Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ମୁମ୍ବାଇଠାରେ ବୁଡାଜାହାଜ ଆଇଏନଏସ୍ କଲବରୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ମୁମ୍ବାଇଠାରେ ବୁଡାଜାହାଜ ଆଇଏନଏସ୍ କଲବରୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ମୁମ୍ବାଇଠାରେ ବୁଡାଜାହାଜ ଆଇଏନଏସ୍ କଲବରୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

ମୁମ୍ବାଇଠାରେ ବୁଡାଜାହାଜ ଆଇଏନଏସ୍ କଲବରୀକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ


ମହାରାଷ୍ଟ୍ରର ରାଜ୍ୟପାଳ ଶ୍ରୀମାନ ବିଦ୍ୟାସାଗର ରାଓ ମହୋଦୟ, ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ମହୋଦୟା, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ଦେବେନ୍ଦ୍ର ଫଡନବୀସ ମହାଶୟ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡ଼ାଃ ସୁଭାଷ ଭାମ୍ରେ ମହାଶୟ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡାଭୋଲ ମହାଶୟ, ଫ୍ରାନ୍ସର ରାଷ୍ଟ୍ରଦୂତ ଆଲେକଜାଣ୍ଡର ଜିଗରଲ ଏବଂ ଫ୍ରାନ୍ସର ଅନ୍ୟ ଅତିଥିଗଣ, ନୌସେନା ମୁଖ୍ୟ ଆଡମିରାଲ ସୁନୀଲ ଲାନବା ମହାଶୟ, କମାଣ୍ଡିଙ୍ଗ ଚିଫ୍, ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଭାଇସ ଆଡମିରାଲ ଗିରିଶ ଲୁଥରା ମହୋଦୟ, ଭାଇସ ଆଡମିରାଲ ଟି.ଏମ୍ ଦେଶପାଣ୍ଡେ ମହାଶୟ, ସିଏମଡି, ଏମଡିଏଲ, ଶ୍ରୀମାନ ରାକେଶ ଆନନ୍ଦ, କ୍ୟାପଟେନ ଏସ. ଡି ମେହନ୍ଦଲେ, ନୌସେନାର ଅନ୍ୟ ଅଧିକାରୀ ଏବଂ ସୈନିକ ଗଣ, ଏମଡିଏଲ(ମାଜଗାଓଁ ଡକ୍ ଶିପ ବିଲ୍ଡର୍ସ ଲିମିଟେଡ)ର ଅଧିକାରୀ ଏବଂ କର୍ମଚାରୀଗଣ, କାର୍ଯ୍ୟକ୍ରମରେ ଉପସ୍ଥିତ ଅନ୍ୟ ଗଣ୍ୟମଣ୍ୟ ମହାନୁଭବ ।

ଆଜି ଶହେ ପଚିଶ କୋଟି ଭାରତୀୟମାନଙ୍କ ପାଇଁ ଏହା ହେଉଛି ଏକ ଗୌରବରେ ପରିପୂର୍ଣ୍ଣ ଦିବସ । ମୁଁ ସମସ୍ତ ଦେଶବାସୀମାନଙ୍କୁ ଏହି ଐତିହାସିକ ଉପଲବ୍ଧ  ଅବସରରେ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ଆଇଏନଏସ କଲବରୀ ବୁଡାଜାହାଜ ରାଷ୍ଟ୍ରକୁ ସମର୍ପିତ କରିବା, ମୋ ପାଇଁ ଏକ ବହୁତ ସୌଭାଗ୍ୟର ବିଷୟ ।

ମୁଁ ଦେଶର ଜନତାଙ୍କ ତରଫରୁ ଭାରତୀୟ ନୌସେନାକୁ ମଧ୍ୟ ଅନେକ-ଅନେକ  ଶୁଭକାମନା ଜଣାଉଛି ।

ପ୍ରାୟ ଦୁଇ ଦଶକର ବ୍ୟବଧାନ ପରେ, ଭାରତକୁ ଏହି ଭଳି ବୁଡାଜାହାଜ ମିଳୁଛି ।

ନୌସେନା ସହିତ କଲବରୀ ଯୋଡିହେବା ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ଆମ ତରଫରୁ ନିଆ ଯାଇଥିବା ଏକ ବହୁତ ବଡ଼ ପଦକ୍ଷେପ । ଏହାକୁ ନିର୍ମାଣ କରିବାରେ ଭାରତୀୟମାନଙ୍କ ସ୍ୱେଦ ଲାଗିଛି, ଭାରତୀୟମାନଙ୍କର ଶକ୍ତି ଲାଗିଛି । ଏହା ହେଉଛି ମେକ୍ ଇନ ଇଣ୍ଡିଆର ଉତ୍ତମ ଉଦାହରଣ ।

ମୁଁ କଲବରୀର ନିର୍ମାଣ ସହିତ ଜଡିତ ପ୍ରତ୍ୟେକ ଶ୍ରମିକ, ପ୍ରତ୍ୟେକ କର୍ମଚାରୀଙ୍କୁ ଆଜି ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । କଲବରୀର ନିର୍ମାଣରେ ସହଯୋଗ ପାଇଁ ମୁଁ ଫ୍ରାନ୍ସକୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଦେଉଛି ।

ଏହି ବୁଡାଜାହାଜ ଭାରତ ଆଉ ଫ୍ରାନ୍ସ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେସାମରିକ ସହଭାଗୀତାର ଏକ ଉତ୍କୃଷ୍ଟ ଉଦାହରଣ ।

ସାଥୀଗଣ, ଏବର୍ଷ ହେଉଛି ଭାରତୀୟ ନୌସେନାର ଯୁଦ୍ଧଜାହାଜ ବା ଯୁଦ୍ଧାସ୍ତ୍ରର ସ୍ୱର୍ଣ୍ଣ ଜୟନ୍ତୀ ବର୍ଷ । ବିଗତ ସପ୍ତାହରେ ଯୁଦ୍ଧଜାହାଜକୁ ରାଷ୍ଟ୍ରପତି କଲରରେ ସମ୍ମାନୀତ କରାଯାଇଛି । କଲବରୀର ଶକ୍ତି, ଅନ୍ୟ ପ୍ରକାରେ କହିବା ତ’ ଟାଇଗର ସାର୍କର ଶକ୍ତି ଆମ ଭାରତୀୟ ନୌସେନାକୁ ଆହୁରି ମଜବୁତ କରିବ ।

ସାଥୀଗଣ, ଭାରତର ସାମୁଦ୍ରିକ ପରମ୍ପରାର ଇତିହାସ ହିଁ ହେଉଛି ବହୁତ ପୁରୁଣା । ପାଞ୍ଚ ହଜାର ବର୍ଷ ପୁରୁଣା, ଗୁଜରାଟର ଲୋଥଲ, ଦୁନିଆର ପ୍ରାରମ୍ଭିକ ସାମୁଦ୍ରିକ ବନ୍ଦର ମଧ୍ୟରୁ ହେଉଛି ଗୋଟିଏ । ଐତିହାସିକମାନେ କୁହନ୍ତି  ବିଶ୍ୱର 84ଟି ଦେଶର ବ୍ୟାପାର ଲୋଥଲ ବନ୍ଦର ମାଧ୍ୟମରେ ହେଉଥିଲା । ଏସିଆର ଅନ୍ୟ ଦେଶଗୁଡିକ ଏବଂ ଆଫ୍ରିକା ପର୍ଯ୍ୟନ୍ତ ଆମର ସମ୍ବନ୍ଧ ସମୁଦ୍ରର ଏହି ଳହରୀ ଦେଇ ଆଗକୁ ବଢିଛି । କେବଳ ବ୍ୟାପାର ନୁହେଁ ସାଂସ୍କୃତିକ ଆଧାରରେ ଭାରତ ମହାସାଗର ଆମକୁ ଦୁନିଆର ଅନ୍ୟ ଦେଶ ସହିତ ଯୋଡିଛି, ସେମାନଙ୍କ ସହିତ ଛିଡା ହେବାରେ ଆମକୁ ସାହାଯ୍ୟ କରିଛି ।

ଭାରତ ମହାସାଗର ଭାରତର ଇତିହାସକୁ ଗଢିଛି, ଆଉ ଏବେ ତାହା ଭାରତର ବର୍ତ୍ତମାନକୁ ଆହୁରି ମଜବୁତ କରୁଛି । 7,500 କିଲୋମିଟରରୁ ଅଧିକ ଆମର ସମୁଦ୍ର ଉପକୂଳ, 1300 ପାଖାପାଖି ଛୋଟ ବଡ଼ ଦ୍ୱୀପ, ପ୍ରାୟ 25 ଲକ୍ଷ ବର୍ଗ କିଲୋମିଟର ଏକାଧିକାର ସାମୁଦ୍ରିକ ଅର୍ଥନୈତିକ ଜୋନ୍ ଏଭଳି ଏକ ସାମୁଦ୍ରିକ ଶକ୍ତି ନିର୍ମାଣ କରୁଛି, ଯାହାର କୌଣସି ତୁଳନା ନାହିଁ । ଭାରତ ମହାସାଗର କେବଳ ଭାରତ ହିଁ ନୁହେଁ ଅର୍ଥାତ୍ ସଂପୂର୍ଣ୍ଣ ବିଶ୍ୱର ଭବିଷ୍ୟତ ପାଇଁ ହେଉଛି ବହୁତ ମହତ୍ୱପୂର୍ଣ୍ଣ । ଏହି ମହାସାଗର ବିଶ୍ୱର ଦୁଇ ତୃତୀୟାଂଶ ତୈଳ ଜାହାଜ, ଦୁନିଆର ଏକ ତୃତୀୟାଂଶ ପଣ୍ୟ ପରିବହନ ଏବଂ ଅଧା କଣ୍ଟେନର ଟ୍ରାଫିକର ବୋଝ ବହନ କରୁଛି । ଏହି ସମୁଦ୍ରପଥ ଦେଇ ଯାଉଥିବା ତିନି ଚତୁର୍ଥାଂଶ ଟ୍ରାଫିକ ଦୁନିଆର ଅନ୍ୟଭାଗକୁ ଯାଇଥାଏ । ଏଥିରେ ଉଠୁଥିବା ଲହରୀ ଦୁନିଆର 40 ଦେଶ ଏବଂ 40 ପ୍ରତିଶତ ଜନସଂଖ୍ୟା ପର୍ଯ୍ୟନ୍ତ ପହଂଚିଥାଏ ।

ସାଥୀଗଣ, କୁହାଯାଏ କି ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ଏହା ମଧ୍ୟ ସ୍ଥିର ହୋଇଛି କି ଏକବିଂଶ ଶତାବ୍ଦୀର ବିକାଶମାର୍ଗ ଭାରତ ମହାସାଗର ଦେଇକରି ହିଁ ବାହାରିବ । ଆଉ ଏଥିପାଇଁ ଭାରତ ମହାସାଗର, ଆମ ସରକାରଙ୍କ ନୀତିଗୁଡିକରେ ତାହାର ଏକ ବିଶେଷ ସ୍ଥାନ ରହିଛି, ବିଶେଷ ଜାଗା ରହିଛି । ଏହି ଦୃଷ୍ଟିଭଙ୍ଗୀ ଆମ, ଆମ ଭିଜନରେ ପ୍ରତିଫଳିତ ହୋଇଥାଏ । ମୁଁ ଏହାକୁ ଏକ ସ୍ୱତନ୍ତ୍ର ନାମରେ ମଧ୍ୟ ଉଲ୍ଲେଖ କରୁଛି – ଏସ.ଏ.ଜି.ଏ.ଆରସାଗର’’ ଯଦି ମୁଁ ସାଗର କହୁଛି  । ଅର୍ଥାତ ସମଗ୍ର ଅଂଚଳର ନିରାପତ୍ତା ଏବଂ ବିକାଶ (ସିକ୍ୟୁରିଟି ଏଣ୍ଡ ଗ୍ରୋଥ ଫର୍ ଅଲ ଦି ରିଜିଅନ) ସାଗର’’ ଆମେ ଭାରତ ମହାସାଗରରେ ନିଜର ବିଶ୍ୱ, ସାମରିକ ଏବଂ ଆର୍ଥିକ ହିତକୁ ନେଇ ସମ୍ପୂର୍ଣ୍ଣ ସଜାଗ ଅଛୁ, ସତର୍କ ଅଛୁ ଆଉ ଏଥିପାଇଁ  ଭାରତର ଆଧୁନିକ ଏବଂ ବହୁମୁଖୀ ନୌସେନାକୁ ସଂପୂର୍ଣ୍ଣ କ୍ଷେତ୍ରରେ ଶାନ୍ତି ପାଇଁ, ସ୍ଥାୟିତ୍ୱ ପାଇଁ ଆଗକୁ ବଢି ନେତୃତ୍ୱ କରୁଛି । ଯେଭଳି ଭାରତର ରାଜନୈତିକ ଆଉ ଆର୍ଥିକ ସାମୁଦ୍ରିକ ଭାଗିଦାରୀରେ ବଢୁଛି, କ୍ଷେତ୍ରୀୟ କାର୍ଯ୍ୟ ଖସଡା  ମଜବୁତ କରାଯାଉଛି, ସେଥିରେ ସେହି ଲକ୍ଷ୍ୟ ପ୍ରାପ୍ତି ଆହୁରି ସହଜ ଦୃଷ୍ଟି ଗୋଚର ହେଉଛି ।

ସାଥୀଗଣ, ସମୁଦ୍ରରେ ନିହିତ ଶକ୍ତିଗୁଡିକ ଆମକୁ ରାଷ୍ଟ୍ର ନିର୍ମାଣ ପାଇଁ ଆର୍ଥିକ ଶକ୍ତି ପ୍ରଦାନ କରୁଛି । ଭାରତ ସେହିସବୁ ଆହ୍ୱାନକୁ ନେଇ ଗମ୍ଭୀର ରହିଛି, ଯାହାର ସାମନା କେବଳ ଭାରତ ନୁହେଁ ବରଂ ଏହି କ୍ଷେତ୍ରର ଭିନ୍ନ ଭିନ୍ନ ଦେଶକୁ ମଧ୍ୟ ସମ୍ମୁଖୀନ ହେବାକୁ ପଡୁଛି ।

ସେ ହୁଏତ ସମୁଦ୍ର ରାସ୍ତାରେ ଆସୁଥିବା ଆତଙ୍କବାଦ ହେଉ, ଜଳଦସ୍ୟୁ ସମସ୍ୟା ହେଉ, ମାଦକଦ୍ରବ୍ୟର ଚେରା କାରବାର ହେଉ, ଭାରତ ଏହି ସବୁ ଆହ୍ୱାନର ମୁକାବିଲା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶ ହେଉଛି ଆମର ମନ୍ତ୍ର । ଜଳ-ସ୍ଥଳ-ଆକାଶରେ ମଧ୍ୟ ଏହି ସମାନ ଭାବନା ।

ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ମାନି, ବସୁଧୈବ କୁଟୁମ୍ବକମ୍ ର ଭାବନା ଆଗକୁ ବଢ଼ାଇ ଭାରତ ନିଜର ବିଶ୍ୱସ୍ତରୀୟ ଉତ୍ତରଦାୟିତ୍ୱଗୁଡ଼ିକୁ ଲଗାତାର ତୁଲାଉଛି । ଭାରତ ନିଜର ସହଯୋଗୀ ଦେଶମାନଙ୍କ ପାଇଁ ତାଙ୍କର ସଙ୍କଟ ସମୟରେ ପ୍ରଥମ ସହଯୋଗୀ ହୋଇ ରହିଛି ଆଉ ଏଥିପାଇଁ ଯେତେବେଳେ ଶ୍ରୀଲଙ୍କାରେ ବଢ଼ି ଆସେ ତ ଭାରତର ନୌସେନା ତତ୍ପରତାର ସହିତ ସାହାଯ୍ୟ କରିବା ପାଇଁ ସବୁଠାରୁ ଆଗ ପହଂଚିଯାଏ ।

ଯେତେବେଳେ ମାଳଦ୍ୱୀପରେ ପାଣିର ସଙ୍କଟ ଆସି ପହଂଚେ ତ ଭାରତରୁ ଜଳପୂର୍ଣ୍ଣ ଜାହାଜ ତତ୍କାଳ ପହଞ୍ଚିଯାଏ । ଯେତେବେଳେ ବାଂଲାଦେଶରେ ଝଡବାତ୍ୟା ଆସେ ତ ଭାରତର ନୌସେନା ମଝି ସମୁଦ୍ରରେ ଫସି ରହିଥିବା ବାଂଲାଦେଶୀଙ୍କୁ ବାହାରକୁ ଉଦ୍ଧାର କରି ଆଣନ୍ତି । ମିଆଁମାରଠାରେ ମଧ୍ୟ ବାତ୍ୟାରେ ପୀଡ଼ିତ ଲୋକଙ୍କ ସାହାଯ୍ୟ ପାଇଁ ଭାରତୀୟ ନୌସେନା ସଂପୂର୍ଣ୍ଣ ଶକ୍ତିର ସହିତ ମାନବୀୟ ଦୃଷ୍ଟିକୋଣରୁ ସାହାଯ୍ୟ କରିବାରେ କେବେ ପଛଘୁଂଚା ଦେଇ ନାହାଂନ୍ତି । ଏତିକି ହିଁ ନୁହେଁ, ୟେମନରେ ସଙ୍କଟ ସମୟରେ ଯେତେବେଳେ ଭାରତୀୟ ନୌସେନା ନିଜର ସାଢ଼େ ଚାରି ହଜାରରୁ ଅଧିକ ନାଗରିକଙ୍କୁ ବଂଚାଏ, ତ ତା’ସହିତ 48 ଅନ୍ୟ ଦେଶର ବ୍ୟକ୍ତିଙ୍କୁ ମଧ୍ୟ ସୁରକ୍ଷିତ ଭାବେ ସଙ୍କଟରୁ ବାହାରକୁ ବାହାର କରି ଆଣନ୍ତି ।

ଭାରତୀୟ ଦୂତାବାସ ଆଉ ଭାରତୀୟ ସୁରକ୍ଷା ତନ୍ତ୍ରର ମାନବୀୟ ଗୁଣ ଏହା ହେଉଛି ଭାରତର ବିଶେଷତା, ଏହା ହେଉଛି ଆମର ବିଶେଷତ୍ୱ । ମୋର ମନେ ଅଛି ଯେତେବେଳେ ନେପାଳରେ ଭୂକମ୍ପ ଆସିଥିଲା, ତ କିପରି ଭାରତୀୟ ସେନା ଏବଂ ବାୟୁ ସେନା ଉଦ୍ଧାର କାର୍ଯ୍ୟର ଦାୟିତ୍ୱ ସମ୍ଭାଳିଥିଲେ । 700ରୁ ଅଧିକ ଉଡ଼ାଣ, ଏକ ହଜାର ଟନ୍ ରୁ ଅଧିକ ରିଲିଫ୍ ସାମଗ୍ରୀ, ହଜାର-ହଜାର ଭୂକମ୍ପ ପୀଡ଼ିତଙ୍କୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେଇ ଯିବା, ଶହ-ଶହ ବିଦେଶୀ ନାଗରିକଙ୍କୁ ବାହାର କରିବା, ଏହି ‘ମୈତ୍ରୀ ଭାବ’ ଭାରତର ଆତ୍ମାରେ ରହିଛି, ଭାରତର ସ୍ୱଭାବରେ ରହିଛି । ଭାରତ ମାନବତାର କାମ ନ କରି କେବେ ହେଲେ ରହି ପାରିବ ନାହିଁ ।

ସାଥୀଗଣ, ସମର୍ଥ ଏବଂ ସଶକ୍ତ ଭାରତ କେବଳ ନିଜ ପାଇଁ ନୁହେଁ ସଂପୂର୍ଣ୍ଣ ମାନବ ସମାଜ ପାଇଁ ଏକ ମହତ୍ୱପୂର୍ଣ୍ଣ ଭୂମିକା ରଖିଥାଏ । ଆଜି ଆମେ ଦୁନିଆର ବିଭିନ୍ନ ଦେଶ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲୁଛୁ । ସେମାନଙ୍କର ସେନା ବାହିନୀ, ଆମ ସେନା ସହିତ ସମନ୍ୱୟ ବଢ଼ାଇବା ପାଇଁ ଆମଠାରୁ ଅନୁଭବ ହାସଲ କରିବା ପାଇଁ ଆତୁର ହୋଇ ରହିଥା’ନ୍ତି । ଯେତେବେଳେ ସେମାନେ ଆମ ସହିତ ଅଭ୍ୟାସରେ ଭାଗ ନେଇଥା’ନ୍ତି ତାହା ସବୁବେଳେ ଚର୍ଚ୍ଚାର ବିଷୟ ହୋଇଥାଏ ।

ବିଗତ ବର୍ଷ ହିଁ ଭାରତରେ ଆନ୍ତର୍ଜାତିକ ନୌଭେଳା ସମୀକ୍ଷା ପାଇଁ 50 ଟି ଦେଶର ନୌସେନା ଏକାଠି ହୋଇଥିଲେ ବିଶାଖାପଟ୍ଟନମ୍ ପାଖରେ ସମୁଦ୍ରରେ ସେହି ସମୟରେ ସୃଷ୍ଟି ହୋଇଥିବା ବିହଙ୍ଗମ ଦୃଶ୍ୟ କାହା ପାଇଁ ମଧ୍ୟ ବୋଧହୁଏ ଭୁଲିବା ସମ୍ଭବପର ନୁହେଁ ।

ଚଳିତ ବର୍ଷ ଭାରତୀୟ ନୌସେନା ଭାରତ ମହାସାଗରରେ ନିଜର ଶୌର୍ଯ୍ୟ ଯୋଗୁଁ ଦୁନିଆର ଧ୍ୟାନ ଆକର୍ଷଣ କରିଥିଲା ।

ଜୁଲାଇରେ ହୋଇଥିବା ମାଲାବାର ସମରାଭ୍ୟାସରେ ଆମେରିକା ଏବଂ ଜାପାନର ନୌସେନା ସହିତ ଭାରତୀୟ ନୌସେନା ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲା । ସେହିପରି ଅଷ୍ଟ୍ରେଲିଆର ନୌସେନା, ସିଙ୍ଗାପୁର ନୌସେନା, ମିଆଁମାର, ଜାପାନ, ଇଣ୍ଡୋନେସିଆର ନୌସେନା ସହିତ ଭାରତୀୟ ନୌସେନା ଭିନ୍ନ-ଭିନ୍ନ ମାସରେ ଚଳିତ ବର୍ଷ ସମରାଭ୍ୟାସର ଧାରା ଲଗାତାର ଜାରି ରଖିଛି । ଭାରତୀୟ ସେନା ମଧ୍ୟ ଶ୍ରୀଲଙ୍କା, ଋଷ, ଆମେରିକା, ବ୍ରିଟେନ୍, ବାଂଲାଦେଶ, ସିଙ୍ଗାପୁର ଭଳି ଦେଶ ସହିତ ମିଳିତ ଅଭ୍ୟାସ କରି ସାରିଛି ।

ଭାଇ ଓ ଭଉଣୀମାନେ, ଏହି ସମଗ୍ର ଦୃଶ୍ୟ ହେଉଛି ଏହି କଥାର ସାକ୍ଷୀ ଯେ ଦୁନିଆ ଏବେ ଶାନ୍ତି ଏବଂ ସ୍ଥାୟୀତ୍ୱ ପଥରେ ଭାରତ ସହିତ ଚାଲିବା ପାଇଁ ଇଚ୍ଛୁକ ଅଟନ୍ତି, ପ୍ରତିବଦ୍ଧ ଅଟନ୍ତି ।

ସାଥୀଗଣ, ଆମେ ଏହି କଥାପ୍ରତି ମଧ୍ୟ ସଜାଗ ଅଛୁ କି ଦେଶର ସୁରକ୍ଷା ପାଇଁ ଆହ୍ୱାନଗୁଡ଼ିକର ସ୍ୱରୂପ ବଦଳି ସାରିଛି । ଆମେ ଆମର ସୁରକ୍ଷା ପ୍ରସ୍ତୁତି କାର୍ଯ୍ୟଗୁଡ଼ିକୁ ଏହି ଆହ୍ୱାନ ଅନୁସାରେ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରୁଛୁ । ସକ୍ରିୟତାର ସହ ପଦକ୍ଷେପ ଉଠାଉଛୁ ।

ଆମର ପ୍ରୟାସ ରହିଛି କି ଆମର ପ୍ରତିରକ୍ଷା ଶକ୍ତି, ଅର୍ଥନୈତିକ ଶକ୍ତି, ବୈଷୟିକ ଶକ୍ତି ସହିତ ଅନ୍ତର୍ଜାତୀୟ ସମ୍ପର୍କର ଶକ୍ତି, ଜନସାଧାରଣଙ୍କ ବିଶ୍ୱସନୀୟତାର ଶକ୍ତି, ଦେଶର ସଫ୍ଟ ପାୱାର, ଏ ସମସ୍ତ କାରଣଗୁଡ଼ିକରେ ଏକ ସମିଶ୍ରଣ ହେଉ । ଏହି ପରିବର୍ତ୍ତନ ହେଉଛି ଆଜିର ସମୟର ଆବଶ୍ୟକତା ।

ଭାଇ ଓ ଭଉଣୀମାନେ, ବିଗତ ତିନି ବର୍ଷରେ ପ୍ରତିରକ୍ଷା ଏବଂ ସୁରକ୍ଷା ସହିତ ଯୋଡ଼ି ହୋଇଥିବା ଆର୍ଥିକ ପରିବେଶରେ ପରିବର୍ତ୍ତନର ଶୁଭାରମ୍ଭ ହୋଇଛି । ଅନେକ ନୂତନ ପଦକ୍ଷେପ ନିଆଯାଇଛି । ଯେଉଁଠି ଗୋଟିଏ ପଟେ ଆମେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ସଂଗ୍ରହ ପ୍ରସଙ୍ଗରେ ପ୍ରାଥମିକତାର ସହ ସମାଧାନ କରୁଛୁ, ଅନ୍ୟ ପଟେ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳର ଦେଶରେ ବିକାଶ ପାଇଁ ଅଗ୍ରାଧିକାର କାର୍ଯ୍ୟଖସଡ଼ା ମଧ୍ୟ ପ୍ରସ୍ତୁତ କରାଯାଉଛି ।

ଲାଇସେନସିଂ ପ୍ରକ୍ରିୟାଠାରୁ ରପ୍ତାନୀ ପ୍ରକ୍ରିୟା ପର୍ଯ୍ୟନ୍ତ, ଆମେ ସଂପୂର୍ଣ୍ଣ ବ୍ୟବସ୍ଥାରେ ପାରଦର୍ଶିତା ଏବଂ ସନ୍ତୁଳିତ ପ୍ରତିଯୋଗିତା ଆଣୁଛୁ । ବିଦେଶୀ ନିବେଶକୁ ପ୍ରେତ୍ସାହନ ଦେବା ପାଇଁ ମଧ୍ୟ ଆମ ସରକାର ଅନେକ ପଦକ୍ଷେପ ଉଠାଇଛନ୍ତି । ଏ ପର୍ଯ୍ୟନ୍ତ 49 ପ୍ରତିଶତ ଏଫଡିଆଇ ସ୍ୱୟଂକ୍ରିୟ ପଥରେ କରାଯାଇ ସାରିଛି । ପ୍ରତିରକ୍ଷା ସେକ୍ଟରର କିଛି କ୍ଷେତ୍ରରେ ଏ ପର୍ଯ୍ୟନ୍ତ 100 ପ୍ରତିଶତ ଏଫଡିଆଇର ପଥ ଖୋଲିଯାଇଛି । ପ୍ରତିରକ୍ଷା  ସାମଗ୍ରୀ କ୍ରୟ ପ୍ରକ୍ରିୟାରେ ମଧ୍ୟ ଆମେ ବଡ଼ ପରିବର୍ତ୍ତନ କରିଛୁ । ଏହା ଦ୍ୱାରା ମେକ୍-ଇ-ଇଣ୍ଡିଆକୁ ମଧ୍ୟ ପ୍ରୋତ୍ସାହନ ମିଳୁଛି । ଏହା ଦ୍ୱାରା ରୋଜଗାରର ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେଉଛି ।

ମୋତେ ଯେପରି ଅବଗତ କରାଯାଇଛି କି ଆଇଏନ୍ଏସ୍ କଲବରୀର ନିର୍ମାଣରେ ପ୍ରାୟ 12 ଲକ୍ଷ ଶ୍ରମ ଦିବସ ଲାଗିଛି । ଏହାର ନିର୍ମାଣ ସମୟରେ ଯେଉଁ ବୈଷୟିକ ଦକ୍ଷତା ଭାରତୀୟ କମ୍ପାନୀଗୁଡ଼ିକୁ, ଭାରତୀୟ ଉଦ୍ୟୋଗକୁ, ଛୋଟ ଉଦ୍ୟୋଗୀମାନଙ୍କୁ ଆଉ ଆମ ଇଂଜିନିୟରମାନଙ୍କୁ ମିଳିଛି, ତାହା ଦେଶ ପାଇଁ ଗୋଟିଏ ପ୍ରକାରରେ ହେଉଛି ଦକ୍ଷତାର ଭଣ୍ଡାର । ଏହି ଦକ୍ଷତାର ପ୍ରସ୍ତୁତି ଆମ ପାଇଁ ହେଉଛି ଏକ ସମ୍ବଳ ଯାହାର ଲାଭ ଦେଶକୁ ଭବିଷ୍ୟତରେ କ୍ରମାଗତ ଭାବେ ମିଳିବ ।

ସାଥୀଗଣ, ଭାରତୀୟ କମ୍ପାନୀଗୁଡ଼ିକ ପ୍ରତିରକ୍ଷା କ୍ଷେତ୍ରର ଉତ୍ପାଦ ତିଆରି କରନ୍ତୁ ଆଉ ତାହାକୁ ସାରା ଦୁନିଆକୁ ରପ୍ତାନୀ କରନ୍ତୁ, ସେଥିପାଇଁ ପ୍ରତିରକ୍ଷା ରପ୍ତାନୀ ନୀତିରେ ମଧ୍ୟ ଆମେ ଆମୂଳଚୂଳ ପରିବର୍ତ୍ତନ କରିଛୁ । ଯେଉଁ ଉତ୍ପାଦ ଏଠାରେ ତିଆରି ହେଉଛି, ତାହାକୁ ଆମ ସୈନ୍ୟବାହିନୀ ମଧ୍ୟ ସହଜରେ କିଣି ପାରିବେ, ଏଥିପାଇଁ ପାଖା-ପାଖି ଦେଢ଼ ଶହ ନନ୍ କୋର ସରଞ୍ଜାମର ଏକ ସୂଚୀ ତିଆରି କରାଯାଇଛି । ତାହାକୁ କିଣିବା ପାଇଁ ସୈନ୍ୟବାହିନୀକୁ ଅର୍ଡିନାନ୍ସ ଫ୍ୟାକ୍ଟ୍ରିରୁ ମଂଜୁରିର ଆବଶ୍ୟକତା ନାହିଁ । ସେମାନେ ସିଧା ଘରୋଇ କମ୍ପାନୀଗୁଡ଼ିକଠାରୁ ଏହି ଉତ୍ପାଦ କିଣି ପାରିବେ । ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ, ସରକାର ଭାରତୀୟ ଘରୋଇ କ୍ଷେତ୍ର ସହିତ ଭାରତୀୟ ଭାଗିଦାରୀ ମଡେଲ ଲାଗୁ କରିଛନ୍ତି । ଆମର ପ୍ରୟାସ ରହିଛି କି ବିଦେଶ ଭଳି ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟ ଯୁଦ୍ଧ ବିମାନରୁ ନେଇ ହେଲିକପ୍ଟର, ଆଉ ଟ୍ୟାଙ୍କରୁ ନେଇ ଯୁଦ୍ଧ ଜାହାଜ ପର୍ଯ୍ୟନ୍ତ ଏହି ମାଟିରେ ନିର୍ମାଣ କରନ୍ତି । ଭବିଷ୍ୟତରେ ଏହି ବେସାମରିକ ଭାଗିଦାରୀ ଭାରତର ପ୍ରତିରକ୍ଷା ଉଦ୍ୟୋଗକୁ ଆହୁରି ଅଧିକ ମଜବୁତ କରିବ ।

ସରକାର ପ୍ରତିରକ୍ଷା କ୍ଷେତ୍ର ସହିତ ସଂପୃକ୍ତ ସାମଗ୍ରୀ କିଣିବାରେ ମଧ୍ୟ ଗତି ଆଣିବା ପାଇଁ ଅନେକ ନୀତିଗତ ପଦକ୍ଷେପ ନେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଆଉ ସର୍ଭିସ୍ ହେଡ଼କ୍ଵାଟର୍ସ ପର୍ଯ୍ୟନ୍ତ ଆର୍ଥିକ କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି । ସମଗ୍ର ପ୍ରକ୍ରିୟାକୁ ଆହୁରି ସରଳ ଏବଂ ଆହୁରି ପ୍ରଭାବଶାଳୀ କରାଯାଇଛି । ଏହି ମହତ୍ୱପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ପ୍ରତିରକ୍ଷା ବ୍ୟବସ୍ଥା ଏବଂ ଦେଶର ସେନାବାହିନୀର କ୍ଷମତା ଆହୁରି ମଧ୍ୟ ମଜବୁତ ହେବ ।

ଭାଇ ଓ ଭଉଣୀମାନେ, ଆମ ସରକାରଙ୍କ ସୁରକ୍ଷା ନୀତିର ଅନୁକୂଳ ପ୍ରଭାବ ବାହାରେ ହିଁ ନୁହେଁ ବରଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଉଛି ।

ଆପଣ ସମସ୍ତେ ଜାଣନ୍ତି କି କିଭଳି ଭାବେ ଆତଙ୍କବାଦକୁ ଭାରତ ବିରୁଦ୍ଧରେ ଏକ ଛାୟାଯୁଦ୍ଧ ଭାବେ ବ୍ୟବହାର କରାଯାଉଛି । ଆମ ସରକାରଙ୍କ ନୀତି ଏବଂ ଆମ ସୈନିକଙ୍କର ବୀରତ୍ୱର ଏହା ହେଉଛି ପରିଣାମ ଯେ ଜାମ୍ମୁ-କାଶ୍ମୀରରେ ଆମେ ଏଭଳି ଶକ୍ତିଗୁଡ଼ିକୁ ସଫଳ ହେବାକୁ ଦେଇ ନାହୁଁ । ଜାମ୍ମୁ-କାଶ୍ମୀରରେ ଚଳିତ ବର୍ଷର ବର୍ତ୍ତମାନ ପର୍ଯ୍ୟନ୍ତ 200 ଆତଙ୍କବାଦୀ, ପୁଲିସ ଆଉ ସୁରକ୍ଷାକର୍ମୀଙ୍କ ସହଯୋଗରେ ନିହତ ହୋଇଛନ୍ତି । ପଥର ଫିଙ୍ଗା ଘଟଣା ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି ।

ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ, ଉତ୍ତର-ପୂର୍ବାଂଚଳ ରାଜ୍ୟରେ ମଧ୍ୟ ସ୍ଥିତିରେ ବହୁତ ଉନ୍ନତି ଦେଖିବାକୁ ମିଳିଛି । ନକ୍ସଲ-ମାଓବାଦୀ ହିଂସା ମଧ୍ୟ କମ୍ ହୋଇଛି । ଏହି ସ୍ଥିତି ଏଇ କଥାର ମଧ୍ୟ ସଙ୍କେତ ଦେଉଛି କି ଏହି ସବୁ କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ଏବେ ମୁଖ୍ୟଧାରାକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।              

ମୁଁ ଆଜି ଏହି ଅବସରରେ ସେହି ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି କି ଯେଉଁମାନେ ଦେଶର ସୁରକ୍ଷା ପାଇଁ ନିଜର ଜୀବନ ସମର୍ପଣ କରି ଦେଇଛନ୍ତି ।

ରାଜ୍ୟଗୁଡ଼ିକର ପୁଲିସ ବାହିନୀ, ଅର୍ଦ୍ଧ-ସୈନିକ ବଳ, ଆମର ସେନା ବାହିନୀ, ସୁରକ୍ଷାରେ ନିୟୋଜିତ ସେହି ପ୍ରତ୍ୟେକ ଏଜେନ୍ସୀ ଯେଉଁମାନେ ଦେଖାଯାଆନ୍ତି, ଯେଉଁମାନେ ଦେଖାଯାଆନ୍ତି ନାହିଁ, ସେମାନଙ୍କ ପ୍ରତି ଏହି ଦେଶର ଶହେ ପଚିଶ କୋଟି ଲୋକ କୃତଜ୍ଞ । ସେମାନଙ୍କୁ ଅଭିନନ୍ଦନ ଜଣାଉଛି । ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

ସାଥୀଗଣ, ଦେଶର ଦୃଢ଼ତା ଆମର ସୁରକ୍ଷାକର୍ମୀଙ୍କ ଦୃଢ଼ତା ସହିତ ଯୋଡ଼ି ହୋଇଛି ଆଉ ଏଥିପାଇଁ ସୁରକ୍ଷାକର୍ମୀଙ୍କ ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖି, କୌଣସି ବିଳମ୍ବ ନ କରି, ସେମାନଙ୍କ ପାଇଁ ନିଷ୍ପତ୍ତି ନେବା, ସେମାନଙ୍କ ସହିତ ଠିଆ ହୋଇ ରହିବା ଏହା ହେଉଛି ଏହି ସରକାରଙ୍କର ପ୍ରାଥମିକତା । ଆଉ ଏହା ସରକାରଙ୍କର ସ୍ୱଭାବରେ ଅଛି । ଏହା ଆମର ପ୍ରତିବଦ୍ଧତା ଥିଲା ଯେଉଁଥିପାଇଁ କେତେ ଦଶକରୁ ପଡ଼ି ରହିଥିବା One Rank One Pension ପ୍ରତିଶ୍ରୁତି ବାସ୍ତବତାରେ ପରିବର୍ତ୍ତିତ ହୋଇଛି । ଏ ପର୍ଯ୍ୟନ୍ତ 20 ଲକ୍ଷରୁ ଅଧିକ ଅବସରପ୍ରାପ୍ତ ଫୌଜି ଭାଇମାନଙ୍କୁ ପାଖାପାଖି 11 ହଜାର କୋଟି ଟଙ୍କା ବକେୟା ଆକାରରେ ମଧ୍ୟ ଦିଆ ଯାଇସାରିଛି ।

ଭାଇ ଓ ଭଉଣୀମାନେ, ଆଜି ଏହି ଅବସରରେ ସାଗର ପରିକ୍ରମା ପାଇଁ ବାହାରିଥିବା ଭାରତୀୟ ନୌସେନାର 6 ବୀର, ସାହସୀ ଅଫିସରଙ୍କୁ ମଧ୍ୟ ମନେ ପକାଇବାକୁ ଚାହୁଁଛି । ସେମାନଙ୍କର ଗୌରବଗାନ କରିବାକୁ ଚାହୁଁଛି ।

ଆମ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ମହାଶୟାଙ୍କର ପ୍ରେରଣା ଦ୍ୱାରା, ଭାରତର ନାରୀ ଶକ୍ତିର ସନ୍ଦେଶ ନେଇ, ସେମାନେ ବହୁତ ଦୃଢ଼ ମନୋବଳ ସହିତ ଆମର  ସେହି 6 ସାହସୀ ସେନାନୀ ଆଗକୁ ବଢ଼ି ଚାଲିଛନ୍ତି ।

ସାଥୀଗଣ, ଆପଣ ମଧ୍ୟ ଜଳ-ସ୍ଥଳ-ଆକାଶରେ ଏହି ଅମାପ ଭାରତୀୟ ସାହସକୁ ଧରି ରଖିଛନ୍ତି । ଆଜି ଆଇଏନ୍ଏସ୍ କଲବରୀ ସହିତ ଏକ ନୂତନ ଯାତ୍ରାର ଶୁଭାରମ୍ଭ ହେଉଛି ।

ବରୁଣଦେବ ଆପଣଙ୍କୁ ସଶକ୍ତ ରଖନ୍ତୁ, ଆପଣଙ୍କୁ ସୁରକ୍ଷିତ ରଖନ୍ତୁ । ଶମଃ ନୌ ବରୁଣଃ ଆପଣଙ୍କର ଏହା ଉଦ୍ଦେଶ୍ୟ ହେଉ । ଆମର ଏହି କାମନା ସହିତ ମୁଁ ଆପଣମାନଙ୍କୁ ପୁଣି ଥରେ ପ୍ରଣାମ କରୁଛି, ଶୁଭକାମନା ସହିତ ଆପଣମାନଙ୍କୁ ଏହି ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏକ ନୂତନ ପଦାର୍ପଣ ପାଇଁ ବହୁତ-ବହୁତ ଶୁଭକାମନା ଦେଇ ମୋ ବକ୍ତବ୍ୟକୁ ଶେଷ କରୁଛି ।

ବହୁତ-ବହୁତ ଧନ୍ୟବାଦ

ଭାରତ ମାତା କୀ ଜୟ   

 

**********