Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୌହାଟୀରେ ଏଡଭାଣ୍ଟେଜ ଆସାମ – ବିଶ୍ୱ ନିବେଶକ ସମ୍ମେଳନ-2018ରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ଅଭିଭାଷଣ


ଭୁଟାନର ପ୍ରଧାନମନ୍ତ୍ରୀ ଶେରିଙ୍ଗ ତୋବଗେ ମହୋଦୟ,

ଆସାମର ରାଜ୍ୟପାଳ ପ୍ରଫେସର ଜଗଦିଶ ମୁଖୀ ମହୋଦୟ, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ମହାଶୟ,

ସାରା ବିଶ୍ୱରୁ  ବିଶେଷ କରି ଆସିଆନ ଦେଶରୁ ଆସିଥିବା ପ୍ରତିନିଧି ଗଣ,

ସାରା ଦେଶରୁ ଆସିଥିବା ଉଦ୍ୟୋଗୀ ଏବଂ ଏଠାରେ ଉପସ୍ଥିତ ଅନ୍ୟ ମହାନୁଭବ,

ଆଜି ଏଠି ହେଉଥିବା ସମ୍ମେଳନରେ ଉପସ୍ଥିତ ଲୋକମାନଙ୍କୁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି ।

ଏହି ଅବସରରେ ଆସାମର ଲୋକମାନଙ୍କୁ ମୋର ଗଭୀର ଶ୍ରଦ୍ଧା ଜ୍ଞାପନ କରୁଛି ।

‘ବିଶ୍ୱ ନିବେଶକ ସମ୍ମେଳନ’ରେ, ମୁଁ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ।

ଏହି ସମ୍ମେଳନରେ ଆପଣ ସମସ୍ତଙ୍କ ଉପସ୍ଥିତି ଏହା ପ୍ରଦର୍ଶିତ କରୁଛି କି ଆସାମ  କିପରି ଭାବେ ଆଗକୁ ବଢୁଛି । ବିଶେଷ କରି ମୁଖ୍ୟ ଅତିଥି ଭାବେ ପ୍ରଧାନମନ୍ତ୍ରୀ ତୋବଗେଙ୍କ ଉପସ୍ଥିତି ଭାରତ ଏବଂ ଭୁଟାନ ମଧ୍ୟରେ ଅତୁଟ ବନ୍ଧୁତାର ସାକ୍ଷ୍ୟ ପ୍ରମାଣ ବହନ କରୁଛି ।

ବନ୍ଧୁଗଣ,

ଆମେ ଏକ୍ଟ ଇଷ୍ଟ (Act East)ନୀତି ପ୍ରସ୍ତୁତ କରିଛୁ ଏବଂ ଉତ୍ତର-ପୂର୍ବ ଏହାର ହୃଦୟରେ ଅଛି ।

ଏହି ଏକ୍ଟ ଇଷ୍ଟ ନୀତି ଜନ-ଜନ ମଧ୍ୟରେ ସଂପର୍କ, ବ୍ୟବସାୟିକ ସମ୍ବନ୍ଧ ଏବଂ ଭାରତର ପୂର୍ବରେ ଥିବା ଦେଶ ଗୁଡିକ ସହିତ ବିଶେଷ କରି ଆସିଆନ ଦେଶଗୁଡ଼ିକ ସହିତ ସଂପର୍କ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ଏହି ସମ୍ମେଳନର ନିର୍ଯ୍ୟାସ କଥନ(Tag Line) ଉପଯୁକ୍ତ ଏବଂ ଏକ ବୃହତ୍ତ ବାର୍ତ୍ତା ପ୍ରଦାନ କରୁଛି ।

ସୁବିଧାଜନକ ସ୍ଥିତିରେ ଆସାମ: ଆସିଆନକୁ ଭାରତର ଏକ୍ସପ୍ରେସ୍ ୱେ (Advantage Assam: India’s Express way to ASEAN) କେବଳ ଏକ ବକ୍ତବ୍ୟ ନୁହେଁ, ବରଂ ଏହା ଏକ ବୌଦ୍ଧିକ ଦୃଷ୍ଟିଭଙ୍ଗୀ । ନିକଟରେ ଆମେ ଆସିଆନ-ଭାରତ ଶିଖର ସମ୍ମେଳନରେ ଭାଗିଦାରୀତାର 25 ବର୍ଷ ପାଳନ କରିଛୁ ।

ଆସିଆନ-ଭାରତ ଭାଗିଦାରୀ, ହୁଏତ 25ବର୍ଷ ତଳର, କିନ୍ତୁ ସେହି ଦେଶମାନଙ୍କ ସହିତ ଆମର ହଜାର-ହଜାର ବର୍ଷ ପୂର୍ବର ସମ୍ବନ୍ଧ ରହିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ସମାରୋହରେ 10ଟି ଆସିଆନ ଦେଶର ମୁଖ୍ୟମାନେ ଅତିଥି ଭାବେ ଯୋଗ ଦେବା ଭାରତ ପାଇଁ ଗୌରବର ବିଷୟ ।

ବାଂଲାଦେଶ ଏଇ ନିକଟରେ ଗୌହାଟୀରେ ଏକ ବାଣିଜ୍ୟ ଦୂତାବାସ ଖୋଲିଛି, ପ୍ରଥମ ଦେଶ ଭାବେ ସେ ଏହା କରିଛି । ମୁଁ ଏହା ଜାଣି ଖୁସି ଯେ ଭୁଟାନ ରାଜତନ୍ତ୍ର ଗତକାଲି  ଗୌହାଟୀରେ ଏକ ବାଣିଜ୍ୟ ଦୂତାବାସ ଖୋଲିଛନ୍ତି ।

ଭାଇ ଓ ଭଉଣୀମାନେ,

ଭାରତର ବିକାଶ ଗାଥାରେ ଆହୁରି ଅଧିକ ଗତି ସେତେବେଳେ ଆସିବ ଯେତେବେଳେ ଦେଶର ପୂର୍ବୋତ୍ତରରେ ରହୁଥିବା ଲୋକଙ୍କର, ଏଠାକାର ସମାଜର, ଏହି ସଂପୂର୍ଣ୍ଣ କ୍ଷେତ୍ରର ସନ୍ତୁଳିତ ବିକାଶ ମଧ୍ୟ ଦ୍ରୁତ ଗତିରେ ହେବ ।

ମୁଁ ଏହା ସ୍ୱୀକାର କରୁଛି ଯେ ଇମ୍ଫାଲରୁ ନେଇ ଗୌହାଟୀ ପର୍ଯ୍ୟନ୍ତ ଆଉ କୋଲକାତାରୁ ନେଇ ପାଟନା ପର୍ଯ୍ୟନ୍ତ, ପୂର୍ବଭାରତ ଭାରତ ବିକାଶର ନୂତନ ଉର୍ଜ୍ଜା କେନ୍ଦ୍ର ହେବା ଦରକାର । ଏହା ହେଉଛି ଆମର ଏକ୍ଷ୍ୟ, ଏହା ହେଉଛି ଆମର ଦୃଷ୍ଟିଭଙ୍ଗୀ ।

ଏହି ଦୃଷ୍ଟିଭଙ୍ଗୀକୁ ନେଇ ବିଗତ ସାଢ଼େ ତିନି ବର୍ଷରେ କେନ୍ଦ୍ର ସରକାରଙ୍କ ତରଫରୁ ଆଉ ବିଗତ ଦେଢ଼ ବର୍ଷରେ, ଆସାମ ସରକାରଙ୍କ ତରଫରୁ କରାଯାଇଥିବା ପ୍ରୟାସର ପରିଣାମ ଏବେ ଆହୁରି ଅଧିକ ଭଲ ଭାବରେ ଦୃଷ୍ଟିଗୋଚର ହେଲାଣି ।

ଆଜି ଯେତିକି ବ୍ୟାପକ ମାତ୍ରାରେ ଏହି ଆୟୋଜନ ହେଉଛି, ତାହା କିଛି ବର୍ଷ ପୂର୍ବରୁ କେହି ଚିନ୍ତା ମଧ୍ୟ କରିପାରୁ ନଥିଲେ ।

ଏହା ଏଥିପାଇଁ ସମ୍ଭବ ହୋଇଛି କାରଣ ‘ଦେଶରେ କିଛି ବଦଳି ପାରିବ ନାହିଁ’ ର ଚିନ୍ତାଧାରାରେ ପରିବର୍ତ୍ତନ ଆସିଛି । ଲୋକମାନଙ୍କ ମଧ୍ୟରେ ହତାଶା ସ୍ଥାନରେ ଏବେ ରହିଛି ପ୍ରବଳ ଇଚ୍ଛାଶକ୍ତି ଆଉ ଆଶା ।

ସାଥୀଗଣ,

ଆଜି ଦେଶରେ ଦୁଇଗୁଣ ଗତିରେ ସଡ଼କ ତିଆରି ହେଉଛି, ଦୁଇଗୁଣ ଗତିରେ ରେଳଲାଇନ ଦୋହରୀକରଣ ହେଉଛି, ପାଖାପାଖି ଦୁଇଗୁଣ ଗତିରେ ରେଳଲାଇନ ବିଦ୍ୟୁତକରଣ ହେଉଛି ।

ଭାଇ ଓ ଭଉଣୀମାନେ,

ଆମେ ସମସ୍ତ ଯୋଜନାଗୁଡ଼ିକୁ ସେହି ଦିଗରେ ନେଇଯାଉଛୁ ଯାହା ଗରିବ, ନିମ୍ନ ମଧ୍ୟମ ବର୍ଗ ଏବଂ ମଧ୍ୟମ ବର୍ଗଙ୍କ ଜୀବନରେ ଗୁଣାତ୍ମକ ପରିବର୍ତ୍ତନ ଆଣିବ ।

ଆମେ ଆମର ଯୋଜନାଗୁଡ଼ିକୁ ଲୋକଙ୍କର ଆବଶ୍ୟକତା ସହିତ ଯୋଡ଼ୁଛୁ । ଏଭଳି  ଯୋଜନାଗୁଡ଼ିକ ଯାହା ସେମାନଙ୍କର ଜୀବନକୁ ସହଜ କରିଦେବ, ‘ସହଜରେ ସହାବସ୍ଥାନକୁ ବଢ଼ାଇବ ।’

ଆପଣଙ୍କୁ ଜଣାଥିବ କି ସରକାର ବଜେଟରେ ଆୟୁଷ୍ମାନ ଭାରତ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି । ଏହା ହେଉଛି ଦୁନିଆର ଏଭଳି ସର୍ବ ବୃହତ ଯୋଜନା ।

ସାଥୀଗଣ,

ଯିଏ ଗରିବୀରେ ଲାଳିତ-ପାଳିତ ହୋଇ ବଢ଼ିଛି, ଯିଏ ଗରିବୀର କଷ୍ଟ ସହ୍ୟ କରି ଆଗକୁ ବଢ଼ିଛି, ତାକୁ ଏହି କଥାର ଅନୁଭବ ସଦାସର୍ବଦା ହୋଇଥାଏ ଯେ ଗରିବ ପାଇଁ ସବୁଠାରୁ ବଡ଼ ଚିନ୍ତା ହୋଇଥାଏ-ରୋଗର ଚିକିତ୍ସା ।

ଯେତେବେଳେ କୌଣସି ଜଣେ ବ୍ୟକ୍ତି ଜଟିଳ ଭାବେ ରୋଗଗ୍ରସ୍ତ ହୁଏ ତ ସଂପୂର୍ଣ୍ଣ ପରିବାର ଦୀର୍ଘ ସମୟ ପର୍ଯ୍ୟନ୍ତ ଆର୍ଥିକ ସଙ୍କଟରୁ ବାହାରି ଆସି ପାରନ୍ତି ନାହିଁ ।

ଗରିବଙ୍କୁ ଏହି ସଙ୍କଟ, ଏହି ଚିନ୍ତାରୁ ମୁକ୍ତ କରିବା ପାଇଁ ଆମେ ଦେଶର 10କୋଟିରୁ ଅଧିକ ପରିବାରଙ୍କୁ ଆୟୁଷ୍ମାନ ଭାରତ ସହିତ ଯୋଡ଼ୁଛୁ ।

ଏହି ଯୋଜନା ମାଧ୍ୟମରେ, ପ୍ରତ୍ୟେକ ଗରିବ ପରିବାରଙ୍କୁ ଚିହ୍ନଟ ହୋଇଥିବା ଡାକ୍ତରଖାନାରେ ବର୍ଷକ ମଧ୍ୟରେ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ଦିଆଯିବ । ଏହି ଯୋଜନାରେ  ପାଖାପାଖି ଦେଶର 45ରୁ 50କୋଟି ଲୋକଙ୍କୁ ଲାଭ ମିଳିବ ।

ଏହି ଯୋଜନା ଯୋଗୁଁ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରରେ ଡାକ୍ତରଖାନାର ଶୃଙ୍ଖଳ ନିର୍ମାଣ କରିବାର ସମ୍ଭାବନା ବୃଦ୍ଧି ପାଇଛି । ଯୁବକମାନଙ୍କ ପାଇଁ ଏହା ହେବ ସୁନିଶ୍ଚିତ ଆୟର ମାଧ୍ୟମ ।

ଏହାଦ୍ୱାରା ଭାରତର ଆଭ୍ୟନ୍ତରୀଣ ଅଂଚଳରେ ପୁଞ୍ଜି ନିବେଶର ବଡ଼ ସୁଯୋଗ ସୃଷ୍ଟି ହେବ । ମୁଁ ମଧ୍ୟ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବି କି ନୂତନ ଡାକ୍ତରଖାନାର ନିର୍ମାଣ ପାଇଁ ନୀତି ପ୍ରସ୍ତୁତ କରନ୍ତୁ । ଆୟୁଷ୍ମାନ ଭାରତ ବ୍ୟତୀତ ଭାରତ ସରକାର ମଧ୍ୟ ନିଜର ଆଉ ଦୁଇଟି ଯୋଜନା ମାଧ୍ୟମରେ, ଗରିବଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତାକୁ ବହୁତ କମ୍‌ କରି ଦେଇଛନ୍ତି ।

ଏହି ସରକାର ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଜୀବନ ଜ୍ୟୋତି ଯୋଜନା ଦ୍ୱାରା ଦେଶର 18କୋଟିରୁ ଅଧିକ ଗରିବ ଲୋକଙ୍କୁ ସୁରକ୍ଷା କବଚ ପ୍ରଦାନ କରିଛନ୍ତି । ସେମାନଙ୍କୁ ବଡ଼ ଚିନ୍ତାରୁ ମୁକ୍ତ କରିଛନ୍ତି ।

ଏହା ବ୍ୟତୀତ, 3ହଜାରରୁ ଅଧିକ ଜନ ଔଷଧି କେନ୍ଦ୍ରରେ 800ରୁ ଅଧିକ ଶସ୍ତା ଔଷଧର ବିକ୍ରି, ଷ୍ଟେଣ୍ଟ ମୂଲ୍ୟରେ 85ପ୍ରତିଶତ ହ୍ରାସ, ଆଣ୍ଠୁ ପ୍ରତିରୋପଣର ଦର ନିୟନ୍ତ୍ରଣ, ଭଳି ଅନେକ କାର୍ଯ୍ୟ ଏହି ସରକାର କରିଛନ୍ତି ଯାହା ମଧ୍ୟମ ବର୍ଗଙ୍କୁ ମଧ୍ୟ ବଡ଼ ଆଶ୍ୱାସନା ଦେଉଛି ।

ସାଥୀଗଣ,

ଆସିଆନ ଦେଶ ହେଉ, ବାଂଲାଦେଶ-ଭୁଟାନ-ନେପାଳ ହେଉ, ଆମେ ସମସ୍ତେ ହେଉଛେ ଏକ ପ୍ରକାରରେ କୃଷି ପ୍ରଧାନ ଦେଶ । କୃଷକମାନଙ୍କର ଉନ୍ନତି, ଏହି ସମଗ୍ର ଅଂଚଳର ବିକାଶକୁ ନୂତନ ଶିଖରରେ ପହଂଚାଇ ପାରିବ ।

ଏଥିପାଇଁ ଆମ ସରକାର ଦେଶର କୃଷକମାନଙ୍କର ଆୟକୁ ଦୁଇଗୁଣା କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି ।

ଏହି ଲକ୍ଷ୍ୟ ପ୍ରାପ୍ତି ପାଇଁ ଯେତେବେଳେ ଗୋଟିଏ ପଟେ ସରକାର ଏହି କଥା ଉପରେ ଗୁରୁତ୍ୱ ଦେଉଛନ୍ତି କୃଷକ ଚାଷ ପାଇଁ ହେଉଥିବା ଖର୍ଚ୍ଚ କମ୍‌ କରୁ, ଅନ୍ୟ ପକ୍ଷରେ କୃଷକମାନଙ୍କୁ ସେମାନଙ୍କର ଫସଲର ଉଚିତ ମୂଲ୍ୟ ମିଳୁ, ସେହି ଦିଗରେ ମଧ୍ୟ କାର୍ଯ୍ୟ କରାଯାଉଛି । ଏହି ବର୍ଷ ସରକାର କୃଷି ଏବଂ ଗ୍ରାମୀଣ କ୍ଷେତ୍ରରେ 14ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି । ଆମେ ଏବେ ଦୁଇ ଦିନ ପୂର୍ବରୁ କୃଷକ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରାଇବା ପାଇଁ ଆଉ ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛୁ । ଏହା ଅଧୀନରେ କୃଷକମାନଙ୍କୁ ସେମାନଙ୍କର ଫସଲର ଅତି କମରେ 50 ପ୍ରତିଶତ ଅର୍ଥାତ ଦେଢ଼ ଗୁଣ ମୂଲ୍ୟ ସୁନିଶ୍ଚିତ ହେବ ।

ଏହା ବ୍ୟତୀତ ସରକାର 22ହଜାର ଗ୍ରାମୀଣ ହାଟକୁ ଗ୍ରାମୀଣ କୃଷକ ବଜାର ଭାବେ ବିକଶିତ କରିବେ ଆଉ ସେଗୁଡ଼ିକୁ ଇ-ନାମ ଅର୍ଥାତ ଜାତୀୟ ଇଲେକ୍ଟ୍ରୋନିକ୍ କୃଷକ ବଜାର ମଂଚ ସହିତ ଯୋଡିଦିଆଯିବ ।

ଭାଇ ଓ ଭଉଣୀମାନେ,

କିଛି ସପ୍ତାହ ପୂର୍ବରୁ ଆମେ ଆଉ ଏକ ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ ଆଉ ଆଜି ମୁଁ ଉତ୍ତର-ପୂର୍ବରେ ଅଛି ତ ଏହି ନିଷ୍ପତ୍ତି ନେଇ ନିଶ୍ଚିତ ଆଲୋଚନା କରିବାକୁ ଚାହୁଁଛି ।

ସାଥୀଗଣ,

ବୈଜ୍ଞାନିକ ପଦ୍ଧତିରେ ବାଉଁଶ, ଘାସର ଶ୍ରେଣୀରେ ଆସେ । କିନ୍ତୁ ପାଖାପାଖି 90 ବର୍ଷ ପୂର୍ବେ ଆମର ଏଠାରେ ଆଇନ ତିଆରି କରୁଥିବା ଲୋକ ଏହାକୁ ବୃକ୍ଷର ମାନ୍ୟତା ଦେଇଥିଲେ । ଏହାର ପରିଣାମ ଏହା ହେଲା କି ବାଉଁଶ ଯେଉଁଠାରେ ମଧ୍ୟ ଉଠୁ, ତାକୁ କାଟିବା ପାଇଁ, ତା’ର ପରିବହନ କରିବା ପାଇଁ, ଅନୁମତିର ଆବଶ୍ୟକତା ପଡ଼ୁଥିଲା, ମଞ୍ଜୁରିର ଆବଶ୍ୟକତା ପଡ଼ୁଥିଲା ।

ମୋତେ ଲାଗୁଛି, ସମଗ୍ର ଦେଶରେ ଯଦି କୌଣସି କ୍ଷେତ୍ରର ଲୋକମାନଙ୍କୁ ଏହି ନିୟମ ଦ୍ୱାରା ଅଧିକରୁ ଅଧିକ କ୍ଷତି ହେଉଥିଲା ତ ତାହା ଉତ୍ତର-ପୂର୍ବର ଲୋକମାନଙ୍କର ହିଁ କ୍ଷତି ହେଉଥିଲା ।

ଏତେ ବର୍ଷ ପରେ ଦେଶ ସ୍ୱାଧୀନ ହେଲା, କେତେ ସରକାର ଆସିଲେ, ଗଲେ, କିନ୍ତୁ ବାଉଁଶକୁ ବୃକ୍ଷର ପରିଭାଷାରୁ ଅଲଗା କରି ଦେଶର ଲକ୍ଷ-ଲକ୍ଷ କୃଷକ, ଆଦିବାସୀମାନଙ୍କୁ ଲାଭ ପହଞ୍ଚାଇଲା ଭଳି କାମ ଆମ ସରକାର ହିଁ କଲେ ।

ଏବେ ଆମେ ପାଖାପାଖି 1300 କୋଟି ଟଙ୍କା ଅଟକଳରେ ଜାତୀୟ ବାଉଁଶ ମିଶନକୁ ପୁନଃସଂଗଠିତ କରିବାକୁ ଯାଉଛୁ । ଉତ୍ତର-ପୂର୍ବର ଲୋକମାନଙ୍କୁ, ବିଶେଷ କରି ଏଠାକାର କୃଷକଙ୍କୁ ବଜେଟ ଦ୍ୱାରା ଆଉ ଏକ ଲାଭ ମିଳିବାକୁ ଯାଉଛି ।

ଭାଇ ଓ ଭଉଣୀମାନେ,

ଆମର ଏଠି ଚାଷବାସ ପାଇଁ ଋଣ ମିଳିବା ସହଜ ହୋଇଥାଏ, କିନ୍ତୁ ଯିଏ ଚାଷ ସହିତ ଜଡ଼ିତ ଅନ୍ୟ ଯେଉଁ ବ୍ୟବସାୟ ରହିଛି, ଯେପରି କୁକୁଡ଼ା ପାଳନ, ମାଛଚାଷ, ମହୁମାଛି ପାଳନ, ପଶୁପାଳନ ଏଥିପାଇଁ ଋଣ ନେବାରେ କୃଷକମାନଙ୍କୁ ଅସୁବିଧା ହେଉଥିଲା । ଏବେ ଆମେ 10 ହଜାର କୋଟି ଟଙ୍କାର ଧନ ରାଶି ବିଶେଷ କରି ମତ୍ସ୍ୟ ପାଳନ ଏବଂ ପଶୁପାଳନକୁ ଧ୍ୟାନରେ ରଖି ଦୁଇଟି ଭିତ୍ତିଭୂମି ପାଣ୍ଠି ଗଠନ କରିବାର ନିର୍ଣ୍ଣୟ କରିଛୁ ।

ସରକାର କିଷାନ କ୍ରେଡିଟ କାର୍ଡ ଦ୍ୱାରା ଋଣ ନେବାର ପଥକୁ ସୁଗମ କରିଛନ୍ତି ।

ଏହି ସରକାର ସୁଲଭ ମୂଲ୍ୟରେ ଘର ପାଇଁ ମଧ୍ୟ ଏଭଳି ନୀତିଗତ ନିଷ୍ପତି ନେଇଛନ୍ତି, ସଂସ୍କାର ଆଣିଛନ୍ତି, ଯାହା ଦେଶର ପ୍ରତ୍ୟେକ ଗରିବଙ୍କୁ ଘର ଦେବା ପାଇଁ ସରକାରଙ୍କ ଲକ୍ଷ୍ୟ ପୂରଣ କରିବା ଦିଗରେ ସାହାଯ୍ୟ କରିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ବିଗତ ତିନି ବର୍ଷରେ ପାଖାପାଖି ଏକ କୋଟି ଘର ନିର୍ମାଣ କରାଯାଇଛି । ଆମେ ଏବେ ବଜେଟରେ ଘୋଷଣା କରିଛୁ କି ଏହି ବର୍ଷ ସହିତ ଆସନ୍ତା ବର୍ଷରେ ମଧ୍ୟ 51 ଲକ୍ଷ ନୂତନ ଘର ନିର୍ମାଣ କରାଯିବ ।

ନିମ୍ନ ମଧ୍ୟବିତ୍ତ ବର୍ଗ ଏବଂ ମଧ୍ୟମ ବର୍ଗର ଆଶା ଆକାଂକ୍ଷାକୁ ଧ୍ୟାନରେ ରଖି ସରକାର ଏହି ବର୍ଗଙ୍କୁ ସୁଧ ହାରରେ ଅନେକ ରିହାତି ମଧ୍ୟ ଦେଉଛନ୍ତି ।

ଏହା ବ୍ୟତୀତ ରେରା-ଅର୍ଥାତ ‘ରିୟଲ ଇଷ୍ଟେଟ୍ ନିୟନ୍ତ୍ରଣ ଏବଂ ବିକାଶ ଆଇନ’ ଯୋଗୁଁ ଏହି କ୍ଷେତ୍ରରେ ମଧ୍ୟ ପାରଦର୍ଶୀତା ଆସିଛି ଏବଂ ମଧ୍ୟମ ବର୍ଗଙ୍କୁ ଘର ମିଳିବା ସହଜ ହୋଇଛି ।

ସୁଲଭ ମୂଲ୍ୟରେ ଘର ଯୋଗାଇଦେବା କ୍ଷେତ୍ରରେ ବିଗତ ଦିନରେ ପୁଞ୍ଜିନିବେଶ ବହୁତ ବୃଦ୍ଧି ପାଇଛି, ମୁଁ ବିଦେଶର ଲୋକଙ୍କୁ ମଧ୍ୟ ଏହି କ୍ଷେତ୍ରରେ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରି ଭାଗ ନେବା ପାଇଁ ଅନୁରୋଧ କରୁଛି ।

ଭାଇ ଓ ଭଉଣୀମାନେ,

ସରକାରଙ୍କର ଗୋଟିଏ ଯୋଜନା, କିପରି ଦେଶରେ ଉର୍ଜ୍ଜା କ୍ରାନ୍ତି ଆଣୁଛି, କିପରି ମଧ୍ୟମ ବର୍ଗଙ୍କୁ ବଡ଼ ଆଶ୍ୱାସନା ଦେଉଛି, ତାହାର ଉଦାହରଣ ହେଉଛି ଉଜାଲା ଯୋଜନା । ପୂର୍ବ ସରକାରଙ୍କ ସମୟରେ ସାଢ଼େ ତିନିଶହ ଟଙ୍କାରେ ବିକ୍ରି ହେଉଥିବା ଗୋଟିଏ ଏଲଇଡ଼ି ବଲ୍ବ ଏବେ 40 ରୁ 45 ଟଙ୍କାରେ ମିଳୁଛି । ଏକ ଆକଳନ ଅନୁସାରେ ଯେଉଁ ଘରେ 5ଟି ଏଲଇଡ଼ି ବଲ୍ବ ଲାଗିଛି, ସେହି ପରିବାରର ପ୍ରତ୍ୟେକ ମାସରେ ଅତି କମରେ 400ରୁ 500 ଟଙ୍କା ବିଜୁଳି ବିଲ୍ ସଂଚୟ ହେଉଛି । ଏ ପର୍ଯ୍ୟନ୍ତ ଉଜାଲା ଯୋଜନା ଅଧୀନରେ ଦେଶରେ 28 କୋଟିରୁ ଅଧିକ ଏଲଇଡ଼ି ବଲ୍ବ ବଣ୍ଟନ କରାଯାଇଛି । ଏଥିପାଇଁ ଦେଶର ଅଧିକାଂଶ ମଧ୍ୟମ ବର୍ଗର ଲୋକଙ୍କୁ ପ୍ରତ୍ୟେକ ବର୍ଷ ପ୍ରାୟ 15ହଜାର କୋଟି ଟଙ୍କା ବିଜୁଳି ବିଲ୍ ରେ ସଂଚୟ ହେଉଛି ।

ଆସିଆନ ଦେଶରେ ମଧ୍ୟ ଏଲଇଡ଼ି ବଲ୍ବ ର ଚାହିଦା ବୃଦ୍ଧି ପାଇଛି ଏବଂ ଏହା ଭାରତୀୟ ବ୍ୟବସାୟୀମାନଙ୍କ ପାଇଁ ହେଉଛି ଭଲ ସୁଯୋଗ ।

ସାଥୀଗଣ,

ଲକ୍ଷ୍ୟ ସ୍ଥିର କରି କାମ ସଂପୂର୍ଣ୍ଣ କରିବା ଏହି ସରକାରଙ୍କର ହେଉଛି କାର୍ଯ୍ୟ ସଂସ୍କୃତି, ୱାର୍କ-କଲ୍ଚର୍ ।

ଆସାମର ଲୋକମାନଙ୍କୁ ଏହି କଥାର ଆଶ୍ୱାସନା ଅଛି କି ଯେଉଁ ଢୋଲା ସାଦିଆ ସେତୁର ମୁଁ ଲୋକାର୍ପଣ କରିଥିଲି, ତାହା ଯଦି ପୂର୍ବର ଗତିରେ ଚାଲିଥାଆନ୍ତା ତ ସେହି ସେତୁ ଆଜି ସୁଦ୍ଧା ମଧ୍ୟ ନିର୍ମାଣ ହୋଇପାରି ନ ଥାଆନ୍ତା ।

ଆମେ ସରକାର ସମଗ୍ର ଶାସନ ତନ୍ତ୍ରରେ କାର୍ଯ୍ୟ କରିବାର ଶୈଳୀରେ ପରିବର୍ତ୍ତନ ଆଣିବାର କାମ କରିଛନ୍ତି । ଏହାର ପରିଣାମ ହେଉଛି କି ଆମେ ନା କେବଳ ସମୟ ମଧ୍ୟରେ ଯୋଜନାଗୁଡିକୁ ଶେଷ କରୁଛୁ ବରଂ ଏବେ ସେହି ସ୍ଥିତିରେ ଅଛୁ କି ଯୋଜନାଗୁଡିକୁ ସମୟ ପୂର୍ବରୁ ଶେଷ କରି ପାରିବୁ ।

ସେହିପରି ଗରିବ ମହିଳାମାନଙ୍କୁ କାଠ ଧୂଆଁରୁ ମୁକ୍ତି ଦେବା ଭଳି ଉଜ୍ଜ୍ୱଳା ଯୋଜନାକୁ ମଧ୍ୟ ଆମେ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବା ଦିଗରେ ବଢୁ ଥିଲୁ ।

ଆମର ଲକ୍ଷ୍ୟ ଥିଲା କି 2019 ପର୍ଯ୍ୟନ୍ତ ପାଞ୍ଚ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଦେବୁ । ଏ ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ 3 କୋଟି 30ଲକ୍ଷରୁ ଅଧିକ ମହିଳାମାନଙ୍କୁ ଲାଭ ଦିଆ ଯାଇ ସାରିଛି । ଏବେ ଏହି ବଜେଟରେ ଆମେ ସ୍ଥିର କରିଛୁ କି ଉଜ୍ଜ୍ୱଳା ଯୋଜନା ଅଧୀନରେ 8 କୋଟି ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଦିଆଯିବ ।

ସାଥୀଗଣ,

2014 ପୂର୍ବର ଦଶ ବର୍ଷରେ ଆମର ଯୁବ ପିଢିମାନଙ୍କର ଆକାଂକ୍ଷାକୁ ଯେଉଁ ପ୍ରକାରରେ ଅଣଦେଖା କରାଯାଇଛି, ତାହାକୁ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ କେବେ ଭୁଲି ହେବ ନାହିଁ ।

ଦେଶର ଯୁବକମାନଙ୍କର ଇଚ୍ଛା ଥିଲା ନିଜ ଉଦ୍ୟମରେ କିଛି କରିବା ପାଇଁ । କିନ୍ତୁ ଯେତେବେଳେ ସେ ବ୍ୟାଙ୍କକୁ ଋଣ ମାଗିବାକୁ ଯାଉଥିଲା, ତ ତାକୁ ବ୍ୟାଙ୍କ ଗ୍ୟାରେଣ୍ଟି  ମଗା ଯାଉଥିଲା । ମୁଦ୍ରା ଯୋଜନା ମାଧ୍ୟମରେ ବ୍ୟାଙ୍କ ଗ୍ୟାରେଣ୍ଟି ଦେବାର ଏହି ବାଧ୍ୟ ବାଧକତାକୁ ହିଁ ଆମେ ସମାପ୍ତ କରିଦେଲୁ ।

ଏହି ଯୋଜନା ବିଗତ ତିନି ବର୍ଷରେ ତିନି କୋଟି ନୂଆ ଉଦ୍ୟୋଗୀ ଦେଇଛି । ଏମାନେ ହେଉଛନ୍ତି ସେହି ଲୋକ ଯେଉଁମାନେ ନିଜର କାମ ଆରମ୍ଭ କରିଛନ୍ତି, ଯେଉଁମାନେ ସ୍ୱରୋଜଗାର କରୁଛନ୍ତି ।

ଏ ବର୍ଷର ବଜେଟରେ ସରକାର ମୁଦ୍ରା ଯୋଜନା ଦ୍ୱାରା ଲୋକମାନଙ୍କୁ ସ୍ୱରୋଜଗାର ପାଇଁ 3 ଲକ୍ଷ କୋଟି ଟଙ୍କା ଋଣ ଦେବାର ଲକ୍ଷ୍ୟ ରଖିଛନ୍ତି ।

ଏହା ଛଡ଼ା ଷ୍ଟାଣ୍ଡ ଅପ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ, ସ୍କିଲ ଇଣ୍ଡିଆ ମିଶନ ମାଧ୍ୟମରେ ମଧ୍ୟ ଯୁବକଙ୍କୁ ସଶକ୍ତ କରିବାର କାମ ଏହି ସରକାର କରୁଛନ୍ତି । ଏହା ବ୍ୟତୀତ ସରକାର, ଶ୍ରମ ଏବ ଜୟତେ ସିଦ୍ଧାନ୍ତକୁ ନେଇ ଚାଲି, ଶ୍ରମ ଆଇନରେ ମଧ୍ୟ ନିରନ୍ତର ସଂସ୍କାର ଆଣୁଛନ୍ତି, ପ୍ରକ୍ରିୟାଗୁଡ଼ିକୁ ସରଳ କରୁଛନ୍ତି ।

ଆଗରୁ ଯେଉଁଠି ଉଦ୍ୟମୀମାନଙ୍କୁ ଶ୍ରମ ଆଇନ ପାଳନ କରିବା ନିମନ୍ତେ 50ରୁ ଅଧିକ ରେଜିଷ୍ଟର ରଖିବାକୁ ପଡ଼ୁଥିଲା, ସେଠାରେ ଏବେ କେବଳ ପାଞ୍ଚଟି ରେଜିଷ୍ଟର ରଖିଲେ କାମ ଚଳିଯାଉଛି ।

ଶ୍ରମ ସୁବିଧା ପୋର୍ଟାଲ ମାଧ୍ୟମରେ ଆମେ ଅଧିକାଂଶ ପ୍ରକ୍ରିୟାଗୁଡ଼ିକୁ ଅନଲାଇନ୍ କରି ଦେଇଛୁ । ଏବେ ତ’ ଦେଶରେ କେବଳ ଗୋଟିଏ ଦିନରେ ନୂଆ କମ୍ପାନୀର ରେଜିଷ୍ଟ୍ରେସନ ହୋଇ ପାରିବ, ଆଗରୁ ଏଥିପାଇଁ ଗୋଟିଏ-ଗୋଟିଏ ସପ୍ତାହ ଲାଗି ଯାଉଥିଲା ।

ଏ ସମସ୍ତ ସଂସ୍କାରର ବଡ଼ ଲାଭ ଦେଶର ଯୁବକମାନଙ୍କୁ, ଦେଶର ଛୋଟ ଉଦ୍ୟମୀମାନଙ୍କୁ ସବୁଠାରୁ ଅଧିକ ମିଳୁଛି ।

ବନ୍ଧୁଗଣ,

ଏମଏସଏମଇ କ୍ଷେତ୍ରର ବିକାଶ ଆମ ପାଇଁ ହେଉଛି ପ୍ରାଥମିକତା କାରଣ ଏହା ହେଉଛି ଆମ ଉଦ୍ୟୋଗର ମେରୁଦଣ୍ଡ ।

ଚଳିତ ବର୍ଷର ବଜେଟରେ ଆମେ ଏମ୍‌ଏସ୍‌ଏମଇ ପାଇଁ ବର୍ଷକୁ 250 କୋଟି ପର୍ଯ୍ୟନ୍ତ କାରବାର କରୁଥିବା କମ୍ପାନୀଗୁଡ଼ିକର ଆୟକର ଦର 25% କୁ ହ୍ରାସ କରିଛୁ ଯାହାକି ଏମ୍‌ଏସ୍‌ଏମ୍‌ଇକୁ ଗୋଟିଏ ବଡ଼ ଚାପରୁ ମୁକ୍ତି  ଦେଇଛି । ଏହା ଦ୍ୱାରା ମୋଟାମୋଟି ଭାବେ 99% କମ୍ପାନୀ ଲାଭାନ୍ୱିତ ହେବେ ।

ଜିଏସଟି ଲାଗୁ ହେବା କାରଣରୁ ଏମଏସଏମଇର ବ୍ୟବସାୟ ଔପଚାରିକ ରୂପ ନେଇଛି, ଯାହା ଏମଏସଏମଇକୁ ଆର୍ଥିକ କ୍ଷେତ୍ରରୁ ଋଣ ସହାୟତା ପାଇବାରେ ସାହାଯ୍ୟ କରିବ । ଏବେ ସରକାର ତିନି ବର୍ଷ ପାଇଁ ସମସ୍ତ କ୍ଷେତ୍ରରେ ନୂତନ କର୍ମଚାରୀମାନଙ୍କ ପାଇଁ ଇପିଏଫରେ 12% ଯୋଗଦାନ ଦେବେ ।

ଏହି ବଜେଟରେ ଆୟକର ଅଧିନିୟମ ଅନ୍ତର୍ଗତ ନୂତନ କର୍ମଚାରୀ ମାନଙ୍କୁ ଦିଆଯାଉଥିବା ଦରମାର  ଅତିରିକ୍ତ 30%ରେ ଆୟକର ଛାଡ଼ କରାଯାଇଛି ।

ଆମେ ଭ୍ରଷ୍ଟାଚାର ଶେଷ କରିବା ଏବଂ ଦକ୍ଷତା ଓ ପାରଦର୍ଶିତା ଆଣିବା ପାଇଁ ସମଗ୍ର ଦେଶରେ ଆୟକରର ଇ-ମୂଲ୍ୟାଙ୍କନ ଜାରି କରୁଛୁ । ଏହା ବ୍ୟତୀତ ମହିଳା କର୍ମଚାରୀମାନେ ଇପିଏଫର ଅଂଶଧନ ବର୍ତ୍ତମାନର 12%ରୁ  ପ୍ରଥମ ତିନି ବର୍ଷ ପାଇଁ 8% ପ୍ରଦାନ କରିବେ ।

ମାତୃତ୍ୱକାଳୀନ ସବେତନ ଛୁଟି 12 ସପ୍ତାହରୁ 26 ସପ୍ତାହକୁ ବୃଦ୍ଧି କରାଯାଇଛି, ଏହା ସହିତ ସଂଗଠିତ କ୍ଷେତ୍ରରେ ଚାକିର କରୁଥିବା ମହିଳାମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ କ୍ରେଚ୍‌ (ଶିଶୁ ମାନଙ୍କୁ ରଖି ଦେଖାଶୁଣା କରିବା ଗୃହ) ବ୍ୟବସ୍ଥା କରିବା । ଏହି ସମସ୍ତ ପ୍ରୟାସ ଯୋଗୁଁ ମେକ ଇନ୍‌ ଇଣ୍ଡିଆକୁ ମଧ୍ୟ ଆହୁରି ସମର୍ଥନ ମିଳିବ ।

ସାଥୀଗଣ,

ସରକାରଙ୍କର ଏଭଳି ଯୋଜନା ଗରିବଙ୍କୁ ସଶକ୍ତ କରୁଛି । କିନ୍ତୁ ତାଙ୍କୁ ସବୁଠାରୁ ଅଧିକ କ୍ଷତି ଯଦି କୌଣସି ଜିନିଷରେ ହୋଇଥାଏ, ତ’ ତାହା ହେଉଛି ଭ୍ରଷ୍ଟାଚାର, କଳାଧନ ।

ଆମ ସରକାର ଭ୍ରଷ୍ଟାଚାର ଏବଂ କଳାଧନକୁ ସମାପ୍ତ କରିବା ପାଇଁ ପ୍ରତିଶୃତିବଦ୍ଧ ।

ସାଥୀଗଣ,

ଆଜି ଏହି ମଂଚରୁ ମୁଁ ମୋ ଦେଶର ଉଦ୍ୟମୀ ବର୍ଗ ପ୍ରତି କୃତଜ୍ଞତା ଜ୍ଞାପନ କରିବାକୁ ଚାହୁଁଛି ଯେଉଁମାନେ ଦେଶର ଆର୍ଥିକ ଏକୀକରଣର ବ୍ୟବସ୍ଥା-ଜିଏସ୍‌ଟିକୁ ନା କେବଳ ସ୍ୱୀକାର କଲେ ବରଂ ଆଜି ତାକୁ ନିଜର ବ୍ୟବସାୟ ସଂସ୍କୃତିରେ ସାମିଲ କରିନେଇଛନ୍ତି ।

ଆମ ସରକାର ଦେଶରେ ଆର୍ଥିକ ସ୍ୱଚ୍ଛତା ଆଣିବା ପାଇଁ ଆଉ ଏକ ବଡ଼ ପଦକ୍ଷେପ ସ୍ୱରୂପ ଦେବାଳିଆ ଏବଂ ବ୍ୟାଙ୍କିଙ୍ଗ ସଂହିତା  ଭଳି ପଦକ୍ଷେପ ମଧ୍ୟ ଉଠାଇଛନ୍ତି ।

କେତେ ବର୍ଷ ଧରି ଭାରତରେ ଅନ୍ତରାଷ୍ଟ୍ରୀୟ ମାନ୍ୟତା ଅନୁରୂପ ଏପ୍ରକାରର ସଂହିତାର ଆବଶ୍ୟକତା ଅନୁଭବ କରାଯାଉଥିଲା । ଏହି ଆବଶ୍ୟକତାର ମଧ୍ୟ ସମାଧାନ ଏହି ସରକାର କରିଛନ୍ତି ।

ବନ୍ଧୁଗଣ,

ବିଗତ ତିନି ବର୍ଷରେ କେନ୍ଦ୍ର ସରକାର ଆର୍ଥିକ ସଂସ୍କାର ପାଇଁ ଅନେକ ପଦକ୍ଷେପ ଉଠାଇଛନ୍ତି, ଯାହା ଉତ୍ପାଦକମାନଙ୍କ ପାଇଁ  ବ୍ୟବସାୟ କରିବା ପ୍ରକ୍ରିୟାକୁ ସରଳ କରି ଦେଇଛି ।

ଏହା ହେଉଛି ସେହି ସବୁ ସଂସ୍କାରର ପରିଣାମ ଯେ ଆଜି ଭାରତ ବିଶ୍ୱ ବ୍ୟାଙ୍କର ବ୍ୟବସାୟ କାରବାର (Doing Business Report) ରିପୋର୍ଟରେ 42ଟି ସ୍ଥାନ ଉପରକୁ ଉଠି 190ଟି ଦେଶ ମଧ୍ୟରେ 100ସ୍ଥାନରେ ରହିଛି ।

ଭାରତର ସ୍ଥିତି ଅନ୍ୟ କେତେକ ରେଟିଂରେ ମଧ୍ୟ ସୁଧାର ହୋଇଛି, ଯେପରିକି ବିଶ୍ୱ ଆର୍ଥିକ  ଫୋରମ୍‌ର ସୂଚକାଙ୍କ  ଏବଂ ନଭେମ୍ବର 2017 ମୁଡି’ସ ରେଟିଂରେ ଉନ୍ନତି ଘଟି ସ୍ଥିରରୁ ସକାରାତ୍ମକ ହୋଇଛି ।

ଆମର ନୀତି ଗୁଡିକ ସୁନିଶ୍ଚିତ କରିଛି ଫଳରେ ମୁଦ୍ରାସ୍ଫୀତି 5%ରୁ ନିମ୍ନରେ ରହିଛି । ଏବେ ଆମ ପାଖରେ 418 ବିଲିୟନ ଆମେରିକୀୟ ଡ଼ଲାରର ବିଦେଶୀ ବିନିମୟ ମୁଦ୍ରା ଭଣ୍ଡାର ରହିଛି । ଅଟେମୋବାଇଲ, ବସ୍ତ୍ର, ପର୍ଯ୍ୟଟନ, ବନ୍ଦର, ସଡ଼କ ଏବଂ ରାଜପଥ ଆଦି କ୍ଷେତ୍ରରେ ସ୍ୱତଃ 100% ଏଫଡିଆଇ ପାଇଁ  ଅନେକ ନୂତନ କ୍ଷେତ୍ର ଖୋଲି ଯାଇଛି । ଆଜି ଭାରତ ଏଫଡିଆଇ ପାଇଁ ସବୁଠାରୁ ପସନ୍ଦଯୋଗ୍ୟ ସ୍ଥାନ ମଧ୍ୟରୁ ଗୋଟିଏ । 2016-17ରେ ଭାରତ ବାର୍ଷିକ ସବୁଠାରୁ ଅଧିକ 60 ବିଲିୟନ ଆମେରିକୀୟ ଡ଼ଲାରର ଏଫଡିଆଇ ଗ୍ରହଣ କରିଛି ।

ଆଜି ଦୁନିଆ ଭାରତକୁ ଆର୍ଥିକ ବିକାଶର ଏକ ଉଦୀୟମାନ ଶକ୍ତିର ଗୃହ ବୋଲି ଦେଖୁଛି ।

ମୁଁ ଆନନ୍ଦିତ ଯେ ସହଜରେ ବ୍ୟବସାୟ କରିବା ରିପୋର୍ଟରେ ଉତ୍ତର ପୂର୍ବ ରାଜ୍ୟଗୁଡିକ ମଧ୍ୟରେ ଆସାମ ପ୍ରଥମ ସ୍ଥାନ ଅଧିକାର କରିଛି । ମୁଁ ସୁନିଶ୍ଚିତ ଯେ ରାଜ୍ୟ ସରକାରଙ୍କର ବର୍ତ୍ତମାନର ନେତୃତ୍ୱ ସହିତ ଆସାମ ଦେଶରେ ନିଜର ବର୍ତ୍ତମାନର ସ୍ଥିତିରେ ପୁଣି ଉନ୍ନତି ଘଟାଇ ଦେଶରେ ଔଦ୍ୟାଗିକ ନିବେଶ ପାଇଁ ଚାହିଦା ଥିବା ଭଳି ରାଜ୍ୟଗୁଡିକ ମଧ୍ୟରୁ ଗୋଟିଏ ହୋଇପାରିବ ।

ବନ୍ଧୁଗଣ, ଆଜି ଆମର ଧ୍ୟାନ ଭିତ୍ତିଭୂମି କ୍ଷେତ୍ରରେ ନିବେଶ ଉପରେ ରହିଛି ଏବଂ ଆସନ୍ତା ବର୍ଷ ଆମେ ଏହି କ୍ଷେତ୍ରରେ 6 ଲକ୍ଷ କୋଟି ଟଙ୍କା କରିବାକୁ ଯାଉଛୁ । ଚଳିତ ବର୍ଷ ଆମେ 9,000 କିଲୋମିଟର ଦୀର୍ଘ ଜାତୀୟ ରାଜପଥ ଶେଷ କରିବା ପାଇଁ ଲକ୍ଷ୍ୟ ରଖିଛୁ ।

ଭାରତମାଳା ପ୍ରକଳ୍ପ ଅଧିନରେ ଆମେ 5.35ଲକ୍ଷ କୋଟି ଟଙ୍କା ନିବେଶରେ 35,000 କିଲୋମିଟର ରାସ୍ତା ବିକାଶ କରିବୁ ।

ରେଳବାଇରେ 2018-19ରେ 1.48 ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ।

ଆଗାମୀ ବର୍ଷମାନଙ୍କରେ 600 ପ୍ରମୁଖ ରେଳ ଷ୍ଟେସନଗୁଡିକର ପୁନଃବିକାଶ କରିବା ଲକ୍ଷ୍ୟ ରଖିଛୁ । ଏହି ସବୁ ନିବେଶ ପ୍ରସ୍ତାବ ଆଗାମୀ ବର୍ଷମାନଙ୍କରେ ବିକାଶକୁ ଗତିଶୀଳ କରିବ ଏବଂ ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ସାଥୀଗଣ,

ଆଜି ମୁଁ ଆଉ ଏକ ବିଷୟ ଉପରେ ମଧ୍ୟ କିଛି କହିବାକୁ ଚାହିଁବି ।

ଏହି ମାଟିର ମହାନ ସୁପୁତ୍ର, ଭୁପେନ ହଜାରିକା ଯେତେବେଳେ କେବଳ 13 ବର୍ଷ ବୟସର ଥିଲେ, ସେତେବେଳେ ସେ ଏକ କବିତା ଲେଖିଥିଲେ ।

ସେତେବେଳେ ଇଂରେଜଙ୍କର ଶାସନ ଥିଲା, ଏ ସମଗ୍ର ଅଂଚଳ, ସମଗ୍ର ଦେଶ ପରାଧୀନତାର ଶୃଙ୍ଖଳରେ ବାନ୍ଧି ହୋଇ ପଡ଼ିଥିଲା ।

ସେ ସମୟରେ, ସ୍ୱର୍ଗୀୟ ଭୁପେନ ହଜାରିକା ଲେଖିଥିଲେ-

ଓଗ୍ନିଜୁଗୌ ଫିରନ୍ନଗୌତି ମୋଇ

ନୋତୁନ ଆଁଖମ୍ ଗୌଢ଼ିମ

ହରବୌହାରାର ହର୍ବସ୍ୱ

ପୁନୌର ଫିରାଇ ଆନିମ

ନୋତୁନ ଆଁଖମ୍ ଗୌଢ଼ିମ

(ओग्नीजुगौ फिरिन्गौती मोई

नोतुन ऑखम गौढ़ीम

हरबौहारार हर्बस्व

पुनौर फिराई आनीम

नोतुन ऑखम गौढ़ीम)

ଅର୍ଥାତ- ‘ଅଙ୍ଗାର ଭଳି ଜଳୁଥିବା ଯୁଗରେ, ମୁଁ ହେଉଛି ଏକ ନିଆଁ ଗୁଳା ଭଳି ।

ମୁଁ ଏକ ନୂଆ ଆସାମର ନିର୍ମାଣ କରିବି ।

ଯେଉଁମାନେ ପିଡ଼ୀତ ଅଛନ୍ତି, ଯେଉଁମାନେ ବଂଚିତ ଅଛନ୍ତି, ସେମାନେ ଯାହା ହରାଇଛନ୍ତି, ତାକୁ ଫେରାଇ ଆଣି ଆସିବି ।

ମୁଁ ଏକ ନୂଆ ଆସାମର ନିର୍ମାଣ କରିବି ।’

ସ୍ୱାଧୀନତାର ପୂର୍ବରୁ ଦେଶର ଭିନ୍ନ ଭିନ୍ନ ଅଂଚଳରେ ଦେଖାଯାଇଥିବା ଏଭଳି ଲକ୍ଷ-ଲକ୍ଷ କୋଟି-କୋଟି ବୀର-ବୀରାଙ୍ଗନାଙ୍କ ସ୍ୱପ୍ନକୁ ପୂରଣ କରିବାର ଦାୟିତ୍ୱ ଆମ ସମସ୍ତଙ୍କ ଉପରେ ରହିଛି ।

ଏହି ଦାୟିତ୍ୱକୁ ପୂରଣ କରିବା ପାଇଁ ଆମେ ସମସ୍ତେ 2022 ପର୍ଯ୍ୟନ୍ତ ନିଉ ଇଣ୍ଡିଆର ସ୍ୱପ୍ନକୁ ପୂରଣ କରିବା ପାଇଁ ସଂକଳ୍ପ ନେଇଛୁ ।

ସଂକଳ୍ପରୁ ସିଦ୍ଧିର ଏହି ଯାତ୍ରାରେ ଉତ୍ତର-ପୂର୍ବର ଏହି ଲୋକମାନଙ୍କର ଆବଶ୍ୟକତାକୁ ଦେଖି, ସେମାନଙ୍କର ଆବଶ୍ୟକତାକୁ ବୁଝି, ଯୋଜନା ସବୁ ପ୍ରସ୍ତୁତ କରାଯାଉଛି ଆଉ ସେଗୁଡ଼ିକୁ ଲାଗୁ କରାଯାଉଛି ।

ମୁଁ ମାନୁଛି କି ଉତ୍ତର-ପୂର୍ବର 8 ଟି ରାଜ୍ୟ-ଅଷ୍ଟଲକ୍ଷ୍ମୀ, ଦେଶର ବିକାଶର ହେଉଛନ୍ତି ନୂତନ ବିକଶିତ ଇଂଜିନ ଆଉ ଏମାନଙ୍କର ବେଗ ବଢ଼ାଇବାର ଅର୍ଥ ହେଉଛି ଦେଶର ବିକାଶର ଗତିକୁ ବଢ଼ାଇବା ।

ଏଥିପାଇଁ ଆମ ସରକାରଙ୍କ ଦ୍ୱାରା ଉତ୍ତର-ପୂର୍ବରେ ପରିବହନ ମାଧ୍ୟମରେ ପରିବର୍ତ୍ତନ ନୀତି ଉପରେ ଗୁରୁତ୍ୱ ଦିଆ ଯାଉଛି ।

ଭିତ୍ତିଭୂମିରେ କରାଯାଉଥିବା ନିବେଶ ଏହି ସମଗ୍ର ଅଂଚଳର ଛବି ବଦଳାଇବାର କାର୍ଯ୍ୟ କରୁଛି ।

ବିଗତ 3 ବର୍ଷରେ ଉତ୍ତର-ପୂର୍ବରେ କେବଳ ରେଳବାଇ ଦିଗରେ ହିଁ ହାରାହାରି 5,300କୋଟି ଟଙ୍କା ପ୍ରତିବର୍ଷ ଖର୍ଚ୍ଚ କରା ଯାଇଛି ।

ପାଖାପାଖି 47 ହଜାର କୋଟି ଟଙ୍କାର ଧନ ରାଶି ଦ୍ୱାରା ଉତ୍ତର-ପୂର୍ବରେ 15ଟି ନୂତନ ରେଳ ଲାଇନ କାର୍ଯ୍ୟ କରାଯାଉଛି । ଆଗାମୀ ଦିନମାନଙ୍କରେ ଯେତେବେଳେ ଅଗରତାଲା-ଅଖୌଡ଼ା ରେଳଲାଇନର କାମ ଶେଷ ହେବ, ତ୍ରିପୁରା-ବାଂଲାଦେଶ ମଧ୍ୟରେ ରେଳ ସଂଯୋଗ ହେବ ତ ଏହାର ସଂପୂର୍ଣ୍ଣ ଲାଭ ସମଗ୍ର ଅଂଚଳକୁ ମିଳିବ । ସରକାର ପ୍ରାୟ 33ହଜାର କୋଟି ଟଙ୍କା ବ୍ୟୟରେ ଉତ୍ତର-ପୂର୍ବରେ ପାଖା-ପାଖି ୪ ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣର ସ୍ୱୀକୃତି ଦେଇଛନ୍ତି ।

ଏହାଛଡ଼ା ସରକାର ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ 90ହଜାର କୋଟି ଟଙ୍କା ବ୍ୟୟରେ ଉତ୍ତର-ପୂର୍ବରେ ସଡ଼କ ଆଉ ଜାତୀୟ ରାଜପଥର ନିର୍ମାଣ କରିବେ ।

ଭାଇ ଓ ଭଉଣୀମାନେ,

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ ହୋଇଥିଲା । ପୂର୍ବରୁ ଏହି ଯୋଜନା 2022 ସୁଦ୍ଧା ଶେଷ ହେବାର ଥିଲା, ତେବେ ବର୍ତ୍ତମାନ ଆମେ ଏହାର ଶେଷ ହେବାର ସମୟକୁ ହ୍ରାସ କରି 2019ପର୍ଯ୍ୟନ୍ତ କରି ଦେଇଛୁ ।

କେବଳ ଏତିକି ହିଁ ନୁହେଁ, ଏହି ବଜେଟରେ ଆମେ ଏହା ମଧ୍ୟ ଘୋଷଣା କରିଛୁ କି ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ମାଧ୍ୟମରେ କେବଳ ଗାଁକୁ ହିଁ ଯୋଡ଼ାଯିବ ନାହିଁ ବରଂ ସ୍କୁଲ, ଡାକ୍ତରଖାନା, ବଡ଼ ବଡ଼ ବଜାର ଗୁଡ଼ିକୁ ମଧ୍ୟ ଯୋଡ଼ା ଯିବ ।

ଏଠାରେ ଶକ୍ତି କ୍ଷେତ୍ରକୁ ଦୃଢ଼ କରିବା ପାଇଁ, ଆନ୍ତରାଜ୍ୟ ପରିବହନ ଏବଂ ବଣ୍ଟନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ 10ହଜାର କୋଟିରୁ ଅଧିକ ଟଙ୍କାର ଯୋଜନା ଆରମ୍ଭ କରାଯାଇଛି ।

ଖୁବ ଶୀଘ୍ର ଗୌହାଟୀରେ ବିଶ୍ୱସ୍ତରୀୟ ବିମାନ ବନ୍ଦର ଟର୍ମିନାଲର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ଯାହା ଆସିଆନ ଦେଶ ସହିତ ଉତ୍ତର-ପୂର୍ବ ବିଶେଷ କରି ଆସାମର ଯୋଗାଯୋଗକୁ ଆହୁରି ମଜବୁତ କରିବ ।

ଉଡ଼ାନ ଯୋଜନା ଅଧିନରେ ମଧ୍ୟ ସରକାର ଉତ୍ତର-ପୂର୍ବକୁ ବିଶେଷ ପ୍ରାଥମିକତା ଦେଉଛନ୍ତି । ଏଠାକାର 19 ବିମାନବନ୍ଦର ଏବଂ ହେଲିପ୍ୟାଡ ଯାହା ମଧ୍ୟରୁ ତ କେବଳ 5ଟି ଆସାମରେ ଅଛି, ତାକୁ ଦେଶର ଅନ୍ୟ ସହରଗୁଡିକ ସହିତ ଯୋଡିବା ଦିଗରେ କାର୍ଯ୍ୟ କରାଯାଉଛି ।

କେନ୍ଦ୍ର ସରକାରଙ୍କ ଦ୍ୱାରା 160ରୁ ଅଧିକ ଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଇ-ଭିସାର ସୁବିଧା ଦିଆଯିବା ମଧ୍ୟ ଏହି କ୍ଷେତ୍ରରେ ପର୍ଯ୍ୟଟନର ବିକାଶରେ ପ୍ରମୁଖ ଭୁମିକା ତୁଲାଇବ ।

ସାଥୀଗଣ,

କେନ୍ଦ୍ର ସରକାର ଗୌହାଟୀରେ 1,100 କୋଟିରୁ ଅଧିକ ଟଙ୍କା ବିନିଯୋଗରେ ନୂତନ ଏମ୍ସକୁ ଅନୁମୋଦନ ଦେଇଛନ୍ତି ।

ସରକାର ଉତ୍ତର-ପୂର୍ବକୁ ମଧ୍ୟ ଜାତୀୟ ଗ୍ରୀଡ ସହିତ ଯୋଡିବା ପାଇଁ କାର୍ଯ୍ୟ କରୁଛନ୍ତି । ତିନି ହଜାର କୋଟି ଟଙ୍କା ବ୍ୟୟରେ ଜିଏଆଇଏଲ(ଗେଲ) ଦ୍ୱାରା ଗୌହାଟୀ ପର୍ଯ୍ୟନ୍ତ ଗ୍ୟାସ୍ ପାଇପଲାଇନ ବିଛାଇବାର କାମ ସ୍ୱୀକୃତ କରାଯାଇଛି ।

କେନ୍ଦ୍ର ସରକାର ନିକଟରେ ଏକ ନୂତନ ଯୋଜନା ‘ଉତ୍ତର-ପୂର୍ବ ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନା’କୁ ମଞ୍ଜୁରି ଦେଇଛନ୍ତି । ଏହା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଦ୍ୱାରା 100 ପ୍ରତିଶତ ପାଣ୍ଠି ଯୋଗାଇ ଭିତ୍ତିଭୂମି ସହିତ ଜଡିତ ଯୋଜନାଗୁଡିକୁ ସମ୍ପୂର୍ଣ୍ଣ କରାଯିବ ।

ଉତ୍ତର-ପୂର୍ବରେ ହେଉଥିବା ନିବେଶ, ଏଠାରେ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବାରେ ସାହାଯ୍ୟ କରିବ, ଏଠାକାର ଯୁବକମାନଙ୍କ ପାଇଁ, ଏଠାକାର ମହିଳାମାନଙ୍କ ପାଇଁ, ରୋଜଗାର ନୂତନ ସୁଯୋଗ ନେଇକରି ଆସିବ ।

ସାଥୀଗଣ,

ମୁଁ ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୱାଲ ମହାଶୟଙ୍କୁ ଧନ୍ୟବାଦ ଦେଉଛି କି ଯିଏ ବହୁତ କମ୍‌ ସମୟରେ ଆସାମରେ ବ୍ୟବସାୟ ଅନୁକୂଳ ଏବଂ ବିକାଶ ଅନୁକୂଳ ବାତାବରଣ ସୃଷ୍ଟି କରିବାର କାର୍ଯ୍ୟ କରିଛନ୍ତି । ଭ୍ରଷ୍ଟାଚାର ବିରୁଦ୍ଧରେ ଲଢେଇ ପାଇଁ ମଧ୍ୟ ଆସାମ ସରକାର ଦୃଢ ନିଷ୍ପତ୍ତି  ନେଇଛନ୍ତି ।

ଆସାମ ସରକାର ଉଦ୍ୟୋଗ ପ୍ରତିଷ୍ଠା ପାଇଁ, ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ଟିକସ ରିହାତି ମଧ୍ୟ ଦେଉଛନ୍ତି ।

ନୂତନ ଆଇଟି ନୀତି,

ନୂତନ ଷ୍ଟାର୍ଟ ଅପ୍‌ ନୀତି,

ନୂତନ ଚିନି ନୀତି

ନୂତନ ସୌର ଶକ୍ତି ନୀତି ଲାଗୁ  କରାଯାଇଛି ।

ମୁଁ ରାଜ୍ୟ ସରକାରଙ୍କୁ ଏହି କଥା ପାଇଁ ପ୍ରଶଂସା କରୁଛି କି ସେ ଗୌହାଟୀକୁ ଆସିଆନ ଦେଶଗୁଡିକ ସହିତ ବ୍ୟାପାର ପାଇଁ ଏକ ବ୍ୟବସାୟ କେନ୍ଦ୍ର ଭାବେ ବିକଶିତ କରୁଛନ୍ତି ।

ଗୌହାଟୀକୁ ସ୍ମାର୍ଟ ସିଟି ଭାବେ ମଧ୍ୟ ବିକଶିତ କରାଯାଉଛି ।

ମୁଁ ପୁଣି ଥରେ ଆସାମର ଏବଂ ଉତ୍ତର ପୂର୍ବର ଲୋକଙ୍କୁ ଏଭଳି ବିଶାଳ କାର୍ଯ୍ୟକ୍ରମକୁ ପ୍ରବଳ ଉତ୍ସାହର ସହିତ ଆୟୋଜନ କରିଥିବାରୁ ଅଭିନନ୍ଦନ ଜଣାଉଛି । ବିଶ୍ୱ ନିବେଶକ ସମ୍ମେଳନରେ ଭାଗ ନେଇଥିବା ସମଗ୍ର ଆସିଆନ ଏବଂ ବିବିଆଇଏନ ଦେଶର ପ୍ରତିନିଧିମାନଙ୍କୁ ମଧ୍ୟ  ଧନ୍ୟବାଦ ଜଣାଉଛି ।

ମୋର ବିଶ୍ୱାସ ଯେ ଏହି ଶିଖର ସମ୍ମେଳନ ହେଉଛି କେବଳ ମାତ୍ର ଶୁଭାରମ୍ଭ ଏବଂ ଆମର ହଜାର ବର୍ଷର ପୁରୁଣା ସମ୍ବନ୍ଧରେ ଆପଣମାନଙ୍କ ସହିତ ଆଉ ଏକ ନୂତନ ଅଧ୍ୟାୟ ଯୋଡି ଦେବ ।

ମୁଁ ପୁଣି ଥରେ ଉତ୍ତର ପୂର୍ବ ଏବଂ ଆସାମର ଲୋକଙ୍କୁ ଏଭଳି ବିଶେଷ ଆୟୋଜନ ପାଇଁ ବହୁତ ବହୁତ ଶୁଭକାମନା ଜଣାଉଛି ।

ନିଜର ଲୋକମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!!!

 

**********