Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଲାଲକିଲ୍ଲାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ


ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 122ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ଲାଲକିଲ୍ଲାରେ ନେତାଜୀ ସୁଭାଷ ସଂଗ୍ରହାଳୟକୁ ଉଦଘାଟନ କରିଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ନେତାଜୀଙ୍କ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ ଫୌଜ ସଂଗ୍ରହାଳୟ ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ମୁଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରୁଛି । ସେ ଏମିତି ଜଣେ ମହାନ ବ୍ୟକ୍ତି ଥିଲେ ଯିଏ ଭାରତର ସ୍ୱାଧୀନତା ସୁନିଶ୍ଚିତ କରିବା ଲାଗି ସଂକଳ୍ପ କରିଥିଲେ ଏବଂ ସମ୍ମାନର ସହିତ ଜୀବନ ନିର୍ବାହ କରିଥିଲେ । ଆମେ ତାଙ୍କ ଆଦର୍ଶକୁ ପୂରଣ କରିବା ଏବଂ ଶକ୍ତିଶାଳୀ ଭାରତ ନିର୍ମାଣ କରିବା ଲାଗି ସଂକଳ୍ପବଦ୍ଧ ହେବା । ସେ କହିଥିଲେ ଯେ ଏହି ପ୍ରାଚୀରରୁ ଇତିହାସର ଶବ୍ଦ ଗୁଞ୍ଜରିତ ହେଉଛି । ଏହି ଭବନରେ ଭାରତର ବୀର ସୁପୁତ୍ର କର୍ଣ୍ଣେଲ ପ୍ରେମ ସେହଗଲ, କର୍ଣ୍ଣଲ ଗୁରବକ୍ସ ସିଂ ଧିଲୋଁ ଏବଂ ମେଜର ଜେନେରାଲ ଶାହ ନୱାଜ ଖାଁଙ୍କ ଉପରେ ଔପନିବେଶିକ ଶାସକମାନେ ମୋକଦ୍ଦମା ଚଳାଇଥିଲେ । ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ ଫୌଜର ଇତିହାସ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରୁଥିବା ଫଟୋ ମଧ୍ୟ ଦେଖିଥିଲେ । ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ ଫୌଜ ସହ ଜଡ଼ିତ ସାମଗ୍ରୀଗୁଡ଼ିକୁ ମଧ୍ୟ ଦେଖିଥିଲେ । ଏଥିମଧ୍ୟରେ ନେତାଜୀଙ୍କ ଦ୍ୱାରା ବ୍ୟବହୃତ କାଠ ଚୌକି, ଖଣ୍ଡା, ପଦକ, ବ୍ୟାଜ ଏବଂ ଆଜାଦ ହିନ୍ଦ ଫୌଜର ୟୁନିଫର୍ମ ସାମିଲ ଅଛି ।

ପ୍ରଧାନମନ୍ତ୍ରୀ ୟାଦ-ଏ-ଜଲିଆଁ ସଂଗ୍ରହାଳୟରେ ଜଲିଆଁ ବାଗ ନୃଶଂସ ଗଣହତ୍ୟାକୁ ଚିତ୍ରିତ କରୁଥିବା ଫଟୋ, ଚିତ୍ରକୃତି ଏବଂ ସମ୍ବାଦପତ୍ର ଦେଖିଥିଲେ । ଏହି ସଂଗ୍ରହାଳୟ 1919ରେ ସଂଘଟିତ ଜାଲିଆନାୱାଲାବାଗ ନୃଶଂସ ଗଣହତ୍ୟା ଏବଂ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭାରତୀୟ ସୈନିକମାନଙ୍କ ବଳିଦାନକୁ ଇତିହାସ ରୂପରେ ଉପସ୍ଥାପନ କରାଯାଇଛି ।
ପ୍ରଧାନମନ୍ତ୍ରୀ ଭାରତର ପ୍ରଥମ ସ୍ୱାଥୀନତା ସଂଗ୍ରାମ 1857 ଉପରେ ନିର୍ମିତ ସଂଗ୍ରହାଳୟ ମଧ୍ୟ ପରିଦର୍ଶନ କରିଥିଲେ ଏବଂ 1857ରେ ଭାରତୀୟ ସଂଗ୍ରାମୀମାନଙ୍କ ଦ୍ୱାରା ପ୍ରଦର୍ଶିତ ବୀରତ୍ୱ ଏବଂ ବଳିଦାନର ପ୍ରଦର୍ଶନୀକୁ ମଧ୍ୟ ବୁଲି ଦେଖିଥିଲେ । ଏହି ସଂଗ୍ରହାଳୟ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ପ୍ରଦର୍ଶିତ କରୁଛି ।

ପ୍ରଧାନମନ୍ତ୍ରୀ ଦୃଶ୍ୟକଳା ସଂଗ୍ରହାଳୟରେ ଭାରତୀୟ କଳା ଉପରେ ପ୍ରଦର୍ଶନୀ ବୁଲି ଦେଖିଥିଲେ । ସେ କହିଥିଲେ ଦୃଶ୍ୟକଳାରେ ଗୁରୁଦେବ ଟାଗୋରଙ୍କ କୃତିକୁ ଦେଖି କଳାପ୍ରେମୀ ଆନନ୍ଦିତ ହେବେ । ଆମେ ସମସ୍ତେ ଜାଣିଛୁ ଯେ ଗୁରୁଦେବ ଟାଗୋର ମହାନ ଲେଖକ ଥିଲେ କିନ୍ତୁ କଳା କ୍ଷେତ୍ରରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ରହିଥିଲା । ସେ ଅନେକ କୃତିରେ ବିବିଧ ବିଷୟକୁ ଉପସ୍ଥାପନ କରିଥିଲେ । ତାଙ୍କର କୃତି ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଥିଲେ, “ମୁଁ କଳାପ୍ରେମୀଙ୍କୁ ବିଶେଷ ଅନୁରୋଧ କରିବି ଯେ ସେମାନେ ଦୃଶ୍ୟକଳା ସଂଗ୍ରହାଳୟକୁ ଯାଆନ୍ତୁ ଯାହା ଭାରତୀୟ ଏବଂ କଳା ସଂସ୍କୃତିର ଉତ୍ତମ ଦିଗର ଝଲକ ଦେଖାଉଛି । ପ୍ରଦର୍ଶନୀରେ ରାଜା ରବି ବର୍ମା, ଗୁରୁଦେବ ଟାଗୋର, ଅମୃତା ଶେରଗିଲ, ଅବନିନ୍ଦ୍ରନାଥ ଟାଗୋର, ନନ୍ଦଲାଲ ବୋଷ, ଗଗନେନ୍ଦ୍ରନାଥ ଟାଗୋର, ସୈଲୋଜ ମୁଖାର୍ଜୀ ଏବଂ ଯାମିନୀ ରୟଙ୍କ ଭଳି କଳାକାରମାନଙ୍କ କୃତି ପ୍ରଦର୍ଶୀତ ହୋଇଛି ।’

ସଂଗ୍ରହାଳୟର ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ସମୃଦ୍ଧ ଇତିହାସ ଏବଂ ସଂସ୍କୃତି ସହ ଜଡ଼ିତର 4ଟି ସଂଗ୍ରହାଳୟର ଉଦଘାଟନ କରି ଅତ୍ୟନ୍ତ ପ୍ରସନ୍ନତା ଅନୁଭବ ହେଉଛି । ସମସ୍ତ 4ଟି ସଂଗ୍ରହାଳୟକୁ କ୍ରାନ୍ତି କଳା ମନ୍ଦିର ନାମ ଦିଆଯାଇଛି । ଏହି ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଜାଦ ହିନ୍ଦ ଫୌଜ ସଂଗ୍ରହାଳୟ, ୟାଦ-ଏ-ଜଲିଆଁ ସଂଗ୍ରହାଳୟ (ଜଲିଆଁ ବାଗ ଏବଂ ପ୍ରଥମ ବିଶ୍ୱଯୁଦ୍ଧ), ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ 1857 ଉପରେ ସଂଗ୍ରହାଳୟ ଏବଂ ତିନି ଶତାବ୍ଦୀର 450ରୁ ଅଧିକ କଳାକୃତି ଥିବା ସଂଗ୍ରହାଳୟ ମଧ୍ୟ ସାମିଲ ଅଛି ।

କ୍ରାନ୍ତି ମନ୍ଦିର ଆମ ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ କ୍ରାନ୍ତିକାରୀ ଉତ୍ସାହ ଏବଂ ସାହସ ପ୍ରତି ଶ୍ରଦ୍ଧାଞ୍ଜଳି । ଗଣତନ୍ତ୍ର ଦିବସ ପୂର୍ବରୁ ଏହି ସଂଗ୍ରହାଳୟ ଆମ ଯୁବକମାନଙ୍କୁ ଦେଶର ଗୌରବଶାଳୀ ଇତିହାସକୁ ଯୋଡ଼ିବ ଏବଂ ନାଗରିକମାନଙ୍କୁ ଦେଶଭକ୍ତିର ଭାବନାରେ ଅନୁପ୍ରାଣିତ କରିବ ।

***