Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ବଜେଟ ଅଧିବେଶନ-2018 ପୂର୍ବରୁ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି


• ତିନି ତଲାକ ବିଲ ଗୃହୀତ କରାଇବା ମୁସଲିମ ମହିଳାମାନଙ୍କ ପାଇଁ 2018ର ସର୍ବୋତ୍ତମ ଉପହାର ହେବ
• ଭାରତର ଅଭିବୃଦ୍ଧି ଓ ଭବିଷ୍ୟତ ପନ୍ଥା ଉପରେ ସକାରାତ୍ମକ ଭାବନା ରଖିଛି ବିଶ୍ୱ ସମୁଦାୟ

“ବନ୍ଧୁଗଣ ନମସ୍କାର, ସଂସଦର ବଜେଟ ଅଧିବେଶନ ଆଜିଠୁ ଆରମ୍ଭ ହେଉଛି । ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହେବ । ମୁସଲିମ ମହିଳାମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ଦେବାକୁ ତିନି ତଲାକ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କୌଣସି ରାଜନୀତି ହେବ ନାହିଁ ବୋଲି ଗତ ଅଧିବେଶନ କାଳରେ ଦେଶବାସୀ ଆଶା କରିଥିଲେ ଏବଂ ଆମର ବି ଏ ଦିଗରେ ପ୍ରଚେଷ୍ଟା ରହିଥିଲା । ତେବେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ଵେ ସଂସଦରେ ତିନି ତଲାକ୍ ବିଲ ଗୃହୀତ ହୋଇପାରିଲା ନାହିଁ । ମୁସଲିମ ମହିଳାମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ଲାଗି ତିନି ତଲାକ ବିଲକୁ ଗୃହୀତ କରାଇବା ଦିଗରେ ଦେଶର ସମସ୍ତ ରାଜନୈତିକ ଦଳ ହାତ ମିଳାଇବାକୁ ମୁଁ ଅନୁରୋଧ କରୁଛି ଏବଂ ଏହା ହେବ ବୋଲି ଆଶା ମଧ୍ୟ କରୁଛି । ନୂତନ ବର୍ଷରେ ମୁସଲିମ ମହିଳାମାନଙ୍କ ପାଇଁ ଏହା 2018ର ସର୍ବୋତ୍ତମ ଉପହାର ହୋଇପାରିବ ।
ବଜେଟ ଅଧିବେଶନ ଅତି ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ବିଶ୍ୱ ସମୁଦାୟ ବେଶ ଆଶାବାଦୀ । ଏହା ଏପରି ଏକ ସମୟରେ ଆସୁଛି, ଯେତେବେଳେ କି ସମଗ୍ର ବିଶ୍ୱ ଆମକୁ ଅନାଇ ରହିଛି । ବିଶ୍ୱର କ୍ରେଡିଟ ରେଟିଂ ଏଜେନ୍ସି, ବିଶ୍ୱବ୍ୟାଙ୍କ, ଆଇଏମଏଫ ସମସ୍ତେ ଭାରତର ଅଭିବୃଦ୍ଧି ଏବଂ ଆଗକୁ ଥିବା ରାସ୍ତା ଉପରେ ସକାରାତ୍ମକ ଭାବନା ରଖିଛନ୍ତି । ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥାକୁ ଏହି ବଜେଟ ନୂତନ ଶକ୍ତି ଦେବ । ଏହା ସାଧାରଣ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ । ବଜେଟ ଅଧିବେଶନର ଏକ ମାସ ପରେ ବଜେଟ ପ୍ରସ୍ତାବର ବିଭିନ୍ନ ଦିଗ ଉପରେ ଅନୁଧ୍ୟାନ କରିବେ । ଅତୀତର ଅଭିଜ୍ଞତାରୁ ଜଣାପଡ଼େ ଏହି ଅନୁଧ୍ୟାନ ବେଳେ ରାଜନୈତିକ ସ୍ୱାର୍ଥଠାରୁ ଜାତୀୟ ସ୍ୱାର୍ଥ ଉର୍ଦ୍ଧ୍ଵରେ ରହିଥାଏ । ଦଳମତ ନିର୍ବିଶେଷରେ, ଏପରିକି ଶାସକ ଦଳର ସାଂସଦମାନେ ଏଥିରେ ଥିବା ତ୍ରୁଟିକୁ ଦର୍ଶାଇଥାନ୍ତି ଏବଂ ବିରୋଧୀ ଦଳର ସଦସ୍ୟମାନେ ଏହାର ମୁଖ୍ୟ ଗୁରୁତ୍ୱପୂର୍ଣ୍ଣ ଦିଗକୁ ସ୍ପଷ୍ଟ କରିଥାନ୍ତି । ଏହା ବଜେଟ ଉପରେ ତର୍କ ଓ ଆଲୋଚନା ପାଇଁ ସୁସ୍ଥ ପରିବେଶର ରାସ୍ତା ଖୋଲିଥାଏ ।
ଗତକାଲି ସର୍ବଦଳୀୟ ବୈଠକରେ ମୁଁ କମିଟିଗୁଡ଼ିକରେ ଆଲୋଚନାକୁ ଅଧିକ ଗୁରୁତ୍ୱ ଦେଇ ବଜେଟରୁ କିପରି ସାଧାରଣ ଲୋକମାନେ ଅଧିକ ଫାଇଦା ପାଇପାରିବେ ତାହାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛି । ଦଳିତ, ଅବହେଳିତ ଏବଂ ନିଷ୍ପେସିତ ତଥା ଯେଉଁମାନଙ୍କ ନିକଟରେ ଏହି ଫାଇଦା ପହଁଚିପାରୁନି ସେମାନଙ୍କୁ ହିଁ ଆମେ ଅଧିକ ଗୁରୁତ୍ୱ ଦେବା ଉଚିତ । ବଜେଟରୁ କିପରି ଗାଁ ଗଣ୍ଡାର ଲୋକେ, କୃଷକ, ଗରିବ ଏବଂ ଶ୍ରମିକମାନେ ଅଧିକ ଲାଭବାନ ହେବେ ସେଥିପ୍ରତି ମଧ୍ୟ ଆମେ ନଜର ଦେବା ଉଚିତ । ଚାଲନ୍ତୁ ସବିଶେଷ ଆଲୋଚନା କରିବା, ସକାରାତ୍ମକ ଭାବନାର ପରିପ୍ରକାଶ କରନ୍ତୁ ଏବଂ ଆଗକୁ ଯିବା ପାଇଁ ମାର୍ଗଚିତ୍ର ପ୍ରସ୍ତୁତ କରନ୍ତୁ ।” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

**********