Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କର୍ଣ୍ଣାଟକର ବେଲାଗାଭିରେ ‘ରାଷ୍ଟ୍ରୀୟ ଯୁବ ଦିବସ’ ଓ ‘ସର୍ବ ଧର୍ମ ସଭା’କୁ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ (12.01.2018)


  

ଆପଣ ସମସ୍ତଙ୍କୁ ବିବେକାନନ୍ଦ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସର ବହୁତ ବହୁତ ଶୁଭକାମନା ।

ଆଜି ବେଲାଗାଭିର ଏହି ବିହଙ୍ଗମ ଦୃଶ୍ୟ, ଏହି ଭବ୍ୟ ଚିତ୍ର ଦେଖି ଲାଗୁଛି କି ସମସ୍ତେ ବିବେକାନନ୍ଦମୟ ହୋଇଯାଇଛନ୍ତି । ଆଜି ଏଠି ସର୍ବ ଧର୍ମ ସଭାର ମଧ୍ୟ ଆୟୋଜନ କରାଯାଉଛି । ଏଥିପାଇଁ ବି ଆପଣମାନଙ୍କ ମଙ୍ଗଳ କାମନା କରୁଛି ।

ଏବେ ଯେଉଁ ଉତ୍ସାହ ମୁଁ ଦେଖୁଛି, ସେଥିରେ ସମସ୍ତଙ୍କ ମନ-ମସ୍ତିଷ୍କ, ମନ ମନ୍ଦିରକୁ ଏକାକାର କରିଦେଇଛି, ଏକୀକୃତ କରିଦେଇଛି । ‘ସହସ୍ର-ସହସ୍ର ବିବେକ ଆହ୍ୱାନ’ ସହ ଆଜି ଏଠି ଏକ ବିଶ୍ୱ ରେକର୍ଡ ହେବାକୁ ଯାଉଛି ।

ଏସବୁ କିଛି ପୂଜନୀୟ ଶ୍ରୀ ସିଦ୍ଧଲିଙ୍ଗ ମହାରାଜ, ଶ୍ରୀ ୟଲ୍ଲାଲିଙ୍ଗ ପ୍ରଭୁଜୀ ଓ ଶ୍ରୀ ସିଦ୍ଧ ରାମେଶ୍ୱର ମହାସ୍ୱାମୀଙ୍କ ଆଶୀର୍ବାଦରୁ ହେଉଛି । ସେମାନଙ୍କର ଆଶୀର୍ବାଦର ଶକ୍ତି ଏବେ ଆପଣ ସମସ୍ତଙ୍କ ଚେହେରାରେ ପ୍ରତିଫଳିତ ହେଉଛି ।

ସେ ଶକ୍ତି, ସେହି ଆଶୀର୍ବାଦ ମଧ୍ୟ ମୁଁ ଅନୁଭବ କରୁଛି । ଭାଇ ଓ ଭଉଣୀମାନେ, ବେଲାଗାଭି ଆସିବା ମୋ’ ପାଇଁ ସର୍ବଦା ବହୁତ ସୁଖଦ ଅନୁଭବ ରହିଛି । ଏଠାରେ ଏକ ଭାରତ-ଶ୍ରେଷ୍ଠ ଭାରତର ଭବ୍ୟ ଚିତ୍ର ଦେଖିବାକୁ ମିଳିଥାଏ ।

ଅତ୍ୟନ୍ତ ଛୋଟ ସ୍ଥାନରେ ପାଞ୍ଚଟି ଭିନ୍ନ ଭିନ୍ନ ଭାଷାର ପ୍ରଚଳନ ଦେଖିବା ଦେଶର ଅନ୍ୟ ଭାଗରେ କ୍ୱଚିତ୍ ଦେଖିବାକୁ ମିଳେ । ମୁଁ ଆପଣ ସମସ୍ତଙ୍କ ସହ ବେଲାଗାଭି ଭୂମିକୁ ମଧ୍ୟ ପ୍ରଣାମ କରୁଛି । ବେଲାଗାଭି କିତୁରର ରାଣୀ ଚେନ୍ନାମାଙ୍କ ଭୂମି । ଇଂରେଜଙ୍କ ସହ ଲଢ଼େଇ କରିଥିବା ମହାନ ଯୋଦ୍ଧା ସଙ୍ଗୋଲି ରୟନ୍ନାଙ୍କ ଭୂମି । ସ୍ୱାମୀ ବିବେକାନନ୍ଦ ମଧ୍ୟ ବେଲାଗାଭିରେ 10ଦିନ  ବିତାଇଥିଲେ ।

ସେ ମହୀଶୂରର ପ୍ରସିଦ୍ଧ ମହଲରେ ମଧ୍ୟ ରହିଥିଲେ । ମହୀଶୂରରୁ ଆଗକୁ ଯାଇ ସେ କେରଳ ଓ ତାମିଲନାଡୁ ମଧ୍ୟ ଯାଇଥିଲେ । ଯେଉଁଠି କନ୍ୟାକୁମାରୀରେ ତାଙ୍କୁ ଏକ ନୂଆ ପ୍ରେରଣା ପ୍ରାପ୍ତ ହୋଇଥିଲା । ସେହି ପ୍ରେରଣାରେ ସେ ଚିକାଗୋ ଯାଇଥିଲେ ଓ ସମଗ୍ର ବିଶ୍ୱକୁ ମୋହିତ କରିପାରିଥିଲେ ।

ଚଳିତବର୍ଷ ହେଉଛି ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଚିକୋଗୋର ଦିଆଯାଇଥିବା ବତ୍କୃତାର 125ତମ ବାର୍ଷିକୀ ।  ଯେତେବେଳେ ଏହି ସମ୍ବୋଧନର ଶହେ ବର୍ଷ ପୂରଣ ହୋଇଥିଲା ମୁଁ ବିଶେଷଭାବେ ଚିକାଗୋ ଯାଇଥିଲି । ଏକଥାକୁ ଏବେ 25ବର୍ଷ ହୋଇଗଲାଣି । ତାଙ୍କର କଥାକୁ, ତାଙ୍କର ସମ୍ବୋଧନର ଏତେ ବର୍ଷ ବିତିଯିବା ପରେ ମଧ୍ୟ ଆମେ ପ୍ରତ୍ୟେକ ଦିନ, ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସମସ୍ୟାର ସମାଧାନ ଖୋଜିବାବେଳେ ଲାଗେ କି- ସ୍ୱାମୀ ବିବେକାନନ୍ଦ ଏଭଳି କହିଥିଲେ !!! କେତେ ସଠିକ୍ କହିଥିଲେ !!! ଆମେ ବିବେକାନନ୍ଦଙ୍କୁ ସ୍ମରଣ କରିବାର ଆବଶ୍ୟକତା ହେଉନାହିଁ, କାରଣ ସେ ସର୍ବଦା ମନରେ ଭିତରେ ହିଁ ରହିଥାନ୍ତି ।

ଜଣେ ଭାରତୀୟ କିଭଳି ହେବା ଉଚିତ୍, ସେ ସମ୍ପର୍କରେ ବିବେକାନନ୍ଦ ଖୁବ୍ ପ୍ରଭାବଶାଳୀ ମନ୍ତ୍ର ଦେଇଥିଲେ । ଏହା ଥିଲା ସ୍ୱଦେଶ ମନ୍ତ୍ର । ଏହାର ପ୍ରତ୍ୟେକ ଧାଡ଼ିରେ ଶକ୍ତି ଓ ପ୍ରେରଣା ଭରି ରହିଥିଲା । ସେ କହିଥିଲେ କି “ଏ ଭାରତ, ତୁମେ କେବେ ଭୁଲିବ ନାହିଁ କି ତୁମର ଜୀବନ ନିଜର ବ୍ୟକ୍ତିଗତ ସୁଖ ପାଇଁ ନୁହେଁ । ଏ ବୀର, ଗର୍ବରେ କୁହ ମୁଁ ଭାରତବାସୀ ଓ ପ୍ରତ୍ୟେକ ଭାରତବାସୀ ମୋର ଭାଇ । ଗର୍ବରେ କୁହ କି ପ୍ରତ୍ୟେକ ଭାରତବାସୀ ମୋର ଭାଇ, ଭାରତବାସୀ ମୋର ଜୀବନ । ଭାରତର ମାଟି ମୋର ସ୍ୱର୍ଗ । ଭାରତର କଲ୍ୟାଣରେ ମୋର କଲ୍ୟାଣ ହେବ ।”

ଏଭଳି ଥିଲେ ବିବେକାନନ୍ଦ । ଭାରତ ସହ ଏକାକାର ବିବେକାନନ୍ଦ । ଭାରତ ସହ ଏକରୂପ ବିବେକାନନ୍ଦ । ଭାରତର ସୁଖଦୁଃଖକୁ ନିଜର ସୁଖଦୁଃଖ ବୋଲି ଭାବୁଥିଲେ ବିବେକାନନ୍ଦ । ସେ ପ୍ରତ୍ୟେକ କୁକାର୍ଯ୍ୟ ସହ ଲଢ଼େଇ କରୁଥିଲେ । ବିଦେଶରେ ଭାରତକୁ ସାପୁଆ କେଳା ଓ ଯୋଗୀଙ୍କ ଦେଶ ବୋଲି ଅପପ୍ରଚାରକୁ ସେ ଧ୍ୱଂସ୍ତ କରିଥିଲେ । ବିଶ୍ୱରେ ଭାରତର ପ୍ରତିଷ୍ଠା ବଢ଼ାଇଥିଲେ । ସେଥିରେ ଜ୍ଞାନ-ବିଜ୍ଞାନ, ଭାଷା, ସାମାଜିକ ସଂସ୍କାର, ଆଧୁନିକ ଜଗତର କ୍ରମବର୍ଦ୍ଧିଷ୍ଣୁ ପଦକ୍ଷେପ ସହ ପାଦରେ ପାଦ ମିଶାଇ ଚାଲିବାର ସାହାସ ଥିଲା ।

ସେଥିରେ ସମାଜରେ ବ୍ୟାପ୍ତ ବିକୃତିଗୁଡ଼ିକ, ଛୁଆଁ-ଅଛୁଆଁ, ଭେଦଭାବ, ଅହଙ୍କାରକୁ ଖଣ୍ଡ ଖଣ୍ଡ କରିବାର ସାହାସୀ ଭାବ ରହିଥିଲା । ସେହି ଭାବନା ବିବେକାନନ୍ଦଙ୍କୁ ସାହାସୀ ସନ୍ୟାସୀ କରାଇଥିଲା । ସ୍ୱାମୀ ବିବେକାନନ୍ଦ କଲମ୍ବୋରୁ ଆଲମୋରା ଗସ୍ତରେ ଜାତିର ଭେଦଭାବ ବିରୋଧରେ ସ୍ୱର ଶାଣିତ କରିଥିଲେ ।

ସେ ଲୋକମାନଙ୍କୁ ରୋକଠୋକ୍ ଭାବେ କହିଥିଲେ-

 

“ଜ୍ଞାନ ଓ ଦର୍ଶନରେ ବିଶ୍ୱରେ ତୁମ ଭଳି କେହି ମହାନ ହେବେ ନାହିଁ । କିନ୍ତୁ ବ୍ୟବହାରରେ ଏଭଳି ନିକୃଷ୍ଟତା ମଧ୍ୟ କେହି କରନ୍ତି ନାହିଁ । ଧିକ୍କାର, ତୁମମାନଙ୍କର ଏଭଳି ବ୍ୟବହାରକୁ ନେଇ !!!”

125ବର୍ଷ ପୂର୍ବରୁ ସେ ଯେଉଁ କଥା କହିଥିଲେ, ତାହା ବୋଧହୁଏ ଏତେ ରୋକଠୋକ୍ ଭାବେ କେହି କହିବାର ସାହାସ କରିବେ ନାହିଁ । ବନ୍ଧୁଗଣ, ଆମକୁ ଏହି ବାତାବରଣ ବଦଳାଇବାର ଅଛି, ଏହି ମାନସିକତା ବଦଳାଇବାକୁ ପଡ଼ିବ । ବିବେକାନନ୍ଦଙ୍କୁ ସ୍ୱୀକାର କରିବାର ଅଛି ତ ଭିତରେ ରହିଥିବା ଜାତିର ଦ୍ୱେଷ, ଜାତି ଭେଦର ବିଷକୁ କାଢ଼ି ବାହାର କରିବାକୁ ପଡ଼ିବ, ସମାପ୍ତ କରିବାକୁ ହେବ ।

ଶ୍ରୀ ସିଦ୍ଧଲିଙ୍ଗ ମହାରାଜଙ୍କ ପ୍ରେରଣାରେ ଆପଣମାନଙ୍କ ମଠ ବି ଗତ ଦଶନ୍ଧିରେ ଜାତିର ପ୍ରତ୍ୟେକ ପ୍ରକାରର ଭେଦଭାବକୁ ସମାପ୍ତ କରିବା ଦିଗରେ କାର୍ଯ୍ୟ କରିଛି । କୌଣସି ଜାତିକୁ ଗୁରୁତ୍ୱ ନଦେଇ,କାହାରିକୁ ଜାତି କଥା ନପଚାରି ସମାଜର ଉପେକ୍ଷିତ ଓ ଦୁର୍ବଳ ବର୍ଗକୁ ଆପଣମାନଙ୍କ ଦ୍ୱାରା ଆବଶ୍ୟକ ସହାୟତା ଦିଆଯାଉଛି ।

ଆପଣଙ୍କ ମଠ ସହ ଜଡ଼ିତ ଲୋକମାନେ ଗାଁ ଗାଁକୁ ଯାଇ ବନ୍ୟା ପ୍ରଭାବିତଙ୍କ ପାଇଁ  ରିଲିଫ୍ କାମ କରୁଛନ୍ତି ।

ଗରିବଙ୍କୁ ମାଗଣା ଔଷଧ ବାଂଟୁଛନ୍ତି, ମାଗଣା ସ୍ୱାସ୍ଥ୍ୟ ଶିବିର ଲଗାଉଛନ୍ତି । ଲୋକଙ୍କୁ ଖାଇବାକୁ ଦେଉଛନ୍ତି, ପୋଷାକ ଦେଉଛନ୍ତି । କ’ଣ ଏହାର ଆଧାର ଜାତି ହେଉଛି ? ନା ।

ଅତି କଷ୍ଟରେ, ଦଶନ୍ଧି ଧରି କରାଯାଇଥିବା ଲୋକଙ୍କ ପ୍ରୟାସରେ ଜାତିର ବନ୍ଧନରୁ ଦେଶ ମୁକ୍ତ ହେବା ଆଡ଼କୁ ବଢ଼ୁଛି । କିନ୍ତୁ ଆପଣଙ୍କ ଭଳି ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କ ଏହି ପରିଶ୍ରମରେ କିଛି ସମାଜବିରୋଧୀ ଲୋକ ସେମାନଙ୍କର ନଜର ପକାଇଥାନ୍ତି । ଏହି ଲୋକମାନେ ପୁଣିଥରେ ଦେଶକୁ ଜାତି ନାଁରେ ଭାଗଭାଗ କରିବାର ଷଡ଼ଯନ୍ତ୍ର କରୁଛନ୍ତି ।

ଏଭଳି ଲୋକଙ୍କୁ ଆଜିର ଯୁବ ପିଢ଼ି ଦ୍ୱାରା ଜବାବ ଦିଆଯାଉଛି । ଭାରତର ଯୁବବର୍ଗ କିଛି ହାତଗଣତି ଲୋକଙ୍କ ପ୍ରରୋଚନାରେ ଆସିବେ ନାହିଁ । ଦେଶରେ ଜାତିବାଦ, କୁପ୍ରଥା, ଅନ୍ଧବିଶ୍ୱାସ ସମାପ୍ତ କରିବାର ସଂକଳ୍ପ ନେଇଥିବା ଏଭଳି ଯୁବବର୍ଗ, ନୂଆ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସଂକଳ୍ପ ନେଇଥିବା ଏଭଳି ଯୁବବର୍ଗ ହିଁ ହେଉଛନ୍ତି ବିବେକାନନ୍ଦ । ସେମାନେ ଭାରତର ନୂଆ ବିକ୍ରମୀ-ପରାକ୍ରମୀ, ବିକାଶମାନ ଚେହେରାର ପ୍ରତୀକ ।

ଏଭଳି ପ୍ରତ୍ୟେକ ଯୁବବର୍ଗ ଯେଉଁମାନେ କି ରାଷ୍ଟ୍ର ନିର୍ମାଣରେ ଅତ୍ୟନ୍ତ ସକ୍ରିୟ ହୋଇ ନିଜର ଦାୟିତ୍ୱ ତୁଲାଉଛନ୍ତି, ନିଉ ଇଣ୍ଡିଆର ସଂକଳ୍ପକୁ ସିଦ୍ଧ କରିବା ପାଇଁ କାମ କରୁଛନ୍ତି, ସେ ହିଁ ବିବେକାନନ୍ଦ । କେହି ବିଲ, କେହି କାରଖାନାରେ, କେହି ସ୍କୁଲରେ, କେହି କଲେଜରେ, ସାହି ପଡ଼ିଶାରେ ଦେଶର ସେବାରେ ଲାଗିଥିବା ପ୍ରତ୍ୟେକ ବ୍ୟକ୍ତି ହେଉଛନ୍ତି ବିବେକାନନ୍ଦ ।

ଏବେ ଯେଉଁମାନେ ସ୍ୱଚ୍ଛ ଭାରତ ମିଶନକୁ ଆଗକୁ ବଢ଼ାଉଛନ୍ତି, ଗାଁ ଗାଁକୁ ଯାଇ ଲୋକଙ୍କୁ ଡିଜିଟାଲ ସାକ୍ଷରତା ପ୍ରଦାନ କରୁଛନ୍ତି ସେମାନେ ବି ବିକେକାନନ୍ଦ । ଯେଉଁମାନେ ଦଳିତ-ଶୋଷିତ-ପୀଡ଼ିତ ଓ ବଂଚିତ ବର୍ଗଙ୍କ ପାଇଁ କାମ କରୁଛନ୍ତି ସେମାନେ ବି ବିବେକାନନ୍ଦ । ଯେଉଁମାନେ ନିଜର ଶକ୍ତିକୁ, ନିଜର ଚିନ୍ତାଧାରାକୁ, ନିଜର ଇନୋଭେସନ୍କୁ ସମାଜର ସ୍ୱାର୍ଥରେ ଲଗାଉଛନ୍ତି ସେମାନେ ହିଁ ବିବେକାନନ୍ଦ ।

ବନ୍ଧୁଗଣ, ଗତବର୍ଷ ଗୋଟିଏ କାର୍ଯ୍ୟକ୍ରମ ହୋଇଥିଲା – ସ୍ମାର୍ଟ ଇଣ୍ଡିଆ ହେକାଥନ୍ । ଏହି କାର୍ଯ୍ୟକ୍ରମରେ 40ହଜାରରୁ ଅଧିକ ଯୁବବର୍ଗ, ଦେଶର ପ୍ରାୟ 600 ସମସ୍ୟାର ଡିଜିଟାଲ ସମାଧାନ କରିବା ପାଇଁ ଲାଗିଥିଲେ । ଏମାନେ ବି ମୋ’ ପାଇଁ ବିବେକାନନ୍ଦ । ଲକ୍ଷ ଲକ୍ଷ କୋଟି କୋଟି ସାଧାରଣ ଲୋକ, ଭାରତର ମାଟିର ସୁଗନ୍ଧ ପାଇଁ ନିଉ ଇଣ୍ଡିଆର ନିର୍ମାତା, ଆମର ନୂଆ ଯୁଗର ବିବେକାନନ୍ଦ । ସେମାନଙ୍କୁ ମୁଁ ପ୍ରଣାମ କରୁଛି ଓ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରତ୍ୟେକ ବିବେକାନନ୍ଦଙ୍କୁ, ଦେଶରେ ଉପସ୍ଥିତ ଥିବା ପ୍ରତ୍ୟେକ ବିବେକାନନ୍ଦଙ୍କୁ ନମସ୍କାର କରୁଛି ।

ଭାଇ ଓ ଭଉଣୀମାନେ, ହଜାର ହଜାର ବର୍ଷର ଇତିହାସକୁ ଧରି ଆମ ଦେଶରେ ସମୟ ସହ ପରିବର୍ତ୍ତନ ଆସିଥାଏ । ବ୍ୟକ୍ତିରେ ପରିବର୍ତ୍ତନ, ସମାଜରେ ପରିବର୍ତ୍ତନ । କିନ୍ତୁ ସମୟ ସହ ବି  କିଛି ଖରାପ କଥା ସମାଜରେ ସାମିଲ ହେବାରେ ଲାଗିଥାଏ । ଏହା ଆମ ସମାଜର ବିଶେଷତ୍ୱ କି ଯେତେବେଳେ ଏଭଳି ଖରାପ ହୋଇଥାଏ, ସୁଧାରର କାର୍ଯ୍ୟ ସମାଜ ଭିତରେ କେହି ନା କେହି ଆରମ୍ଭ କରିଥାନ୍ତି । ଏଭଳି ମହାନ୍ ସମାଜ ସୁଧାରକମାନେ ସର୍ବଦା ଲୋକଙ୍କ ସେବାକୁ କେନ୍ଦ୍ରରେ ରଖିଥାନ୍ତି । ନିଜର ମନ-ବଚନ-କର୍ମରେ ସେମାନେ ସମାଜକୁ ଶିକ୍ଷା ଦେଇଥାନ୍ତି, ଲୋକଙ୍କ ସେବାକୁ ପ୍ରାଥମିକତା ଦେଇଥାନ୍ତି । ଦେଶର ସାଧାରଣ ମଣିଷକୁ ତା’ର ସରଳ ଭାଷାରେ ବୁଝାଇଥାନ୍ତି ।

ଏହା ଏକପ୍ରକାରର ଜନ ଆନ୍ଦୋଳନ  । ଯାହାର ବିସ୍ତାର ଶହ ଶହ ବର୍ଷର କାଳଖଣ୍ଡରେ ଦେଖିବାକୁ ମିଳିଥାଏ । ଏହି ଆନ୍ଦୋଳନ ଦକ୍ଷିଣରେ ମଧ୍ୟାଚାର୍ଯ୍ୟ, ନିମ୍ବାକାଚାର୍ଯ୍ୟ, ବଲ୍ଲଭାଚାର୍ଯ୍ୟ, ରାମାନୁଜାଚାର୍ଯ୍ୟ, ପଶ୍ଚିମରେ ମୀରାବାଇ, ଏକନାଥ, ତୁକାରାମ, ରାମଦାସ, ନରସି ମେହଟ୍ଟା, ଉତ୍ତରରେ ରାମାନନ୍ଦ, କବୀର ଦାସ, ଗୋସ୍ୱାମୀ ତୁଳସୀଦାସ, ସୁରଦାସ, ଗୁରୁ ନାନକଦେବ, ସନ୍ଥ ରୈଦାସ, ପୂର୍ବରେ ଚୈତନ୍ୟ ମହାପ୍ରଭୁ ଓ ଶଙ୍କରଦେବଙ୍କ ଭଳି ସନ୍ଥଙ୍କ ବିଚାର ଦ୍ୱାରା ସଶକ୍ତ ହୋଇଛି ।

ଏହା ବି ଆମ ଦେଶର ଅଦ୍ଭୂତ ଶକ୍ତି କି ସେମାନଙ୍କୁ କେବେ ଧାର୍ମିକ ଆନ୍ଦୋଳନ ସହ ଯୋଡ଼ି ଦେଖାଯାଇ ନାହିଁ । ଆମର ସର୍ବଦା ଏହି ଜ୍ଞାନ, ଭକ୍ତି ଓ କର୍ମ- ତିନିଟି ମଧ୍ୟରେ ସନ୍ତୁଳନକୁ ସ୍ୱୀକାର କରାଯାଇଛି ।

ଜ୍ଞାନରେ ଏହି ସନ୍ଥମାନେ ଏଭଳି ମୌଳିକ ପ୍ରଶ୍ନର ଉତ୍ତର ଖୋଜୁଥିଲେ କି ମୁଁ କିଏ ।

ଭକ୍ତି ହେଉଛି ସମର୍ପଣର ଅନ୍ୟ ନାମ ଓ କର୍ମ ସମ୍ପୂର୍ଣ୍ଣ ଭାବେ ସେବା ଭାବ ଉପରେ ଆଧାରିତ ଥିଲା । ଏଭଳି ଅନେକ ସନ୍ଥ, ମହାପୁରୁଷମାନଙ୍କ ପ୍ରଭାବ ଥିଲା କି ଦେଶର ସମସ୍ତ ବିପତ୍ତିକୁ ସହି ଆଗକୁ ବଢ଼ିପାରିଛି । ସେହି କାଳଖଣ୍ଡରେ ଦେଶର ପ୍ରତ୍ୟେକ କ୍ଷେତ୍ର, ପ୍ରତ୍ୟେକ ଅଂଚଳ, ପ୍ରତ୍ୟେକ କୋଣରେ ଥିବା ମନ୍ଦିର-ମଠରୁ ବାହାରି ଆମର ସନ୍ଥମାନେ ଏକ ସାମାଜିକ ଚେତନା ସୃଷ୍ଟି କରିବାର ପ୍ରୟାସ କରିଥିଲେ ।

ଆମେ ଗର୍ବର ସହ କହିପାରିବୁ କି ହିନ୍ଦୁସ୍ତାନ ପାଖରେ ଏଭଳି ମହାନ ପରମ୍ପରା ଅଛି, ଏଭଳି ମହାନ ସନ୍ଥ-ମୁନି ରହିଥିଲେ, ଯେଉଁମାନେ ନିଜର ତପସ୍ୟା, ନିଜର ଜ୍ଞାନର ଉପଯୋଗ ରାଷ୍ଟ୍ର ନିର୍ମାଣ ପାଇଁ କରିଛନ୍ତି ।

ଏହି କ୍ରମରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ, ରାଜା ରାମମୋହନ ରାୟ, ଜ୍ୟୋତିବା ଫୁଲେ, ମହାତ୍ମା ଗାନ୍ଧି, ବାବା ସାହେବ ଆମ୍ବେଦକର, ବାବା ମ୍ତେ , ପାଣ୍ଡୁରଙ୍ଗ ଶାସ୍ତ୍ରୀ ଅଠାୱଲେ, ବିନୋବା ଭାବେଙ୍କ ଭଳି ଅନେକ ମହାପୁରୁଷ ଆସିଥିଲେ । ସେମାନଙ୍କର ସେବାକୁ କେନ୍ଦ୍ରରେ ରଖି ସମାଜିକ ସଂସ୍କାର ମଧ୍ୟ କରିଥିଲେ । ସେମାନେ ଦେଶ ପାଇଁ, ସମାଜ ପାଇଁ ଯେଉଁ ସଂକଳ୍ପ ନେଇଥିଲେ, ତାକୁ ସିଦ୍ଧ କରି ଦେଖାଇଲେ ।

ବନ୍ଧୁଗଣ, ଆପଣଙ୍କ ମଠ ବି ତ୍ୟାଗର ପରମ୍ପରାକୁ ଆପଣାଇଛି । ସେବାର ପରମ୍ପରାକୁ ସ୍ୱୀକାର କରିଛି । ଆପଣଙ୍କ ମଠ ମଧ୍ୟ ବିରକ୍ତ ମଠ ନାମରେ ପରିଚିତ । ବିରକ୍ତ ଅର୍ଥାତ ପ୍ରତ୍ୟେକ ପ୍ରକାରର ସାଂସାରିକ ମୋହରୁ ମୁକ୍ତ । ଭିନ୍ନ ଭିନ୍ନ ରାଜ୍ୟରେ ରହିଥିବା ଆପଣଙ୍କ 360ରୁ ଉର୍ଦ୍ଧ୍ଵ ମଠ ଯେତେବେଳେ ଅନ୍ନଦାନର ପ୍ରଥାରେ ଚାଲନ୍ତି, ଗରିବ ଓ ଭୋକିଲା ଲୋକଙ୍କୁ ଭୋଜନ କରାନ୍ତି, ନିଶ୍ଚିତ ଭାବେ ଧରିତ୍ରୀ ମା’ର, ମାନବତାର ସର୍ବୋତ୍ତମ ସେବା ହୋଇଥାଏ ।

‘ଶିବ ଭାବେ ଜୀବ ସେବା’ର ଏହା ଉତ୍ତମ ଉଦାହରଣ । ଆମର ଦେଶର ଇତିହାସ ହେଉଛି ସେବାର, ସେବା ଭାବନାର । ସାମାନ୍ୟ ଦୂରରେ ପ୍ରତିଟି ସ୍ଥାନରେ ଗରିବ ଲୋକଙ୍କ ଖାଇବା ଓ ରହିବାର ବ୍ୟବସ୍ଥା ହେଉଛି ଆମର ପରମ୍ପରା । ଏହି ବ୍ୟବସ୍ଥା ସାଧୁସନ୍ଥମାନଙ୍କ ଆଶୀର୍ବାଦରୁ ସାଧାରଣ ସମାଜର ଲୋକମାନେ କରିଥାନ୍ତି । ଆଜି ବି ଅନେକ ସହର-ଗାଁରେ ଏହି ବ୍ୟବସ୍ଥା ଜୀବନ୍ତ ଅଛି, ବ୍ୟାପକ ହେଉଛି ।

ଭାଇ ଓ ଭଉଣୀମାନେ, ଭାରତ ସର୍ବଦା ସମଗ୍ର ବିଶ୍ୱକୁ ମାନବତା, ଗଣତନ୍ତ୍ର, ସୁଶାସନ, ଅହିଂସାର ସନ୍ଦେଶ ଦେଇଛି । ଯେତେବେଳେ ବିଶ୍ୱର ବଡ଼ ବଡ଼ ଦେଶ, ପାଶ୍ଚାତ୍ୟର ବଡ଼ ବଡ଼ ବିଶେଷଜ୍ଞମାନେ ଗଣତନ୍ତ୍ରକୁ ଏକ ନୂଆ ଦୃଷ୍ଟିକୋଣରେ ଦେଖିବା ଆରମ୍ଭ କରିଥିଲେ, ତା’ର ଶହଶହ ବର୍ଷ ପୂର୍ବରୁ ଭାରତ ଏହି ମୂଲ୍ୟବୋଧକୁ ନାକେବଳ ଆପଣାଇଥିଲା ବରଂ ନିଜର ପ୍ରଶାସନିକ ପଦ୍ଧତିରେ ବି ସାମିଲ କରିଥିଲା ।

ଭଗବାନ ବସବେଶ୍ୱର ଦ୍ୱାଦଶ ଶତାବ୍ଦୀରେ ବିଶ୍ୱକୁ ଗଣତନ୍ତ୍ରର, ସମାନତାର ବିଚାରଧାରା ଦେଇଥିଲେ । ସେ ‘ଅନୁଭବ ମଣ୍ଡପ’ ନାଁରେ ଏକ ଏଭଳି ବ୍ୟବସ୍ଥା ବିକଶିତ କରିଥିଲେ, ଯେଉଁଥିରେ ସବୁ ପ୍ରକାରର ଲୋକ, ଗରିବ-ଦଳିତ-ପୀଡ଼ିତ-ବଂଚିତ ନିଜର ବିଚାର ରଖିପାରୁଥିଲେ । ଏଠି ସମସ୍ତେ ସମାନ ଥିଲେ ।

2015 ମସିହାରେ ଯେତେବେଳେ ବ୍ରିଟେନ ଯାଇଥିଲି, ସେଠାରେ ଭଗବାନ ବସବେଶ୍ୱରଙ୍କ ମୂର୍ତ୍ତି ଲୋକାର୍ପଣ କରିବାର ସୌଭାଗ୍ୟ ମଧ୍ୟ ମୋତେ ମିଳିଥିଲା ।

ମୋର ମନେ ଅଛି ବ୍ରିଟେନର ପ୍ରଧାନମନ୍ତ୍ରୀ ସେତେବେଳେ ମାଗ୍ନା କାର୍ଟାଙ୍କ ଉଲ୍ଲେଖ କରୁଥିଲେ ।

କିନ୍ତୁ ମାଗ୍ନା କାର୍ଟାଙ୍କ ବହୁତ ପୂର୍ବରୁ ବସବେଶ୍ୱର ଆମକୁ ଏଭଳି ଏକ ସଂସଦ ସହ ପରିଚିତ କରାଇ ଦେଇଥିଲେ ।

ଭଗବାନ ବସବେଶ୍ୱରଙ୍କ ‘ବାଣୀ’ ଥିଲା କି-

“ଯେତେବେଳେ ବିଚାରର ଆଦାନ-ପ୍ରଦାନ ନହେବ, ଯେତେବେଳେ ତର୍କର ସହ ବିତର୍କ ନହେବ,ସେତେବେଳେ ଅଭିଜ୍ଞ ଗୋଷ୍ଠୀଙ୍କର ମଧ୍ୟ ପ୍ରାସଙ୍ଗିକତା ରହିବ ନାହିଁ । ଯେଉଁଠି ଏଭଳି ହୋଇଥାଏ ସେଠାରେ ଈଶ୍ୱର ମଧ୍ୟ ବାସ କରନ୍ତି ନାହିଁ ।”

ଅର୍ଥାତ ସେ ବିଚାରର ଏହି ମନ୍ଥନକୁ ଈଶ୍ୱରଙ୍କ ଭଳି ଶକ୍ତିଶାଳୀ ଓ ଈଶ୍ୱରଙ୍କ ଭଳି ଆବଶ୍ୟକ ବୋଲି କହିଥିଲେ । ଅନୁଭବ ମଣ୍ଡପକୁ ମଧ୍ୟ ଖୋଲାଖୋଲି କହିବାର ସ୍ୱାଧୀନତା ରହିଥିଲା ।

ସମାଜର ପ୍ରତ୍ୟେକ ବର୍ଗରୁ ଆସିଥିବା ମହିଳା ମଧ୍ୟ ନିଜର ବିଚାର ବ୍ୟକ୍ତ କରୁଥିଲେ । କେତେକ ମହିଳା ଏଭଳି ବି ଥିଲେ ଯେଉଁମାନେ ସେତେବେଳେ ଏଭଳି ତଥାକଥିତ ସଭ୍ୟସମାଜ ଭିତରକୁ ଆସିବେ ବୋଲି ଆଶା ମଧ୍ୟ କରାଯାଉନଥିଲା । ଏଭଳି ମହିଳମାନେ ମଧ୍ୟ ଆସି ଅନୁଭବ ମଣ୍ଡପରେ ନିଜର କଥା ରଖୁଥିଲେ ।

ମହିଳା ସଶକ୍ତିକରଣକୁ ନେଇ ସେତେବେଳେ ବହୁତ ବଡ଼ ପ୍ରୟାସ ହୋଇଥିଲା  । ମୁଁ ଗତବର୍ଷ ହିଁ ଭଗବାନ ବସବେଶ୍ୱରଙ୍କ ବାଣୀର 23ଟି ଭାଷାରେ ହୋଇଥିବା ଅନୁବାଦଗୁଡିକୁ ଲୋକାର୍ପଣ କରିଥିଲି ।

ମୋର ଆଶା ଯେ ଏହା ଭଗବାନ ବସବେଶ୍ୱରଙ୍କ ସନ୍ଦେଶକୁ ଲୋକଙ୍କ ନିକଟରେ ପହଚାଂଇବାରେ ବହୁତ ଉପଯୋଗୀ ସାବ୍ୟସ୍ତ ହେଉଥିବ ।

ଏହି ଅବସରରେ ମୁଁ ପୂର୍ବତନ ଉପରାଷ୍ଟ୍ରପତି ଶ୍ରୀ ବି.ଡି.ଜଟ୍ଟିଙ୍କୁ ମଧ୍ୟ ନମସ୍କାର ଜଣାଉଛି ଓ ବାସବା ସମିତିରେ ତାଙ୍କର ଯୋଗଦାନକୁ ସ୍ମରଣ କରୁଛି । ଶ୍ରୀ ଅରବିନ୍ଦ ଜଟ୍ଟିଙ୍କର ମଧ୍ୟ ବିଶେଷ ଉଲ୍ଲେଖ କରିବାକୁ ଚାହୁଁଛି ।

ବନ୍ଧୁଗଣ, ମୋତେ କୁହାଯାଇଛି କି ପୂଜନୀୟ ଶ୍ରୀ ସିଦ୍ଧ ରମେଶ୍ୱର ମହାସ୍ୱାମୀଙ୍କ ଦ୍ୱାରା ଅନୁଭବ ମଣ୍ଡପକୁ ପୁଣିଥରେ ଆରମ୍ଭ କରିବାର ସଂକଳ୍ପ ନିଆଯାଇଥିଲା । ଆଉ ସେ ଏହାକୁ ଏଠାର ମଠରେ ସ୍ଥାପିତ କରିବାକୁ ଚାହୁଁଥିଲେ ।

ଏହା ଅତ୍ୟନ୍ତ ଖୁସିର କଥା କି ସେମାନଙ୍କର ଏହି ସ୍ୱପ୍ନ ଶ୍ରୀ ମୁରୁଘା ରାଜେନ୍ଦ୍ର ମହାସ୍ୱାମୀଙ୍କ ନେତୃତ୍ୱରେ ସାକାର ହୋଇଛି । ଏହି ‘ଅନୁଭବ ମଣ୍ଡପ’ରୁ ଦେଶରେ ସମାନତାର ଅଧିକାରର ସନ୍ଦେଶ ପ୍ରସାରିତ ହେବ ।

‘ସର୍ବ ଜନ ସୁଖିନୋ ଭବନ୍ତୁ’ର ମନ୍ତ୍ରରେ ଚାଲି ସମସ୍ତଙ୍କ ସୁଖ କାମନା ସହ ହେଉଥିବା ଏହି ଆୟୋଜନ ନିମନ୍ତେ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି ।

ବନ୍ଧୁଗଣ, 2022ରେ ଆମ ଦେଶର ସ୍ୱାଧୀନତାର 75ବର୍ଷ ପୂର୍ତ୍ତି ପର୍ବ ପାଳନ କରାଯିବ । ଏହି ପର୍ବକୁ କ’ଣ ଆମେ ଦେଶର ଆଭ୍ୟନ୍ତରୀଣ ଦୁର୍ବଳତା ସହ ପାଳନ କରିବା? ନା । ଆମ ସମସ୍ତେ ସଂକଳ୍ପ ନେଇଛେ କି ନବ୍ୟ ଭାରତ ଗଠନ କରିବା ପାଇଁ । ଏହି ସଂକଳ୍ପରେ ଆପଣମାନଙ୍କ ଯୋଗଦାନ, ସଂକଳ୍ପରେ ସିଦ୍ଧିର ଏହି ଯାତ୍ରାକୁ ଅଧିକ ସୁଗମ କରିଦେବ । କ’ଣ ଶିକ୍ଷା କ୍ଷେତ୍ରରେ, ଝିଅମାନଙ୍କ ପଢ଼ିବା କ୍ଷେତ୍ରରେ, ଯୁବବର୍ଗଙ୍କୁ କୌଶଳ ବିକାଶ କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ, ସ୍ୱଚ୍ଛତା କ୍ଷେତ୍ରରେ, ଡିଜିଟାଲ ସାକ୍ଷରତା କ୍ଷେତ୍ରରେ, ସୌର ଶକ୍ତିର ପ୍ରସାର ନିମନ୍ତେ, କ’ଣ ଆପଣଙ୍କ ଦ୍ୱାରା କୌଣସି ସଂକଳ୍ପ ନିଆଯାଇ ପାରିବ ନାହିଁ?

ମୁଁ ଜାଣିଛି ଆପଣମାନେ ଏଭଳି କ୍ଷେତ୍ରରେ ପୂର୍ବରୁ କାମ କରୁଛନ୍ତି । କିନ୍ତୁ କ’ଣ  ସଂଖ୍ୟାରେ କୌଣସି ଲକ୍ଷ୍ୟ ନିର୍ଦ୍ଧାରଣ କରି କୌଣସି ସଂକଳ୍ପ ନିଆଯାଇପାରିବ । ଯେମିତିକି କ’ଣ ଏହି ସଂକଳ୍ପ ନେଇହେବ କି ଆସନ୍ତା 2ବର୍ଷ ମଧ୍ୟରେ 2ହଜାର, 5ହଜାର ଗାଁକୁ ଖୋଲାରେ ଶୌଚମୁକ୍ତ କରିବାରେ ସହାୟତା କରିପାରିବେ । କ’ଣ ଏହି ସଂକଳ୍ପ ନିଆଯାଇପାରିବ କି ଆସନ୍ତା 2ବର୍ଷ ମଧ୍ୟରେ ଆପଣଙ୍କ ଦ୍ୱାରା ଚିହ୍ନଟ 5ହଜାର ଗାଁରେ, ପ୍ରତ୍ୟେକ ଘରେ ଏଲଇଡି ବଲ୍ବ ହେବ ।

ବନ୍ଧୁଗଣ, ସରକାର ଏହି ସମସ୍ତ କ୍ଷେତ୍ରରେ କାର୍ଯ୍ୟ କରୁଛି । କିନ୍ତୁ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧିରେ, ଲୋକଙ୍କୁ ପ୍ରୋତ୍ସାହିତ କରିବାରେ ଆପଣମାନଙ୍କର ବଡ଼ ଭୂମିକା ରହିଛି । ମୋର ବିଶ୍ୱାସ କି ଆପଣମାନେ ଯେତେବେଳେ ପଦକ୍ଷେପ ନେବେ, ସେତେବେଳେ ଲକ୍ଷଲକ୍ଷ ବିବେକାନନ୍ଦଙ୍କ ଶକ୍ତି ଆପଣଙ୍କ ସଂକଳ୍ପକୁ ସିଦ୍ଧି କରାଇବ ।

ଏବେ ବେଲାଗାଭିରେ 10ହଜାର ବିବେକାନନ୍ଦ ଏକଜୁଟ ହୋଇଛନ୍ତି । ସେତେବେଳେ ଲକ୍ଷାଧିକ ବିବେକାନନ୍ଦ ଏକଜୁଟ ହେବେ । ଆପଣଙ୍କ କାର୍ଯ୍ୟ ସିଦ୍ଧି ହେଲେ ଆମର ସାମାଜିକ ବ୍ୟବସ୍ଥା ମଧ୍ୟ ଅଧିକ ସୁଦୃଢ଼ ହେବ । ଏକ ଭାରତ-ଶ୍ରେଷ୍ଠ ଭାରତର ସାମର୍ଥ୍ୟବାନ ଭାରତର ସ୍ୱାମୀ ବିବେକାନନ୍ଦଙ୍କ ସ୍ୱପ୍ନ ପୂରଣ ହେବ ।

ଏସବୁ ଶବ୍ଦ ସହ ନିଜର କଥା ସମାପ୍ତ କରୁଛି । ପୁଣିଥରେ ମଂଚରେ ଉପସ୍ଥିତ ସମସ୍ତ ସନ୍ଥମାନଙ୍କୁ ପ୍ରଣାମ କରୁଛି । ଆପଣ ସମସ୍ତଙ୍କୁ ରାଷ୍ଟ୍ରୀୟ ଯୁବ ଦିବସ ଓ ସର୍ବ ଧର୍ମ ସଭା ପାଇଁ ପୁଣିଥରେ ବହୁତ ବହୁତ ଶୁଭକାମନା ।

 

ବହୁତ ବହୁତ ଧନ୍ୟବାଦ !!!