Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଇକୋନୋମିକ୍ସ ଟାଇମ୍ସ : ବିଶ୍ଵବ୍ୟାପାର ଶିଖର ସମ୍ମିଳନୀ 2018ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ଇକୋନୋମିକ୍ସ ଟାଇମ୍ସ- ବିଶ୍ଵ ବ୍ୟାପାର ଶିଖର ସମ୍ମିଳନୀରେ ଦେଶବିଦେଶରୁ ଆସିଥିବା ଅତିଥି, ଏଠି ଉପସ୍ଥିତ ସମସ୍ତ ମହାନୁଭବ, ଦେବୀ ଓ ସଜ୍ଜନମାନେ,

ନବ୍ୟ ଭାରତର ସଂକଳ୍ପର ଏହି ବହୁତ ମହତ୍ୱପୂର୍ଣ୍ଣ ସମୟରେ ଆପଣ ସମସ୍ତେ ନୂଆ ଅର୍ଥବ୍ୟବସ୍ଥା-ନୂଆ ଶାସନ ଉପରେ ବିଚାରବିମର୍ଶ କରିବା ପାଇଁ ଏକଜୁଟ ହୋଇଛନ୍ତି । ପ୍ରଶ୍ନ ଉଠିଛି, ଏଥିରେ ନୂଆ କ’ଣ ଅଛି? ଇକୋନୋମିକ୍ସ ଟାଇମ୍ସ ମଧ୍ୟ ଦୈନିକ ଛପା ହୋଇଥାଏ, ପେପର କ୍ୱାଲିଟି ସବୁଦିନେ ସେୟା ରହିଥାଏ, ପ୍ରିଣ୍ଟିଙ୍ଗ ଗୁଣବତ୍ତା ବି ସେୟା ରହେ । ବ୍ୟାନରରେ ଆପଣମାନେ ଯେଉଁ ସମ୍ବାଦପତ୍ରର ନାଁ ଲେଖନ୍ତି, ତା’ର ଅକ୍ଷର ଓ ଷ୍ଟାଇଲ ମଧ୍ୟ ସେୟା ରହିଥାଏ । ତଥାପି ଆମେ କହିଥାଉ କି ସବୁଦିନେ ନୂଆ ସମ୍ବାଦପତ୍ର ବାହାରୁଛି । ଫରକ ହେଉଛି ସମ୍ବାଦପତ୍ରର ପ୍ରସଙ୍ଗର ଓ ସେହି ପ୍ରସଙ୍ଗ ଆଧାରରେ ଆପଣମାନେ କହିଥାନ୍ତି କି ଏ ସଦ୍ୟ ଖବର, ନୂଆ ଖବର ଇତ୍ୟାଦି ।

ବନ୍ଧୁଗଣ, ଆସନ୍ତା କିଛି ମାସ ମଧ୍ୟରେ ଆମ ସରକାର 4ବର୍ଷ ପୂରଣ କରିବାକୁ ଯାଉଛି । ଦେଶ ସେୟା ଅଛି, ଲୋକ ସେହିମାନେ ଅଛନ୍ତି, ପ୍ରଶାସକ ସେୟା ଅଛି, ତଥାପି ଏକ ପରିବର୍ତ୍ତନ ଦେଶ-ବିଦେଶରେ ସ୍ପଷ୍ଟ ଦେଖିବାକୁ ମିଳୁଛି । ଦେଶର ଆର୍ଥିକ ଓ ସାମାଜିକ ପ୍ରସଙ୍ଗରେ ଆସିଥିବା ଏହି ପରିବର୍ତ୍ତନରେ ହିଁ ନବ୍ୟ ଭାରତ, ନୂଆ ଅର୍ଥବ୍ୟବସ୍ଥାର ନୂଆ ଶାସନ ଅନ୍ତର୍ନିହିତ ଅଛି ।

ଆପଣମାନଙ୍କର ମନେ ଥିବ, ଚାରିବର୍ଷ ପୂର୍ବରୁ ସମଗ୍ର ବିଶ୍ୱରେ ଯେତେବେଳେ ଭାରତର ଅର୍ଥବ୍ୟବସ୍ଥାର ଚର୍ଚ୍ଚା ହେଉଥିଲା, ସେତେବେଳେ କୁହାଯାଉଥିଲା, ଫ୍ରାଗାଇଲ୍ ଫାଇଭ୍… । ବିଶ୍ୱ ଆମ ଉପରେ ପରିହାସ କରୁଥିଲା ଓ ଆଖି ଦେଖାଇ କହୁଥିଲା କି ଏ ଦେଶ ନିଜେ ତ ବୁଡ଼ିବ, ଆମକୁ ବି ଡୁବାଇ ଦେବ । ଏବେ ଫ୍ରାଗାଇଲ୍ ଫାଇଭରେ ନୁହେଁ, ଭାରତର 5 ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥା ସୃଷ୍ଟି କରିବା ନେଇ ରଖିଥିବା ଲକ୍ଷ୍ୟର ଚର୍ଚ୍ଚା ହେଉଛି । ଏବେ  ଭାରତ ସହ କାନ୍ଧରେ କାନ୍ଧ ମିଶାଇ ଚାଲିବାକୁ ବିଶ୍ୱ ଚାହୁଁଛି ।

ବନ୍ଧୁଗଣ, ଭାରତର ବିକାଶ, ସମଗ୍ର ବିଶ୍ୱର ବିକାଶରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି ।

– ଗତ 3-4ବର୍ଷ ମଧ୍ୟରେ ଭାରତ ନିଜ ସହ ସମଗ୍ର ବିଶ୍ୱର ଅର୍ଥନୈତିକ ଅଭିବୃଦ୍ଧିକୁ ସୁଦୃଢ଼ କରାଇଛି ।

 

ବିଶ୍ୱ ଜିଡିପିରେ ଯଦି ଆମେ ‘ନୋମିନାଲ ଟର୍ମ’ରେ ତଥ୍ୟକୁ ଦେଖିବା, ତା’ହେଲେ ବଡ଼ ରୋଚକ ତଥ୍ୟ ପଦାକୁ ଆସିବ । ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ତଥ୍ୟ ଅନୁସାରେ 2013 ମସିହା ସୁଦ୍ଧା ଭାରତର ବିଶ୍ୱ ଜିଡିପିରେ ନୋମିନାଲ ଟର୍ମରେ ଭାଗିଦାରୀ 2.4 ପ୍ରତିଶତ ଥିଲା । ଆମ ସରକାରରେ ପ୍ରାୟ 4ବର୍ଷ ମଧ୍ୟରେ ଏହା ବୃଦ୍ଧି ପାଇ 3.1ପ୍ରତିଶତ ହୋଇଯାଇଛି ।

ବିଶ୍ୱ ଅର୍ଥବ୍ୟବସ୍ଥାର ଯେଉଁ ଅଂଶ ପାଇବାକୁ ଭାରତକୁ 8ବର୍ଷ ସମୟ ଲାଗୁଥିଲା, ତାହା ଆମ ସରକାରରେ 4ବର୍ଷ ମଧ୍ୟରେ ହୋଇଛି । ଏହାଠୁ ବି ବଡ଼ ଆଶ୍ଚର୍ଯ୍ୟକର ତଥ୍ୟ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ଡାଟାରୁ ମିଳିଛି । ବିଶ୍ୱ ଅର୍ଥବ୍ୟବସ୍ଥାରେ ନୋମିନାଲ ଟର୍ମରେ ଯାହା ଗତ 4ବର୍ଷ ଧ୍ୟରେ ବୃଦ୍ଧି ହୋଇଛି, ତା’ର 21 ପ୍ରତିଶତ ଭାରତରେ ହୋଇଥିବା ବୃଦ୍ଧି ଯୋଗୁ ହୋଇପାରିଛି ।

ଏବେ ଆପଣ ନିଜେ ଅନୁମାନ କରିପାରୁଥିବେ କି ଗୋଟିଏ ଦେଶ ଯେ କି ବିଶ୍ୱ ଜିଡ଼ିପିର ମାତ୍ର 3 ପ୍ରତିଶତ ଅଂଶବିଶେଷ ଥିଲା, ତାହା 7ଗୁଣା ଅଧିକ ବୃଦ୍ଧି ବିଶ୍ୱ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧିରେ ଭାଗିଦାରୀ କରୁଛି ।

ଆଜି ଆପଣଙ୍କ କୌଣସି ମାଇକ୍ରୋ-ଇକୋନୋମିର ମାନଦଣ୍ଡକୁ ଦେଖନ୍ତୁ । ତେଣିକି ତାହା ମୁଦ୍ରାସ୍ପୀତି ହେଉ, ଚଳନ୍ତି ଜମା ନିଅଣ୍ଟ ହେଉ, ବିତ୍ତୀୟ ନିଅଣ୍ଟ ହେଉ, ଜିଡିପି ଅଭିବୃଦ୍ଧି ହେଉ, ସୁଧ ଦର ହେଉ, ଏଫଡିଆଇ ପ୍ରବାହ ହେଉ, ଭାରତ ସବୁଥିରେ ଭଲ ପ୍ରଦର୍ଶନ କରୁଛି ।

– ଦେଶର ଚଳନ୍ତି ଏକାଉଣ୍ଟ ନିଅଣ୍ଟ ଯାହା 4 ପ୍ରତିଶତର ଚିନ୍ତାଜନକ ସ୍ତରରେ ଥିଲା, ତାକୁ ହ୍ରାସ କରି ଆମ ସରକାର ପ୍ରଥମ ସାଢ଼େ 3ବର୍ଷ ମଧ୍ୟରେ ହାରାହାରି ଏକ ପ୍ରତିଶତକୁ ନେଇ ଆସିଛି ।

– ପୂର୍ବରୁ ସରକାର ସମୟରେ ବିତ୍ତୀୟ ନିଅଣ୍ଟ, ଯାହା 4.5 ପ୍ରତିଶତ ପାଖାପାଖି ଥିଲା, ତାକୁ ଆମ ସରକାର ହ୍ରାସ କରି 3.5ପ୍ରତିଶତ ପର୍ଯ୍ୟନ୍ତ ନେଇ ଆସିଛି ।

– ଆମ ସରକାରର ସାଢ଼େ 3ବର୍ଷ ମଧ୍ୟରେ ପ୍ରାୟ 209 ବିଲିୟନ ଡଲାର ମୋଟ ଏଫଡିଆଇ ଆସିଥିଲାବେଳେ ଗତ ସରକାରର 3ବର୍ଷ ମଧ୍ୟରେ 117 ବିଲିୟନ ଡଲାର ଏଫଡିଆଇ ଆସିଥିଲା ।

– ଆଜି ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଗଚ୍ଛିତ ପରିମାଣ ପ୍ରାୟ 300 ବିଲିୟନ ଡଲାରରୁ ବୃଦ୍ଧି ପାଇ 419 ବିଲିୟନ ଡଲାରର ସ୍ତରକୁ ପହଂଚିଛି । ଏହା ସତ୍ୱେ 2013 ମସିହାର ସଙ୍କଟ ସମୟରେ କରାଯାଇଥିବା ସ୍ପେଶାଲ ଫରେନ୍ କରେନ୍ସି ପ୍ରବାସୀ ଜମା ଅର୍ଥାତ ଏଫ୍ସିଏନ୍ଆରର ପ୍ରାୟ 24 ବିଲିୟନ ଡଲାରର ପୈଠ ମଧ୍ୟ ଦେଶ ହାସଲ କରିସାରିଛି ।

– ମୁଦ୍ରାସ୍ପିତୀ ଦର ନିୟନ୍ତ୍ରିତ ରଖିବା ଓ ଉଚ୍ଚ ଉତ୍ପାଦିକତା ଅଭିବୃଦ୍ଧି ଯୋଗୁ ଟଙ୍କାର ପରିଦୃଶ୍ୟ (outlook) ମଧ୍ୟ ଭଲ ରହିଛି । ସୁଧ ଦରରେ ଗୋଟିଏ ପ୍ରତିଶତରୁ ଅଧିକ ହ୍ରାସର ଫାଇଦା ଗ୍ରାହକ, ଗୃହନିର୍ମାଣ ଓ ଅନ୍ୟ ଉଦ୍ୟୋଗରେ ହେଉଛି ।

 

ଗତବର୍ଷ ଆମ ସରକାର ସମସ୍ତ ମାଇକ୍ରୋ-ଇକୋନୋମିକ ସୂଚକାଙ୍କଗୁଡ଼ିକୁ ସୁଧାରିବାରେ ସଫଳ ହୋଇଛି । କିନ୍ତୁ କ’ଣ ପୁରୁଣା ଶୈଳୀରେ ଏହା ସମ୍ଭବପର ହୋଇଥାନ୍ତା? ନା, ପୁରୁଣା ଆଭିମୁଖ୍ୟରେ ଚାଲିଥିଲେ ଏହି ପରିବର୍ତ୍ତନ ସମ୍ଭବପର ହୋଇନଥାନ୍ତା ।

ଦେଶରେ ଏହି ପରିବର୍ତ୍ତନ ଏଇଥିପାଇଁ ଆସିଛି, କାରଣ ଦେଶ ଏପର୍ଯ୍ୟନ୍ତ ଏକ ନୂଆ କାର୍ଯ୍ୟ ସଂସ୍କୃତି ସହ ଆଗକୁ ବଢ଼ୁଛି । ନିଜର ସାମର୍ଥ୍ୟ, ନିଜର ସମ୍ବଳ ଉପରେ ଭରସା କରି ନବ୍ୟ ଭାରତର ସଂକଳ୍ପ ସହ ଆଗକୁ ବଢ଼ୁଛି ।

ଗତ 3ବର୍ଷ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାକ ଦୁନିଆଁ ଏକ ନୂଆ କଥା ଶିଖିଛି ଓ ତାହା ହେଉଛି ପ୍ରତିଯୋଗିତାମୂଳକ… । ଯେତେବେଳେ ଆଗକୁ ଯିବା ପାଇଁ ପ୍ରତିଦ୍ୱିନ୍ଦ୍ୱିତା ନହେବ, ଯେତେବେଳେ ଗୋଟିଏ ସୁସ୍ଥ ପ୍ରତିଯୋଗିତା ନହେବ, ତା’ହେଲେ ପୁଣି ନା ଗତି ଆସିପାରିବ ନା ହିଁ ଶୀର୍ଷ ସ୍ତରକୁ ଯାଇ ଚିନ୍ତା କରିପାରିବ ।

ବନ୍ଧୁଗଣ, ଏବେ ଭାରତର ଏହି ପ୍ରତିଯୋଗିତାମୂଳକ ମନୋଭାବକୁ ସମଗ୍ର ବିଶ୍ୱ ସ୍ୱୀକୃତ କରୁଛି ଓ ସାଲ୍ୟୁଟ କରୁଛି ।

– ଜାତିସଂଘ ବାଣିଜ୍ୟ ଓ ବିକାଶ ସଂଗଠନର ବିଶ୍ୱ ନିବେଶ ରିପୋର୍ଟ କହୁଛି କି ଭାରତ ବିଶ୍ୱର ବିଦେଶୀ ପୁଞ୍ଜିନିବେଶର ପସନ୍ଦଯୋଗ୍ୟ ସ୍ଥଳୀ ମଧ୍ୟରୁ ଗୋଟିଏ ।

– ବିଶ୍ୱର ଶୀର୍ଷ 3ଟି ସମୃଦ୍ଧ ପ୍ରାୟୋଜକ ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତର ନାଁ ରହିଛି ।

– ଏଫଡିଆଇ ବିଶ୍ଵାସ ସୂଚକାଙ୍କରେ ଭାରତ ଶୀର୍ଷ 2ଟି ବିକାଶଶୀଳ ବଜାର ପ୍ରଦର୍ଶନକାରୀ ମଧ୍ୟରୁ ଗୋଟିଏ

– ବିଶ୍ୱ ବ୍ୟାଙ୍କର ଇଜ ଅଫ୍ ଡୁଇଙ୍ଗ୍ ବିଜିନେସ ମାନ୍ୟତାରେ ଆମେ ମାତ୍ର 3ବର୍ଷ ମଧ୍ୟରେ 42 ଅଙ୍କର ସୁଧାର କରିଛୁ । ଆଜି ଆମେ 142ରୁ 100 ନମ୍ବରରେ ପହଂଚି ସାରିଛୁ । ସମସ୍ତ ରେଟିଙ୍ଗ୍ ଏଜେନ୍ସି ମଧ୍ୟ ଭାରତର ରେଟିଙ୍ଗ୍ ରେ ସୁଧାର କରୁଛନ୍ତି ।

-ଭାରତ ଏବେ ବିଶ୍ୱର ସର୍ବାଧିକ ଉନ୍ମୁକ୍ତ ଅର୍ଥବ୍ୟବସ୍ଥା ମଧ୍ୟରୁ ଗୋଟିଏ

ବନ୍ଧୁଗଣ, ଯେତେବେଳେ ମୁଁ ଗତଥର ଆପଣଙ୍କର ଏହି କାର୍ଯ୍ୟକ୍ରମକୁ ଆସିଥିଲି, ସେତେବେଳେ ଜିଏସଟି କେବଳ ସମ୍ଭାବନାରେ ଥିଲା ।

ଆଜି ଜିଏସଟି ଏକ ବାସ୍ତବତା ପାଲଟିଛି । ସ୍ୱାଧୀନତା ପରେ ଦେଶର ସବୁଠୁ ବଡ଼ ଟିକସ ସଂସ୍କାରକୁ ଲାଗୁ ହେବାର ମାତ୍ର 7ମାସ ହୋଇଛି । ଜିଏସଟି ଦେଶକୁ ଏକ ସୁଦୃଢ଼ ଟିକସ ଅନୁପାଳନ ବ୍ୟବସ୍ଥା, ଉତମ ରାଜସ୍ୱ ବ୍ୟବସ୍ଥା ଦେଇଛି । ଏହା ସାମଗ୍ରୀର ଦ୍ରୁତ ଗତିଶୀଳକୁ ପ୍ରୋତ୍ସାହନ ଦେଇଛି, ପରିବହନ ଖର୍ଚ୍ଚକୁ ହ୍ରାସ ଓ ରପ୍ତାନୀରେ ପ୍ରତିଯୋଗିତାମୂଳକ ପରିବେଶ ସୃଷ୍ଟି କରିଛି ।

– ଭାଇ ଓ ଭଉଣୀମାନେ, ଆମ ଦେଶରେ 70 ବର୍ଷର ପରୋକ୍ଷ ଟିକସ ବ୍ୟବସ୍ଥା ସତ୍ୱେ ପ୍ରାୟ 60ଲକ୍ଷ ବ୍ୟବସାୟୀ ଏଭଳି ଥିଲେ, ଯେଉଁମାନେ ପରୋକ୍ଷ ଟିକସ ପଦ୍ଧତିର ପରିସରରେ ଥିଲେ ।

– ଜିଏସଟିର ମାତ୍ର 7ମାସ ମଧ୍ୟରେ, 44ଲକ୍ଷ ରୁ ଅଧିକ ନୂଆ ଲୋକ ପରୋକ୍ଷ ଟିକସ ବ୍ୟବସ୍ଥା ସହ ଯୋଡ଼ିବା ପାଇଁ ଆବେଦନ କରିଛନ୍ତି ।

– ଏହା ଦ୍ୱାରା ଦେଶରେ ସଚ୍ଚୋଟ ବ୍ୟବସାୟିକ ସଂସ୍କୃତିକୁ ପ୍ରୋତ୍ସାହନ ମିଳିଛି, ଟିକସ ବ୍ୟବସ୍ଥାର ଏହି ସମ୍ପ୍ରସାରଣ ଯୋଗୁ ସଚ୍ଚୋଟ ଟିକସଦାତାଙ୍କୁ କମ୍ ଟିକସର ପୁରସ୍କାର ମଧ୍ୟ ମିଳୁଛି ।

ବନ୍ଧୁଗଣ, ଏହା ଆପଣମାନେ ଜାଣିଥିବେ ଯେ ଆମ ସରକାରଙ୍କୁ ଦୁଇଟି ବେଲେନ୍ସ ସିଟ୍ କିଭଳି ଉତ୍ତରାଧିକାର ସୂତ୍ରରେ ମିଳିଥିଲା । ବ୍ୟାଙ୍କଗୁଡ଼ିକର ପୂର୍ବର ବ୍ୟବସ୍ଥା ପ୍ରତି ଆପଣମାନେ ତ ଅବଗତ ଥିବେ କି କିଭଳି ଭାବେ କ୍ରୋନି କେପିଟାଲିଜିମ୍ ର ପରିବେଶ ବ୍ୟାପକ ଭାବେ ବ୍ୟବସ୍ଥାରେ ସମୃଦ୍ଧ ହୋଇଥିଲା । ଏହାକୁ ସୁଧାରିବା ପାଇଁ ଦେବାଳିଆ ଓ ଦୋବାଳିଆ କୋଡ୍ ଭଳି ବଡ ସଂସ୍କାର ଆମେ କରିଛୁ ।

ଏବେ ଦେଶରେ ଦୁଇ ହଜାରରୁ ଉର୍ଦ୍ଧ୍ଵ ଦେବାଳିଆ ପୋଷାଦାର(ଇନ୍ସଲଭେନ୍ସି ପ୍ରଫେସନାଲ) ଓ 62 ଦେବାଳିଆ ସଂସ୍ଥା 24 ଘଂଟା ଏହି ସମସ୍ୟାକୁ ଦୂର କରିବାରେ ଲାଗିଛି । ମାତ୍ର 3ମାସ ମଧ୍ୟରେ ଆମ ସରକାର 2700 ରୁ ଉର୍ଦ୍ଧ୍ଵ ମାମଲାର ସମାଧାନ କରିସାରିଛି ।

ଆଉ ଏକ ଚାଲେଞ୍ଜପୂର୍ଣ୍ଣ ବିଷୟ ଥିଲା ରପ୍ତାନୀର । ଯଦି ଚଳିତବର୍ଷ 2015-16ର ଆମଦାନୀ ଓ ରପ୍ତାନୀର ତଥ୍ୟକୁ ଦେଖିବେ, ତା’ହେଲେ ଉଭୟ ମଧ୍ୟରେ ପ୍ରାୟ 15 ପ୍ରତିଶତ ହ୍ରାସ ହୋଇଥିବା ଦେଖିବାକୁ ପାଇବେ । ଏହି ହ୍ରାସ କ’ଣ ପାଇଁ ଆସିଛି, ଏହାକୁ ନେଇ ଅନେକ ପ୍ରକାରର ମତ ଆସିଛି । ଏକ ସମ୍ଭାବନା ଆହୁରି ମଧ୍ୟ ଅଛି କି ଯାହା ଉପରେ ଅର୍ଥନୀତିଜ୍ଞମାନଙ୍କୁ ମନ୍ଥନ କରିବା ଉଚିତ୍ ।

ବନ୍ଧୁଗଣ, 2014ମସିହାରେ ସରକାର ଗଠନ ହେବା ପରେ, କଳାଟଙ୍କା ବିରୋଧରେ ଲଢ଼େଇ ଆମର ସରକାରର ପୂର୍ବରୁ ବଡ଼ ନିଷ୍ପତ୍ତି ଥିଲା, ଏସଆଇଟିର ଗଠନ କରିଥିଲେ । ଏସଆଇଟି ନିଜ ରିପୋର୍ଟରେ କହିଥିଲେ କି ଆମଦାନୀ-ରପ୍ତାନୀରେ ଓଭର-ଇନ୍ଭଏସିଂ ମଧ୍ୟ ଗୁରୁତର ବିଷୟ । ଏହି ରିପୋର୍ଟରୁ ସୂଚନା ମିଳିବା ପରେ ସରକାର ଓଭର-ଇନ୍ଭଏସିଂ ସହ ମୁକାବିଲା ପାଇଁ କଡ଼ା ପଦକ୍ଷେପ ନେଇଥିଲେ । ଏବେ ଏହା ଅର୍ଥନୀତିଜ୍ଞ ପାଇଁ ଅଧ୍ୟୟନର ପ୍ରସଙ୍ଗ କି ବାଣିଜ୍ୟ ନିଅଣ୍ଟ ବିନା ବଡ଼ ପରିବର୍ତ୍ତନ ହୋଇଛି । ତା’ହେଲେ କ’ଣ ରପ୍ତାନୀ-ଆମଦାନୀରେ ଏଭଳି ଭାବେ ହ୍ରାସ ହୋଇଥିଲା ? କ’ଣ ଏହାପଛରେ ଓଭର-ଇନ୍ଭଏସିଂ ଥିଲା, ବେସ୍ କରେକ୍ସନ୍ ଥିଲା?

ବିନୀତ୍ ମହୋଦୟ, ଏବେ କାଲି ଏହି ବୟାନ ପ୍ରକାଶିତ କରିଦେବେ କି ରପ୍ତାନୀ ହ୍ରାସ ଉପରେ ମୋଦୀ ଦେଲେ ସ୍ପଷ୍ଟୀକରଣ । ମୁଁ ଗୋଟିଏ ଦିଗ ଆପଣମାନଙ୍କ ସମ୍ମୁଖରେ ରଖିୁଛି ଯାହା ଉପରେ ଆପଣମାନଙ୍କୁ ସମସ୍ତଙ୍କୁ ଚିନ୍ତା କରିବା ଉଚିତ୍ । ଅବଶ୍ୟ ଆପଣମାନଙ୍କ ପାଖରେ ସୂଚନା ଥିବ ଯେ କଠୋରତାର ଦୀର୍ଘ ଅବଧି ପରେ ଏବେ ରପ୍ତାନୀର ନିକଟ ଅତୀତର ତଥ୍ୟ କହୁଛି କି ସ୍ଥିତିରେ ସୁଧାର ଆସୁଛି ।

 

ବନ୍ଧୁଗଣ, ଆମେ ଆମର ଦୈନନ୍ଦିନ ଜୀବନରେ ଦେଖିଥାଉ କି  ଯେତେବେଳେ ପାଣିକୁ ଗରମ ପାଇଁ ରଖିଥାଉ ତାହା ଏକ ନିର୍ଦ୍ଧିଷ୍ଟ ଉତାପରେ ପହଂଚିବା ପରେ ହିଁ ବାଷ୍ପରେ ପରିବର୍ତ୍ତନ ହୋଇଥାଏ । ସେହି ତାପମାତ୍ରାରେ ପହଂଚିବା ପୂର୍ବରୁ ନା ପାଣି ଫୁଟିଥାଏ ନା ହିଁ ବାଷ୍ପ ହୋଇଥାଏ । ସେଭଳି ଭାବେ ସରକାରଙ୍କ ପ୍ରୟାସ ଲୋକଙ୍କ ନିକଟରେ ପହଂଚୁ, ଏଥିପାଇଁ ସ୍ପିଡ(ଗତି), ସ୍କେଲ୍ ଓ ସେନ୍ସିଟିଭ(ସମ୍ବେଦନଶୀଳ) ହେବାର ଆବଶ୍ୟକତା ହୋଇଥାଏ ।

ଯେତେବେଳେ ସ୍ପିଡ୍, ସ୍କେଲ୍, ସେନ୍ସିଟିଭିଟି ସହ କାମ ହୋଇଥାଏ ସେତେବେଳେ ସଫଳତା ମିଳିଥାଏ । ଆମ ସରକାର ଅଟକାଇବା-ଭଣ୍ଡାଇବା- ପକାଇ ରଖିବାର ପୂର୍ବର ସଂସ୍କୃତିକୁ ସମାପ୍ତ କରିଦେଇଛି । ଏହି କାରଣରୁ ସମଗ୍ର ବ୍ୟବସ୍ଥାରେ ଏକ ନୂଆ ଗତି ଆସିଛି ।

– ପୂର୍ବର ସରକାର ଯେଉଁ ଗତିରେ ରେଳଲାଇନକୁ ବ୍ରଡ୍ ଗଜ୍ ରେ ପରିବର୍ତ୍ତନ କରୁଥିଲା, ଆଜି ସେଥିରେ ଦ୍ୱିଗୁଣ ଗତିରେ ରେଳଲାଇନକୁ ବ୍ରଡ ଗଜରେ ପରିବର୍ତ୍ତନ କରାଯାଉଛି ।

– ପୂର୍ବରୁ ସରକାର ଯେଉଁ ଗତିରେ ଗାଁରେ ରାସ୍ତା ନିର୍ମାଣ କରୁଥିଲେ, ଜାତୀୟ ରାଜପଥ ତିଆରି କରୁଥିଲେ, ଏବେ ଏହି ସରକାର ସେହି କାମକୁ ଦ୍ୱିଗୁଣ ଗତିରେ କରୁଛି ।

– ପୂର୍ବର ସରକାର ଯେଉଁ ଗତିରେ ପାୱାର ଟ୍ରାନ୍ସମିଶନ ଲାଇନ୍ ବିଛାଉଥିଲେ ଆଜି ସେହି କାମ ତା’ଠୁ ଦ୍ୱିଗୁଣ ଗତିରେ ହେଉଛି ।

-ପୂର୍ବର ସରକାର ଯେଉଁ ଗତିରେ ବିଦ୍ୟୁତ ଉତ୍ପାଦନ ସାମର୍ଥ୍ୟକୁ ସାମିଲ କରୁଥିଲେ ଏବେ ଥେିରେ ଅଧିକ ଗତିରେ କାମ ହେଉଛି ।

– ପୂର୍ବର ସରକାର 3ବର୍ଷର ପରିଶ୍ରମ ପରେ ଯେତେବେଳେ ମାତ୍ର 59ଟି ଗ୍ରାମପଂଚାୟତକୁ ଅପ୍ଟିକାଲ ଫାଇଭର ସହ ଯୋଡ଼ିଥିଲା, ଏବେ ଆମେ ମାତ୍ର 3ବର୍ଷ ଭିତରେ 1ଲକ୍ଷ 10ହଜାରରୁ ଉର୍ଦ୍ଧ୍ଵ ଗ୍ରାମପଂଚାୟତକୁ ଅପ୍ଟିକାଲ ଫାଇଭର ସହ ଯୋଡ଼ିଛୁ ।

-ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ମାଧ୍ୟମରେ ମାତ୍ର 28 ଯୋଜନାର ରାଶି ବ୍ୟାଙ୍କରେ ସିଧାସଳଖ ଟ୍ରାନ୍ସଫର କରାଯାଉଥିଲା, ଏବେ 400ରୁ ଅଧିକ ଯୋଜନା ଡିବିଟି ସହ ସାମିଲ କରାଯାଇଛି ।

– ଏବେ ଭାବନ୍ତୁ, ଗୋଟିଏ ଛୋଟ ଏଲ୍ଇଡି ବଲବ୍ ପୂର୍ବରୁ ସାଢ଼େ 3ଶହ ଟଙ୍କାରେ ମିଳିୁଥିଲା । ତାକୁ କମ୍ କରି କରି ଆମେ 40-50 ଟଙ୍କାକୁ ନେଇ ଆସିଛୁ । ବିଶ୍ୱର ଅନେକ ରାଷ୍ଟ୍ରରେ ଏବେ ବି ଏଲ୍ଇଡି 3 ଡଲାରରେ ମିଳୁଛି । କିନ୍ତୁ ଆମ ସରକାର ଏହାର ମୂଲ୍ୟକୁ 1 ଡଲାରରୁ ବି କମ୍ କରାଇଛନ୍ତି ।

-2014 ମସିହା ପୂର୍ବରୁ ଆମ ଦେଶରେ ଯେଉଁଠି ମାତ୍ର 3ଟି ମୋବାଇଲ ଫୋନ୍ ନିର୍ମାଣକାରୀ କମ୍ପାନୀ ଥିଲା, ଏବେ ଏହାର ସଂଖ୍ୟା ବୃଦ୍ଧି ପାଇ ପ୍ରାୟ 120ରେ ପହଂଚିଲାଣି । ଏହାର ପରିଣାମ ହେଉଛି କି ଯେଉଁଠି 2014-15 ମସିହାରେ ଦେଶରେ 50ହଜାର କୋଟିରୁ ଅଧିକ ମୋବାଇଲ ଫୋନ୍ ଆମଦାନୀ ହେଉଥିଲା, ଏବେ ଏହା ହ୍ରାସ ପାଇ ଅଧା ରହିଯାଇଛି ।

 

କ’ଣ ଏହି ପରିବର୍ତ୍ତନ ଏମିତି ହୋଇଗଲା? କ’ଣ ଏହି ପରିବର୍ତ୍ତନ ଏଭଳି ଆସିଗଲା ? ଏଥିପାଇଁ ଯେଉଁ ଇଚ୍ଛାଶକ୍ତିର ଆବଶ୍ୟକତା ରହିଥାଏ, ତାହା ଆମ ସରକାର ଦେଖାଇଛି । ଏହା ନୂଆ ଅର୍ଥବ୍ୟବସ୍ଥାର ନୂଆ ଶାସନ ।

ଭାଇ ଓ ଭଉଣୀମାନେ, 2014 ମସିହାରେ ସରକାର ଗଠନ ହେବା ପରେ ଆମେ ସମ୍ବଳର ଆଶାବାଦୀ ବିନିଯୋଗ, ସମ୍ବଳ ଆଧାରିତ ବିକାଶ ନୀତି ଓ ବିକାଶ ନୀତି ଆଧାରିତ ବଜେଟ୍ ଉପରେ ଗୁରୁତ୍ୱ ଦେଇଛୁ ।

– ଏବେ ଦେଶରେ ଭିତ୍ତିଭୂମି, କୃଷି, ଟେକ୍ନୋଲଜି, ସ୍ୱାସ୍ଥ୍ୟ କ୍ଷେତ୍ର, ଶିକ୍ଷା କ୍ଷେତ୍ରରେ ଯେତେ ନିବେଶ କରାଯାଉଛି, ତାହା ପୂର୍ବରୁ କେବେ କରାଯାନଥିଲା ।

– ପ୍ରଥମଥର ପାଇଁ ଦେଶରେ ବେସାମରିକ ବିମାନ ଚଳାଚଳ ନୀତି ପ୍ରସ୍ତୁତ ହୋଇଛି । ଯେଉଁ ପ୍ରତିରକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ କଥା କେହି ଚିନ୍ତା କରୁନଥିଲେ, ସେଥିରେ ବି ଆମର ସରକାର ନିବେଶର ନୂଆ ସମ୍ଭାବନା ସୃଷ୍ଟି କରାଇଛି ।

– ଆମ ସରକାର ଦେଶର ଟ୍ରାନ୍ସପୋର୍ଟ କ୍ଷେତ୍ରକୁ ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରିଛି, ତାକୁ ଏକୀକୃତ କରାଉଛି ।

ଏ ସମସ୍ତ ନିବେଶ, ସରକାରଙ୍କ ଯୋଜନା, ନିଜ ସହ ରୋଜଗାର ପାଇଁ ଲକ୍ଷ ଲକ୍ଷ ସୁଯୋଗ ନେଇ ମଧ୍ୟ ଆସୁଛି । ଗତ 4ବର୍ଷ ମଧ୍ୟରେ ଆମର ସରକାର ଦେଶରେ ନିଯୁକ୍ତିକେନ୍ଦ୍ରିକ ସହ ଜନକେନ୍ଦ୍ରିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଇଛି । ଏଭଳି ଏକ ଅର୍ଥବ୍ୟବସ୍ଥା ଯେଉଁଥିରେ ଦେଶର ଗରିବଙ୍କ ଆର୍ଥିକ ସମାବେଶ ମଧ୍ୟ କରାଯାଉଛି, ଯାହା ମଧ୍ୟବିତ୍ତର ଆକାଂକ୍ଷା ଉପରେ ଧ୍ୟାନ ରଖିବ ।

ବନ୍ଧୁଗଣ, ଆମ ସରକାରରେ ଏ ଦମ୍ଭ ନାହିଁ କି ଆମେ ସବୁ ଜାଣିଛେ । ସବ୍କା ସାଥ୍- ସବ୍କା ବିକାଶ ମନ୍ତ୍ରରେ ଚାଲି ଆମେ ସମସ୍ତଙ୍କ ମତାମତ ଓ ସମସ୍ତଙ୍କ ଅଭିଜ୍ଞତାକୁ ନେଇ ଆଗକୁ ବଢ଼ୁଛୁ । ଆମ ସରକାର ପୂର୍ଣ୍ଣ ସମ୍ବେଦନଶୀଳତା ସହ ସେମାନଙ୍କର ଆବଶ୍ୟକତା, ସେମାନଙ୍କର ଚିନ୍ତା ଶୁଣୁଛି ଓ ଏହି କାରଣରୁ ତା’ର ଦୀର୍ଘକାଳୀନ ସମସ୍ୟାର ଅଭିନବ ସମାଧାନ ବାହାରି ପାରୁଛି ।

ପ୍ରଥମ ଦିନରୁ ଆମର ପ୍ରୟାସ ରହିଛି କି ବ୍ୟବସ୍ଥାରେ ସମାନ୍ତରାଳ ଓ ସିଧାସଖଳ ସମ୍ବେଦନଶୀଳତାକୁ ବଛାଯାଉ । ମୁଁ ନିଜେ ସେ ସମ୍ପର୍କରେ ଚାଷୀଙ୍କ ସହ, ଯୁବବର୍ଗ ସହ, ଛାତ୍ରଛାତ୍ରୀଙ୍କ ସହ, ଯୁବ ସିଇଓଙ୍କ ସହ ମିଶି ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ବାର୍ତାଳାପ କରୁଛି । ଆମେ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରିଛୁ, ଯେଉଁଥିରେ ଲୋକଙ୍କର ମତାମତ ସିଧାସଳଖ ଆମକୁ ମିଳୁଛି । ଅଭିଯୋଗ ସମାଧାନ ଉପରେ ଆମର ସରକାର ମଧ୍ୟ ବହୁତ ଅଧିକ ଗୁରୁତ୍ୱ ଦେଉଛି ।

ବନ୍ଧୁଗଣ, ଅନେକ ସମୟରେ ଯେଉଁ ସିଦ୍ଧାନ୍ତିକ ସମାଧାନ ଅଧିକ ସଠିକ୍ ଦୃଶ୍ୟମାନ ହୋଇଥାଏ, ସେଠାରେ ଅନେକ ବାସ୍ତବ ସମସ୍ୟା ଜନ୍ମ ନେଇଥାଏ । ତେଣୁ ଏହାକୁ ସେତେବେଳେ ବୁଝାଯାଇପାରିବ, ଯେତେବେଳେ ସରକାର ସମ୍ବେଦନଶୀଳତାର ସହ ସମସ୍ତ ସୂକ୍ଷ୍ମତାକୁ ବୁଝୁଥିବ ।

 

ଯେମିତିକି ବାଉଁଶ ଉପରେ ନିକଟରେ ନିଆଯାଇଥିବା ନିଷ୍ପତ୍ତି, ୟୁରିଆର 100 ପ୍ରତିଶତ ନିମପ୍ରଲେପ, ଗ୍ରୁପ୍ ସି ଓ ଡି ଚାକିରିରେ ସାକ୍ଷାତକାରକୁ ସମାପ୍ତ କରିବା ନିଷ୍ପତ୍ତି, ଗେଜେଟେଡ୍ ଅଫିସରଙ୍କଠୁ ଆଟେଷ୍ଟେଡ୍ କରିବାର ବାଧ୍ୟତାକୁ ସମାପ୍ତ କରିବାର ନିଷ୍ପତ୍ତି ଆଦି କାର୍ଯ୍ୟ ପୂର୍ବରୁ ମଧ୍ୟ କରାଯାଇପାରିଥାନ୍ତା । କିନ୍ତୁ ସମ୍ବେଦନଶୀଳତାର ଅଭାବ, ଲୋକଙ୍କ ସହ ଯୋଗାଯୋଗର ଅଭାବ ଏଭଳି କରାଇବାକୁ ଦେଇନଥିଲା ।

ବନ୍ଧୁଗଣ ଆମର ଏଠି ସ୍ୱାସ୍ଥ୍ୟ ଏକ ଏଭଳି କ୍ଷେତ୍ର, ଯାହା ସାମଗ୍ରିକ ନଜରରୁ ସର୍ବଦା ଦୂରେଇ ରହିଥାଏ । ସ୍ୱାସ୍ଥ୍ୟ ସହ ଜଡ଼ିତ ଯୋଜନା ପ୍ରଥମଥର ହୋଇଛି, କିନ୍ତୁ ସେଥିରେ ବି ସମ୍ବେଦନଶୀଳତାର ଅଭାବ ରହିଛି । ଆମେ ଉତ୍ତମ ସ୍ୱାସ୍ଥ୍ୟସେବା ସହ ଉତ୍ତମ ସ୍ୱାସ୍ଥ୍ୟର ବି ବୀମା କରୁଛୁ ।

– ମିଶନ୍ ଇନ୍ଦ୍ରଧନୁଷ ଯୋଗୁ ଦେଶରେ ଟୀକାକରଣର ପରିସର ବୃଦ୍ଧିର ଗତି 6ଗୁଣା ଅଧିକ ହୋଇଛି ।

– 3ହଜାରରୁ ଅଧିକ ଜନଔଷଧି ଷ୍ଟୋରରେ 800ରୁ ଅଧିକ ଔଷଧକୁ କମ୍ ଦାମରେ ଦିଆଯାଉଛି । ଆମ ସରକାର ଷ୍ଟେଂଟ୍ ର ମୂଲ୍ୟ 80ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି । ଆଣ୍ଠୁ ପ୍ରତ୍ୟାରୋପଣର ମୂଲ୍ୟକୁ ନିୟନ୍ତ୍ରଣ କରାଯାଉଛି । ଡାଏବେଟିକର ପ୍ରାୟ ଅଢ଼େଇ ଲକ୍ଷ ରୋଗୀଙ୍କୁ 20ରୁ 25ଲକ୍ଷ ସେସନ୍ସ ମାଗଣା କରାଯାଇଛି ।

– ଏହି କାରଣରୁ ଆମେ ଦେଶର 10 କୋଟି ଗରିବ ପରିବାରକୁ ଲାଭ ପହଂଚାଇବା ନିମନ୍ତେ ସ୍ୱାସ୍ଥ୍ୟ ବୀମା ଯୋଜନା-ଆୟୁଷ୍ମାନ ଭାରତର ଘୋଷଣା କରଇଛୁ । ଏହା ଆଧାରରେ ପ୍ରତ୍ୟେକ ଗରିବ ପରିବାରକୁ ଗୁରୁତର ରୋଗର ଚିକିତ୍ସା ପାଇଁ ବର୍ଷକ ମଧ୍ୟରେ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଦିଆଯିବ ।

ବନ୍ଧୁଗଣ, ଡିଜିଟାଲ ଇଣ୍ଡିଆ ମିଶନ ଆଧାରରେ ଆମର ସମାଜକୁ ଡିଜିଟାଲ ସଶକ୍ତ ସମାଜରେ ପରିବର୍ତ୍ତନ ଓ ଦେଶର ଅର୍ଥବ୍ୟବସ୍ତାକୁ ‘ନଲେଜ୍ ଅର୍ଥବ୍ୟବସ୍ଥା’ରେ ପରିବର୍ତ୍ତନ କରିବାକୁ ହେବ । 100 କୋଟି ବ୍ୟାଙ୍କ ଏକାଉଣ୍ଟ, 100 କୋଟି ଆଧାର କାର୍ଡ, 100 କୋଟି ମୋବାଇଲ ଫୋନ୍ ର ତ୍ରିମୂର୍ତ୍ତିର ଏକ ଏଭଳି ଇକୋସିଷ୍ଟମ୍ ତିଆରି କରିବ ଯାହା ସମଗ୍ର ବିଶ୍ୱରେ ସମ୍ପୂର୍ଣ୍ଣ ଭିନ୍ନଧରଣର ହେବ ।

ବନ୍ଧୁଗଣ, ଏମ୍ଏସ୍ଏମଇର ପାରିପାଶ୍ୱିର୍କ ସ୍ଥିତି, ଆମର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ । ଏହି କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଆମେ କ୍ରମାଗତ କାମ କରୁଛୁ । ଅଧିକରୁ ଅଧିକ ଲଘୁ ଉଦ୍ୟୋଗକୁ ଆନୁଷ୍ଠାନିକ କ୍ଷେତ୍ରକୁ ଆଣିବା ପାଇଁ ଉଚ୍ଚ ଋଣ ସହାୟତା, ପୁଞ୍ଜି ଓ ସୁଧ ରିହାତି ଏବଂ ନବସୃଜନ ଉପରେ ଧ୍ୟାନ ଦିଆଯାଉଛି ।

ଏଥିରେ ଫାଇନାନ୍ସିଆଲ ଟେକ୍ନୋଲଜି ଅର୍ଥାତ Fintech ର ମଧ୍ୟ ବହୁତ ମହତ୍ୱପୂର୍ଣ୍ଣ ଯୋଗଦାନ ରହିଛି । ଏମ୍ଏସ୍ଏମ୍ଇକୁ ଆର୍ଥିକ ଉପଲବ୍ଧତା ପ୍ରଦାନ କରିବା ପାଇଁ, ସେଥିରେ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ଫିନ୍ ଟେକ୍ ର ଉପଯୋଗ ବୃଦ୍ଧି କରାଯାଉଛି । କ୍ରମବର୍ଦ୍ଧିଷ୍ଣୁ ଉପଯୋଗ, ଦେଶର ଅର୍ଥବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଉଛି ।

ବନ୍ଧୁଗଣ, ଯେତେବେଳେ ମୁଁ ଏହା ପୂର୍ବରୁ ଆପଣଙ୍କ ଏହି ଆୟୋଜନକୁ ଆସିଥିଲି ସେତେବେଳେ ମୁଁ ସମସ୍ତଙ୍କ ପାଇଁ ବାସଘର, ସମସ୍ତଙ୍କୁ ବିଦ୍ୟୁତ, ସମସ୍ତଙ୍କୁ ସ୍ୱଚ୍ଛ ଇନ୍ଧନ, ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ସମସ୍ତଙ୍କ ପାଇଁ ବୀମା କଥା କହିଥିଲି ।

– ଦେଶରେ ଗତ 3ବର୍ଷ ମଧ୍ୟରେ ଗରିବ ଓ ନିମ୍ନ ମଧ୍ୟବିତ୍ତ ବର୍ଗ ପାଇଁ ପ୍ରାୟ ଏକ କୋଟି ଘର ନିର୍ମାଣ କରାଯାଇଛି ।

– 4 କୋଟି ଘରକୁ ବିଦ୍ୟୁତ ସଂଯୋଗ ଦିଆଯାଇ ଆଲୋକିତ କରିବା ନିମନ୍ତେ ସୌଭାଗ୍ୟ ଯୋଜନାର ଆରମ୍ଭ ହୋଇଛି

– ଉଜ୍ୱଳା ଯୋଜନା ଆଧାରରେ 3 କୋଟି 40ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ୍ ସଂଯୋଗ ଦିଆଯାଇଛି ।

– ମାତ୍ର 90 ପ୍ରତିଶତ ଦୈନିକ ଓ ଗୋଟିଏ ଟଙ୍କା ମାସର ପ୍ରିମିୟମରେ ଆମ ସରକାର 18 କୋଟିରୁ ଉର୍ଦ୍ଧ୍ଵ ଗରିବଙ୍କୁ ସୁରକ୍ଷା କବଚ ପ୍ରଦାନ କରିଛନ୍ତି । ଏହି ବୀମା ଯୋଜନା ମାଧ୍ୟମରେ ଗରିବଙ୍କୁ ଏପର୍ଯ୍ୟନ୍ତ 2 ହଜାର କୋଟି ଟଙ୍କାରୁ ଅଧିକ ବୀମା ଦାବିରାଶି ଦିଆଯାଇଛି ।

ବନ୍ଧୁଗଣ, ଆମ ସରକାରର ନୀତି, ନିଯୁକ୍ତି, ନିଷ୍ପତ୍ତି, ନିୟତ୍, ସବୁର ଗୋଟିଏ ହିଁ ଲକ୍ଷ୍ୟ ଅଛି । ଦେଶର ବିକାଶ, ଦେଶର ଗରିବଙ୍କ ବିକାଶ ।  ସବ୍କା ସାଥ- ସବ୍କା ବିକାଶର ମନ୍ତ୍ରରେ ଚାଲି ଆମେ ଗରିବଙ୍କୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛୁ ।

– ଗତ 3ବର୍ଷ ମଧ୍ୟରେ ଜନଧନ ଯୋଜନା ଆଧାରରେ ଦେଶରରେ 31 କୋଟିରୁ ଅଧିକ ଗରିବଙ୍କ ବ୍ୟାଙ୍କ ଏକାଉଣ୍ଟ ଖୋଲାଯାଇଛି । କେବଳ ଏକାଉଣ୍ଟ ଖୋଲାଯାଇନି, ଏଥିରେ ଏବେ ପ୍ରାୟ 75ହଜାର କୋଟି ଟଙ୍କା ଜମା ହୋଇଛି ।

– ଏହି ଅବଧିରେ ସରକାର 6 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରିଛନ୍ତି । ଦେଶର ଗ୍ରାମାଂଚଳରେ ସ୍ୱଚ୍ଛତାର ପରିସର 2014ରେ ପ୍ରାୟ 40 ପ୍ରତିଶତରୁ ବୃଦ୍ଧି ପାଇଁ ଏବେ 78 ପ୍ରତିଶତରୁ ଅଧିକ ହୋଇଯାଇଚି ।

– ସରକାର ମୁଦ୍ରା ଯୋଜନାରେ 11 କୋଟି ଋଣ ଦେଇଛନ୍ତି । ଅର୍ଥାତ ଏହା ଆଧାରରେ ସାଢ଼େ 4 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ବିନା ବ୍ୟାଙ୍କ ଗ୍ୟାରେଂଟିରେ ଦେଶର ଯୁବବର୍ଗଙ୍କୁ, ମହିଳାଙ୍କୁ ଦିଆଯାଇଛି । ଏହି ଯୋଜନାରେ ଦେଶକୁ ପ୍ରାୟ 3 କୋଟି ନୂଆ ଉଦ୍ୟୋଗୀ ମିଳିଛନ୍ତି ।

– ଏ ପର୍ଯ୍ୟନ୍ତ 11 କୋଟିରୁ ଅଧିକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଂଟନ କରାଯାଇଛି । 20ଲକ୍ଷ ହେକ୍ଟରରୁ ଅଧିକ ଜମିକୁ କ୍ଷୁଦ୍ର ଜଳସେଚନର ପରିସରକୁ ଅଣାଯାଇଛି ।

 

ବନ୍ଧୁଗଣ, ଚଳିତବର୍ଷ ବଜେଟରେ ନୂଆ ଅର୍ଥବ୍ୟବସ୍ଥା ସହ ଜଡ଼ିତ ଆଉ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି ।

– ଅଧିସୂଚିତ ଫସଲ ନିମନ୍ତେ ସର୍ବନିମ୍ନ ସହାୟକ ମୂଲ୍ୟ ଅର୍ଥାତ MSP, ତା’ର ମୂଲ୍ୟକୁ ଅତିକମରେ ଦେଢ଼ଗୁଣ ଘୋଷିତ କରାଯିବ । ଏହି ମୂଲ୍ୟରେ ଚାଷୀଙ୍କ ଦ୍ୱାରା ନିଆଯାଇଥିବା ଅନ୍ୟ ଶ୍ରମିକଙ୍କ ପରିଶ୍ରମର ମୂଲ୍ୟ, ନିଜର ହଳ-ମେସିନ ଅବା ଭଡ଼ାରେ ନେଇଥିବା ହଳ ଓ ମେସିନର ଖର୍ଚ୍ଚ, ବିହନର ଦର, ସବୁ ପ୍ରକାରର ଖତର ଦର, ଜଳସେଚନ ଉପରେ ହୋଇଥିବା ଖର୍ଚ୍ଚ, ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଜମି ରାଜସ୍ୱ, ୱାର୍କିଂ କ୍ୟାପିଟାଲ ଉପରେ ଦିଆଯାଇଥିବା ସୁଧ, ଲିଜ୍ ରେ ନିଆଯାଇଥିବା ଜମି ପାଇଁ ଦିଆଯାଇଥିବା ଭଡ଼ା ଓ ଅନ୍ୟ ଖର୍ଚ୍ଚ ସାମିଲ ଅଛି । କେବଳ ସେତିକି ନାହିଁ, ଚାଷୀଙ୍କ ଦ୍ୱାରା ନିଜ ଓ ନିଜ ପରିବାର ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ଶ୍ରମର ଯୋଗଦାନର ମଧ୍ୟ ମୂଲ୍ୟକୁ ବି ଉତ୍ପାଦନ ଖର୍ଚ୍ଚରେ ସାମିଲ କରାଯିବ ।

ଦେଶର ପରିଶ୍ରମୀର ଚାଷୀଙ୍କ ଆୟ ସହ ଜଡ଼ିତ ଏହା ବହୁତ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଅବଶ୍ୟ କିଛି ଅର୍ଥନୀତିଜ୍ଞ ଏହାର ମୂଲ୍ୟ ବୃଦ୍ଧିର ସଙ୍କେତ ଦେଉଛନ୍ତି ।

ବନ୍ଧୁଗଣ, ଏଭଳି ଅର୍ଥନୀତିଜ୍ଞଙ୍କୁ ମଧ୍ୟ ଏହା ବିଚାର କରିବା ଉଚିତ୍ ଯେ ଆମର ଅନ୍ନଦାତା, ଆମର ଚାଷୀଙ୍କ ପ୍ରତି ଆମର ଦାୟିତ୍ୱ କ’ଣ ହେବା ଉଚିତ୍? ମୋତେ ଲାଗୁଛି କି ଚାଷୀଙ୍କ ଆୟ ବୃଦ୍ଧି ସହ ଜଡ଼ିତ ପ୍ରତ୍ୟେକ ନିଷ୍ପତ୍ତିକୁ ଆମେ ସମର୍ଥନ କରିବା ଉଚିତ୍ । ସରକାର ଏହି ପ୍ରୟାସରେ ଆୟର ସ୍ରୋତ ଚିହ୍ନଟ କରନ୍ତୁ, ତା’ହେଲେ ନିଃସଙ୍କୋଚରେ ନିଜର ଦାୟିତ୍ୱ ବୃଦ୍ଧି ହେବା ଉଚିତ୍ ।

ବନ୍ଧୁଗଣ, ସରକାର ଗତ 3ବର୍ଷ ମଧ୍ୟରେ ସଚ୍ଚୋଟତାକୁ ସୁବ୍ୟବସ୍ଥିତ କରିବା ଦିଗରେ କାମ କରୁଛନ୍ତି । ଜ୍ଞାନକୌଶଳ ମାଧ୍ୟମରେ ବ୍ୟବସ୍ଥାକୁ ପାରଦର୍ଶୀ କରାଯାଉଛି, ବାଟମାରଣା ବନ୍ଦ କରାଯାଉଛି ।

– ଡିବିଟି ମାଧ୍ୟମରେ ସରକାର 57ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଭୁଲ୍ ଲୋକଙ୍କ ହାତକୁ ଯିବାରୁ ସଂଚୟ କରିଛି ।

– ଦୁଇ ଲକ୍ଷରୁ ଅଧିକ ସନ୍ଦିଗ୍ଧ କମ୍ପାନୀର ପଞ୍ଜିକରଣ ମଧ୍ୟ ରଦ୍ଦ କରାଯାଇଛି । ଏହି କମ୍ପାନୀଗୁଡ଼ିକର ନିର୍ଦ୍ଦେଶକଙ୍କ ଏକାଉଣ୍ଟ ମଧ୍ୟ ନିଲମ୍ବନ କରାଯାଇଛି ଓ ଏଥିପାଇଁ ସେମାନଙ୍କର ଅନ୍ୟ କୌଣସି କମ୍ପାନୀରେ ନିର୍ଦ୍ଦେଶକ ହେବା ଉପରେ ବି କଟକଣା ଜାରି କରାଯାଇଛି ।

ଏଠି ଏହି ଅବସରରେ ଦେଶର ଉଦ୍ୟୋଗ ଜଗତ, ପ୍ରତ୍ୟେକ କ୍ଷେତ୍ରର ଲୋକ, ପ୍ରତ୍ୟେକ ପେଷାଦାର ବ୍ୟକ୍ତିଙ୍କୁ ମୁଁ ଅନୁରୋଧ କରିବାକୁ ଚାହୁଁଛି କି ଦେଶର ବର୍ତ୍ତମାନର ଆବଶ୍ୟକତା କ’ଣ ଅଛି, ଭବିଷ୍ୟତରେ ଆବଶ୍ୟକତା କ’ଣ ହେବ, ତାକୁ ସର୍ବଦା ନିଜ ମନ ଭିତରେ ପ୍ରସ୍ତୁତ କରି ରଖନ୍ତୁ ।

ଆହୁରି ଏକ ଆହ୍ୱାନ ମଧ୍ୟ କରିବାକୁ ଚାହୁଁଛି କି ବିଭିନ୍ନ ଆର୍ଥିକ ପ୍ରତିଷ୍ଠାନରେ ନିୟମ ଓ ନିୟତ ଅର୍ଥାତ୍ ନୈତିକତା ବଜାୟ ରଖିବା ଦାୟିତ୍ୱ ଯେଉଁମାନଙ୍କୁ ଦିଆଯାଇଛି ସେମାନେ ପୁରା ନିଷ୍ଠାର ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତୁ । ବିଶେଷକରି ଯେଉଁମାନଙ୍କୁ ତଦାରଖ ଓ ପରିଚାଳନା ଦାୟିତ୍ୱ ଦିଆଯାଇଛି ।

ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି କି ଏହି ସରକାର ଆର୍ଥିକ ପ୍ରସଙ୍ଗରେ ସମ୍ବନ୍ଧିତ ଅନିୟମିତତା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବ । ଲୋକଙ୍କ ଟଙ୍କାର ଅନିୟମିତତ ଉପାର୍ଜନ, ଏହି ବ୍ୟବସ୍ଥାକୁ ସ୍ୱୀକାର୍ଯ୍ୟ ହେବ ନାହିଁ । ନୂଆ ଅର୍ଥବ୍ୟବସ୍ଥା-ନୂଆ ଶାସନର ମୂଳ ମନ୍ତ୍ର ।

ବନ୍ଧୁଗଣ, ଏଠି ନୂଆ ଅର୍ଥବ୍ୟବସ୍ଥାର କଥା ଚାଲିଛି । ମୁଁ ଏଠି ହେଉଥିବା ଭିନ୍ନ ଭିନ୍ନ ଅଧିବେଶନ ସମ୍ପର୍କରେ ସୂଚନା ସଂଗ୍ରହ କରିବାବେଳେ ମୋ’ ମନରେ ଗୋଟିଏ ବିଚାର ଆସିଲା । ଆଉ ସେହି ବିଚାର ହେଉଛି ଦେଶର ଅର୍ଥବ୍ୟବସ୍ଥା ସହ ଗଭୀର ଭାବେ ଜଡ଼ିତ ଅଛି । ମୋତେ ଲାଗୁଛି ଏଭଳି କାର୍ଯ୍ୟକ୍ରମରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ କରିବା ଉପରେ ଯେଉଁ ସକରାତ୍ମକ ଆର୍ଥିକ ପ୍ରଭାବ ଦେଶ ଉପରେ ପଡ଼ିବ, ତା’ର ମଧ୍ୟ ଚର୍ଚ୍ଚା ହେବା ଉଚିତ୍ ।

ଏହି ବିଷୟ କେବଳ ଭାରତ ମଧ୍ୟରେ ସୀମିତ ନାହିଁ । ବିଦେଶୀ କମ୍ପାନୀଗୁଡ଼ିକ ତ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ । ପୁଞ୍ଜିନିବେଶ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ । କେତେକ ଦେଶରେ ନିର୍ବାଚନର ସମୟ, ମାସ ଓ ଦିନ ମଧ୍ୟ ନିର୍ଦ୍ଧାରଣ ହୋଇ ରହିଛି । ଏଠି ଦେଶରେ ଉଦ୍ୟୋଗିକ ବିକାଶର ଏହା ଉପରେ କ’ଣ ପ୍ରଭାବ ପଡ଼ିଥାଏ, ତାହା ଉପରେ ଚର୍ଚ୍ଚା କରାଯାଇପାରିବ ।

ଭାରତର ଆର୍ଥିକ ବିକାଶ, ଭାରତରେ ସୁପ୍ରଶାସନର ନିରନ୍ତର ପ୍ରୟାସ, ଭାରତରେ ବିଶ୍ୱ ମାନଦଣ୍ଡକୁ ହାସଲ କରିବାର ନୀତି ଓ କାର୍ଯ୍ୟକ୍ରମ, ବିଶ୍ୱ ସହ ଆର୍ଥିକ ଓ ବ୍ୟବସାୟିକ ଭାଗିଦାରୀ ସମ୍ବନ୍ଧରେ ବ୍ୟାପକ ସହମତିର ପ୍ରୟାସ, ବିଜ୍ଞାନ, ଜ୍ଞାନକୌଶଳ ଓ ନବସୃଜନର କେନ୍ଦ୍ରରେ ସ୍ଥାୟୀ ବିକାଶକୁ ପ୍ରାଥମିକତା, ଏ ସମସ୍ତ କଥା ସମଗ୍ର ବିଶ୍ୱ ବୁଝିପାରିଛି । ଭାରତ ଆଡ଼କୁ ଆକର୍ଷିତ ହେଉଛି ।

ଆଧୁନିକ ପରିବେଶ, ନୂଆ ଆର୍ନ୍ତଜାତିକ ପରିଦୃଶ୍ୟରେ ଭାରତ ଅଗ୍ରଣୀ ଶକ୍ତି ହୋଇପାରିବ, ଜ୍ଞାନକୌଶଳ କ୍ଷେତ୍ରରେ, ନବସୃଜନ କ୍ଷେତ୍ରରେ ବିଶ୍ୱର ନେତୃତ୍ୱ କରିପାରିବ ।

ଆମ ଭିତରେ ସେହି ସାର୍ମଥ୍ୟ ରହିଛି, ଆମ ପାଖରେ ସେହି ସମ୍ବଳ ରହିଛି କି ଆମେ ନବ୍ୟ ଭାରତର ସ୍ୱପ୍ନକୁ ସତ କରିପାରିବା । ଆମର ବିକାଶ, କେବଳ ଆମର ହେବ ନାହିଁ, ତାହା ସମଗ୍ର ବିଶ୍ୱରେ ସମୃଦ୍ଧି ଆଣିବ ।

ଆସନ୍ତୁ, ନିଜ ଆଗରେ ଥିବା ପ୍ରତ୍ୟେକ ଚ୍ୟାଲେଞ୍ଜକୁ ସୁଯୋଗରେ ପରିବର୍ତ୍ତନ କରି, ଆମେ ନବ ଭାରତର ନିର୍ମାଣ କରିବା, ନିଜର ସଂକଳ୍ପକୁ ସିଦ୍ଧ କରିବା ।

ପୁଣିଥରେ ଆପଣମାନଙ୍କୁ ସମସ୍ତଙ୍କୁ ଏହି ଆୟୋଜନ ନିମନ୍ତେ ବହୁତ ବହୁତ ଶୁଭକାମନା ସହ ନିଜର କଥା ସମାପ୍ତ କରୁଛି ।

ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ!!!

 

**********