ପିଏମଇଣ୍ଡିଆ
ଦେଶରେ ତାଳ ତେଲ ଉତ୍ପାଦନ ଏବଂ ତାଳ ତେଲ ଚାଷର ପରିସର ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ମିଳିଛି ।
ଜାତୀୟ ତୈଳବୀଜ ଏବଂ ତାଳ ତେଲ ମିଶନ୍ (ଏନ୍ଏମଓଓପି)ଅଧୀନରେ ତାଳ ତେଲ ଉତ୍ପାଦନ ଲାଗି ଜମି ସିଲିଂ ରିହାତି ସୀମା ବୃଦ୍ଧି କରାଯିବ ।
ତାଳ ତେଲ ଉତ୍ପାଦନ କ୍ଷେତ୍ରରେ ଶତପ୍ରତିଶତ ବୈଦେଶିକ ପୁଞ୍ଜି ନିବେଶ ଏବଂ ଏଥିପ୍ରତି କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଏନଏମ୍ଓଓପି ଅଧୀନରେ 25 ହେକ୍ଟରରୁ ଉର୍ଦ୍ଧ୍ଵ ଜମିରେ ଚାଷ ପାଇଁ ସହାୟତା ଉପରେ ରହିଥିବା କଟକଣାକୁ କୋହଳ କରିବା ପ୍ରସ୍ତାବ କ୍ୟାବିନେଟର ମଞ୍ଜୁରି ଲାଭ କରିଛି ।
ତାଳ ତେଲ ଚାଷକୁ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଚାରାରୋପଣ ସାମଗ୍ରୀ, ଭିତ୍ତିଭୂମି ବ୍ୟୟ, କୃଷିବ୍ୟୟ, ବୋର ୱେଲ୍ ଖନନ ଆଦି ପାଇଁ ଏନ୍ଏମଓଓପିର ମିନି ମିଶନ୍-2 ଅଧୀନରେ ରହିଥିବା ସହାୟତା ମାନଦଣ୍ଡର ପୁନର୍ଗଠନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରି ଦେଇଛନ୍ତି ।
କୃଷକଙ୍କୁ ତାଳ ତେଲ ଚାଷ ପ୍ରତି ଅଧିକ ଆକୃଷ୍ଟ କରିବା ଲାଗି ଯୋଜନା କରାଯାଇଛି । ସହାୟତା ମାନଦଣ୍ଡର ସଂଶୋଧନ ଦ୍ୱାରା କୃଷକ ଏହି ଚାଷ ପ୍ରତି ଅଧିକ ଆଗ୍ରହୀ ହେବେ ।
ସଂଶୋଧିତ ସହାୟତା ମାନଦଣ୍ଡ ଉପରେ ରାଜ୍ୟ/ସଂସ୍ଥାଗୁଡ଼ିକର ବାର୍ଷିକ କାର୍ଯ୍ୟ ଯୋଜନା (ଏଏପି) କୃଷି ବିଭାଗ, ସମବାୟ ଏବଂ କୃଷକ କଲ୍ୟାଣ ବିଭାଗ ଦ୍ୱାରା ଅନୁମୋଦନ ଲାଭ କରିବ ।
ବର୍ତ୍ତମାନ 12 ରାଜ୍ୟ ଯଥା ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ମିଜୋରାମ, ଓଡ଼ିଶା, କେରଳ, ତେଲଙ୍ଗାନା, ଛତିଶଗଡ଼, ଗୁଜରାଟ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ ଏବଂ ଆସାମରେ ଏହି କାର୍ଯ୍ୟକ୍ରମ ଚାଲିଛି । ଏହି 12ଟି ରାଜ୍ୟର ପାଖାପାଖି 133ଟି ଜିଲ୍ଲାରେ ତାଳ ତେଲ ଚାଷ ହେଉଛି । ତେବେ ତାଳ ତେଲ ଚାଷ ପାଇଁ ସୁଯୋଗ ରହିଥିବା ପ୍ରତ୍ୟେକ ରାଜ୍ୟରେ ଏନ୍ଏମଓଓପି ଯୋଜନା କାର୍ଯ୍ୟକାରୀ ହେଉଛି ।
କଟକଣା କୋହଳ ହେବା ଦ୍ୱାରା ଏବଂ ମାନଦଣ୍ଡରେ ପରିବର୍ତ୍ତନ ଅଣାଯିବା ଦ୍ୱାରା ରାଜକୋଷ ଉପରେ ବୋଝ ପଡ଼ିବାର ସମ୍ଭାବନା ରହିଛି । ତେବେ ଏହି ବ୍ୟୟଭାର ଏନ୍ଏମଓଓପି ପାଣ୍ଠିରୁ ବହନ କରାଯିବ । ତେଣୁ କୌଣସି ଅତିରିକ୍ତ ପାଣ୍ଠିର ଆବଶ୍ୟକତା ପଡ଼ିବ ନାହିଁ ।
2015-16 ବର୍ଷରେ ଏନ୍ଏମଓଓପି ମିଶନ ଅଧୀନରେ ମୋଟ୍ 28,146 ହେକ୍ଟର ଜମିରେ ତାଳ ତେଲ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା ବେଳେ ଏହି ବର୍ଷ 17,143 ହେକ୍ଟର ଜମିରେ ଚାଷ ହୋଇଥିଲା । ଏହିବର୍ଷ ମୋଟ୍ ପାଣ୍ଠି 7290.58 ଲକ୍ଷ ଟଙ୍କାରୁ 4112.4 ଲକ୍ଷ ଟଙ୍କା ଆବଣ୍ଟନ କରଯାଇଥିଲା । ସେହିପରି 2015-16 ଆର୍ଥିକ ବର୍ଷରେ ଏନ୍ଏମଓଓପି ମିଶନ୍ ଅଧୀନରେ 27,337 ହେକ୍ଟର ଜମିରେ ତାଳ ତେଲ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ 14,425 ହେକ୍ଟର ଜମିରେ ଏହି ଚାଷ ହୋଇଥିଲା । ଏହି ବର୍ଷ ମୋଟ୍ 6683.80 ଲକ୍ଷ ଟଙ୍କାର ପାଣ୍ଠି ଥିବା ବେଳେ 3823.49 ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଥିଲା । 2016-17 ଆର୍ଥିକ ବର୍ଷରେ ଡିସେମ୍ବର 2016 ସୁଦ୍ଧା 30,061 ହେକ୍ଟର ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ 9968 ହେକ୍ଟର ଜମିରେ ତାଳ ତେଲ ଚାଷ ହୋଇଛି । ଚଳିତ ବର୍ଷ 8038.68 ଲକ୍ଷ ଟଙ୍କାର ପାଣ୍ଠିରୁ 4241.57 ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି ।
ବର୍ତ୍ତମାନ ସମୟରେ କେବଳ ବ୍ୟକ୍ତିଗତ ଜମିରେ ତାଳ ତେଲ ଚାଷ ବିକାଶ କାର୍ଯ୍ୟକ୍ରମ ପାଇଁ ପ୍ରୋତ୍ସାହନ ମିଳୁଛି । ଏନ୍ଏମଓଓପି ମିଶନ ଅଧୀନରେ କେବଳ ୨୫ ହେକ୍ଟର ଜମିରେ ତାଳ ତେଲ ଚାଷ ଲାଗି ଆର୍ଥôକ ସହାୟତା ମିଳୁଥିବାରୁ କର୍ପୋରେଟ୍ ସଂସ୍ଥା ଏବଂ ଶତପ୍ରତିଶତ ବୈଦେଶିକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଲାଗି କଟକଣା କୋହଳ କରାଯାଇଛି ।
4 ବର୍ଷ ପର୍ଯ୍ୟନ୍ତ କୌଣସି ଲାଭର ଆଶା ନଥିବା ବେଳେ ଚାଷ ବାବଦ ଖର୍ଚ୍ଚ ଅଧିକ ହେଉଥିବାରୁ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଏହି ଚାଷ ପ୍ରତି ଅନାଗ୍ରହୀ ହେଉଥିବା ଦେଖାଯାଇଛି । ଏହାଛଡ଼ା ତାଳ ତେଲ ଚାଷ ଲାଗି ପର୍ଯ୍ୟାପ୍ତ ସୁଯୋଗ ରହିଥିବା ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ଭୂମି ପ୍ରସ୍ତୁତି କରିବା ଲାଗି ଅଧିକ ନିବେଶର ଆବଶ୍ୟକତା ରହିଛି । ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏ ଚାଷ ପାଇଁ ରହିଥିବା ସହାୟତା କଟକଣା କୋହଳ କରିବା ସହ ମାନଦଣ୍ଡ ପରିବର୍ତ୍ତନ ଲାଗି ନିଷ୍ପତ୍ତି ନେଇଛନ୍ତି ।
ପରିବାରର ଖାଦ୍ୟ ସାମଗ୍ରୀ ମଧ୍ୟରେ ଖାଇବା ତେଲ ଏକ ଉପଯୋଗୀ ଦ୍ରବ୍ୟ । ବର୍ତ୍ତମାନ ତାଳ ତେଲ ବିଶ୍ୱର ସବୁଠୁ ଅଧିକ ଉତ୍ପାଦିତ ଖାଇବା ତେଲ । ଭାରତ ସରକାର 1986-87 ପରଠାରୁ ତାଳ ତେଲ ଚାଷକୁ ପ୍ରୋତ୍ସାହନ ଦେବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । 2014-15 ବର୍ଷ ଠାରୁ ଏନ୍ଏମଓଓପି ମିଶନ୍ ଆରମ୍ଭ ହୋଇଛି । 2016-17 ଆର୍ଥିକ ବର୍ଷ ସୁଦ୍ଧା ଏନ୍ଏମଓଓପି ମିଶନ୍ ଅଧୀନରେ ଅତିରିକ୍ତ 1.25 ଲକ୍ଷ ହେକ୍ଟର ଜମିରେ ତାଳ ତେଲ ଚାଷ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।