ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଭାରତୀୟ ଔଷଧ ଓ ଚିକିତ୍ସା ପଦ୍ଧତି(ଏନସିଆଇଏମ) ପାଇଁ ରାଷ୍ଟ୍ରୀୟ ଆୟୋଗ ଗଠନ ବିଲ୍-2018କୁ ଅନୁମୋଦନ ମିଳିଛି । ଏହା ବର୍ତ୍ତମାନର ଭାରତୀୟ ଔଷଧ ଓ ଚିକିତ୍ସା ପଦ୍ଧତି ସଂକ୍ରାନ୍ତ କେନ୍ଦ୍ରୀୟ ପରିଷଦ ନିୟନ୍ତ୍ରକ(ସିସିଆଇଏମ) ସ୍ଥାନରେ ପାରଦର୍ଶିତା ସୁନିଶ୍ଚିତ କରିବା ପାଇଁ ଏକ ନୂଆ ପରିଷଦ ଭାବେ କାର୍ଯ୍ୟ କରିବ ।
ମୁଖ୍ୟ ବିଶେଷତ୍ୱ:
ଏହି ଚିଠା ବିଲରେ 4ଟି ସ୍ୱାୟତ୍ତ ପରିଷଦ ସହ ଗୋଟିଏ ରାଷ୍ଟ୍ରୀୟ ଆୟୋଗ ଗଠନର ପ୍ରାବଧାନ କରାଯାଇଛି । ଏହା ଅନ୍ତର୍ଗତ ଆୟୁର୍ବେଦ ସହ ଜଡ଼ିତ ସମଗ୍ର ଶିକ୍ଷାର ପରିଚାଳନା ଦାୟିତ୍ୱ ଆୟୁର୍ବେଦ ବୋର୍ଡ ଓ ୟୁନାନି, ସିଦ୍ଧ ଓ ସୋୱାରିଗପା ସହ ଜଡ଼ିତ ସମଗ୍ର ଶିକ୍ଷାର ପରିଚାଳନା ଦାୟିତ୍ୱ ୟୁନାନି, ସିଦ୍ଧ ଓ ସୋୱାରିଗପା ବୋର୍ଡ ପାଖରେ ରହିବ । ଏହାବ୍ୟତୀତ ଦୁଇଟି ସାଧାରଣ ବୋର୍ଡ ଯଥା ଭାରତୀୟ ଔଷଧ ଓ ଚିକିତ୍ସା ପଦ୍ଧତିର ଆକଳନ ଓ ରେଟିଂ ବୋର୍ଡ ଏବଂ ଆଚାର ସଂହିତା ଓ ଚିକିତ୍ସକଙ୍କ ପଞ୍ଜିକରଣ ବୋର୍ଡ ରହିଛି । ଆକଳନ ଓ ରେଟିଂ ବୋର୍ଡ ଭାରତୀୟ ଔଷଧ ଓ ଚିକିତ୍ସା ପଦ୍ଧତି ସଂକ୍ରାନ୍ତ ଶିକ୍ଷାନୁଷ୍ଠାନର ଆକଳନ କରିବା ସହ ସେଗୁଡ଼ିକୁ ମଞ୍ଜୁରି ପ୍ରଦାନ କରିବ । ଭାରତୀୟ ଔଷଧ ପ୍ରଣାଳୀର ଡାକ୍ତରଙ୍କ ପଞ୍ଜିକରଣ ବୋର୍ଡ ଭାରତୀୟ ରାଷ୍ଟ୍ରୀୟ ଔଷଧ ଆୟୋଗ ଅଧୀନରେ ପ୍ରାକ୍ଟିସ ସହ ଜଡ଼ିତ ଆଚାର ସଂହିତା ପ୍ରସଙ୍ଗ ସମେତ ରାଷ୍ଟ୍ରୀୟ ରେଜିଷ୍ଟର ଭାବେ ତଦାରଖ ଦାୟିତ୍ୱ ସମ୍ଭାଳିବ ।
ଚିଠା ବିଲରେ ସାଧାରଣ ପ୍ରବେଶିକା ପରୀକ୍ଷା ଓ ଗୋଟିଏ ଏକ୍ଜିଟ୍ ପରୀକ୍ଷାର ପ୍ରସ୍ତାବ ରହିଛି । ଯେଉଁଥିରେ ସମସ୍ତ ସ୍ନାତକଙ୍କୁ କୃତକାର୍ଯ୍ୟ ହେବାକୁ ପଡ଼ିବ । ତା’ପରେ ହିଁ ସେମାନଙ୍କୁ ପ୍ରାକ୍ଟିସ କରିବାର ଲାଇସେନ୍ସ ମିଳିବ । ଏହାବ୍ୟତୀତ ବିଲରେ ଶିକ୍ଷକଙ୍କ ଯୋଗ୍ୟତା ପରୀକ୍ଷା ଆୟୋଜନ କରିବାର ମଧ୍ୟ ପ୍ରସ୍ତାବ ରହିଛି । ଯାହାଫଳରେ ନିଯୁକ୍ତି ଓ ପଦୋନ୍ନତି ପୂର୍ବରୁ ଶିକ୍ଷକଙ୍କ ଜ୍ଞାନର ସ୍ତରର ଆକଳନ କରାଯାଇପାରିବ ।
ଚିଠା ବିଲ୍ର ଉଦ୍ଦେଶ୍ୟ ହେଉଛି ଏଲୋପ୍ୟାଥିକ ଚିକିତ୍ସା ପ୍ରଣାଳୀ ନିମନ୍ତେ ପ୍ରସ୍ତାବିତ ରାଷ୍ଟ୍ରୀୟ ଔଷଧ ଆୟୋଗ ଢାଂଚାରେ ଭାରତୀୟ ଔଷଧ ଓ ଚିକିତ୍ସା ପଦ୍ଧତି କ୍ଷେତ୍ରର ମେଡିକାଲ ଶିକ୍ଷାରେ ବ୍ୟାପକ ସୁଧାର ଆଣିବା ।
ପ୍ରସ୍ତାବିତ ନିୟାମକ ଢାଂଚାରେ ପାରଦର୍ଶିତା ସମେତ ସାଧାରଣ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ନିମନ୍ତେ ଉତ୍ତରଦାୟିତ୍ୱ ସୁନିଶ୍ଚିତ ହେବ । ଏନସିଆଇଏମ୍ ଦେଶର ସମସ୍ତ ଭାତରେ ସୁଲଭ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ପ୍ରୋତ୍ସାହିତ କରିବ ।
**********