ପିଏମଇଣ୍ଡିଆ

ବିଶାଳ ସଂଖ୍ୟାରେ ଉପସ୍ଥିତ ସମସ୍ତ ଯୁବ ସାଥୀଗଣ,
ଏବେ ଆମର ମୁଖ୍ୟମନ୍ତ୍ରୀ ମହାଶୟ କହୁଥିଲେ ମୁଁ ହେଉଛି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ପାଟନା ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ସାମିଲ ହୋଇଛି । ମୁଁ ଏହାକୁ ସୌଭାଗ୍ୟ ବୋଲି ମାନୁଛି ଆଉ ମୁଁ ଦେଖିଛି ଯେ ଆଗରୁ ଯେତେ ପ୍ରଧାନମନ୍ତ୍ରୀ ଥିଲେ ସେମାନେ କେତେକ ଭଲ କାମ ମୋ ପାଇଁ ଛାଡ଼ି ଯାଇଛନ୍ତି । ଆଉ ସେଭଳିଆ ଭଲ କାମ କରିବା ପାଇଁ ଆଜି ମୋତେ ସୁଯୋଗ ମିଳିଛି ।
ମୁଁ ସର୍ବପ୍ରଥମେ ଏହି ପବିତ୍ର ମାଟିକୁ ପ୍ରଣାମ ଜଣାଉଛି, କାରଣ ଆଜି ଆମର ଦେଶ ଯେଉଁଠି ମଧ୍ୟ ଅଛି, ତାହାକୁ ଏ ପର୍ଯ୍ୟନ୍ତ ପହଞ୍ଚାଇବାରେ ଏହି ବିଶ୍ୱବିଦ୍ୟାଳୟ ପରିସରର ବଡ଼ ଯୋଗଦାନ ରହିଛି । ଚୀନରେ ଗୋଟିଏ କଥା ଅଛି ଯଦି ଆପଣ ବର୍ଷସାରା କଥା ଚିନ୍ତା କରୁଛନ୍ତି, ତ ଶସ୍ୟ ବୁଣନ୍ତୁ, ଯଦି ଆପଣ 10-20 ବର୍ଷ କଥା ଚିନ୍ତା କରୁଛନ୍ତି ତ ଫଳ ଗଛ ଲଗାନ୍ତୁ, କିନ୍ତୁ ଯଦି ଆପଣ ପିଢି-ପିଢି କଥା ଚିନ୍ତା କରୁଛନ୍ତି ତ ଆପଣ ମଣିଷ ଗଛ ଲଗାନ୍ତୁ । ଏହି ପାଟନା ବିଶ୍ୱବିଦ୍ୟାଳୟ ସେହି କଥାର ହେଉଛି ଜୀବନ୍ତ ପ୍ରମାଣ ଯେ 100 ବର୍ଷ ପୂର୍ବେ ଯେଉଁ ବୀଜ ବୁଣାଯାଇଥିଲା, 100 ବର୍ଷ ଭିତରେ ଅନେକ ପିଢି ଏଠାକୁ ଆସି, ମା’ ସରସ୍ୱତୀଙ୍କର ଆରାଧନା କରି ଆଗକୁ ଚାଲିଗଲେ, କିନ୍ତୁ ସେମାନେ ତା’ସହିତ ଦେଶକୁ ମଧ୍ୟ ଆଗକୁ ନେଇଗଲେ । ଏଠାରେ କିଛି ରାଜନେତାଙ୍କର ଚର୍ଚ୍ଚା ହେଲା ଯେଉଁମାନେ ଏହି ବିଶ୍ୱବିଦ୍ୟାଳୟରୁ ବାହାରି କିପରି ଭାବେ ଭିନ୍ନ-ଭିନ୍ନ ସ୍ଥାନରେ ସେମାନେ ସେବା ପ୍ରଦାନ କରିଛନ୍ତି । କିନ୍ତୁ ମୁଁ ଆଜି ମୋର ଅନୁଭବରୁ କହିପାରିବି କି ଆଜି ହିନ୍ଦୁସ୍ଥାନର ହୁଏତ କୌଣସି ଏଭଳି ରାଜ୍ୟ ନଥିବ ଯେଉଁଠାରେ ପ୍ରଶାସନିକ ସେବାର ନେତୃତ୍ୱ ନେଉଥିବା ପ୍ରଥମ 5 ଜଣଙ୍କ ମଧ୍ୟରେ ବିହାରର ପାଟନା ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀ ହୋଇନଥିବେ, ଏଭଳି ହୋଇ ପାରିବ ନାହିଁ ।
ଗୋଟିଏ ଦିନ ମୁଁ ଭାରତରେ ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରତ୍ୟେକ ଛୋଟ-ବଡ଼ ଅଧିକାରୀଙ୍କ ସହ ବିଚାର ବିମର୍ଷ କରୁଛି । ପ୍ରତ୍ୟେକ ଦିନ 80-90-100 ଲୋକଙ୍କ ସହିତ କଥା ହେବା ପାଇଁ ବସୁଛି, ଦେଢ଼-ଦୁଇ ଘଣ୍ଟା ମୁଁ କଥାବାର୍ତ୍ତା କରୁଛି ଆଉ ମୁଁ ଅନୁଭବ କରୁଛି କି ସେଥିରେ ସବୁଠାରୁ ବଡ଼ ଭାଗ ହେଉଛନ୍ତି ବିହାରର । ସେମାନେ ସରସ୍ୱତୀଙ୍କ ଆରାଧନାରେ ନିଜକୁ ନିଜେ ତଲ୍ଲିନ କରି ଦେଇଛନ୍ତି । କିନ୍ତୁ ଏବେ ସମୟ ବଦଳି ଯାଇଛି, ଏବେ ଆମକୁ ସରସ୍ୱତୀ ଆଉ ଲକ୍ଷ୍ମୀ ଦୁହିଁଙ୍କୁ ସାଥୀରେ ନେଇ ଚାଲିବାର ଅଛି । ବିହାର ପାଖରେ ସରସ୍ୱତୀଙ୍କର କୃପା ଅଛି, ବିହାର ଉପରେ ଲକ୍ଷ୍ମୀଙ୍କର କୃପା ମଧ୍ୟ ହୋଇପାରେ । ଆଉ ସେଥିପାଇଁ ଏହା ଭାରତ ସରକାରଙ୍କର ଚିନ୍ତାଧାରା ଏହା ଯେ ସରସ୍ୱତୀ ଆଉ ଲକ୍ଷ୍ମୀଙ୍କର ମିଳନ ଘଟାଇ ବିହାରକୁ ନୂତନ ଶିଖରକୁ ନେଇ ଯିବାର ଅଛି ।
ନିତିଶ ମହାଶୟଙ୍କର ଯେଉଁ ପ୍ରତିଶୃତି ରହିଛି, ବିହାରର ବିକାଶ ପ୍ରତି ତାଙ୍କର ଯେଉଁ ପ୍ରତିବଦ୍ଧତା ରହିଛି ଆଉ ଭାରତ ସରକାର ପୂର୍ବ ଭାରତର ବିକାଶ ପ୍ରତି ହେଉଛନ୍ତି ସଂକଳ୍ପବଦ୍ଧ, ଏହି ଦୁଇଟି ପରିକଳ୍ପନା 2022 ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ପାଳନ କରିବ, ତ ମୋର ବିହାର ରାଜ୍ୟ ମଧ୍ୟ ହିନ୍ଦୁସ୍ଥାନର ସମୃଦ୍ଧ ରାଜ୍ୟଙ୍କ ସମକକ୍ଷ ହୋଇ ଠିଆ ହୋଇପାରିବ, ସେହି ସଂକଳ୍ପ ନେଇ ଆଗକୁ ବଢ଼ିବାର ଅଛି ।
ଆମର ଏହି ପାଟନା ନଗରୀ ଗଙ୍ଗାଙ୍କ କୂଳରେ ରହିଛି ଆଉ ଗଙ୍ଗାଙ୍କ ଧାରା ହେଉଛି ଯେତିକି ପୁରୁଣା ବିହାର ହେଉଛି ସେତିକି ପୁରୁଣା ଜ୍ଞାନରଧାରା, ପରମ୍ପରାର ମାଲିକ । ଯେତିକି ପୁରୁଣା ଜ୍ଞାନଗଙ୍ଗାର ପରମ୍ପରା, ସେତିକି ଗଙ୍ଗାଧାରାର ପରମ୍ପରା ଆପଣଙ୍କ ପାଖରେ ଅଛି । ହିନ୍ଦୁସ୍ଥାନରେ ଯେବେ ମଧ୍ୟ ଚର୍ଚ୍ଚା ହୋଇଥାଏ ତ ନାଳନ୍ଦା, ବିକ୍ରମଶୀଳାକୁ କିଏ ଭୁଲି ପାରିବ । ମାନବ ଜୀବନ ସଂଶୋଧନର କ୍ଷେତ୍ର । ହୁଏତ ଏଭଳି କୌଣସି କ୍ଷେତ୍ର ରହିଥିବ ଯେଉଁଥିରେ ଶତାବ୍ଦୀ ଶତାବ୍ଦୀ ଧରି ଏହି ମାଟିର ଯୋଗଦାନ ନଥିବ, ଏହି ମାଟିର ନେତୃତ୍ୱ ନଥିବ । ଯାହାଙ୍କ ପାଖରେ ଏଭଳି ମୁଖ୍ୟ ପରମ୍ପରା ଥିବ, ସେହି ପରମ୍ପରା ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ପ୍ରେରଣା ହୋଇଥାଏ ଆଉ ଯିଏ ନିଜର ସମୃଦ୍ଧ ଇତିହାସକୁ ମନେ ରଖେ ତାହାରି ଗର୍ଭରେ ଭବିଷ୍ୟତର ଇତିହାସ ଗର୍ଭଧାରଣ କରିଥାଏ । ଯିଏ ଇତିହାସକୁ ଭୁଲିଯାଏ ତାହାର ଗର୍ଭ ଶୂନ୍ୟ ହୋଇ ରହିଯାଏ । ଆଉ ସେଥିପାଇଁ ଆଗାମୀ ଇତିହାସ କିମ୍ବା ନିର୍ମାଣର ଗର୍ଭାଧାନ ମଧ୍ୟ ସମୃଦ୍ଧ, ଶକ୍ତିଶାଳୀ ଓ ଭବ୍ୟ; ଦିବ୍ୟ ଭାରତର ସ୍ୱପ୍ନ ମଧ୍ୟ; ତାହାର ଗର୍ଭାଧାନ ମଧ୍ୟ ଏହି ମାଟିରେ ସମ୍ଭବ ଆଉ ଏହି ମାଟିରୁ ପଲ୍ଲବିତ ହେବାର ସାମର୍ଥ୍ୟ ରହିଛି । କାରଣ ଏହା ପାଖରେ ମହାନ ଐତିହାସିକ ପରମ୍ପରା ଅଛି, ସାଂସ୍କୃତିକ ପରମ୍ପରା ଅଛି, ଜୀବନ୍ତ ଉଦାହରଣ ଅଛି । ମୁଁ ଭାବୁଛି କି ଏତେ ବଡ଼ ସାମର୍ଥ୍ୟ ହୁଏତ ଆଉ କାହା ପାଖରେ ରହିଥାଏ ।
ଗୋଟିଏ ସମୟ ଥିଲା, ଯେତେବେଳେ ଆମେ ସ୍କୁଲ କଲେଜକୁ ଶିଖିବା ପାଇଁ ଯାଉଥିଲେ, କିନ୍ତୁ ସେ ଯୁଗ ଶେଷ ହୋଇ ଯାଇଛି । ଆଜି ବିଶ୍ୱ ଯେତିକି ଦ୍ରୁତ ଗତିରେ ବଦଳୁଛି, ମନୁଷ୍ୟର ଚିନ୍ତାଧାରା ଯେଭଳି ବଦଳୁଛି, ଚିନ୍ତା କରିବାର ପରିସର ଯେଉଁଭଳି ଭାବେ ବଦଳୁଛି, ବୈଷୟିକ ଜ୍ଞାନର ଦଖଲ, ଜୀବନର ଚିନ୍ତାଧାରା, ଜୀବନର ବ୍ୟବହାରକୁ ଜୀବନର ଶୈଳୀକୁ ଆମୂଳଚୂଳ ପରିବର୍ତ୍ତନ କରୁଛି । ସେତେବେଳେ ଆମର ବିଶ୍ୱବିଦ୍ୟାଳୟ ମଧ୍ୟ, ବିଶ୍ୱବିଦ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କ ପାଇଁ ଏହା ଏକ ବହୁତ ବଡ଼ ଆହ୍ୱାନ ହେଉଛି । ଆହ୍ୱାନ ଏହା ନୁହେଁ ଯେ କ’ଣ ନୂଆ ଶିଖାଇବା, ଆହ୍ୱାନ ଏହା ହେଉଛି ଯେ ଯାହା ପୁରୁଣା ଶିଖି ଆସିଛନ୍ତି ତାହାକୁ କିପରି ଭୁଲିବା ନାହିଁ । unlearn, de-learn, ଆଉ ପରେ ପୁଣି ଶିଖିବା re-learn । ଏହା ଆଜିକାର ଯୁଗର ହେଉଛି ଏକ ବହୁତ ବଡ଼ ଆବଶ୍ୟକତା ।
ଫୋର୍ବ୍ସ ପତ୍ରିକାର ଶ୍ରୀଯୁକ୍ତ ଫୋବର୍ସ ଥରେ କହିଥିଲେ, ଶିକ୍ଷାର ଗୋଟିଏ ମଜାଦାର ପରିଭାଷା ସେ ଦେଇଥିଲେ, ସେ କହିଥିଲେ କି ଶିକ୍ଷାର କାମ ହେଉଛି ମସ୍ତିଷ୍କକୁ ଖାଲି କରିବା । ଆମର ଚିନ୍ତାଧାରା ରହିଥିଲା ମସ୍ତିଷ୍କକୁ ଭର୍ତ୍ତି କରିବା, ଘୋଷି ଚାଲିବା, ନୂଆ–ନୂଆ ଜିନିଷ କରି ଚାଲିବା, ଭର୍ତ୍ତି କରିବା । ଫୋବର୍ସଙ୍କର କହିବା ହେଉଛି ଶିକ୍ଷାର ଉଦ୍ଦେଶ୍ୟ ମସ୍ତିଷ୍କକୁ ଖାଲି କରିବା ଆଉ ଆଗକୁ କହିଲେ ମସ୍ତିଷ୍କକୁ ଖୋଲା ରଖିବା । ଯଦି ପ୍ରକୃତ ଅର୍ଥରେ ଯୁଗାନୁକୂଳ ପରିବର୍ତ୍ତନ ଆଣିବାର ଅଛି ତ ଆମ ସମସ୍ତଙ୍କୁ ଆମ ବିଶ୍ୱବିଦ୍ୟାଳୟରେ ମସ୍ତିଷ୍କକୁ ଖାଲି କରିବାର ଅଭିଯାନ ଚଳାଇବାକୁ ହେବ, ଯେବେ ଖୋଲିବ ତ ଚାରି ଆଡ଼ୁ ନୂତନ ଚିନ୍ତାଧାରା ପ୍ରବେଶର ସମ୍ଭାବନା ସୃଷ୍ଟି ହେବ, ଯେତେବେଳେ ଖାଲି ଥିବ ତ ନୂଆ ଭରିବାର ସ୍ଥାନ ସୃଷ୍ଟି ହେବ । ଆଉ ଏଥିପାଇଁ ଆଜି ଏହି ବିଶ୍ୱବିଦ୍ୟାଳୟ ତାହାଙ୍କୁ ଶିକ୍ଷା ଦେଉ, ଶିକ୍ଷା ନୁହେଁ, ଶିକ୍ଷଣକୁ ଶକ୍ତି ଦେଇ ଆଗକୁ ଚାଲିବାର ଅଛି ଆଉ ଏହା ହେଉଛି ସମୟର ଆବଶ୍ୟକତା ଯେ ଆମେ ଆମର ଶିକ୍ଷା ସଂସ୍ଥାନଗୁଡ଼ିକୁ ସେହି ଦିଗରେ କିପରି ନେବୁ?
ମାନବ ସଂସ୍କୃତିର ବିକାଶ ଯାତ୍ରାକୁ ଦେଖାଯିବ ତ ଗୋଟିଏ କଥା ଯେଉଁଥିରେ ସଙ୍ଗତି ରହିଛି, ସ୍ଥାୟୀତ୍ୱ ରହିଛି, ନବସୃଜନ ରହିଛି ଆଉ ତାହା ହେଉଛି ନବାଚାର । ପ୍ରତ୍ୟେକ ଯୁଗରେ ମାନବ ଜାତି କୌଣସି ନା କୌଣସି ନବସୃଜନ କରି ନିଜର ଜୀବନ ଶୈଳୀରେ ତାହାକୁ ଯୋଡ଼ି ଚାଲିଲେ । ଆଜି ନବସୃଜନ ଏକ ବହୁତ ବଡ଼ ପ୍ରତିଯୋଗିତାର ସମୟଦେଇ ଗତି କରୁଛି । ଦୁନିଆରେ ସେହି ଦେଶ ପ୍ରଗତି କରି ପାରିବେ ଯେଉଁ ଦେଶ ନବସୃଜନକୁ ପ୍ରାଥମିକତା ଦିଅନ୍ତି । ସଂସ୍ଥାନଗୁଡିକୁ ପ୍ରାଥମିକତା ଦିଅନ୍ତି, କିନ୍ତୁ ସଂସ୍ଥାନଗୁଡିରେ ସେତିକି ପରିବର୍ତ୍ତନ ନାହିଁ, ତାହା କେବଳ ଆଙ୍ଗିକ ପରିବର୍ତ୍ତନକୁ ସଂଶୋଧନ ବୋଲି ମାନି ନିଆଯାଏ ନାହିଁ । ବିଜ୍ଞାନର, ଜୀବନର ମୌଳିକ ସିଦ୍ଧାନ୍ତ ଉପରେ କାଳବାହ୍ୟ ଜିନିଷ ଠାରୁ ମୁକ୍ତି ପାଇବାର ରାସ୍ତା ଖୋଜିବା, ଆଉ ଭବିଷ୍ୟତକୁ ଆଖି ଆଗରେ ରଖି ଏହି ରାସ୍ତା ସଂକେତ ଦେବା, ନୂତନ ସଂସାଧନ ଇଙ୍ଗିତକୁ ଆଣିବା ଆଉ ଜୀବନକୁ ନୂତନ ଶିଖରକୁ ନେଇ ଯିବା ଏହା ହେଉଛି ସମୟର ଆବଶ୍ୟକତା । ଆଉ ଯେ ପର୍ଯ୍ୟନ୍ତ ଆମେ, ଆମର ସମସ୍ତ କ୍ଷେତ୍ର ଆଉ ଜରୁରୀ ଥିବା ଗୋଟିଏ ହେଲେ ମଧ୍ୟ ଜ୍ଞାନ, ଆଉ ଟେକ୍ନୋଲଜି ହିଁ ହେଉଛନ୍ତି ସଂଶୋଧନର କ୍ଷେତ୍ର । ସମାଜ ଶାସ୍ତ୍ର ମଧ୍ୟ ନବସୃଜନ ମାର୍ଗରେ ସମାଜକୁ ଦିଗଦର୍ଶନ ଦେଇ ପାରିବେ । ଆଉ ଏଥିପାଇଁ ଆମର ବିଶ୍ୱବିଦ୍ୟାଳୟର ମହାତ୍ମ୍ୟ ରହିଛି ଆଗାମୀ ଯୁଗର ଆବଶ୍ୟକତାକୁ ପୂରଣ କରିବା ପାଇଁ । ଆଉ ବିଶ୍ୱ ଯେଉଁଭଳି ଭାବେ ଗ୍ଲୋବାଲାଇଜ ହୋଇଛି ତ ପ୍ରତିଯୋଗିତା ମଧ୍ୟ ବିଶ୍ୱସ୍ତରୀୟ ହୋଇଛି । ଆଉ ଆଜି ଆମେ କେବଳ ଆମରି ଦେଶରେ ହିଁ ପ୍ରତିଯୋଗିତା କଲେ ଚଳିବ ନାହିଁ, ପାଖ-ପଡ଼ୋଶୀଙ୍କ ସହିତ ପ୍ରତିଯୋଗିତା କଲେ ଏତିକିରେ ଚଳିବ ନାହିଁ, ଏକ ବିଶ୍ୱସ୍ତରୀୟ ପରିସ୍ଥିତିରେ ଆଉ ଭବିଷ୍ୟତ ପରିସ୍ଥିତିର ସନ୍ଦର୍ଭରେ ମଧ୍ୟ ଆମକୁ ସେହି ପ୍ରତିଯୋଗିତାକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିବାର ଅଛି । ଦେଶକୁ ଯଦି ଆଗକୁ ବଢ଼ିବାର ଅଛି, ନୂତନ ଶିଖରକୁ ନେଇଯିବାର ଅଛି, ପରିବର୍ତ୍ତିତ ବିଶ୍ୱରେ ଆମକୁ ଆମର ସ୍ଥାନ ଶକ୍ତିର ସହିତ ଠିଆ କରିବାର ଅଛି ତ ଆମର ଯୁବପିଢିଙ୍କ ଦ୍ୱାରା ନବସୃଜନକୁ ଯେତିକି ଶକ୍ତି ଦିଆଯିବ ଆମେ ଦୁନିଆ ଭିତରେ ଏକ ଶକ୍ତି ଭାବେ ଠିଆ ହୋଇ ପାରିବା ।
ଯେତେବେଳେ ସୂଚନା କ୍ରାନ୍ତି ଆସିଲା କିଭଳି ଭାବେ ଭାରତ ପ୍ରତି ବିଶ୍ୱର ଚିନ୍ତାଧାରା ବଦଳିବା ଆରମ୍ଭ ହେଲା, ନଚେତ ଦୁନିଆ ଆମକୁ ସର୍ବଦା ସାପ-ସାପୁଆ କେଳାବାଲା ଦେଶ ବୋଲି ମାନୁଥିଲା । ଦୁନିଆର ଏହି ଚିନ୍ତାଧାରା ଥିଲା କି ଭାରତ ଭାରତୀୟମାନେ କଳା ଯାଦୁ, ଭାରତୀୟମାନେ ଭୁତ-ପ୍ରେତ, ଭାରତୀୟମାନେ ଅନ୍ଧ-ଶ୍ରଦ୍ଧା, ଭାରତୀୟମାନେ ସାପ ଆଉ ସାପୁଆ କେଳାର ଦୁନିଆ । କିନ୍ତୁ ଆଇଟି ବିପ୍ଳବରେ ଯେତେବେଳେ ଆମ ଦେଶର 18-20 ବର୍ଷର ପିଲାମାନେ ଆଙ୍ଗୁଠି ଦ୍ୱାରା ଏକ ନୂଆ ଦୁନିଆ ଦେଖାଇବା ଆରମ୍ଭ କରିଦେଲେ ତ ବିଶ୍ୱ ଆଶ୍ଚର୍ଯ୍ୟଚକିତ ରହିଗଲା କି ଏହା କି ଜିନିଷ ପିଲାମାନେ କହୁଛନ୍ତି । ଭାରତ ଆଡ଼କୁ ଦେଖିବାର ଦୃଷ୍ଟିଭଙ୍ଗୀ ବଦଳିଗଲା ।
ମୋର ସଠିକ ଭାବେ ମନେ ଅଛି ଯେତେବେଳେ ମୁଁ ବହୁ ବର୍ଷ ପୂର୍ବେ ତାଇୱାନ ଯାଇଥିଲି । ସେତେବେଳେ ତ ମୁଁ ମୁଖ୍ୟମନ୍ତ୍ରୀ ମଧ୍ୟ ନ ଥିଲି, କେଉଁଠି ନିର୍ବାଚନ ଦୁନିଆ ସହିତ ମୋର କୌଣସି ସମ୍ପର୍କ ନ ଥିଲା, ସେଠାକାର ସରକାରଙ୍କର ନିମନ୍ତ୍ରଣ ପାଇ ଯାଇଥିଲି । ତ ମୋ ସହିତ ଜଣେ ବାର୍ତ୍ତାକାର ଥିଲେ । ଦଶ ଦିନର ମୋର ସେଠାରେ ଯାତ୍ରା ଥିଲା । ସେହି ବାର୍ତ୍ତାକାର ଜଣକ କଥାବାର୍ତ୍ତାର ମାଧ୍ୟମ ରୂପେ ମୋ ସାଙ୍ଗରେ ରହୁଥିଲେ । ଯେବେ ଦଶ ଦିନ ସାଙ୍ଗ ହୋଇ ରହିଲୁ ତ ଟିକେ ପରିଚୟ ହୋଇଗଲା, ଟିକେ ବନ୍ଧୁତା ହୋଇଗଲା । 6-8 ଦିନ ପରେ ସେ ମୋତେ ଗୋଟିଏ ଦିନ ପଚାରିଲେ, କହିଲେ ସାହେବ ଖରାପ ଭାବିବେ ନାହିଁ ତ ମୋର କିଛି କଥା ପଚାରିବାର ଅଛି । ମୁଁ କହିଲି ନିଶ୍ଚୟ ପଚାରନ୍ତୁ । ସେ କହିଲେ ଆପଣଙ୍କୁ ଖରାପ ଲାଗିବ ନାହିଁ ତ? ମୁଁ କହିଲି ନା-ଲାଗିବ ନାହିଁ, କୁହନ୍ତୁ ନା କ’ଣ କଥା ଅଛି? ଠିକ୍ ଅଛି ସାହେବ ପୁଣି ପରେ କଥା ହେବା । ସଙ୍କୋଚବଶତଃ ସେ କହି ପାରିଲେ ନାହିଁ । ପୁଣି ଥରେ ଯେବେ ଆମେ ଦ୍ୱିତୀୟ ଥର ଯାତ୍ରାରେ ସାଥୀ ହୋଇ ଥିଲୁ, ତ ମୁଁ ପୁଣି ଥରେ ବାହାର କଲି, ମୁଁ କହିଲି କି ଭାଇ ସେ ଯେଉଁ ତୁମେ ପଚାରୁଥିଲ, କ’ଣ ଥିଲା? କହିଲେ, ସାହେବ ମୋତେ ବଡ଼ ସଙ୍କୋଚ ଲାଗୁଛି । ମୁଁ କହିଲି ଚିନ୍ତା କର ନାହିଁ ଯାହା ତୁମ ମନରେ ଅଛି, ମୋତେ ପଚାର । ସେ କମ୍ପ୍ୟୁଟର ଇଞ୍ଜିନିୟର ଥିଲେ । ତ ସେ ପଚାରିଲେ ସାହେବ କ’ଣ ଏଇ ହିନ୍ଦୁସ୍ଥାନ ଏବେ ମଧ୍ୟ ସେଭଳି ଅଛି, ସାପ-ସାପୁଆ କେଳା ବାଲା, ଯାଦୁ-ମନ୍ତ୍ରବାଲା । ସେ ମୋ ଆଡ଼କୁ ଚାହିଁ ରହିଲେ । ପୁଣି ମୁଁ ତାହାଙ୍କୁ କହିଲି କି ମୋ ଆଡ଼କୁ ଦେଖି ତୁମକୁ କ’ଣ ଲାଗୁଛି? ତ ସେ ଟିକେ ସଙ୍କୋଚରେ ପଡ଼ିଗଲେ, ଟିକେ ଲଜ୍ଜା ଅନୁଭବ କରିବାକୁ ଲାଗିଲେ । କହିଲେ ଆଜ୍ଞା ଦୁଃଖିତ-ମୁଁ ଦୁଃଖିତ ମୁଁ କିଛି ଭୁଲ ପଚାରି ଦେଲି । ମୁଁ କହିଲି ଯେ ଏଭଳି ନୁହେଁ ଭାଇ, ତୁମେ ଠିକ୍ ପଚାରିଛ । ମୁଁ କହିଲି କି ତୁମ ମନରେ ଏ ଯେଉଁ ତଥ୍ୟ ରହିଛି କିନ୍ତୁ ତାର ଓଲଟା । ଏବେ ଆମ ଦେଶ ଟିକେ ଆଗ ଭଳି ଆଉ ନାହିଁ, ଟିକେ ଅବମୂଲ୍ୟାୟନ ହୋଇଛି । କହିଲେ ତାହା କେମିତି? ମୁଁ କହିଲି କି ଆଗେ ଆମର ଯେଉଁ ପୂର୍ବଜ ଥିଲେ ସେମାନେ ସାପ ସହିତ ଖେଳୁଥିଲେ, ଆମର ଯେଉଁ ନୂତନ ପିଢି ଅଛନ୍ତି ସେମାନେ ମାଉସ୍ ସହିତ ଖେଳୁଛନ୍ତି । ସେ ବୁଝିଗଲେ ଯେ ମୁଁ କେଉଁ ମାଉସ୍ କଥା କହୁଛି । ତାହା ଗଣେଶ ମହାପ୍ରଭୁଙ୍କ ବାଲା ମୂଷା ନୁହେଁ, ତାହା ଥିଲା କମ୍ପ୍ୟୁଟରବାଲା ମୂଷା ।
ମୋର କହିବାର ତାତ୍ପର୍ଯ୍ୟ ଏହା ହେଉଛି କି ଏହା ହେଉଛି ସେହି ଜିନିଷ ଯାହା ଦେଶର ଶକ୍ତି ବୃଦ୍ଧି କରେ, କିନ୍ତୁ କେବେ-କେବେ ଆମେ ସିଦ୍ଧାନ୍ତ ଆଧାରରେ ଗୋଟିଏ-ଅଧେ ପ୍ରକଳ୍ପ ନେଇ ଗୋଟିଏ-ଅଧେ ନବସୃଜନ ଜିନିଷ ତିଆରି କରି ହୁଏତ ପୁରସ୍କାର ମଧ୍ୟ ଜିତି ଯାଉଛେ, କିନ୍ତୁ ଆଜି ହିନ୍ଦୁସ୍ଥାନ ସାମ୍ନାରେ ଏହା ହେଉଛି ସବୁଠାରୁ ବଡ଼ ଆବଶ୍ୟକତା ଆଉ ମୁଁ 100 ବର୍ଷ ପୁରୁଣା ପାଟନା ବିଶ୍ୱବିଦ୍ୟାଳୟ ଯିଏ ଦେଶକୁ ବହୁତ କିଛି ଦେଇଛି, ସେହି ପବିତ୍ର ମାଟିରୁ ସାରା ଦେଶର ଯୁବକମାନଙ୍କୁ ମୁଁ ଆଜି ଆହ୍ୱାନ କରୁଛି, ବିଦ୍ୟାର୍ଥୀଙ୍କୁ ଆହ୍ୱାନ କରୁଛି, ଅଧ୍ୟାପକମାନଙ୍କୁ ଆହ୍ୱାନ କରୁଛି, ବିଶ୍ୱବିଦ୍ୟାଳୟକୁ ଆହ୍ୱାନ କରୁଛି କି ଆମେ ଆମର ଆଖ-ପାଖରେ ଯେଉଁ ସମସ୍ୟା ଦେଖୁଛେ, ସାଧାରଣ ମନୁଷ୍ୟର ଯେଉଁ କଷ୍ଟ ଦେଖୁଛୁ, ତାହାର ସମାଧାନ ପାଇଁ କୌଣସି ନବସୃଜନର ମାର୍ଗ ଖୋଜି ପାରିବା କି? ତା’ପାଇଁ କୌଣସି ନୂଆ ଟେକ୍ନୋଲଜି ଖୋଜି ପାରିବା କି? ତା’ପାଇଁ ଟେକ୍ନୋଲଜି ଶସ୍ତା ହେଉ, ସରଳ ହେଉ, ବ୍ୟୟସାପେକ୍ଷ ହେଉ, ବ୍ୟବହାର ଅନୁକୂଳ ହେଉ । ଯଦି ଥରେ ଏଭଳି ଛୋଟ-ଛୋଟ ପ୍ରକଳ୍ପର ନବସୃଜନକୁ ଆମେ ଗୁରୁତ୍ୱ ଦେବା ତାହା ଆଗକୁ ଯାଇ ଷ୍ଟାର୍ଟ-ଅପ୍ ରେ ପରିବର୍ତ୍ତନ ହୋଇଯିବ । ହିନ୍ଦୁସ୍ଥାନର ଯୁବକ ଷ୍ଟାର୍ଟ-ଅପ୍ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଶିକ୍ଷା-ଦୀକ୍ଷାର ନବସୃଜନ, ଭାରତ ସରକାରଙ୍କ ବ୍ୟାଙ୍କମାନଙ୍କରୁ ‘ମୁଦ୍ରା ଯୋଜନା’ରୁ ବ୍ୟାଙ୍କିଙ୍ଗ ସାହାଯ୍ୟ, ଆଉ ଷ୍ଟାର୍ଟ-ଅପ୍ ଦିଗରେ ପଦକ୍ଷେପ ଆପଣ କଳ୍ପନା କରି ପାରିବେ ନାହିଁ, ଆଜି ହିନ୍ଦୁସ୍ଥାନ ଷ୍ଟାର୍ଟ-ଅପ୍ ଦୁନିଆରେ ଚତୁର୍ଥ ସ୍ଥାନରେ ଠିଆ ହୋଇଛି ଆଉ ଦେଖୁ-ଦେଖୁ ହିନ୍ଦୁସ୍ଥାନ ଷ୍ଟାର୍ଟ-ଅପ୍ ଦୁନିଆରେ ଖୁବ ଶୀଘ୍ର ଆଗଧାଡ଼ିକୁ ଆସିଯାଇପାରେ । ଆଉ ଯଦି ସେହି ଆର୍ଥିକ ବିକାଶର ଏକ ନୂଆ ଦୁନିଆ ହିନ୍ଦୁସ୍ଥାନର ପ୍ରତିଟି କୋଣରେ, ପ୍ରତ୍ୟେକ ଯୁବକଙ୍କ ହାତରେ ଷ୍ଟାର୍ଟ-ଅପ୍ କୁ ନେଇ କିଛି କରିବାର ଉଦ୍ଦେଶ୍ୟ ରହିବ ତ କେତେ ବଡ଼ ପରିବର୍ତ୍ତନ ଆଉ ପରିଣାମ ମିଳି ପାରିବ ଏହା ମୁଁ ଭଲ ଭାବେ ଅନୁମାନ କରି ପାରୁଛି । ଏଥିପାଇଁ ଦେଶର ବିଶ୍ୱବିଦ୍ୟାଳୟକୁ ମୁଁ ନିମନ୍ତ୍ରଣ ଦେଉଛି, ମୁଁ ସ୍ୱତନ୍ତ୍ର ଭାବେ ପାଟନା ବିଶ୍ୱବିଦ୍ୟାଳୟକୁ ନିମନ୍ତ୍ରଣ ଦେଉଛି କି ଆସନ୍ତୁ ନବସୃଜନକୁ ପ୍ରୋତ୍ସାହନ ଦିଅନ୍ତୁ । ଆମେ ଦୁନିଆଠାରୁ ଆଗକୁ ଯିବାପାଇଁ ନିଜସ୍ୱ ଏକ ମହାରଥ ହାସଲ କରିବା ।
ଆଉ ଭାରତ ପାଖରେ ପ୍ରତିଭାର ଅଭାବ ନାହିଁ, ଆଉ ଭାରତ ହେଉଛି ଭାଗ୍ୟବାନ ଯେ ଆଜି ଆମ ପାଖରେ 800 ନିୟୁତ, ଦେଶର 65 ପ୍ରତିଶତ ଜନସଂଖ୍ୟା, 35 ବର୍ଷରୁ କମ୍ ବୟସର ଅଛନ୍ତି । ମୋ ହିନ୍ଦୁସ୍ଥାନ ହେଉଛି ଯବାନ, ମୋ ହିନ୍ଦୁସ୍ଥାନର ସ୍ୱପ୍ନ ମଧ୍ୟ ଯୁବସୁଲଭ । ଯେଉଁ ଦେଶ ପାଖରେ ଏହି ଶକ୍ତି ଥିବ ସେ ଦୁନିଆକୁ କ’ଣ ଦେଇ ନ ପାରିବ । ସେହି ଦେଶ ନିଜର ସ୍ୱପ୍ନଗୁଡ଼ିକୁ କାହିଁକି ପୂରଣ କରି ନ ପାରିବ, ମୋର ବିଶ୍ୱାସ ଅଛି କି ଅବଶ୍ୟ କରି ପାରିବ ।
ଆଉ ଏଥିପାଇଁ ଏବେ ନିତିଶ ମହାଶୟ ବଡ଼ ବିସ୍ତୃତ ଭାବେ ଗୋଟିଏ ବିଷୟକୁ ବଡ଼ ଆଗ୍ରହର ସହିତ ରଖିଛନ୍ତି ଆଉ ଆପଣ ମଧ୍ୟ ତାହାକୁ ଶକ୍ତି ଦେଇଛନ୍ତି, ତାଳି ବଜାଇ-ବଜାଇ । କିନ୍ତୁ ମୁଁ ମାନୁଛି କି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏହା ହେଉଛି ବିଗତ ଦିନର କଥା । ମୁଁ ତାହାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଯିବାକୁ ଚାହୁଁଛି ଆଉ ଆଜି ମୁଁ ଏହି ନିମନ୍ତ୍ରଣ ଦେବା ପାଇଁ ଏହି ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମକୁ ବିଶେଷ ଭାବେ ଆସିଛି । ଆମ ଦେଶରେ ଶିକ୍ଷା କ୍ଷେତ୍ରରେ ସଂସ୍କାର ବହୁତ ମନ୍ଥର ଗତିରେ ଚାଲୁଛି । ଆମ ଶିକ୍ଷାବିତମାନଙ୍କ ମଧ୍ୟରେ ନିଜସ୍ୱ ମତଭେଦ ବହୁତ ତୀବ୍ର ରହି ଆସିଛି । ଆଉ ସଂସ୍କାରର ପ୍ରତ୍ୟେକ ପଦକ୍ଷେପ ସଂସ୍କାରଠାରୁ ଅଧିକ ସମସ୍ୟାଗୁଡ଼ିକୁ ସୃଷ୍ଟି କରିବାର କାରଣ ପାଲଟିଛି । ଆଉ ତାହାର ପରିଣାମ ହେଉଛି କି ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ ଶିକ୍ଷା ବ୍ୟବସ୍ଥାରେ ଆଉ ବିଶେଷ କରି ଉଚ୍ଚ ଶିକ୍ଷାରେ ପରିବର୍ତ୍ତିତ ବିଶ୍ୱର ସମକକ୍ଷ ହେବା ପାଇଁ ଯେଉଁ ନବସୃଜନର ଆବଶ୍ୟକ, ସଂସ୍କାର ଆବଶ୍ୟକ ସେଥିରେ କିଛି ଅଭାବ ପରିଲକ୍ଷିତ ହୋଇଛି । ଏହି ସରକାର କିଛି ପଦକ୍ଷେପ ଉଠାଇଛନ୍ତି, କିଛି ସାହସ ଦେଖାଇଛନ୍ତି । ଏବେ ଆପଣମାନଙ୍କ ମଧ୍ୟରୁ ଯାହାଙ୍କୁ ଅଧ୍ୟୟନର ସ୍ୱଭାବ ଥିବ, ଆପଣମାନେ ଦେଖିଥିବେ ଆମ ଦେଶରେ ଅନେକ ବର୍ଷରୁ ଚର୍ଚ୍ଚା ଚାଲୁ ରହିଥିଲା ଆଇଆଇଏମ୍ ସରକାରୀ ଦଖଲରେ ରହିବ ନା ରହିବ ନାହିଁ? ସ୍ୱତନ୍ତ୍ର ରହିବ ନା ରହିବ ନାହିଁ, ଅଧା ସ୍ୱତନ୍ତ୍ର ରହୁ ଅଧା ସରକାରଙ୍କ ପାଖରେ ରହୁ? ସରକାରଙ୍କୁ ଲାଗୁଥିଲା ଆମେ ଏତେ ଟଙ୍କା ଦେଉଛୁ ଆଉ ଆମର କୌଣସି କଥା ଚଳିବ ନାହିଁ ତ କିପରି ଚାଲିବ? ମୁଁ ଦେଢ଼-ଦୁଇ ବର୍ଷ ପର୍ଯ୍ୟନ୍ତ ଶୁଣିଲି, ଶୁଣିଲି, ଶୁଣିଲି ଆଉ ଆପଣମାନେ ଜାଣି ଖୁସୀ ହେବେ ଆଉ ଦେଶର ଶିକ୍ଷା ଜଗତ ମଧ୍ୟ ଜାଣି ଖୁସି ହେବେ ଏଭଳି ବିଷୟରେ ଅଧିକାଂଶ ଖବରକାଗଜରେ ଚର୍ଚ୍ଚା ହୋଇ ନ ଥାଏ, ଏହି ବିଷୟ ଏପରି ହୋଇଥାଏ କି ଖବରରେ ତାହା ସ୍ଥାନ ପାଇ ନ ଥାଏ, କିନ୍ତୁ କିଛି ଲୋକ ନିଶ୍ଚିତ ପ୍ରବନ୍ଧ ଲେଖିଛନ୍ତି । ପ୍ରଥମ ଥର ଦେଶରେ ଆଇଆଇଏମକୁ ସଂପୂର୍ଣ୍ଣ ଭାବରେ ସରକାରୀ ଦଖଲରୁ ବାହାର କରି ତାହାକୁ ବୃତ୍ତିଗତ ଭାବେ ଉନ୍ମୁକ୍ତ କରି ଦେଇଛୁ । ଏହି ବହୁତ ବଡ଼ ନିଷ୍ପତ୍ତି କରିଛୁ । ଯେପରି ପାଟନା ବିଶ୍ୱବିଦ୍ୟାଳୟ ପାଇଁ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ ଏସବୁ ବାମ ହାତର ଖେଳ ସେହିପରି ଆଇଆଇଏମ୍ ପାଇଁ, ସାରା ଦେଶର ଆଇଆଇଏମ୍ ପ୍ରତିଷ୍ଠାନ ପାଇଁ ବିଶ୍ୱକୁ ସିଇଓ ଯୋଗାଇବା, ଏହା ହେଉଛି ବାମ ହାତର ଖେଳ । ଏଥିପାଇଁ ବିଶ୍ୱର ଏତେ ବଡ଼ ସମ୍ମାନଜନକ ପ୍ରତିଷ୍ଠାନ ସରକାରୀ ନିୟମ, ବନ୍ଧନ, ବାବୁମାନଙ୍କର ସେଠାକୁ ଯିବା ଆସିବା ବୈଠକକୁ ଡାକିବା ଏହି ସବୁ ଜିନିଷରୁ ଆମେ ମୁକ୍ତ କରି ଦେଇଛୁ । ମୋର ବିଶ୍ୱାସ ଅଛି କି ଆମେ ଆଇଆଇଏମକୁ ଏତେ ବଡ଼ ଅବସର ଦେଇଛୁ କି ଆଇଆଇଏମର ଲୋକ ଏହି ସୁଯୋଗକୁ ଏକ ଅଦ୍ଭୁତ ସୁଯୋଗ ଭାବି ଦେଶର ଆଶା ଆକାଂକ୍ଷା ଅନୁସାରେ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇ ଦେଶକୁ କିଛି କରି ଦେଖାଇଦେବେ । ମୁଁ ସେମାନଙ୍କୁ ଗୋଟିଏ ଅନୁରୋଧ କରିଛି କି ଆଇଆଇଏମର ସଂସ୍କାର ଭିତରେ ଗୋଟିଏ କଥାକୁ ଯୋଡା ଯାଇଛି କି ଏବେ ଆଇଆଇଏମକୁ ଚଳାଇବାରେ ଆଇଆଇଏମର ପୁରାତନ ଛାତ୍ରସଂଘ ଅଛନ୍ତି; ସେମାନଙ୍କର ସକ୍ରିୟ ସହଯୋଗ ଆବଶ୍ୟକ । ପାଟନା ବିଶ୍ୱବିଦ୍ୟାଳୟ ଭଳି ପୁରାତନ ବିଶ୍ୱବିଦ୍ୟାଳୟକୁ ମୋର ମଧ୍ୟ ଅନୁରୋଧ କି ଆପଣଙ୍କ ପୁରାତନ ଛାତ୍ରସଂଘ ହେଉଛି ବହୁତ ସମୃଦ୍ଧ ଓ ସାମର୍ଥ୍ୟବାନ । ସେହି ପୁରାତନ ଛାତ୍ରସଂଘକୁ କୌଣସି ପ୍ରକାରେ ମଧ୍ୟ ବିଶ୍ୱବିଦ୍ୟାଳୟ ସହିତ ଯୋଡିବା ଦରକାର, ବିଶ୍ୱବିଦ୍ୟାଳୟର ବିକାଶ ଯାତ୍ରାରେ ସେମାନଙ୍କୁ ଅଂଶୀଦାର କରିବା ଦରକାର । ଆପଣ ଦେଖନ୍ତି କି ଦୁନିଆରେ ଯେତେ ମଧ୍ୟ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ରହିଛି ସେଗୁଡିକୁ ଆଗକୁ ବଢାଇବାରେ ପୁରାତନ ଛାତ୍ରସଂଘର ବହୁତ ବଡ଼ ଯୋଗଦାନ ରହିଥାଏ ଆଉ କେବଳ ଟଙ୍କାରେ ନୁହେଁ, ବୌଦ୍ଧିକ, ଅଭିଜ୍ଞତା, ସମ୍ମାନ, ପଦ, ପ୍ରତିଷ୍ଠା ଏ ସମସ୍ତ ଜିନିଷ ତା ସହିତ ଯୋଡି ହୋଇଯାଏ । ଆମ ଦେଶରେ ଏହି ପରମ୍ପରା ବହୁତ କମ୍ ମାତ୍ରାରେ ରହିଛି । ତା ହେଲେ ମଧ୍ୟ ଟିକେ ଉଦାସୀନ ରହନ୍ତି । କୌଣସି ଗୋଟିଏ-ଅଧେ ଉତ୍ସବରେ ବୁଲିଗଲେ, ଫୁଲମାଳ ପିନ୍ଧାଇ ଦେଲେ, ହୁଏତ ଦାନ ମିଳିଲା, ତା ସହିତ ଯୋଡି ହୋଇ ରହିଥାଏ । ଆମର ପୁରାତନ ଛାତ୍ରସଂଘ ନିଜକୁ ନିଜ ମଧ୍ୟରେ ଏକ ବହୁତ ବଡ଼ ଶକ୍ତି ହୋଇଥାଏ, ତାହାର ଜୀବନ ସଂପର୍କର ବ୍ୟବସ୍ଥାଗୁଡିକୁ ବିକଶିତ କରିବାକୁ ଆଗ୍ରହୀ ଥାଏ ।
ଯେଉଁ କଥା ମୁଁ କହୁଥିଲି ଯେ ଆମେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଠାରୁ ଗୋଟିଏ ପାଦ ଆଗକୁ ଯିବାକୁ ଚାହୁଁ ଆଉ ମୁଁ ପାଟନା ବିଶ୍ୱବିଦ୍ୟାଳୟକୁ ସେହି ଗୋଟିଏ ପାଦ ଆଗକୁ ନେଇ ଯିବା ପାଇଁ ନିମନ୍ତ୍ରଣ ଦେବାକୁ ଆସିଛି । ଭାରତ ସରକାର ଏକ ସ୍ୱପ୍ନ ଦେଶର ବିଶ୍ୱବିଦ୍ୟାଳୟଗୁଡିକ ସାମ୍ନାରେ ପ୍ରସ୍ତୁତ କରିଛନ୍ତି । ବିଶ୍ୱର 500 ଶ୍ରେଷ୍ଠ ବିଦ୍ୟାଳୟ ମଧ୍ୟରେ ହିନ୍ଦୁସ୍ଥାନର କେଉଁଠି ଚିହ୍ନ-ବର୍ଣ୍ଣ ନାହିଁ । ଯେଉଁ ମାଟିରେ ନାଳନ୍ଦା, ବିକ୍ରମଶିଳା, ତକ୍ଷଶିଳା, ବଳ୍ଲବୀ ଏଭଳି ବିଦ୍ୟାଳୟଗୁଡିକ କେଉଁଟି 1300 ବର୍ଷ ପୂର୍ବେ, କେଉଁଟି 1500 ବର୍ଷ ପୂର୍ବେ, କେଉଁଟି 1700 ବର୍ଷ ପୂର୍ବେ ସାରା ବିଶ୍ୱକୁ ଆକର୍ଷିତ କରୁଥିଲା କ’ଣ ସେହି ହିନ୍ଦୁସ୍ଥାନ ଦୁନିଆର ପ୍ରଥମ 500 ବିଦ୍ୟାଳୟଗୁଡିକରେ କେଉଁଠି ହେଲେ ମଧ୍ୟ ରହିପାରିବନି ? ଏହି କଳଙ୍କ ଲିଭାଇବା ଦରକାର, ନା ଲିଭାଇବା ଦରକାର ନୁହେଁ, ଏହି ସ୍ଥିତି ବଦଳିବା ଦରକାର ନା, ନା ବଦଳିବା ଦରକାର ନୁହେଁ । କ’ଣ କେହି ବାହାରବାଲା ଆସି ବଦଳାଇବ? ଆମକୁ ହିଁ ତ ବଦଳାଇବାକୁ ହେବ, ସ୍ୱପ୍ନ ମଧ୍ୟ ତ ଆମର ହେବା ଦରକାର, ସଂକଳ୍ପ ମଧ୍ୟ ତ ଆମର ହେବା ଦରକାର ଆଉ ସିଦ୍ଧି ପାଇଁ ପୁରୁଷାର୍ଥ ମଧ୍ୟ ଆମର ହେବା ଦରକାର ।
ଏହି ମନୋଭାବ ନେଇ ଭାରତ ସରକାର ଏକ ଯୋଜନା ଆଣିଛନ୍ତି ଏବଂ ସେ ଯୋଜନା ହେଉଛି କି ଦେଶର 10ଟି ଘରୋଇ ବିଶ୍ୱବିଦ୍ୟାଳୟ ଓ ଦେଶର 10ଟି ସରକାରୀ ବିଶ୍ୱବିଦ୍ୟାଳୟ । ମୋଟ 20ଟି ବିଶ୍ୱବିଦ୍ୟାଳୟ ଏମାନଙ୍କୁ ବିଶ୍ୱସ୍ତରୀୟ କରିବା ପାଇଁ ଆଜି ଯେଉଁ ସରକାରଙ୍କର ସବୁ ବନ୍ଧନ ଅଛି, ଯେଉଁସବୁ ନିୟମ-କାନୁନ ଅଛି ତା’ଠାରୁ ତାଙ୍କୁ ମୁକ୍ତି ଦେବା । ଦ୍ୱିତୀୟରେ ଆଗାମୀ 5 ବର୍ଷରେ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକୁ 10 ହଜାର କୋଟି ଟଙ୍କା ଦେବା । କିନ୍ତୁ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକର ମନୋନୟନ କୌଣସି ନେତାଙ୍କ ଇଚ୍ଛାରେ ହେବ ନାହିଁ, ପ୍ରଧାନମନ୍ତ୍ରୀଙ୍କ ଇଚ୍ଛାରେ ହେବ ନାହିଁ, କୌଣସି ମୁଖ୍ୟମନ୍ତ୍ରୀଙ୍କ ଚିଠି ଆଉ ସୁପାରିଶରେ ହେବ ନାହିଁ । ସାରା ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହ୍ୱାନ ଭାବେ ନିମନ୍ତ୍ରିତ କରା ଯାଇଛି, ସେହି ଆହ୍ୱାନକୁ ଗ୍ରହଣ କରି ସମସ୍ତଙ୍କୁ ଆସିବାକୁ ହେବ, ନିଜର ସାମର୍ଥ୍ୟକୁ ସିଦ୍ଧ କରିବାକୁ ହେବ, ଆଉ ଚାଲେଞ୍ଜ ଭାବେ ଯେଉଁ ଶ୍ରେଷ୍ଠ 10 ଘରୋଇ ଆସିବେ, ଶ୍ରେଷ୍ଠ 10 ସରକାରୀ ଆସିବେ, ତାହାର ଏକ ତୃତୀୟ ପକ୍ଷ ବୃତ୍ତିଗତ ସଂସ୍ଥା ଦ୍ୱାରା ଚାଲେଞ୍ଜ ଗୋଷ୍ଠୀରେ ମନୋନୀତ ହେବେ । ସେହି ଚାଲେଞ୍ଜ ଗୋଷ୍ଠୀରେ ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ ରହିବ, ଯେଉଁ ନଗରରେ ସେହି ବିଶ୍ୱବିଦ୍ୟାଳୟ ଥିବ, ତାଙ୍କର ମଧ୍ୟ ଦାୟିତ୍ୱ ରହିବ, ଯେଉଁ ଲୋକ ବିଶ୍ୱବିଦ୍ୟାଳୟକୁ ଚଳାଉଥିବେ ସେମାନଙ୍କର ମଧ୍ୟ ଦାୟିତ୍ୱ ରହିବ । ସେମାନଙ୍କର ଇତିହାସକୁ ଦେଖାଯିବ, ସେମାନଙ୍କର ପ୍ରଦର୍ଶନକୁ ଦେଖାଯିବ । ବିଶ୍ୱସ୍ତରରେ ଆବଶ୍ୟକ ପରିବର୍ତ୍ତନକୁ ଲକ୍ଷ୍ୟ କରି ସେମାନଙ୍କ ମାର୍ଗଚିତ୍ର/ରୋଡ଼ମେପ୍ ଦେଖାଯିବ ଆଉ ଏହି ଯେଉଁ ବିଶ୍ୱବିଦ୍ୟାଳୟ ଶ୍ରେଷ୍ଠ 10-10 ରେ ଆସିବ, ମୋଟ 20 ବିଶ୍ୱବିଦ୍ୟାଳୟ – ସେମାନଙ୍କୁ ସରକାରଙ୍କର ନିୟମ, ବନ୍ଧନରୁ ମୁକ୍ତ କରି ଏକ ସ୍ୱାଧୀନତା ପ୍ରଦାନ କରାଯିବ । ସେମାନଙ୍କୁ ବିଭିନ୍ନ ଦିଗରେ ଯାଇ ଆଗକୁ ବଢ଼ିବାକୁ ହେବ, ଆଗକୁ ବଢ଼ିବା ପାଇଁ ସୁଯୋଗ ଦିଆଯିବ । ଏହି କାମ ପାଇଁ 5 ବର୍ଷ ମଧ୍ୟରେ ଏହି ବିଶ୍ୱବିଦ୍ୟାଳୟକୁ 10 ହଜାର କୋଟି ଟଙ୍କା ଦିଆଯିବ । ଏହା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ଅନେକ ଗୁଣ ଆଗୁଆ ହେବ । ବହୁତ ବଡ଼ ନିଷ୍ପତ୍ତି ହୋଇଛି ଆଉ ପାଟନା ଏଥିରେ ପଛରେ ରହିବା ଉଚିତ ନୁହେଁ । ଏହି ନିମନ୍ତ୍ରଣ ଦେବା ପାଇଁ ମୁଁ ଆପଣଙ୍କ ପାଖକୁ ଆସିଛି । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ପାଟନା ବିଶ୍ୱବିଦ୍ୟାଳୟ ଆଗକୁ ଆସୁ, ତାହାର ଶିକ୍ଷକମାନେ ଆଗକୁ ଆସନ୍ତୁ, ଆଉ ଏହି ମହତ୍ୱପୂର୍ଣ୍ଣ ଯୋଜନା ଏବଂ ପାଟନା ବିଶ୍ୱବିଦ୍ୟାଳୟ ହିନ୍ଦୁସ୍ଥାନର ମାନ-ମର୍ଯ୍ୟାଦା ଆଉ ଗୌରବ ଯାହାକି ପାଟନାର ହେଉଛି ଶକ୍ତି ତାହା ବିଶ୍ୱ ଭିତରେ ମଧ୍ୟ, ପାଟନା ବିଶ୍ୱବିଦ୍ୟାଳୟର ଶକ୍ତି ହେଉ । ତାହା ଆଗକୁ ନେଇ କରି ଚାଲିବା ଦିଗରେ ଆପଣ ମୋ ସହିତ ଚାଲନ୍ତୁ, ଏହି ଏକ ସଦ୍ଭାବନା ସହିତ ମୋ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ।
ଏହି ଶତାବ୍ଦୀ ସମାରୋହରେ ଆପଣମାନେ ଯେତେ ସଂକଳ୍ପ କରିଛନ୍ତି, ସେହି ସମସ୍ତ ସଂକଳ୍ପକୁ ଆପଣ ପରିପୂର୍ଣ୍ଣ କରନ୍ତୁ, ଏହି ଏକ ଭାବନା ସହିତ ମୋ ତରଫରୁ ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ।
**********
I consider it my honour to visit Patna University and be among the students. I bow to this land of Bihar. This university has nurtured students who have contributed greatly to the nation: PM @narendramodi
— PMO India (@PMOIndia) October 14, 2017
In every state, the top levels of the civil services has people who have studied in Patna University. In Delhi, I interact with so many officials, many of whom belong to Bihar: PM @narendramodi
— PMO India (@PMOIndia) October 14, 2017
The commitment of Shri @NitishKumar towards the progress of Bihar is commendable. We in the Centre attach topmost importance to the development of eastern India: PM @narendramodi
— PMO India (@PMOIndia) October 14, 2017
Bihar is blessed with both 'Gyaan' and 'Ganga.' This land has a legacy that is unique: PM @narendramodi
— PMO India (@PMOIndia) October 14, 2017
From conventional teaching, our universities need to move towards innovative learning: PM @narendramodi
— PMO India (@PMOIndia) October 14, 2017
Living in an era of globalisation, we need to understand the changing trends across the world and the increased spirit of competitiveness. In that context India has to make its place in the world: PM @narendramodi
— PMO India (@PMOIndia) October 14, 2017
A nation seen as a land of snake charmers has distinguished itself in the IT sector: PM @narendramodi
— PMO India (@PMOIndia) October 14, 2017
As youngsters, I urge you to think about innovative solutions to the problems faced by people around you. Through what you learnt and the Start up sector there is a lot you can do for society: PM @narendramodi at Patna University
— PMO India (@PMOIndia) October 14, 2017
India is a youthful nation, blessed with youthful aspirations. Our youngsters can do a lot for the nation and the world: PM @narendramodi
— PMO India (@PMOIndia) October 14, 2017