଦ୍ର ପ୍ରକଳ୍ପ ଜାପାନର କ୍ୟୋଟୋ ସହର ଏବଂ ବାରଣାସୀ ମଧ୍ୟରେ ସାଂସ୍କୃତିକ ସହଯୋଗର ପ୍ରତୀକ । 2015ରେ ପ୍ରଧାନମନ୍ତ୍ରୀ ଆବେ ଏବଂ ମୁଁ ଉଭୟ ମିଶି ବାରଣାସୀ ଯାଇଥିବା ସମୟରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିଲା । ମୁଁ ଏହାର ନାମ ରୁଦ୍ରାକ୍ଷ-ପ୍ରେମର ପ୍ରତୀକ, ଏବଂ ମାନବ ସମାଜ ପ୍ରତି ଭଗବାନ ଶିବଙ୍କ ପ୍ରସାଦ, ରଖିଛି । ରୂଦ୍ରାକ୍ଷ ଭାରତ-ଜାପାନ ସ୍ନେହର ମାଳ ସଦୃଶ ହେବ । ଏହା ମଧ୍ୟ ସାରନାଥରେ ଥିବା ଆମର ସହଭାଗୀ ବୌଦ୍ଧ ଐତିହ୍ୟ ପ୍ରତି ଏକ ଶ୍ରଦ୍ଧାଞ୍ଜଳି ହେବ । ଏହି ପ୍ରକଳ୍ପ ପାଇଁ ଆର୍ଥିକ ସହାୟତା ଲାଗି, ମୁଁ ବ୍ୟକ୍ତିଗତ ଭାବେ ପ୍ରଧାନମନ୍ତ୍ରୀ ଆବେଙ୍କୁ କୃତଜ୍ଞତା ଜଣାଉଛି । ଆପଣମାନେ ମଧ୍ୟ ଦେଖିଥିବେ-ଜାପାନୀ କମ୍ପାନୀଗୁଡ଼ିକ ଦ୍ୱାରା ନିବେଶ ଲାଗି ଆହୁରି କେତେକ ଘୋଷଣା କରାଯାଇଛି । ରାଜନୈତିକ ଏବଂ ରଣନୈତିକ ଦୃଷ୍ଟିରୁ ମଧ୍ୟ ଜାପାନ ପ୍ରଧାନମନ୍ତ୍ରୀ ଆବେ ଗସ୍ତ ବେଶ୍ ଫଳପ୍ରଦ ହୋଇଛି । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆମେ ସଂଖ୍ୟାଧିକ ଚୁକ୍ତିକୁ ଅନ୍ତିମ ରୂପ ଦେଇଛୁ । ଏହା ଦର୍ଶାଉଛି ଯେ ଆମର ସମ୍ପର୍କରେ ପରସ୍ପର ସହିତ କିଭଳି ବୁଝାମଣା, ସହଜତା ଏବଂ ବିଶ୍ୱାସ ରହିଛି ।

ବନ୍ଧୁଗଣ,

ଗତ ତିନି ବର୍ଷ ମଧ୍ୟରେ, ଆମେ ଇଜ୍ ଅଫ୍ ଡୁଇଂ ବିଜନେସ୍ କ୍ଷେତ୍ରରେ ବେଶ୍ ପରିଶ୍ରମ କରିଛୁ । କେତେଗୁଡ଼ିଏ ପ୍ରଶାସନିକ ସଂସ୍କାର କାରଣରୁ ଦେଶରେ ବ୍ୟବସାୟିକ ବାତାବରଣରେ ଗୁରୁତ୍ୱପୂର୍ଣ୍ଣ ସୁଧାର/ଉନ୍ନତି ଆସିପାରିଛି । ଏଗୁଡ଼ିକ ଦେଶର ରୂପାନ୍ତରଣ ଏବଂ ନବ ଭାରତ ନିର୍ମାଣ ପ୍ରତି ଲକ୍ଷ୍ୟବଦ୍ଧ । ଯୁବକମାନଙ୍କ ଶକ୍ତିରେ ସଶକ୍ତ, ଆମେ ଭାରତକୁ ଏକ ବିଶ୍ୱ ବିନିର୍ମାଣର କେନ୍ଦ୍ରସ୍ଥଳୀ ଭାବେ ଗଢିବାକୁ ଚାହୁଁଛୁ । ଏହି ଉଦ୍ଦେଶ୍ୟ ନେଇ ଆମେ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନ ଶୁଭାରମ୍ଭ କରିଛୁ । ଆମେ ମଧ୍ୟ ଭାରତକୁ ଏକ ଜ୍ଞାନ ଆଧାରିତ, କୌଶଳ ସମର୍ଥିତ ଏବଂ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ସମାଜ ଭାବେ ବିକଶିତ କରିବାକୁ ଚାହୁଁଛୁ । ଡିଜିଟାଲ ଇଣ୍ଡିଆ ଏବଂ ସ୍କିଲ୍ ଇଣ୍ଡିଆ ଭଳି ଅଭିଯାନ ଦ୍ୱାରା ଆମେ ଏକ ବିରାଟ ଶୁଭାରମ୍ଭ କରିସାରିଛୁ । ଏହି ସମାନ ଉଦ୍ଦେଶ୍ୟ ନେଇ, ଆମେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରିଛୁ । ବିଶ୍ୱ ଷ୍ଟାର୍ଟଅପ୍ ଇକୋ ସିଷ୍ଟମରେ ଭାରତ ତୃତୀୟ ସ୍ଥାନରେ ରହିଛି ଏବଂ ଗତ କିଛିବର୍ଷ ମଧ୍ୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ଷ୍ଟାର୍ଟଅପ୍ କାର୍ଯ୍ୟକ୍ରମ ନବସୃଜନ ପାଇଁ ଦୃଢ଼ ଇକୋ-ସିଷ୍ଟମ ବିକଶିତ କରିବା ପ୍ରତି ଲକ୍ଷ୍ୟବଦ୍ଧ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ, ମୋ ସରକାର ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପ୍ରକଳ୍ପଗୁଡ଼ିକ ନିବେଶକଙ୍କ ପାଇଁ ଜୀବନ ବ୍ୟାପୀ ସୁଯୋଗ ସୃଷ୍ଟି ଏବଂ ଉପସ୍ଥାପନ କରୁଛି । ଏହାମଧ୍ୟରେ ରହିଛି 100 ସ୍ମାର୍ଟସିଟି ମିଶନ, 50 ନିୟୂତ ବାସହୀନଙ୍କ ପାଇଁ ଗୃହ ନିର୍ମାଣ, ସଡ଼କ ନିର୍ମାଣ, ସେତୁ, ବନ୍ଦର, ରେଳଲାଇନ୍ ସହିତ ଷ୍ଟେସନ ନିର୍ମାଣ ।

ବନ୍ଧୁଗଣ!

ଆମ ସମ୍ଭାବନାର ଆକାର ଓ ସ୍ତର ଏବଂ ଭାରତ ଯୋଗାଇ ଦେଉଥିବା କୁଶଳ ଶ୍ରମଶକ୍ତି ଦ୍ୱାରା ଜାପାନ ଅତ୍ୟଧିକ ଲାଭବାନ ହୋଇପାରିବ! ଏମିତିକି, ଭାରତର ବିକାଶ ଆଭିମୁଖ୍ୟ ଜାପାନୀ କମ୍ପାନୀଗୁଡ଼ିକ ପାଇଁ ଉପଯୋଗୀ, ପୁଞ୍ଜି ଏବଂ ପ୍ରଯୁକ୍ତି ପ୍ରବେଶକୁ ଅନୁମତି ଦେବାଲାଗି ଆମ ଅର୍ଥବ୍ୟବସ୍ଥା କୁ ମୁକ୍ତ କରିବା ଦିଗରେ ଆମେ କାର୍ଯ୍ୟ କରିଛୁ । ଭାରତରେ ନିବେଶ ଏବଂ ବ୍ୟବସାୟକୁ ସହଜ କରିବା ଲାଗି ଆମେ ପ୍ରତିଦିନ କାର୍ଯ୍ୟ କରୁଛୁ । ବ୍ୟାପାର  ଏବଂ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ଲାଗି ଆମେ ସଂଖ୍ୟାଧିକ ନିୟମ ଏବଂ ନୀତି ପ୍ରଣୟନ କରିଛୁ । ଏହି ପ୍ରୟାସର ଭଲ ଫଳାଫଳ ଆମେ ପାଇଛୁ । ମୁଁ ଏଠାରେ କେତେକ ବିଶ୍ୱସ୍ତରୀୟ ମାନ୍ୟତାର ଉଦାହରଣ ଦେଇପାରେ: ଭାରତ ବିଶ୍ୱବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସ୍ ସୂଚକାଙ୍କରେ ଉପରକୁ ଉନ୍ନୀତ ହୋଇଛି; ଆମେ ବିଶ୍ୱ ଅର୍ଥବ୍ୟବସ୍ଥା  ଫୋରମ୍ ଦ୍ୱାରା ପ୍ରକାଶିତ ପ୍ରତିଦ୍ୱନ୍ଦ୍ୱିତା ସୂଚକାଙ୍କରେ ଗତ ଦୁଇବର୍ଷ ମଧ୍ୟରେ 32ଟି ସ୍ଥାନ ଉପରକୁ ଉଠିଛୁ- ଏହା ଅନ୍ୟ କୌଣସି ଦେଶ ତୁଳନାରେ ସର୍ବୋଚ୍ଚ; ଗତ ଦୁଇବର୍ଷ ମଧ୍ୟରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ ୱିପୋର ବିଶ୍ୱ ନବସୃଜନ ସୂଚକାଙ୍କରେ ଆମେ 21ଟି ସ୍ଥାନ ଉପରକୁ ଉଠିଛୁ ।  ଆମେ ବିଶ୍ୱବ୍ୟାଙ୍କର ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କ 2016ରେ 19ଟି ସ୍ଥାନ ଉପରକୁ ଉଠିଛୁ; ବାଣିଜ୍ୟ ଏବଂ ବିକାଶ ଉପରେ ମିଳିତ ଜାତିସଂଘ ସମ୍ମେଳନ ଏବଂ UNCTAD ଦ୍ୱାରା ପ୍ରକାଶିତ ବିଶ୍ୱର ତୃତୀୟ ବୈଦେଶିକ ନିବେଶ ଲକ୍ଷ୍ୟସ୍ଥଳୀ ମଧ୍ୟରେ ଆମେ ତୃତୀୟ ସ୍ଥାନ ହାସଲ କରିଛୁ ।  ନିକଟରେ ଭାରତର ସର୍ବବୃହତ୍ ଟିକସ୍ ସଂସ୍କାର, GST ଲାଗୁ ହୋଇଛି । ଏଥିସହିତ, ଆମେ ଏକ ଅତ୍ୟାଧୁନିକ ଟିକସ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହୋଇଛୁ, ଯାହା ପାରଦର୍ଶି, ସ୍ଥିର ଏବଂ ଆକଳନଯୋଗ୍ୟ । ଆଜି, ବିଶ୍ୱରେ ଭାରତ ସବୁଠୁ ଉଦାର ନିବେଶ ଲକ୍ଷ୍ୟସ୍ଥଳୀ ହୋଇପାରିଛି । ସ୍ୱୟଂକ୍ରିୟ ମାର୍ଗରେ 90 ପ୍ରତିଶତରୁ ଅଧିକ ନିବେଶ ଅନୁମୋଦନକୁ ରଖାଯାଇଛି । ବୈଦେଶିକ ନିବେଶ ପ୍ରୋତ୍ସାହନ ବୋର୍ଡକୁ ଆମେ ଉଚ୍ଛେଦ କରିଛୁ । ଏହି ଉଦାରୀକରଣ ଦ୍ୱାରା ଗତ ଆର୍ଥିକ ବର୍ଷରେ ଭାରତରେ ଏଫଡିଆଇ ପରିମାଣ 60 ବିଲିଅନ୍ ଡଲାରରେ ପହଞ୍ଚିଛି । ଗତ ତିନିବର୍ଷ ମଧ୍ୟରେ ଜାପାନରୁ ଏଫଡିଆଇ ଆଗମନ ତିନିଗୁଣା ବୃଦ୍ଧି ପାଇଛି । ନୂଆ ଦେବାଳିଆ ଏବଂ ଦେବାଳିଆପଣ ଆଇନ୍ ନିବେଶକଙ୍କ ପ୍ରସ୍ଥାନକୁ ଆହୁରି ସହଜ କରିଛି । ବାଣିଜ୍ୟିକ ମାମଲା ଗୁଡ଼ିକର ଦ୍ରୁତ ସମାଧାନ ସୁନିଶ୍ଚିତ କରିବା ପାଇଁ ଆମେ ବାଣିଜ୍ୟିକ ଅଦାଲତ ଏବଂ ବାଣିଜ୍ୟିକ ଡିଭିଜନ ପ୍ରତିଷ୍ଠା କରୁଛୁ । ମଧ୍ୟସ୍ଥତା ମାମଲାଗୁଡ଼ିକର ସମାଧାନ ଏବେ ସହଜ ହୋଇଯିବ, କାରଣ ଆମେ ମଧ୍ୟସ୍ଥତା ଆଇନରେ ସଂଶୋଧନ ଆଣିଛୁ । ଆମେ ମଧ୍ୟ ଏକ ନୂଆ ବୌଦ୍ଧିକ ସମ୍ପତ୍ତି ଅଧିକାର ନୀତି ଘୋଷଣା କରିଛୁ । ଏଗୁଡ଼ିକ ଆମେ ଯାତ୍ରା କରୁଥିବା ମାର୍ଗର ଗୋଟିଏ ଗୋଟିଏ ଉଦାହରଣ । ଆମେ ଏହାକୁ ଆହୁରି ଅଧିକରୁ ଅଧିକ; ଉତ୍ତମରୁ ଉତ୍ତମ; ଦ୍ରୁତରୁ ଦ୍ରୁତତର କରିଚାଲିବୁ ।

ବନ୍ଧୁଗଣ!

ଭାରତ ଏବଂ ଜାପାନ ପ୍ରାଚୀନ ସଭ୍ୟତା ଏବଂ ଉଜ୍ଜ୍ୱଳ ଗଣତନ୍ତ୍ର । ସାଧାରଣ ଲୋକଙ୍କ ନିକଟକୁ ବିକାଶ ଏବଂ ସମୃଦ୍ଧିର ଫଳ କିଭଳି ପହଞ୍ଚାଯାଇପାରିବ ଆମେ ତାହା ଜାଣୁ । ଭାରତ ଏହାର ନାଗରିକଙ୍କ ନିକଟରେ ସରକାରୀ ସେବାକୁ ସହଜରେ ପହଞ୍ଚାଇବା ଲାଗି ସୁଲଭ ସମାଧାନ ଏବଂ ପ୍ରକ୍ରିୟା ଆବଶ୍ୟକ କରୁଛି । ଜାପାନ ଏକ ସୁଯୋଗର ଅପେକ୍ଷାରେ ରହିଛି । ଯେଉଁଠି ଏହା ନିଜର କଷ୍ଟ ଉପାର୍ଜିତ ଜ୍ଞାନ ଏବଂ ପ୍ରଯୁକ୍ତିକୁ ବିନିଯୋଗ କରିପାରିବ । ମୁଁ କହିଆସିଛି ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ଏସିଆର ଉତ୍ଥାନରେ ଭାରତ ଏବଂ ଜାପାନ ବୃହତ୍ ଭୂମିକା ନିର୍ବାହ କରିବେ ବୋଲି ମଧ୍ୟ ମୁଁ କହିଆସିଛି । ଭାରତ ଏବଂ ଜାପାନ ମଧ୍ୟରେ ରଣନୈତିକ ଓ ଅର୍ଥନୈତିକ ପ୍ରସଙ୍ଗରେ  ବୃଦ୍ଧି ପାଉଥିବା ଏକାଭିମୁଖତାରେ ବିଶ୍ୱ ଅର୍ଥବ୍ୟବସ୍ଥାକୁ ସକ୍ରିୟ କରିବାର ସାମର୍ଥ୍ୟ ରହିଛି । ମୋର ବିଶ୍ୱାସ ଯେ ସୁଦୃଢ଼ ଭାରତ ଏବଂ ସୁଦୃଢ଼ ଜାପାନ ଏସିଆ ଏବଂ ସାରା ବିଶ୍ୱ ପାଇଁ ସ୍ଥିରତାର କାରଣ ହେବ । ଏହି ଆପୋଷ ଏବଂ ଜାଗତିକ ପ୍ରଯତ୍ନ ସହିତ ମୁଁ ପ୍ରଧାନମନ୍ତ୍ରୀ ଆବେ ଏବଂ ଜାପାନକୁ ପରିପୂର୍ଣ୍ଣ ଭାଗିଦାର ହୋଇଥିବାରୁ ଧନ୍ୟବାଦ ଜଣାଉଛି । ଆମର ବନ୍ଧୁତା ଏବଂ ଆପୋଷ ବିଶ୍ୱାସ ସହିତ ମୁଁ ଅଧିକରୁ ଅଧିକ ଜାପାନ ନାଗରିକ ଏବଂ କମ୍ପାନୀଗୁଡ଼ିକୁ ଭାରତକୁ ଆସିବା, ରହିବା ଏବଂ କାର୍ଯ୍ୟ କରିବା ଲାଗି ନିମନ୍ତ୍ରଣ ଜଣାଉଛି । ଆପଣଙ୍କ ଉଦ୍ୟମରେ ସଫଳତା ପାଇଁ ମୁଁ କାମନା କରୁଛି । ଯେକୌଣସି କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ ପାଇଁ ମୁଁ ଆପଣମାନଙ୍କୁ ଭରସା ଓ ଆଶ୍ୱାସନା ଦେଉଛି ।

ଧନ୍ୟବାଦ! ବହୁତ ବହୁତ ଧନ୍ୟବାଦ!

 

**********