Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଫିକ୍କିର 90ତମ ବାର୍ଷିକ ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଘାଟନୀ ସମ୍ବୋଧନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଫିକ୍କିର 90ତମ ସାଧାରଣ ବୈଠକର ଉଦ୍ଘାଟନୀ ଅଧିବେଶନରେ ଉଦବୋଧନ ଦେଇଥିଲେ ।

ଏହି ଅବସରରେ ସେ 1927ରେ ଫିକ୍କିର ପ୍ରତିଷ୍ଠା ହେବା ସମୟର ସ୍ମରଣ କରାଇ ଦେଇ କହିଥିଲେ ଯେ ସେତେବେଳେ ଭାରତୀୟ ଶିଳ୍ପ ଜଗତ ବ୍ରିଟିଶ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ସାଇମନ କମିଶନଙ୍କୁ ବିରୋଧ କରିଥିଲା । ସେ କହିଥିଲେ ଯେ ସେ ସମୟରେ ଭାରତୀୟ ଶିଳ୍ପଜଗତ ଦେଶର ହିତ ପାଇଁ ସମାଜର ଅନ୍ୟ ବର୍ଗ ସହ ହାତ ମିଳାଇଥିଲା ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ମଧ୍ୟ ସେପରି ସମୟ ଆସିଛି ଯେତେବେଳେ ଦେଶର ଜନସାଧାରଣ ଦେଶ ପ୍ରତି ସେମାନଙ୍କ ଉତ୍ତରଦାୟିତ୍ୱ ନିର୍ବାହ କରିବା ଲାଗି ଆଗେଇ ଆସୁଛନ୍ତି । ସେ କହିଥିଲେ ଯେ ଲୋକମାନଙ୍କ ଆଶା ଓ ଆକାଂକ୍ଷା ବଳରେ ଦୁର୍ନୀତି ଏବଂ କଳାଧନ ପରି ଦେଶର ଆଭ୍ୟନ୍ତରୀଣ ସମସ୍ୟା ସମାଧାନ ହୋଇପାରିବ । ସେ କହିଥିଲେ ଯେ ରାଜନୈତିକ ଦଳ ଏବଂ ଶିଳ୍ପ ଜଗତ ଦେଶର ଆବଶ୍ୟକତା ତଥା ଲୋକମାନଙ୍କ ଭାବନା ପ୍ରତି ଧ୍ୟାନ ଦେବା ସହ ତଦନୁଯାୟୀ କାର୍ଯ୍ୟ କରିବା ଉଚିତ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱାଧୀନତା ପରଠାରୁ ଅନେକ କିଛି ହାସଲ ହୋଇଛି, ତଥାପି କେତେକ ଆହ୍ୱାନ ମଧ୍ୟ ମୁଣ୍ଡ ଟେକିଛି । ପ୍ରତିଷ୍ଠା ହୋଇଥିବା ବ୍ୟବସ୍ଥା, ବ୍ୟାଙ୍କ ଏକାଉଣ୍ଟ, ଗ୍ୟାସ ସଂଯୋଗ, ବୃତ୍ତି, ପେନସନ ଆଦି ଆବଶ୍ୟକତା ପାଇଁ ଗରିବ ଲୋକମାନଙ୍କୁ ସଂଘର୍ଷ କରିବାକୁ ପଡ଼ିଛି । ସେ କହିଥିଲେ ଯେ କେନ୍ଦ୍ର ସରକାର ଲୋକମାନଙ୍କ ଏହି ସଂଘର୍ଷର ଅନ୍ତ ଘଟାଇବା ଦିଗରେ କାର୍ଯ୍ୟ କରୁଛନ୍ତି ଏବଂ ଏପରି ଏକ ବ୍ୟବସ୍ଥା ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଛନ୍ତି ଯାହା ପାରଦର୍ଶୀ ତଥା ସମ୍ବେଦନଶୀଳ ହୋଇଥିବ । ସେ କହିଥିଲେ ଯେ ଜନଧନ ଯୋଜନା ଏହାର ଏକ ଉଦାହରଣ ଏବଂ କେନ୍ଦ୍ର ସରକାର “ସହଜ ଜୀବନଧାରଣ” ପ୍ରତି ଗୁରୁତ୍ୱ ଦେଉଛନ୍ତି । ସେ ମଧ୍ୟ ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଶୌଚାଳୟ ନିର୍ମାଣ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସେ ଦାରିଦ୍ର୍ୟକୁ ଅନୁଭବ କରିଛନ୍ତି ଏବଂ ଗରିବ ଓ ଦେଶର ଆବଶ୍ୟକତାକୁ ବୁଝି କାର୍ଯ୍ୟ କରିବା ଦରକାର ବୋଲି ଜାଣିଛନ୍ତି । ଉଦ୍ୟୋଗୀଙ୍କୁ ସହଜ ଋଣ ଯୋଗାଣ ପାଇଁ ଉଦ୍ଦିଷ୍ଟ ମୁଦ୍ରା ଯୋଜନା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ସେ କହିଥିଲେ ଯେ ଏନପିଏ ସମସ୍ୟା ଉତ୍ତରାଧିକାର ସୂତ୍ରରେ ଏ ସରକାରଙ୍କୁ ପ୍ରାପ୍ତ ହୋଇଛି । ସେ କହିଥିଲେ, ବର୍ତ୍ତମାନ ଆର୍ଥିକ ନିୟାମକ ଏବଂ ଜମା ସୁରକ୍ଷା (ଏଫଆରଡିଆଇ) ବିଲ ସମ୍ପର୍କରେ ଗୁଜବ ପ୍ରସାର କରାଯାଉଛି । ସେ କହିଥିଲେ ଯେ ସରକାର ଏକାଉଣ୍ଟଧାରୀଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ଏହାର ବିପରୀତ କେତେକ ଗୁଜବ ପ୍ରସାର କରାଯାଉଛି । ସେ କହିଥିଲେ ଯେ ଫିକ୍କି ଭଳି ସଂଗଠନ ନିକଟରେ ଏପରି ପ୍ରସଙ୍ଗରେ ସଚେତନତା ସୃଷ୍ଟି କରିବାର ଦାୟିତ୍ୱ ରହିଛି । ସେହିପରି ଜିଏସଟିକୁ ଅଧିକ ଫଳପ୍ରଦ କରିବାରେ ଫିକ୍କିର ମଧ୍ୟ ବଡ ଭୂମିକା ରହିଛି । ସେ କହିଥିଲେ, ଅଧିକରୁ ଅଧିକ ବ୍ୟବସାୟକୁ ଜିଏସଟି ଅଧୀନରେ ପଞ୍ଜିକୃତ କରାଇବା ଲାଗି ସରକାର ପ୍ରୟାସ କରୁଛନ୍ତି । ସେ କହିଥିଲେ ବ୍ୟବସ୍ଥା ଯେତେ ଅଧିକ ବ୍ୟବସ୍ଥିତ ହେବ, ଗରିବ ସେତେ ଅଧିକ ଲାଭ ପାଇପାରିବେ । ଏହାଦ୍ୱାରା ବ୍ୟାଙ୍କରେ ସହଜ ଋଣ ଉପଲବ୍ଧ ହେବ, ଲଜିଷ୍ଟିକ୍ସର ମୂଲ୍ୟ ହ୍ରାସ ପାଇବ, ଯାହାଦ୍ୱାରା ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବ । ମୁଁ ଭାବୁଛି କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରେ ବ୍ୟାପକ ମାତ୍ରାରେ ସଚେତନତା ସୃଷ୍ଟି ଲାଗି ଫିକ୍କି ନିକଟରେ କିଛି ଯୋଜନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ବିଲ୍ଡରମାନେ ସାଧାରଣ ଲୋକଙ୍କୁ ଶୋଷଣ କରିବା ମାମଲାରେ, ଆବଶ୍ୟକତା ସ୍ଥଳେ, ଫିକ୍କି ନିଶ୍ଚିତ ଭାବେ ସ୍ୱର ଉତ୍ତୋଳନ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ୟୁରିଆ, ବସ୍ତ୍ର, ବେସାମରିକ ବିମାନ ଚଳାଚଳ ଓ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ନିଆଯାଇଥିବା ନୀତିଗତ ନିଷ୍ପତ୍ତି ଏବଂ ଏହାଦ୍ୱାରା ମିଳିଥିବା ସୁଫଳ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ପ୍ରତିରକ୍ଷା, ନିର୍ମାଣ, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ନିଆଯାଇଥିବା ସଂସ୍କାର ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏସବୁ ପଦକ୍ଷେପର ଫଳସ୍ୱରୂପ ବିଶ୍ୱ ବ୍ୟାଙ୍କ “ଇଜ୍ ଅଫ ଡୁଇଂ ବିଜନେସ” ମାନ୍ୟତାରେ ଭାରତର ସ୍ଥାନ 142ରୁ ଉପରକୁ ଉଠି 100ରେ ପହଁଚିଛି । ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ନିଆଯାଇଥିବା ଅନ୍ୟସବୁ ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ନିଯୁକ୍ତି ସୁଯୋଗ ସୃଷ୍ଟିରେ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟାର୍ଟଅପ, କୃତ୍ରିମ ବୁଦ୍ଧି (Artificial Intelligence), ସୌର ଶକ୍ତି, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରର ବିକାଶରେ ଫିକ୍କିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏମଏସଏମଇ କ୍ଷେତ୍ର ପାଇଁ ଥିଙ୍କଟ୍ୟାଙ୍କ ବା ଚିନ୍ତନମଣ୍ଡଳୀ ଭୂମିକାରେ କାର୍ଯ୍ୟ କରିବା ଲାଗି ସେ ଫିକ୍କିକୁ ଆହ୍ୱାନ କରିଥିଲେ ।

 

**********