Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ବଦନଗର ଗସ୍ତ; ସଘନ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ, ସାଧାରଣ ସଭାରେ ଉଦ୍ବୋଧନ

ପ୍ରଧାନମନ୍ତ୍ରୀଙ୍କ ବଦନଗର ଗସ୍ତ; ସଘନ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ, ସାଧାରଣ ସଭାରେ ଉଦ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜ ପୈତୃକ ସହର ବଦନଗର ଗସ୍ତ କରିଥିଲେ  । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ବଦନଗରକୁ ତାଙ୍କର ପ୍ରଥମ ଗସ୍ତ ଥିଲା ।

ସହର ବାସିନ୍ଦା ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇବା ପାଇଁ ବହୁସଂଖ୍ୟାରେ ରାସ୍ତାର ଦୁଇ ପାର୍ଶ୍ଵରେ ସମବେତ ହୋଇଥିଲେ । ସେ ହଟକେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପିଲାଦିନେ ପଢ଼ୁଥିବା ସ୍କୁଲ ନିକଟରେ ପ୍ରଧାନମନ୍ତ୍ରୀ କିଛି ସମୟ ପାଇଁ ରହିଥିଲେ  ।

ପ୍ରଧାନମନ୍ତ୍ରୀ ବଦନଗରଠାରେ ଥିବା ଜିଏମଇଆରଏସ ମେଡ଼ିକାଲ କଲେଜକୁ ଗସ୍ତ କରିଥିଲେ ଏବଂ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଲାଗି ଫଳକ ଉଦ୍ଘାଟନ କରିଥିଲେ । ସେ ମଧ୍ୟ କିଛି ସମୟ ପାଇଁ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରିଥିଲେ ।

ଏକ ସାଧାରଣ ସଭାରେ, ପ୍ରଧାନମନ୍ତ୍ରୀ ସଘନ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ କରିଥିଲେ  । ଏହି ମିଶନ ଦ୍ୱାରା ପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ ପାଇଁ ପଦକ୍ଷେପକୁ ଆହୁରି ବ୍ୟାପକ କରାଯିବ  । ଏହା ମାଧ୍ୟମରେ ସହରାଂଚଳ ଏବଂ କମ୍ ଟିକାକରଣ ହୋଇଥିବା ଅନ୍ୟ ଅଂଚଳ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଇ-ଟାବ୍ଲେଟ୍ ବଣ୍ଟନପୂର୍ବକ  ImTeCHO – ସୃଜନାତ୍ମକ ମୋବାଇଲ୍ ଆପର ଶୁଭାରମ୍ଭ କରିଥିଲେ  । ଆଶାକର୍ମୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଏହି ମୋବାଇଲ ଆପ ଉଦ୍ଦିଷ୍ଟ । ଏହି ଅବସରରେ ସେ କେତେକ ବିକାଶ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ  ।

ଆଗ୍ରହ ସହ ଜନସଭାରେ ଅପେକ୍ଷା କରିଥିବା ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନିଜ ପୈତୃକ ସହରକୁ ଫେରିବା ଏବଂ ଏଠାରେ ଏତେ ଭବ୍ୟ ସ୍ୱାଗତ ପାଇବା ମୋ ପାଇଁ ବିଶେଷ ଅଭିଜ୍ଞତା । ଆଜି ମୁଁ ଯାହା ହୋଇଛି ତାହା କେବଳ ବଦନଗର ମାଟିରୁ, ଆପଣମାନଙ୍କ ଗହଣରେ ରହି ପାଇଥିବା ମୂଲ୍ୟବୋଧ ଯୋଗୁ ପାଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  ।

ଆପଣମାନଙ୍କ ଆଶୀର୍ବାଦ ନେଇ ମୁଁ ଫେରିଯାଉଛି ଏବଂ ଆପଣମାନଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ଦେଶ ପାଇଁ ଆହୁରି କଠିନ ପରିଶ୍ରମ କରିବି ବୋଲି ପ୍ରଧାନମନ୍ତ୍ରୀ ବଦନଗରର ଜନସାଧାରଣଙ୍କୁ କହିଥିଲେ  ।

ସ୍ୱାସ୍ଥ୍ୟ କ୍ଷେତ୍ରର ପ୍ରକଳ୍ପ, ବିଶେଷ କରି ସଘନ ମିଶନ ଇନ୍ଦ୍ରଧନୁଷର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ବ୍ୟକ୍ତ କରିଥିଲେ  । ସେ ଉଲ୍ଲେଖ କରିଥିଲେ ଯେ କିପରି ସରକାର Stent ମୂଲ୍ୟ ହ୍ରାସ କରିପାରିଛନ୍ତି  । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗରିବ ଲୋକମାନଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ସୁଲଭ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି  ।

ମେଡିକାଲ କଲେଜର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସମାଜରେ ଆହୁରି ଡାକ୍ତରଙ୍କ ଆବଶ୍ୟକତା ରହିଛି, ଯେଉଁମାନେ ଲୋକମାନଙ୍କ ସେବା କରିପାରିବେ  ।

 

**********