ପିଏମଇଣ୍ଡିଆ
ନୂଆଦିଲ୍ଲୀର ନଜଫଗଡ଼ ଗ୍ରାମୀଣ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ର (ଆରଏଚଟିସି)ରେ ପାଖାପାଖି 95 କୋଟି ଟଙ୍କା ବ୍ୟୟରେ 100 ଶଯ୍ୟା ବିଶିଷ୍ଟ ଏକ ସାଧାରଣ ଡାକ୍ତରଖାନା ନିର୍ମାଣ ଏବଂ ପରିଚାଳନାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି ।
ଦୁଇ ବର୍ଷ ପୂର୍ବେ ନଜଫଗଡ଼ର ପାଖାପାଖି 73ଟି ଗ୍ରାମର 13.65 ଲକ୍ଷ ସ୍ଥାନୀୟ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ଲାଗି 100 ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ନିର୍ମାଣ ଲାଗି ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା ।
ଏହି ଡାକ୍ତରଖାନାରେ ବ୍ଲଡ ବ୍ୟାଙ୍କ, ନିଦାନ ସେବା, ଏବଂ ଅଲଗା ବର୍ହି ଚିକିତ୍ସା ବିଭାଗ (ଓପିଡି) ସହିତ ମେଡିସିନ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ, ଶିଶୁ ରୋଗ ଏବଂ ସର୍ଜରୀରେ ଚାରୋଟି ପ୍ରମୁଖ କ୍ଲିନିକାଲ ସେବା ଉପଲବ୍ଧ ହେବ । ଏଥିରେ ଜେନେରାଲ ମେଡିସିନ, ସର୍ଜରୀ, ଦନ୍ତ ଚିକିତ୍ସା, ଇଏନଟି, ଓପ୍ଥାଲମାଲୋଜି, ଅଡିଓମେଟ୍ରି ଏବଂ ଶିଶୁରୋଗ ଯତ୍ନ ଓପିଡିର ପରିଚାଳନା ଲାଗି 30 ଜଣ ଡାକ୍ତର, 40 ନର୍ସ ଏବଂ 50ରୁ ଅଧିକ ସହାୟକ ସ୍ୱାସ୍ଥ୍ୟ ସେବା କର୍ମଚାରୀ ରହିବେ ।
ଏହି ଡାକ୍ତରଖାନାରୁ ସ୍ଥାନୀୟ ଜନସାଧାରଣ ବିଶେଷ କରି ମହିଳା ଏବଂ ଶିଶୁଙ୍କ ଭଳି ବଂଚିତ ବର୍ଗରଙ୍କ ଲାଗି ସ୍ୱାସ୍ଥ୍ୟ ସୁବିଧାର ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ । ଏହା ଏହି କ୍ଷେତ୍ରର ଲୋକମାନଙ୍କୁ ଶିଶୁ ଏବଂ ମାତୃତ୍ୱ ଯତ୍ନ ସେବା, ଟ୍ରମା ଚିକିତ୍ସା ସେବା ଏବଂ ମୌଳିକ ନିଦାନ, ଥେରାପଟିକ, ପ୍ରିଭେଂଟିଭ ଏବଂ କ୍ୟୁରେଟିଭ ସେବା ଯୋଗାଇ ଦେବ ।
ଏହି ଡାକ୍ତରଖାନା ନିଜର ସମସ୍ତ ବିଭାଗରେ ପର୍ଯ୍ୟାପ୍ତ ମାନବ ସମ୍ବଳ ସହିତ 2020 ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ସଂଚାଳିତ ହୋଇପାରିବ ବୋଲି ଆଶା କରାଯାଉଛି ।
***