Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ମୈଁ ନହିଁ ହମ” ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ; ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାତା ପେଶାଦାରଙ୍କ ସହ ଭାବ ବିନିମୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ମୈଁ ନହିଁ ହମ” ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ;

ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାତା ପେଶାଦାରଙ୍କ ସହ ଭାବ ବିନିମୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ମୈଁ ନହିଁ ହମ” ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ;

ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାତା ପେଶାଦାରଙ୍କ ସହ ଭାବ ବିନିମୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା “ମୈଁ ନହିଁ ହମ” ପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ;

ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାତା ପେଶାଦାରଙ୍କ ସହ ଭାବ ବିନିମୟ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ଠାରେ ମୈଁ ନେହିଁ ହମପୋର୍ଟାଲ ଓ ଆପ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେ ଆଇଟି ଏବଂ ଇଲେକ୍ଟ୍ରୋନିକ୍‌ ବିନିର୍ମାଣକାରୀ ପେଶାଦାରଙ୍କ ସହ ଭାବ ବିନିମୟ କରିଛନ୍ତି ।

ଏହି ପୋର୍ଟାଲ, “ସେଲ୍ଫ4ସୋସାଇଟିଶୀର୍ଷକ ଉପରେ ଆଧାରିତ, ଏବଂ ଏହା ଆଇଟି ପ୍ରଫେସନାଲ ଏବଂ ଅନୁଷ୍ଠାନମାନଙ୍କୁ ବିଭିନ୍ନ ପ୍ରକାର ସାମାଜିକ ପ୍ରସଙ୍ଗ ଏବଂ ସାମାଜିକ ସେବା କ୍ଷେତ୍ରରେ ଗୋଟିଏ ପ୍ଲାଟଫର୍ମରେ ଏକଜୁଟ କରିବାରେ ବିଶେଷ ଭାବେ ସହାୟକ ହେବ । ଫଳରେ, ଏହି ପୋର୍ଟାଲ ସମାଜର ଦୁର୍ବଳ ଶ୍ରେଣୀ, ବିଶେଷ କରି ଯେଉଁମାନେ ପ୍ରଯୁକ୍ତିର ସୁବିଧା ପାଇବାକୁ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହାନ୍ତି ସେମାନଙ୍କ ନିକଟରେ ତାହା ପହଞ୍ଚାଇବ ଏବଂ ସେବା ଯୋଗାଣ କ୍ଷେତ୍ରରେ ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ । ଏହି ପୋର୍ଟାଲ ମାଧ୍ୟମରେ ସାମାଜିକ ସେବା କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଲୋକମାନେ ସାମିଲ ହୋଇପାରିବ ଏବଂ ସେମାନଙ୍କୁ ସମନ୍ୱିତ ଭାବେ ବଡ଼ ବଡ଼ ସାମାଜିକ କାର୍ଯ୍ୟକ୍ରମ ସାକାର କରିବା ଦିଗରେ ନିୟୋଜିତ କରାଯାଇପାରିବ ।

ଆଇଟି ଏବଂ ଇଲେକ୍ଟ୍ରୋନିକ ବିନିର୍ମାଣକାରୀ ପ୍ରଫେସନାଲ, ଶିଳ୍ପପତି ଓ ଟେକ୍ନୋକ୍ରାଟମାନଙ୍କୁ ଏକଜୁଟ କରିବା ଏବଂ ସେମାନଙ୍କ ମଧ୍ୟରେ ସମନ୍ୱୟ ଓ ସଂପର୍କ ସ୍ଥାପନର ଏହା ସବୁଠାରୁ ବଡ଼ ମାଧ୍ୟମ ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଆମକୁ ସମସ୍ତଙ୍କୁ ଏକଜୁଟ ହୋଇ କାର୍ଯ୍ୟ  କରିବାକୁ ପଡ଼ିବ ଓ ତଦ୍ୱାରା ଆମେ ସମାଜରେ ବିରାଟ ତଥା ସକାରାତ୍ମକ ପରିବର୍ତ୍ତନ ଆଣି ପାରିବା ।

ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ଶ୍ରୀ ଆନନ୍ଦ ମହିନ୍ଦ୍ରା, ଶ୍ରୀମତୀ ସୁଧା ମୂର୍ତ୍ତି ଏବଂ ଭାରତର ଆଇଟି ଉଦ୍ୟୋଗରେ କାର୍ଯ୍ୟରତ ଅନେକ ଯୁବ ଆଇଟି ପ୍ରଫେସନାଲ ଭାବ ବିନିମୟ କରିଥିଲେ ।

ସେମାନଙ୍କ ସହ ଭାବ ବିନିବୟ କରି ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପ୍ରୟାସ, ତାହା ଯେତେ ବଡ଼ ଅବା ଛୋଟ ହୋଇଥାଉ ନା କାହିଁକି ତାହା ଉପରେ ଉପଯୁକ୍ତ ଗୁରୁତ୍ୱ ଆରୋପ ପ୍ରଦାନ କରାଯିବା ଉଚିତ । ସରକାର ଅନେକ ଯୋଜନା ପ୍ରବର୍ତ୍ତନ କରିଛନ୍ତି ଏବଂ ସେଥିପାଇଁ ବଜେଟର ବ୍ୟବସ୍ଥା ରହିଛି ସତ । କିନ୍ତୁ ସେସବୁର ସଫଳତା ଜନ ଭାଗୀଦାରୀ ଉପରେ ସଂପୂର୍ଣ୍ଣ ରୂପେ ନିର୍ଭର କରେ । ତେଣୁ ଆମେ ଆମର ସାମର୍ଥ୍ୟକୁ ବିନିଯୋଗ କରି ସମାଜରେ କିଭଳି ଭାବେ ସକାରାତ୍ମକ ପରିବର୍ତ୍ତନ ଆଣିପାରିବା ସେଦିଗରେ ସମସ୍ତେ ଚିନ୍ତା କରିବା ଏବଂ ସହଯୋଗ କରିବା ସକାଶେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତ ଆଇଟି ପ୍ରଫେସନାଲମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ଯୁବଗୋଷ୍ଠୀଙ୍କ ହାତରେ ପ୍ରଯୁକ୍ତି ଭଳି ସାଧନ ବିଦ୍ୟମାନ । ସେମାନେ ଏହା ସହ ସୁପରିଚିତ । ସେମାନେ ପ୍ରଯୁକ୍ତିକୁ ସାଧନ ଭାବେ ଉପଯୋଗ କରି ଆସୁଛନ୍ତି  ତାହା କେବଳ ନିଜ ପାଇଁ ନୁହେଁ, ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । ଏହା ଏକ ସଫଳ ପ୍ରୟାସ ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଲେ ଯେ ଦେଶର ସାମାଜିକ ସେକ୍ଟରରେ ଏବେ ଅନେକ ଷ୍ଟାର୍ଟ ଅପ୍‌ କାର୍ଯ୍ୟ କରୁଛନ୍ତି । ଏହି ସାମାଜିକ ଉଦ୍ୟୋଗୀମାନେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ ।

ଏହି ଟାଉନହଲ୍‌ ଢ଼ଙ୍ଗର ଭାବ ବିନିମୟ କାର୍ଯ୍ୟକ୍ରମରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆମର ନିଜ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଏହା ଏକ ବିଶେଷ ସୁଯୋଗ । ଏଥିରୁ ସମସ୍ତଙ୍କର ଅନେକ କିଛି ଶିକ୍ଷା କରିବାର ଏବଂ ଆବିଷ୍କାର କରିବାର ଅଛି ।

ଏହି ଅବସରରେ ଆଇଟି ପ୍ରଫେସନାଲମାନେ ସେମାନଙ୍କର ସାମାଜିକ ସ୍ୱେଚ୍ଛାସେବା, ବିଶେଷ କରି କୌଶଳ ବିକାଶ ଏବଂ ସ୍ୱଚ୍ଛତା କ୍ଷେତ୍ରରେ ଥିବା ବିଶେଷ ପାରଦର୍ଶିତା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ନିଜ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମର ସଂକେତ ଭାବେ ବାପୁଙ୍କ ପ୍ରିୟ ଚଷମାକୁ ରଖାଯାଇଛି । ତେଣୁ ବାପୁ ହେଲେ ଆମର ପ୍ରେରଣା ଏବଂ ତାଙ୍କ ପରିକଳ୍ପନାକୁ ସାକାର କରିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଅନେକ ଘଟଣାରେ, ଯାହା ସରକାର ସାକାର କରିନପାରିବେ ତାହା  ଜନ ସଂସ୍କାର ଦ୍ୱାରା କରାଯାଇପାରିବ । ତେଣୁ ସ୍ୱଚ୍ଛତାକୁ ଆମ ମୂଲ୍ୟବୋଧ ପରିକଳ୍ପନାର ଅଂଶବିଶେଷ ଭାବେ ଗ୍ରହଣ କରିବାକୁ ସେ ଆହ୍ୱାନ ଜଣାଇଥିଲେ ।

ସେହିଭଳି ଏହି କାର୍ଯ୍ୟକ୍ରମ ଅବସରରେ ଜଳ ସଂରକ୍ଷଣର ଗୁରୁତ୍ୱ ସଂପର୍କରେ ଅବତାରଣା କରି ପ୍ରଧାନମନ୍ତ୍ରୀ କହିଲେ ଯେ ଜଳ ସଂରକ୍ଷଣ ସଂପକରେ ଅଧିକ ଜ୍ଞାନ ଆହରଣ କରିବା ନିମନ୍ତେ ସମସ୍ତେ ଗୁଜରାଟର ପୋରବନ୍ଦର ପରିଦର୍ଶନ କରିବା ଉଚିତ । ସେଠାରେ ମହାତ୍ମା ଗାନ୍ଧୀଙ୍କ ପୈତୃକ ବାସଭବନ ଦେଖିବା ଦରକାର । ଆମେ ଏବେ ଏପରି ଏକ ସମୟରେ ଉପସ୍ଥିତ, ଯେତେବେଳେ ଜଳ ସଂରକ୍ଷଣ ଏବଂ ଏହାର ପୁନଃଚକ୍ରଣ ଏକାନ୍ତ ଜରୁରୀ ହୋଇପଡ଼ିଛି । ତେଣୁ କଠିନ ପରିଶ୍ରମ କରୁଥିବା ଦେଶର କୃଷକ ଭାଇମାନେ ସିଞ୍ଚନ ପ୍ରଣାଳୀ ପଦ୍ଧତି ଅବଲମ୍ବନ କରିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ସ୍ୱେଚ୍ଛାକୃତ ପ୍ରୟାସ ଦ୍ୱାରା ଅନେକ କାର୍ଯ୍ୟ ଅନାୟାସରେ ସାଧନ କରାଯାଇପାରିବ, ବିଶେଷ କରି କୃଷି କ୍ଷେତ୍ରରେ ଏହା ସମ୍ଭବ । ଯୁବଗୋଷ୍ଠୀ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସି ଦେଶର କୃଷକମାନଙ୍କ କଲ୍ୟାଣ ସକାଶେ ନାନା ପ୍ରକାର ଗଠନମୂଳକ କାର୍ଯ୍ୟରେ ସାମିଲ ହେବା ଉଚିତ ବୋଲି ସେ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଲେ ଯେ ଲୋକମାନେ ଏବେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଟିକସ ଭରଣା କରୁଛନ୍ତି କାରଣ ସେମାନଙ୍କର ଭରସା ଅଛି ଯେ ସରକାର ଏହି ଅର୍ଥକୁ ଜନସାଧାରଣଙ୍କ କଲ୍ୟାଣ ସକାଶେ ବିନିଯୋଗ କରୁଛନ୍ତି । ସେ କହିଲେ ଯେ ଯୁବକମାନଙ୍କ ଜ୍ଞାନ ଯୋଗୁ ହିଁ ଷ୍ଟାର୍ଟ ଅପ୍‌ ସେକ୍ଟରରେ ଭାରତ ଏବେ ଏପରି ପ୍ରଗତି ହାସଲ କରିପାରିଛି ।

ଗ୍ରାମାଞ୍ଚଳ ଡ଼ିଜିଟାଲ ଉଦ୍ୟୋଗୀ ସୃଷ୍ଟି ଦିଗରେ କାର୍ଯ୍ୟ କରୁଥିବା ଏକ ଆଇଟି ଗୋଷ୍ଠୀଙ୍କ ପ୍ରଶ୍ନର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ଆମକୁ ଏଭଳି ଏକ ଭାରତ ନିର୍ମାଣ କରିବାକୁ ପଡ଼ି ଯେଉଁଠି ସମସ୍ତଙ୍କ ପାଇଁ ସମାନ ପ୍ରକାର ସୁଯୋଗ ଉପଲବ୍ଧ ହେବ । ସାମାଜିକ କାର୍ଯ୍ୟ କରିବା ବେଳେ ସମସ୍ତେ ନିଜକୁ ଗୌରବାନ୍ୱିତ ମନେ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ଦେଶର ବ୍ୟବସାୟିକ ଓ ଶିଳ୍ପ ଗୋଷ୍ଠୀଙ୍କୁ ସମାଲୋଚନା କରିବା ମନୋଭାବ ପରିହାର କରିବା ସକାଶେ ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ । ସେ କହିଲେ ଯେ ଏହି ଟାଉନ ହଲ୍‌ କାର୍ଯ୍ୟକ୍ରମ ପ୍ରମାଣିତ କରୁଛି ଯେ ଦେଶର ପ୍ରମୁଖ କର୍ପୋରେଟ ସଂସ୍ଥା ସାମାଜିକ କ୍ଷେତ୍ରରେ କେତେ କେତେ ପ୍ରଶଂସନୀୟ କାର୍ଯ୍ୟ କରୁଛି ଏବଂ ନିଜ ସଂସ୍ଥାର କର୍ମଚାରୀମାନଙ୍କୁ ଜନ କଲ୍ୟାଣ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରବର୍ତ୍ତାଉଛି ।

 

*****************