ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଜାପାନ ମଧ୍ୟରେ ଦ୍ଵୀପାକ୍ଷିକ ମୁଦ୍ରା-ପ୍ରତିବଦଳ ବ୍ୟବସ୍ଥା (ବିଏସଏ)କୁ ଅନୁମୋଦନ କରିଛନ୍ତି । ଏଥିସହିତ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏବଂ ବ୍ୟାଙ୍କ ଅଫ ଜାପାନ ମଧ୍ୟରେ ସର୍ବାଧିକ 75 ବିଲିୟନ ଆମେରିକୀୟ ଡଲାରର ଦ୍ଵୀପାକ୍ଷିକ ମୁଦ୍ରା-ପ୍ରତିବଦଳ ବ୍ୟବସ୍ଥାରେ ସ୍ୱାକ୍ଷର କରିବା ଲାଗି ଆରବିଆଇକୁ କ୍ଷମତା ପ୍ରଦାନ କରିଛନ୍ତି ।
ପ୍ରମୁଖ ବିଶେଷତ୍ୱ :
ମୁଦ୍ରା-ପ୍ରତିବଦଳ ବ୍ୟବସ୍ଥା ଭାରତ ଏବଂ ଜାପାନ ମଧ୍ୟରେ ଏପରି ଏକ ଚୁକ୍ତି ଯାହାଦ୍ୱାରା ବିଦେଶୀ ମୁଦ୍ରା ବିନିମୟରେ ସ୍ୱଳ୍ପକାଳୀନ ନିଅଂଟର ଭରଣା ନିମନ୍ତେ ବେଲେନ୍ସ ଅଫ ପେମେଂଟକୁ ଉପଯୁକ୍ତ ସ୍ତରରେ ରଖିବା ଉଦ୍ଦେଶ୍ୟରେ ଘରୋଇ ମୁଦ୍ରା ପାଇଁ ସର୍ବାଧିକ 75 ବିଲିଅନ ଆମେରିକୀୟ ଡଲାର ଅର୍ଥର ଗୁରୁତ୍ୱପୂର୍ଣ୍ଣ ପାରସ୍ପରିକ ବିନିମୟ ଏବଂ ପୁନଃବିନିମୟ ହୋଇପାରିବ ।
ଲାଭ :
ବିଏସଏ ହେଉଛି ସଂକଟ ସମୟରେ ପରସ୍ପରକୁ ସହାୟତା କରିବା ଏବଂ ଅନ୍ତର୍ଜାତୀୟ ଆତ୍ମବିଶ୍ୱାସ ପୁନଃପ୍ରତିଷ୍ଠା କରିବାର ରଣନୈତିକ ଉଦ୍ଦେଶ୍ୟ ଲାଗି ଭାରତ ଏବଂ ଜାପାନ ମଧ୍ୟରେ ସହଯୋଗର ଏକ ପ୍ରକୃଷ୍ଟ ଉଦାହରଣ । ଏହି ସୁବିଧା ଦ୍ୱାରା ଭାରତକୁ ଉପଯୋଗ ଲାଗି ସହମତ ପରିମାଣର ପୁଞ୍ଜି ହାତମୁଠାରେ ମିଳିଯିବ । ଆହୁରି ମଧ୍ୟ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ବୈଦେଶିକ ପୁଞ୍ଜି ଉପଯୋଗ ଲାଗି ଭାରତୀୟ କମ୍ପାନୀଗୁଡ଼ିକର ସମ୍ଭାବନା ବଢ଼ିବ ଏବଂ ଦେଶର ବିନିମୟ ଦରରେ ସ୍ଥିରତା ନେଇ ବିଶ୍ୱାସ ବୃଦ୍ଧି ପାଇବ । ବେଲେନ୍ସ ଅଫ ପେମେଂଟ (ବିଓପି) କାରଣରୁ ସୃଷ୍ଟି ହେଉଥିବା ସଂକଟକୁ ମୁକାବିଲା କରିବା ଲାଗି ଏପରି ମୁଦ୍ରା-ପ୍ରତିବଦଳ ଲାଇନର ଉପଲବ୍ଧତା ଫଳରେ ଘରୋଇ ମୁଦ୍ରା ଉପରେ ହେଉଥିବା ସମ୍ଭାବ୍ୟ ଆକ୍ରମଣ ରୋକିବ ଏବଂ ବିନିମୟ ଦରରେ ଅସ୍ଥିରତାକୁ ପରିଚାଳନା କରିବା ନିମନ୍ତେ ଆରବିଆଇର ସାମର୍ଥ୍ୟକୁ ବ୍ୟାପକ ଭାବେ ବୃଦ୍ଧି କରିବ ।
ଭାରତ ଏବଂ ଜାପାନ ମଧ୍ୟରେ ଆପୋସ ଅର୍ଥନୈତିକ ସହଯୋଗ ଏବଂ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗୀଦାରୀ କ୍ଷେତ୍ରରେ ଏହି ବ୍ୟବସ୍ଥା ଆଉ ଏକ ମାଇଲଖୁଂଟ ।
**********