ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀଠାରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ହେଉଥିବା ବୈଶ୍ଵିକ ସମାରୋହକୁ ସମ୍ବୋଧିତ କରିବେ । ଏହି ଅବସରରେ ରାଜପଥ ଲନରେ ଆୟୋଜିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ବୁଲି ଦେଖିବେ ।
ଚଳିତ ବର୍ଷ ବିଶ୍ଵ ପରିବେଶ ଦିବସର ପ୍ରସଙ୍ଗ ରଖାଯାଇଛି ‘ପ୍ଲାଷ୍ଟିକ ପ୍ରଦୂଷଣକୁ ପରାହତ କରିବା’ । ବିଶ୍ଵ ପରିବେଶ ଦିବସର 43ତମ ବୈଶ୍ଵିକ ସମାରୋହକୁ ଭାରତ ଆୟୋଜନ କରୁଛି । ଏହି ସମାରୋହରେ ବିଭିନ୍ନ ଦେଶର ପରିବେଶ ମନ୍ତ୍ରୀ, ଜାତିସଂଘର ପ୍ରତିନିଧି, ବିଭିନ୍ନ ଔଦ୍ୟୋଗିକ ସଂସ୍ଥାର ସଦସ୍ୟ, ଆନ୍ତର୍ଜାତିକ ସଂସ୍ଥାର ସଦସ୍ୟ ଆଦି ଗଣ୍ୟମାନ୍ୟ ପ୍ରତିନିଧିମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କର ମନ କି ବାତ କାର୍ଯ୍ୟକ୍ରମର 44ତମ ସଂସ୍କରଣରେ ବିଶ୍ଵ ପରିବେଶ ଦିବସ ସମାରୋହକୁ ଏଥର ଭାରତ ଆୟୋଜନ କରୁଥିବା ପ୍ରସଙ୍ଗ ଆଲୋଚନା କରିଥିଲେ । ଆନ୍ତର୍ଜାତିକସ୍ତରରେ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟାର ପ୍ରତିକାର କ୍ଷେତ୍ରରେ ଭାରତର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବୀ ନେତୃତ୍ଵ ଚଳିତ ବର୍ଷର ବିଶ୍ଵ ପରିବେଶ ଦିବସ ସମାରୋହର ପ୍ରତିଫଳନ ମାତ୍ର ।
**********