ପିଏମଇଣ୍ଡିଆ
ଭାରତ ଏବଂ କାନାଡା ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ବିଷୟରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକକୁ ଅବଗତ କରାଯାଇଥିଲା । ଏହି ବୁଝାମଣାପତ୍ର 21 ଫେବୃଆରୀ, 2018ରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ହୋଇଥିଲା ।
ବୁଝାମଣାର ଉଦ୍ଦେଶ୍ୟ ଭାରତ ଏବଂ କାନାଡା ମଧ୍ୟରେ ଉତ୍କୃଷ୍ଟ ଗବେଷଣା ଏବଂ ଉଦ୍ୟୋଗ-ଏକାଡେମିକ ସହଯୋଗ ଉପରେ କେନ୍ଦ୍ରିତ ଭାଗିଦାରୀକୁ ପ୍ରୋତ୍ସାହନ ଦେବା । ଯାହା ଉଭୟ ଦେଶକୁ ନୂତନ ଉଦ୍ଭାବନ ଲାଗି ସୁଦୃଢ଼ତା ପ୍ରଦାନ କରିବ ।
ପ୍ରତିଭା ଜରିଆରେ ସ୍ୱଚ୍ଛନ୍ଦ ସହଯୋଗ ଭାଗିଦାରୀର ମୂଳ ତତ୍ତ୍ଵ ଅଟେ । ଏହି ଏମଓୟୁ ଦ୍ୱାରା ଭାରତ ଏବଂ କାନାଡା ମଧ୍ୟରେ ଗବେଷଣକାରୀ ସ୍ୱଚ୍ଛନ୍ଦ ହୋଇ ସ୍ନାତକ ସ୍ତରେ ଏକାଡେମିକ ଗବେଷଣା କରିପାରିବେ । ଏଥିସହିତ ପରସ୍ପରର ଦେଶରେ ଉଦ୍ୟୋଗ ଏକାଡେମିକ ସହଯୋଗ ପ୍ରତିଷ୍ଠା କରିପାରିବେ । ସ୍ନାତକ ସ୍ତରର ଏକାଡେମିକ ଗବେଷଣା କାର୍ଯ୍ୟକ୍ରମ ଅନ୍ତର୍ଗତ, ଉଭୟ ପକ୍ଷ ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ)ରେ 110ଜଣ ସ୍ନାତକୋତ୍ତର ଏବଂ ପିଏଚଡି ଗବେଷକଙ୍କୁ ସହଯୋଗ କରିବେ । ଏହାର ଅନ୍ତର୍ଗତ ତିନି ବର୍ଷର ଅବଧିରେ ଭାରତର ଯୋଗ୍ୟ ବିଶ୍ୱବିଦ୍ୟାଳୟରୁ ଛାତ୍ର ଗବେଷକ କାନାଡା ଗବେଷଣା ପରୀକ୍ଷାଗାର ସହିତ 12ରୁ 24 ସପ୍ତାହ ପର୍ଯ୍ୟନ୍ତ ଗବେଷଣାରେ ଭାଗ ନେବେ । ସମାନ ସଂଖ୍ୟକ କାନାଡା ବିଶ୍ୱବିଦ୍ୟାଳୟର ଛାତ୍ର ଗବେଷକ ଯୋଗ୍ୟ ଭାରତୀୟ ବିଶ୍ୱବିଦ୍ୟାଳୟର ଗବେଷଣା ପରୀକ୍ଷାଗାର ସହିତ 12ରୁ 24 ସପ୍ତାହ ପର୍ଯ୍ୟନ୍ତ ଗବେଷଣାରେ ଭାଗ ନେବେ । ପରସ୍ପରର ଦେଶରେ ଉଦ୍ୟୋଗ-ଏକାଡେମିକ ସହଯୋଗ ଅନ୍ତର୍ଗତ ପ୍ରତ୍ୟେକ ପକ୍ଷର 40 ସ୍ନାତୋକୋତ୍ତର ଏବଂ ପିଏଚଡି ଛାତ୍ର ଗବେଷକ ତିନି ବର୍ଷରେ ଅନ୍ୟ ଦେଶରେ ଔଦ୍ୟୋଗିକ ଭାଗିଦାରୀ ସହିତ 16ରୁ 24 ସପ୍ତାହର ଗବେଷଣାରେ ଭାଗ ନେବେ ।
ଏହି ସହଯୋଗ ଦ୍ୱାରା ନୂଆ ସୂଚନା ସୃଷ୍ଟି, ମିଳିତ ବୈଜ୍ଞାନିକ ପ୍ରକାଶନ, ଔଦ୍ୟୋଗିକ ଦିଗ, ଆଇପି ଉତ୍ପାଦନ ଆଦିରେ ସହାୟତା ମିଳିବାର ସମ୍ଭାବନା ରହିଛି । ଏହି ଏମଓୟୁ ଦ୍ୱାରା କାନାଡା ସହିତ ବିଜ୍ଞାନ, ପ୍ରଯୁକ୍ତି ଏବଂ ଉଦ୍ଭାବନରେ ସହଯୋଗ କ୍ଷେତ୍ରରେ ଦୀର୍ଘକାଳନୀ ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିବ ।
****