ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଇନଷ୍ଟିଚ୍ୟୁଟ ଅଫ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ୍ସ ଅଫ ଇଣ୍ଡିଆ (ଆଇସିଏଆଇ) ଏବଂ ଚାର୍ଟାର୍ଡ ପ୍ରଫେସନାଲ ଏକାଉଣ୍ଟାଣ୍ଟ୍ସ ଅଫ କାନାଡା (ସିପିଏ କାନାଡା) ମଧ୍ୟରେ ବୁଝାମଣା (ଏମଓୟୁ)କୁ ମଞ୍ଜୁରି ଦେଇଛନ୍ତି ।
କ୍ୟାବିନେଟ ଏହି ମଞ୍ଜୁରି 2011ରେ ସ୍ୱାକ୍ଷରିତ ଏମଓୟୁକୁ ପିଛିଲା ଭାବେ ମଞ୍ଜୁରି ସନ୍ଦର୍ଭରେ ଏବଂ ଭାରତର ଆଇସିଏଆଇ ଓ କାନାଡାର ସିପିଏ ମଧ୍ୟରେ ଏମଓୟୁ ସ୍ୱାକ୍ଷର କରାଯିବା ନିମନ୍ତେ ପ୍ରଦାନ କରିଛନ୍ତି । ଏହି ଏମଓୟୁ ଅନ୍ତର୍ଗତ ପାରସ୍ପରିକ ସଦସ୍ୟତା ନିମନ୍ତେ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି ଯାହା ସ୍ୱତନ୍ତ୍ର ମାନଦଣ୍ଡ ସହିତ ଉଭୟ ସଂସ୍ଥାନ ସହ ଜଡ଼ିତ ସଦସ୍ୟମାନଙ୍କ ଉପରେ ଲାଗୁ ହେବ । ଏହି ଏମଓୟୁରେ ପ୍ରବେଶ ସ୍ତରର ଚାର୍ଟାର୍ଡ ଏକାଉଣ୍ଟାଣ୍ଟ୍ସ(CA)ଙ୍କର ପେସାଦାର ମାନ, ଦକ୍ଷତା ଏବଂ ପ୍ରତିଦ୍ୱନ୍ଦ୍ୱିତା ମନୋଭାବର ପରିଭାଷା, ଅଧ୍ୟୟନ ଏବଂ ମୂଲ୍ୟାଙ୍କନ ଉପରେ ସହଯୋଗ ପାଇଁ ବ୍ୟବସ୍ଥା ରହିଛି ।
ପ୍ରଭାବ :
ଆଇସିଏଆଇର ସଦସ୍ୟ, ଛାତ୍ରଛାତ୍ରୀ ଏବଂ ସେମାନଙ୍କର ସଂସ୍ଥାନଗୁଡ଼ିକର ବ୍ୟାପକ ସ୍ୱାର୍ଥରେ ପାରସ୍ପରିକ ଭାବେ ଲାଭକାରୀ ସମ୍ପର୍କ ବିକଶିତ କରିବା ଏହାର ଉଦ୍ଦେଶ୍ୟ । ଏହି ଏମଓୟୁ ଆଇସିଏଆଇର ସଦସ୍ୟମାନଙ୍କୁ ସେମାନଙ୍କର ପେସାଦାର ପରିଧି ବଢ଼ାଇବା ଲାଗି ସୁଯୋଗ ଯୋଗାଇଦେବ । ଏଥିସହିତ ଆଇସିଏଆଇ ସ୍ଥାନୀୟ ଦେଶଗୁଡ଼ିକର ବ୍ରାଣ୍ଡ ନିର୍ମାଣକୁ ସୁଦୃଢ଼ କରୁଥିବା ସଂସ୍ଥାନ ଭାବେ ଉଭା ହେବ । ଏହି ଏମଓୟୁ ଆଇସିଏଆଇ ଏବଂ ସିପିଏ କାନାଡା ମଧ୍ୟରେ ଏକ ସୁଦୃଢ଼ କାର୍ଯ୍ୟ ସମ୍ପର୍କ ପ୍ରତିଷ୍ଠା କରିବ ।
ଲାଭାର୍ଥୀ :
ଏହି ଏମଓୟୁ ଅଧିକରୁ ଅଧିକ ଯୁବ ଭାରତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟମାନଙ୍କୁ ସିପିଏ କାନାଡାରୁ ପେସାଦାର ମାନ୍ୟତା ହାସଲ କରିବା ଲାଗି ପ୍ରୋତ୍ସାହିତ କରିବ ଏବଂ ସେମାନଙ୍କୁ କାନାଡାରେ ପେସାଦାର ସୁଯୋଗ ସନ୍ଧାନରେ ସହାୟକ ହେବ । ଅନେକ ଭାରତୀୟ ଚାର୍ଟାର୍ଡ ଏକାଉଣ୍ଟାଣ୍ଟ କାନାଡାର କମ୍ପାନୀମାନଙ୍କରେ ଉଚ୍ଚ ପଦବୀରେ କାର୍ଯ୍ୟରତ ଅଛନ୍ତି ଏବଂ ସେମାନଙ୍କୁ ସିପିଏ କାନାଡାଠାରୁ ମାନ୍ୟତା ମିଳିଛି । କାନାଡାର ଶିଳ୍ପ ଜଗତକୁ ଭାରତୀୟ ପ୍ରତିଭା ଏବଂ କୌଶଳ ଉପରେ ଭରସା ରହିଛି । ସେଠାକାର କମ୍ପାନୀମାନେ CAମାନଙ୍କୁ ନିଯୁକ୍ତି ଦେବା ଲାଗି ଆଗେଇ ଆସୁଛନ୍ତି ।
କାର୍ଯ୍ୟାନ୍ୱୟନ ରଣନୀତି ଏବଂ ଲକ୍ଷ୍ୟ :
ଏହି ଏମଓୟୁ ସେ ସଦସ୍ୟମାନଙ୍କ ଉପରେ ଲାଗୁ ହେବ ଯେଉଁମାନେ ଆଇସିଏଆଇ ଅଥବା କାନାଡୀୟ ପ୍ରୋଭିନସିଆଲ ସିପିଏ ପ୍ରତିଷ୍ଠାନରୁ ଆବଶ୍ୟକ ଶିକ୍ଷାଗ୍ରହଣ, ପରୀକ୍ଷା ଏବଂ ଗବେଷଣା ଅଭିଜ୍ଞତା ହାସଲ କରି ଆଇସିଏଆଇ କିମ୍ବା କାନାଡା ପ୍ରୋଭିନସିଆଲ ସଂସ୍ଥାନ ଠାରୁ ସଦସ୍ୟତା ହାସଲ କରିଛନ୍ତି । ଏହି ବୁଝାମଣା ସେହି ବ୍ୟକ୍ତିମାନଙ୍କ ଉପରେ ଆପେ ଆପେ ଲାଗୁ ହେଉନାହିଁ ଯେଉଁମାନେ କୌଣସି ତୃତୀୟ ପକ୍ଷର ଅନ୍ୟ ବୁଝାମଣା ଅନ୍ତର୍ଗତ ଆଇସିଏଆଇ କିମ୍ବା କାନାଡା ପ୍ରୋଭିନସିଆଲ ସିପିଏ ପ୍ରତିଷ୍ଠାନରୁ ସଦସ୍ୟତା ହାସଲ କରିଛନ୍ତି ।
**********