ପିଏମଇଣ୍ଡିଆ
ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର) ଉପରେ ଭାରତ ଏବଂ କାନାଡା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଛିଲା ଭାବେ ମଞ୍ଜୁରି ମିଳିଛି । ବୌଦ୍ଧିକ ସମ୍ପତ୍ତି (ଆଇପି) କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ କାର୍ଯ୍ୟକଳାପ ପ୍ରତିଷ୍ଠା କରିବା ଲାଗି 23 ଫେବୃଆରୀ, 2018ରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ଏହାର ଉଦ୍ଦେଶ୍ୟ ଉଭୟ ଦେଶ ମଧ୍ୟରେ ନବୋନ୍ମେଷ, ସୃଜନଶୀଳତା ଏବଂ ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେବା ।
ଏହି ଏମଓୟୁ ଏକ ବ୍ୟାପକ ଏବଂ ନମନୀୟ ଢାଂଚାର ପ୍ରତିଷ୍ଠା କରୁଛି, ଯେଉଁଥିରେ ଉଭୟ ଦେଶ ସର୍ବଶ୍ରେଷ୍ଠ ପ୍ରଚଳନର ଆଦାନପ୍ରଦାନ କରିପାରିବେ । ଏଥିସହିତ ଆଇପିଆର ଉପରେ ସଚେତନତା ବୃଦ୍ଧି କରିବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ପ୍ରଯୁକ୍ତି ବିନିମୟ ଉପରେ ଏକଜୁଟ ହୋଇ କାମ କରିପାରିବେ । ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର)ର ଉନ୍ନତ ଢଙ୍ଗରେ ସୁରକ୍ଷା କରିପାରିବେ ।
ଏମଓୟୁ ଅନ୍ତର୍ଗତ ପ୍ରାଥମିକ ପଦକ୍ଷେପ ମଧ୍ୟରେ ସାମିଲ ରହିଛି:
-ଉଭୟ ଦେଶର ସାଧାରଣ, ବ୍ୟବସାୟ ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ଆଇପି ସଚେତନତା ବଢ଼ାଇବା ଉପରେ ସର୍ବଶ୍ରେଷ୍ଠ ପ୍ରଚଳନ, ଅଭିଜ୍ଞତା ଏବଂ ଜ୍ଞାନର ଆଦାନପ୍ରଦାନ ।
-ସ୍ୱତନ୍ତ୍ର ଆଇପି କ୍ଷେତ୍ର ସହିତ ଜଡ଼ିତ ମାନବ ସମ୍ବଳ ସହିତ ଆପୋସ ସମ୍ପର୍କ ପ୍ରତିଷ୍ଠା କରିବା ଲାଗି ବିଶେଷଜ୍ଞମାନଙ୍କ ପାରସ୍ପରିକ ବିନିମୟ ।
-ଅଂଶଗ୍ରହଣକାରୀଙ୍କ ଦ୍ୱାରା ଏକକ ରୂପରେ କିମ୍ବା ମିଳିତ ଭାବେ ଆୟୋଜିତ କାର୍ଯ୍ୟକ୍ରମ, ପ୍ରଶିକ୍ଷଣ ଏବଂ ସମାରୋହରେ ଭାଗିଦାରୀ ଜରିଆରେ ଉଦ୍ୟୋଗ, ବିଶ୍ୱବିଦ୍ୟାଳୟ, ଗବେଷଣା ଓ ବିକାଶ ସଂଗଠନ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଇ) ସହିତ ଆଇପି ଉପରେ ସର୍ବଶ୍ରେଷ୍ଠ ପ୍ରଚଳନ ଅଭିଜ୍ଞତା ଏବଂ ଜ୍ଞାନର ଆଦାନପ୍ରଦାନ ତଥା ପ୍ରସାର ।
-ଆଇପିରେ ଆଧୁନିକୀକରଣ ପ୍ରକଳ୍ପ, ନବୀନ ଏବଂ ବର୍ତ୍ତମାନ ପ୍ରଚଳିତ ଲିଖିତ ପ୍ରମାଣ ଏବଂ ସୂଚନା ପଦ୍ଧତିର ସ୍ୱୟଂଚାଳନ ଏବଂ କାର୍ଯ୍ୟାନ୍ୱୟନ ବିକାଶରେ ସହଯୋଗ ତଥା ଆଇବିର ପରିଚାଳନାର ପ୍ରକ୍ରିୟା ।
-ପାରମ୍ପରିକ ଜ୍ଞାନର ସୁରକ୍ଷା କିଭଳି କରାଯିବ ତାହା ବୁଝିବା କ୍ଷେତ୍ରରେ ସହଯୋଗ; ପାରମ୍ପରିକ ଜ୍ଞାନ ସମ୍ବନ୍ଧୀୟ ଡାଟା ଆଧାର ଏବଂ ବର୍ତ୍ତମାନର ଆଇପି ପ୍ରଣାଳୀ ବିଷୟରେ ସଚେତନତା ବୃଦ୍ଧି କରିବା ସହିତ ସର୍ବଶ୍ରେଷ୍ଠ ପ୍ରଚଳନର ବିନିମୟରେ ସହଯୋଗ ।
-ସ୍ଥାନୀୟ ଆଇପି ଏବଂ ବ୍ୟବସାୟ ଗୋଷ୍ଠୀ ଲାଗି ଆଇପି ସମ୍ବନ୍ଧୀୟ ପ୍ରଶିକ୍ଷଣରେ ସହଯୋଗ ଏବଂ
-ସେପରି ଅନ୍ୟ କୌଣସି ସହଯୋଗ କାର୍ଯ୍ୟକଳାପ, ଯାହା ଉପରେ ଏହି ଏମଓୟୁର ପରିଧି ମଧ୍ୟରେ ଆପୋସ ଭାବେ ନିଷ୍ପତ୍ତି ନିଆଯାଇପାରିବ ।
***